ଶବ୍ଦର ତୂଳୀରେ ସାମ୍ରାଜ୍ୟର ନକ୍ସାକୁ ନିଖୁଣ ଭାବେ ଚିତ୍ରଣ କରିପାରୁଥିବା ବିଶିଷ୍ଟ କବି,କଥାକାର ଏବଂ ପ୍ରଫେସର ଡକ୍ଟର ରାଜେନ୍ଦ୍ର କୁମାର ବେହେରାଙ୍କ ଚମତ୍କାର ଏବଂ ହୃଦୟସ୍ପର୍ଶୀ କବିତା ପଢ଼ନ୍ତୁ __ “ଇନ୍ଦ୍ରଧନୁର ଛାଇ” ।

##  ଇନ୍ଦ୍ରଧନୁର ଛାଇ  ##

ଭୁଲରେ ଯଦିକେବେ ଥରେ ତମେ ଚାଲିଆସ
ମୋ ଛାତିର ଗହନ ବନକୁ
ସ୍ପନ୍ଦିତ ହେବ
ପ୍ରଥମେ ପଡୁଥିବା ସକାଳର କଅଁଳ କିରଣେ
ସେତେଯାଏଁ ସୂର୍ଯ୍ୟ ଅପେକ୍ଷିତ ଥିବ….l

ବାତ୍ୟାର ପରବର୍ତ୍ତୀ ନିରବତା ଉର୍ଦ୍ଧ୍ଵରେ
ଚକର ମାରୁଥାଏ ଘୂର୍ଣ୍ଣୟ ବାୟୁ
ଯେଉଁଠି ଅସ୍ଥିର ହୁଏ ଇନ୍ଦ୍ରଧନୁର ଛାଇ
ମୁଁ ନୀରବି ଯାଏ
ସମ୍ପର୍କ ବିତର୍କରେ କେତୋଟି ପ୍ରଶ୍ନକୁ ନେଇ …

ମୋ ପାଇଁ ଗୋଟିଏ ତମାଳ ଫୁଲ ଯଥେଷ୍ଟ
ଏରୁଣ୍ଡିବନ୍ଧର ଶୋଭା ବଢାଇବା ପାଇଁ
ଏକାଗ୍ର ମନରେ ଧ୍ୟାନ ରତ
କିଛି ଅବୁଝା ଚକ୍ରବାକ ସୁଧାରିବା ପାଇଁ
ମନେ ମନେ ସୂର୍ଯ୍ୟ ଚନ୍ଦ୍ର ତାରାଙ୍କୁ ଡାକୁଚି…

ତୁମେ ଯଦି ଫୁଲ ନ ହେବ
ତୁମ ଦେହେ ରେଣୁ ନ ରହିବ
ମୁଁ କାହିଁ ପ୍ରଜାପତି ହେବି ତୁମପାଇଁ
ରାସ୍ତାମୟ ସଂସାରରେ
ଖୋଜି ଖୋଜି ଘୂରି ବୁଲିବି
କେଉଁ କାରଣକୁ ନେଇ…I

ତୁମେ ଆରାମରେ ଶୋଇଯାଅ ନିଘୋଡ ନିଦରେ
ପ୍ରକୃତି କୋଳରେ
ଯେତେବେଳେ ନିଦରେ ବି ମୋ ମୂଲ୍ୟ ବୁଝିପାର
ମୋ ସହ ପ୍ରେମସିକ୍ତ ହେବାକୁ ହେବ
ବାକି ବଳକା ରାତିରେ ….l

ତୁମେ ଦିନେନାଦିନେ ବଦଳି ଯିବ
ଆଦ୍ୟ, ଯୌବନ ଆଉ ପରବର୍ତ୍ତୀ ବୟସର ସମୟ ସ୍ରୋତରେ
ଫିକା ହୋଇଯିବ ଇନ୍ଦ୍ରଧନୁ ଧୂଳିଆ ଆକଶେ
ଆଉ ଉଭେଇ ଯିବ ଛାଇ ସୂର୍ଯ୍ୟଙ୍କ ଅସ୍ତରେ ..
ଏମିତି ଅନେକ କଥା ବେଳେ ବେଳେ ଭାବି ଦେଇଥାଏ…l