ପିଆଲା
ଭାଗୀରଥି ବେହେରା
ତୁମେ ଯେଉଁ ପିଆଲା ହାତରେ ଧରେଇ ଦେଇଛ
ସେଥିରେ ଅଛି ବିଷ, ଘାତକ ଅସ୍ତ୍ର
ତଥାପି ମୁଁ ପିଇବି ,ନିଶ୍ଚୟ ପିଇବି
ଦେଖିବି ତୁମେ କେତେ ବିଷାକ୍ତ ହୋଇପାର ।
କେତେ ନିଷ୍ଠୁର , ନିର୍ବାକ ନିସ୍ପନ୍ଦ ହୋଇପାର ।
କେତେ ହୃଦୟହୀନା , ସମ୍ବେଦନହୀନା ହୋଇପାର ।
ଯେତିକି ମାରାତ୍ମକ ନୁହଁ ତୁମ ପ୍ରତାରଣା
ତା’ଠାରୁ ଢେର୍ ଅଧିକ ମୋ ଯନ୍ତ୍ରଣା
ଯେତିକି ଆତଙ୍କ ନୁହଁ ତୁମ ମନ୍ତ୍ରଣା ତା’ଠାରୁ କମ୍ ଆତଙ୍କିତ ମୋ ହୃଦୟର ବୀଣା
କେବଳ ପରାସ୍ତ ହେବା ହିଁ ମୋ ଭଲପାଇବା
କେବଳ ପରସ୍ତ ପରସ୍ତ ବେଦନା ହିଁ ମୋ ସମର୍ପଣ
ଦେଖିବ, ନିଶ୍ଚୟ ଦେଖିବ
ତୁମେ ଭାଙ୍ଗି ପଡୁଥିବ ମୋତେ ଜାଳି, ମାରି
ମୁଁ ଉଙ୍କି ମାରୁଥିବି ନବ କିଶଳୟ ପରି
ତୁମେ ହାରୁଥିବ ସବୁ ଧୈର୍ଯ୍ୟ ହାରି
ମୁଁ ଜିତୁଥିବି , ବାର୍ତ୍ତୁଥିବି ସେ ପିଆଲାର ଭାଗ୍ୟ ପରି ।
ତୁମେ ଜାଣିନ ଯେ ସେ ପିଆଲାର ମୁଁ ସୃଷ୍ଟି କର୍ତ୍ତା
ମୋର ସେ ପିଆଲା କେବଳ ଜାଣିଚି ପ୍ରେମର ବାର୍ତ୍ତା
ନାଗୁଣୀ, ମାଲ୍ୟାଣୀ, କୁହୁକିନୀ
କିବା ନିଅ ଯେତେ ବହୁରୂପୀ ମାୟବିନୀ
ମୁଁ କିନ୍ତୁ ସେଇମିତି ପ୍ରେମିକ ପ୍ରବର , ପ୍ରେମର ଧନୀ
ସୌଦାଗର ମୁଁ ସମର୍ପଣ ହିଁ ମୋ ବେପାର
ଦେଖା ଯାଉ ଜେତେ ତୁମେ ଉଦ୍ଗାରିବ ବିଷ
ମୋ ଲାଗି ସମାନ ଶେଷ ଆଉ ଶୋଷ
ତୁମେ ତ ଓଦା ମାଟିର ବତୁରା ମୂର୍ତ୍ତି ପରି
ମୁଁ ଶୁଷ୍କ ମରୁଭୂମିରେ ଓଏସିସ୍ ପରି ।
ଏବେ ତୁମେ ମୁକ୍ତ,
ଅଭିଶାପରୁ ମୁକ୍ତ, ବଂଧନରୁ ମୁକ୍ତ
ଛିଟିକି ପଡ଼ିପାରିବ ପିଆଲାର ନିଶା ପରି
ମୁଁ କେବଳ ସେଇମିତି ଚାହୁଁଥିବି
ସମାଧିସ୍ଥ ସନ୍ନ୍ୟାସୀ ପରି
ଯଦି କେବେ ବଦଳି ଯାଏ ମନ
ନିଜ ହୃଦୟକୁ ଦିଅ ଥରେ ପଚାରି
ବିଶ୍ଵାସର ଯେଉଁ ପିଆଲା ଓଠକୁ ଲାଗିଥାଏ
ସେ କେମିତି ନିଃଶ୍ୱାସକୁ କରିନେବ ଚୋରୀ ।
ପ୍ରିୟତମା !
ପ୍ରିୟତମ ତ ଏକମାତ୍ର ତୁମ ପଥର ପଥଚାରୀ
କି ଅମୃତ, କି ବିଷ ସବୁ ଲାଗେ ଠିକ୍ ତୁମ ପରି ।।
ସମ୍ପାଦକ
ଗଞ୍ଜାମର କବିତାଘର
ଆଙ୍କୁଲି, ବ୍ରହ୍ମପୁର