ପଢ଼ନ୍ତୁ କବି ସୁଦାମ ପାଣିଗ୍ରାହୀଙ୍କ କବିତା__ ଆମେ ଓଡ଼ିଆ ଭାରି ବଢ଼ିଆ

ଆମେ ଓଡିଆ ଭାରି ବଢିଆ

ଆମେ ଓଡିଆ ଭାରି ବଢିଆ
ନିଆରା ଆମ ଭାଷା,
ଅତି ସରସ ଭରେ ଉଲ୍ଲାସ
ଚିତ୍ତରେ ବାନ୍ଧେ ବସା ।

ସଂସ୍କାର ଆମ ଅଟେ ଉତ୍ତମ
ନୀତି ନିପୁଣ ଆମେ,
ଉଚ୍ଚ ବିଚାର ଶିଷ୍ଟ ଆଚାର
ନିଖୁଣ ପ୍ରତି କାମେ ।

ପୁଣ୍ଯ ପବିତ୍ର ଓଡିଶା କ୍ଷେତ୍ର
ଯେଉଁଠି ଜଗନ୍ନାଥ,
ଯା’କୃପା ବଳେ ଜୀବନ ଚଳେ
ଲଙ୍ଘି ବନ୍ଧୁର ପଥ ।

ଦହି ପଖାଳ ଚିଙ୍ଗୁଡି ଝୋଳ
ଆମରି ବଡିଚୁରା,
ଭାରି ବଢିଆ ଆମ ଓଡିଆ
କଟକ ଦହିବରା ।

ଏ ମାଟି ପ୍ରେମୀ କେତେ ସଂଗ୍ରାମୀ
ଲକ୍ଷ୍ମଣ,ବାଜି ଭଳି,
ସଂଗ୍ରାମ କରି ରଖିଲେ ଶିରୀ
ଦେଇ ଜୀବନ ବଳି ।

ବାରଶ ଜଣ ବଢେଇ ପ୍ରାଣ
ରଖି ଧରମପଦ,
ଜୀବନ ଦେଇ ରହିଲା ସେଇ
ପାଇ ଅମର ପଦ ।

ସବୁଠୁ ଭିନ୍ନ କେଡେ ମହାନ
ଅଟେ ଆମ ସଂସ୍କୃତି,
ଉତ୍କର୍ଷ କଳା ସୁଷମା ବୋଳା
ରହିଛି ଯା’ର ଖ୍ୟାତି ।

ଧନ୍ୟ ଏ ଭୂମି ଏଠି ଜନମି
କେତେ କବି ବିଦ୍ବନ,
ଅତି ଉନ୍ନତ ରଚି ସାହିତ୍ଯ
ହେଲେ ସୁନାମଧନ୍ଯ ।

ନାହିଁରେ ନାହିଁ ଏଭଳି କାହିଁ
ଭାରତେ ଏକ ଭୂଇଁ,
ଆମେ ଓଡିଆ ଭାରି ବଢିଆ
ଓଡିଶା ଆମ ପାଇଁ ।

ବ୍ରହ୍ମପୁର