ଗଳ୍ପ ଗଞ୍ଜାମ ୨୦୨୦ ଡ ଦାଶରଥି ଭୁୟାଁ ଗଳ୍ପ ସେଇ ଝିଅଟି

ସେଇ ଝିଅଟି
ଡ. ଦାଶରଥି ଭୂୟାଁ
ହୀରାଖଣ୍ଡ ଏକ୍ସପ୍ରେସ୍ ଦକ୍ଷିଣ – ପଶ୍ଚିମ ଦିଗକୁ ମୁହଁ କରି ଦୌଡୁଥିଲା । ଖଟରଖଟ, ଖଟରଖଟ୍ ସଂଗୀତରେ ତାଳେ ତାଳେ ଗଛ, ବୃକ୍ଷ, ବିଜୁଳିଖମ୍ବ, ପାହାଡ଼ ପର୍ବତ ସବୁ ଟ୍ରେନର ବିପରୀତ ଦିଗରେ ଦୌଡୁଥିଲେ । ଖୋର୍ଦ୍ଧା ଷ୍ଟେସନରେ ସାଧାରଣ ବଗିର ଭିଡ଼ ଅସମ୍ଭବ ବଢ଼ିଯାଇଥିଲା । ଭିଡ଼ ମଧ୍ୟରେ ଜଣେ ଜୀର୍ଣ୍ଣଶୀର୍ଣ୍ଣ ବୃଦ୍ଧା ମଧ୍ୟ ଚଢ଼ିଥିଲା ।
ବୃଦ୍ଧାର ଅବସାଦ ଆଖି ଦୁଇଟି ସିଟ୍‌ଟିଏ ପାଇଁ ଖୋଜିହେଲା । କେଉଁଠି ମଧ୍ୟ ଖାଲି ଜାଗାଟିଏ ତା ଦୃଷ୍ଟିକୁ ଆସିଲା ନାହିଁ । ଠିଆହୋଇ ଯାତ୍ରା କରିବା ବୃଦ୍ଧା ପାଇଁ ଅତ୍ୟନ୍ତ କଷ୍ଟଦାୟକ ଥିଲା । ସେଇ କଥା ତା ମୁଖମଣ୍ଡଳରୁ ସ୍ପଷ୍ଟ ବାରି ହୋଇ ପଡୁଥିଲା । ବୃଦ୍ଧା କାନ୍ଧରେ ଏକ ପୁରୁଣା ବ୍ୟାଗ ଝୁଲୁଥିଲା । ବସିଥିବା ଜଣେ ଯୁବକର ମୁଣ୍ଡ ଉପରେ ବ୍ୟାଗ୍‌ଟି ଝୁଲିଥିଲା । ବେଳେବେଳେ ବ୍ୟାଗଟି ତା ମୁଣ୍ଡକୁ ବି ଛୁଇଁ ଯାଉଥିଲା । ଯୁବକଟି ବୃଦ୍ଧାକୁ ବାରମ୍ବାର ତାଗିଦ୍ କରୁଥିଲା ବ୍ୟାଗ୍‌କୁ ସେଠାରୁ ହଟାଇବା ପାଇଁ । ସିଟ୍ ନପାଇବାରୁ ବୃଦ୍ଧା ଅସ୍ଥିରତା ଆହୁରି ବଢ଼ିଯାଇଥିଲା । ଭୟରେ ତା ଦେହ ଥରିବାକୁ ଲାଗିଲା । ବୃଦ୍ଧାକୁ ପାଖରେ ବସାଇବା ପାଇଁ କୌଣସି ସହଯାତ୍ରୀ ପ୍ରସ୍ତୁତ ନଥିଲେ ।
ବୃଦ୍ଧାର ନଜର ତାସ୍ ଖେଳୁଥିବା ସୁରାଟ ଫେରନ୍ତା ଅର୍ଦ୍ଧଶିକ୍ଷିତ, ଅଶିକ୍ଷିତ ଚାରି ପାଂଚଜଣ ଯୁବକଙ୍କ ଉପରେ ପଡ଼ିଲା । ସେମାନଙ୍କ ପାଖରେ ବସିବା ପାଇଁ ଜାଗାଟିଏ ମିଳିଯିବାର ସମ୍ଭାବନା ଥିଲା । ଯୁବକମାନେ ବୃଦ୍ଧାକୁ ପାଖରେ ବସାଇବା ପାଇଁ ଇଚ୍ଛୁକ ନଥିଲେ । ତାସ ଖେଳୁଥିବା ଯୁବକମାନଙ୍କ ପାଖରେ ବସିଥିବା ଯୁବତୀଟି ବୃଦ୍ଧାର ବ୍ୟାକୁଳତାକୁ ଠିକ୍ ଭାବରେ ହୃଦୟଙ୍ଗମ କରିପାରୁଥିଲା । ଯୁବତୀ ଥରେ ବୃଦ୍ଧାର ମୁହଁକୁ ଚାହିଁ ତାସ ଖେଳୁଥିବା ଯୁବକମାନଙ୍କ ମୁହଁକୁ ଚାହିଁଲା । ସେମାନେ ସମସ୍ତେ ତାସ ଖେଳରେ ମଗ୍ନ ଥିଲେ । ସେମାନଙ୍କ ପାଖରେ ଅନ୍ୟର ହସ୍ତକ୍ଷେପ ଆଦୌ ପସନ୍ଦ ନଥିଲା । ସେମାନେ ଖେଳୁଥିଲେ, ହସୁଥିଲେ ଏବଂ ପାଖରେ ବସିଥିବା ଯୁବତୀର ସୌନ୍ଦର୍ଯ୍ୟକୁ ଆଡ଼ଚାହାଣିରେ ଉପଭୋଗ କରୁଥିଲେ ।

ଟ୍ରେନ୍ ନିରାକାରପୁର ଷ୍ଟେସନ୍ ଅତିକ୍ରମ କରିସାରିଥିଲା । ବୃଦ୍ଧାର ବେଦନା ଆହୁରି ବଢ଼ିଯାଇଥିଲା । ଯୁବତୀ ପୁଣିଥରେ ବୃଦ୍ଧାର ଦୁଃଖ ବିହ୍ୱଳ ମୁହଁକୁ ଚାହିଁଲା । ବସିଥିବା ଯୁବତୀ ଏବଂ ଠିଆ ହୋଇଥିବା ବୃଦ୍ଧା ମଧ୍ୟରେ ଆଟାଚି ରଖି ତା ଉପରେ ଚାଦର ବିଛାଇ ଯୁବକମାନେ ତାସ୍ ଖେଳୁଥିଲେ । ଯୁବତୀଟି ବୃଦ୍ଧାର ମୁହଁକୁ ଅପଲକ ନୟନରେ ଚାହିଁରହି କିଛି ଭାବିଲା । ଭାବି ଭାବି କୌଣସ ଗୋଟେ ନିଷ୍ପତ୍ତିରେ ପହଂଚିଲା ପରେ ତା ଓଠରେ ହସଟିଏ ଫୁଟିଆସିଲା । ସେ ବୃଦ୍ଧାକୁ ଆମନ୍ତ୍ରଣ ଜଣାଇ କହିଲା – “ମାଉସୀ । ଆପଣ ଏଠାକୁ ଆସନ୍ତୁ । ମୋ ପାଖରେ ବସିବେ ।”
ଯୁବତୀର ଏହି ବଦାନ୍ୟ ପଣିଆର ତାସ୍ ଖେଳୁଥିବା ଯୁବକମାନଙ୍କ ମନ ମଧ୍ୟରେ ରାଗର ଏକ ବାତାବରଣ ବ୍ୟାପ୍ତ ହୋଇଗଲା । ଯୁବକମାନେ ପରସ୍ପରର ମୁହଁକୁ ଚାହିଁ ଯୁବତୀ ଉପରେ ନିଜର କ୍ରୋଧକୁ ପରିପ୍ରକାଶ କଲେ । ଜଣେ ଯୁବକ ଅନ୍ୟ ଜଣେ ଯୁବକର କାନରେ ଫୁସରଫାସର ହୋଇ କହିଲା – “ଶାଳୀ! ବେଶି ବଦାନ୍ୟ ଦେଖାଇ ହେଉଛି ।”
ଅନ୍ୟ ଜଣେ ଯୁବକ ଯୁବତୀକୁ ଚଢ଼ାଗଳାରେ ଶୁଣାଇଲା – “ଏଠାରେ ବସିବା ପାଇଁ ଜାଗା କାହିଁ ? ବୁଢ଼ୀ କ’ଣ ଆମ ମୁଣ୍ଡ ଉପରେ ବସିବ?”
ତୃତୀୟ ଯୁବକ ଜଣକ ଅନ୍ୟ ଦି’ ଜଣଙ୍କ କଥାକୁ ସମର୍ଥନ କରି କହିଲା – “ବୁଢ଼ୀକୁ ଭିତରକୁ ଆଦୌ ଛାଡ଼ନାହିଁ । ଦେଖିବା ଆମର କିଏ କ’ଣ କରିବ ?”
ବୃଦ୍ଧା ଯୁବତୀ ପାଖକୁ ଯିବା ପାଇଁ ପ୍ରବଳ ଉଚ୍ଛ୍ୱାସ ଦେଖାଇଲା । କିନ୍ତୁ ଯୁବକମାନଙ୍କର ହାବଭାବ ଦେଖି ସେ ସେମିତି ଠିଆହୋଇ ରହିବା ଦେଖି ଯୁବତୀଟି ପୁନର୍ବାର ବୃଦ୍ଧାକୁ ନିମନ୍ତ୍ରଣ କଲା ତା ପାଖରେ ଯାଇ ବସିବା ପାଇଁ । ବୃଦ୍ଧା ଏଥର ସାହସ ବାନ୍ଧି ଯୁବତୀ ପାଖକୁ ଯିବା ପାଇଁ ତତ୍ପର ହେଲାବେଳକୁ ଯୁବକମାନେ ତାକୁ ଆଙ୍ଗୁଳି ନିର୍ଦ୍ଦେଶ ପୂର୍ବକ କହିଲେ – “ରହିଯା ବୁଢ଼ୀ । ଆମର ଖେଳ ସରୁ । ଆମେ ବ୍ରହ୍ମପୁରରେ ଓହ୍ଲାଇ ଯିବୁ । ତା ପରେ ଆରାମରେ ବସିବୁ ।”
ବୃଦ୍ଧା ଅତି ଦୈନ୍ୟଯୁକ୍ତ କଣ୍ଠରେ ଯୁବକମାନଙ୍କୁ ଅନୁନୟ କଲା – “ବାବୁମାନେ! ମୁଁ ମଧ୍ୟ ବ୍ରହ୍ମପୁର ପର୍ଯ୍ୟନ୍ତ ଯିବି ।”
ଟ୍ରେନ୍ ଦୌଡୁଥିଲା ତା’ର ଗତାନୁଗତିକ ବେଗରେ । ଠିଆ ହୋଇ ରହିଥିବା ବୃଦ୍ଧାର ଅବଶ ପାଦ ଏବଂ ହାଲ୍‌କା ଶରୀରଟା ଖଟରଖଟ୍ ଖଟରଖଟ୍ ସଙ୍ଗୀତର ତାଳେ ତାଳେ ଦୋହଲୁଥିଲା ।
ପୁଣିଥରେ ବୃଦ୍ଧା ଯୁବକମାନଙ୍କୁ ବିନତୀ ହୋଇକହିଲା – “ବାବୁମାନେ!ତମମାନଙ୍କ ଖେଳରେ ମୁଁ ଆଦୌ ବାଧା ସୃଷ୍ଟି କରିବି ନାହିଁ । ମୋତେ ଟିକେ ବସିବାକୁ ଦିଅ ।”
ବୃଦ୍ଧା ଅନୁରୋଧରେ ବାରମ୍ବାର ଖେଳର ଏକାଗ୍ରତା ନଷ୍ଟ ହେଉଥିବାରୁ ଜଣେ ଯୁବକ କ୍ରୋଧରେ କହିପକାଇଲା – “ଏ ବୁଢ଼ୀ! ଖେଳ ସରୁ । ତା ପରେ ତୋର ବସିବା କଥା ଚିନ୍ତା କରିବା ।”
ବୁଢ଼ୀ ଏବଂ ସେଇ ଯୁବତୀ ସହିତ ଯୁବକମାନଙ୍କ ଭିନ୍ନ ଖେଳକୁ ଉପଭୋଗ କରୁଥିଲେ ଅପରପାଶ୍ୱର୍ରେ ମୁହାଁମୁହିଁ ହୋଇ ବସିଥିବା ଜଣେ ଯୁବକ ଏବଂ ଜଣେ ପ୍ରୌଢ଼ ।
ଯୁବତୀଟି ତୃତୀୟଥର ପାଇଁ ତାସ ଖେଳୁଥିବା ଯୁବକମାନଙ୍କୁ ଅନୁରୋଧ କରି କହିଲା – “ମାଉସୀଙ୍କୁ ଟିକିଏ ବସିବାକୁ ଦିଅ ।”
ଯୁବତୀର ତୃତୀୟ ଅନୁରୋଧରେ ଯୁବକମାନେ ତଥାପି ନିରୁତ୍ତର ଥିଲେ । ଯୁବକମାନେ ଜାଣିଶୁଣି ତା ଅନୁରୋଧକୁ ଉପେକ୍ଷା କରିବା ଜାଣି ଯୁବତୀଟି ଏଥର ରୁଷ୍ଟଭରା କଣ୍ଠରେ କହିଲା- “ଯଦି ମାଉସୀକୁ ମୋ ପାଖକୁ ଆସିବାକୁ ଦେବେ ନାହିଁ, ମୋତେ ଆଟାଚି ହଟାଇବାକୁ ପଡ଼ିବ ।”
ସେମାନଙ୍କ ମଧ୍ୟରୁ ମୋଟା କାଳିଆ ଯୁବକଟି କୋପିତ ନୟନରେ ଯୁବତୀକୁ ଚାହିଁ ପ୍ରତିଜବାବ ଦେଲା – “ଏ ଟୋକି ! ଯଦି ପାରିବୁ ଆମ ଆଟାଚିକୁ ଥରେ ହାତ ଲଗାଇ ଦେଖ ତ ।”
ଯୁବତୀ କୋଉ ଛାଡ଼ିବା ଝିଅ । ପ୍ରତ୍ୟୁତ୍ପନ୍ନମତି । ଯୁବତୀ ମଧ୍ୟ ପ୍ରତ୍ୟୁତ୍ତର ଦେଲା – “କ’ଣ କରିବ ସେଠୁ ? ହଉ ଦେଖ । ମୁଁ ଏବେ ତମ ଆଟାଚିକୁ ଏଠାରୁ ହଟାଇଲେ ମାଉସୀକୁ ବସିବାକୁ ଦେବି ” କହି କହି ଯୁବତୀଟି ଦୁଇ ଆଟାଚି ଉପରେ ଥିବା ଚାଦରଟିକୁ ହଟାଇ ଦେଲା । ଚାଦରର ତାସ ଗୁଡିକ ଖସିପଡ଼ିଲେ ସରସର । ତତ୍‌କ୍ଷଣାତ୍ ଗୋଟିଏ ଆଟାଚିକୁ ସିଟ୍ ତଳକୁ ଠେଲି ଦେଇ ବୃଦ୍ଧାର ହାତ ଧରି ତା ପାଖକୁ ଟାଣି ନେଇ ବସାଇଲା ଯୁବତୀ ।
ସମୁଜ୍ଜଳିତ କଣ୍ଠରେ ଯୁବକମାନେ ପ୍ରଳାପ କଲେ – “ଏ ଟୋକି ! ମାଇପିଲାଟେ ହୋଇ ଭାରି ମରଦପଣିଆ ଦେଖାଉଛୁ ତ । ବ୍ରହ୍ମପୁର ଷ୍ଟେସନ୍ ଆସୁ । ଆମେ ଆମର ପ୍ରକୃତ ମରଦ ପଣିଆ ଦେଖାଇବୁ ।”
ଯୁବତୀଟି ବିଦ୍ରୁପାତ୍ମକ ଅଟ୍ଟହାସ୍ୟ କଲା – “ବ୍ରହ୍ମପୁର ଷ୍ଟେସନରେ ଚାରପାଂଚଜଣ ଯୁବକ ମିଶି ଜଣେ ଝିଅ ଉପରେ ଜୁଲମ କରି ଖସି ପଳାଇଯିବାର ଯୋଜନା କୋଉ ମରଦ ପଣିଆରେ ଗଣାହବ । ଧିକ୍ ତମ ମରଦ ପଣିଆକୁ ।”
କ୍ରୋଧାନ୍ୱିତ ଯୁବତୀର ବାକ୍ୟବାଣରେ ଯୁବକମାନେ ଥଣ୍ଡା ପଡ଼ିଯାଇଥିଲେ । ଏଯାବତ୍ ଅନ୍ୟ କଳିରେ ମଜ୍ଜା ଗନ୍ଧ ଆସୁଥିବା ଯୁବକ ଏବଂ ପ୍ରୌଢ଼ ପରିଣତି କ’ଣ ଘଟିବାକୁ ଯାଉଛି ସେଥିରେ ସେମାନେ ଉଦ୍‌ବିଗ୍ନ ଥିଲେ । କିନ୍ତୁ ଯୁବକମାନଙ୍କ ନରମିଯିବା ସ୍ୱଭାବ ଦେଖି ଦୁହିଁଙ୍କ ମନ ଫୁର୍ତ୍ତିହୀନ ହୋଇଯାଇଥିଲା । ଘଟଣାଟି ଯେ ଏତେ ସହଜରେ ସମାଧାନ ହୋଇଯିବ, ସେମାନେ ପୂର୍ବ ଆକଳନ କରିନଥିଲେ । ଯୁବତୀର ଏ ତଦ୍ରୁପ ସାଧନ ଉପାୟ ଦେଖି ସେମାନେ ତା ମୁହଁକୁ ବଲ୍‌ବଲ୍ କରି ଚାହିଁ ରହିଥିଲେ । ସେତିକି ବେଳେ ଟ୍ରେନ୍ ବ୍ରହ୍ମପୁର ଷ୍ଟେସନରେ ଆସି ପହଂଚିଥିଲା ।
ଯୁବକମାନେ ଓହ୍ଲାଇବା ପୂର୍ବରୁ ଯୁବତୀଟି ସେମାନଙ୍କୁ ଏତିକିମାତ୍ର କହିଥିଲା ଯେ ଆପଣମାନଙ୍କ ଖେଳରେ ବ୍ୟାଘାତ ସୃଷ୍ଟି କରିଥିବାରୁ ମୁଁ ଦୁଃଖିତ । ନିର୍ଲ୍ଲଜ ଯୁବକମାନେ କୌଣସି ଉତ୍ତର ନ ଦେଇ ଚୁପ୍‌ଚାପ୍ ଓହ୍ଲାଇ ଯାଇଥିଲେ । ବ୍ରହ୍ମପୁର ଷ୍ଟେସନରେ ବୃଦ୍ଧାର ହାତ ଧରି ଯୁବତୀ ତାଙ୍କୁ ଗାଡି ଉପରୁ ପ୍ଲାଟ୍‌ଫର୍ମକୁ ଓହ୍ଲାଇ ଦେଇଥିଲା । ଯୁବତୀ ବସିଥିବା ସିଟ୍ ପାଖରେ ସମସ୍ତ ଜାଗା ଖାଲିପଡ଼ିବା ଦେଖି ଅପର ପାଶ୍ୱର୍ରେ ବସିଥିବା ଯୁବକ ଏବଂ ପ୍ରୌଢ଼ ଚଟାପଟ୍ ଯୁବତୀର ସିଟ୍ ପାଖକୁ ମାଡ଼ି ଆସି ନିଜ ନିଜର ସିଟ୍ ଅକ୍ତିଆରେ କରିନେଲେ ।
ଯୁବତୀ ପାଖରେ ବସି ଯାତ୍ରା କଲେ ଯାତ୍ରା ଆହୁରି ଆନନ୍ଦଦାୟକ ହେବ ଭାବି ଯୁବକ ଏବଂ ପ୍ରୌଢ଼ ମନେ ମନେ ଖୁସି ହେଲେ । ପ୍ରୌଢ଼ ଜଣଙ୍କ ଯୁବତୀଙ୍କୁ କହିବା ଆରମ୍ଭ କଲେ – “ବୁଝିଲେ ମାଡ଼ାମ, ଆପଣଙ୍କ ବୁଦ୍ଧି ଓ ସାହସକୁ ପ୍ରଶଂସା ନକରି ରହିପାରୁନି । ଆପଣଙ୍କ ବାକ୍ୟବାଣରେ ଜର୍ଜ୍ଜରିତ ହୋଇ ଯୁବକମାନେ ଏତେ ନରମିଗଲେ ଯେ, ପ୍ରତ୍ୟୁତ୍ତର ଦେବାପାଇଁ ଆଉ ସେମାନେ ସାହସ କଲେନି । ବିଚରାମାନେ କାନମୁଣ୍ଡ ଆଉଁସି ଓହ୍ଲାଇ ପଳେଇଗଲେ । ଆପଣ ବୋଧେ କୋରାପୁଟ ଯିବେ ? ଆମ୍ଭେ ମଧ୍ୟ କୋରାପୁଟ ଯାଉଛୁ । ମୋ ଭଣଜା ପାଇଁ କନ୍ୟା ଦେଖିବାକୁ । ଏ ମୋ ଭଣଜା ବିରେନ୍ଦ୍ର । ମୁଁ ତାଙ୍କ ମାମୁଁ ପ୍ରଭୁ ପ୍ରସାଦ ପାଢ଼ୀ । ସଂକ୍ଷେପରେ ପି.ପି.ପି. କହିଲେ ସାରା ଓଡ଼ିଶା ମୋତେ ଜାଣନ୍ତି । ଆମ ପାର୍ଟି ଏବେ ପାୱାରରେ । ଟୋକାମାନେ ଯଦି ବେଶୀ କିଛି କହିଥାନ୍ତେ ତେବେ ମୁଁ ଛତ୍ରପୁର ଏସ୍‌.ପି.ଙ୍କୁ ମୋବାଇଲ୍ ଯୋଗେ ଜଣାଇ ଦେଇଥାନ୍ତି । ଏବେ ମୋ ସାଙ୍ଗଙ୍କ ପୁଅ ଛତ୍ରପୁରରେକଲେକ୍‌ଟର ଅଛି ତ । ସେ ସବୁ ସମ୍ଭାଳି ନିଅନ୍ତା । ମୋ ଭଣଜା ବିରେନ୍ଦ୍ର ଏକ ସ୍ୱେଚ୍ଛାସେବୀ ସଂସ୍ଥାର ସର୍ବମୟ କର୍ତ୍ତା । ସଂସ୍ଥାଟି ମହିଳାଙ୍କ ପାଇଁ କାମ କରୁଛି ଏବଂ ଆନ୍ତର୍ଜାତିକ ସ୍ତରରୁ ଅନୁଦାନ ପାଉଛି । ସିଏ ବି ଓଡ଼ିଶାର ବୁଦ୍ଧିଜୀବୀଙ୍କ ମହଲରେ ବେଶ୍ ଜଣାଶୁଣା । ମାନେ ଲେଖକ ହିସାବରେ ତା’ର ପ୍ରଚୁର ପରିଚୟ । ସେ ଲେଖିଥିବା ‘ନାରୀ ସଶକ୍ତିକରଣ’ ପୁସ୍ତକଟି ଏବେ ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟମାନଙ୍କରେ ପାଠ୍ୟପୁସ୍ତକ ରୂପେ ପ୍ରଚଳିତ ହେଉଛି ।”
ମାମୁଁଙ୍କ ଚାଟୁକ୍ତିରେ ଭଣଜା ବିରେନ୍ଦ୍ରଙ୍କର ଛାତି କୁଣ୍ଢେମୋଟ ହୋଇଗଲା । ଯୁବତୀର ପ୍ରତିକ୍ରିୟା ଜାଣିବା ପାଇଁ ବିରେନ୍ଦ୍ର ତା ମୁହଁକୁ ଚାହିଁ ଗୋଟେ କୁଟିଳ ହସ ହସିଲା । ଏବଂ ବିଧ ପରିବେଶ ମଧ୍ୟରେ ମାମୁଁ – ଭଣଜାଙ୍କୁ ଟ୍ରେନ୍ ଯାତ୍ରା ଆହୁରି ରସାମୟ ହୋଇଯାଇଥିଲା ।
ବିଜୟନଗରମ୍ ଷ୍ଟେସନରେ ଆଉ କିଛି ଯାତ୍ରୀ ସେଇ ସାଧାରଣ ବଗିରେ ଚଢ଼ିଥିଲେ । ନୂତନ ଆଗନ୍ତୁକମାନଙ୍କ ମଧ୍ୟରେ ଥିଲେ ତିନିଜଣ ଯୁବକ । ତିନିଜଣ ଯାକ ଯୁବକଙ୍କ କାନ୍ଧରେ କଲେଜ ପଢୁଆ ଯୁବକଙ୍କ ପରିଚୟ ପତ୍ର ଝୁଲୁଥିଲା । ସେମାନେ ଅଜବ ଧରଣର ବେଶପୋଷାକ ମଧ୍ୟ ପରିଧାନ କରିଥିଲେ । ବାଘଛାଲ ପରି ଚିିପା ପ୍ୟାଣ୍ଟ୍ ପିନ୍ଧିଥିଲେ । ପିନ୍ଧିଥିବା ଟି ସାର୍ଟରେ ଦ୍ୱି ଅର୍ଥବୋଧକ ସ୍ଲୋଗାନର ଛପା ଅକ୍ଷର ସବୁ ଲେଖାଥିଲା । ସେମାନଙ୍କ ହାବଭାବରୁ ଛାତ୍ର ପରି ଜଣାପଡୁନଥିଲେ ।
ସେମାନଙ୍କ ମଧ୍ୟରୁ ପିଂଟୁ ନାମକ ଯୁବକର ଆଖି ଲେନସ୍‌ରେ ଯୁବତୀର ରୂପ ପ୍ରତିଫଳିତ ହେବା କ୍ଷଣି ସେ ଅନ୍ୟମାନଙ୍କ ଉଦ୍ଦେଶ୍ୟରେ ହୁରି ପକାଇଲା – “ଆରେ ବଣ୍ଟି, ମିଟୁ ଏଠାରେ ସିଟ୍ ଖାଲି ଅଛି । ଆବେ ଏଠି ବସିବ ଆସ ।” କହି କହି ମିଟୁ ଯୁବତୀ ପାଖକୁ ଲାଗି ବସିପଡ଼ିଲା ।
ଗେଟ୍ ପାଖରେ ଥିବା ବଣ୍ଟି ଓ ମିଟୁ ମଧ୍ୟ ତତ୍‌କ୍ଷଣାତ ସେଠାରେ ଉପସ୍ଥିତ ହେଲେ । ଯୁବକମାନଙ୍କ ଏମିତି ଅନୁପ୍ରବେଶ ଦେଖି ମାମୁଁ ଓ ଭଣଜାଙ୍କ ମନ ଫିକା ପଡିଗଲା । ସେମାନଙ୍କ ବସିବା ଢ଼ଙ୍ଗରେ ମାମୁଁ ନାରାଜ ହୋଇ କହିପକାଇଲେ – “ଏ ବାବୁମାନେ । ଆଗକୁ ଢ଼େର ଜାଗା ଖାଲି ଅଛି । ଏଠାରେ ଭିଡ଼ରେ କାହିଁକି ବସିବ ।”
ମାମୁଁଙ୍କ କଥାରେ ବଣ୍ଟି ନାମକ ଯୁବକଟି ରାଗିଯାଇ କହିଲା – “ମଉସା, ଆଉ ତମେ ବେଶି ବକ୍‌ବକ୍ କର ନାହିଁ । ଆଜିକାଲି ଉପଦେଶ ଗୁଡ଼ାକ ଭାରି ଶସ୍ତହୋଇପଡ଼ିଲାଣି । ତମେ ଉପଦେଶଗୁଡାକ ଅନ୍ୟ କେଉଁଠି ବିକ୍ରି କରିବ ଯାଅ । ମଉସା ତମେ ଆଗକୁ ଯାଉନା ଝରକା ଦେଖି ବସିବ । ପାନ ଛେପ ପକାଇବା ପାଇଁ ମଧ୍ୟ ସୁବିଧା ହେବ । ତା ସାଙ୍ଗକୁ ମଧ୍ୟ ଖୋଲାମେଲା ପବନ ବି ପାଇବ ।” କହି କହି ବଣ୍ଟି ବସିପଡ଼ିଲା ମାମୁଁଙ୍କ ପାଖରେ ।
ମାମୁଁ ପ୍ରଳାପ କରି କହିଲେ – “ଆରେ – ଏ – ତମେ ମୋ ମୁଣ୍ଡ ଉପରେ ବସିବ ନା କଣ ?”
ବଣ୍ଟି ଏଥର ବ୍ୟଙ୍ଗ କରି ଗୋଟେ ଡାଇଲଗ୍ ଛାଡ଼ିଲା – “ହାୟ ମେ କ୍ୟା କରୁ, ମୁଝେ ବୁଢ଼ା ମିଲ୍‌ଗୟା ।”
ବଣ୍ଟି ଏପରି ଶାଣିତ ବ୍ୟଙ୍ଗୋକ୍ତିରେ ମାମୁଁ ଟିକିଏ ଲଜ୍ଜିତ ଓ ଅପମାନ ବୋଧକରି, ଭଣଜା ବିରେନ୍ଦ୍ରଙ୍କ ସାହସ ଅଣ୍ଟିଲା ନାହିଁ । ସେମାନେ ବସିଗଲାପରେ ମାମୁଁ ଓ ଭଣଜାଙ୍କ ପାଇଁ ଟ୍ରେନ୍ ଯାତ୍ରା ସତେ ଯେମିତି ବିଷମୟ ହୋଇଯାଇଥିଲା ।
ଟ୍ରେନ୍ ତା ପାରମ୍ପର୍ଯ୍ୟ ଗତିରେ ଚାଲିଥିଲା ଆଗକୁ ଆଗକୁ । କିଛି ସମୟର ନୀରବ ମୁହୂର୍ତ୍ତ ପରେ ମିଟୁ ନାମକ ଯୁବକ ଯୁବତୀ ଆଡକୁ ଟିକିଏ ବକ୍ର ଦୃଷ୍ଟିରେ ଚାହିଁ ପଚାରିଲା “ଆପଣ କୋରାପୁଟ ପର୍ଯ୍ୟନ୍ତ ଯିବେ ବୋଧେ?”
ଯୁବତୀଟି ସୌଜନ୍ୟତା ଦୃଷ୍ଟିରୁ ଉତ୍ତର ଦେଲା – “ହଁ ! ମୁଁ କୋରାପୁଟ ଫେରୁଛି ।”
ଯୁବକଟି ପୁନର୍ବାର ପଚାରିଲା – “ଆପଣ କ’ଣ କରନ୍ତି ?”
ଯୁବତୀ ଉତ୍ତର ଦେଲା – “ମୁଁ କିଛି କରୁନି । ପୋଲିସ୍ ଏସ୍‌.ଆଇ. ଇଣ୍ଟରଭ୍ୟୁ ଦେବାକୁ ଭୁବନେଶ୍ୱର ଯାଇଥିଲି । ଏଇ ଗାଡ଼ିରେ ଫେରୁଚି ।”
ତିନିଜଣଯାକ ଯୁବକ ପରସ୍ପର ମୁହଁକୁ ଚାହିଲେ । ତା ମାନେ ଯୁବତୀ ଜଣକ ଏକା ଅଛି । ତଥାପି ସନ୍ଦେହ ମୁକ୍ତ ହେବାପାଇଁ ସେମାନେ ପୁଣିଥରେ ଯୁବତୀକୁ ପଚାରିଲେ – “ଆପଣ କ’ଣ ଏକା ଇଣ୍ଟରଭ୍ୟୁ ଦେବାକୁ ଯାଇଥିଲେ?”
ବୀରେନ୍ଦ୍ର ଯୁବକମାନଙ୍କ କଥାରେ ହସ୍ତକ୍ଷେପ କରି କହିଲେ – “ଝିଅମାନେ ଏକଲା ଟ୍ରେନରେ ଯାତ୍ରା କରିବା ବୋଧେ ଆପଣମାନଙ୍କୁ ଅଡୁଆ ଲାଗୁଛି । ନାରୀସଶକ୍ତି କରଣ ଯୁଗରେ ମହିଳାମାନଙ୍କୁ ଆପଣ ଏତେ ଦୁର୍ବଳ ଭାବୁଛନ୍ତି କାହିଁକି ? ମୁଁ ମୋ ପୁସ୍ତକରେ ନାରୀମାନଙ୍କର ଏହି ନୂତନ ଶକ୍ତିର ଗୁଣକୁ ହିଁ ପୁଙ୍ଖାନୁପୁଙ୍ଖ ବ୍ୟାଖ୍ୟା କରିଛି ।”

ମାମୁଁ, ଭଣଜା ଏବଂ ତିନି ଯୁବକଙ୍କ ମଧ୍ୟରେ ଯୁବତୀର ଏକଲା ଟ୍ରେନ୍ ଯାତ୍ରାକୁ ନେଇ ଯେଉଁ ବିବାଦ ଚାଲିଥିଲା ସେଥିରେ ଯୁବତୀ ଟିକିଏ ଲଜ୍ଜା ଅନୁଭବ କଲା । ତା’ର ଏକଲା ଆସିବା ସହ ଏମାନଙ୍କର କି ସମ୍ପର୍କ ? ତାକୁ ନେଇ ଏମାନଙ୍କ ମଧ୍ୟରେ ଏତେ ବିତର୍କ ଚାଲିଛି କାହିଁକି ? ସେ କିଛି ବୁଝିପାରୁନଥିଲା ।
ଝିଅ ଏକଲା ଟ୍ରେନରେ ଭୁବନେଶ୍ୱର ଇଣ୍ଟରଭ୍ୟୁ ଦେବାକୁ ଯିବ । ଝିଅର ବାପା ଏଥିରେ ରାଜି ନଥିଲେ । ସେ ଝିଅ ସଙ୍ଗେ ଭୁବନେଶ୍ୱର ଆସିବା ପାଇଁ ଜିଦ୍ ଧରିଥିଲେ । କିନ୍ତୁ ଝିଅ ତା ବାପାଙ୍କୁ ବୁଝାଇ ଦେଇଥିଲା । ପ୍ରତି ମୁହୂର୍ତ୍ତରେ ନାରୀଟିଏ ପାଖରେ ପୁରୁଷଟିଏ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ରହିବା ନିହାତି ଜରୁରୀ କି ? ନାରୀର ନିଜର ବୋଲି କୌଣସି ଆତ୍ମବିଶ୍ୱାସ ନାହିଁକି ? ନାରୀକୁ ମଧ୍ୟ ଭଗବାନ ବୁଦ୍ଧି ଏବଂ ଶକ୍ତି ଦେଇଛନ୍ତି । ସେ ମଧ୍ୟ ପୁରୁଷ ପରି ପ୍ରତ୍ୟେକ ପରିସ୍ଥିତି ସହିତ ନିଜକୁ ଖାପ ଖୁଆଇ ଚଳିପାରିବ । ପ୍ରତ୍ୟେକ ଅସୁବିଧାର ସମ୍ମୁଖୀନ ହୋଇପାରିବ ।
ବାପା ସାଙ୍ଗରେ ଆସିବେ । ଯୁବତୀଟିର ସ୍ୱାଭିମାନ ପ୍ରତି ଏହା ଆଦୌ ସ୍ୱୀକାର୍ଯ୍ୟ ନଥିଲା । ଝିଅର ଯୁକ୍ତିରେ ବାପା ଚୁପ୍ ହୋଇଯାଇଥିଲେ ।
ଯୁବତୀଟି ଭାବନାରେ ବୁଡ଼ି ରହିଥିବା ଦେଖି ବଣ୍ଟି ପଚାରିଲା – “କଣ ଭାବୁଛନ୍ତି ଆପଣ ? ନିଃସଙ୍ଗ ଅନୁଭବ କରୁଛନ୍ତି କି? ଆପଣ ଏବେ ଏକା ନୁହନ୍ତି । ଆମେ ଆପଣଙ୍କ ସାଙ୍ଗରେ ଅଛୁ । ଆପଣଙ୍କର କେହି କିଛି କ୍ଷତି କରିପାରିବେ ନାହିଁ । ମୋ ବାପା ଜଣେ ପଦସ୍ଥ ଅଫିସର । ତାଙ୍କ ସୁପାରିଶ୍‌ରେ ଆପଣ ଯେଉଁ ଇଣ୍ଟରଭ୍ୟୁ ଦେଇଆସିଛନ୍ତି, ସେଥିରେ ସଫଳ ହୋଇପାରିବେ । ଆପଣ ଟ୍ରେନରୁ ଓହ୍ଲାଇବା ପରେ ଆମ ସାଙ୍ଗରେ ଆସନ୍ତୁ । ଷ୍ଟେସନ ପାଖରେ ଆମର ଏକ ହୋଟେଲ ଅଛି । ସେଠାରେ ମୁଁ ମୋ ବାପାଙ୍କୁ ଫୋନ୍ ଯୋଗେ ଆପଣଙ୍କ ଇଣ୍ଟରଭ୍ୟୁ କଥା ଜଣାଇଦେବି । ଆପଣ ଆମ ସାଙ୍ଗରେ ଆସିବେ ନା?”
ଯୁବକମାନଙ୍କ ଅଜବ ପ୍ରସ୍ତାବରେ କୌଣସି ଉତ୍ତର ନଦେଇ ଯୁବତୀ ଚୁପ୍ ରହିଲା । ‘ମାନ୍ ୟା ନମାନ୍ ମେ ତେରା ମେହମାନ୍‌’ ନୀତିରେ ଯୁବକମାନେ ଯୁବତୀ ସାଙ୍ଗରେ ଅନ୍ତରଙ୍ଗତା ବଢ଼ାଇବା ପାଇଁ ସେମାନଙ୍କ ସମସ୍ତ କଳ – ବଳ – କୌଶଳ ପ୍ରୟୋଗ କରିବା ଦେଖି ମାମୁଁ – ଭଣଜା ମନେ ମନେ ବିରକ୍ତ ହେଉଥିଲେ ସିନା, କିଛି କରିପାରୁନଥିଲେ ।
ଯୁବକମାନଙ୍କ ଏପରି ଅପ୍ରାସଙ୍ଗିକ ପ୍ରସ୍ତାବରେ ଯୁବତୀଟି କ୍ରୋଦ୍ଧ ହୋଇଯାଇଥିଲା । ଏଇ ଯୁବକମାନଙ୍କ ସାଙ୍ଗେ ତା’ର କି ସମ୍ପର୍କ? ଏମାନଙ୍କୁ ସେ ଆଦୌ ଜାଣେ ନାହିଁ କି ଚିହ୍ନେ ନାହିଁ । ତଥାପି ଯୁବକମାନେ ତାକୁ ଜୋର ଜବରଦସ୍ତ ଏପରି ପ୍ରସ୍ତାବ ଦେବାର ଉଦ୍ଦେଶ୍ୟ କଣ ? ଯୁବତୀଟିି ତା ମନୋବଳକୁ ଦୃଢ଼ କରି ଯୁବକମାନଙ୍କ ଉଦ୍ଦେଶ୍ୟରେ କହିଲା – “ଥ୍ୟାଙ୍କ୍‌ସ ଫର ୟୋର ପ୍ରପୋଜାଲ୍ । ମୁଁ ଟ୍ରେନରୁ ଓହ୍ଲାଇ ସିଧା ସୁନାବେଡ଼ା ଚାଲିଯିବି । ତେଣେ ବାପା ବୋଉ ବ୍ୟସ୍ତରେ ମୋ ଫେରିବା ବାଟକୁ ଚାହିଁ ରହିଥିବେ ।”
ବଣ୍ଟି ଯୁବତୀକୁ ଆଶ୍ୱାସନା ଦେଇ ବୁଝାଇବାକୁ ଚେଷ୍ଟା କଲା – “ଆପଣ ଜଣେ ଆଧୁନିକା ଏବଂ ସ୍ୱାଧୀନ ନାରୀ । ସବୁକଥା ବାପା ବୋଉଙ୍କୁ ଜଣାଇ ଟେନ୍‌ସନ୍ ଦେବା ଉଚିତ୍ ହେବନି ।”
ଯୁବତୀ ଏଥର ସେମାନଙ୍କ କଥାରେ ଗୁରୁତ୍ୱ ନଦେଇ ନଶୁଣିବା ଭଳି ଝରକା ଦେଇ ବାହାରକୁ ଅନାଇ ରହିଲା ।
ଯୁବତୀଟି ସେମାନଙ୍କ କଥାକୁ ଉପେକ୍ଷା କରିବା ଜାଣିପାରି ମିଟୁ ନାମକ ଯୁବକଟି କହିଲା – “ଏପଟେ ଚାହାଁନ୍ତୁ ମାଡ଼ାମ । ସେଇ ଅନ୍ଧାରୁଆ ପାହାଡ ର୍ପବତରୁ ଆପଣଙ୍କୁ ମିଳିବ କ’ଣ? ଆପଣ ଆମ ସାଙ୍ଗରେ ହୋଟେଲକୁ ଯିବେ ହିଁ ଯିବେ ।”
ଅନ୍ୟ ଦୁଇଜଣ ଯୁବକ ମିଟୁ କଥାରେ ସ୍ୱର ମିଳାଇ କହିଲେ – “ମାଡ଼ାମ୍ ଆମ ସାଙ୍ଗରେ ନିଶ୍ଚୟ ଯିବେନା! ନଗଲେ ଆମେ କଣ ଛାଡ଼ିବା । ଜୋର୍ ଜବରଦସ୍ତ ନେଇ ଯିବାନା! ମାଡ଼ାମ୍ ବାହାରକୁ ଖାଲି ନାଇଁ ନାଇଁ କରୁଛନ୍ତି । ହେଲେ ଭିତରେ ଭିତରେ ପୁରା ଖୁସ୍ ।”
ଯୁବକମାନଙ୍କ ଅଭ୍ୟାସ, ଆଚରଣରେ ଯୁବତୀଟି ସମ୍ପୂର୍ଣ୍ଣ ଭୟଭୀତ ହୋଇଯାଇ ସହଯୋଗ ଆଶାରେ ମାମୁଁ ଏବଂ ବିରେନ୍ଦ୍ରଙ୍କ ମୁହଁକୁ ବ୍ୟାକୁଳ ଚାହିଁରହିଲା । ଯୁବତୀର କାତରପଣକୁ ଦେଖି ମାମୁଁ ଭଣଜା ଯୁବକମାନଙ୍କ ଉଦ୍ଦେଶ୍ୟରେ କହିଲେ – “ଏ ତମେମାନେ ଭଦ୍ରଘରର ପିଲା, ନା ନକ୍ସଲ । ଯଦି ତମ ସାଙ୍ଗରେ ହୋଟେଲ ଯିବାକୁ ଝିଅଟି ଚାହୁଁନି, ତା ସଙ୍ଗେ ଯୋର ଜବରଦସ୍ତି କାହିଁକି ?”
ମାମୁଁ ଏବଂ ବିରେନ୍ଦ୍ରଙ୍କ ଆଡ଼କୁ ତିନିଜଣଯାକ ଯୁବକ ନାଲି ଆଖି ଦେଖାଇ କହିଲେ – “ତମେ କାହିଁକି କବାବ ମେଁ ହଡି ବନୁଚ । ଏ ଆମମାନଙ୍କ ଭିତରି କଥା । ତମେ କିଏ ଏଥିରେ ମୁଣ୍ଡ ପୁରାଇବାକୁ । ପରିଣତି ଭଲ ହେବନି ଜାଣ ।”ଠିକ୍ ଏତିକିବେଳେ ଦୁଇଜଣ ରେଲୱେ ପୋଲିସ୍ ସେଇ ବଗି ମଧ୍ୟ ଦେଇ ଯାଉଥିଲେ । ଯୁବତୀଟି ଭାବିଲା ଯୁବକମାନଙ୍କ ବିରୁଦ୍ଧରେ ସେ ପୋଲିସ୍‌କୁ ଜଣାଇବ । କିନ୍ତୁ ପୋଲିସ୍‌କୁ ଦେଖୁ ଦେଖୁ ବଣ୍ଟି ନାମକ ଯୁବକ ଖୁସୀରେ କହିପକାଇଲା – “ଆରେ ନାଗା ମାମୁଁ, ତମେ ।”
ଲମ୍ବା ଏବଂ କାଳିଆ ପୋଲିସ୍‌ଟି ସଂଭାଷଣ ଜଣାଇଲା – “ବଣ୍ଟିବାବୁ ତମେ ଏଇ ଟ୍ରେନ୍‌ରେ । ତମ ସାଙ୍ଗରେ ଏ ଝିଅଟି କିଏ?”
ବଣ୍ଟି ଚଟାପଟ୍ କହି ପକାଇଲା – “ଆମର ଗାର୍ଲଫ୍ରେଣ୍ଡ୍ ।”
ଜି.ଆର.ପି. ପୋଲିସ୍ ନାଗା ରେଡ୍ଡୀ ତା ସାଥୀ ପୋଲିସ୍‌କୁ ଜଣାଇଦେଲା – “ଏ ହେଉଛି ଆମ କଲୋନୀର ସାଧୁବାବୁଙ୍କ ପୁଅ ।”
ପୋଲିସ୍ ଦି’ ଜଣ ବଣ୍ଟି ସାଙ୍ଗରେ ହାତ ମିଳାଇ ବଗିର ଭିଡ଼ ଭିତରେ ଆଗକୁ ଆଗକୁ ଚାଲିଗଲେ । ପୋଲିସ୍ ଦି ଜଣ ଉଭେଇଗଲା ପରେ ଯୁବକମାନଙ୍କ ଦୃଷ୍ଟି ପୁଣି ଯୁବତୀ ଉପରେ କେନ୍ଦ୍ରୀଭୂତ ହେଲା । ଯୁବତୀକୁ ଲାଗି ବସିଥିବା ବଂଟି ନାମକ ଯୁବକ ଯୁବତୀର କାନ୍ଧରେ ହାତ ପକାଇ କହିଲା – “ଫ୍ରେଣ୍ଡ୍ ! ତମେ ଏମିତି ରାଗୁଛ କାହିଁକି ?”
ବଂଟିର ନିଉଛଣା ପ୍ରକୃତି ଦେଖି ଯୁବତୀଟି କ୍ରୋଧରେ ଜଳିଉଠିଲା । ତା ଆଖିକୁ ଅନ୍ଧକାର ଘୋଟି ଆସିଲା । କ୍ରୋଧରେ ନିଜକୁ ସମ୍ଭାଳି ନପାରି ଯୁବତୀ ଏକ ଶକ୍ତ ଚାପୁଡା ପ୍ରହାର କଲା ବଂଟି ଗାଲ ଉପରେ ।
ବଂଟି ବିଳିବିଳେଇ ତା ପକେଟ୍‌ରୁ ତତ୍‌କ୍ଷଣିତ୍ ଏକ ଛୁରୀ ବାହାର କରି ପାଟି କଲା – “ଏ ତୁ କଣ କଲୁ ହାରାମୀ ଟୋକି ?”
ତୀକ୍ଷ୍ନ ଛୁରୀ ଦେଖି ଆଖପାଖରେ ସମସ୍ତ ଯାତ୍ରୀ ଭୟରେ ଥରିବାକୁ ଲାଗିଲେ । ସମସ୍ତ ଯାତ୍ରୀମାନଙ୍କୁ ଲକ୍ଷ୍ୟ କରି ଜୋର୍‌ରେ ଚିତ୍କାର କଲା ବଂଟି । ସମସ୍ତେ ଏଠାରୁ ଅନ୍ୟତ୍ର ଯିବକି ନାହିଁ ? ମୁଁ କହୁଚି ଯିବ କି ନାହିଁ ? କହି କହି ସାମ୍ନାରେ ବସିଥିବା ମାମୁଁ ଏବଂ ବୀରନ୍ଦ୍ରେ ଆଡକୁ ନାଲି ଆଖି ଦେଖାଇ ଆଖିର ଭ୍ରୁଲତା ମାଧ୍ୟମରେ ନିର୍ଦ୍ଦେଶ ଦେଲା ସେହି ସ୍ଥାନ ଛାଡ଼ି ଚାଲିଯିବାକୁ । ବଂଟିର ଭୀତପ୍ରଦ ଧମକରେ ମାମୁଁଙ୍କ ନେତା ପଣିଆ ଏବଂ ବିରେନ୍ଦ୍ରଙ୍କ ବୀର ପଣିଆ ପାଣିଚିଆ ହୋଇଗଲା । ସେହିକ୍ଷଣି ମାମୁଁ ଅନୁଭବ କଲେ ଯେ ତାଙ୍କ ପଛପାଖରେ ବସ୍ତ୍ର ପ୍ରାନ୍ତ ଓଦା ହୋଇଆସିଲାଣି । ମାମୁଁ ଏବଂ ଭଣଜା ବସିଥିବା ଜାଗାରୁ ଧଡ଼ପଡ଼ ଉଠି ଚାଲିଗଲେ ଅନ୍ୟତ୍ର । ତାଙ୍କ ପଥ ଅନୁସରଣ କରି ଅନ୍ୟଯାତ୍ରୀମାନେ ମଧ୍ୟ ଜଣ ଜଣ କରି ନିଜ ନିଜ ସିଟ୍ ଛାଡ଼ି ପଲେଇଗଲେ । ସମସ୍ତ ଯାତ୍ରୀ ଅନ୍ୟତ୍ର ଚାଲିଯିବା ପରେ ତିନିଜଣଯାକ ଯୁବକ ମିଶି ଯୁବତୀ ଉପରେ ଅନ୍ୟାୟ ଆଚରଣ ଆରମ୍ଭ କରିଦେଲେ । ଟ୍ରେନ୍ କୌଣସି ଏକ ସହର ମଧ୍ୟରେ ପ୍ରବେଶ କରିବା ସଂପର୍କରେ ସହରର ବତୀଖୁଣ୍ଟମାନଙ୍କର ଆଲୋକମାଳରୁ ଠଉରେଇ ନେଲା ଯୁବତୀ । ଷ୍ଟେସନ୍ ନିକଟତର ହେବା ଜାଣି ଚତୁରତାର ସହିତ ସେ ଚେନ୍ ପୁଲିଙ୍ଗ୍ କରିଥିଲା । ଅନ୍ୟ ବଗିମାନଙ୍କରୁ ଯାତ୍ରୀମାନେ ଓହ୍ଲାଇ ଘଟଣା ଜାଣିବା ପାଇଁ ରୁଣ୍ଡ ହୋଇଯାଇଥିଲେ ସେଇ ବଗି ଆଖପାଖରେ । ଘଟଣାର ଅନୁସନ୍ଧାନ ପାଇଁ ସଦଳ ବଳେ ଦୌଡି ଆସିଥିଲେ ଜି.ଆର.ପି. ପୋଲିସ୍ ଦଳ । ଅଭିଯୁକ୍ତ ତିନିଜଣ ଯୁବକଙ୍କ ସହ ଯୁବତୀଙ୍କୁ ମଧ୍ୟ ପୋଲିସ୍ ନେଇ ଯାଇଥିଲେ ।
ଅନ୍ୟତ୍ର ବସିଥିବା ମାମୁଁ ଏବଂ ବୀରେନ୍ଦ୍ର ଝରକା ଫାଙ୍କରୁ ଘଟଣା ପର୍ଯ୍ୟବେକ୍ଷଣ କରୁଥିଲେ । ଏଫ୍‌.ଆଇ.ଆର କାର୍ଯ୍ୟ ସମାପନ ପରେ ଯୁବକମାନଙ୍କୁ ଅଟକ ରଖି ଯୁବତୀକୁ ଛାଡ଼ି ଦିଆଯାଇଥିଲା । ଯୁବତୀଟି ଏଥର ଇଂଜିନ୍ ପଛ ପାଖ ସାଧାରଣ ବଗିରେ ଚଢ଼ିଥିଲା । ଯୁବତୀଟିର ପୁନର୍ବାର ଟ୍ରେନ୍ ଫେରନ୍ତାକୁ ଦେଖି ପାରିନଥିଲେ ମାମୁଁ ଏବଂ ବୀରେନ୍ଦ୍ର । ସେମାନେ ଭାବିଲେ ଯେ ତିନିଜଣ ଯୁବକଙ୍କ ସହ ଯୁବତୀକୁ ମଧ୍ୟ ଅଟକ ରଖାଯାଇଥିଲା ଜି.ଆର.ପି. ପୋଲିସ୍ ଷ୍ଟେସନରେ ।
ଅଧଘଣ୍ଟାର ରହଣି ପରେ ପୁଣି ତା ନିର୍ଦ୍ଧାରିତ ପଥରେ ଦୌଡ଼ିବା ଆରମ୍ଭ କଲା ଟ୍ରେନ୍ । ମାମୁଁ ଏବଂ ବୀରେନ୍ଦ୍ର ମଧ୍ୟାହ୍ନ ସୁଦ୍ଧା କୋରାପୁଟ ଷ୍ଟେସନରେ ଓହ୍ଲାଇ ସିଧା ସଳଖ ପହଂଚିଥିଲେ ସେମାନେ ସୁନାବେଡ଼ାରେ । ପହଂଚି କନ୍ୟା ଦେଖିବାକୁ କନ୍ୟା ପିତାଙ୍କୁ ଘରକୁ ଗଲେ ।
କନ୍ୟା ଦେଖା ମୁହୂର୍ତ୍ତର ଅବ୍ୟବହିତ ପୂର୍ବରୁ ଚା’ ପାନର ଆସର ଚାଲିଥିଲା ବେଳେ ଟ୍ରେନ୍ ଯାତ୍ରାର ଅଭିଜ୍ଞତା ସଂପର୍କରେ ବର୍ଣ୍ଣନା କରି କରି ମାମୁଁ ଭଣଜା ଠୋ ଠୋ ହସିଉଠିଲେ । ଶେଷକୁ କହିଲେ ଆମ୍ଭେ ନଥିଲେ ଝିଅଟିର ଅବସ୍ଥା ଯେ କ’ଣ ହୋଇନଥାନ୍ତା?
ବାପା ଯେହେତୁ ଝିଅ ସାଙ୍ଗରେ ଯିବା ପାଇଁ ଜିଦ୍ ଧରିଥିଲେ ତେଣୁ ଟ୍ରେନ୍‌ରୁ ଘଟିଥିବା ଅଘଟଣ ବିଷୟରେ ସେ ତା ବାପାଙ୍କୁ ଏ ପର୍ଯ୍ୟନ୍ତ କିଛି କହିନଥିଲା । ଚା’ ପାନର ଆସର ପରେ ବାପା ଘର ଭିତରକୁ ପଶି ଆସିଲେ ଏବଂ ଝିଅକୁ କହିଲେ – “ଝିଅ ତୁ ଏ ପର୍ଯ୍ୟନ୍ତ ସଜବାଜ ହୋଇନାହୁଁ ? ସେମାନେ ପରା କନ୍ୟା ଦେଖିବାକୁ ଆସିଛନ୍ତି ।”
ଝିଅ କହିଲା – “ବାପା ! ଟ୍ରେନରେ ରାତିସାରା ମୁଁ ଅନିଦ୍ରା ହୋଇ

ଫେରିଚି । ଆଉ ଯେଉଁମାନେ ମୋତେ ଦେଖିବାକୁ ଆସିଛନ୍ତି ସେଇମାନଙ୍କ ସାଙ୍ଗରେ ମୁଁ ସହଯାତ୍ରୀ ହିସାବରେ ଭୁବନେଶ୍ୱରରୁ କୋରାପୁଟ ଫେରିଚି । ଟ୍ରେନରେ ଆମ୍ଭେ ପରସ୍ପରକୁ ଭଲ କରି ଚିହ୍ନିସାରିଛୁ । ସେମାନେ ମୋତେ ଆଉ ଅଧିକଟା ଦେଖିବେ କ’ଣ ? ମାମୁଁ ଓଡିଶାର ଜଣେ ଟାଣୁଆ ନେତା ଏବଂ ବୀରେନ୍ଦ୍ର ବାବୁ ଜଣେ ବୀର ଓ ସାହାସୀ ଯୁବକ । ମୁଁ ଇଣ୍ଟରଭ୍ୟୁରେ ଭଲ କରିଚି । ମୋର ଆତ୍ମବିଶ୍ୱାସ ଯେ ମୁଁ ଏଥର ନିର୍ଣ୍ଣୟ ସଫଳ ହେବି । ମୁଁ ଆତ୍ମନିର୍ଭରଶୀଳ ହେବାଯାଏଁ ମୋ ପାଇଁ ପ୍ରସ୍ତାବ ଆଣିବ ନାହିଁ । ମୋତେ ଜୋର୍‌ରେ ନିଦ ମାଡ଼ିଲାଣି । ଆଉ ଡିଷ୍ଟର୍ବ କରନି ବାପା । ମୁଁ ଏବେ ଆରମରେ ନିଦ୍ରା ଯିବି ।”
ବାପା ଜାଣନ୍ତି ଝିଅର ଜିଦ୍ ପଣିଆକୁ । ତା ଛଡା ସେମାନେ ଯଦି ଟ୍ରେନ୍‌ରେ ଝିଅର ହାବଭାବ ଏବଂ କାର୍ଯ୍ୟ କଳାପକୁ ଟିକିନିଖି ନିରୀକ୍ଷଣ କରି ଆସିଛନ୍ତି, ତେବେ ଏଠାରେ ଆଉ ଦେଖିବାକୁ ବାକି ରହିଲା କ’ଣ ?
ଝିଅର ବାପା ଫେରି ଆସି ଆଗନ୍ତୁକମାନଙ୍କ ଉଦ୍ଦେଶ୍ୟରେ ଏତିକି ମାତ୍ର କହିଲେ ଯେ – “ଆଜ୍ଞାମାନେ! ମୁଁ ଏକଥା ଜାଣିନଥିଲି । ଆପଣମାନେ ଗତକାଲି ମୋ ଝିଅ ସାଙ୍ଗରେ ହିଁ ଏକା ଟ୍ରେନରେ, ଏକା ସିଟ୍‌ରେ ଭୁବନେଶ୍ୱରରୁ ଅନ୍ତରଙ୍ଗ ଆଳାପ କରିଆସିଛନ୍ତି । ସେ ଆହୁରି କହୁଥିଲା, ମାମୁଁ କୁଆଡ଼େ ଜଣେ ଟାଣୁଆ ନେତା । ତାଙ୍କର ସବୁ ଥାନାରେ ଯଥେଷ୍ଟ ପ୍ରଭାବ ରହିଛି । ଆଉ ଭଣଜା ବିରେନ୍ଦ୍ର ବାବୁ ମଧ୍ୟ ନାରୀ ସଶକ୍ତିକରଣର ଜଣେ ଟାଣୁଆ ପ୍ରବକ୍ତା । ସେ ଏ ବର୍ଷ କୁଆଡ଼େ ନାରୀ ସଶକ୍ତିକରଣ ପାଇଁ ପୁରସ୍କାର ପାଇବେ । ସେ ବାବୁଙ୍କ ଆଉ ଗୋଟେ ଭଲ ଗୁଣ ଅଛି ବୋଲି ଝିଅ କହୁଥିଲା । ବିରେନ୍ଦ୍ର ବାବୁ ଜଣେ ପ୍ରବଳ ସାହାସୀ ଏବଂ ବୀରପୁରୁଷ । ଯେତେ ବଡ ସମସ୍ୟାର ସମ୍ମୁଖୀନ ହେଲେ ମଧ୍ୟ ଅନ୍ୟକୁ ସାହାଯ୍ୟ କରିପାରନ୍ତି । ଦୁହେଁ ଦୁହିଁଙ୍କ ବିଷୟରେ ଏତେ କଥା ଜାଣିଲା ପରେ, କନ୍ୟା ଦେଖା ଫର୍ମାଲିଟିର ଆଉ ଆବଶ୍ୟକତା କ’ଣ ?”
ସ୍ତ୍ରୀଙ୍କ ଡାକ ଶୁଣି ଝିଅର ବାପା ଘର ଭିତରକୁ ପଶିଆସିଲେ । ମାମୁଁ ଏବଂ ବିରେନ୍ଦ୍ର ବସିବା ଜାଗାରୁ ଉଠିପଡି ମୁହୂର୍ତ୍ତକ ପାଇଁ ପରସ୍ପର ମୁହଁକୁ ବଲବଲ କରି ଚାହିଁରହିଲେ । ଦୁହିଁଙ୍କ ମୁହଁରୁ ଏକ ମିଳିତ ସ୍ୱର ଆପେ ଆପେ ଉଚ୍ଚାରିତ ହୋଇ ଆସିଲା – ‘ସେଇ ଝିଅଟି ।’

ମାର୍ଫତ : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଗଞ୍ଜାମ, ଫୋନ୍ : ୭୦୦୮୧୩୨୧୩୪