ଗଳ୍ପ ଗଞ୍ଜାମ ୨୦୨୦ ଗଳ୍ପ -ରଥଯାତ୍ରା ଗାଳ୍ପିକା ଭାରତୀ ପାତ୍ର

ରଥଯାତ୍ରା
ଭାରତୀ କୁସୁମ ପାତ୍ର

ରାତି ଆସି ବାରଟା ହେଲାଣି । କ’ଣ ସବୁ ଲେଖିଚାଲିଛ ସିପ୍ରା ? ପଚାରୁଛନ୍ତି ସ୍ୱାମୀ ନରେନ୍ଦ୍ର । କାଲି ପରା ମହିଳା କମିଶନର ଆସୁଛନ୍ତି । ମିଟିଙ୍ଗ୍‌ର ଆୟୋଜନ ସିନା କରିଦେଲି, ବାକି ସବୁ କାମ ଅଛି । ‘ନାରୀ ଶିକ୍ଷା, ସଂସ୍କୃତି, ସାହିତ୍ୟ ପାଇଁ ସମାଜରେ ନାରୀର ଭୂମିକା’ ବିଷୟବସ୍ତୁ ଅଛି । ହେଲେ କ’ଣ ହେବ, ଏଇ ନାରୀ ସଶକ୍ତିକରଣ ପାଇଁ ଯୋଜନା ପରେ ଯୋଜନା ପ୍ରସ୍ତୁତ ହେଉଛି କିନ୍ତୁ ଆଜିକାଲି ନାରୀ ନିର୍ଯ୍ୟାତନା ବଢ଼ିବାରେ ଲାଗିଛି । କେଉଁଠି ଯୌତୁକ ଜୁଇରେ ନାରୀଟିଏ ହୁହୁ ହୋଇ ଜଳୁଛି ତ କେଉଁଠି ଭୃଣହତ୍ୟା, ପୁଣି କେଉଁଠି ନାରୀକୁ ଶୋଷଣ କରାଯାଉଛି । ବିଭିନ୍ନ ନିର୍ଯ୍ୟାତନାକୁ ସମାଜ ଖେଳେଇଦେଇ ତାକୁ ଆଜି ଉପଭୋଗ୍ୟର ବସ୍ତୁ ରୂପେ ସଜାଇ ଦେଇଛି । ନାରୀ ତାର ପ୍ରତିକାରର ରାସ୍ତା ଖୋଜି ଖୋଜି ପହଁଚିଯାଉଛି ସମାଜର ଅମୁହାଁ ବାଟରେ । ଏହିପରି ସମସ୍ୟାର ସମାଧନା କରିବା ସିପ୍ରା ଜୀବନର ଧାରା ହୋଇଗଲାଣି କିନ୍ତୁ ଅନ୍ତ ନାହିଁ । ସେ ଭୁଲିଯାଇଛନ୍ତି ଜୀବନର ଧର୍ମକୁ, ହଜାର ହଜାର ନାରୀ ହୃଦୟର ଦେବୀ ସାଜିଛନ୍ତି । କାହାର ଯେତେବେଳେ ଯେଉଁ ଅସୁବିଧା ହୁଏ, ଆସନ୍ତିି ସିପ୍ରା ଚୌଧୁରୀଙ୍କ ପାଖକୁ ।
ସିପ୍ରା ଦେବୀ ନିତ୍ୟକର୍ମ ସାରି ପୂଜା କରୁଛନ୍ତି, ହଠାତ୍ ବେଲ୍ ବାଜେ । ଦ୍ୱାର ଖୋଲି ଦେଖିଲା ବେଳକୁ ମାଧବ ଆସିଛି, ଯିଏକି ନରେନ୍ଦ୍ର ବାବୁଙ୍କ ଗୁମସ୍ତା । ହାତରେ ନିମନ୍ତ୍ରଣ ପତ୍ର, ଗୁଆଘିଆ, ବାସୁମତୀ ଚାଉଳ, ଚିନାବାଦାମ, ଏହିପରି ଅନେକ କିଛି । ସିପ୍ରା ଓ ନରେନ୍ଦ୍ରଙ୍କ ପାଦତଳେ ପଡ଼ି ପ୍ରଣାମ ଜଣାଏ । ନିମନ୍ତ୍ରଣ ପତ୍ରଟି ନରେନ୍ଦ୍ର ବାବୁଙ୍କ ହାତକୁ ବଢ଼ାଇଦେଇ କୁହେ, ଗାଁ କମିଟି କହିଛି, ଆପଣ ଦୁଇଜଣ ନିଶ୍ଚୟ ଆସିବେ । ଦୁର୍ଗା ପୂଜା ପାଇଁ ପ୍ରତିବର୍ଷ ପରି ମୁଁ ଦୁଇବସ୍ତା ଚାଉଳ, ପାଉବସ୍ତା ମୁଗଡାଲି ଦେଇଦେଇଛି ଗାଁ କମିଟିକୁ । ଆଉ ଯାହା ଦେବାର, ଆପଣ ଆସିଲେ ଦେବେ । ନରେନ୍ଦ୍ର ନିମନ୍ତ୍ରଣ ପତ୍ର ପଢ଼ି ପଢ଼ି କୁହନ୍ତି ନିଶ୍ଚୟ ଯିବା । ଦଶହରା ଛୁଟି ହିଁ ତ ଆମ ଗାଁର ମୁଖ୍ୟ ଆକର୍ଷଣ । ସିପ୍ରା ତରତର ହୋଇ ଅଫିସ୍ ଚାଲିଯାଆନ୍ତି । ମାଧବକୁ ଘରେ ଅପେକ୍ଷା କରିବା ପାଇଁ କହିଦିଅନ୍ତି । ଝୁମୁରୀ ହଲି ହଲି ନରେନ୍ଦ୍ର ବାବୁଙ୍କ ପାଇଁ ଟେବୁଲରେ ପରଷିଦିଏ । ମାଧବ ଗୋଡ଼ ହାତ ଧୋଇ ଖାଇବାକୁ ବସେ ପିଢ଼ା ପକାଇ । ଝୁମୁରୀ ମାଧବକୁ ତା ପରିବାର ବିଷୟରେ ପଚାରେ । ମାଧବ ବନ୍ଧ, ବାଡ଼, ପୋଖରୀ ଠାରୁ ଆରମ୍ଭ କରି ଆଖଡ଼ା ଘର ହାଲ୍‌ଚାଲ୍ ପର୍ଯ୍ୟନ୍ତ ସବୁ କହିଚାଲେ । ଠୋ ଠୋ ହୋଇ ହସିଉଠନ୍ତି ନରେନ୍ଦ୍ର ବାବୁ । ଧାନ, ମୁଗ, ବିରି, ଆମ୍ବତୋଟାର ସମସ୍ତ ଅମଳର ହିସାବ ଦିଏ ମାଧବ, ନରେନ୍ଦ୍ର ବାବୁଙ୍କୁ । ମାଧବ ନରେନ୍ଦ୍ର ବାବୁଙ୍କ ବାପା ଅମଳରୁ ଗୁମସ୍ତା କାମ କରି ଗାଁ ସମ୍ପତ୍ତିର ରକ୍ଷଣାବେକ୍ଷଣ କରେ । ସପରିବାର ଧରି ନରେନ୍ଦ୍ର ବାବୁଙ୍କ ବାରିପଟ ଘରେ ରହେ । ନରେନ୍ଦ୍ର ବାବୁଙ୍କ ଗୋଟିଏ ପୁଅ, ଗୋଟିଏ ଝିଅ । ପିଲାବେଳେ ସେମାନଙ୍କ ସମସ୍ତ ଦାୟିତ୍ୱ ମାଧବ ଓ ତା’ର ସ୍ତ୍ରୀ ନେଇଛନ୍ତି । ସେମାନଙ୍କ ହାତରେ ହିଁ ପିଲାମାନେ ବଡ଼ ହୋଇଛନ୍ତି । ଆଜିକାଲି ସେମାନେ ବିଦେଶରେ ରହୁଛନ୍ତି ସତ, କିନ୍ତୁ ମାଧବ ମଉସାଙ୍କ ପ୍ରତି ପିଲାଙ୍କ ଉଦାରତା ବହୁତ ବେଶି ।
ସିପ୍ରା ଦେବୀଙ୍କ ଓଜସ୍ୱିନୀ ଭାଷଣ ସମସ୍ତଙ୍କୁ ବାନ୍ଧି ଧରିଛି । ନାରୀ ସୁରକ୍ଷାର କବଚ ଆମ ହାତ ମୁଠାରେ । ନାରୀର ସୁରକ୍ଷା ପାଇଁ ସରକାର, ସମାଜ କେହି ଦାୟୀ ନୁହଁନ୍ତି । ଗୋଟି ଗୋଟି ମାନବ ଭିତରେ ଯେଉଁଦିନ ସୃଷ୍ଟିହେବ ନାରୀ ପ୍ରତି ସମ୍ମାନ, ସେହିଦିନ ଖେଳିଯିବ ସୃଷ୍ଟିରେ ଶାନ୍ତିର ପ୍ଳାବନ । ଥମିଯିବ ଅରାଜକତାର ଝଡ଼, ନା ଶୁଭିବ ଭୃଣହତ୍ୟା, ବଳାତ୍କାର, ଯୌତୁକ ପାଇଁ ଚିତ୍କାର । ନାରୀକୁ ଦୁର୍ବଳତାର ମାନ୍ୟତା ଦେଇ ତାକୁ ଉପଭୋଗ୍ୟର ବସ୍ତୁ ଭାବିବାକୁ ଏ ସମାଜ ଆଉ ସାହସ କରିବ ନାହିଁ । ଯୁଗେ, ଯୁଗେ ନାରୀ ବନ୍ଦନୀୟା, ସେ ବନ୍ଦନୀୟା ହିଁ ରହିବ । କରତାଳିରେ ଫାଟିପଡୁଥାଏ ସଭା ମଣ୍ଡପ ।
ସିପ୍ରା ଘରକୁ ଫେରି ମାଧିଆ ସହ କଥାବାର୍ତ୍ତା ହୁଅନ୍ତି । ଘର ଅଗଣା, ବଗିଚା ସବୁ ଭଲଭାବରେ ସଫା କରିଦେବ ଆମେ ଯିବା ପୂର୍ବରୁ । ମାଧିଆ ଭଲଭାବରେ ଜାଣିଛି ସିପ୍ରା ଦେବୀଙ୍କୁ ଅପରିଷ୍କାର ଭଲଲାଗେ ନାହିଁ । ନୂଆ ସାର୍ଟ, ନରେନ୍ଦ୍ର ବାବୁଙ୍କ କିଛି ପୁରୁଣା ସାର୍ଟ, ପାଞ୍ଚଶହ ଟଙ୍କା ମାଧିଆ ହାତରେ ଗୁଞ୍ଜିଦିଅନ୍ତି । ମାଧିଆ ମନ ଆନନ୍ଦରେ ଗାଁକୁ ଫେରିଯାଇଛି ।
ହେଲେ ନେତ ନାନୀ କାହିଁକି ମାଧିଆର ରାସ୍ତାକୁ ଅନେଇ ବସିଛି ? ଧାଇଁଆସି ପଚାରୁଛି ମାଧିଆ ବଉମା କେବେ ଆସିବେ ? ମାଧିଆ କହୁଛି ଭାରି ବ୍ୟସ୍ତ ଅଛନ୍ତି । ବଉମା, ବାବୁ ମଧ୍ୟ ତାଙ୍କ କାମରେ ବ୍ୟସ୍ତ । ସୁବିଧା ଦେଖି ଆସିିଯିବେ, ତୋର କ’ଣ କାମ ଥିଲା ବଉମା ପାଖରେ ? ହଁ ଭାଇ, ବଉମା ଆସନ୍ତୁ କହିବି ।
ଦ୍ୱିତୀୟା ତିଥିରେ ସିପ୍ରା, ନରେନ୍ଦ୍ର ଗାଁରେ ପହଞ୍ôଚଛନ୍ତି । ସମସ୍ତଙ୍କ ଆନନ୍ଦ କହିଲେ ନସରେ । ସତେ ଯେମିତି ଚାତକ ପକ୍ଷୀ ଚାହିଁ ରହିଥାଏ ପହିଲି ବରଷାର ପରଶ ପାଇବା ପାଇଁ । ଗାଁ ଝିଅ ବୋହୂଙ୍କ ଆନନ୍ଦ କହିଲେ ନସରେ । ବଉମା ଆସିଛନ୍ତି, ସମସ୍ତଙ୍କ ସମସ୍ୟା ବଉମା ଆଗରେ କହିବେ । ବଉମାଙ୍କ ସମଗ୍ର ଜୀବନ ନାରୀର ସୁରକ୍ଷା ପାଇଁ ଉତ୍ସର୍ଗୀକୃତ । ନାରୀଶିକ୍ଷା ଠାରୁ ବାର୍ଦ୍ଧକ୍ୟ ପୀଡ଼ା ପର୍ଯ୍ୟନ୍ତ । ସବୁଥିରେ ବଉମାଙ୍କ ଅଭିଜ୍ଞତା କହିଲେ ନସରେ । ତାଙ୍କର ସମସ୍ତ ସନ୍ଦର୍ଭରେ ଝରିପଡ଼େ ନାରୀର ହସ ଲୁହର କାହାଣୀ । ତାଙ୍କର ଭାଷଣ ଆଗରେ ହାର ମାନିଯାଏ ପୁୁରୁଷର ଉଦ୍ଧତପଣ, ନତମସ୍ତକ ହୋଇଯାଏ ସମସ୍ତ ପୁରୁଷ ଜାତି ।
ଦୁର୍ଗାପୂଜା କମିଟିର ସମସ୍ତ ସଦସ୍ୟ ଆସି ସିପ୍ରା, ନରେନ୍ଦ୍ରଙ୍କ ସହିତ ଆଲୋଚନା କରି ଚାଲିଗଲେ । ସିପ୍ରା ଦେବୀ ପୂଜାରେ ଯେପରି କୌଣସି ସମସ୍ୟା ନଆସେ ସେଥିପ୍ରତି ଧ୍ୟାନ ଦେବ । ଖର୍ଚ୍ଚ ହେଲେ ମତେ ଜଣାଇବ । ନରି ପାଟିରୁ ବାହାରିପଡ଼େ ବାବୁ ରଥଯାତ୍ରା ବେଳେ ଯେଉଁ ଆସିଥିଲେ ଦୁର୍ଗାପୂଜା ଖର୍ଚ୍ଚ ଦେଇ ସାରିଛନ୍ତି । ସିପ୍ରା ଦେବୀ ବ୍ୟସ୍ତହୋଇ ନରେନ୍ଦ୍ର ବାବୁଙ୍କୁ ପଚାରନ୍ତି ତୁମେ କଣ ରଥଯାତ୍ରା ବେଳେ ଗାଁକୁ ଆସିଥିଲ ? ହିଁ ଅଫିସ୍ କାମରେ । ଫେରିଲା ବେଳକୁ ଗାଁ ମନେ ପଡ଼ିଗଲା ଚାଲି ଆସିଥିଲି । ସେଥିରେ କ’ଣ ହେଲା । ଭାରି ଖାମଖିଆଲି ଭାବରେ ନରେନ୍ଦ୍ର କୁହନ୍ତି ।
ଅଗଣା ବିଲକୁଲ ସଫା ସୁତୁରା ହୋଇଛି । ଚାରିପଟେ ରଜନୀଗନ୍ଧା, ହେନା, ଯୁଇ, ମାଳତି ଫୁଲର ମଧୁଗନ୍ଧରେ ଅଗଣା ଚହଟି ଯାଉଛି ! ସିପ୍ରା ଗୋଟିଏ ଆରାମ ଚଉକିରେ ବସି ଝୁଲୁଛନ୍ତି । ନେତନାନୀ ବଉମାଙ୍କୁ ଭେଟିବି କହିଲେ ମାଧବ ମନା କରୁଛି । ବଉମା ଟିକିଏ ବିଶ୍ରାମ ନେଉଛନ୍ତି ସକାଳେ ମିଶିବୁନି? ସିପ୍ରା ଦେବୀଙ୍କୁ ଶୁଭିଯାଉଛି ନେତନାନୀର ଗୁହାରୀ । ମାଧବର ସ୍ତ୍ରୀ ଚଉଁରାରେ ସଞ୍ଜଦୀପଟିଏ ଜାଳିଦେଇଛି । ମା, ବାବୁ ପାଇଁ ଭୋଜନ ପ୍ରସ୍ତୁତ କରିବାକୁ ଯାଉଛି ।
ସିପ୍ରା ଦେବୀ ନେତନାନୀଙ୍କୁ ଡାକନ୍ତି କ’ଣ ଅସୁବିଧା ହୋଇଛି ତୁମର? ଚାରିପଟେ ଚାହିଁଦିଏ ନେତନାନୀ, ବଉମା ପାଖକୁ ଆସିି ପ୍ରଣାମ ଜଣାଏ । ଧୀରେ ଧୀରେ ଆକାଶରେ ତାରା ଫୁଟିବାକୁ ଲାଗିଲାଣି । ଅନ୍ଧାର ରାତିର ସମସ୍ତ ପସରା ନେଇ ଢ଼ାଙ୍କିଦେଇଛି ସୃଷ୍ଟିକୁ ତା ଚାଦରରେ । ସିପ୍ରା ଭାରି ସରଳ ସ୍ୱରରେ ନେତନାନୀକୁ ପଚାରୁଛନ୍ତି, ଦେହପା ଭଲ ଅଛି? ଦୁଲାରୀ କେମିତି ଅଛି ? ସେତେବେଳକୁ ଦୁଲାରୀ ଖମ୍ବଟିଏ ପରି ଠିଆ ହୋଇଛି ଚଉଁରା ସେପଟେ । ନେତ ପାଟିକଲା ବଉମା ଗୋଡ଼ଧରି ଜୁହାର କରୁନୁ? ଦୁଲାରୀ ଭାରି ଅଭିମାନୀ ଢ଼ଙ୍ଗରେ ଆସି ଜୁହାର କରି ବସିପଡ଼ିଲା ବଉମାଙ୍କ ପାଖରେ । ଆଉଁସି ଦିଅନ୍ତି ସିପ୍ରା ଦେବୀ ଦୁଲାରୀ ମୁଣ୍ଡକୁ ।
ନେତ ଗୁହରୀ କହିବାକୁ ବସେ । ମା ଯୌତୁକ ଊଣା ହେଲା କହି ଶାଶୁଶ୍ୱଶୁର ଦୁଲାରୀକୁ ଆଖିରେ ନଦେଖି ଆଣି ଗାଁ ଦାଣ୍ଡରେ ଛାଡ଼ିଦେଲେ । ତୁମେ ଆସିଲ କିଛି ମୀମାଂସା କରି ଛାଡିଦେବି ଭାବିଲା ବେଳକୁ’ କହି ଧକେଇ ଧକେଇ କାନ୍ଦୁଛି ନେତ । କିନ୍ତୁ ଦୁଲାରୀର କିଛି ପରିବର୍ତ୍ତନ ନାହିଁ ।
ସେ ମନଖୁସିରେ ତାର ଦେହମୁଣ୍ଡକୁ ଆଉଁସି ଦେଉଛି । ଚୁଡ଼ି, ବିନ୍ଦିକୁ ସଜାଉଛି । ଆଜକୁ ଦୁଇବର୍ଷ ହେଲାଣି ଗାଁ ବନ୍ଧହୁଡାରେ ବସି ଅପେକ୍ଷା କରୁଛି ତା’ର ସ୍ୱାମୀ ଆସିବ, ତାକୁ ନେଇଯିବ ଶାଶୁ ଘରକୁ । ଦୁଲାରୀ ମଝିରେ ମଝିରେ ତାର ପେଟ, ହାତମୁଣ୍ଡାକୁ ଆଉଁସିଦିଏ । ତା ମୁହଁରେ ନଥାଏ ଟିକିଏ ହେଲେ ଦୁଃଖ ଅନୁତାପର ଚିହ୍ନ । ପରିତୃପ୍ତିର ଆଭାସରେ ଆହ୍ଲାଦିତ ହୋଇ ଉଠୁଥିଲା ଦୁଲାରୀ । ତାର ତନମନରେ ଭରି ରହିଥିଲା ଅକୁହା ଆନନ୍ଦ ।
ସିପ୍ରା ଦେବୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ତୋର ଦୁଃଖରେ ମା’ ଏତେ ଦୁଃଖୀ ଅଥଚ ତୁ ନିଶ୍ଚଳ, ନୀରବ । ଆନନ୍ଦ ହିଁ ଆନନ୍ଦ ସାଗରରେ ବୁଡି ରହୁଛୁ ଦୁଲାରୀ?
ସେ କ’ଣ କହିବ ବଉମା ? ଗାଁ ଲୋକଙ୍କ ଟୁପୁରୁ ଟାପର, ମୁଁ ଦାଣ୍ଡରେ ଚାଲିପାରୁନି । ହେଲେ ତା’ର କାହିଁରେ ଖାତିର ନାହିଁ । ବଉମା, ନେତ ନାନୀର କଥାବାର୍ତ୍ତା ବେଳେ ଦୁଲାରୀ ଅଣ୍ଡାଳି ଦେଉଥିଲା ପେଟରେ ବଢ଼ୁଥିବା ଅବାଞ୍ôଛତ ଅତିଥିକୁ । ଆତ୍ମତୃପ୍ତିର ସୁରାରେ ବିମୋହିତ ହୋଇ ଉଠୁଥିଲା ଦୁଲାରୀ । ସତେ ଯେମିତି ସେ ପିଇଦେଇଛି ସୃଷ୍ଟିର ସମସ୍ତ ଗରଳକୁ ଅମୃତ ମଣି ।
ବଉମା ଆଉ ଟିକିଏ ପାଖକୁ ଡାକି ପଚାରନ୍ତି, ଦୁଲାରୀ ତୋର ଏ ଅବସ୍ଥା କିଏ କଲା? ଦୋଷୀକୁ ଦଣ୍ଡ ଦେବା ଆମ ଅଧିକାର । ତୁ କହିଦେ ଥରେ, ଆମେ ଚୁପ୍ ରହିଲେ ଆମକୁ ବାରମ୍ବାର ସମାଜ ଏହିପରି ଅତ୍ୟାଚାର କରୁଥିବ । ମୁଁ ଜଣେ ଜଜ୍ ହିସାବରେ ତତେ ନ୍ୟାୟ ଦେବା ମୋର ପ୍ରଥମ କର୍ତ୍ତବ୍ୟ ।ଏହିପରି ବହୁତ ବୁଝାଇବା ପରେ, ଦୁଲାରୀ କହୁଛି ମୁଁ କ’ଣ କାହାକୁ ଦେଖିଛି? ଆଷାଢ଼ ମାସ ରଥଯାତ୍ରା । ଝିପି ଝିପି ବର୍ଷା ହେଉଥିଲା । ମୁଁ ଯାତ୍ରାକୁ ନଯାଇ ବନ୍ଧହୁଡାରେ ବସି ମୋର ସ୍ୱାମୀ ଆସିବା ବାଟକୁ ଚାହିଁ ବସିଥିଲି । ନୂଆ ଶାଢ଼ି, ନୂଆ ଚୁଡ଼ି ପିନ୍ଧିଥିଲି । ଯାତ୍ରାକୁ ନଯାଇ ମୋ ମନ ମନ୍ଦିରରେ ଯାତ୍ରାକୁ ଅନୁଭବ କରୁଥିଲି । ମନ ଭିତରେ ଶୁଣିପାରୁଥିଲି ଘଣ୍ଟଥାଳ । ଦୁଲୁକି ଉଠୁଥିଲା ମୋ ଛାତି ଭିତରଟା । ହେ ଜଗନ୍ନାଥ ! ତୋର ଚକା ଆଖିରେ ସବୁ ଦେଖିପାରୁଛୁ ଅଥଚ ମତେ ଦେଖିପାରୁନୁ କହୁଥିଲି । ମାଛି, ମାଛି ଅନ୍ଧାର ଘୋଟି ଆସୁଥିଲା, ଘନ ଅନ୍ଧକାର ମୋର ଅଜାଣତରେ । ସ୍ଥିତ ଜଳରାଶିରେ ଝାପ୍‌ସା ପ୍ରତିବିମ୍ବଟି ଦେଖିଲାବେଳକୁ ମୋ ପାଟି ବାନ୍ଧିଦେଇ କିଏ ଟାଣିି ନେଇଗଲା ଗାଁ ମୁଣ୍ଡ ଅତିଥି ଭବନକୁ । ଚାରିପଟେ ଅନ୍ଧାର ହିଁ ଅନ୍ଧାର! ମତେ ଟାଣି ନେଇଥିବା ଲୋକଟା ମତେ ପାନ୍ଥଶାଳାରେ ଛାଡ଼ିଦେଇ ଆସିଲା । ମୋର ହାତ, ପାଟି ବନ୍ଧା । ଚାରିପଟେ ଅନ୍ଧାର ହିଁ ଅନ୍ଧାର । ସେଇଠି ଜଗି ରହିଥିଲା ଶିକାରୀ । ତା’ର ଶିକାରରେ ଛନ୍ଦି ହୋଇଗଲି । ନା ମୁଁ ଦେଖିଛି ତା’ର ରୂପ ନା ବର୍ଣ୍ଣ । କେବଳ ଆଘ୍ରାଣ କରି ପାଇଛି ହାଲ୍‌କା ହାଲ୍‌କା ସୁରା ଗନ୍ଧ ।
ମୋର ଅଜାଣତରେ ମତେ ସେ ଦେଇଦେଇଛି ଜୀବନର ସମସ୍ତ ଅଭୀପ୍ସା । ସ୍ୱାଦମୟ କରିଦେଇଛି ମୋ ଜୀବନକୁ । ଗୋଟିଏ ଖୁଣ୍ଟ ଭଳି ବଞ୍ôଚବା ଠାରୁ ଶାଖା ମେଲି ଠିଆହେବା କେତେ ଯେ ଆନନ୍ଦମୟ, କହି କହି ଆଖିରୁ ଝରିପଡୁଥିବା ଲୁହ ଧାରକୁ ପୋଛି ପକାଉଛି ଦୁଲାରୀ ବଉମା ଠିକ୍ ବୁଝିଯାଉଥିଲେ ସେ ରଥଯାତ୍ରାର ପର୍ବକୁ । ଘଣ୍ଟଥାଳର ଦୁଲ୍ ଦୁଲ୍ ଶବ୍ଦକୁ ଶିରା ଶିରାରେ ଅନୁଭବି ଯାଉଥିଲା । ଆନ୍ଦୋଳିତ କରିଦେଉଥିଲା ହୃଦୟ କନ୍ଦରରେ ସୃଷ୍ଟିର ସମସ୍ତ ଚହଳ ପହଳ । ଦୂରରେ ଠିଆହୋଇ ଟାଣି ଚାଲିଥିଲେ ସିଗାରେଟ୍ ସ୍ୱାମୀ ନରେନ୍ଦ୍ର । ଧୀରେ ଧୀରେ ବହଳ ଅନ୍ଧାର ଢ଼ାଙ୍କି ଦେଇଥିଲା ଆଗଣାର ସମସ୍ତ ଫୁଲର ବଗିଚା ଉପରେ, ସେଇଠି ଲୁଚି ଯାଉଥିଲା ଜୀବନର ମାଧୁର୍ଯ୍ୟ ।

ଗାଳ୍ପିକା ପରିଚୟ

ଗଞ୍ଜାମ ଜିଲ୍ଲାରେ ବସବାସ କରୁଥିବା ଗାଳ୍ପିକା ଜନ୍ମନିଅନ୍ତି ୩-୧୦-୧୯୫୬ ବୌଦ୍ଧ ଜିଲ୍ଲା, ବୌଦ୍ଧ ସହରରେ, ମାତା ଶ୍ରୀମତୀ ମାୟାଦେବୀ ଓ ପିତା ଶ୍ରୀଯୁକ୍ତ ଚନ୍ଦ୍ରମଣି ଦଳାଇଙ୍କ କୋଳମଣ୍ଡନ କରି । କବିତା ସଂକଳନ ଫୁଲର ଫସଲ, ଅସ୍ତରାଗର ଅରୁଣିମା, ଗଳ୍ପ ସଂକଳନ ମୁଠାଏ ମାଟିର ମହକ ଓ କୁହୁଡି ସକାଳ ଆଦି ପୁସ୍ତକର ରଚୟିତା ।
ଗଳ୍ପ ‘ରଥଯାତ୍ରା’ ମାଧ୍ୟମରେ ଗାଳ୍ପିକା ସ୍ତ୍ରୀ ହେବାର ଅସହାୟପଣ ଓ କାମୁକ ପୁରୁଷର ଭଦ୍ରମୁଖା ଖୋଲିବାରେ ବେଶ୍ ଚମତ୍କାରିତା ଓ ନାରୀ ନିର୍ଯ୍ୟାତନାର ମାର୍ମିକତା ସଫଳ ଉପସ୍ଥାପନ କରିଛନ୍ତି ।
ଇଂ ବ୍ରଜ ମୋହନ ପାତ୍ର, କାଞ୍ଚନ ନିବାସ, ଗାନ୍ଧିନଗର-୭,
ବ୍ରହ୍ମପୁର-୭୬୦୦୦୧, ଫୋନ୍ :୯୪୩୭୨୬୦୮୬୬