ଗଳ୍ପ ଗଞ୍ଜାମ ୨୦୨୦ ଗଳ୍ପ -ଗର୍ଭିଣୀ ଗାଳ୍ପିକ -ଭାଗିରଥୀ ବେହେରା

ଗର୍ଭିଣୀ
ଭାଗିରଥୀ ବେହେରା

ପଥରା ପାହାଡ଼ରୁ ଜିପ୍ ଖସୁଥିଲା ବୁଲାଣିଆ ସଡ଼କ ଦେଇ ଚନ୍ଦ୍ରିକାର ଶାଶୁଘର ଗାଁ ଆଡ଼କୁ । ପାହାଡ଼ର ସେପଟେ ଘନ ବନାନୀ ମଧ୍ୟରେ ତା’ ବାପା ଘର । ଶାଶୁଘର ମଧ୍ୟ ସବୁଜ ଜଙ୍ଗଲ କୋଳରେ ଅବସ୍ଥିତ, କିନ୍ତୁ ପାହାଡ଼ର ଏପଟେ । ଦୁଇ ସବୁଜ ଉପତ୍ୟକାର ମଝିରେ କେବଳ ପଥର ଭର୍ତ୍ତି ପାହାଡ଼ଟିଏ ଥିôବାରୁ ତା’ର ନାମ ପଥରା ।
ଜିପ୍ ଭିତରେ ଏକ ପ୍ରକାର ଅଜବ ନିରବତା । ଉଦାସୀନତା ଓ ଗମ୍ଭୀରତା ହିଁ ଜିପ୍ ଭିତରର ବାତାବରଣ । ଭିତରେ ଚନ୍ଦ୍ରିକାର ସ୍ୱାମୀ ଦେବହରି, ଶାଶୁ, ଶ୍ୱଶୁର, ନବବିବାହିତା ନଣନ୍ଦ । କିଛି ତ ନିଶ୍ଚୟ ଘଟିିଛି ।
ଛଅ ବର୍ଷ ହେଲା ଚନ୍ଦ୍ରିକା ଦେବହରିର ହାତ ଧରି ଘରସଂସାର କଲାଣି । ଯେମିତି ତା ଗାଁ, ସେମିତି ଶାଶୁଘର ଗାଁ । ମନ୍ଦିର, ପଦ୍ମପୋଖରୀ, କ୍ଷେତ, କେନାଲ, ବଗିଚା, ନଈ, ଆଶ୍ରମ ଆଦି ସବୁ ପ୍ରକୃତିର ନିବାସ ଦୁଇ ଗାଁରେ ।
ପଥରା ପାହାଡ଼ କେବେବି ଲାଗିନଥିଲା ପଥରଭରା ଚନ୍ଦ୍ରମାକୁ । ବାପଘରକୁ ଯାଇ ବାପା, ଦଦା, ବୋଉ, ଦିଦି, ପିଲାଦିନର ବଉଳ, ମକର ସହ ଭେଟିବାର ଉତ୍କଣ୍ଠା ସବୁବେଳେ ଆହୁରି ସବୁଜ ଲାଗେ ତାକୁ ।
ବାପଘରୁ ଶାଶୁଘରକୁ ଫେରିଲା ବେଳେ ବି ସେମିତି ଲାଗେ । ଦେବହରିର ଉଷୁମ ପରଶ, ପିତାମାତା ତୁଲ୍ୟ ଶାଶୁଶ୍ୱଶୁରଙ୍କ ସ୍ନେହ, ନଣନ୍ଦର ସମ୍ମାନ ସବୁ ତାକୁ ଶୀଘ୍ର ଶୀଘ୍ର ଡାକୁଥାଏ ।
ଜିପ୍ ଖସୁଛି ଆହୁରି ତଳକୁ ତଳକୁ ଶାଶୁଘର ଗାଁର ଦିଗ ନେଇ । ହେଇଟି ଏବେ ଆରମ୍ଭ ହେଲା ପଥର । ପାହାଡ଼ ଗଡ଼ାଣି ଶେଷରେ ମା କନକଦେବୀ ମନ୍ଦିର । ତା ପରେ ଦିଗନ୍ତ ବିସ୍ତାରୀ କଦଳୀ ଓ ଆଖୁ ବଗିଚା । ତା ପରେ ନଣନ୍ଦର ଶାଶୁଘର ଗାଁ । ମେଳଣ ପଡ଼ିଆ । ସୁନ୍ଦରୀ ପୋଖରୀର ବଡ଼ ବଡ଼ ପଦ୍ମପତ୍ର । ଆଶ୍ରମ ସ୍କୁଲ, କେତେ କ’ଣ ।
କିନ୍ତୁ ଆଜି ଚନ୍ଦ୍ରମାକୁ ସବୁ ଲାଗୁଛି ଅଚିହ୍ନା ଅଚିହ୍ନା । ପଥରା ପାହାଡ଼ ଆହୁରି ହେଇଛି ତୀକ୍ଷଣ୍‌, ଟାଣୁଆ, ଟାଙ୍ଗରା ଓ ରୁକ୍ଷ । ତା ବାପ ଘରେ ସ୍ୱାମୀ ଦେବହରିକୁ ଆଜି ସକାଳୁ ସକାଳୁ ଶୁଣେଇ ଦେଇଛି ସେ ନିଷ୍ପତ୍ତି ଯେ, ତା ଆସନ୍ନ ପ୍ରସବା ବଡ଼ଭଉଣୀର ଦ୍ୱିତୀୟ ସନ୍ତାନକୁ କୋଳେଇ ନିଅ ଓ ସୁଖର ସଂସାର କର ।
ସ୍ୱାମୀ ଦେବହରିର କିନ୍ତୁ ସେଇ ଏକା ଜିଦ୍ । ଚନ୍ଦ୍ରମା ନିଜେ ତା’ ପିଲାର ମା ହେଉ, ନଚେତ୍ ଛାଡ଼ପତ୍ର ଦେଉ । କେମିତି ଛାଡ଼ପତ୍ର ଦେବ ଚନ୍ଦ୍ରମା ? ଛାଡ଼ପତ୍ର କ’ଣ ପାଇଁ ଦେବ ? ଏଥିପାଇଁ କ’ଣ ଦେବହରି ତାକୁ ବାହା ହୋଇଥିଲା କି ? କେତେଥର କହିଲାଣି ଚାଲ ଡାକ୍ତର ପାଖକୁ । ଜଣା ତ ପଡ଼ିବ କାହା ପାଖରେ ଅସୁବିଧା ଅଛି । ବାପା ମା’ ହେବାର ସକ୍ଷମତା ଅକ୍ଷମତା ବିଜ୍ଞାନ ଯୁଗରେ ସବୁ ସମାଧାନ ହୋଇପାରିବ । ସେ ହେଉ, କି ଦେବହରି ଆଜି କାଲି ଯୁଗରେ ସବୁ ସମ୍ଭବ ।
ବାହାହେବାର ଚାରିବର୍ଷ ଯାଏଁ ଯେତେବେଳେ ତାଙ୍କରି କୋଳରେ ସନ୍ତାନଟିଏ ଆସିଲା ନାହିଁ, ଗାଁ ସାହି, ପଡୋଶୀ, ଶାଶୁଶ୍ୱଶୁର, ବନ୍ଧୁବାନ୍ଧବ, ଏପରିକି ନିଜ ବାପଘର ଭୁଟୁରୁଭାଟର ହେବା ସ୍ୱାଭାବିକ ।
ଏଇ ବରଷେ ହେଲା ସେମାନଙ୍କ ଦାମ୍ପତ୍ୟ ଜୀବନ ହୋଇଉଠିଛି ବିଷମୟ । କାଳେ ଡାକ୍ତର ପାଖକୁ ଗଲେ ଯଦି ଜଣାପଡ଼େ ଦେବହରି ପିତା ହେବାର ସକ୍ଷମତା ହରେଇଛି, ତେବେ ପୁରୁଷତ୍ୱ ଉପରେ ପ୍ରଶ୍ନ ଉଠିବ ନିଶ୍ଚୟ । ସେଥିପାଇଁ ସେ ପ୍ରସ୍ତୁତ ନୁହଁ । କେତେଥର କହିଲାଣି ଚାଲ ଅନାଥ ଆଶ୍ରମରୁ ସନ୍ତାନଟିଏ କୋଳେଇ ନେବା । କିନ୍ତୁ ଏଥିରୁ ଶାଶୁଶ୍ୱଶୁରଙ୍କ ବଂଶରେ କଳଙ୍କ ଲାଗିଯବାର ଭୟ । ପୁଣି ପରର ବୀର୍ଯ୍ୟକୁ ସେମାନେ କାହିଁକି ଗ୍ରହଣ କରିବେ? ତାଙ୍କ ବଂଶର ବୀର୍ଯ୍ୟ କଣ ଏତେ ଦୁର୍ବଳ କି ?
ଦିନକୁ ଦିନ ଦେବହରି ମଧ୍ୟ ଚନ୍ଦ୍ରମାକୁ ଦୋଷ ଦେବାର ଲାଗିଲା । ସ୍ତ୍ରୀ ଯଦି ମା ହୋଇପାରିଲାନି, ବାହା ହୋଇ କି ଲାଭ ? ସାଙ୍ଗସାଥୀ ଓ ବନ୍ଧୁବାନ୍ଧବ ମଧ୍ୟ ଅନ୍ୟ କାହାକୁ ବାହା ହେଇ ସନ୍ତାନ କରିବା ପାଇଁ ଅପ୍ରତ୍ୟକ୍ଷରେ ଉପଦେଶ ଦେଇ ସାରିଲେଣି ଦେବହରିକୁ ।
ବେଳେ ବେଳେ ଦେବହରି ଚନ୍ଦ୍ରମାକୁ କହେ – “ମୁଁ ଯଦି କେଉଁ ସନ୍ତାନକୁ କୋଳେଇ ନେବି, ତେବେ ମୋ ବଂଶର, କିମ୍ବା ମୋ ଭଉଣୀର ପିଲାଝିଲା ହେଲେ କୋଳେଇ ନେବି । କାହିଁକି ତମ ବଂଶର ନେବି ? ତମକୁ ଆଣି କ’ଣ ମିଳିଛି ମୋତେ?” ଶାଶୁ ଓ ଶ୍ୱଶୁର ମଧ୍ୟ ପୁଅର କଥାରେ ହଁ ମିଶାନ୍ତି । ଅବଶ୍ୟ ନବବିବାହିତା ନଣନ୍ଦ କେବେ କିଛି ବାଧିଲା ପରି କହେନି । ଏ ଘରେ ତା ହୃଦୟ ଯାତନା କଥାକିଏ ବୁଝୁଛି ମାନେ, ସିଏ ହିଁ ନଣନ୍ଦ । ନାରୀଟିଏ ନାରୀର କଥାକୁ ବୁଝିବା କଥା ।
ଯେତେବେଳେ ଚନ୍ଦ୍ରମା ପଚାରିବସେ ଯେ, କେବଳ ସ୍ତ୍ରୀ ସନ୍ତାନ ପ୍ରସବା ହେଲେ ହିଁ ସ୍ତ୍ରୀ, ନ ହେଲେ ନୁହଁ କି ? ଅନେକ ଦମ୍ପତି ବିନା ସନ୍ତାନରେ ଜୀବନ କାଟୁଛନ୍ତି ସୁଖଦୁଃଖର ଭାଗୀଦାର ହୋଇ ।
ଚନ୍ଦ୍ରମା ପ୍ରଶ୍ନର ଉତ୍ତର ଦେଇପାରେନା ଦେବହରି । ତଥାପି ବେଳେବେଳେ ଫିଟିପାରେନା ସ୍ତ୍ରୀ’ର ଆକ୍ଷେପରୁ । ଫିଟିବା ପାଇଁ ଦେଖେଇଦିଏ ବାପାମା ଆଡ଼କୁ । କହେ ମୁଁ କ’ଣ କରିବି ? ବାପାମା ଜିଦ୍ ଧରିଛନ୍ତି ତାଙ୍କୁ ନାତିନାତୁଣୀ ଦରକାର ।
ଯଦି ଚନ୍ଦ୍ରମା ଶାଶୁଶ୍ୱଶୁରଙ୍କୁ ପଚାରି ଘରେ ଆହୁରି ପାଟିତୁଣ୍ଡ କରେ, ତେବେ ଦେବହରି କହେ – “ଠିକ୍ ଅଛି ! ତମେ ବି ମୋ ପାଖରେ ରୁହ, ମୋର ଅସୁବିଧା ନାହିଁ । କିନ୍ତୁ ଯଦି ତମ ସଉତୁଣୀକୁ ଘରକୁ ଆଣେ ବଂଶରକ୍ଷା ପାଇଁ, ସେତେବେଳେ ମୋତେ କିଛି କହିବ ନାହିଁ ।”
ଦେବହରିରର ଏ ପ୍ରକାର ସ୍ୱାମୀତ୍ୱ ଧମକରେ ଶାଶୁକୁ ବଡ଼ ବିକଳରେ ଦେଖେ ସେ । ଆଶାକରେ ଶାଶୁ ତ ତା’ଭଳି ନାରୀ । ବୋଧେ ତା ଅସହାୟତା ବୁଝିବେ । କିନ୍ତୁ ଶାଶୁ ସବୁବେଳେ ମଉନ ରୁହନ୍ତି । ତାଙ୍କୁ ବାରମ୍ବାର ଉତ୍ତର ମାଗିଲେ ବଡ଼ କଷ୍ଟରେ ପଦୁଏ କହନ୍ତି – “କ’ଣ କହିବି ଲୋ ମା ! ତୋ ଶ୍ୱଶୁର ହେଉ, କି ମୋ ପୁଅ । ଗରଭିଣୀ ଗାଈକୁ ସମସ୍ତେ ପାଳନ୍ତି । ଏହା ହିଁ ନାରୀର ପ୍ରାପ୍ୟ ।
ଏତିକି କଥାରେ ଆହୁରି ଅସହାୟ ହୋଇଯାଏ ଚନ୍ଦ୍ରମା । କିଏ କହିବ ସେ ଗର୍ଭିଣୀ ଗାଈ କି ନୁହଁ!
ଦିଦିର ଛୁଆ ଜନମ ସମୟ ତିରିଶି କି ପଇଁତିରିଶି ଦିନ ଥିବାର କଥା ଡାକ୍ତର କହିଲା ପରେ ସମସ୍ତେ ଯାଇଥିଲେ ତା ବାପଘରକୁ । ଶାଶୁଶ୍ୱଶୁର ବି ଏଇ ବାହାନାରେ ପୁଅବୋହୁ ମଧ୍ୟରେ ଚାଲୁଥିବା ସାଂସାରିକ ଝଡ଼ କଥା ପକେଇବାକୁ ଚାହୁଁଥିଲେ । ନହେଲେ ସଂସାର ଆଗକୁ ନିନ୍ଦା କରିବ ।
କଥା ପଡ଼ିଲା । କଥା କଟାକଟି ହେଲା ସମସ୍ତିଙ୍କ ସମ୍ମୁଖରେ । କେତେ କାନ୍ଦିଲା ସେ । ମାନ ଅଭିମାନ କଲା । ପିଲାଟିଏ ନ ହେବାର ଦୋଷ ଦୁହେଁ ସ୍ୱାମୀ ସ୍ତ୍ରୀଙ୍କର ହୋଇପାରେ । କେବଳ ଦେବହରି ତାକୁ କାହିଁକି ଦୋଷ ଦେଉଛି? କ’ଣ ପୁରୁଷ ବୋଲି ପ୍ରକୃତିଠୁ ବଡ଼ ହୋଇଯିବ ସେ ଏବଂ ପାଇଯିବ ସବୁ ଅବାଞ୍ଛିତ ଅଧିକାର?
ଶେଷରେ ଦିଦି କହିଲେ ମୋ ସାନଭଉଣୀ ପାଇଁ ମୁଁ ତ୍ୟାଗ ଦେବାକୁ ପ୍ରସ୍ତୁତ । ମୋର ଯାହାବି ସନ୍ତାନ ହେଉ, ଦୁହେଁ କୋଳେଇ ନିଅ । ସୁଖର ସଂସାର କର । ଯାହାହେଉ, ସମସ୍ତଙ୍କୁ ସମାଧାନର ଗୋଟିଏ ବାଟ ଦେଖାଗଲା । କିନ୍ତୁ ଦେବହରିର ଜିଦ୍ ଆଗରେ ଅସହାୟ ଦୁଇ ପରିବାର । ସମସ୍ତେ ଜାଣୁଥିଲେ ଗୋଟିଏ ପୁରୁଷର ତୁଚ୍ଛ ଅହଂକାର ଦୁଇଟି ହୃଦୟ ଭାଙ୍ଗିଦେଉଛି । ତା ସହ ଭାଙ୍ଗୁଛି ଦୁଇ ପରିବାର, ଦୁଇ ଗାଁ । କିନ୍ତୁ କିଏ କିଛି କରିପାରୁନଥିଲେ । ସମାଜର ଧରାବନ୍ଧା ନିୟମରେ ଯେମିିତି ସବୁ ବନ୍ଧା ।
ରାତିସାରା ଶୋଇପାରିଲାନି ଚନ୍ଦ୍ରମା । ଜାଣିସାରିଥିଲା ଆଉ ସମ୍ଭାଳି ହେବନି କୁହୁଳିଥିବା ଅଣ୍ଟିର ନିଆଁକୁ । ଯଦି ସେ ଅଟକେଇବ, ତେବେ ଦଗ୍ଧିଭୁତ ହେଇ ଜଳିବାକୁ ହେବ ଦେବହରି ନାମକ ଜଉଘରେ, ଯେଉଁଠି ସେ ଥିôବ ଏକାକିନୀ ଓ ନିଃସଙ୍ଗ । ସେ ଘୋଷଣା କରିଥିଲା ମୁଁ ଆଉ ସହିପାରିବିନି ନର୍କ ଯନ୍ତ୍ରଣା । ସକାଳ ହେଉ ହେଉ ମୋର ନିର୍ଣ୍ଣୟ ଶୁଣେଇ ଦେବି ।
ଘରୁ ବାହାରିଲା ବେଳକୁ ବୋଉର କାନ୍ଦୁରୀ ମୁହଁକୁ ତୋଳି କହିଲା – “ବୋଉ! ତୁ କାହିଁକି କାନ୍ଦୁଛୁ ? ଅଭାଗିନୀ ବୋଲି ଭାବନା ମୋତେ । ମୋ ଅସ୍ମିତା ପାଇଁ ମୋତେ ଲଢ଼ିବାକୁ ସାହସ ଦେ ତୁ ।”
ପାଖରେ ଠିଆ ହୋଇଥିଲା ଦେବହରି ନଜାଣିଲା ନଶୁଣିଲା ପରି । ଯେମିତି ପ୍ରଥମ ଥର ପାଇଁ ସେ ଦେଖୁଛି ଚନ୍ଦ୍ରମାକୁ ।
ତାକୁ ଶୁଣେଇଲା ପରି ଚନ୍ଦ୍ରମା କହିଲା – “ବୋଉ ! ଦିଦିର ସନ୍ତାନ ଯେଉଁଦିନ ହେବ, ତାପର ଦିନ ଶାଶୁଘର ଛାଡ଼ି ଚାଲିଆସିବି ତୋ ପାଖକୁ ତୋ ସେବା ପାଇଁ । ଯଦି ତୁ ତୋ ଗରିବ କୁଡ଼ିଆରେ ସ୍ଥାନ ଟିକେ ଦେବୁ ଭଲ କଥା, ନ ହେଲେ ମୁଁ ଚାଲିଯିବି ସିଆଡ଼େ, ଯୁଆଡ଼େ ମୋ ଭାଗ୍ୟ ମୋତେ ନେଇଯିବ । କିନ୍ତୁ ବଞ୍ଚି ଥାଉଥାଉ ସଉତୁଣୀକୁ ଗ୍ରହଣ କରିବିନି ।
ଜିପ୍ ଭିତରେ ଏହି ପ୍ରକାର ବାତାବରଣ ସମସ୍ତଙ୍କୁ ଅସ୍ତବ୍ୟସ୍ତ କରି ପକଉଥିଲା । ନଣନ୍ଦର ଆଖିରେ ଲୁହ । ସେ ଭାଉଜକୁ ଭିଡ଼ିଧରି ବସିଥିଲା । ଦେବହରିର ମୁହଁ ଆହୁରି ଟାଣ, ଯେମିତି କିଛି ହେଇନି ଠିକ ପଥରା ପାହାଡ଼ର ପଥର ପରି । ଶାଶୁଶ୍ୱଶୁର ନିଦା । ଭାବିପାରୁନଥିଲେ କ’ଣ ହେଉଛି । କିନ୍ତୁ ସମସ୍ତେ ଏତିକି ବୁଝି ସାରିଥିଲେ ଚନ୍ଦ୍ରମା ଓ ଦେବହରିର ସଂସାରର ବୟସ ଆଉ ମାତ୍ର ଅତିବେଶି ହେଲେମାସେ ଦେଢ଼ମାସ । ତିରିଶି ଦିନ ଭିତରେ ଚନ୍ଦ୍ରମା ଦିଦିର ଛୁଆପିଲା ହେଲେ ସେ ଦେବ ଦେବହରିକୁ ଛାଡ଼ପତ୍ର ଏବଂ ଫେରିଯିବ ତା ବାପଘରକୁ । ଶାଶୁଘର ଗାଁ ଯିବାର ରାସ୍ତ ଲାଗୁଥିଲା ପର ପର ।
୍‍ ୍‍ ୍‍ ୍‍
ଜିପ୍ ନଣନ୍ଦର ଶାଶୁଘର ଗାଁ ପାର ହେଲା । ଅପରାହ୍ନର ସୁରୁଜ ନଇଁବାକୁ ପ୍ରସ୍ତୁତ । ଚନ୍ଦ୍ରମାର ଆଖିରେ ସେ ପଦ୍ମପୋଖରୀ ପଡ଼ିଲା, ଯେଉଁଠି ସେ ଅନେକ ଥର ଦେବହରି ସହ ବିତେଇଛି ଅଭୁଲା ମୁହୂର୍ତ୍ତ ।
ଚନ୍ଦ୍ରମାକୁ ଲାଗିଲା ପୁଣି ଥରେ ଦେଖିବାକୁ ସୁଯୋଗ ନ ମିଳିପାରେ । ଶେଷଥର ପାଇଁ ତାର କୂଳେ ବସିବାକୁ ଇଛା କଲା ସେ । ଅନ୍ତତଃ ପଦ୍ମପତ୍ରକୁ କହିପାରିବ – ପତରରେ ! ଅସ୍ତିତ୍ୱହୀନ ଢଳଢଳ ତୋ ଉପରେ ଜଳବିନ୍ଦୁ ପରି ମୋ ଜୀବନ ।
ନଣନ୍ଦର କାନରେ ସେ ତା ମନ କଥା କହିଲା । ନଣନ୍ଦ କହିଲା ଦେବହରିକୁ ।
– ଜିପ ରହିଲା ରୋଡ଼ ଉପରେ । ଆଗେ ଆଗେ ଚନ୍ଦ୍ରମା । ପଛେ ପଛେ ଦେବହରି । ଆସ କି ନ ଆସ ବୋଲି କିଛି କହିଲାନି ସେ ଦେବହରିକୁ ।
ପଛଆଡୁ ନଣନ୍ଦ ପାଟିକଲା – “ଭାଉଜ ! ଆଗକୁ ଯାଅନି । ଭାଇନା ଟିକେ ଦେଖିଲ, କୁଳର କାଦୁଅ ଉପରେ ଗୋଟିଏ ମଣିଷମୁଣ୍ଡ ମାଟିରେ ପୋତାହେଲା ଭଳି ଲାଗୁଛି ।
ହଠାତ୍ ପରିବର୍ତ୍ତନ ହେଇଗଲା ପରିସ୍ଥିତି । ଶାଶୁଶ୍ୱଶୁର ଦଉଡ଼ି ଆସିଲେ । ଦଉଡ଼ି ଆସିଲା ଡ୍ରାଇଭର । ପାଦ ଅଟକିଗଲା ଚନ୍ଦ୍ରମାର । ସତକଥା ! ମଣିଷଟେ ମାଟି ଉପରେ ପୋତିହେଲା ଭଳି ଲାଗୁଛି । ଅପରାହ୍ନ ସନ୍ଧ୍ୟା ହେବାକୁ ଯାଉଛି । ଛାଇ ଆଲୁଅର ଖେଳ ମତିଭ୍ରମ ସୃଷ୍ଟି କରୁଛି ।
ଡ୍ରାଇଭର ଧାଇଁଲା ସେ ମୁଣ୍ଡ ଆଡ଼େ । ସେଇଠୁ ସେ ରଡ଼ିଛାଡ଼ି କହିଲା – “ଗାଈ ଗୋଟେ ପଙ୍କରେ ଫସିଯାଇଛି । ଉଠିପାରୁନି ।”
ଯାହା ହେଉ ! ଛାତିର ଛନକା ଦୂରେଇ ଗଲା । ଆଉ ସେଠି ବସିବାକୁ ଇଚ୍ଛା ହେଲାନି ଚନ୍ଦ୍ରମାର । ଡ୍ରାଇଭର ଫେରିଲା । ଜିପ ପାଖକୁ ଫେରିବାକୁ ଲାଗିଲେ ଚନ୍ଦ୍ରମା ଓ ନଣନ୍ଦ ।
ପଛରୁ ଶୁଣାଗଲା ଗାଈଟିର କରୁଣ ହେମ୍ବାଳୀ । ପାଦ ଅଟକିଗଲା ଚନ୍ଦ୍ରମାର । ମୋଟେ ଆଗକୁ ବଢ଼ିଲାନି । ନିଜ ଅସହାୟତା ତାକୁ ମନେ ପଡ଼ିଗଲା । ଡ୍ରାଇଭରକୁ କହିଲା – “ଟିକେ ତାକୁ ବାହାରକୁ ଝିକି ଦିଅ । ସନ୍ଧ୍ୟା ହେଲାଣି । ଗଧିଆ, କଟାସ, ଶୃଗାଳ, ମାଡି ବସିବେ । ଗାଈ ମାତା । ଗୋମାତାକୁ କେମିତି ଏ ଅବସ୍ଥାରେ ଛାଡ଼ିହେବ ।”
ଡ୍ରାଇଭର ପଛେ ପଛେ ଇଛା ନଥାଇ ଦେବହରି ଗଲା ଗାଈ ପାଖକୁ । କିନ୍ତୁ ନିରାଶ ମନରେ ଫେରିଆସିଲା । ସେ ଆଡୁ ଡ୍ରାଇଭର ରଡ଼ିଛାଡ଼ିଲା – “ମେଡ଼େମ ! ଇଏତ ଗରଭିଣୀ ଗାଈଟା । କେମିତି ବାହାର କରିବୁ ? ଡର ଲାଗୁଛି ।”
ଏତିକି କଥାରେ ଚିହିଁକି ଉଠିଲା ଚନ୍ଦ୍ରମା । ସେ ଅନେଇଲା ଶ୍ୱଶୁରଙ୍କ ଆଡ଼କୁ । ଶ୍ୱଶୁର ବୃଦ୍ଧ । ମଣିଷ ମଣିଷକୁ ପଚାରୁନି । ଏ ସନ୍ଧ୍ୟାରେ ପଙ୍କ କାଦୁଅରେ ପଶି ଗରଭିଣୀ ଗାଈଟାକୁ କିଏ ବା ପଚାରେ । ସମସ୍ତିଙ୍କ ହୃଦୟରେ ଗାଈଟା ପ୍ରତି ଦୟାଥିଲେ ବି କିଛି ନ କରିପାରିବାର ଅସହାୟପଣ ।
ଜିପ୍‌ରେ ସମସ୍ତେ ବସିଲେ । ଗାଈଟା ବିକଳ ହେଇ ରଡ଼ିଛାଡୁଛି । ଅନ୍ଧାର ଘନେଇବାରେ ଲାଗିଛି । ଦେହସାରା ଥଣ୍ଡା ପଡ଼ିଗଲା ଚନ୍ଦ୍ରମାର । ଛୁଆପିଲା ନ ହେବାର ନର୍କ ଯନ୍ତ୍ରଣା ଭୋଗିଛି ସେ । ଗୋମାତାର ଯନ୍ତ୍ରଣା କେତେ ଯେ ଅକଥନୀୟ ହୋଇନଥିବ? ନିଜ ଉଦରକୁ ଆଉଁସିଲା ସେ । ଗୋମାତାର ବଛଡ଼ାକୁ ଆଉଁସିଲା ଭଳି ଲାଗିଲା ତାକୁ ।
ଡ୍ରାଇଭର ଜିପ୍ ଷ୍ଟାର୍ଟ୍ କଲାବେଳକୁ ଧଡ଼କିନା ଓହ୍ଲେଇ ପଡ଼ିଲା ଚନ୍ଦ୍ରମା । ଏକା ନିଃଶ୍ୱାସେ ଗାଈ ଆଡକୁ ଧାଇଁଲା ପୋଖରୀ କୁଳର ସେଇ ପଙ୍କ କାଦୁଅକୁ ।
ପାଗଳିନି ପ୍ରାୟ ଦୌଡ଼ିବାର ଦେଖି ତା ପଛେ ପଛେ ସ୍ୱାମୀ, ନଣନ୍ଦ, ଶାଶୁଶ୍ୱଶୁର ଓ ଡ୍ରାଇଭର ।
ନିଜର ସମସ୍ତ ବଳ ଖଟେଇ ସେ ଆଣ୍ଠୁଏ ପଙ୍କରେ ପହଞ୍ଚିଲା ଗୋମାତା ପାଖରେ । ଆଉଁସି ପକେଇଲା ତା ପିଠି, କାନ, ମୁହଁକୁ । ଆଉଁସା ପାଇ ଗୋମାତାର କାନ୍ଦ ଆହୁରି ବଢ଼ିଗଲା । ବୋଧେ କହିବାକୁ ଚାହୁଁଥିଲା ତମେ ମୋ ପିଲାକୁ ବଞ୍ଚେଇବାକୁ ଆସିଛ । କୋଟି କୋଟି ଧନ୍ୟବାଦ ।
ମନେ ମେନ ହୃଦୟତାର ସହ ଚନ୍ଦ୍ରମା ବି ବିକଳ ହୋଇ କହୁଥିଲା ମାତା ! ତମ ଭଳି ମୁଁ ଭାଗ୍ୟବତୀ ନୁହଁ । ତମେ ତ ଅନ୍ତତଃ ଗର୍ଭଧାରିଣୀ ହୋଇପାରିଛ । ମୋର ତ ଅଭିଶପ୍ତ ଗର୍ଭ । ଛୁଆ ଜନ୍ମ କରିବାର ଯନ୍ତ୍ରଣାଠୁଁ ଛୁଆ ନ କରିପାରିବାର ଯନ୍ତ୍ରଣା କେତେ ଯେ ଅଧିକ, ମୋଠୁ ଆଉ କିଏ ଅଧିକ ଜାଣିବ ।
ଶ୍ୱଶୁର, ଶାଶୁ, ସ୍ୱାମୀ ସମସ୍ତେ ବିରକ୍ତ ହେବା ଆରମ୍ଭ କଲେ । ଅନ୍ୟ କେହି ପଥଚାରୀ ନାହାନ୍ତି ସାହାଯ୍ୟ କରିବାକୁ । ଅନ୍ଧାର ବଢ଼ୁଛି । ଗୋମାତାର କାନ୍ଦ ବଢ଼ୁଛି । ପୁଣି ଗର୍ଭିଣୀ ଗାଈର ଓଜନ ଓ ଆକାର ଅଧିକ ।
ଉପାୟଶୂନ୍ୟ ଚନ୍ଦ୍ରମା । ମଙ୍ଗଳ ଗ୍ରହରେ ପହଞ୍ଚି ପାରୁଥିବା ମଣିଷ କିନ୍ତୁ ଏଠି ଉପାୟଶୂନ୍ୟ ସାମାନ୍ୟ ଯନ୍ତ୍ରଣାଯୁକ୍ତ ପଶୁକୁ ବଞ୍ଚୋଇବା ପାଇଁ । ଏମିତି ଛାଡ଼ି ଯାଇପାରିବନି ସେ । ଏମିତିରେ ଦିଦିକଥା ମନେ ପଡ଼ିଲା ତାକୁ । ଦିଦି ଆସନ୍ନ ପ୍ରସବା । କେବେ ବି ଛୁଆ ଜନ୍ମ ହେବାର ଯନ୍ତ୍ରଣାରେ ଛଟପଟ ହେବ ସେ । ହେ ଈଶ୍ୱର !
କେଜାଣି କେତେ ଦମ୍ଭ କୁଆଡୁ ଆସିଲା ତା ଭିତରେ । – “ହେଇଟି ଶୁଣ । ତମେ ଏ ଗାଈକୁ ଉଦ୍ଧାର କରିଦିଅ ଏତିକି ମାଗୁଣି । ବଦଳରେ ତମେ ଯେବେ କହିବ ମୁଁ ଛାଡ଼ପତ୍ରରେ ଦସ୍ତଖତ କରିବି । ନ ହେଲେ ତମେ ମୋ ସଉତୁଣୀ ଆଣିପାର । ପଦେ କହିବିନି । ଏମିତି ଛଟପଟ ଅବସ୍ଥାରେ ଛାଡ଼ିଯିବାକୁ ଇଚ୍ଛା ହେଉନି ମାତାକୁ । ପାପ ଲାଗିବ । ଧର୍ମ ସହିବନି । କଣ୍ଠ ରୁଦ୍ଧ ହୋଇ ଆସୁଥିଲା ଚନ୍ଦ୍ରମାର ।
ଚନ୍ଦ୍ରମାର ଏମିତିକା ରୂପ ଦେଖି ନଥିଲା କେବେ ଦେବହରି । ଡ୍ରାଇଭର, ଶ୍ୱଶୁର, ଚନ୍ଦ୍ରମଣି, ନଣନ୍ଦ ସମସ୍ତେ ଲାଗି ଗାଈକୁ ଝିକୁଥାଆନ୍ତି । ସମସ୍ତିଙ୍କ ହାତଗୋଡ଼ ଥରୁଥାଇ । କାଳେ କୁଆଡ଼େ ଭୁଲରେ ଯଦି ବାଜିଯିବ, ଛୁଆ ନଷ୍ଟ ହେଇଯିବ । ଆଘାତ ହେବ ।
ମଣିଷ ସିନା ମୁହଁ ଖୋଲି କହିବ କଷ୍ଟ କେଉଁଠି ହେଉଛି ନିରୀହ ପଶୁ କେମିତି କହିବ ! ସେ ମୁହଁ ଅନ୍ଧାର ଭିତରେ ଗୋମାତା ରଡ଼ି ଆକାଶ ଭେଦୁଥାଏ । ବଣ ଜଙ୍ଗଲ ଭିତରେ ପ୍ରତିଧ୍ୱନି ହେଉଥାଏ ଛାତିଫଟା ଯନ୍ତ୍ରଣା । ସେ ରଡ଼ିରେ ପାଖାପାଖି ଗଛର ସବୁ ପକ୍ଷୀ ଫଡ଼ଫାଡ଼ ହେଉଥାନ୍ତି ।
ପଥରା ପାହାଡ଼ର ଦେହରୁ ଯେମିତି ଏଇନେ ରକ୍ତ ଛିଟିକି ପଡ଼ିବ । କିଏ ବଂଚେଇବ ଚନ୍ଦ୍ରମାର ସଂସାରକୁ, ଯେଉଁଠି ବାନ୍ଧ ହେବାର କଳଙ୍କ ଲାଗିଯିବ ତା ଉପରେ ଆଉ କେଇଦିନ ପରେ ।
ଗୋଟିଏ ଯୁଦ୍ଧ ହେଲା ଭଳି ସଂଘର୍ଷ ଜାରି ରହିଥାଏ । ଅଳପ ଅଳପ ଘୋଷାଡ଼ି ଉଠେଇ ସେ ପଙ୍କରୁ ଉଦ୍ଧାର କରାଯାଉଥାଏ ଗୋମାତାକୁ । ଧୀରେ ଧୀରେ ଚନ୍ଦ୍ରମାର ଦେହ ଡରରେ, ଭୟରେ ଆକ୍ତାମାକ୍ତା ହୋଇ ଶୀଥଳ ହେଇ ଆସୁଥାଏ । ଦେହରୁ ପ୍ରାଣ ଗଲା ଭଳି ନିଃଶ୍ୱାସ ଛାଡୁଥାଏ ସେ । ଧୀରେ ଧୀରେ ସଜ୍ଞା ହରଉଥାଏ ଚନ୍ଦ୍ରମା ।
୍‍ ୍‍ ୍‍ ୍‍
ସକାଳୁ ଆଖି ଖୋଲିଲା ବେଳକୁ ଘର ଝରକା ଦେଇ ସୂର୍ଯ୍ୟ କିରଣଟିଏ ଦେଖିଲା ଶେଯ ଉପରେ ଚନ୍ଦ୍ରମା । ଯେମିତି ନୂଆ ସକାଳର ପ୍ରଥମ କିରଣ ତା ଭାଗ୍ୟରେ । ବିଛଣା ପାଖରେ ଦେବହରି ନିଘୋଡ଼ ନିଦରେ ଶୋଇଛି, ଯେମିିତି ଅନେକ ଦିନ ହେଲା ଶୋଇନାହିଁ । ମୁହଁରେ କ୍ଲାନ୍ତିର ଚିହ୍ନ ।
ଘଡ଼ିଏ ଦେଖିଲା ସେ ସ୍ୱାମୀକୁ । କେମିତିକା ମଣିଷଟା ? ଏତେ ଭଲପାଉଥିବା ମଣିଷଟା ସନ୍ତାନଟିଏ ପାଇଁ ତାକୁ ଛାଡ଼ିଦେବାକୁ ବସିଛି କେମିତି? ଚନ୍ଦ୍ରମାର ଗାଈ କଥା ମନେ ପଡ଼ିଗଲା । କ’ଣ ହେଲା ଗୋମାତାର ? ଅନେକ ଦିନର ଝଗଡ଼ା ଓ ଦୂରତା ପରେ ସେମାନେ ଗୋଟିଏ ଶେଯରେ ରାତି ବିତେଇଛନ୍ତି ।
“ହେଇଟି ଶୁଣ ! ଉଠ ଉଠ !”- ତରତରରେ ଉଠେଇଲା ଦେବହରିକୁ । ବାଉଳା ହେଇ ନିଦରୁ ଦେବହରି ପଚାରିଲା କ’ଣ ହେଲା ବୋଲି । କହିଲା – “ଆରେ! ତମ ଗୋମାତାକୁ ଝିକିଝିକି ଦେହ ସାରା ପୀଡ଼ା । ବାପରେ ! ବଡ଼ ସାଂଘାତିକ ଲୋକ ତମେ ଓ ତମ ଜିଦ୍ । ଶୋଇବାକୁ ଦିଅ ।”
– “ସେ ସବୁ ଛାଡ଼ । ଏବେ କେଉଁଠି ସେ ?”
– “ଥିବ ତା ମାଲିକ ପାଖରେ । ତମେ ତ ଚେତା ହରେଇ ଦେଲ ସେ ଅନ୍ଧାରରେ । କି ହଇରାଣରେ ବାବା ! ତାକୁ ତ ବଞ୍ଚେଇଲୁ ଓ ପାଖ ଗାଁରେ ଛାଡ଼ିଦେଲୁ । ପୁଣି ତୁମକୁ ଆଣି ବଞ୍ଚୋଇବାକୁ ପଡ଼ିଲା । ଗରଭିଣୀ ସିଏ, କିନ୍ତୁ ଚେତା ଉଡ଼ିଲା ତମର । ଯାହା ହେଉ, ତମ ଯୋଗୁଁ ମନରେ ଗୋଟିଏ ଅମୂଲ୍ୟ ଖୁସି ମିଳିଲା ଯେ ଗୋମାତାର ସେବାରେ ଜୀବନ ଲାଗିଲା । ହଉ ! ଶୋଇପଡ଼ ।”
ପୁଣି ଶୋଇଗଲା ଦେବହରି । ଚନ୍ଦ୍ରମା ସବୁ ଶୁଣି ଭାବୁଥିଲା ଗୋଟିଏ ପଶୁ ପ୍ରତି ଏତେ ସମ୍ବେଦନଶୀଳ ସ୍ୱାମୀ ତା’ର, ତା ଭଳି ମଣିଷ ପ୍ରତି ଏତେ ନିଷ୍ଠୁର କେମିତି? ପୁଣ ତା ପ୍ରତି ଏ ଅବିଚାର, ଯିଏ ଜୀବନର ସବୁ ମୁହୂର୍ତ୍ତ ତାକୁ ସମର୍ପି ଦେଇଛି ।

ଏତେ ମୋହ ଭଲ ନାହିଁ । ଯେମିତି ହେଲେ ତ ଛାଡ଼ିବାକୁ ପଡ଼ିବ ଏ ଘର ସଂସାର । ବିଦାୟ ଦେବାକୁ ହେବ ନିଜକୁ ତାଙ୍କ ଜୀବନରୁ, ପ୍ରେମ ଓ ବନ୍ଧନରୁ ।
ଖଟ ଛାଡ଼ି ଉଠିଲା ବେଳକୁ ଦେହର ଅସ୍ତବ୍ୟସ୍ତତା ସମ୍ଭାଳିଲା ସେ । ଅନେକ ଦିନ ପରେ ନିଜର ଅସଜଡ଼ା କାୟା ଦେଖି ନିଜେ ଲାଜେଇଗଲା ଚନ୍ଦ୍ରମା ।
୍‍ ୍‍ ୍‍ ୍‍
ମାସେ ପରେ ଆଜି ପୁଣି ଯିବାକୁ ପଡୁଛି ବାପା ଘରକୁ ନଣନ୍ଦ ଓ ସ୍ୱାମୀ ଦେବହରିଙ୍କ ସହ । ଦିଦି ହସ୍ପିଟାଲରେ । ଛୁଆପିଲା କଣ ହେବ, ଖବର ଆସିଛି ।
ପନ୍ଦର ଦିନ ପୂର୍ବର କଥା ମନେ ପଡ଼ିଲା ଚନ୍ଦ୍ରମାକୁ । ଅପେକ୍ଷାରେ ରହିଲା ସେ ସେହି ପଦ୍ମ ପୋଖରୀକୁ, ଯେଉଁଠୁ ସେ ଉଦ୍ଧାର କରିଥିଲା ଗର୍ଭିଣୀ ଗାଈକୁ ।
ସେହି ପୁଷ୍କରିଣୀ ଆଜି ବହୁତ ସୁନ୍ଦର ଦେଖା ଯାଉଥିଲା । ଦେହବରିକୁ କହିଲା ଶେଷ ଥର ପାଇଁ ଟିକେ ଯିବ ତଳକୁ । କେଜାଣି ଆଉ କେବେ ଦେଖିପାରିବ କି ନା !
ଦେବହରି କିଛି ଆପତ୍ତି କଳା ନାହିଁ । ଦୁହେଁ ତଳକୁ ଖସିଲେ ରୋଡ୍‌ରୁ । ଗାଡ଼ିରେ ରହିଲେ ଡ୍ରାଇଭର ଓ ନଣନ୍ଦ ।
ପୋଖରୀ କୂଳରୁ ଉଠିବାକୁ ଇଚ୍ଛା ହେଉନଥିଲା ଚନ୍ଦ୍ରମାର । ଭାବୁଥିଲା ଏଇଠି ଜଳ ସମାଧୀ ନେଇଯାଆନ୍ତା କି ?
ଏଇକ୍ଷଣି ସେ ସ୍ୱାର୍ଥୀ ହୋଇ ଉଠୁଥିଲା । ଦିଦିର ଛୁଆ ନ ହେଲେ ଭଲ ହୁଅନ୍ତା । ଛୁଆ ହେଲା ମାନେ ପ୍ରତିଶ୍ରୁତି ଅନୁଯାୟୀ ଛାଡ଼ିବାକୁ ହେବ ଦେବହରିକୁ । ନ ହେଉ ସେ ପିଲାଝିଲା । ଏମିତି ସବୁଦିନ ରହିଯାଆନ୍ତା କି ?
ହଠାତ୍ ଦେହ ଟିକେ ଝିମଝିମ ଲାଗିଲା ଚନ୍ଦ୍ରମାକୁ । କିଏ ଯେମିତି ଉଦର ମାଟିରେ ବୀଜଟିଏ ପୋତି ଦେଲା ଭଳି ତାକୁ ଲାଗିଲା । ଦେହ ଶୀତେଇ ଉଠିଲା । ବାନ୍ତି କରିପକେଇଲା ସେ ବୁନ୍ଦାଏ ।
ଦେବହରି ଚନ୍ଦ୍ରମାକୁ ସମ୍ଭାଳିବାରେ ଲାଗିଲା । ପୂର୍ବଥର ପରି ଯେମିତି ଚେତା ନ ଯାଉ । ନିଜ ଭିତରେ ଗୋଟିଏ ପରିବର୍ତ୍ତନ ହେଲା ଭଳି ଲାଗିଲା ଚନ୍ଦ୍ରମାକୁ । ଲାଗିଲା ଆଉ ଜଣେ କିଏ ତା ଭିତରେ ପଶିଛି । ତା ଗର୍ଭରେ କାୟା ବିସ୍ତାର କରିବାକୁ ପ୍ରସ୍ତୁତ ହେଉଛି ।
ଦେବହରି କିଛି ବୁଝିପାରୁନଥିଲା । ରୋଡ୍ ଉପରୁ ନଣନ୍ଦ ବଡ଼ ପାଟିରେ ରଡ଼ି ଛାଡୁଥିଲା – “ଭାଉଜ ! ତମ ଦି ଦିର ପୁଅଟିଏ ହେଇଛି । ଫୋନ ଆସିଥିଲା ।”
ଏତିକି ବେଳେ ଚନ୍ଦ୍ରମା ଚାହୁଁଥିଲା ଦେବହରିକୁ । କହିଲା ମୋତେ ଟିକେ ବାଟରେ ତେନ୍ତୁଳି, ଆଚାର କି ଖଟା ଖାଇବାକୁ ଦେବ । ପାଟି ଅରୁଚି ଅରୁଚି ଲାଗୁଛି ।
ଦେବହରିକୁ ଆଉ ବୁଝିବାକୁ ଡେରି ଲାଗିଲାନି ଯେ, ଚନ୍ଦ୍ରମା ଏବେ ବୋଧେ ମାଆ ହେବାକୁ ଯାଉଛି । ଖୁସିରେ ସେ ଦୁଇବାହୁରେ ଟେକି ନେବାରେ ଲାଗିଲା ତାକୁ ଗାଡ଼ି ଆଡ଼କୁ ।
ଚନ୍ଦ୍ରମା ଲାଜରେ ଛାଟିପିଟି ଫିଟିବାକୁ ଚେଷ୍ଟା କରୁଥିଲା । କହିଲା କ’ଣ ଭାବିବ ନଣନ୍ଦ ?
ଦେବହରି କହିଲା – “କ’ଣ ଭାବିବ ସେ ? ତା ଭାଇ ଏବେ ଏ ଗର୍ଭିଣୀ ଗାଈକୁ ବଞ୍ଚଉଛି । ସେଇଟା ସେ ଜାଣିବା ଦରକାର ।”
ସଲ୍ଲଜ ବଦନରେ ଚନ୍ଦ୍ରମା ଦେବହରିକୁ ଭିଡ଼ିଧରି ମୁହଁ ଗୁଞ୍ଜିଦେଲା ତା ଛାତି ଭିତରେ । ଭାବୁଥିଲା ସେଦିନ ବାକ୍‌ଶୂନ୍ୟ ଗୋମାତା ବୋଧେ ଠିକ୍ ତା ଯନ୍ତ୍ରଣାକୁ ଅନଭୁବ କରିପାରିଥିଲେ ଓ କହିବାକୁ ଚାହୁଁଥିଲେ ମୋ ଛୁଆକୁ ତୁ ନେଇଯା ଚନ୍ଦ୍ରମା । ତୁ ବି ଗର୍ଭିଣୀ ହେଇ ବଞ୍ଚେଇ ଦେ ତୋ ସଂସାରକୁ ।
ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠୁଥିଲା । ଲାଗୁଥିଲା ଠିକ୍ ପଥରା ପାହାଡ଼ର ଉପରେ ଥିଲା ଭଳି ।

ମାର୍ଫତ : ଗଞ୍ଜାମର କବିତାଘର, ଆଙ୍କୁଲି, ବ୍ରହ୍ମପୁର,
ଗଞ୍ଜାମ, ପିନ୍ : ୭୬୦୦୧୦, ମୋ. : ୮୨୮୦୨୨୩୬୪୪

ଗାଳ୍ପିକ ଜନ୍ମନିଅନ୍ତି ୧୨.୫.୧୯୭୮ ଗଂଜାମ ଜିଲ୍ଲା ଲଂଗଳେଶ୍ୱର ଗ୍ରାମରେ, ମାତା ଶ୍ରୀମତୀ ରୁକୁଣା ବେହେରା ଓ ପିତା ଶ୍ରୀ କପିଳ ବେହେରାଙ୍କ କୋଳମଣ୍ଡନ କରନ୍ତି । ତଟଶୂନ୍ୟ ଶୂନ୍ୟତା, ଅବୈଧ, ବ୍ରହ୍ମପୁର, ଗର୍ଭିଣୀ ପରି ଗଳ୍ପ ପୁସ୍ତକ ସହ ଅନେକ କବିତା ଓ ଉପନ୍ୟାସର ମଧ୍ୟ ସେ ରଚୟିତା ।
‘ଗର୍ଭିଣୀ’ ଗଳ୍ପରେ ଜଣେ ମାଆ ହୋଇପାରୁନଥିବା ସ୍ତ୍ରୀର କଷଣ ଓ ଗର୍ଭଧାରିଣୀ ଗୋମାତାର ଜୀବନ ଅତି ସୁନ୍ଦର ଭାବେ ଚିତ୍ରଣ ହୋଇଛି । ସନ୍ତାନର ଆଶାରେ ସ୍ୱାମୀ ସ୍ତ୍ରୀଙ୍କ ଗଢ଼ାଭଙ୍ଗା ସଂସାର ଓ ସମାଜରେ ତା’ର ପ୍ରତିଫଳନ ବାସ୍ତବ ଲାଗୁଛି ।