କବିତା // ପଖାଳ ଦିବସ // କବୀ – ଜ୍ୟୋତ୍ସ୍ନାରାଣୀ ଦେବୀ, ବ୍ରହ୍ମପୁର, ଗଞ୍ଜାମ

// ପଖାଳ ଦିବସ //

ପଖାଳକୁ ମୁଁ ଯେ ଛାଡିନାହିଁ ଯେବେ
ପଖାଳଦିବସ ପାଳିବି କିଆଁ
ମୋ ତନୁଲତାରେ ମୋ ପ୍ରାଣ କଥାରେ
ପଖାଳର ଲିପି ହୋଇଛି ଠିଆ ।

ଉଷାର ଭୂଷା ସେ ପ୍ରାଣ ସଂଜୀବନୀ
ମୋ କ୍ଷେତପ୍ରାନ୍ତରେ ସାଥିରେ ରହି
ଜୀବନ ପ୍ରଦୀପ ଜାଳି ଦେଉଅଛି
ଅନ୍ତର ଦେବତା ତୁରିତେ ମୋହି ।

ମୋହରି ଆରାଧ୍ୟ ଠାକୁର ଯେଉଁଠି
ଖାଆନ୍ତି ପଖାଳ ହର୍ଷିତ ମନେ
ନାଲି ଅଧରକୁ ଟଙ୍କ ତୋରାଣିରେ
ବୁଡାଇ ଦେଇ ଯେ ପରାଣ ଧନେ ।

ଦୁହିତାର ବାସ ଚହଟିବା ଲାଗି
ହିତୈଷିଣୀ ହୋଇ ଦୁଇକୁଳର
ତୋରାଣି ପିଇବା ପଖାଳ ଖାଇବା
ରହିଅଛି ପରା ଯୁଗଯୁଗର ।

କନ୍ୟାର ବିବାହ ସମ୍ପନ୍ନ ଆଗରୁ
ପୁଣି ନବବଧୂ ରୂପରେ ଯେବେ
ପ୍ରତିଭାତ ହୁଏ ଉଭୟ କୁଳରେ
ତୋରାଣି ପିଆଟା ରହିଛି ଭବେ ।

ମୃତାଦି କର୍ମରେ ଶୁଦ୍ଧି ସମ୍ପାଦନ
ଅନ୍ତରେ ଆତ୍ମୀୟ ଜନେ ଆଦୃତ
ତୋରାଣି ପିଆଇ ପଖାଳ ଖୁଆଇ
ଦୁଃଖୁ ନିଷ୍କ୍ରମଣ ହେବା ପାଇଁ ତ ।

କାହିଁକି ଭୂଲିବି ପଖାଳ କଂସା ମୋ
ପଖାଳ ଦିବସ ପାଳିବି ବସି
ସବୁଦିନ ଯିଏ ପ୍ରାଣ ସଂଗାତ ମୋ
ଏକ ଦିନ କିଆଁ ହୋଇବି ଘୋଷି ?