!! ନିମ୍ନ ମଧ୍ଯବିତ୍ତ !!
ନିପାରିଲାପଣର ମଧୁର ଶବ୍ଦଟିଏ
‘ନିମ୍ନ ମଧ୍ଯବିତ୍ତ ‘
କାହାର ଘୃଣାର ପାତ୍ର ବି ,
କେବେ ବିଧୂର ପରାଣର ଦୀର୍ଘଶ୍ବାସଟିଏ
କେବେ ଜୀବନ ମୃତ୍ଯୁର ସନ୍ଧିକ୍ଷଣଟିଏ !
ନିରେଖି ଦେଖିଲେ
ସେଠୁ ନିଗୁଡୁଥାଏ ଖଜୁରୀ ଗଛର ରସ ,
ପାହାଚ ପାହାଚ ତା’ର
ଖଣ୍ଡିତ ଜୀବନ ,
ବାର ବାର ସହୁଥାଏ ଧାରୁଆ କଟୁରିର ଚୋଟ
ତା ଚିତ୍କାର ଶୁଣିଲେ
ଉଲ୍ଲସିତ ଉଚ୍ଚବର୍ଗ
ତା ଯନ୍ତ୍ରଣାକୁ ଉପଭୋଗ କରନ୍ତି
ତଥାକଥିତ ବଡପଣ୍ଡା !
ନିମ୍ନ ମଧ୍ଯବିତ୍ତର ଜୀବନ
ସବୁବେଳେ ଅଧାଗଢା ସ୍ଥାପତ୍ଯ ,
ମୁଣ୍ଡି ମାରିପାରୁନଥିବା ଗୋଟେ କଳାର କୋଣାର୍କ !
ନିମ୍ନ ମଧ୍ଯବିତ୍ତ ସବୁବେଳେ ଲଢୁଥାଏ ଭାଗ୍ଯ ସହ
ସରକାରୀ କଳର କାରସାଦିରେ
ହଜୁଥାଏ ତା ସ୍ବପ୍ନର ଇପ୍ସିତ ଭବିଷ୍ଯତ ,
ଅଧା ପେଟରେ
ଭଙ୍ଗା ଚାଳରେ
ଛିଣ୍ଡା କପଡାରେ
ବଞ୍ଚୁଥାଏ ସେ,
ପୃଥିବୀର ପାଣି ପବନ ଆଲୋକ ଭିତରେ
ଖୋଜୁଥାଏ ସମାନତା ,
ଅଥଚ ଏ ସଭ୍ଯ ସମାଜର ମନତଳେ
କିଟିମିଟି ଅଳନ୍ଦୁର ବସା,
କେବେ ବିଗଳିତ ହେଉଥାଏ ହୃଦୟ
ଏଇମାନଙ୍କର ଦୁଃଖ ଦୁର୍ଦ୍ଦଶାରେ
ମିଛ ଆଶ୍ବାସନାରେ
ଖଞ୍ଜାହୁଏ ନୂଆ ଯୋଜନାର ଅଠାକାଠି !
ନିମ୍ନ ମଧ୍ଯବିତ୍ତର ଅଭାବୀ ଜୀବନ ବାଜିଲାଗେ
ଉଚ୍ଚବର୍ଗଙ୍କ ସୁଖ ସମ୍ଭୋଗ ପାଇଁ ,
ତାଙ୍କ ରାଜ ଉଆସ ଗଢିବାରେ ହେଉ କି
ତାଙ୍କ ପାଇଁ ମହମହ ବାସୁଥିବା ବାସୁମତୀ
ଅମଳ ପାଇଁ ହେଉ ,
ସେ ରକ୍ତକୁ ପାଣିକରେ
ଝାଳକୁ ଓଠରେ ପିଏ ,
କେବେ କାହାର ଅନିଷ୍ଟ ଚିନ୍ତା କରୁନଥିବା
ଏଇ ମେହନତୀ ମଣିଷ ସବୁକାଳେ ଭୋଗେ
ଲାଞ୍ଛନା,ଅପମାନ,ଅସୂୟା ,
ଘୃଣାର ପ୍ରଲେପ ମାଖି ଚିରକାଳ ସେ
ପଙ୍କରୁ ପଙ୍କଜ ପରି ଫୁଟୁଥାଏ
ଡହଡହ ତାତିରେ !
ସେ ଜାଣେନା ଛନ୍ଦ କି ଛଳନା
କାଳକାଳ ପାଇଁ ନିମ୍ନ ମଧ୍ଯବିତ୍ତର ଜୀବନ
ଉତ୍ସର୍ଗୀକୃତ ସମାଜ ପାଇଁ !
ଏତିକି ତ ଅନ୍ତତଃ ବୁଝୁ ଏ ଭୋଗବାଦୀ ମଣିଷ !!
**************