ଏଥର ପଢ଼ନ୍ତୁ “ନ ରହିବେ କେହି ଜଣେ” ସଜଲ ସଙ୍କଳନର ସ୍ରଷ୍ଟା କବି ଶ୍ରୀଯୁକ୍ତ ସୀମାଞ୍ଚଳ ପଣ୍ଡାଙ୍କ ଚମତ୍କାର କବିତା ‘ହାରିବା ଶିଖିନି ଓଡ଼ିଆ ପୁଅ’।

*ହାରିବା ଶିଖିନି ଓଡ଼ିଆ ପୁଅ*
*************************
ସୀମାଞ୍ଚଳ ପଣ୍ଡା
***********
ଲକ୍ଷ ଶିର ଛିନ୍ନ ହେଲା ତା କାରଣ
ହାରିନି ଓଡ଼ିଆ ନଇଁନି ମଥା,
ଅଶୋକ ନୃଶଂସ ପଣ କଲା ଧ୍ୱଂସ
ଯୁଗ ରଚିଦେଲା ରହିଲା କଥା!

କପିଳେନ୍ଦ୍ର ତା’ର ପାରିବା ପଣର
ଗରିମା ଦେଖାଇ କଲା ରାଜୁତି,
ଶକ୍ତି ଦେଖି ତା’ର ମାନିଗଲେ ହାର
ପଣେ ରଣେ ଯେତେ ଥିଲେ ନୃପତି,
ଗଙ୍ଗା ଗୋଦାବରୀ ସାମ୍ରାଜ୍ୟ ବିସ୍ତାରି
ଭାରତ ଭୁବନେ ଟେକିଲା ମଥା,
ଲକ୍ଷ ଶିର ଛିନ୍ନ ହେଲା ତା କାରଣ
ଡରିନି ଓଡ଼ିଆ ନଇଁନି ମଥା!

ପ୍ରତିଶୋଧ ବହ୍ନି ଯହିଁ ଲିଭିଲାନି
କଳିଙ୍ଗ ବାହିନୀ ଶକତି ବଳେ,
ଖାରବେଳ ଶକ୍ତି ଦେଖି କଲା ଭୀତି
ମଗଧ ଶରଣ ନେଲା ବିକଳେ!

ସମଗ୍ର ଭାରତ କଲା ମଥାନତ
ଓଡ଼ିଆ ଶାସନେ ହେଲା ଭାଜନ,
ମହା ଭାରତରେ କୌରବ ପକ୍ଷରେ
ମହାଯୁଦ୍ଧ କଲା କଳିଙ୍ଗ ସେନ,
ସ୍ୱାଧୀନତା ରଣ ଓଡ଼ିଆଙ୍କ ଟାଣ
ଗାଉଛି ଭାରତ ବିଜୟ ଗାଥା,
ଅଶୋକ ନୃଶଂସ ପଣ କଲା ଧ୍ୱଂସ
ଧର୍ମାଶୋକ ନାମେ ରହିଲା କଥା!

ନିର୍ମାଣ କଳାର ଦକ୍ଷ ଯାଦୁକର
କଳା ଶିଳାଦେହେ ସୂଚୀରେଖୋଳେ,
କୃଷି ବାଣିଜ୍ୟରେ ଶାସନ ସଂସ୍କାରେ
ହାରିନି ଓଡ଼ିଆ କସ୍ମିନ୍ କାଳେ!

********************
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ଡେଙ୍ଗାଡି, ଗଞ୍ଜାମ।୯୫୮୩୪୩୮୧୭୪