ଗଳ୍ପ -ନିଷିଦ୍ଧାଞ୍ଚଳ
ଗାଳ୍ପିକ -ଭାଗୀରଥି ବେହେରା
ଅନିର୍ବାଣ କିଛି ଦିନହେଲା ଅବ୍ୟବସ୍ଥିତ, ଅସଂଗଠିତ , ଅଣନିଶ୍ଵାସୀ , ଅନିୟନ୍ତ୍ରିତ ହୋଇଗଲେଣି । ଏମିତି ତ ମଣିଷ କିଛି ନା କିଛି ଝଡର ପରିସ୍ଥିତିରେ ସାମନା କଲେ ହୁଏ । ଅକସ୍ମାତ ଘଟଣାର ଚକ୍ରାନ୍ତରେ ହୁଏ । ସଂସାରସାରା ସଂପର୍କକୁ ବୋଝେଇଲେ ହୁଏ । ଆଶା ଯଦି ନିରାଶାରେ ପରିଣତ ହୁଏ ତେବେ ବି ହୁଏ । ନିଜର ଲୋକଟିଏ ପର ହୋଇଗଲେ ବି ହୁଏ ।
ତେବେ କ’ ଣ ଅନିର୍ବାଣ ଜୀବନରେ ଏମିତି କିଛି ଘଟିଗଲା କି ? କିନ୍ତୁ ତାଙ୍କ ଜୀବନରେ ଏ ପ୍ରକାର ଘଟିବାର ସମ୍ଭାବନା ଯେ ଅତି କ୍ଷୀଣ ଏ କଥା ପୁରା କଲେଜର ଇତିହାସ ଏକାଡେମି ବ୍ଲକରେ ଅଧ୍ୟାପକଙ୍କଠୁ ଛାତ୍ରଛାତ୍ରୀଗଣ ଜାଣିଛନ୍ତି । କେବଳ ଏକାଡେମି ବ୍ଲକ କାହିଁକି ! କଲେଜର ଅଧିକାଂଶ ଅନ୍ତବାସୀ ଜାଣିଛନ୍ତି ।
ଅନିର୍ବାଣ ମହାନ୍ତି ! ବୟସ ପଇଁତିରିଶି ପାଖାପାଖି । ସହରର ଏକ ବିଖ୍ୟାତ କଲେଜର ଇତିହାସ ଅଧ୍ୟାପକ । ଛାତ୍ର ବତ୍ସଳ । ଦେଖିବାକୁ ଠିକଠାକ । ସବୁବେଳେ କାର୍ଯ୍ୟକ୍ରମରେ ବ୍ୟସ୍ତ । ସାହିତ୍ୟରେ ବ୍ୟସ୍ତ । ସଂସ୍କୃତିରେ ବ୍ୟସ୍ତ । ଷ୍ଟୁଡେଣ୍ଟ୍ ଉନ୍ନତିମୂଳକ କାମରେ ବ୍ୟସ୍ତ । ଘରେ ଆଜ୍ଞାକାରୀ ସୁନ୍ଦରୀ ସ୍ତ୍ରୀ ଅଞ୍ଜଳି । ଛ ବର୍ଷର ଗୁଳୁଗୁଲିଆ ଝିଅ ରାଗିଣୀ । ଏବେ ଏବେ ଚାକିରୀରୁ ଅବସର ନେଇଥିବା ବାପା ଆଉ ସୁଗୃହିଣୀ ମାଆର ସେ ଆଜ୍ଞାଧୀନ ପୁତ୍ର । ପରିବାରକୁ ସୁହାଇଲା ଭଳି କାର,ବାଇକ ଆଉ ପୋଷା କୁକୁର । ସବୁ ନିଜ ନିଜ ଜାଗାରେ ବ୍ୟବସ୍ଥିତ ।
ତେବେ ତାଙ୍କ ଜୀବନରେ ଝଡ କାହିଁକି ? କଲେଜକୁ ଯିବା ସମୟ ସକାଳ ଦଶ । ଏବେ ମାସେ ହେଲା ସେ ଯାଉଛନ୍ତି ଆଠଟାରୁ । କଲେଜରୁ ଘରକୁ ଫେରିବାର ସମୟ ଅପରାହ୍ନ ଚାରି । ଏବେ ଫେରୁଛନ୍ତି ଛଅଟାରେ । ସପ୍ତାହକୁ ତିନୋଟି ପୋଷାକରେ ନିଜକୁ ଏଡଜସ୍ଟ କରୁଥିବା ଅନିର୍ବାଣ ଏବେ ପ୍ରତିଦିନ ଭିନ୍ନ ଭିନ୍ନ ପୋଷାକ ପିନ୍ଧୁଛନ୍ତି । ସବୁବେଳେ ନିଜ କାମରେ ବ୍ୟସ୍ତ ରହୁଥିବା ଲୋକଟା ଏବେ ଅନ୍ୟମାନଙ୍କ ସହ କଥା ହେବାରେ ମସଗୁଲ । ସମସ୍ତଙ୍କୁ ଯେମିତି ସେ ସମ୍ପର୍କରେ ବାନ୍ଧିବାକୁ ଚେଷ୍ଟିତ । ଲେକ୍ଚରହଲ, ସେମିନାର ରୁମ ଆଉ ସ୍ଟାଫ ଚାମ୍ବର ଛାଡି କୁଆଡେ ଯାଉ ନଥିବା ଅଧ୍ୟାପକ ଏବେ ଯାଉଛନ୍ତି ସବୁଠି । ଏବେ ପୁସ୍ତକାଳୟ ,ଭୋଜନାଳୟ , କାଫେଟ- ରିଆ , ଉନିୟନ ରୁମ , ପୁଅଝିଅଙ୍କ କମନରୁମ, ଅଡିଟୋରିଅମ ସବୁଠି ଅନିର୍ବାଣ । ସମସ୍ତେ ତାଙ୍କୁ ଦେଖୁଛନ୍ତି । ଯେମେତିକି ସେ ପୁଣି କଲେଜରେ ପାଠ ପଢୁଛନ୍ତି । ଆଉ କଲେଜ ଟୋକାଟୋକିଙ୍କ ଜୀବନ ବଞ୍ଚୁଛନ୍ତି ।
ତେବେ ଏ କି ପ୍ରକାର ଝଡ ? କି ପ୍ରକାର ପରିବର୍ତ୍ତନ ? ଝଡ ତ ଆଣେ ବିନାଶ , ଦୁଃଖ ,ନୈରାଶ୍ୟ ,ବ୍ୟଗ୍ରତା ,ଲୁହ ,ଝଞ୍ଜା ଇତ୍ୟାଦି ଇତ୍ୟାଦି । କିନ୍ତୁ ଏ କଣ ! ଏ ଝଡ ଆଣିଛି ଅନିର୍ବାଣ ଜୀବନରେ ସୃଷ୍ଟି , ସୁଖ , ବ୍ୟସ୍ତତା , ଉନ୍ମାଦନା , ବସନ୍ତ ,ମାଦକତା ,ନା ନା ରେ ହଁ କରିବାର କଥା । ଯଦିବା କିଏ କିଛି ନ କହିଲେ , ନ ଦେଖିଲେ ନିଜେ ନିଜର ପରିବର୍ତ୍ତନକୁ ସେ ଠିକ ଜାଣିପାରୁଛନ୍ତି ,ବୁଝିପାରୁଛନ୍ତି , ଚିହ୍ନିପାରୁଛନ୍ତି ଓ ପରଖିପାରୁଛନ୍ତି ।
ମୋବାଇଲ ଶବ୍ଦ କଲା । ମେସେଜ ଆସିଛି । ଫଟାଫଟ ପଢିନେଲେ ସେ । ପଢୁପଢୁ ତାଙ୍କ ଚେହେରାର ରଙ୍ଗ ବଦଳିଗଲା । ରଙ୍ଗ ପରେ ରଙ୍ଗ । ଦରଫୁଟା ହସ ଫୁଟିଗଲା ଯେପରି ଫୁଲ । ନିଜକୁ ସଂଜତ କଲେ ସେ । ଏପଟ ସେପଟ ଭଲ ଭାବରେ ଦେଖିଲେ । ତା’ପରେ ନିଜର କାର ଛାଡି ଦେଇ ବାଇକ ନେଇ ବାହାରି ପଡିଲେ । ପଛପଟୁ ସ୍ତ୍ରୀ ଅଞ୍ଜଳି ପ୍ରଶ୍ନକଲା ଆଜି ଏ ପରିବର୍ତ୍ତନ କାହିଁକି । ତା ପ୍ରଶ୍ନର ଉତ୍ତର ଦିଏ ଆଉ କିଏ !
ଅଳପ ସମୟ ପରେ ପୁଣି ସେ ଘରକୁ ଫେରିଲେ । ବୋଧେ କଲେଜ ଆଉ ଗଲେନି । ବାପା ମା ତାଙ୍କ ମୁହଁ ଚାହିଁ ରହିଗଲେ । ଝିଅ ରାଗିଣୀ ଆଜି ବାପାଙ୍କ କୋଳରେ ପୁଷି ବିଲେଇ ପରି ଘଷି ହେଲାନି । ସ୍ତ୍ରୀ ଅଞ୍ଜଳି କିଛି ବୁଝି ପାରିଲାନି । କେଜାଣି କାହିଁକି ଆଜିକାଲି ଅନିର୍ବାଣଙ୍କ ମୁଡ ଘଡିକେ ଘଡିକେ ବଦଳୁଛି । ତାଙ୍କ ମୁହଁରେ ରାଗ ନଥିଲା କିନ୍ତୁ ଥିଲା ଏକ ପ୍ରକାର ଅଭିମାନ । ନଥିଲା ଚିନ୍ତା କିନ୍ତୁ ଯେମିତି କିଏ ତାଙ୍କୁ ଘାରି ବସିଥିଲା । ଯଦିବା ହାରିବା ଭଳି ସେମିତି କିଛି ଝଲସୂ ନଥିଲା କିନ୍ତୁ ଜିତିବା ଭଳି ସେମିତି ଖୁସି ବି ନଥିଲା ।
ଦିନ ଚାରିଟା ବେଳକୁ ପୁଣି ବାଇକ ନେଇ ବାହାରି ପଡିଲେ ସେ । ଆକାଶ ଏବେ ମେଘାଚ୍ଛନ୍ନ । ବରଷିଯିବ ବୋଧେ ! ପଛ ଆଡୁ ସ୍ତ୍ରୀ ଅଞ୍ଜଳି ତାଙ୍କ ଯିବା ରାସ୍ତାକୁ ଚାହିଁ ପରାସ୍ତ ସୈନିକ ଭଳି ଠିଆହେଲା ।
ଏଥର କିନ୍ତୁ ତାଙ୍କ ଚେହେରାରେ କୌଣସି ରାଗ ,ଅପମାନ , ଅଭିମାନ ଦ୍ଵନ୍ଦ ନଥିଲା । ବରଂ ଥିଲେ ପୂର୍ବଠୁ ଆହୁରି ଅଧିକ ଶାନ୍ତ ,ସ୍ନିଗ୍ଧ ଓ ସୌମ୍ୟ । ଅନିର୍ବାଣ ଜାଣିଛନ୍ତି ଏବେ ସେ ଯିବେ ଇନ୍ଦିରା ପାର୍କକୁ । କାହାସହ କଥାବାର୍ତ୍ତା କରିବାର ଅଛି ନିରୋଳାରେ । ଏମିତି ସେ କେବେ ବି ପାର୍କ ଯାଆନ୍ତିନି । ସେ ସବୁ କଲେଜ ସମୟର କଥା ଥିଲା । ଏ ବୟସରେ ଯଦି ସିଏ ବାରମ୍ବାର ପାର୍କକୁ ଯିବେ, ତାଙ୍କର ଛାତ୍ରଛାତ୍ରୀ ମାନେ କମେଣ୍ଟ କରିଦେବେ ଯେ ଏବେ ତାଙ୍କର କାଶୀ,ଗୟା,ମଥୁରା ,ବୃନ୍ଦାବନ ଯିବାର ସମୟ ଆସିଲାଣି । ଆଉ ସେ କଲେଜ ଟୋକା ହେଇ ରହିନାହାନ୍ତି।
ଦୁଇ କିଲୋମିଟର ପ୍ରାୟେ ଗଲାପରେ ବାଇକି ରଖିଲେ ସେ ଏକ ବସ ଷ୍ଟପରେ । କିଏ ଜଣେ ଆସି ବାଇକରେ ବସିଲା । ସେ ଚାହୁଁ ନାହାନ୍ତି ତାଙ୍କର ଏ କାର୍ଯ୍ୟକଳାପର କିଏ ସାକ୍ଷୀ ରହୁ । ଦୁଇଜଣଙ୍କ ଭିତରେ କିଛି ବ୍ୟବଧାନ ନଥିଲା । ବାଇକ ଗତି ବଦଳେଇଲା କଲେଜ ଗେଟ ଆଡକୁ । ବାଇକିରେ ବସିଥିବା ସାଥୀଟି ନିଜକୁ ଟିକେ ସଜାଡିଲା । ବ୍ୟବଧାନ ମଧ୍ୟ ରଖିଲେ ଅନିର୍ବାଣ ନିଜ ଓ ତା ମଝିରେ । ଚାରି ଦିନ କଲେଜ ଛୁଟି ହେଇଥିବାରୁ ସେତେ ଜନ ଗହଳି ନାହିଂ । ସେଥିପାଇଁ ବିବ୍ରତ ହେବା ଦରକାର ନାହିଂ । ଏ କଥା ନିଜ ଆଡୁ ନିଶ୍ଚିତ କଲେ ସେ ପାଖରେ ବସିଥିବା ସାଥୀଟିକୁ । କିନ୍ତୁ ନିଜେ ଭିତରେ ଭିତରେ ସେ କେତେ ଯେ ଚତୁର୍ପାର୍ଶ୍ୱକୁ ନେଇ ଡରିଛନ୍ତି ତାଙ୍କ ବିନା ଆଉ କିଏ ଜାଣି ପାରୁ ନଥିବେ ।
ପ୍ରଥମେ ଆସିଲା କଲେଜ ଭିତର ଶିବ ମନ୍ଦିର । ଅନିର୍ବାଣ କହିଲା-“ଏଇ ଦେଖ । ପ୍ରଥମ ଥର ପାଇଁ ତୁମେ ମୋତେ ଦେଖି ନମସ୍ତେ କରିଥିଲ । ମୁଁ ବି ନମସ୍କାର କରି ଚାଲି ଯାଇଥିଲି । ଯଦିବା ତୁମକୁ ଭଲ ଭାବରେ ଦେଖିବାକୁ ସମୟ ପାଇନଥିଲି କିନ୍ତୁ ଯେତିକି ଥିଲି ତୁମେ ଥିଲ ମାର୍ଜିତ ଆଉ ଭଦ୍ର ।“
-“ ଏ ସ୍ଥାନ କଥା ତୁମର ମନେ ଅଛି କି ? ତୁମେ ଆସି ପଚାରିଥିଲ ଝିଅ କମନ ରୁମର ତାଲା ଫିଟୁନଥିଲା । କଣ କରାଯିବ । ମୁଁ କହିଥିଲି ସବୁଠୁ ସରଳ ଉପାୟ ଭାଙ୍ଗି ଦିଆଯାଉ । ମୋ କଥା ଶୁଣି ସମସ୍ତେ ହସିଥିଲେ । ତୁମେ ବିରକ୍ତ ହେଇଥିଲ। ମୁଁ ଜଣେ ପୁଅକୁ ଆଦେଶ ଦେଲି ତାଲା ଭାଙ୍ଗିବା ପାଇଁ । ତୁମେ ଆଶ୍ଵସ୍ତ ହେଇଥିଲ । ସେ ସମୟରେ ସେଇଟା ହିଁ ଥିଲା ଉପଯୁକ୍ତ ଉପାୟ । ଆଉ ମୋତେ ଦେଖି ହସିଥିଲ । ତୁମେ କିନ୍ତୁ ସୁନ୍ଦର ଦେଖା ଯାଉଥିଲ ।“ ଷ୍ଟୁଡେଣ୍ଟ କମନରୁମ ଆଡକୁ ଇଙ୍ଗିତ କରି କହିଲା ଅନିର୍ବାଣ । ବାଇକ ତା ବାଟେ ଆଗେଇ ଚାଲିଛି ।
କଲେଜର ସରୋଜିନୀ ଛାତ୍ରୀବାସକୁ ଦେଖେଇ ସେ କହିଲା –“ ମନେ ଅଛି କି , ୱାର୍ଡେନ ମିସେସ ଢିଙ୍ଗରାଙ୍କ ଝିଅ ବଡହେବାର ଭୋଜିରେ ଯୋଗଦେବାକୁ ମୁଁ ଆସିଥିଲି । ମୋର ସମସ୍ତ ଖିଆପିଆ ବ୍ୟବସ୍ଥା ତୁମ ଉପରେ ନ୍ୟସ୍ତ ହେଇଥିଲା । ତୁମେ ପ୍ରତିକ୍ଷଣରେ ମୋତେ ଜଗି ରହିଥିଲ । କେବଳ ମୋ ପାଇଁ ତୁମର ବ୍ୟଗ୍ରତା ଦେଖି ମନେ ମନେ କୁରୁଳି ଉଠିଥିଲି । ସେ କଥା ତୁମକୁ ଫୋନରେ କହିଥିଲି ।“
“ବର୍ତ୍ତମାନ ଆସିଲା କଲେଜ ପାର୍କ । ଦଳେ ପୁଅଝିଅ ମିଶି ଅନ୍ତାକ୍ଷରୀ ଖେଳୁଥିଲ । ମୁଁ ତୁମ ଗୀତର ସୁମଧୁର ସ୍ଵରେ ମଗ୍ନ ହେଇଥିଲି । ମୋ ମଗ୍ନତା ଦେଖି ତୁମ ପ୍ରିୟସଖୀ ନମ୍ରତା ମୋତେ ଅନୁରୋଧ କରିଥିଲା ଏଥର ତୁମକୁ ବାର୍ଷିକ ଉତ୍ସବରେ ସାମିଲ କରିବାକୁ । ତୁମେ ଲାଜକୁଳି ଲତାପରି ଲାଜେଇ ଯାଇଥିଲ ।“
ବାଇକକୁ ଅଟକାଇଲା ଅନିର୍ବାଣ ଅଡିଟୋରିଅମ ପାଖରେ । ଦୁଇ ତିନି ଜଣ ପିଅନ ଦେଖି ନମସ୍କାର କଲେ । ପଚାରିଲେ ଗାଁକୁ ଯିବେ କି ନାହିଂ । ଅନିର୍ବାଣ ନିଜଆଡୁ କହିଦେଲା ପ୍ରଥମ ବର୍ଷର ପିଲାଙ୍କ ସ୍ଵାଗତମ ପାଇଁ ଆୟୋଜନ ଚାଲିଛି । ପାଖରେ ଥିବା ସାଥୀ ଜଣକ ଟିକେ ନିଜ ମୁଖ ମଣ୍ଡଳରେ କନଫିଡେନ୍ସ ଆଣିଲା ଯେମିତି କି ସେ ଅଫିସିଆଲ ଡିଉଟୀରେ ଅଛି । ଅନିର୍ବାଣ କହିଲେ –“ ଏଇଠି ବାର୍ଷିକ ଉତ୍ସବରେ ତୁମେ ଅନ୍ୟ ଝିଅଙ୍କ ସହ ନାଚଗୀତ ଅଭ୍ୟାସ କରୁଥିଲ । ମୁଁ ତୁମକୁ ଚୋର ଚାହାଣୀରେ ଦେଖୁଥିଲି । ମୋ ଆଖିରେ ତୁମ ଆଖି ଯେବେ ବି ମିଶିଥିଲା ତୁମେ ଅଲଗା ଲାଗୁଥିଲ । ବୋଧେ ତୁମେ କହିବାକୁ ଚାହୁଁଥିଲ ମୁଁ ଯେମିତି ତୁମକୁ ହିଁ ଦେଖେ । ସେଦିନ ପ୍ରଥମ ଥର ପାଇଁ ତୁମେ ମୋ ଉପରେ ରାଗିଥିଲ। ଅନ୍ୟ ଝିଅଙ୍କ ସହ ମୋର କଥା ବାର୍ତ୍ତାକୁ ତୁମେ ମୋଟେ ପସନ୍ଦ କରନାହଁ ବୋଲି କହିଥିଲ । ମୁଁ ମନେ ମନେ ତୁମେ ଉପରେ ରାଗିଥିଲି । ତୁମର ସାହସ କେମିତି ହେଲା ମୋତେ ଆଦେଶ ଦେବାକୁ । ସେ ଦିନ ମୋ ଗୁରୁ ହେବାର ଗୁମାନକୁ ବାଧିଥିଲା । ଅବଶ୍ୟ ତା ପରେ ମୁଁ ଜାଗ୍ରତ ହେଇଥିଲି । ଅନ୍ୟ ଝିଅମାନଙ୍କ ସହ କଥା ବାର୍ତ୍ତା କମ କରିଥିଲି ।“
ସେମାନେ ଦୁହେଁ ପହଞ୍ଚିଲେ ଅଡିଟୋରିଅମ ଲାଗିଥିବା ଗାଡି ପାର୍କିଂକୁ ।-“ହେଇଟି ଦେଖ ! ମୋ କାର ପାଖରେ ତୁମେ ନିଜ ସ୍କୁଟି ରଖୁଥିଲ । ଅନ୍ୟମାନେ ତୁମକୁ ନେଇ ବେଶି ଈର୍ଷା କରୁଥିଲେ । ବେଳେ ବେଳେ ଏମିତି ବି କହିଲେ ମୁଁ ପକ୍ଷପାତ କରୁଛି । ଅବଶ୍ୟ ମୁଁ ଏ କଥା ଧ୍ୟାନରେ ରଖି ନଥିଲି । ତୁମେ ମୋର କେୟାର ନେଉଥିଲ ବୋଲି ମୁଁ ତୁମକୁ ପ୍ରାଧାନ୍ୟ ଦେଉଥିଲି । “ ଅନିର୍ବାଣ କହିଲେ ।
“ବର୍ତ୍ତମାନ ଆମେ କଲେଜ ପୁସ୍ତକାଳୟ ପାର ହେବାକୁ ଯାଉଛେ । ମନ ଅଛି ନା ! ତୁମେ ଗର୍କୀଙ୍କର ‘ମା’ ମାଗିଥିଲ । ସେଇଟା ନ ପାଇ ମୁଁ ତୁମକୁ ‘ଟୁ ସର ୱୀଥ ଲଭ’ ବହି ଦେଇଥିଲି । ତୁମେ ଚୋରଣୀ ଭଳି ସେଇ ବହିଟା ନେଇ ଯାଇଥିଲ । ମୁଁ ଅବୁଝା ହୋଇ ରହିଥିଲି ଯେ ଏଥିରେ ଚୋରଣୀ ଭଳି ବ୍ୟବହାର କରିବାର କଣ ଥିଲା । ଅବଶ୍ୟ ତୁମେ ପରବର୍ତ୍ତୀ ସମୟରେ କହିଥିଲ ତୁମେ ସେଇ ବହିଟା ହିଁ ଚାହୁଁଥିଲ। “ ଅନିର୍ବାଣ କହିଲେ ।
କିଛି ସମୟର ନୀରବତା । ପୁଣି ସେ କହିଲେ -“ ଆମେ ବର୍ତ୍ତମାନ ପହଞ୍ଚିଲେଣି କାଫେଟୋରିଆ । ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ର ଛାତ୍ରୀଗଣଙ୍କର ଏକ ମିଳନର ଜାଗା । ଅନେକ ଥର ମୋତେ ତୁମେ ଏଠି ଖୁଆଇଛ । ଆଉ ତା’ର ସୁବିଧା ନେଇ ତୁମର କୁଲଙ୍ଗାର ସାଙ୍ଗ ସବୁ ମୋ ଠୁଁ ଅନେକ ଥର ଖାଇଛନ୍ତି । ପଇସା ଖର୍ଚ୍ଚ ହେଇଯିବାର ବିକଳ ମୁହଁ ଦେଖି ତୁମେ ମୁରୁକି ମୁରୁକି ହସିଛ ଆଉ ମୁଁ ଅସହାୟ ହୋଇ କେବଳ ତୁମକୁ ଦେଖିଛି । କିନ୍ତୁ ସତ କହିବାକୁ ଗଲେ ଭିତରେ ଭିତରେ ମୁଁ ଭାରି ଖୁସି ହେଇଥିଲି । ତୁମକୁ ପ୍ରତ୍ୟକ ଦିନ ପାଖରେ ପାଇବାର ଏହା ହିଁ ମୋର ଏକମାତ୍ର ସାଧନ ଥିଲା ।“
କଲେଜ ପଛଗେଟ ଦେଇ ଯିବାବେଳକୁ ଫାଉଣ୍ଟେନ ଦେଖି ଅନିର୍ବାଣ କହିଲା –“ହେଇ ଦେଖ ! ପିକନିକ ଯିବା ପୂର୍ବରୁ ସମସ୍ତେ ଫୋଟ ଉଠାଉଥିଲେ । ତୁମେ ଜିଦ ଧରିଥିଲ ମୋ ପାର୍ଶ୍ଵରେ ଠିଆ ହେବାକୁ । ସେ ଫୋଟ ଦେଖି ମୋ ସ୍ତ୍ରୀ ଯିଏ କେବେ କିଛି କହୁନଥିଲା ଅନେକ କଥା କହିଛି । ବୁଢା ବୟସରେ ଭେଣ୍ଡିଆ ହେବାର ନିଶାକୁ କମ କରିବାକୁ ଠିଆ ଠିଆ ନିର୍ଦେଶ ଦେଇଛି ।“
ଅନିର୍ବାଣ ପହଞ୍ଚିଲେ ଇନ୍ଦିରା ପାର୍କରେ । ଦୁଇଟି ବାଦାମ ଠୁଙ୍ଗା ନେଇ ବସିଲେ ଦୁହେଁ ଏକ ବେଞ୍ଚରେ । ସମସ୍ତଙ୍କ ଆଖି ପହଞ୍ଚିପାରିଲା ପରି ଜାଗାରେ । ସେ ଚାହିଁଲେ ତାଙ୍କ ସାମନାରେ ବସିଥିବା ସାଥୀକୁ । ସାମନା ମୁହଁଟା ଥିଲା ଗମ୍ଭୀର , ଚୁପଚାପ ।
ଅନିର୍ବାଣ ପୁଣି କହି ଚାଲିଲେ – “ ତୁମେ ଯେବେ କହିଥିଲ ମୋ ପ୍ରତି ତୁମ ହୃଦୟରେ ଦୁର୍ବଳତା ଆସିଲାଣି ମୁଁ ଚାରି ରାତି ଶୋଇ ନଥିଲି । ପ୍ରତିଦିନର କ୍ରିୟାକଳାପ ଆପେ ଆପେ ହେଇ ଯାଉଥିଲା । ଦୁର୍ବଳତାର ଅନେକ ରୂପରେଖ ମୁଁ ମନେ ମନେ ସ୍ଥିର କରିସାରିଥିଲି । ଠିକ କରୁଥିଲି କେଉଁ ପ୍ରକାର ଦୁର୍ବଳତାରେ ତୁମେ ଆସକ୍ତ ହେଇଛ । ଧୀରେ ଧୀରେ ତୁମେ ମୋତେ ଦୁର୍ବଳ କରୁଥିଲ । ଏମିତି ପଇଁ -ତିରିଶି ବୟସ ଭିତରେ ପ୍ରଥମ ଥର ପାଇଁ ହେଉଥିଲା । ମୁଁ ପୁଣି ହୋଇଯାଇଥିଲି ସମ୍ବଲପୁରୀ ନାଚର ତାଳେ ତାଳେ ନାଚୁଥିବା କୋଡିଏ ବର୍ଷର ଯୁଆନ ଟୋକା । ମୁଁ ଯେତେବେଳ ପଚାରି ବସିଲି ତୁମ ଦୁର୍ବଳତାର କାରଣ , ତୁମେ କହିଥିଲ ମୋର ସାନିଧ୍ୟ ତୁମକୁ ଭଲ ଲାଗୁଛି । ସାନିଧ୍ୟ କଥାଟା ଶୁଣି ମୋ ଦେହରେ, ମନରେ ରାଜୁତି କଳା ପୁନଶ୍ଚ ବସନ୍ତ । ଫଗୁଣର ରାଜୁତି ହେଲା । ଆପଣପଣର ରାଜୁତି ହେଲା । ପୁରୁଷ ପଣିଆର ରାଜୁତି ହେଲା । ମୁଁ ବାରମ୍ବାର ନିଜକୁ ଆଇନାରେ ଦେଖିଲି । ନିଜକୁ ନିଜେ ସଜାଡିଲି । କଲେଜ ଟୋକା ଭଳି ବ୍ୟବହାର କଲି । ମୋ ସ୍ତ୍ରୀ ମୋତେ ଦେଖି କଲେଜ ଟୋକୀ ପରି କମେଣ୍ଟ ମାରିଲା ।“
ନିଶ୍ଵାସ ମାରିଲେ ଅନିର୍ବାଣ । ପାଖରେ ବସିଥିବା ସାଥୀଟି ଆହୁରି ପାଖେଇ ଆସିଲା । ନିଜ ହାତ ତାଙ୍କ ହାତରେ ଛନ୍ଦି ଦେଲା ।
ପୁଣି କହିବା ଆରମ୍ବ କଲେ ଅନିର୍ବାଣ-“ ସେଇଠୁ ତୁମର ସାନିଧ୍ୟ ମୋତେ ଭାରି ଭଲ ଲାଗିଲା । ଫୋନରେ ଲୁଚି ଲୁଚି ଆମେ ଅନେକ କଥା ହେଲେ । ମୁଁ ଭୁଲିଗଲି ମୋର ସ୍ତ୍ରୀ ,ଝିଅ ,ବାପା ମା ସବୁ ଅଛନ୍ତି ବୋଲି । ଅନେକ ରାତି । ଅନେକ ମୂହୁର୍ତ୍ତ । ତୁମେ ମୋ ଆଗରେ ଝରିଗଲ କୁଳୁକୁଳୁ ଝରଣାଟିଏ ପରି । କଲେଜସାରା ଏପଟ ସେପଟ ହେଉଥିଲ ଅମାନିଆ ଛନଛନ ହରିଣୀଟିଏ ପରି । ତୁମର ଏ ଉଚ୍ଚୁଳା ଯୌବନାବତୀର ରୂପଦେଖି ମୁଁ ହେଲି ମନ୍ତ୍ରମୁଗ୍ଧ । ମୋ ଦେହରେ ଭଲପାଇବାର ଗନ୍ଧ ମୁଁ ନିଜେ ବାରିପାରିଲି । ତାପରେ ସବୁଠି ତୁମସହ ଦେଖା । ପୁସ୍ତକାଳୟରେ ,ଭୋଜନାଳୟରେ , କାଫେଟେରିଆରେ , ଉନିୟନ ରୁମରେ , ପୁଅଝିଅଙ୍କ କମନରୁମରେ , ଅଡିଟୋରିଅମରେ ସବୁଠି ଅଧ୍ୟାପକ ଅନିର୍ବାଣର ହାଜିରା ଲାଗିଲା । ସବୁଠି ଆମର ଗୁପ୍ତ ମନ ଦିଆନିଆ , ଆଖିରେ ଆଖିରେ କଥା । ପରସ୍ପର ପ୍ରତି ମୋହ ,ସ୍ନେହ ,ଭାବର ଅନେକ ଆବିର୍ଭାବ । ଯେତିକି ପାରିଲି ମୋର ଏ ପରିବର୍ତ୍ତନ ନିଜ ପରିବାରଠୁଁ ଲୁଚେଇ ରଖିଲି । ଜଲ୍ଦି କଲେଜକୁ ଆସିଲି । ଡେରିରେ ଘରକୁ ଫରିଲି । ମନେ ଅଛି ନା! ଥରେ ତୁମକୁ ପଚାରିଥିଲି କ’ଣ ଦେଖି ମୋତେ ଭଲପାଇ ବସିଲ । ତୁମେ କହିଥିଲା ମୋ ଭିତରେ ଥିବା ଏକ ଅଝଟ କିନ୍ତୁ ସୁକୋମଳ ବାଳକର ଚପଳାମିକୁ ଭଲପାଇ ବସିଛ । ତା’ର ପ୍ରତି ଉତ୍ତରରେ ମୁଁ କହିଥିଲି ତୁମ ଭିତରେ ଏକ ଜିଦଖୋର ରୁଷନାକଡା ଯୁବତୀଟିଏକୁ ମନେଇବାକୁ ମୋତେ ଭଲ ଲାଗେ । ଆମେ ଦୁହେଁ ବୟସ ,ସମାଜ ଓ ବର୍ତ୍ତମାନର ସମସ୍ତ ଅବୟବକୁ ଛାଡି ବଞ୍ଚିବାକୁ ଲାଗିଛେ । “
ଏଥର ସାଥୀଟା ମୁହଁ ଉଠେଇ ଅନିର୍ବାଣଙ୍କୁ ଦେଖିଲା ।
-“ ତୁମକୁ ନେଇ ମୋ ମନରେ ଏକ ଗୁମାନ ଥିଲା । ଏକ ଅଖଣ୍ଡିତ ଗର୍ବ ମୋ ଭିତରେ ଜନ୍ମ ନେଇ ସାରିଥିଲା । ତୁମେ ଥିଲ ମୋ ପାଇଁ ଏ ଯାଏଁ ମୋତେ ଛୁଇଁ ନଥିବା ଏକ ପ୍ରେମର ଫୁଆରା । ନୂଆଁ ନୂଆଁ କଅଂଳୁଥିବା ନବପତ୍ର । ଏଇ କିଛି ଦିନ ହେବ ମୋ ମନରେ ବାନ୍ଧି ହେଇଛି ଡରର ଏକ ଘର । ଧରା ପଡିଯିବାର ଭୟ । ସାରା କଲେଜ ରେ ଅପମାନ ହେଇଯିବାର ଡର । ଯଦିବା ଭଲପାଇବା ଏମିତି କିଛି ଘୃଣ୍ୟ କାମ ନୁହେଁ । କିନ୍ତୁ କେଜାଣି କାହିଁକି ଆମ ଭିତରେ ଅଙ୍କୁରିତ ସମ୍ପର୍କ ବିକଟାଳ ଜିଭ କାଢି ଆମକୁ ଦେଖୁଛି । ତଥାପି ଏ ସମ୍ପର୍କରେ ତୁମେ ମୋତେ ମାଗିନଥିଲ ସ୍ଵୀକୃତି କି ଅଧିକାର । ଏହା ହିଁ ଥିଲା ଆମ ସମ୍ପର୍କର ନିଆରା ପଣ । ଯଦିବା ଏହା ଥିଲା ଆମ ଭୁଲ, ପାପ ଓ ନିଜ ପରିବାର ପ୍ରତି ଏକ ଭୁଲ ବୁଝାମଣା । “
ଆଉ ଅଧିକ କିଛି କହି ପାରିଲେନି ଅଧ୍ୟାପକ ଅନିର୍ବାଣ ମହାନ୍ତି । ଅସହାୟ ଶିଷ୍ୟଟିଏ ପରି ଯେମିତି ତାଙ୍କର ଅବସ୍ଥା । ଏବେ ସାମନାରେ ବସିଥିବା ସାଥୀର ଆଖିରେ ଆଖିଏ ଲୁହ । ଲୁହ ଦେଖି ଅଧୀର ହୋଇଉଠିଲେ ସେ । ନିଜକୁ ଦୋଷ ଦେଲେ । ତା ମୁଣ୍ଡକୁ ନେଇ ନିଜ କାନ୍ଧରେ ଆଉଜିଲେ । ଧୀରେ ଧୀରେ ତା କେଶରାଶିକୁ ସାଉଁଟିବାରେ ଲାଗିଲେ ।
-“ମୋତେ ଆପଣଙ୍କୁ କହିଦେବାର ଥିଲା ଯେ ମୋର ପ୍ଲସ ଟୁ ପଢା ସରୁ ସରୁ ବାହାଘର ଠିକ ହେଇ ଯାଇଛି । ସେ ଏବେ ନୂଆଁ ନୂଆଁ ଚାକିରୀ କରିଛନ୍ତି । କହିଥିଲେ ମୋ ପଢା ସରିଲେ ବାହାଘର ହେବ । କାରଣ ବାହାଘର ପରେ ଆଉ ପଢିବାକୁ ଅନୁମତି ଦେବେନି । ସେଥିପାଇଁ ଦୁଇ ପରିବାର ରାଜି ହୋଇ ମୋତେ ପଢେଇବାକୁ ସହରକୁ ପଠେଇଥିଲେ । ତା ପରେ ଆପଣଙ୍କ ସହ ଦେଖା । ଦେଖାରୁ କଥା । କଥାରୁ ଅନେକ କଥା । ଭାବ ଦିଆନିଆ । ସେ ଭାବରେ ଆପଣାର ଭାବ । ଯେତେବେଳ ମୁଁ ଜାଣିଲି ଆପଣଙ୍କ ପରିବାର ଅଛି ସେତେବେଳେକୁ ଆପଣଙ୍କ ବ୍ୟକ୍ତିତ୍ଵ ମୋତେ କବଳିତ କରିଥିଲା । ଆପଣ ବି ନିଜେ ନିଜକୁ ବାର ତେର ବର୍ଷର ଅବୋଧ ବାଳକ ପରି ମୋ କୋଳରେ ସମର୍ପି ଦେଲେ । ଏ ଯାଏଁ ମୁଁ ଆପଣଙ୍କୁ ସାଇତି ଆସିଛି । ହଠାତ କିନ୍ତୁ ସେ ବାହାହେବାର ଜିଦ ଧରିଛନ୍ତି । ଭାବୁଛି ମୁଁ ଆପଣଙ୍କ ଜୀବନରେ କାହିଁକି ଆସିଲି । କେତେ କଷ୍ଟ ହେଉଥିବ ନା ଆପଣଙ୍କୁ ? “ ପୁଣି କାନ୍ଦିଲା ସାମନାର ସାଥୀ ।
-“ଆନନ୍ଦିତା ! ସେ ପିଲାର ବୟସ କେତେ ?” ଅନିର୍ବାଣ ପଚାରିଲେ ।
-“ଚବିଶି”
-“ତୁମର ବୟସ କେତେ ?
-“ଆପଣ ଭୁଲିଗଲେ ବୋଧେ । ପଛ ଶନିବାରେ ଆପଣ ମୋତେ ମୋ ଜନ୍ମ ଦିନର ଶୁଭେଚ୍ଛା ଦେଇଥିଲେ ଫୋନରେ । ବର୍ତ୍ତମାନ ଅଠର ସରି ଉଣେଇଶି ଆରମ୍ଭ ହେଇଛି । “
-“ତାହାହେଲେ ସେ ଟୋକା ଏତେ କାଉଳା ବାଉଳା ହେଉଛି କାହିଁକି ? ଆଉ ତିନି ବର୍ଷ ଅପେକ୍ଷା କରିଦେଲେ ତା ବୟସ ସରି ଯାଉଛି କି ?” ଚିତ୍କାର କଲେ ଅନିର୍ବାଣ ।
ତାଟକା ହୋଇ ଅନେଇ ରହିଲା ଆନିନ୍ଦିତା । କଲେଜର ଦ୍ଵିତୀୟ ବର୍ଷ ଇତିହାସ ବିଭାଗର ଛାତ୍ରୀ ।
ଏ କ’ଣ କରୁଛନ୍ତି ଅନିର୍ବାଣ ମହାନ୍ତି ! ଚୁପକିନା ବସି ପଡିଲେ ସେ ଅନିନ୍ଦିତା ପାଖରେ । ହଠାତ ତାଙ୍କ ମୁହଁର ରଙ୍ଗ ପୁଣି ଥରେ ବଦଳିଲା । ସେ ହେଇଗଲେ ପୁଣି ଥରେ ବାର ବର୍ଷର ଅବୋଧ ବାଳକ । କଇଁ କଇଁ କାନ୍ଦିଲେ । ଏହା ଆତ୍ମଗ୍ଲାନିର କାନ୍ଦ । ସେ ସିନା ପଇଁତିରିଶ ବୟସର ବୁଝା ମଣିଷ । ଜୀବନକୁ ଜାଣିବାର ହେଲେଣି । ଉଣେଇଶି ବୟସର ଆନିନ୍ଦିତା, ,ତାଙ୍କର ଛାତ୍ରୀ, ଯାହା ସହ ଏ ସମ୍ପର୍କ ଗଢି ଉଠିଛି ସିଏ ସଂସାରକୁ କେତେ ବା ବୁଝିଥିବ ? ଏହା ଏମିତି ଏକ ସମ୍ପର୍କ ଯାହା ନାମହୀନ, ସଜ୍ଞାହୀନ ଓ ଲକ୍ଷ୍ୟହୀନ ।
ଅନିର୍ବାଣ ମହାନ୍ତିଙ୍କ ପୁନଃବିନ୍ୟାସ ହେଲା । ବୋଧେ ସେ ହିଁ ସଜାଗ ନଥିଲେ । ବୟସର ତାରତମ୍ୟ ଆଉ ଅନୁଭବର ମାନସାଙ୍କ ଠିକରେ ତାଙ୍କୁ କଳନା କରିବାର ଥିଲା । ଗୁରୁଛାତ୍ରୀର ସମ୍ପର୍କରେ ପୁରୁଷ ସ୍ତ୍ରୀର ସମ୍ପର୍କ ସମାନ୍ତର ହେବାଟା କେତେ ଯେ କଠିନ ତାହା ତାଙ୍କୁ ଭାବିବାର ଥିଲା । ଦେହ ଓ ମନର ଲଗାମହୀନ ଭାବନା ଯଦିବା ବୟସକୁ ଦେଖେ ନାହିଂ, ଅନିର୍ବାଣଙ୍କୁ ବୁଝିବାର ଥିଲା ଆନନ୍ଦିତା ଓ ତାଙ୍କ ଭିତରର ଭୂଗୋଳ । ଆନନ୍ଦିତା ତାଙ୍କ ପାଇଁ ଏକ ନିଷିଦ୍ଧାଞ୍ଚଳ । ଆନନ୍ଦିତା ପାଇଁ ସେ ଏକ ନିଷିଦ୍ଧାଞ୍ଚଳ । ଦୁହେଁ ଦୁହିଙ୍କ ଅଞ୍ଚଳରେ ପ୍ରବେଶ କରିବାର ହିଁ ନଥିଲା । ଯଦିବା ଭୁଲରେ ପଶି ବାଡଭାଙ୍ଗି ପଶି ଯାଇଛନ୍ତି ତେବେ ଭଦ୍ରତାର ସହ ପରସ୍ପରକୁ କ୍ଷମା ମାଗି ନିଜ ନିଜ ଇଲାକାକୁ ଫେରିଯିବା ହିଁ ଏକ ମାତ୍ର ବିକଳ୍ପ । ଯଦି ଏହା ନ ହୁଏ ତେବେ ସେମାନଙ୍କ ପାଇଁ ନିଶ୍ଚିତ ହେବ ଦଣ୍ଡ । ଆଦ୍ୟ ଯୌବନରେ ଆନିନ୍ଦିତା ତାଙ୍କ ଭିତରେ ଖୋଜି ବୁଲିବ ସବୁବଳେ ପ୍ରେମ ଭିକ୍ଷା କରୁଥିବା ପ୍ରେମିକ ଆଉ ଆଦ୍ୟ ପୌଢରେ ଅନିର୍ବାଣ ଆନିନ୍ଦିତା ଭିତରେ ଖୋଜି ବୁଲିବ ସବୁବେଳେ ସେବାଦାନ କରୁଥିବା ପତ୍ନୀ ।
-“ଆନନ୍ଦିତା ! ତୁମେ କ’ଣ ଚାହଁ ,ଶେଷ କଥା କୁହ ?
-“ ମୁଁ ଚାହେଁ ଆପଣଙ୍କ ସାନିଧ୍ୟ”
ଦୁହେଁ ଉଠିଲେ ପାର୍କ ଛାଡିବାକୁ ।
-“ଆପଣ କ’ଣ ଚାହାନ୍ତି ମୋଠୁଁ ?” ପଚାରିଲା ଆନିନ୍ଦିତା ।
-“ମୁଁ ଚାହେଁ ମୋ ପ୍ରତି ତୁମର ଦୁର୍ବଳତା ।“
ଦୁହେଁ ଦୁହିଙ୍କୁ ଚାହିଁଲେ । ହାତରେ ହାତ ଛନ୍ଦିଲେ । ଆନନ୍ଦିତାର ବାହାଘର ପୂର୍ବର ମୂହୁର୍ତ୍ତ ଗୁଡିକୁ ଭରପୁର ବଞ୍ଚିବାକୁ ହେବ । ଦୁହିଙ୍କ ମନରେ ପରସ୍ପର ପ୍ରତି ତ୍ୟାଗ , ପ୍ରେମ , ଅପେକ୍ଷା ,ସାନିଧ୍ୟ ଆଉ ଦୁର୍ବଳତାର ସମସ୍ତ ଆବେଗ ଯେମିତି ବସା ବାନ୍ଧୁଥିଲା । ଅଳ୍ପ ଦିନ ପାଇଁ ହେଉ ପଛେ ସେମାନେ ସାଇତି ରଖିବେ ଲୁଚାରେ ଚୋରାରେ ପରସ୍ପର ପ୍ରତି ଉଚ୍ଚାଟ ମାରୁଥିବା ଆବିଳତା । କିନ୍ତୁ ପ୍ରବେଶ କରିବେନି ପାଇବା ହରେଇବା ଆଉ ଅଧିକାର ସାବ୍ୟସ୍ତ କରିବାର ନିଜ ନିଜର ଇଲାକାରେ । ନିଜ ନିଜ ପାଇଁ ଗଢିଥିବା ନିଷିଦ୍ଧାଞ୍ଚଳରେ ।
ଅନିର୍ବାଣ ମହାନ୍ତି ପୁଣିଥରେ ନିଜକୁ ପ୍ରସ୍ତୁତ କଲେ ଆଉ ଏକ ପରିବର୍ତ୍ତନ ପାଇଁ । ଆକାଶ ଏବେ ମେଘମୁକ୍ତ ।
——————————————————————————
ସମ୍ପାଦକ ଗଞ୍ଜାମର କବିତାଘର
ବାରିବନ୍ଧ , ଆଙ୍କୁଲି , ବ୍ରହ୍ମପୁର -୭୬୦୦୧୦
ଗଞ୍ଜାମ ଜିଲ୍ଲା ମୋ – ୮୭୬୩୨୦୨୬୨୨