ଗଳ୍ପ- ଶୁଖିଲା ନଈ
ଗାଳ୍ପିକ –ଭାଗିରଥୀ ବେହେରା
ଖବର ଆସିଲାଣି ଯେ, ସଞ୍ଜୟ ଆଜି ଆସିବେ । ଆଜି ମାନେ, ଏବେ ରାତିରେ ଆଉ ସମ୍ଭବ ନୁହଁ । ଏ ନଈନାଳ ପାହାଡିଆ ଅଞ୍ଚଳକୁ ଆସିବା ପାଇଁ ସକାଳ ପାଞ୍ଚଟା ହେଇଯିବ ।
ଅଞ୍ଚଳ ଅର୍ଥାତ ତିନି ପଟେ ବଣପାହାଡ ଓ ଗୋଟିଏ ପଟେ ନଦୀ ସହ ନଈନାଳ । ତାହା ସହ ବିସ୍ତୃତ ସବୁଜ ଭୂମୀର ଉପତ୍ୟକା । ପାହାଡ ପାଦଦେଶରୁ ଉପତ୍ୟକା ଯାଏଁ ଅନେକ ନଈ ବହିଯାଉଛି ସମୁଦ୍ର ଦିଗରେ । ସେ ଭିତରୁ ସବୁଠୁ ବଡ ଗାଁରେ ରହୁଛି ସୁଷମା ଓ ତାଙ୍କ ଶ୍ଵଶୁର ସାମନ୍ତ ସାଏବଙ୍କ ଜମିଦାରୀ କୋଠି ନଈମାନଙ୍କ ମଝିରେ ଗୋଟିଏ ଗୋଟିଏ ଗାଁ । ଏ ବର୍ଷ ଠିକଠାକ ବର୍ଷା ହେଲେ ବି ସୁଷମା ଗାଁର ନଈ ଶୁଖିଯାଉଛି । ଏହା ଅନ୍ୟ ଏକ ଚିନ୍ତା ସୁଷମାର , ସ୍ଵାମୀ ସଞ୍ଜୟଙ୍କୁ ଛାଡି ।
ସ୍ତ୍ରୀ ପାଇଁ ସ୍ବାମୀଟିଏ ଅନେକ ଦିନ ପରେ ଘରକୁ ଫେରିବା ଏଠି ଯେତେ ମହତ୍ତ୍ଵପୂର୍ଣ୍ଣ ନୁହେଁ , ସେତେ ସଞ୍ଜୟ ପରି ଜଣେ ରାଜ୍ୟ ସଚିବସ୍ତରର ଅଫିସର ଏ ଗାଁ ମାଟିର ସନ୍ତାନ, ତାହା ବେଶ ଗୁରୁତ୍ୱପୂର୍ଣ୍ଣ । ସେ ତ ଯେମିତି ଏ ଅଞ୍ଚଳବାସୀଙ୍କ ପାଇଁ ଭାଗ୍ୟ ବିଧାତା କହିଲେ ଚଳେ ।
ଦିନେ ଏ ଅଞ୍ଚଳର ଜିଲ୍ଲା କଲେକ୍ଟର ହୋଇ କାମ କରିଥିବା ସଞ୍ଜୟ ସାମନ୍ତରାୟ ଆଜି ରାଜ୍ୟର ଜଳ ସମ୍ପଦ ବିଭାଗର ସଚିବ । ବଣପାହାଡ ଘେରା ଏ ଅଞ୍ଚଳର ଅନେକ ଉନ୍ନତି ମୂଳକ କାମ ସେ କରିଛନ୍ତି ଏବଂ ରାଜ୍ୟ ରାଜଧାନୀରେ ଅନେକ ଗାଁ ଲୋକଙ୍କୁ ଥଇଥାନ କରିଛନ୍ତି ବୋଲି ଖାତିର ଅଛି ।
ସେତେବେଳକୁ ଷୋହଳ ବୟସ ହୋଇଥିଲା, ସୁଷମା ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲା । ପରୀକ୍ଷାର ବର୍ଷେ ହେଇନି, ବାପାମାଙ୍କ ଅକାଳ ବିୟୋଗ ହେବାରୁ ଭାରତ ପ୍ରଶାସନିକ ସେବା ପରୀକ୍ଷା ପ୍ରସ୍ତୁତି ହେଉଥିବା ସଞ୍ଜୟଙ୍କ ହାତରେ ଛନ୍ଦିଦେଲେ ସାମନ୍ତ ସାଏବ , ଅର୍ଥାତ ସଞ୍ଜୟଙ୍କ ବାପା । ସୁଷମାର ବାପା ସାମନ୍ତ ସାଏବଙ୍କ ଜମିଦାରୀ ଦେଖାରେଖା କରୁଥିଲେ ।
-“ଦେଈ ! ଷ୍ଟେସନକୁ ଯିବିକି ସାଏବଙ୍କୁ ଆଣିବାକୁ ?”
ଧ୍ୟାନ ଭାଙ୍ଗିଲା ସୁଷମାର । ଅନେକ ଭାବନା ଧସେଇ ଆସୁଥିଲା । କିନ୍ତୁ ଗଣିଆର ଏ ସ୍ଵର ଅଟକେଇ ଦେଲା ।
-“ଗଣିଆ ଭାଇ ! ମୁଁ ତମକୁ କେତେ ଥର କହିଛି ମୋତେ ଦେଈ ଡାକିବନି । ତମେ ବଡ ଓ ପୁରୁଣା ଲୋକ । “
କଳା ମଚମଚ ମୁଗୁନି ପଥର ପରି ବିଶାଳ ଓ ଚିକ୍କଣ ଦେହଧାରୀ ଲମ୍ବା ଲୋକଟା ଗଣିଆ, ନିଜ କାନ ମୁଣ୍ଡକୁ ଆଉଁସୁଥିଲା । ତା’ର କହିବାର ଅର୍ଥ ଥିଲା ଯାହା ଆଗରୁ ଅଭ୍ଯାସ । ଗାଁ ସାରା ଡାକୁଛନ୍ତି । ତେଣୁ ସେ ବି ଡାକୁଛି ।
ଗଣିଆ ନଈଘାଟ କଥା ବୁଝୁଛି । ଘାଟର ଦାୟିତ୍ଵ ନିଜେ ସାମନ୍ତ ସାଏବ ଗଣିଆର ବାପାକୁ ଦେଇଥିଲେ । ସଞ୍ଜୟ ବି ସେଇଆ କଲେ । କେବଳ ଘାଟ ଓ ମାଛ କଥା ନୁହଁ , ସଞ୍ଜୟଙ୍କ ଗାଁରେ ରହିବାଠୁ ଆରମ୍ଭ କରି ତାଙ୍କରି ଅନୁପସ୍ଥିତିରେ ସୁଷମା ଓ କୋଠିର ସୁରକ୍ଷା ଦାୟିତ୍ଵ ତା’ର । ଗଣିଆ ଅପାଠୁଆ କିନ୍ତୁ ବଳୁଆ । ବାହୁର ବଳରେ ସେ ଡଙ୍ଗା ସବୁ ଶୁଖିଲା ବାଲିରୁ ପାଣି ଧାର ଯାଏଁ ଠେଲି ଦେଇପାରେ । ମାଇଲ ମାଇଲ ନଈ ସୁଅକୁ ବିରୋଧ କରି ଡଙ୍ଗା ବାଇପାରେ । ସିଏ ଠିଆ ମାନେ, ସବୁ କଳି ଝଗଡା ଗୋଟିଏ ପଟେ । ଯାହା ବୁଝିଥିବ , ବୁଝିଥିବ । ବଣ ପାହାଡ ଲୋକ ଭଳି ସରଳ କିନ୍ତୁ ଜିଦିଆ । ବେଳେ ବେଳେ ସୁଷମା ବି ଡରିଯାଏ , କିନ୍ତୁ ଗଣିଆର ଅଭେଦ୍ଯ ସୁରକ୍ଷା ବଳୟ ଭିତରେ ସୁରକ୍ଷିତ ଅନୁଭବ କରେ । କେତେ ବର୍ଷର ବା ଫରକ । ବୋଧେ ଦଶ ବରଷ । ଏବେ ସୁଷମା ପଇଁତିରିଶିର ହେଇଥିବ ।
-“ଦେଈ ! କିଛି କହିଲନି ଯେ ? “
ପୁଣିଥରେ ଭାବନା ଭାଙ୍ଗିଲା ସୁଷମାର ।
-“ତମ ଇଚ୍ଛା । “
ଯାଉଥିଲା ଗଣିଆ । ପୁଣି ଫେରିଲା ।
-“ଗୋଟିଏ କଥା କହିବି , ରାଗିବନି ତ ?”
ଏମିତି ଆପଣାର କଥା ପ୍ରଥମ ଥର ପାଇଁ ସୁଷମା ଶୁଣୁଥିଲା ଗଣିଆଠୁ ।
-“କୁହ ! କୁହ ! ତମେ କହିବ ମାନେ କିଛି ଗୋଟେ ହେଇଥିବ । “ ଟିକେ ଚିଡେଇବା ପରି କହିଲା ସୁଷମା ।
-“ ଏଥର ଗାଁ ଉପରେ ମାଡି ଆସିବ ବିପଦ । ପାଣି ଧାରେ ମିଳିବନି ଜମିଜମାକୁ । ଦେଖୁନ ! ବରଷା ମାସରେ ବରଷା ହେଇ ବି ନାଳ ଶୁଖିଯାଉଛି । ଡଙ୍ଗାକୁ ପେଲିବାକୁ ପଡୁଛି । ନଈରେ ପାଣି ଥିଲେ ତ ଚାଷବାସ ହେବ । ନ ହେଲେ ମାଛ ଟିକେ କି ହେବ । “
-“ଏ କ’ଣ କହୁଛ ଗଣିଆ ଭାଇ । ନଦୀ ଉପର ମୁଣ୍ଡ ଡ୍ୟାମରେ ପାଣି ଠୁଳ ହେଲା ମାନେ ତ ଆମ ଗାଁ ନଈରେ ବନ୍ୟା । ଏଥର ତ ଠିକ ବର୍ଷା ହେଉଛି ।“
ବିଜୁଳି ଆଲୁଅରେ ଗଣିଆର ମୁଣ୍ଡ ତଳକୁ ନଇଁଥିଲେ ବି ଚିକଚିକ କରୁଥିଲା । ତା ବିଷର୍ଣ୍ଣ ମନ ଅନ୍ୟ ଆଡେ କିଛି ଇଙ୍ଗିତ କରୁଥିଲା ।
-“ କହୁନ ? ଆଉ କ’ଣ କଥା କି ?”
-“ ଗତ କାଲି ସାଏବ ଗାଁକୁ ଆସିବାର ଖବର ଶୁଣି ଗାଁ ଲୋକ ଏକାଠି ତମ ପାଖକୁ ଆସୁଥିଲେ । କ’ଣ ହେଲା କେଜାଣି କିନ୍ତୁ କିଛି ନ କହି ଫେରିଗଲେ । ଯାହା କାନକୁ ଆସୁଛି ଆର ଗାଁର ଭୀମସେନ ପଢିଆରୀ ଏଥର ପାଣି ନେଇଯାଇଛି ତା ଫଳବଗିଚା ଆଡେ । ହଜାର ହଜାର ଏକର ଜମି ଯୋ ପାଣି ମଡେଇବାର ଅଛି । “ ନାକ ଟେକୁଥିଲା ଗଣିଆ ।
-“ କି ଫାଲତୁ କଥା । ପାଣି କ’ଣ ନିଜେ ବାଟ ଭାଙ୍ଗି ଚାଲିଯାଉଛି ତା ଆଡେ , ନା ନଦୀ ଭୀମସେନ ବୋପାର ସମ୍ପତ୍ତି । ସରକାର ଓ ଗାଁର ସବୁ ମୁଖିଆ ଚାହିଁଲେ ହିଁ ଜଳ ବଣ୍ଟାହେବ । ଏଥିପାଇଁ ବନ ବିଭାଗ ଓ ଜଳ ବିଭାଗ ଅଛି । ସଞ୍ଜୟ ଆସନ୍ତୁ । ମୁଁ ଏହା କରେଇ ଦେବିନି । “ ନିଜର ଯୁକ୍ତି ଦେଲା ସୁଷମା ।
-“ବୁଝିଲି ଯେ ଦେଇ ! ଏଥର ପରା ସାଏବ ନିଜେ ଏ କାମ କରିଛନ୍ତି । କୁଆଡେ ସରକାର ଦିନେ ଦୁଇଦିନ ଭିତରେ ଘୋଷଣା କରିବେ । ସେଥିପାଇଁ ପରା ସାଏବ ଓ ଅନ୍ୟ ଲୋକ ସରକାର ତରଫରୁ ଆସୁଛନ୍ତି । ବଡ ପାକେଟ ଖାଦ୍ୟ କାରଖାନା ଯୋ ବସିବ । ଗାଁ ଲୋକ ଭାବୁଛନ୍ତି ଆପଣ ଚାହିଁଲେ ଅଟକେଇ ପାରିବେ । ଯେତେହେଲେ ଏ ଗାଁର ସେ ପୁଅ । “ ଗର୍ବରେ କହିଲା ଗଣିଆ ଶେଷ ପଦ ଟିକିଏ ମଡେଇ ।
ସୁଷମାର ମୁଣ୍ଡ ଏଥର ବଥେଇବାରେ ଲାଗିଲା । ପାଞ୍ଚ ଛଅ ମାସ ଧରି ଏକା ଏକା ଏତେ ବଡ କୋଠିରେ ସଞ୍ଜୟକୁ ଅପେକ୍ଷା କରି ଯେଉଁ ଅଭ୍ଯାସଗତ ପୁରୁଣା ମୁଣ୍ଡବିନ୍ଧା ରୋଗ ବାହାରେ, ତାହା ପୁଣି ବାହାରି ପଡିଲା ।
ନିଜକୁ ସମ୍ଭାଳି ବସିପଡିଲା ସୁଷମା କୋଠିର ଗାଲିଚାର ଚୌକିରେ । କିଛି କ୍ଷଣରେ ଗଣିଆ ମଲମ ଡିବା ନେଇ ବଢେଇ ଦେଲା ତାକୁ । ଗଣିଆ ଭାଇର ଏଇ ବ୍ୟବହାର ସୁଷମାକୁ ବେଳେ ବେଳେ ଅଭିଭୂତ କରିଦିଏ । କେଜାଣି କେମିତି ସେ ବୁଝିଯାଏ କାହାକୁ କ’ଣ ଦରକାର ବିନା ଭାଷାରେ ।
ଏମିତି ଘଣ୍ଟାଏ ବିତିଗଲା । ପୁଣିଥରେ ଗଣିଆ ପଚାରିଲା ଯିବକି ଷ୍ଟେସନକୁ ସାଏବଙ୍କୁ ଆଣିବା ପାଇଁ ।
-“ ମୋତେ ଟିକେ ଘାଇ ଆଡେ ନେଇଚାଲ ଗଣିଆ ଭାଇ। “
-“ ଏତେ ରାତିରେ ଦେଈ ?”
-“ ମୋତେ ଟିକେ ଖୋଲା ପବନ ଓ ଏକାନ୍ତ ଆବଶ୍ୟକ ଏ କୋଠିରୁ ଦୂରେ । ଜହ୍ନ ରାତି । ଏମିତି ତ ଅନେକ ଥର ଯାଇଛି । ଜାଣିନ କି ? “
-“ ଆଉ ସାଏବ ? “
-“ ତାଙ୍କ କଥା ଛାଡ ! ସେ ଆସିଯିବେ । “
x x x x
ଜିପ ନଈବନ୍ଧ ଘାଇ ଆଡକୁ ଚାଲୁଥାଇ । ତା ସହ ସୁଷମାର ଭାବନା ବି । ଜୀବନ ବି ।
ଲାଗୁଛି ଖଣ୍ଡବିଖଣ୍ଡ ତା ଜୀବନ । ତା ଠୁ ଅଧିକ କ୍ଷତବିକ୍ଷତ ସଞ୍ଜୟଙ୍କ ସହ ସାଂସାରିକ ଜୀବନ । ଏମିତି କିଛି ଅସୁବିଧା ନଥିଲା । ତଥାପି ଥିଲା ସରୁନଥିବା ନିସ୍ଵ ସମୟ । କେବଳ ନିସଙ୍ଗତା ଓ ବିମୁଖତା ।
ଜୀବନ କଣ ଜାଣିନଥିଲା ସେ , ବାହାହେଇ ଆସିଲା । ବୋହୁ ହେଇ ଆବଦ୍ଧ ହେଇଗଲା ସଭିଙ୍କ ସେବାରେ । ସଞ୍ଜୟ ରହିଥିଲେ ରାଜଧାନୀରେ । ପଢାପଢି ଚାଲୁଥିଲା , ମଝିରେ ମଝିରେ ଘରକୁ ଆସୁଥିଲେ । ଅପେକ୍ଷାରତ ନବ ବିବାହିତା ସ୍ତ୍ରୀ ସୁଷମାର ଅପେକ୍ଷା ସରୁନଥିଲା । ଘରବାଡି , ଗାଁ କାମ , ରାଜନୀତି , କମିଟି ସବୁଥି ପାଇଁ ତାଙ୍କ ପାଖରେ ଥିଲା ସମୟ , କିନ୍ତୁ ନଥିଲା ସ୍ତ୍ରୀ ପାଇଁ ଅନ୍ତରଙ୍ଗ ବେଳ । ସୁଖର ପଦିଏ ତ ଦୂରର କଥା ।
ଭାରତ ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହେଲେ ସଞ୍ଜୟ । ପ୍ରଥମ ପୋଷ୍ଟିଂ ନିଜ ଜିଲ୍ଲାରେ । ପୁଣି ସେହି ଜୀବନର ପୁନରାବୃତ୍ତି । ସକାଳ ଛଅରୁ ରାତି ବାର । ପୁଣି ବଦଳି । ରାଜ୍ୟରୁ ରାଜ୍ୟ । ଜାଗା ବଦଳିଲା ସିନା , ସଞ୍ଜୟ ବଦଳିଲେନି । ପ୍ଲାନିଂ , ଟାସ୍କ , ସଚିବାଳୟ ଓ ମିଟିଂରେ ଜୀବନ ଗଲା ।
ବୁଲି ବୁଲି ବିରକ୍ତ ହେଲା ସୁଷମା । ଶେଷରେ ମୁହଁ ଭାଙ୍ଗି କହିଲା ମୋତେ ଗାଁରେ ଛାଡି ଦିଅ ।
ଗାଁରେ ରହିବା ଦିନଠୁ ସୁଷମା ନିଜକୁ ନିୟୋଜିତ କଲା ଗାଁର ସ୍ତ୍ରୀ ମାନଙ୍କ ସ୍ଵାବଲମ୍ବୀ ହେବା କ୍ଷେତ୍ରରେ । ତା ସହ କୃଷି କ୍ଷେତ୍ରରେ । କେନାଲ , ଜଳସେଚନ , ଖନନ , ଫଳ ଚାଷ ଉପରେ କାମ କଲା ସେ । ଏବେ ସେ ତା ଅଞ୍ଚଳର ଦେଈ । ସ୍ଵାମୀ ସଚିବ ବୋଲି ବିଭିନ୍ନ ବିଭାଗରେ ଖାତିର ମିଳୁଥିଲା ଓ କାମ ସହଜରେ ହେଉଥିଲା ।
କିନ୍ତୁ ଏ ସବୁରେ ତା ସଂସାର କାହିଁ ? ପ୍ରଥମେ ପ୍ରଥମେ ସହବାସ ଭଲ ଲାଗୁଥିଲା । ଧୀରେ ଧୀରେ ପ୍ରତୀକ୍ଷାର ଦୂରତା ବଢିଲା । ସେ ଯନ୍ତ୍ରଣାରୁ ମୁକ୍ତି ପାଇଁ ଅଧିକରୁ ଅଧିକ ସାନ୍ନିଧ୍ୟର ଆବଶ୍ୟକତା ବି ବଢିଲା ।
କିନ୍ତୁ କାହିଁ ସାନ୍ନିଧ୍ୟ ? କାହିଁ ଏତେ ବଡ ଗାଁରେ , ଏତେ ବଡ କୋଠିରେ ଆପଣା ଜନର ସାନିଧ୍ୟ ? ଇଛା ଥାଉ କି ନଥାଉ , ସମୟ ହେଉ କି ନ ହେଉ , ସଞ୍ଜୟର ଉତ୍ତପ୍ତ ଶରୀରକୁ ଥଣ୍ଡା କରିବା କ’ଣ ସାନ୍ନିଧ୍ୟ ? କିଛି ଦୁଃଖ ସୁଖ ହେବା , ମୋହର ମୁହୂର୍ତ୍ତ ବିତେଇବା , କୋଳାଗ୍ରତ , ଆଲିଙ୍ଗନ , ଭାବ ବିନିମୟ କାହିଁ ସେ ସାନ୍ନିଧ୍ୟରେ ? ପୁଣି ଜୀବନରେ !
x x x x
ଜିପ ଲାଗି ସାରିଥିଲା ଡଙ୍ଗା କୂଳରେ । ଜହ୍ନ ରାତିରେ ବି ନଈର ଛାତି ଲାଗୁଥିଲା କଳା ଚିକିଟା ମାଟି ଠିକ ଗଣିଆ ଭାଇର ଦେହପରି । ଅନେକ ଥର ସେ ଆସିଛି ଏ ନଈଘାଇକୁ । ଦିନବେଳେ ସୂର୍ଯ୍ୟ କିରଣରେ ଯେତିକି ଚକମକ କରୁଥାଏ , ରାତିର ଜହ୍ନରେ ସେତେ ପ୍ରଗଳଭା କରୁଥାଇ ଦେଖଣାହାରୀଙ୍କୁ ।
ଗଣିଆ ଠିକ କହୁଥିଲା । ନଈ ଶୁଖିଗଲାଣି । ଗୁଳ୍ମଗଛ ଗୁଡିକର ଛାଇ ଆହୁରି ଅନ୍ଧାର କରୁଥାଇ । ତଳକୁ ତଳକୁ ନଈପଠା ଆଡେ ଖସିଲେ ସୁଷମା । କେଜାଣି କ’ଣ ଚାଲିଛି ମୁଣ୍ଡରେ ତାଙ୍କର ।
ପଛେ ପଛେ ଗଣିଆ । ଖସିପଡିବେ ଦେଈ । ବେଳେ ବେଳେ ଗଣିଆର ଶକ୍ତ ବାହୁକୁ ଧରି ନିଜକୁ ସମ୍ଭାଳୁ ଥାଏ ସୁଷମା ।
ଶୁଖିଲା ବାଲି ଉପରେ ଥୁଆ ହୋଇଥିବା ଛୋଟ ଡଙ୍ଗାର ମଙ୍ଗ ଉପରେ ବସିଲା ସେ । ସେପଟ ମଙ୍ଗରେ ବସିଲା ଗଣିଆ । ତା ଛାତିରେ କିନ୍ତୁ ଡର । ରାତି ସମୟ । ଯେତିକି ଡାଆଣୀ , ଭୁତ , ପ୍ରେତ , ହିଂସ୍ର ପଶୁ ସବୁଙ୍କ ବୁଲିବାର ସମୟ । ନିଜ ଗାଁ ହେଲେ କ’ଣ ହେଲା । ରାତିକୁ ବିଶ୍ବାସ କ’ ଣ !
ସୁଷମା ସବୁ ଭୁଲିଯାଇଛି ଜୀବନରେ । ବାଲ୍ୟକାଳ , କଲେଜ ସାଙ୍ଗ , ପରିବାର ସବୁ । କୋଳରେ ଛୁଆଟିଏ ବି ବିଧାତା ଦେଇନି । ଏକାକୀପଣର ଇଏ ଏକ ଆହୁରି ବଡ କାରଣ । ଦାରୁଣ ଦୁଃଖ ! ନାରୀତ୍ଵ ଉପରେ ପ୍ରଶ୍ନବାଚୀ ! ବଞ୍ଚିବାର କଣ ହେଲେ ତ ଉଦ୍ଦେଶ୍ୟ ଥିବାର ଅଛି ? କାହା ପାଇଁ ବଞ୍ଚିବେ ?
ପ୍ରତ୍ଯେକ ଥର ଯେବେ ବି ସଞ୍ଜୟ ଆସନ୍ତି ଘରକୁ ଛୁଟି ନେଇ, ତାଙ୍କ ନିଃସଙ୍ଗ ଜୀବନରେ ସାଥୀଟିଏ ପାଇଁ ସନ୍ତାନର ଅବଶ୍ୟକତା ରହିଛି ବୋଲି ସୁଷମା କହେ । କିନ୍ତୁ ସଞ୍ଜୟ ଟିକେ ବି ଆଗ୍ରହ ଦେଖାନ୍ତି ନାହିଂ ।
ଏମିତି ଅନେକ ପର୍ବପର୍ବାଣୀ , ସାମାଜିକ କାର୍ଯ୍ୟକ୍ରମରେ , ସୁଖର ମୁହୂର୍ତ୍ତ ପାଇଁ କେବଳ ଅପେକ୍ଷା କରିଛି ସୁଷମା ସିନା , ନିଃସଙ୍ଗ ପକ୍ଷହୀନ ପକ୍ଷୀ ପରି ଛଟପଟ ହେବା ଛଡା ଆଉ ରାସ୍ତା ନ ଥିଲା ।
ଅନେକ ଥର ନିଜ ଭିତରେ ଶକ୍ତି ସଂଚାର କରି ସେ ଯାଇଛନ୍ତି ନିଜକୁ ବଦଳେଇ ସଞ୍ଜୟ ପାଖରେ ରହିବାକୁ ଓ ସ୍ତ୍ରୀ ହିସାବରେ ସ୍ବାମୀକୁ ସୁଖ ଦେବାକୁ । କିନ୍ତୁ ସବୁଥର ସହରୀ ଜୀବନରେ , ବିରାଟ କଂକ୍ରିଟ ପାଚେରୀ ଭିତରେ ଅଣନିଶ୍ଵାସୀ ହୋଇ ଛାଟିପିଟି ଫେରି ଆସିଛନ୍ତି ଗାଁକୁ , ଏଇ ନଈ ପାଖକୁ ।
ଟିକିଏ ସୁଖ ଓ ଶାନ୍ତି ସାଉଁଟିବା ପାଇଁ ଧାଇଁ ଆସିଛନ୍ତି ସିନା ଏ ନଈ ପାଖକୁ , କାହିଁ ଶାନ୍ତି ? ଜଣେ ସ୍ଵାମୀ ହିସାବରେ , ପାରିବାରିକ ଲୋକ ହିସାବରେ ତ ସଞ୍ଜୟ ସଂପୂର୍ଣ୍ଣ ଅସଫଳ । ଏବେ ଗଣିଆ କଥା ଯଦି ସତ ହୁଏ , ତେବେ କ’ଣ ଏ ଗାଁର ଭଲ ସନ୍ତାନଟିଏ ହୋଇପାରିଲେନି ସଞ୍ଜୟ । ଏମିତି କ’ଣ ପାଇଗଲେ ସଞ୍ଜୟ , କଣ ଘଟିଗଲା ଘଟଣା ଯେ , ତାଙ୍କୁ ଦେଖାଗଲାନି ତାଙ୍କ ଗାଁ , ଗାଁ ଲୋକ , ପିଲାବେଳର ଧୂଳିଉଡ଼ା ଦାଣ୍ଡ ଓ ସମ୍ପର୍କ । ସ୍ଵାମୀ ହିସାବରେ କେବେ ସ୍ତ୍ରୀର ତଥା ନାରୀର ଜୀବନକୁ ତ ଉର୍ବରତା ପ୍ରଦାନ କରି ପାରିଲେନି ସଞ୍ଜୟ , ଅନ୍ତତଃ ନଈଟାକୁ ତ ଛାଡିଦିଅନ୍ତେ ।
ରାତି ବିତୁଥାଏ । ଅନ୍ଧାର ବଢୁଥାଏ । ସୁଷମା ନିଜ ଜୀବନକୁ ସମ୍ମୁଖର ଶୁଖିଲା ନଈ ପରି ଭାବୁଥାଏ । ନଚେତ ସଞ୍ଜୟଙ୍କ ଆସିବାର ଖବରରେ ତ ତା’ ଦେହରେ ଖେଳିଯିବା କଥା ଶିହରଣ । ଓଦା ହୋଇଯିବା କଥା ମାଟିର ଦେହ । ନିଜକୁ ପ୍ରସ୍ତୁତ କରିନେବା କଥା ମିଳନ ମହାର୍ଘର ଏକାନ୍ତ ବେଳକୁ । ଏ ପ୍ରକାର ବ୍ୟକ୍ତିଠୁ ଆଉ କ’ଣ ବା ଆଶା କରାଯାଇପାରେ ।
x x x x
-“ ଦେଇ ! ଯିବା ? ରାତି ଘନେଇଲାଣି । ଅଧିକ ସମୟ ରହିବା ଠିକ ନୁହଁ । “
ବାସ୍ତବତାକୁ ଫେରିଲା ଗଣିଆର ଡାକରେ । ଅନ୍ଧାର ଭିତରେ ଗଣିଆ ଠିଆ ହୋଇଥିଲା ତା ପାଖରେ ।
-“ ଆଉ ଘଡିଏ ବସିଗଲେ ହବନି ?”
କିଛି ଉତ୍ତର ଦେଲାନି ଗଣିଆ । ସେ ଜାଣିପାରୁଥିଲା ଦେଈ ଥିଲେ ଉଦବିଗ୍ନ ଓ ଦୁଃଖୀ ।
-“ଦେଈ ! ତମ ଦୁଃଖ ମୁଁ ବୁଝିପାରୁଛି । ତମ ମନରେ କଣ ଚାଲୁଅଛି ମୁଁ ଜାଣିପାରୁଛି । ଗୋଟିଏ କଥା କହିବି ବୋଲି ଆସିଲାଠୁ ଭାବୁଛି । ନିଜକୁ ସମ୍ଭାଳି ନେବ ତ ? ସାହସ ଦେଲେ କହିବି । “
ସେ ଅନ୍ଧାର ଭିତରେ ଗଣିଆର ମୁହଁଟାକୁ ଭଲରେ ଦେଖିବାକୁ ଚେଷ୍ଟା କଲା ସୁଷମା । ଏମିତି ପଦେ କଥା କେବେ ସଞ୍ଜୟ କହନ୍ତେ କି । କହିବା ପୂର୍ବରୁ କିଏ ବୁଝିଗଲେ କେତେ ଭଲହୁଅନ୍ତା , ସଂସାର କେତେ ସରଳ ହୋଇଯାଆନ୍ତା ।
-“ ମୋତେ କଣ ଏତେ ଦୁର୍ବଳ ଭାବିଛ ଏତେ ବର୍ଷ ଭିତରେ ?”
-“ ବୁଝିଲ ଦେଇ ! ଏ ସବୁ ଭୀମସେନର ସାନ ଝିଅ ରମ୍ଭାର କାରସାଦି । ବାପାଙ୍କୁ ବିଧାୟକ କରିବା ପାଇଁ ଡେରା ପକେଇଛି ରାଜଧାନୀରେ ଦଳୀୟ ଟିକେଟ ପାଇଁ । “
-“ ତ ଏଥିରେ ନଈପାଣି ସହ କ’ଣ ସମ୍ପର୍କ ? “ ବିରକ୍ତ ହୋଇ ପଚାରିଲା ସୁଷମା ।
-“ ତମେ କେବେ ଚାଲାକ ହେବ ଦେଈ । ସେଥିପାଇଁ ସାଏବ ସହରରେ , ତମେ ଗାଁରେ । “
-“ ଯାହା କହୁଛ ସିଧା ସିଧା କହୁନ ?”
-“ କହିବି କ’ଣ ? ଏ ସବୁ କାମରେ ସାଏବ ହିଁ ରମ୍ଭାକୁ ଧରି ଏ ଅଫିସ , ସେ ମନ୍ତ୍ରୀ ହେଉଛନ୍ତି । “
ଏ କଥା ସେ ଅନ୍ଧାର ଭିତରେ ବିଜୁଳି ଭଳି ସୁଷମା ଦେହରେ ଖେଳିଗଲା । ଗଣିଆର ଚଉଡା ଛାତି ଉପରେ ସେ ଢଳି ପଡିଲା ଦୁର୍ବଳ ହୋଇ । ସମ୍ଭାଳିନେଲା ନିଜକୁ ତା ଦୁଇ ଶକ୍ତ ବାହୁ ଉପରେ ।
ଏମିତି ଅନେକ ଥର ରମ୍ଭା ବିଷୟରେ ସେ ସଞ୍ଜୟଙ୍କଠୁ ଶୁଣିଛି । ତାଙ୍କ ସହ ଫଟୋରେ ଦେଖିଛନ୍ତି । ସେ ତ କେବଳ ଏଯାଏଁ ଏହା ଅଫିସ କାମ ବୋଲି ଭାବୁଛି । ବାପାଙ୍କ ବନ୍ଧୁ ଭୀମସେନଙ୍କ ରାଜନୀତି ଲାଭ ପାଇଁ ସାହାଯ୍ୟ କରିଛନ୍ତି ସଞ୍ଜୟ । ତେବେ କଣ ସଞ୍ଜୟ ରମ୍ଭା ସହ ସମ୍ପର୍କ ରଖିଛନ୍ତି ? ତେବେ କ’ଣ କେବଳ ରମ୍ଭା ପାଇଁ ସଞ୍ଜୟ ଘରମୁଖା ହୋଇନାହାନ୍ତି ? ତେବେ କଣ ରମ୍ଭା ପାଇଁ ଆଜି ଗାଁ ମୁଖା ହୋଇନାହାନ୍ତି ସଞ୍ଜୟ ? ଶୁଖେଇ ଦେଇଛନ୍ତି କି ଏ ନଈକୁ ଠିକ ତାଙ୍କ ଜୀବନ ପରି ? ଏତେ ଦୁର୍ବଳ ମଣିଷ କେମିତି ତାଙ୍କର ସ୍ଵାମୀ ହୋଇପାରିଲେ, ଯାହାର ସଂସାର ସମ୍ଭାଳୁ ସମ୍ଭାଳୁ ଦୀର୍ଘ ଅଠର କି ଉଣେଇଶି ବର୍ଷ ବିତିଗଲା ଏକାନ୍ତବାସରେ ? କାହିଁକି ଏ ଦୁର୍ଭାଗ୍ୟ ଲେଖାଯାଇଛି ତାଙ୍କ ଜୀବନରେ ?
ଏମିତି ଅନେକ ପ୍ରଶ୍ନ ସୁଷମାର ଦେହରେ ଚିଙ୍ଗାରୀ ଭଳି ନିଆଁ ଲାଗୁଥିଲା । ବିନ୍ଧୁଥିଲା । ନିଜ ଦେହ ତ ଶୁଖି ଶୁଖି ହୋଇଗଲାଣି ନିଦା , ନିଥର, ବଞ୍ଜର ଓ ବନ୍ଧ୍ୟା । କଣ ସେ ଏତେ ଅଯୋଗ୍ୟା ? ନା ନା ! ଆଉ ପଛକୁ ଫେରିବାକୁ ହେବନି । ନଈକୁ ସେ ଶୁଖିବାକୁ ଦେବନି ।
ସୁଷମାଙ୍କ ଜିଦିରେ ଓ ଆଦେଶରେ , ଗଣିଆ ଡଙ୍ଗାଟିକୁ ଠେଲି ଠେଲି ନଈର କ୍ଷୁଦ୍ର ଧାରାକୁ ନେଲା । କୁଆଡେ ଯିବାର ଉତ୍ତର ମିଳିଲା ନାହିଂ ସୁଷମା ପାଖରୁ । ଅନ୍ଧାର ଅପସରି ପାହାନ୍ତିଆ କୁହୁଡି ଜଙ୍ଗଲରୁ ନଈ ଆଡକୁ ମାଡି ଆସୁଥିଲା ।
ଶୁଖିଲା ନଈର ସରୁ ଧାରେ ଧାରେ କେତେ ବାଟ ଯେ ଡଙ୍ଗା ଚଳେଇଲାଣି ନିଜେ ବି ଗଣିଆ ଜାଣିନି । ସେ ଏତିକି ଜାଣିଛି ଦେଈ ଆଉ ଫେରିବାକୁ ଚାହୁଁନାହାନ୍ତି ଘରକୁ ।
-“ ଦେଈ ! ଆମେ ସେହି ଜାଗାକୁ ଆସିଗଲେଣି , ଯେଉଁଠୁ ନଦୀ ପାଣି ନଈରେ ମିଶେ ଓ ଯେଉଁଠୁ ଭୀମସେନ ପଢିଆରୀ ଜମିଆଡେ କେନାଲ ବୁଲେ ।
-“ ହଉ ! ତୁମେ ଯାଅ । ଗାଁରେ ଢିଣ୍ଡୋରା ପିଟିଦେବ ଯେ ଆଜିଠୁ ମୁଁ ଏଇଠି ଆମରଣ ଅନଶନରେ ବସିଲି । ଯେ ପର୍ଯ୍ୟନ୍ତ ସରକାର ଆଦେଶ ପ୍ରତ୍ୟାହାର ହୋଇନାହିଁ , ଆସୁଥିବା ସରକାରୀ ଲୋକ ଖାଲିହାତେ ଫେରିନାହାନ୍ତି ଏଠୁ ଉଠିବି ନାହିଂ ।“
-‘ ଦେଈ ! ଏ କଣ କହୁଛ ? ମୋତେ ତମକୁ ଏଠି ଆଣିବାର ନଥିଲା । “
-“ ହଁ । ଏହା ବି କହିଦେବ, ଯଦି ମୋତେ ଜବରଦସ୍ତ କରାଗଲା, ତେବେ ନଈର ଅଧିକାର ପାଇଁ ଜଳ ସମାଧୀ ନେବି ସିନା, ଶୁଖିବାକୁ ଦେବିନି । “
ସୁଷମା ସେ କୁହୁଡି ଭିତରେ କେନାଲ ଉପରେ ଚଢୁଥାଇ । ଗଣିଆ ପାଖରେ ଡଙ୍ଗା ପଛକୁ କରିବା ଛଡା ଆଉ ଅନ୍ୟ ଉପାୟ ନଥିଲା । ଯେତେ ଶୀଘ୍ର ହେବ ଗାଁରେ ପହଞ୍ଚିବାକୁ ହେବ ଏ ଖବର ଦେବାକୁ । ତେବେ ଯାଇ ଦେଈକୁ ବଞ୍ଚେଇ ହେବ ।
ଶୁଖିଲା ନଈର ଧାରେ ଡଙ୍ଗା ଫେରୁଥିଲା । କେବଳ ଗଣିଆ ଭଳି ମଣିଷ ଜାଣିପାରୁଥିଲା ଶୁଖିଲା ନଈ ଓ ତା ଦେଈର ଯନ୍ତ୍ରଣା ।
x x x x
ସମ୍ପାଦକ –ଗଞ୍ଜାମର କବିତାଘର , ମାଳି ସାହି ବାରିବନ୍ଧ
ଆଙ୍କୁଲି , ବାରିବନ୍ଧ , ବ୍ରହ୍ମପୁର , ଗଞ୍ଜାମ -୭୬୦୦୧୦ ମୋ -୮୨୮୦୨୨୩୬୪୪