ଗଳ୍ପ ଗଞ୍ଜାମ ୨୦୨୦ -ଗଳ୍ପ ଅନ୍ୟ ଦିଗନ୍ତ -ଗାଳ୍ପିକ ସୁଧାଂଶୁ ଶେଖର ସାହୁ

ଅନ୍ୟ ଦିଗନ୍ତ
ସୁଧାଂଶୁ ଶେଖର ସାହୁ

ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସର୍ବ ଭାରୀତୟ ସ୍ତରରେ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିôବା ବିଷୟ ନିଜ ଝିଅ ମୁହଁରୁ ଶୁଣି ସୁନୀତା ଦେବୀଙ୍କ ହୃଦୟ ଆନନ୍ଦରେ ଭିଜିଗଲା । ସଦା ଶାନ୍ତ ଏବଂ ଗମ୍ଭୀର ମୁଖ ମଣ୍ଡଳରେ ସାମାନ୍ୟ ହସର ତରଙ୍ଗ ଖେଳିଗଲା । ଶୁଭ୍ରାକୁ ନିଜ ଆଡ଼କୁ ଟାଣିଆଣି ତା’ର ମୁଖ ଉପରେ ହାତ ବୁଲାଇ ଆଶୀର୍ବାଦ ଦେବା ଭଙ୍ଗୀରେ ସୁନୀତା ଦେବୀ କହିଲେ, – “ଏହିପରି କିଛି ଗୋଟିଏ ସଂଦେଶ ମୋ ପାଇଁ ତୁ ଯେ ନିଶ୍ଚୟ ଆଣିବୁ ଏହା ମୁଁ ଜାଣେ । ତୋ ବାପା ଗଲାବେଳେ ମୋତେ ଖାଲି ତୋ ବିଷୟ ହିଁ କହିଥିଲେ । ଉଜ୍ୱଳ ପ୍ରଦୀପଟିଏ ହୋଇ ତୁ ଦିନେ ଆଲୋକ ବିତରଣ କରିବୁ ବୋଲି ତୋ ବାପା ଭବିଷ୍ୟତ ବାଣୀ ଶୁଣାଇ ତାଙ୍କ ମୃତ୍ୟୁରେ ଦୁଃଖ ଓ ଅବସୋସକୁ ମନରେ ସ୍ଥାନ ନ ଦେବାକୁ କହି ଆଖି ବୁଜିଥିଲେ । ଆଜି ତାଙ୍କ କଥା ସତ ହୋଇଛି । ତେବେ ଏହାକୁ କ୍ଷମତା ଏବଂ ସୁଖ ସମ୍ଭୋଗର ମାର୍ଗ ବୋଲି ମନେ କରିବୁନି ଶୁଭ୍ରା, ଏହା ତୋ ପାଇଁ କର୍ତ୍ତବ୍ୟର ଆହ୍ୱାନ । ଏ ଗୁରୁ ଦାୟିତ୍ୱକୁ ତୁ ଯେ ସୁଚାରୁ ରୂପେ ତୁଲାଇ ପାରିବୁ, ଏ ବିଶ୍ୱାସ ମୋର ଅଛି ।”
ସବୁବେଳେ କମ୍ କଥା କହୁଥିବା ତା’ ମା’ଙ୍କ ମୁଖରୁ ଏକା ଥରକେ ଏତେ କଥା ଶୁଣି ଶୁଭ୍ରା ଚକିତ ହୋଇଗଲା । ଲୁହରେ ଟଳମଳ ହେଉଥିବା ମା’ଙ୍କର ଚକ୍ଷୁ ଯୁଗଳକୁ ଦେଖି ସେ ମଧ୍ୟ କାନ୍ଦ କାନ୍ଦ ହୋଇଗଲା । ଝିଅକୁ ନିଜ କୋଳରୁ ଅଲଗା କରି ସୁନୀତା ଦେବୀ ସ୍ୱାମୀଙ୍କର ଫଟୋ ଆଗରେ ଛିଡ଼ା ହୋଇ କିଛି କହିବାକୁ ଚେଷ୍ଟା କରୁଥିଲେ । ବୋଧହୁଏ ହୃଦୟର କଥା ।
ଛୋଟ ଦିନୁ ଯାହାକୁ କାଖେଇ କୋଳେଇ ଏତେ ବଡ଼ କରିଛି ତା’ର ସାଫଲ୍ୟରେ ଶ୍ରୀଧରର ମନ କୁଣ୍ଢେ ମୋଟ । ଶ୍ରୀଧର ଏ ଘରର ଚାକର । ଅବଶ୍ୟ ଚାକର ଭଳି ବ୍ୟବହାର ସେ ଏ ମା’ଝିଅ ଦୁଇଜଣଙ୍କଠୁ କେବେ ପାଇନି । ସେ ମଧ୍ୟ ଚାକରଠୁ ବଳି ଅଧିକ ସମ୍ମାନ ପାଇବାର ଆଶା କରିନି । ସନାତନ ବାବୁ ଚାଲିଯିବା ପରଠାରୁ ସୁନୀତା ଦେବୀ ସଦା ପୂଜା, ଉପାସନାରେ ବ୍ୟସ୍ତ । ଦେବା ଦେବୀ ପ୍ରତି ଭକ୍ତି ତ ତାଙ୍କର ଆଗରୁ ରହିଛି । ତେଣୁ ଘରର ଅଧିକାଂଶ ଦାୟିତ୍ୱ ଶ୍ରୀଧର ଉପରେ । ଏ ପରିବାରର ଜଣେ ହୋଇ ସେ ମଧ୍ୟ ସବୁ ସୁଖ ଦୁଃଖ ସହ ଜଡ଼ିତ ହୋଇ ଆସିଛି । ଆଉ ଏବେ ବା ସେ କିପରି ଏ ଆନନ୍ଦରୁ ବାଦ୍ ପଡନ୍ତା ।
ଶୁଭ୍ରା ଆଇ.ଏ.ଏସ୍ ପାଇବା ପରେ ଶ୍ରୀଧରର ଦାୟିତ୍ୱ ବଢ଼ିଯାଇଥିଲା । ଗଦା ଗଦା ଅଭିନନ୍ଦନ ପତ୍ର, ଚିଠି, ଟେଲିଗ୍ରାମ୍ ଆଦି ପୋଷ୍ଟମ୍ୟାନ୍ ହାତରୁ ଗ୍ରହଣ କରି ଶୁଭ୍ରାର ଟେବୁଲ ଉପରେ ସୁନ୍ଦର ଭାବେ ସଜାଇ ରଖିଦିଏ । ଆଗନ୍ତୁକ ମାନଙ୍କ ଫୁଲତୋଡା ଗୁଡିକ ଶୁଭ୍ରାର ହାତରୁ ନେଇ କାଚ ଦିଆ ଆଲମାରିରେ ରଖିବାର ଦାୟିତ୍ୱ ସେ ବହନ କରି ନେଇଥିଲା । ଚିହ୍ନା ଅଚିହ୍ନା ବିପୁଳ ଅତିଥିଙ୍କ ଚର୍ଚ୍ଚା ଭିତରେ ସେ ନିଜକୁ ହଜେଇ ଦେଇଥିଲା । ସହଜେ ତ ନିଶ୍ୱାସ ମାରିବାକୁ ସମୟ ନଥିଲା ଏ ସବୁର ମୁଖ୍ୟ ନାୟିକା ଶୁଭ୍ରାର । ସଭା ସମିତିରେ ଫୁଲମାଳ ପଳାଇ, ଗଳା ଝାଡି ଭାଷଣ ଦେଉଥିବା ଯେଉଁ ନେତା ମାନଙ୍କୁ ଶ୍ରୀଧର ଦିନେ ବାହାର ଦେଖିଥିଲା, ସେମାନଙ୍କର ଏ ଘରେ ଉପସ୍ଥିତି ଦେଖି ଯେତିକି ଆଶ୍ଚର୍ଯ୍ୟ ହୁଏ ସେମାନଙ୍କ ସାହାଚର୍ଯ୍ୟ ଲାଭ କରି ସେତିକି ନିଜକୁ କୃତାର୍ଥ ମନେ କରେ ଶ୍ରୀଧର ।
ଦିନେ ଅପରାହ୍ନରେ ଶୁଭ୍ରା କେତେ ଜଣ ଅନ୍ତରଙ୍ଗ ବାନ୍ଧବୀଙ୍କ ସହ ଡ୍ରଇଁ ରୁମ୍‌ରେ ବସି ନାନା ଆଳାପ ଆଲୋଚନାରେ ମଜ୍ଜି ଯାଇଥିଲା । ଶୁଭ୍ରା ଉପରେ ଅଜାଡ଼ି ହୋଇ ପଡୁଥିଲା ବାନ୍ଧବୀ ମାନଙ୍କର ବିପୁଳ ପ୍ରଶଂସା । ହସ ପରିହାସ ଭିତରେ ସୁସଜ୍ଜିତ ଡ୍ରଇଁ ରୁମ୍‌ଟି ବେଳେବେଳେ ଉଚ୍ଛୁଳି ଉଠୁଥିଲା । ସେମାନଙ୍କ ପାଇଁ ପାନୀୟର ଆୟୋଜନ ଏବଂ ଅନ୍ୟାନ୍ୟ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ଶ୍ରୀଧର ସେ ଆଡ଼କୁ ଚାଲି ଆସେ ବାନ୍ଧବୀ ମାନଙ୍କ ମୁଠାରୁ ଶୁଭ୍ରାର ପ୍ରଶଂସା ଶୁଣିବା ପାଇଁ । ଏସବୁ ଶୁଣି ଆନନ୍ଦରେ ଅଧିର ହୋଇପଡୁଥିଲା ଶ୍ରୀଧର ।
ଅଚାନକ ଝଣ ଝଣ ଶବ୍ଦ ସହ କିଛି ଗୋଟିଏ ଭାରୀ ଜିନିଷ ପଡିବାର ଶବ୍ଦ ରୁମ୍ ଭିତରର ଆଲୋଚନାରେ ଭଟ୍ଟା ଆଣିଦେଲା । ସମସ୍ତଙ୍କ ଦୃଷ୍ଟି ଦ୍ୱାରଦେଶ ଆଡ଼କୁ ଘୁଞ୍ଚିଗଲା । ଟ୍ରେରେ କିଛି କଫି ପିଆଲା ଗୁଡ଼ିକ ଧରି ଆସିବାବେଳେ ଝୁଣ୍ଟି ପଡ଼ିଯାଇଥିଲା ଶ୍ରୀଧର । ଏଣେ ତେଣେ ବିଛୁଡ଼ି ହୋଇ ପଡିଥିଲା କଫି ପିଆଲାର ଭଗ୍ନ ଅଂଶ ଗୁଡ଼ିକ । ଏପରି ଏକ ଅଭାବନୀୟ ପରିସ୍ଥିତି ପାଇଁ ଶ୍ରୀଧର ପ୍ରସ୍ତୁତ ନଥିଲା । ଶୁଭ୍ରାର ବାନ୍ଧବୀ ମାନଙ୍କ ନିକଟରେ ଅପ୍ରସ୍ତୁତତାକୁ ଘୋଡ଼ାଇବାକୁ ଯାଇ ତର ତର ହୋଇ ଉଠିପଡ଼ିଥିଲା ଶ୍ରୀଧର । କିନ୍ତୁ ଏ କ’ଣ ! ଶୁଭ୍ରା ଯେ ତା’ର ସମ୍ମୁଖରେ କ୍ରୋଧିତ ନୟନରେ ଛିଡ଼ାହୋଇ ରହିଛି । କେବେ ଦେଖି ନଥିବା ଶୁଭ୍ରାର ଅପେକ୍ଷା କୃତ ବଡ଼ ବଡ଼ ଆଖି ଦୁଇଟିକୁ ଦେଖି ସେ ହତ୍‌ଚକିତ ହୋଇ ତଳକୁ ମୁଣ୍ଡ ପୋତିଦେଲା । ବାନ୍ଧବୀ ମାନଙ୍କ ନିକଟରେ ଚାକରଟିର ଅମାର୍ଜନୀୟ ଦୋଷ ପାଇଁ ଯେମିତି କିଛି କହିବାର ନିହାତି ଆବଶ୍ୟକତାକୁ ଅନୁଭବ କରିନେଲା । “ବୁଢ଼ାକୁ ବୋଧେ ରାସ୍ତା ଜଣାପଡୁନି । ଗୋଟିଏ ହେଲେ ପିଆଲାର ଅସ୍ତିତ୍ୱ ମଧ୍ୟ ରଖିନି । ଦେଖୁନା, ଆହୁରକେମିତି ଶୋଇରହିଛି । ମୁର୍ଖ !” କିହ କହି ତାକୁ ଉଠାଇବାକୁ ଯାଇ କାନ ଆଡ଼କୁ ହାତ ବଢ଼ାଉ ଥିଲା ଶୁଭ୍ରା ।
– “ଶୁଭ୍ରା !” ସୁନୀତା ଦେବୀଙ୍କର ଦୃଢ଼ ଅଥଚ ଗମ୍ଭୀର କଣ୍ଠସ୍ୱର ଶୁଣି ତା ହାତର ଗତି ସ୍ଥିର ହୋଇଗଲା । ଭୟରେ ଶୁଭ୍ରାର ମୁହଁ ମଳିନ ପଡ଼ିଗଲା । ସେ ଜାଣେ, ଅନାବଶ୍ୟକ ବେଳେ ମା’ଙ୍କର କଣ୍ଠସ୍ୱବର ଏବେ ଉଚ୍ଚକୁ ଉଠେନା । ସୁନୀତା ଦେବୀ ଯେ କି ପ୍ରକାରର ନାରୀ ତାହା କଣ ଶୁଭ୍ରାକୁ ଜଣା ନାହିଁ ?
-“ତମେ ଯାଅ ଶ୍ରୀଧର” ଏତିକି କହି ସୁନୀତା ଦେବୀ ଶ୍ରୀଧରର ହାତ ଧରି ଉଠାଇବାକୁ ତା ଆଡକୁ ଝୁଙ୍କି ପଡୁଥିଲେ । ଭଙ୍ଗା ପିଆଲାର ଅଂଶ ଗୁଡିକୁ ଗୋଟାଉଥିବା ଦେଖି ସୁନିତା ଦେବୀ ‘ଥାଉ’ କହି ଶ୍ରୀଧରକୁ ସେଥିରୁ ନିବୃତ୍ତ କରାଇଲେ ।
ଶ୍ରୀଧର ଚାଲିଯିବା ପରେ ସୁନିତା ଦେବୀଙ୍କ ଦୃଷ୍ଟି ଶୁଭ୍ରାର ଭୟାତୁରା ମୁଖ ଉପରେ ନିବଦ୍ଧ ହେଲା । କିଛି କ୍ଷଣ ଚାହିଁ ରହିବା ପରେ ସେ ଧିରେ ଧିରେ ଶୁଭ୍ରାକୁ କହିଲେ ତୁ ନୁହେଁ କି ମୁଁ ନୁହେଁ । ଶ୍ରୀଧରକୁ ଜାଣିଥିବା ସବୁ ଲୋକ କହିବେ ଶ୍ରୀଧର ମୁର୍ଖ । ଏହା ମଧ୍ୟ ସ୍ୱୀକାର କରିବେ ଯେ ତୁ ଜ୍ଞାନୀ । ତୋର ବୁଦ୍ଧି ଅଛି, ବିଦ୍ୟା ଅଛି । ତୋର ମୁଣ୍ଡ ଅଛି । କାରଣ ତୁ ଆଇ.ଏ.ଏସ୍ ପାସ୍ କରିଛୁ । କିନ୍ତୁ ତୁ ଭାବିଛୁ ଏ ମୁଣ୍ଡ ନେଇ ତୁ ଶାସନ କରିବୁ ଏ ମୁର୍ଖ ଜନତାଙ୍କୁ…. ଏ ଦେଶକୁ ? ତୁ ଭାବିଛୁ ଏ ମୂର୍ଖ ଜନତାଙ୍କୁ ଶାସନ କରିବା ପାଇଁ ଖାଲି ଏତିକି ହିଁ ଯଥେଷ୍ଟ ! ମୂର୍ଖ କିଏ ତୁ ଜାଣିଛୁ?
ସୁନୀତା ଦେବୀଙ୍କ କଣ୍ଠସ୍ୱର କ୍ରମେ କ୍ରମେ ଦୃଢ଼ ହୋଇ ଆସୁଥିଲା । ମା’ଙ୍କ ଏ କ’ଣ ହେଲା ବୁଝି ପାରୁନଥିଲା ।
ଶୁଭ୍ରା ଶତ ଅପରାଧରେ ଅପରାଧୀନୀଟିଏ ପରି ସେ ଦଣ୍ଡାୟମାନ ହୋଇଥିଲା ମା’ଙ୍କ ନିକଟରେ । କେବଳ ଶରୀର ନୁହେଁ, ତା ଅନ୍ତରଟା ଯାକ ଥରୁଥିଲା । ବାନ୍ଧବୀମାନେ ତା ନିକଟରେ କିଂକର୍ତ୍ତବ୍ୟବିମୂଢ଼ ହୋଇ ଯାହା ଛିଡ଼ା ହୋଇଥିଲେ ।
ଆରାମ ଚେୟାର ଉପେର ନିଜ ଶରୀର ଭାରକୁ ଲଦିବା ପାଇଁ ଆସୁ ଆସୁ ସୁନୀତା ଦେବୀ ବଡ଼ ‘ହଁ’ ଟିଏ କରି କହିଲେ- “ଆଜି ତୋତେ ଗୋଟେ ଗଳ୍ପ କହିବି । କେଜାଣି ତୁ ବୁଝିପାରିବୁ କି ନାହିଁ ସେ ଗଳ୍ପର ସାରାଂଶକୁ ?”
ରୁମ୍‌ଟିରେ ନୀରବତା ଛାଇ ଯାଉଥିଲା ।
ଲମ୍ବା ନିଶ୍ୱାସଟିଏ ନେଇ ସେ ଆରମ୍ଭକଲେ, – “ସହରକୁ ନୂଆଁ ବଦଳି ହୋଇ ଆସିଥିଲେ ଜଣେ ଅଫିସର । ସହର ଏବଂ ତା’ର ଆଖପାଖ ଅଂଚଳ ସହ ସମ୍ୟକ ପରିଚୟ ହେବାକୁ ସେ ଦିନେ ନିଜର କାର୍‌ଟି ଧରି ସସ୍ତ୍ରୀକ ବାହାରି ପଡ଼ିଲେ । ଅଫିସର ନିଜେ ବସିଥିଲେ ଡ୍ରାଇଭର ସିଟ୍‌ରେ । ସହରଟିକୁ ଘେରାଏ ବୁଲି ସାରିବା ପରେ ସଂଲଗ୍ନ ଏକ ମାଟି ରାସ୍ତା ଉପରକୁ କାର୍‌ଟିକୁ ଗଡ଼ାଇ ନେଲେ । ପ୍ରକୃତିର ଅପୂର୍ବ ଶୋଭାରେ ବିମୋହିତ ହୋଇ ସେ ଗାଡ଼ିଟିକୁ ଆସ୍ତେ ଆସ୍ତେ ଆଗେଇ ନେଉଥିଲେ । ହଠାତ୍ ଏକ ଝଂକାଳିଆ ଗଛ ନିକଟରେ ସେ ବ୍ରେକ୍ ଦେଲେ । ଗଛ ତଳେ ନାରୀଟିଏ ଛୋଟ ଶିିଶୁଟିକୁ ଧରି ଶୋଇଥିଲା । ପାଖରେ ବସିଥିଲେ ଜଣେ ମଧ୍ୟ ବୟସ୍କ ବ୍ୟକ୍ତି । ଶିଶୁଟିର କରୁଣ କ୍ରନ୍ଦନ, ନାରୀଟିର ଅସହ୍ୟ ନୀରବତା ଏବଂ ପୁରୁଷଟିର ଲୁହ ଭିଜା ନୟନ ଯୁଗଳ ଅଫିସରଙ୍କୁ ଗାଡ଼ି ଭିତରୁ ବାହାରକୁ ଟାଣି ଆଣିଲା । ସେଠାରେ ସେହିପରି ଭାବେ ବସି ରହିବାର କାରଣ ପଚାରିଲେ ଅଫିସର । ଅକାଳ ବାର୍ଦ୍ଧକ୍ୟ ଗ୍ରାସ କରିଥିବା ବ୍ୟକ୍ତି ଜଣଙ୍କ ତାଙ୍କ କରୁଣ କାହାଣୀ ବର୍ଣ୍ଣନା କଲେ ଅତି ସଂକ୍ଷିପ୍ତ ଭାବରେ ।”
“ବର୍ଷା ଅଭାବରୁ ସେ ବର୍ଷ ମୋଟେ ଫସଲ ହେଲା ନାହିଁ । ଅନ୍ୟ ଜମିରେ କାମ କରି ପେଟ ପୋଷୁଥିବା ଲୋକେ କାମଧନ୍ଦା ନ ପାଇ ବାହାରକୁ ଚାଲିଗଲେ । ଛୋଟ ଶିଶୁ ଏବଂ ରୋଗଣା ସ୍ତ୍ରୀ ଯୋଗୁଁ ଲୋକଟି ଗାଁରେ ସେମିତି ପଡ଼ିରହିଲା । ଦିନେ ଖାଇ ଦୁଇ ଦିନ ଉପବାସ କରି ପେଟ ପୋଷୁ ପୋଷୁ ସ୍ତ୍ରୀର ରୋଗ ହଠାତ୍ ବଢ଼ିଗଲା । ଅନ୍ୟ ଉପାୟ ନ ପାଇ ଉଭୟେ ସହରକୁ ଆସୁଥିଲେ ଡ଼ାକ୍ତରଙ୍କୁ ଦେଖା କରିବାକୁ । ସ୍ତ୍ରୀର ମୁଣ୍ଡ ଝିମ୍ ଝିମ୍ ମାରିବାରୁ ଗଛ ଛାଇ ତଳେ ଆଶ୍ରୟ ନେଲେ । ଘଡ଼ିଏ ହେଲା ସେ ଶୋଇଛି ଯେ ଶୋଇଛି, ମୁଣ୍ଡ ପାଖରେ ତା’ ସ୍ୱାମୀ ସେହିପରି ବସିଥିଲା ।”
“ଅଫିସର ମନେ ମନେ ଆତଙ୍କିତ ହୋଇ ପଡ଼ିଲେ । ସ୍ତ୍ରୀଟିକୁ କିଛି ସମୟ ପରୀକ୍ଷା କରି ଜାଣିଲେ ଯେ ତା’ ଦେହରେ ଆଉ ଜୀବନ ନାହିଁ ।” ଲୋକଟି ଏହି ବିଷୟ ଶୁଣି ଶୁଣି ଭୋ ଭୋ କାନ୍ଦି ଉଠିଲା ।
ରୁମ୍‌ରେ ଉପସ୍ଥିତ ସମସ୍ତେ ସ୍ଥାଣୁ ପାଲଟି ଯାଇଥିଲେ । ସୁନୀତା ଦେବୀଙ୍କ ମୁହଁ ଉପରେ ଶୁଭ୍ରାର କରୁଣ ଦୃଷ୍ଟି ଲାଖି ରହିଥିଲା ।
ଟିକିଏ ନୀରବ ରହି ପୁଣି ସେ ଆରମ୍ଭ କଲେ, – “ଅଫିସରଙ୍କ ସ୍ତ୍ରୀ କାନ୍ଦୁଥିବା ଛୋଟ ଶିଶୁଟିକୁ ଛାତି ଉପରକୁ ଟେକି ନେଇଥିଲେ । ଉଷୁମ ପାଇ ଶିଶୁଟି ମଧ୍ୟ କାନ୍ଦ ବନ୍ଦ କରି ସାରିଥିଲା । ସୁନ୍ଦର ଶିଶୁ କନ୍ୟାଟିକୁ ଛାତିରେ ପକାଇ ସେ ଆନନ୍ଦରେ ବିମୋହିତ ହୋଇଥିଲେ । ବାତ୍ସଲ୍ୟ ମମତା ତାଙ୍କର ଚେଇଁ ଉଠିଲା । କିଛି ସମୟ ପାଇଁ ଭୁଲିଗଲେ ଦୀର୍ଘ ଦଶ ବର୍ଷର ନିଃସନ୍ତାନମୟ ଜୀବନକୁ । ଶିଶୁଟିର କପାଳରେ ବୋକଟିଏ ଦେଇ ସେ ସ୍ୱାମୀଙ୍କ ମୁଖକୁ ଚାହିଁଲେ ।”“ଅଫିସର ତା’ଙ୍କ ସ୍ତ୍ରୀଙ୍କର ଗୁପ୍ତ ଉଦ୍ଦେଶ୍ୟକୁ ବୁଝିଗଲେ । ଲୋକଟିକୁ ସାନ୍ତ୍ୱନାଦେଇ ସେ ଉଭୟଙ୍କୁ ଗାଡ଼ିରେ ବସାଇ ଘରକୁ ନେଲେ । ତାଙ୍କର କରୁଣ ଅନୁରୋଧରେ ଲୋକଟି ସବୁଦିନ ପାଇଁ ଶିଶୁଟିକୁ ତାଙ୍କ ସ୍ତ୍ରୀଙ୍କ କୋଳକୁ ବଢ଼ାଇ ଦେଲେ । ଏ ବିଷୟ କାହା ଆଗରେ, ଏପରିକି ଉକ୍ତ କନ୍ୟା ଆଗରେ ପ୍ରକାଶ ନ କରିବାର ମଧ୍ୟ ଦୃଢ଼ ପ୍ରତିଶୃତି ଦେଲେ ।”
“ତା ପରେ ସବୁଦିନ ପାଇଁ ଅଫିସରଙ୍କ ସ୍ତ୍ରୀ ସନ୍ତାନହୀନତାର ଦୁଃଖ ଭୁଲିଗଲେ । କ୍ରମେ କ୍ରମେ ଝିଅଟି ଚନ୍ଦ୍ରକଳା ପରି ବଢ଼ିବାକୁ ଲାଗିଲା । ସ୍କୁଲକୁ ଗଲା । କ୍ଲାସରେ ଫାଷ୍ଟ ହେଲା । ପରୀକ୍ଷାରେ କୃତୀତ୍ୱର ସହ ଉତ୍ତୀର୍ଣ୍ଣ ହୋଇ କ୍ଲାସ ପରେ କ୍ଲାସ ଅତିକ୍ରମ କରିଗଲା । ଶିଶୁଟି ଦିନେ ବହୁତ ବଡ଼ ହେଲା । ଏବଂ ଆଇ.ଏ.ଏସ୍ ପରୀକ୍ଷାରେ ପ୍ରଥମ ହୋଇ ପାଶ୍ କଲା ।”
ସୁନୀତା ଦେବୀଙ୍କ କଣ୍ଠସ୍ୱର ଅତି କରୁଣ ହୋଇ ଆସୁଥିଲା । ଅତିଜୋରରେ ‘ମାଆ’ ବୋଲି ଡାକି ଶୁଭ୍ରା କିଛି କହିବାକୁ ଯାଉଥିଲା । କିନ୍ତୁ ତାକୁ ସେ ସୁଯୋଗ ନଦେଇ ସୁନୀତା ଦେବୀ କହିଲେ, – “ହଁ ଶୁଭ୍ରା । ସେ ଦିନର ସେ ଶିଶୁ ହେଉଛି ତୁ, ଯିଏ ଏବେ ଲକ୍ଷେ ଲୋକର ନିୟନ୍ତା ହେବାକୁ ବସିଛି ।” ଆଉ କିଛି କହି ପାରିଲେ ନାହିଁ ସୁନୀତା ଦେବୀ ।
ଆଖିରେ ଆଖିଏ ଲୁହ ନେଇ ଶୁଭ୍ରା ଖୋଜୁଥିଲା ତା ବାପାଙ୍କୁ, ଯାହାଙ୍କ କାନ ଧରିବାକୁ ତା’ ହାତ ଚାଲିଯାଇଥିଲା ଏଇ କିଛି କ୍ଷଣ ଆଗରୁ ।

ଆଡଭୋକେଟ୍‌
ଖଲ୍ଲିକୋଟ, ଗଂଜାମ, ସେଲ୍ : ୯୪୩୭୫୧୫୦୦୭

ଗାଳ୍ପିକ ଜନ୍ମନିଅନ୍ତି ୦୯.୦୮.୧୯୬୫ ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ପୁସ୍ତପୁର ଗ୍ରାମରେ, ମାତା ଶ୍ରୀମତୀ ଦେବମଣୀ ସାହୁ ଓ ପିତା ଶ୍ରୀ ଦଣ୍ଡପାଣି ସାହୁଙ୍କ କୋଳମଣ୍ଡନ କରି । ସିନ୍ଧୁଉର୍ମୀ ସାହିତ୍ୟ ସଂସଦ ପ୍ରତିଷ୍ଠାତା ଓ ସଂପାଦକ ।
ଗଳ୍ପ ‘ଅନ୍ୟ ଦିଗନ୍ତ’ ମାଧ୍ୟମରେ ଗାଳ୍ପିକ ଜଣେ ଜନ ଅଧିକାରୀର ପ୍ରକୃତ ସଂଜ୍ଞା ଦେଇଛନ୍ତି । ମୁଖ୍ୟ ଚରିତ୍ର ‘ଶ୍ରଦ୍ଧା’ ନିଜ ଜୀବନର କିଛି ଅକୁହା କାହାଣୀ ଚମତ୍କାର ଭାବେ ଉଜାଗର କରିପାରୁଛି ।