ସାପ୍ତାହିକୀ ପୁସ୍ତକ ଓ ସମୀକ୍ଷା -ଡା. ରାଜେନ୍ଦ୍ର କୁମାର ବେହେରାଙ୍କ ‘ସାମ୍ରାଜ୍ୟର ନକ୍‌ସା’

ପାଠକୀୟ ଅଭିବ୍ୟକ୍ତି ‘ସାମ୍ରାଜ୍ୟର ନକ୍‌ସା’ ମୋ ଦୃଷ୍ଟିରେ-ଭାଗିରଥୀ ବେହେରା 

ଶରବିଦ୍ଧ ସମ୍ପର୍କ, ସାମ୍ରାଜ୍ୟର ନକ୍‌ସା, ତ୍ରିଭୁଜ, ଅସମ୍ଭାଳ ନିବିଡ଼ତା, ପ୍ରେମପତ୍ର, ଉର୍ଦ୍ଧ୍ୱଗାମୀ ଭାବାବେଗ, ଅପାସୋରା ରାତି , ବଡ଼ବାପା, ଶାଶୁର ଶପଥ, ଗୁରୁବାରୀ ଓ ଖପରାଡେଇଁ ଆଦି ବାରଟି ଗଳ୍ପର ସମ୍ପର୍କମୟ ଗଳ୍ପର ସମାହାର ଗଳ୍ପ ସଂକଳନ ‘ସାମ୍ରାଜ୍ୟର ନକ୍‌ସା’ ।
ମୁଁ ସମସ୍ତ ଗଳ୍ପ ତନତନ ପଢ଼ିଛି ଏବଂ ଗଳ୍ପଟିଏ ଗଳ୍ପପରି ହେଇଛି କି ନା ଦେଖିଛି । ଅତି ସହଜରେ ଡା. ରାଜେନ୍ଦ୍ର କୁମାର ବେହେରା ଲେଖିଦେଇଛନ୍ତି ହୃଦୟ ଛୁଇଁ ଦେଲା ଭଳି ଗଳ୍ପ ।
ସମୟ ଅନୁସାରେ ସମାଜ ବଦଳିଛି । ବଦଳୁଥିବା ସମାଜ ଅନୁଯାୟୀ ବଦଳିଛି ସମ୍ପର୍କର ପରିଭାଷା । ନିଜ ଚତୁଃପାଶ୍ୱର୍ରେ ଘଟୁଥିବା ଘଟଣା ଓ ବଦଳୁଥିବା ସମ୍ପର୍କରୁ ଅଛୁଆଁ କେମିତି ରହନ୍ତା ଗାଳ୍ପିକର ଅନୁଭୂତି ।
ଯେହେତୁ ଗାଳ୍ପିକ ପେଷାରେ ଡାକ୍ତର, ତେଣୁ ଚାକିରୀ ଜୀବନର ଯେତେ ସବୁ ଶୁଣାଅଶୁଣା ଘଟଣାର ମୂକସାକ୍ଷୀ ଥିଲେ ତାହା ଗଳ୍ପ ହେଇ ଲେଖାହୋଇଛି । ଏହା ହିଁ ଗାଳ୍ପିକର ମହନୀୟତା, ଯେଉଁଥିରେ ଗଳ୍ପ ହୋଇ ଉଠେ ଜୀବନ୍ତ ଓ ଚଳଚଞ୍ଚଳ । ପାଠକକୁ ଲାଗିବ ଗାଳ୍ପିକ ତାଙ୍କ କଥା ହିଁ କହିଦେଇଛି କିିମ୍ବା ତାଙ୍କ ପାଖରେ ଘଟିଯାଉଛି ସବୁ ଘଟଣା । ଏହାର ଉଦାହରଣ ହେଲା ଗଳ୍ପ ‘ମାପଚୁପ ସମ୍ପର୍କ’ ର ମୁଖ୍ୟ ଚରିତ୍ର ଡା ଅଜିତ ସହ ସନ୍ଧ୍ୟା, ଶଶୀଧର ଓ ସୁନନ୍ଦା । ସେମିତି ‘ଉର୍ଦ୍ଧ୍ୱଗାମୀ ଭାବାବେଗ’ଗଳ୍ପରେ ଡାକ୍ତର ସୁରେଶ, ରଂଜନ ଓ ଶ୍ରୀୟା ଆଦି ଡାକ୍ତରୀ ପେଶାର ଚରିତ୍ର ।
‘ବଡବାପା’, ‘ଶାଶୁର ଶପଥ’, ‘ଗୁରୁବାରୀ’ ଓ ‘ଖପରାଡିଆଁ’ ଆଦି ଗଳ୍ପ । ସମାଜର ଭିନ୍ନ ରୂପ ପାଠକଙ୍କୁ ଭାବିବାକୁ ବାଧ୍ୟ କରିବ ।
ଆଧୁନିକତା ନାଁରେ ବଢ଼ୁଥିବା ବୈଧ ଅବୈଧ ସମ୍ପର୍କର ନୈତିକତାକୁ ନେଇ ନିଶ୍ଚୟ ପ୍ରଶ୍ନ ଉଠେଇବ ଶରବିଦ୍ଧ ସମ୍ପର୍କ, ସାମ୍ରାଜ୍ୟର ନକ୍‌ସା, ତ୍ରିଭୁଜ, ଅସମ୍ଭାଳ ନିବିଡ଼ତା, ପ୍ରେମପତ୍ର, ଉର୍ଦ୍ଧ୍ୱଗାମୀ ଭାବାବେଗ, ଅପାସୋରା ରାତି, ଆଦି ଗଳ୍ପ ଏବଂ ତାଗିଦ୍ କରିବ ତାର କୁପରିଣାମକୁ ।
ତେବେ ପ୍ରଶ୍ନ ଉଠେ ଏ ଗଳ୍ପ ସଂକଳନର ନାମକରଣକୁ ନେଇ ସାର୍ଥକତା କଣ ? ଯେତେବେଳେ ସମସ୍ତ ଗଳ୍ପକୁ ମୁଁ ସଂପାଦନ କଲି, ସମସ୍ତ ଗଳ୍ପ ପ୍ରେମ, ସମ୍ପର୍କ, ଜୀବନ ଯନ୍ତ୍ରଣା, ଧୋକା, ଚରିତ୍ର, ଆବେଗ, ଭାବନାକୁ ନେଇ ବୁଣା ହେଇଛି ଯାହା ପାଠକଙ୍କୁ ବାନ୍ଧି ରଖିବ । ଗାଳ୍ପିକ ଡକ୍ଟର ବେହେରା ସମାଜର ନୈତିକ ଓ ଅନୈତିକ ନଗ୍ନରୂପ ଦର୍ପଣର ପ୍ରତିଛବି ଦେଖେଇବାକୁ ଚେଷ୍ଟା କରିଛନ୍ତି ଯାହା ଏ ସଂକଳନର ମେରୁଦଣ୍ଡ । ସମସ୍ତ ଗଳ୍ପର ଚରିତ୍ର ନିଜ ସ୍ୱାର୍ଥ ଦୌହିକ କାମନା ଏବଂ ନିଜସ୍ୱର ଇପ୍ସିତ ସାମ୍ରାଜ୍ୟର ନକ୍ସାଟିଏ ଟାଣିଛନ୍ତି ଯାହା ସମାଜ ପ୍ରତି କ୍ଷତିକାରକ । ଏପରି ବିଷୟ ଓ ଚରିତ୍ରକୁ ନିର୍ଭୀକ ଭାବରେ ଲେଖି ପାଠକ ଓ ସମାଜକୁ ଚେତେଇବାରେ ଯେଉଁ ଦାୟିତ୍ୱ ନିଭେଇଛନ୍ତି ତାହା ଗଳ୍ପ ପୁସ୍ତକର ନାମକରଣକୁ ସାର୍ଥକତା ଦିଏ । ଏହା ଗାଳ୍ପିକଙ୍କର ସାମାଜିକ ଅଙ୍ଗୀକାରବଦ୍ଧତାର ପ୍ରମାଣ ନୁହଁ କି ?
ଗଳ୍ପ ‘ଅପାସୋରା ରାତି’ କାହାଣୀ ଶେଷରେ ପବିତ୍ର ସମ୍ପର୍କଟିଏ ଗଢ଼େଇଦେଇଛି, ଯେଉଁଥିରେ ଘଟଣାକ୍ରମରେ ମାନବୀୟ ଉପଲବ୍ଧି ଉଜାଗର କରିଛି । ଜଣେ ଲେଖକର ଲେଖାରେ ଯଦି ସାମାଜିକ ଅଙ୍ଗୀକାର ବଦ୍ଧତା ନଥାଏ, ତେବେ ତାହା ସାହିତ୍ୟର ସାର୍ଥକତା ଆଣିନଥାଏ ।
ଗାଳ୍ପିକ ଡା ରାଜେନ୍ଦ୍ର କୁମାର ବେହେରା ଅତି ସରଳ, ସହଜ ଓ ସିଧା ସିଧା ଲେଖିବାର ଢଙ୍ଗ ଆପଣେଇଛନ୍ତି ଏହି ସଂକଳନରେ, ଯାହା ପାଠକୀୟତା ଆଣିବ ।
କହନ୍ତି ଅକସ୍ମାତ ଆରମ୍ଭ, ବାନ୍ଧି ରଖିଲା ଭଳି ବର୍ଣ୍ଣନା ଓ ଚମକେଇ ଦେଲା ଭଳି ଶେଷ ଗୋଟିଏ ଗଳ୍ପକୁ ଆଦୃତି ଆଣେ । ଏଥିପାଇଁ ଡା ବେହେରାଙ୍କୁ ଆହୁରି ଅନୁଭୂତି, କାହାଣୀ, ଚରିତ୍ର ଓ ଗତିଶୀଳତାକୁ ନେଇ ସୂକ୍ଷ୍ମ ପ୍ରୟୋଗ କରିବାକୁ ପଡିବ । ଏଥିପାଇଁ ତାଙ୍କୁ ପଢ଼ିବାକୁ ହେବ ଗଳ୍ପ ଜଗତର ଉଦାହରଣ ସାଜିଥିବା ଅନେକ ନୂତନ ପୁରାତନ କାଳଜୟୀ ଗଳ୍ପ ।
ତଥାପି ମୁଁ କହିବି ପ୍ରଥମ ସଂକଳନରେ ସେ ଅନେକ ମାତ୍ରାରେ ସଫଳ । ଅନ୍ୟାନ୍ୟ ମୁଁ ପାଠକଙ୍କ ଉପରେ ଛାଡିଦେଉଛି ।
ଏ ଯାତ୍ରାରେ ପ୍ରତ୍ୟେକ୍ଷ ଓ ଅପ୍ରତ୍ୟେକ୍ଷ ରୂପରେ ଯେଉଁମାନେ ମୋତେ ସହଯୋଗ କରିଛନ୍ତି ସେମାନଙ୍କୁ ଧନ୍ୟବାଦ ଦେଇ ‘ସାମ୍ରାଜ୍ୟର ନକ୍ସା’ ଗଳ୍ପ ସଂକଳନ ପାଠକଙ୍କ ହାତରେ ସମର୍ପି ଦେଉଛି ।
ଭାଗିରଥୀ ବେହେରା
ଅଧ୍ୟକ୍ଷ
ଗଂଜାମର କବିତାଘର ଲିଟେରାରୀ ଟ୍ରଷ୍ଟ
ସାହିତ୍ୟିକ ଓ ଶିକ୍ଷା ପ୍ରଶାସକ
ଫୋନ୍ : ୮୨୮୦୨୨୩୬୪୪