ତୁମ ପ୍ରେମରେ ପାଗଳିନୀ
_________________
ତୁମ ପ୍ରେମରେ
ମୁଁ ଆଜି ପାଗଳିନୀ,
ତୁମ ପ୍ରୀତି ମନ୍ଦିରରେ ପୂଜାରିଣୀ |
ତୁମ ଦେହର ବାସ୍ନାରେ ବାସ୍ନାୟିତା
ତୁମ ପ୍ରେମ ଅରଣ୍ୟେ
ନୃତ୍ୟରତା ହରିଣୀ ସାଜି,
ଚତୁଃପାର୍ଶ୍ଵେ ମୁଁ ଧାବରତା |
ତୁମ ସୁମଧୁର ପରଶରେ
ତନୁ ମନେ ଖେଳିଯାଏ ମୋର
ଅଂସଖ୍ୟ ଉନ୍ମାଦନାର ଲହରୀ |
ତୁମ ପ୍ରୀତି ବୃଷ୍ଟିରେ
ମୋର ମନ, ଆତ୍ମା, ଚେତନାକୁ
ଭିଜାଇ, ମଜାଇ
ଲାଜର ଓଢଣୀଟି କାଢ଼ିଦେଇ
ନଖରୁ ଶିଖଯାଏ
ହୋଇଜାଇଛି ଆଜି ଓଦା |
କେବଳ ସେଇଥି ପାଇଁତ
ଏ ଦୁନିଆ ନିକଟେ
ମୁଁ ପରିଚିତା
ଏକ ପାଗଳିନୀର ଆଖ୍ୟା ନେଇ।
ତଥାପି ସମସ୍ତ ନିନ୍ଦା,
ଅପବାଦର ଢ଼ିଣ୍ଡୋରାକୁ
ଗର୍ଭକୁ କ୍ଷେପି
ତୁମ ପ୍ରେମ ପାଗଳିନୀ
ତୁମକୁ ହିଁ କରିସାରିଛି
ତାହାରି ପ୍ରାଣବାୟୁ |
ତୁମ ପ୍ରେମର ନିଶା
ଏମିତି ଘାରିଛି ଯେ,
ନିଶାସକ୍ତ ହୋଇ
ସାରାଜୀବନ ବଞ୍ଚିବାକୁ
ଦୃଢ ପ୍ରତିଜ୍ଞାବଦ୍ଧ
ତୁମ ପ୍ରେମ ପାଗଳିନୀ ।
ଇଚ୍ଛା ନାହିଁ ଆଉ
ସେହି ପାଗଳିନୀର ମୁକୁଟଟିକୁ
ଓହ୍ନାଇବାକୁ |
କି ଇଚ୍ଛା ମଧ୍ୟ ନାହିଁ
ସୁସ୍ଥ ବିବେଚିତା ହୋଇ
ଅନ୍ତରରେ ସମସ୍ତ ଲୁହର ଶ୍ରାବଣଧାରାକୁ ପିଇ
ମିଛିମିଛିକା ସମାଜ ଆଗରେ ହସିବାକୁ।
ରଙ୍ଗଦୁନିଆର ବହୁରୂପୀମାନଙ୍କ
ସମ୍ପର୍କର ମୂଲକୁ ପରଖି
ସର୍ବସାଧାରଣଙ୍କ ସମ୍ମୁଖରେ
ମୁଁ ଆଜି ଚିକ୍ତାର କରି କହୁଛି
ହଁ..!
ମୁଁ ତୁମ ପ୍ରେମରେ ପାଗଳିନୀ |
ମୁଁ ତୁମ ପ୍ରେମର ପାଗଳିନୀ |
(ଦୀପିକା ଦାଶ)
(ବ୍ରହ୍ମପୁର ଗଂଜାମ)