ଗଳ୍ପ ଗଞ୍ଜାମ ୨୦୨୦ -ଗଳ୍ପ ପତ୍ନୀ ଓ ପ୍ରେମିକା -ଗାଳ୍ପିକା ସ୍ଵର୍ଣ୍ଣମୟୀ ପାଢୀ

ପତ୍ନୀ ଓ ପ୍ରେମିକା
ସ୍ୱର୍ଣ୍ଣମୟୀ ପାଢ଼ୀ

ବିକ୍ଷିପ୍ତ ବେଳାଭୂମିର ବାଲୁକାଶଯ୍ୟାରେ ଏକ ନିସ୍ତବ୍ଧ ନିର୍ଜନ ସ୍ଥାନରେ ଦୁଇ ପ୍ରେମୀଯୁଗଳ ଶୀତ ସଂଧ୍ୟାର କୋହଲା ପବନରେ ଶିହିରି ଉଠୁଥିଲେ । ଉନ୍ମୁକ୍ତ ଉର୍ମିମାଳା ସହ କିଛି ପ୍ରେମ ସଙ୍ଗୀତ ଗୁଣୁଗୁଣେଇ ଦୁହେଁ ଗରମ ଚାହାର ମଜା ଉଠାଇ ଫୁର୍ତ୍ତି ଦିଶୁଥିଲେ । ଦୂର ଦିଗ୍‌ବଳୟରୁ ଅସ୍ତମିତ ସୂର୍ଯ୍ୟଙ୍କ ନାରଙ୍ଗୀ ପିଛାଡ଼ି ପାରୁନଥାନ୍ତି ଦିବାକର । ଆଜି ବି ସେହି ଲାସ୍ୟମୟୀ ଚେହେରା, ଓଦା ଓଦା ଯାଦୁଗରୀ ନୟନ ଯୁଗଳ ରକ୍ତିମ ଓଷ୍ଠ, ତନୁ ପାତଳ ଶରୀର, ପ୍ରେମିଳ ମଧୁଝରା କଥା…. ରୋମାଣ୍ଟିକ୍ ମୁଡ଼଼ରେ ପାଖକୁ ଲାଗିଆସି କହିଲେ – “କିଛି ନୂଆ କବିତା ଶୁଣାଅନା ସାଗରିକା !” – “ଆଜିକାଲି ମୁଁ ଟିକେ ମାନସିକ ଚାପରେ ଭାରକ୍ରାନ୍ତ, ତ ସେମିତି କିଛି ଲେଖା ଲେଖି କରିପାରିନି । ତେବେ ତୁମେ କିଛି ….?”
ବ୍ୟସ୍ତ ହୋଇ କହିଲେ ଦିବାକର – “କଣ ହୋଇଛି ତୁମର ? ମୁଁ ବି ଦେଖୁଛି ଆଜିକାଲି ତୁମେ ବେଶୀ ଅନ୍ୟ ମନସ୍କ ରହୁଛ । ଅଫିସ୍‌ରେ ବି ତୁମ ଦୁଶ୍ଚିନ୍ତା ଭରା ନିରାଶ ଚେହେରା ଦେଖି ପଚାରିବି ପଚାରିବି ଭାବି ପଚାରିପାରିନି” ଅଲରା କେଶରାଶିକୁ ସଜାଡି ସଜାଡି ଆଉ ଟିକେ ପାଖକୁ ଲାଗି ଆସିଲେ ଦିବାକର…ା
ଦୂରକୁ ଘୁଚିଂଯାଇ କହିଲେ ସାଗରିକା – “ଏମିତି ଭାବବିହ୍ୱଳ ହୁଅ ନାହିଁ । ଆଜି କାଲି ମୁଁ ଅନୁଭବ କରୁଛି କି ସେ ସମୟ, ସେ ଅଧିକାର ଅତିକ୍ରାନ୍ତ ହୋଇଛି ଆମ ଜୀବନରୁ… । ଏବେ ଆମେ ଦୁହେଁ ଏକ ଶୁଷ୍କ ନଈର ବିପରୀତମୁଖୀ କ୍ଷୀଣସ୍ରୋତ ସଦୃଶ । କେବଳ ବନ୍ଧୁତା ହିଁ ଆମ ପରିଚୟ । ହଁ, ତୁମକୁ ଭଲପାଇ ଦୁନିଆ ଦାଣ୍ଡରେ ସବୁ ନିନ୍ଦା ଅପମାନର ସାମନା କରିଛି । ବନ୍ଧୁ ସ୍ୱଜନଙ୍କ ବିଶ୍ୱାସ ହରାଇଛି । ତଥାପି ତୁମ ପ୍ରେମର ସ୍ମୃତିକୁ ସାହାରା କରି ଏକା ଏକା ବଂଚିବାର ନିଷ୍ପତ୍ତି ନେଇଛି । ହେଲେ ପ୍ରତି ମୁହୂର୍ତ୍ତରେ ନିହାରୀକା ଅପାଙ୍କ ପ୍ରତି ସହାନୁଭୂତିରେ ମୋ ହୃଦୟ ଭାରି ଭାରି ହୁଏ । ତୁମ ଦୁହିଁଙ୍କ ମଧ୍ୟରେ ପ୍ରାଚୀର ହୋଇ ନିଜକୁ ଦୋଷୀ ମନେକରେ । ଭାବୁଛି, ଅପାଙ୍କୁ କ୍ଷମା ମାଗି ତୁମ ଜୀବନରୁ ସବୁଦିିନ ପାଇଁ ଓହରିଯିବି । ସମୟର ଆହ୍ୱାନକୁ ଅନେକ ଦିନ ଆଗରୁ ମାନି ନେବାର ଥିଲା, ହେଲେ ବହୁତ ଲେଟ୍ ହୋଇଗଲା । ଆଉ ନୁହେଁ ।”
କଥା ଛଡ଼ାଇ କହିଲେ ଦିବାକର – “ସେମିତି କୁହ ନାହିଁ । ଯିଏ ଯାହା କୁହନ୍ତୁ କି ଭାବନ୍ତୁ, ତୁମ ବିନା କ୍ଷଣଟିଏ ବଂଚି ପାରିବିନି ସାଗରିକା । ଜୀବନରେ ମନର ସାଥିଟିଏ ନିହାତି ଜରୁରୀ । କେବଳ ଖାଇବା, ପିନ୍ଧିବା, ପରିବାର ସମ୍ଭାଳି ଯନ୍ତ୍ରବତ୍ ଜୀବନ ବଂଚିବାର ମାନେ ନଥାଏ । ହୃଦୟକୁ ବୁଝିଲାଭଳି ସାଥିଟିଏ ବିନା ଜୀବନର ସଜ୍ଞା ବା କ’ଣ ? ସେ ଘରେ ମୁଁ ଶ୍ୱାସରୁଦ୍ଧ ହୋଇଯାଏ । ପ୍ରତି ରବିବାରରେ ତୁମ ସହ କଥା ହେଉଥିବା ସମୟତକ ହିଁ ମୁଁ ପ୍ରକୃତ ଜୀବନ ବଂଚେ । ତୁମକୁ ବିବାହ ନ କରି ମୁଁ କରିଥିବା ଭୁଲ ପାଇଁ ମୋତେ କ୍ଷମା କରିଦିଅ ସାଗରିକା… । ମୋତେ ବୁଝିବାକୁ ଚେଷ୍ଟାକର । ତୁମେ କେବଳ ମୋ ପ୍ରେମିକା ନୁହଁ, ମୋ ଜୀବନ, ବଂଚିବାର ସ୍ୱପ୍ନ ସାଥି, ସାହା, ଭରସା ସବୁକିଛି… ।”
ଅମାବାସ୍ୟାର ଅନ୍ଧକାର ଛାଇଗଲା ବେଳାଭୂମି । ଦୁହେଁ ପୂର୍ବବତ୍ ପ୍ରତ୍ୟାବର୍ତ୍ତନ କଲେ ସ୍ୱ ସ୍ୱ ଗୃହାଙ୍ଗନକୁ ।
ଗ୍ରୀଲ୍ ରୁମ୍‌ରେ ବାଇକ୍‌ଟି ରଖିଦେଇ ଘରଭିତରକୁ ତରତର ହୋଇ ପଶିଆସିଲେ ଦିବାକର । ନିହାରୀକା ଭିନ୍ନ ଏକ ରୂପରେ ଡ୍ରଇଂରୁମ୍‌ରେ ଅପେକ୍ଷାରେ ଥିଲେ । ମେଞ୍ଚେ ସିନ୍ଦୂର, ମୁଠାମୁଠା ଶଙ୍ଖା, ଶାଢ଼ୀ ଓ ଖୋସା ବଦଳରେ ପିନ୍ଧିଥିଲେ ଆଧୁନିକା ଗାଉନ୍‌, ପଟେ ପଟେ ମେଟାଲ୍ ଚୁଡ଼ି ଓ ଲେଜର କଟ୍‌ର କେଶ ବିନ୍ୟାସ । ଏପରି ଆଧୁନିକା ପରିପାଟିରେ ଧର୍ମପତ୍ନୀ ! ଦିବାକର ବିସ୍ମିତ ହେଲେ ସତ, କିନ୍ତୁ ନିଜକୁ ସମ୍ଭାଳି ନ ପାରି ଫେଁ କରି ହସି ଦେଇ ସିଧା ବେଡ୍‌ରୁମ୍ ଭିତରକୁ ଚାଲିଗଲେ ।
ନିହାରୀକା ଦୁଃଖ ମିଶା କ୍ରୋଧିତ ସ୍ୱରରେ କହିଲେ – “ଏମିତିଆ ବେଶରେ ଆମକୁ ଦେଖିଲେ ହସ ମାଡୁଛି । ହେଲେ ଆଉ କିଏ ପିନ୍ଧିଲେ ଆଖିରେ ପଲକ ପଡୁନି । ଛାଡ଼ ! ହେଲେ କଲୋନୀରେ ରବିବାର ସଂଧ୍ୟା ଶୁନ୍‌ଶାନ୍ । କିଏ ସପିଂ ପାଇଁ ମାର୍କେଟ୍ ତ, କିଏ ପିଲାଙ୍କୁ ଧରି ପାର୍କ କି ଫିଲିମ୍ । ପିଲେ କାନ୍ଦି କାନ୍ଦି ବହୁ କଷ୍ଟରେ ବହି ଧରି ବସିଛନ୍ତି । ବାବୁ ରାତିଆଠରେ ଘରେ ପଶି ପୁଣି ବ୍ୟଙ୍ଗଭରା ହସରେ ଅନ୍ୟକୁ ଆଘାତ ଦେଇ କି ଶାନ୍ତି ପାଆନ୍ତି କେଜାଣି?” ତଥାପି କର୍ତ୍ତବ୍ୟ ଦୃଷ୍ଟିରୁ କିଛି ସ୍ନାକ୍‌ସ ପାଇଁ ପଚାରିଲେ । ଦିବାକର ଉଁ ଟୁଁ ନ କରି ପେପର ଧରି ବେଡରୁମ୍‌ରେ ପଢ଼ିବା ଅଭିନୟ କଲେ ।
ଏ ଥିଲା ପରିବାରର ମରୂ ପ୍ରାୟ ଶୂନ୍ୟ ଜୀବନ । ଯେଉଁଠି ସ୍ନେହ, ଶ୍ରଦ୍ଧା, ଭଲପାଇବାର ଖିଏ ବି ପାଉ ନଥିଲେ ନିହାରୀକା । ନିଜ ସ୍ୱାମୀଙ୍କୁ ଆପଣାର କରିବାକୁ ତାଙ୍କ ଶତଚେଷ୍ଟା ବିଫଳ ହୋଇଛି । ବୈବାହିକ ଜୀବନର ଦୀର୍ଘ ଦଶ ବର୍ଷ ପରେ ଦୁଇ ଦୁଇଟା ସନ୍ତାନଙ୍କ ଜନନୀ ହେଲେ ବି, ଦିବାକରଙ୍କ ହୃଦୟ ଜିଣି ପାରିନାହାନ୍ତି ସେ । ସେଇ ଖଟା, ମିଠା, କିଚିରିମିଚିରି ଯୁକ୍ତିତର୍କରେ କଟିଯାଏ ଦିନ ।
ଆଜି ପୁଣି ନିହାରୀକାଙ୍କ ଭିନ୍ନ ଏକ ପ୍ରୟାସ… । ପିନ୍ଧିଛନ୍ତି ଦାମୀ ଚୁଡ଼ିଦାର, ଓଠରେ ଲିପ୍‌ଷ୍ଟିକ୍‌, ସୋଫା ଉପରେ ପେପର ଖଣ୍ଡେ ସହ ଅଭିସାରିକା ସାଜି ଦିବାକରଙ୍କ ଅପେକ୍ଷାରେ..ା ସେଇମିତି ରବିବାରର ବିଳମ୍ବିତ ସଂଧ୍ୟା । ଦିବାକରଙ୍କ ପୂର୍ବଭଳି ବ୍ୟଙ୍ଗୋକ୍ତି – “ଏଭଳି ଆଧୁନିକ ବେଶପୋଷାକ ମୋତେ ଆକର୍ଷିତ କରିପାରୁନାହିଁ ନିହାରୀକା ପ୍ଲିଜ୍ ! ଏଭଳି ପ୍ରୟାସ କରନାହିଁ । ଆହୁରି କଦାକାର ଦେଖାଯାଉଛ ।”
ଏଥର ଆଉ ନିଜକୁ ସମ୍ଭାଳି ପାରିଲେନି ନିହାରୀକା । ଦୁଇ ଚକ୍ଷୁ ଯୁଗଳରୁ ଧାରଧାର ଅଶ୍ରୁ, ବିଚଳିତ ହୃଦୟ, ଅଭିମାନ ତଥା କୋହମିଶା ସ୍ୱରରେ ନିଜ ନାଭିକେନ୍ଦ୍ରରୁ ଉଦ୍‌ଗିରଣ ହେଲା ଲୁ୍‌କାୟିତ ଅନେକ କିଛି ଅକୁହା ବ୍ୟଥା । – “ହଁ ଦିବାକର ! ମୁଁ ଯଦି ତୁମର ଏତେ ନାପସନ୍ଦ ଥିଲି, ତେବେ ମୋତେ ବିବାହ କରି ଏମିତି ତିଳତିଳ ମାରୁଛ କାହିଁକି ? ମୋ ଜୀବନ ସହ ଏମିତି ଖେଳିବାର ଅଧିକାର କିଏ ଦେଇଛି ତୁମକୁ ? ମୁଁ ଜାଣେ ତୁମ ଅଫିସ୍ କଲିକ୍ ସାଗରିକା ଆଜି ବି ତୁମ ପ୍ରେମିକା । ଅଫିସ୍‌ରୁ ସବୁ ଖବର ମୋ ପାଖକୁ ଆସେ । ତୁମ ସାଙ୍ଗମାନେ ମୋତେ ତୁମ ମନ ଜିଣିବାକୁ ଅନେକ ପରାମର୍ଶ ଦିଅନ୍ତି । ହେଲେ ସେ ସବୁ ଶୁଣି ଲଜ୍ୟାରେ ମୋ ମୁଣ୍ଡ ତଳକୁ ହୋଇଯାଏ । ତୁମେ ଏବେ ମୋ ଇହପରକାଳର ଦେବତା । ହୃଦୟରେ ଶ୍ରେଷ୍ଠ ଆସନରେ ବସାଇ ମୁଁ ତୁମର ପୂଜାକରେ । ତୁମ ନାମରେ କିଏ କିଛି କହିଲେ ସବୁଠୁ ମୁଁ ବେଶି କଷ୍ଟପାଏ । ତୁମ ସନ୍ତାନ ଓ ଧର୍ମପତ୍ନୀକୁ ଅଣଦେଖା କରି, ସମାଜରେ ଅଟ୍ଟହାସ୍ୟର ପାତ୍ରଟିଏ ହୋଇ କ’ଣ ଶାନ୍ତି ପାଅ ଯେ ? ଏବେ ବି ସମୟ ଅଛି ଦିବାକର । ପିଲାଙ୍କ ଭବିଷ୍ୟ କଥା ଚିନ୍ତାକର । ଫେରିଆସ ସେ ବିପଥଗାମୀ ରାସ୍ତାରୁ । ଶୂନ୍ୟ ଅତୀତରୁ ।”
କ୍ରୋଧରେ ଫାଟିପଡ଼ିଲେ ଦିବାକର – “ହଁ ହଁ ! ମୋ ଇଚ୍ଛା ବିରୁଦ୍ଧରେ ବାପାଙ୍କ ବାଧ୍ୟ ବାଧକତାରେ ମୁଁ ତୁମକୁ ବିବାହ କରିଛି । ଜାଣନ୍ତୁ ସମସ୍ତେ, କହନ୍ତୁ ମୋ ନାମରେ ଯିଏ ଯାହା । ମୁଁ ଭଲପାଏ ସାଗରିକାକୁ । ପାଇବି ବି ଜୀବନସାରା । ହେଲେ ତୁମର ତ ଅଣଦେଖା କରିନି କେବେ । ପତ୍ନୀର ପରିଚୟ ଦେଲି । ବନ୍ଧୁ ବାନ୍ଧବ, ସାଙ୍ଗସାଥି ସବୁଠି ମିସେସ୍ ଦିବାକର ରୂପେ ପରିଚିତ ହେଲ । ମାତୃତ୍ୱର ଆନନ୍ଦ ପାଇଲ । ଘରଦ୍ୱାର ବାଡ଼ିବଗିଚା ସବୁ ତୁମର । ଦିନରାତି ଖଟିଲି । ଦରମା ସବୁ ତୁମ ହାତରେ ଦେଲି । ଯାବତୀୟ କର୍ତ୍ତବ୍ୟ ସମ୍ପାଦନ କଲି । ମାତ୍ର ଦୁଇଘଣ୍ଟା ମୁଁ ସାଗରିକା ପାଇଁ ଦେବାରେ ତୁମର ଏତେ ଆପତ୍ତି ? ଅଭିଯୋଗ ? ଏତେ ଈର୍ଷା ? ଏତେ ସ୍ୱାର୍ଥପର ହୋଇପାର ତୁମେ ? ସ୍ୱାଧିନ ଭାବେ ନିଜ ଇଚ୍ଛାରେ ବଂଚିବାର ଅଧିକାର ମୋର କ’ଣ ନାହିଁ ?”
ଏମିତି ଅବୁଝା ଅବାଗ ଲୋକକୁ କେମିତା ବା ସଜାଡ଼ିବେ ନିହାରୀକା ! ତଥାପି ଦରଦଭରା କଣ୍ଠରେ କହିଲେ – “ତୁମେ ଏମିତି କେମିତି କହିପାରି ଦିବାକର? ଜଣେ ବିବାହିତା ପତ୍ନୀର ସ୍ୱାମୀ ହିଁ ସବୁକିଛି ହୋଇଥାଏ । ସ୍ୱାମୀର ସୋହାଗ ର୍ହିଁ ମୋର ପୂର୍ଣ୍ଣ ଅଧିକାର । ଦୀର୍ଘ ଦଶବର୍ଷର ତପସ୍ୟା ଓ ମୋ ସୁନା ସଂସାରକୁ ମୁଁ ଏମିତି ଚୁରମାର ହେବାକୁ ଦେବି ନାହିଁ! ତୁମକୁ ପାଇବା ପାଇଁ ନିଜକୁ କେତେ ବଳଦିବାକୁ ଚେଷ୍ଟାକରିଛି ।”
ଏଥର ଦିବାକର ଅଟ୍ଟହାସ୍ୟ କରି ତାଳିମାରି କହିଲେ – “ଓଃ ହୋ ! ତୁମେ ବେଶ ପୋଷାକ ବଦଳାଇବାରେ ପ୍ରେମକୁ ତୁଳନା କର ? ପ୍ରେମର ଯଥାର୍ଥତା ତୁମକୁ ଜଣାଅଛି ?”
କମ୍ପିତ କଣ୍ଠରେ କହିଲେ ନିହାରୀକା – “କ’ଣ କହିଲ ? ମୋତେ ଜଣା ନାହିଁ ପ୍ରେମର ମାନେ । ସ୍ୱାର୍ଥପର ! କାପୁରୁଷ ! ମୋତେ ଶିଖାଇବ ପ୍ରେମର ପରିଭାଷା ? ମୁଁ କବିତା ଲେଖିପାରେନି ସତ… ସମୁଦ୍ର, ଦୂର ଦିଗ୍‌ବଳୟ, ଆକାଶ, ଜହ୍ନ ତାରା ନଈ ପ୍ରକୃତିକୁ ଦେଖି ଭାବବିହ୍ୱଳ ହୋଇ କାଗଜ ଦିହରେ ଉତ୍ତାରି ପାରେନି ସତ, ହେଲେ ମୋର ତ ହୃଦୟଟେ ବୋଲି ଅଛି । ମୁଁ ହୃଦୟଙ୍ଗମ କରିପାରେ, ପଣ୍ଡୁ ରାଜ୍ୟଜୟ କରି ମାଦ୍ରୀଙ୍କ ଯୁଦ୍ଧକୌଶଳ ଓ ରୂପରେ ମୁଗ୍ଧ ହୋଇ ବିବାହ କରି ଦ୍ୱିତୀୟ ପତ୍ନୀ ସହ ହସ୍ତୀନାକୁ ଫେରିଲା ବେଳେ କୁନ୍ତୀଙ୍କ ହୃଦୟର ଯନ୍ତ୍ରଣା । ଅର୍ଜୁନପତ୍ନୀ ଦ୍ରୌପଦୀଙ୍କ ଶରୀରକୁ ପାଞ୍ଚ ଭାଗ କରିବାର ଦୁଃଖ । ଦୁଃଶାସନ ଦ୍ୱାରା ବିବାସନା ହେବାର ଦୁର୍ଭାଗ୍ୟ । ଅନୁସ୍ୱୟାଙ୍କ ସତୀତ୍ୱ, ଅହଲ୍ୟାଙ୍କ ନିରବତା, ସୀତାଙ୍କ ପାତାଳଗମନ, ଗାନ୍ଧାରୀଙ୍କ ଆଜୀବନ ଚକ୍ଷୁବନ୍ଧନ, ସାବିତ୍ରୀଙ୍କ ପତିପ୍ରାଣ ମୋ ଅନ୍ତରକୁ ଆକ୍ତାମାକ୍ତା କରେ ଦିବାକର । ଏମାନେ ମୋର ବଂଶଜ । ଏହି ପୂର୍ବଜଙ୍କ ରକ୍ତ ମୋ ଧମନୀରେ ପ୍ରବାହିତ । ସୃଷ୍ଟି ଆରମ୍ଭରୁ ଏ ଯାଏଁ ପୁରୁଷର ଏକାଧିକ ପତ୍ନୀ ଗ୍ରହଣର ଯନ୍ତ୍ରଣାରେ ଜର୍ଜରିତ ହୋଇଛି ନାରୀଟିଏ ।”
ନଛୋଡ଼ବନ୍ଧା ଦିବାକର ପୁଣି ଏକ ଜଟିଳ ପ୍ରଶ୍ନରେ ଆଘାତ ଦେଲେ ନିହାରୀକାଙ୍କୁ – “ଦେଖ ! ସାଗରିକାର ପ୍ରେମ – ଆଜୀବନ ଅବିବାହିତ ରହିବାର ତା ଦୃଢ଼ ସଂକଳ୍ପ । ତୁମେ ଦେଇପାରିବ ତୁମ ନିଛକ ପ୍ରେମର ପ୍ରମାଣ ?”
“ତୁମେ ପୁରୁଷମାନେ କେବଳ ଜଣେ ନାରୀ ପାଖରୁ ହିଁ ପ୍ରମାଣ ଚାହଁ କାଳେ କାଳେ । ଦୁଇଟି ଝିଅ ସହ ଖେଳୁଥିବା ତୁମ ଭଳି ଜଣେ ସ୍ୱାର୍ଥପର ପୁରୁଷକୁ ମୁଁ ବା ଭଲା କି ପ୍ରମାଣ ଦେବି ? ଦେବି ତ ନିଶ୍ଚିତ ।” ହୃଦୟରୁ ଝରି ଆସୁଥିବା ଆବେଗର ପୂର୍ଣ୍ଣାହୁତି ସମୟ ଥିଲା ସେହି ବେଳ ।
ଦିବାକରଙ୍କ ହାତ ଧରି ଟାଣି ଟାଣି ପୂଜାରୁମ୍ ପାଖକୁ ନେଇଗଲେ ନିହାରୀକା ଓ କହିଲେ- “ତୁମେ ପ୍ରମାଣ ଚାହଁ ? ତେବେ ପଚାର ଏ ମୂର୍ତ୍ତିମାନଙ୍କୁ, କାହା ନାମରେ ମୋ ରାତି ସରେ, ସକାଳ ହୁଏ । କାହାପାଇଁ ମୋ ମଥାରେ ସିନ୍ଦୁର ଓ ହାତର ଶଂଙ୍ଖା ? ଏହିମାନଙ୍କ ପାଖରେ ତୁମକୁ ପାଇବା ପାଇଁ କେମିତି ପ୍ରତିଦିନ ମୁଣ୍ଡପିଟେ, ନିଉଛାଳି ହୋଇ ତୁମ ଶୁଭ ମନାସୀ ଗୁହାରୀ କରେ । ପଚାର ମୋ କିଚେନର ତେଲ, ଲୁଣ, ମସଲା ଡବାମାନଙ୍କୁ…? ତୁମ ଠାରୁ ପଦେ ସ୍ନେହ ଶ୍ରଦ୍ଧା ପାଇବା ପାଇଁ କେମିତି ମରି ମରି ବଂଚେ, ଆଉ ମୁଁ କେତେ ଭଲପାଏ, କେତେ ଚାହେଁ ତୁମକୁ… । ଏ ଘରର ସବୁ କାନ୍ଥବାଡ଼, ଆସବାସ ହଁ ପ୍ରମାଣ ଦେବେ, କେତେ ତତଲା ଝର ନଈଟିଏ ହୋଇ ମୋ ଆଖିକୋଣରୁ ଅନବରତ ବହିଚାଲିଛି । ସାଗରୀକା ମୋ ଭଳି ଝିଅଟିଏ । ତାକୁ ମୁଁ କେବେ ଦୋଷୀ ମନେ କରିପାରିନି । ମୋର ଅନୁରୂପ ଅବସ୍ଥା ତା’ର ବି । ତୁମେ ଜୀବନର ସିଦ୍ଧାନ୍ତ ନେବାରେ ହଡ଼ବଡ଼େଇ ଯାଇଛ । ଯା’ର ପରିଣାମରେ ଆମ ଦୁହିଁଙ୍କର ଏ ଅବସ୍ଥା । ମୁଁ ଯଦି ଟିକିଏ ସୁରାଗ ପାଇଥାନ୍ତି ତେବେ ତୁମ ଦୁହିଁଙ୍କ ମଧ୍ୟରେ କଦାପି ପ୍ରାଚୀର ହୋଇନଥାନ୍ତି ।” କାନ୍ଦି କାନ୍ଦି ମନତଳର ସବୁ ବ୍ୟଥା ଉଗାଳୁଥାନ୍ତି ନିହାରୀକା । ଆଶ୍ଚର୍ଯ୍ୟ ତଥା ହତ୍‌ବାକ୍ ହୋଇ ଅନାଇ ରହିଥାନ୍ତି ଦିବାକର… । ନିହାରୀକାଙ୍କ ପ୍ରତିଟି ବାକ୍ୟ ଯେ ଅପ୍ରିୟ ସତ୍ୟର ପରିପ୍ରକାଶ, ତାହା ହୃଦୟଙ୍ଗମ କରି କେବଳ ଚୁପ୍ ଅଛନ୍ତି ଦିବାକର… ।
ଏଥର ଦିବାକରଙ୍କ ଦୁଇପାଦକୁ ଜାବୁଡି ଅନୁନୟଭରା ସ୍ୱରରେ କହିଲାନିହାରୀକା – “ଏ ଘର, ଟଙ୍କାପଇସା, ସନ୍ତାନ ସବୁ ଦେଇ ତୁମ କର୍ତ୍ତବ୍ୟ ସରିଛି ଯଦି ଭାବୁଛ, ସେ ସବୁ ମୋର କିଛି ବି ଦରକାର ନାହିଁ ଦିବାକର । କେବଳ ତୁମର ସ୍ନେହ, ପ୍ରେମ, ଆତ୍ମୀୟତା, ଭଲପାଇବା ହିଁ ମୋର ଏକାନ୍ତ କାମ୍ୟ । ମୁଁ ସବୁକିଛି ସହିପାରେ, ହେଲେ ମୋ ପ୍ରେମର ବିଭାଜନ ମୁଁ ଜମା ବରଦାସ୍ତ କରିପାରିବି ନାହିଁ । ମୋତେ ତୁମ ହୃଦୟରେ ସ୍ଥାନ ଦିଅ ଦିବାକର । ତୁମ ହୃଦୟରେ, ପ୍ଲିଜ୍ !”
ଅବାରିତ ଅଶ୍ରୁଧାରାରେ ଦିବାକର ଦୁଇପଦ ସିକ୍ତ ହେଉଥାଏ । ନିହାରୀକାଙ୍କ ଅନାବିଳତା ଓ ସବୁ ପ୍ରଶ୍ନରୁ ହାରମାନି, ବିଗଳିତ ହେଲା ତାଙ୍କ ପ୍ରାଣ । ନିହାରୀକାଙ୍କୁ କୁଣ୍ଢ।।ଇ ଧରି, ବାହୁ ବନ୍ଧନରେ ଆବଦ୍ଧ କଲେ ଦିବାକର ଓ କହିଲେ – “ତୁମ ପ୍ରେମ, ଭକ୍ତି ଓ ସମ୍ମାନ ନିକଟରେ ମୁଁ ହାରିଯାଇଛି । ପଛ କଥା ଭୁଲି ମୋତେ କ୍ଷମା କରିଦିଅ ନିହାରୀକା ! କ୍ଷମା କରିଦିଅ !”
ତୃପ୍ତିରେ ଦିବାକରଙ୍କ କୋଳକୁ ଆଉଜିଗଲେ ନିହାରୀକା…ା ଗୃହାଙ୍ଗନରେ ଆନନ୍ଦର ପ୍ରେମଫୁଲ ବର୍ଷୁଥିଲା । ସେପଟେ ଗେଟ୍ ଖୋଲା ହେବାର ଶବ୍ଦରେ ଦୁହେଁ ପ୍ରକୃତିସ୍ଥ ହୋଇ ଚାହାଁନ୍ତେ, ଏକ ନାରୀ ଛାୟାଚିତ୍ର ରାତ୍ରୀର ଘନ ଅନ୍ଧକାର ଭିତରେ କ୍ରମଶଃ ଅଦୃଶ୍ୟ ହେଉଥିଲା ।

ଶ୍ରୀ ଦେବରାଜ ପାଢ଼ୀ, ବ୍ରଜରାଜ ନଗର-୩, ବ୍ରହ୍ମପୁର, ଗଂଜାମ
ଫୋନ୍ : ୯୭୭୮୫୧୪୧୯୮

ଗାଳ୍ପିକା ଜନ୍ମନିଅନ୍ତି ୧୭-୦୬-୧୯୬୩ ଗଂଜାମ ଜିଲ୍ଲା ସୋରଡା ନିକଟସ୍ଥ ବିରାଡି ଗ୍ରାମରେ, ମାତା ଶ୍ରୀମତୀ ସରୋଜିନୀ ପଣ୍ଡା ଓ ପିତା ଶ୍ରୀ ମଦନ ମୋହନ ପଣ୍ଡାଙ୍କ କୋଳମଣ୍ଡନ କରି ।
ଗଳ୍ପ ‘ପତ୍ନୀ ଓ ପ୍ରେମିକା’ ମାଧ୍ୟମରେ ଗାଳ୍ପିକା ଜଣେ ସ୍ତ୍ରୀର ତା’ ସ୍ୱାମୀ ଓ ପରିବାର ପ୍ରତି ସଂପୂର୍ଣ୍ଣ ସମର୍ପିତ ଭାବକୁ ଅତି ସୁନ୍ଦର ଭାବେ ଉପସ୍ଥାପନା କରିଛନ୍ତି । ଅବୈଧ ସଂପର୍କ ଓ ପାରିବାରିକ ପ୍ରେମର ଏକ ତୁଳନାତ୍ମକ କାହାଣୀର ଏ ସଫଳ ରୂପାୟନ ।