ଲେଖକ –ସମ୍ପାଦକ –ସାହିତ୍ଯ ସଂଗଠକ –ପ୍ରକାଶକ-ଶିକ୍ଷା ପ୍ରଶାସକ
ଭାଗିରଥୀ ବେହେରାଙ୍କ ସହ ସାକ୍ଷାତକାର
——————————————————-
ଲେଖକ ପରିଚୟ
ନାମ –ଭାଗିରଥୀ ବେହେରା
ମାତା –ଶ୍ରୀମତୀ ରୁକୁଣା ବେହେରା
ପିତା –ଶ୍ରୀ କପିଳ ବେହେରା
ଜନ୍ମ ତାରିଖ – ୧୨-୦୫-୧୯୭୮
ଜନ୍ମ ସ୍ଥାନ –ଲଙ୍ଗଳେଶ୍ଵର ଗ୍ରାମ, ଖଲ୍ଲିକୋଟ ବ୍ଲକ ,ଗଞ୍ଜାମ ଜିଲ୍ଲା
ବୃତ୍ତି –ପ୍ରଧାନ ଶିକ୍ଷକ ଓ ଇ ଏସ -୨
ପ୍ରକାଶିତ ପୁସ୍ତକ – ଏକା ଏକା ହୃଦୟ ( କବିତା ସଂକଳନ ୨୦୧୫ )
-ମାନବ –ଏକ ଆଦର୍ଶ ଶିକ୍ଷକ ( ଉପନ୍ୟାସ ୨୦୧୬ )
-ତଟଶୂନ୍ୟ ଶୂନ୍ୟତା ( ଗଳ୍ପ ସଂକଳନ ୨୦୧୭ )
-ଅବୈଧ ( ଗଳ୍ପ ସଂକଳନ ୨୦୧୭ )
-ନଦୀର ନାମ ଋତୁମତୀ ( କବିତା ସଂକଳନ ୨୦୧୮ )
-କାଳଜୟୀ କବିତା ( ସଂକଳିତ କବିତା ସଂକଳନ ୨୦୧୮ )
-ବ୍ରହ୍ମପୁର ( ଗଳ୍ପ ସଂକଳନ ୨୦୧୯ )
-ତମେ ନୁହଁ ଭୁଲିବାର ( କବିତା ସଂକଳନ ୨୦୧୯ )
-କବି ଓ ପ୍ରିୟକବି ( ସଂକଳିତ କବିତା ସଂକଳନ ୨୦୧୯ )
-ବିଡମ୍ବିତ ପ୍ରେମର ସହର ( ଉପନ୍ୟାସ ୨୦୧୯ )
-ଗର୍ଭିଣୀ (ଗଳ୍ପ ୨୦୨୦ )
ସମ୍ପାଦନା –କବି ଓ ପ୍ରିୟକବି , କାଳଜୟୀ କବିତା , ଗଳ୍ପ ଗଞ୍ଜାମ
ଅଧକ୍ଷ –ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ
ସମ୍ପାଦକ –ଭାଗୀରଥୀ – କବିତାର ଗଙ୍ଗା
ସମ୍ମାନ – ପେନ ଇନ ଯୁବ ଲେଖକ ସମ୍ମାନ (ଗଳ୍ପ )-୨୦୧୭, ଭୁବନେଶ୍ବର
-ଦିବ୍ୟଧାରା ସାହିତ୍ଯ ସମ୍ମାନ -୨୦୧୮, ପୋଲସରା
-ବ୍ରହ୍ମପୁର ସାହିତ୍ଯ ପରଷଦ ସମ୍ମାନ (ଗଳ୍ପ )-୨୦୧୮,ବ୍ରହ୍ମପୁର
-କବି ନାରାୟଣ ମୁଦୁଲି ଫାଉଣ୍ଡେସନ ତରୁଣ କବି ସମ୍ମାନ –୨୦୧୯ ,କଟକ
-ଦୀକ୍ଷା ପ୍ରତିଭା (ଉପନ୍ୟାସ) ସମ୍ମାନ-୨୦୧୯ , ଭୁବନେଶ୍ବର
-ମହାତ୍ମା ଗାନ୍ଧୀ ପ୍ରତିଭା ସମ୍ମାନ(ସାହିତ୍ଯ ) -୨୦୧୯,କଟକ
-ନାଓ ଅଚିଭେର୍ସ ଏୱାର୍ଡ (ସାହିତ୍ଯ )-୨୦୧୯ ,ଭୁବନେଶ୍ବର
-କଥା କଳିକା ପ୍ରତିଭା (ଗଳ୍ପ ) ପ୍ରୋତ୍ସାହନ ପୁରସ୍କାର -୨୦୧୯ ,ଭୁବନେଶ୍ବର
-ପ୍ରତିଲିପି ସାହିତ୍ଯ (ଗଳ୍ପ )ସମ୍ମାନ -୨୦୨୦, ଓଡିଶା
ମୁଖ୍ୟ ଧାରା -କବିତା , ଗଳ୍ପ , ଉପନ୍ୟାସ ଲେଖନ
ଠିକଣା –ମାଳୀ ସାହି , ବାରିବନ୍ଧ , ଆଙ୍କୁଲି , ବ୍ରହ୍ମପୁର
ଗଞ୍ଜାମ , ଓଡିଶା -୭୬୦୦୧୦, ଫୋନ -୮୨୮୦୨୨୩୬୪୪
ଲେଖକ ପରିଚୟ
ସମ୍ପାଦକ -ପିଲାଦିନରୁ ସାହିତ୍ଯ ସୃଷ୍ଟି ପାଇଁ ପ୍ରଥମେ ଆପଣ କାହାଠାରୁ ପ୍ରେରଣା ପାଇଥିଲେ ? ପିଲାବେଳୁ କିଭଳି ଥିଲା ଆପଣଙ୍କ ଆଗ୍ରହ ?
ଶ୍ରୀ ବେହେରା –ବାପା ଶ୍ରୀ କପିଳା ବେହେରାଙ୍କ କୀର୍ତ୍ତନ ହିଁ ମୋ ଭିତରେ ସାହିତ୍ଯର ବୀଜ ପୋତିଥିଲା । ମୋ ଜନ୍ମମାଟି ଲଙ୍ଗଳେଶ୍ଵରର ଅବସ୍ଥିତି ଓ ପରିପାର୍ଶ୍ଵିକ ପରିବେଶ ହିଁ ମାଟି, ପାଣି, ପବନର କାମ କରିଥିଲା । ସେ ବୀଜକୁ ଅଙ୍କୁରିତ କରିବା ପାଇଁ ମରାଳମାଳିନୀ ଚିଲିକା, ଅପରୂପା ସବୁଜ ପାହାଡ ଭାଲେରୀ, କିମ୍ବଦନ୍ତୀ ମା ନାରାୟଣୀ, ଦେବୀ ଭଗବତୀ ଓ ଶାଳିଆ ଡ୍ୟାମ ଯାହା ଲଙ୍ଗଳେଶ୍ଵର ଚାରିପଟେ ଅଛି ଖୁରାକ ଯୋଗେଇଥିଲେ । ତା ସହ କିଛି କାଳଜୟୀ କବିଙ୍କ କବିତା ଯେମିତି ରେଳ ଉପରେ ଚିଲିକା ଦର୍ଶନ, କାତଧରି ଧୀରେ ନାଉରୀ, ଛୋଟ ମୋ ଗାଁଟି , କଳାମାଣିକ, କେଶବ କୋଇଲି ଅନୁପ୍ରେରିତ କରିଥିଲା । ଆକାଶବାଣୀର ନାଟକ, ଯୁବବାଣୀ, ହିନ୍ଦୀ ଶିବାକା ଓ ବିନାକା ଗୀତିମାଳା, ଗାଁର ଭାଗବତ ଟୁଙ୍ଗୀ ସବୁ ଲେଖିବାକୁ ବାଧ୍ୟ କଲେ । ଭାଗିରଥୀ ବେହେରା ଭିତରେ ଲେଖକଟିଏ ତିଆରି କଲେ ।
ସମ୍ପାଦକ – ଆପଣଙ୍କ ପ୍ରଥମ ପ୍ରକାଶିତ ରଚନାଟି କ’ଣ ଥିଲା ? ଏବଂ ଏହା କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା ?
ଶ୍ରୀ ବେହେରା –ମୋର ପ୍ରଥମ ପ୍ରକାଶିତ ରଚନାଟି ହେଲା ‘ମନ ଓ ବିବେକ‘ ନାମକ ଛନ୍ଦ ବୋଧ କବିତା ଏବଂ ଏହା ଯାଜପୁର ଜିଲ୍ଲାରୁ ଶରତ କୁମାର ଜେନାଙ୍କ ସମ୍ପାଦିତ ‘ଜ୍ଯୋତି‘ ପତ୍ରିକାରେ ପ୍ରକାଶିତ ହୋଇଥିଲା । କିନ୍ତୁ ଯଦି ମୋର ପ୍ରଥମ ରଚନା କଥା କୁହାଯାଏ , ତାହା ଥିଲା ନାଟକ ଯାହା ଅଧାରେ ରହିଗଲା । ଖାତା ହଜିଗଲା । ତା ପରେ ଗଳ୍ପ । ବୋଧେ ସେଥିପାଇଁ ଅନେକ ବର୍ଷର କବିତା ରଚନର ଅଭିଜ୍ଞାତା ପରେ ବି ଗଳ୍ପ ଓ ଉପନ୍ୟାସ ରେ ପରିଚୟ ମିଳିଲା ।
ସମ୍ପାଦକ – ‘ତଟଶୂନ୍ୟ ଶୂନ୍ୟତା‘ ଆପଣଙ୍କୁ ଜଣେ ଗାଳ୍ପିକର ପରିଚୟ ଦେଲା ଏବଂ ହିନ୍ଦୀରେ ‘ବୀରାନ ତଟ‘ ହୋଇ ଜାତୀୟସ୍ତରରେ ପହଞ୍ଚିଲା, ଯାହା ଗର୍ବର କଥା । ଜଣେ ପାଠକ କାହିଁକି ଏ ଗଳ୍ପ ସଂକଳନଟି ପଢିବା ?
ଶ୍ରୀ ବେହେରା –ଜଣେ ଗାଳ୍ପିକ ଭାବେ ମୁଁ ଏତିକି କହିବି ଯେ ସମସ୍ତ ଗଳ୍ପ ଭିନ୍ନ ସ୍ବାଦର । ପାଠକଙ୍କୁ ଲାଗିବା ତାଙ୍କ ଆଖପାଖରେ ଘଟୁଛି । ଯେମିତି ପାଠକେ ନିଜେ ଚରିତ୍ରଟିଏ ହେଇଯାଇଛନ୍ତି । ଏହି ସ୍ଥିତିରେ ହିଁ ଗଳ୍ପ ହୋଇଯାଏ ଜୀବନ୍ତ । ଆଦୃତ କରେ ପାଠକୀୟତା । ତଟଶୁନ୍ୟ ଶୂନ୍ୟତା ଗଳ୍ପରେ ମୋ ନାୟକ ସ୍ଵାଗତ ସ୍ତ୍ରୀଙ୍କ ସ୍ଵର୍ଗବାସ ପରେ ଅଚିହ୍ନା ନାରୀଟିଏ ନିଜ ଘରର ସମସ୍ତ ଖବର ରଖିବା ଯେଉଁଠି ପାଠକଙ୍କୁ ଆଶ୍ଚର୍ଯ୍ୟ କରିବ , ସେଇଠି ‘ସନ୍ନ୍ୟାସର ପଥରେ‘ ଗଳ୍ପର ନାୟକ ମାୟାଧର ଯେତେବେଳେ ସନ୍ନ୍ୟାସ ହେବାକୁ ଆଗକୁ ବଢେ, ସେତେବେଳେ ତ ପଥରେ କ’ଣ ଏମିତି ଘଟିଲା ଯେ ସେ ଫେରିଆସିଲା , ଜାଣିବା ପାଇଁ ପାଠକଙ୍କ ଆଗ୍ରହକୁ ଭିଡିଧରିବ ।
ରହିଲା ହିନ୍ଦୀରେ ଅନୁଦିତ ହେବ କଥା । ପ୍ରକାଶ କରିଛନ୍ତି ଶ୍ରୀ ସାହିତ୍ଯ ପ୍ରକାଶନ, ଦିଲ୍ଲୀ ଓ ସଫଳ ଅନୁବାଦ କରିଛନ୍ତି ଅନୁବାଦିକା ସୁଜାତା ସିବେନ, ଯିଏ ଓଡିଆର ପ୍ରାୟ ପ୍ରତ୍ଯେକ ସଫଳ ଲେଖକଙ୍କ ବହି ଅନୁବାଦ କରିଛନ୍ତି ଯେମିତି ମନୋଜ ଦାସ, ସୀତାକାନ୍ତ ମହାପାତ୍ର, ରମାକାନ୍ତ ରଥ ଆଦି ଅନେକ ।
ସମ୍ପାଦକ –ଉପନ୍ୟାସ ‘ବିଡମ୍ବିତ ପ୍ରେମର ସହର‘ ମନକୁ ଆସିଲା କେମିତି ?
ଶ୍ରୀ ବେହେରା – ଦିନେ ମୁଁ ବର୍ଷା ରାତିରେ ଜଣେ ବୃଦ୍ଧକୁ ଲିଫ୍ଟ ଦେଇଥିଲି । ସେ ଯାତ୍ରାରେ ସେ କହିଥିଲା ତା ଜୀବନର ଦୁଃଖର କାହାଣୀ । ସେ ବର୍ଷାଭିଜା ରାତିରେ ଜଣେ ସାଧାରଣ ସାଂସାରିକ ମଣିଷର ଦୁଃଖସୁଖରେ ମୋ ହୃଦୟ ହୋଇଥିଲା ଓଦା । ତା ପରେ ଭାବିଲି ଯେ, ମୁଁ ତା ଜାଗାରେ ଥିଲେ କ’ଣ କ’ଣ ହେଇଥାନ୍ତା ? ଅନେକ କଳ୍ପନା ଜଳ୍ପନା ପରେ ଏ କାହାଣୀ ସୃଷ୍ଟି ହେଲା । ମୁଁ ଭାବିଥିଲି ଏହାର ନାମ ଲିଫ୍ଟ ରଖିବି । କିନ୍ତୁ ଉପନ୍ୟାସର ନାମକରଣ ଜାତକରେ ଏହା ଲେଖାଥିଲା ଯାହା ରୂପ ନେଇଛି ।
ସମ୍ପାଦକ – ଆପଣଙ୍କ କବିତା ପୁସ୍ତକ ‘ନଦୀର ନାମ ଋତୁମତୀ‘ କବି ନାରାୟଣ ମୁଦୁଲି ଫାଉଣ୍ଡେସନ ପୁରସ୍କାର ପାଇବା ସହ ପାଠକୀୟ ଆଦୃତି ପାଇଛି । ତାହା ସମ୍ବନ୍ଧରେ କୁହନ୍ତୁ ।
ଶ୍ରୀ ବେହେରା – ଏହା ମୋର ପ୍ରଥମ କବିତା ସଂକଳନ ‘ଏକା ଏକା ହୃଦୟ‘ ପରେ ଦ୍ଵିତୀୟ କବିତା ସଂକଳନ ଯେଉଁଥିରେ ସ୍ଥାନିତ ହେଇଛି ୨୦୧୬ ରୁ ୨୦୧୮ ଆରମ୍ଭ ଯାଏଁ ଲେଖା ହୋଇଥିବା ନାରୀ ମନସ୍କ ଅନେକ କବିତା । ନଦୀ ଓ ନାରୀ ପ୍ରାୟତଃ ଚରିତ୍ର ଓ ପ୍ରକୃତିରେ ସମାନ । ନାରୀଙ୍କ ଗଢାଭଙ୍ଗା ଜୀବନକୁ ନେଇ ପ୍ରସ୍ତୁତ ଏ ସଂକଳନ ନଦୀ ମାଧ୍ୟମରେ କୁହାଯାଇଛି । ଭାବ ଓ ଶବ୍ଦ ସରଳ ।
ସମ୍ପାଦକ –କହନ୍ତି ଲେଖକଙ୍କ ଲେଖା ସମାଜ ଉପଯୋଗୀ ହେବା କଥା । ଅନ୍ୟ କିଛି ସାହିତ୍ୟିକ କହନ୍ତି ଲେଖକଙ୍କ ସାମାଜିକ ଦାୟିତ୍ଵ କିଛି ନାହିଂ । ସେମାନେ କେବଳ ନିଜ ପାଇଁ ନିଜ ଆତ୍ମାରୁ ଲେଖନ୍ତି । ଆପଣ କେଉଁ ମତବାଦକୁ ସମର୍ଥନ କରନ୍ତି ? ଆପଣଙ୍କ ଏ ଉପନ୍ୟାସରେ ସାମାଜିକ ଅଙ୍ଗୀକାର ବଦ୍ଧତା ଅଛି କି ?
ଶ୍ରୀ ବେହେରା – ମତବାଦ ଉପରେ ମୋର କିଛି କହିବାର ନାହିଂ । ବିଭିନ୍ନ ମତବାଦ ଦେଉଥିବା ଲେଖକଙ୍କୁ ମୁଁ ପଚାରିବି ଯେ ସେମାନେ ଭାଗବତ, ଗୀତା, ରାମାୟଣ , ପଞ୍ଚତନ୍ତ୍ର କାହିଁକି ପଢନ୍ତି ? କେବଳ କ’ଣ ଆମୋଦ ପ୍ରମୋଦ ପାଇଁ ? ଗୋଟିଏ ଗୋଟିଏ ବହି ବିପ୍ଲବ ଆଣିବାର ଉଦାହରଣକୁ ସେମାନେ ଖଣ୍ଡନ କରିପାରିବେ କି ? ଅର୍ଥାତ ଯଦି ଲେଖକ ସମାଜକୁ ନେଇ ଲେଖେ, ଅତି ଭଲ କଥା । ଯଦି କୌଣସି ଲେଖକ ନ ଚାହେଁ ତଥାପି ତା ଅଜାଣତରେ ସମାଜ ଚାଲିଆସେ ଲେଖାରେ ।
ରହିଲା ମୋ ଉପନ୍ୟାସ କଥା । ଯେତେବଳେ ଚିଲିକାକୁ ନେଇ ଜଳ ଏରୋଡ୍ରମ ଉପରେ ବାଦବିବାଦ ହେଲା, ସେ ପୃଷ୍ଠଭୂମୀରେ ଲେଖା ହୋଇଛି ଉପନ୍ୟାସ । ମୁଁ ନିଜେ ଜାତିରେ ମତ୍ସ୍ୟଜୀବୀ । ଚିଲିକା କୁଳର ପିଲା। ଏ ଉପନ୍ୟାସରେ ପାଠକେ ପାଇବେ ଚିଲିକା ଭିତରେ ଓ ଚାରିକାନି ବଞ୍ଚୁଥିବା ଲକ୍ଷ ଲକ୍ଷ ମଣିଷ, ପଶୁ,ପକ୍ଷୀ , କୀଟ ଓ ପତଙ୍ଗର ଅବସ୍ଥା । ତେବେ ସମାଜ ଆସିଲାନି କି ? ସ୍ତ୍ରୀକୁ ସ୍ଵାମୀ ଛାଡିଦେଲେ କିମ୍ବା ସ୍ଵାମୀ ମରିଗଲେ ଦିଅର ତାକୁ ଗ୍ରହଣ କରେ, ଏହା ବି ମୋ ଉପନ୍ୟାସରେ ଅଛି । ସମାଜ ଆସିଲାନି କି ? ସ୍ତ୍ରୀ ମରିଗଲେ ଶାଳୀକୁ ଗ୍ରହଣ କରାଯାଏ ଯାହା ମୋ ଉପନ୍ୟାସରେ ଅଛି । ସମାଜ ଆସିଲାନି କି ? ତେଣୁ ‘ବିଡମ୍ବିତ ପ୍ରେମର ସହର‘ ର ଅନେକ ମାତ୍ରାରେ ସାମାଜିକ ଅଙ୍ଗୀକାର ବଦ୍ଧତା ଅଛି ପାଠକେ ପଢିଲେ ଜାଣିବେ ।
ସମ୍ପାଦକ –ଆପଣ ଗଳ୍ପ, କବିତା ଓ ଉପନ୍ୟାସ ଲେଖନ୍ତି । କେଉଁ ଦିଗରେ ଲେଖିବା ସହଜ ହୁଏ ?
ଶ୍ରୀ ବେହେରା – ମୋତେ ଉପନ୍ୟାସ ଲେଖିବା ମଜା ଆସେ ଏବଂ ମୁଁ ସହଜ ହୋଇଯାଏ । କାରଣ ଉପନ୍ୟାସର କାନଭାସ ବଡ ଓ ଅନେକ ଚରିତ୍ର ସହ ଖେଳିବାକୁ ମଜା ଲାଗେ । ଯାହା ମୁଁ କବିତାରେ କହିପାରେନା ଗଳପରେ କହେ । ତଥାପି ଯାହା ବାକି ରହିଯାଏ , ଉପନ୍ୟାସରେ କହିଦିଏ ।
ସମ୍ପାଦକ -ଆପଣ ଭାବନ୍ତି କି ଜୀବନ ପାଇଁ ସାହିତ୍ଯ ?
ଶ୍ରୀ ବେହେରା-ଜୀବନରେ ଯିଏ ସାଥିରେ ଥାଏ , ତାହାର ତ ଆବଶ୍ୟକତା ନିଶ୍ଚିତ ଥାଏ । ସାହିତ୍ଯ ରହେନା କି ? ବସ୍ତୁବାଦୀ ଓ ଭୋଗବାଦୀ ଦୁନିଆରୁ ନିଜକୁ ଦୂରେରେ ରଖେ ସାହିତ୍ଯ । ବଞ୍ଚିବାକୁ ଉତ୍ସାହ ଭରିଦିଏ ସାହିତ୍ଯ ।
ସମ୍ପାଦକ –ଆମେ ଜାଣିଲୁ ଆପଣ ଆପଣଙ୍କ ସାହିତ୍ଯ ଅନୁଷ୍ଠାନକୁ ଟ୍ରଷ୍ଟରେ ପରିଣତ କଲେ, ଯାହା ସାହିତ୍ଯ ଜଗତରେ କ୍ଵଚିତ ଦେଖାଯାଏ । ସେ ସମ୍ପର୍କରେ କିଛି କୁହନ୍ତୁ । ଓଡିଶାରେ ଭଲ ନାମ କରୁଛି ଗଞ୍ଜାମର କବିତାଘର ସାହିତ୍ଯ ମଞ୍ଚ , ବ୍ରହ୍ମପୁର ।
ଶ୍ରୀ ବେହେରା –ଗଞ୍ଜାମର କବିତାଘର ସାହିତ୍ଯ ମଞ୍ଚ ୨୦୧୫ ରେ ବ୍ରହ୍ମପୁର ଠାରେ ପ୍ରତିଷ୍ଠିତ ହୋଇଥିଲା ମୋ ଦ୍ବାରା ମୋ ବଡଭାଇ ଡାଃ ରାଜେନ୍ଦ୍ର କୁମାର ବେହେରାଙ୍କ ସହଯୋଗରେ । କେବଳ କବିତା ପାଇଁ ଏ ଅନୁଷ୍ଠାନ କାମ କରେ । ରାଜ୍ୟସ୍ତରୀୟ ସାହିତ୍ଯ ସଭା, ମୁଖପତ୍ର ଭାଗୀରଥୀ କବିତାର ଗଙ୍ଗାର ପ୍ରକାଶନୀ, ବିଭିନ୍ନ ଲେଖକଙ୍କ ବହି ପ୍ରକାଶନ, ସମ୍ବର୍ଦ୍ଧନା ଉତ୍ସବ, ଅର୍ଥ ରାଶି ପ୍ରଦାନ, ଯୁବ ଲେଖନୀକୁ ପ୍ରୋତ୍ସାହନ ଆଦି ପ୍ରତି ବର୍ଷ କାମ କରେ । ଏବେ ଆମେ ଭାଷା ଓ ସାହିତ୍ୟକୁ ନେଇ ଆହୁରି ଭଲ କାମ କରିବା ଉଦ୍ଦେଶ୍ୟରେ ଗଞ୍ଜାମର କବିତାଘର ଲିଟେରାରୀ ଟ୍ରସ୍ଟ ସ୍ଥାପନା କଲୁ ଯାହା ସାହିତ୍ଯ ମହଲରେ ପ୍ରଂଶସିତ ହେଇଛି ଓ ଶୁଭକାମନା ମିଳିଛି । ଗଞ୍ଜାମ ଜିଲାର ଯୁବକବି ଓ ଓଡିଶାର କିଛି ପ୍ରତିଷ୍ଠିତ କବିଙ୍କୁ ନେଇ ପ୍ରକାଶିତ ହୋଇଛି ୩୦୦ ପ୍ରୁଷ୍ଠା ବିଶିଷ୍ଟ କବିତା ଓ ସମୀକ୍ଷା ସଂକଳନ ‘କବି ଓ ପ୍ରିୟକବି -ବର୍ତମାନ କବିତାରେ ଗଞ୍ଜାମରେ ସ୍ଵର, ଆସନ୍ତା ଦଶନ୍ଧିର ସ୍ଵାକ୍ଷର’ । ଏବେ ଗଳ୍ପ କ୍ଷେତ୍ରରେ ଆୟୋଜନ କରିଛୁ ‘ଗଳ୍ପ ଗଞ୍ଜାମ‘ ସଂକଳନ ।
ସମ୍ପାଦକ -ଆପଣ ଜଣେ ଶିକ୍ଷା ପ୍ରଶାସନିକ ଅଧିକାରୀ । ଦାୟିତ୍ଵ ବେଶୀ । କେମିତି ସମୟ ବାହାର କରନ୍ତି ସାହିତ୍ଯ ପାଇଁ ?
ଶ୍ରୀ ବେହେରା -ଯେତେ ବ୍ୟସ୍ତ ଥିଲେ ବି ମୁଁ ପ୍ରତ୍ୟକ ଦିନ କିଛି ଲେଖେ ଓ ପଢେ । ତା ଠୁଁ ଅଧିକ ସମୟ ମିଳିଲେ ସଂଗଠନ କାମ କରେ । ବରଂ ମୁଁ ତ କହିବି ଯେତେ ମୁଁ ସାହିତ୍ଯ କାମ ଅଧିକ କରେ, ସେତେ ମୁଁ ଭଲ ପ୍ରଶାସକ , ଶିକ୍ଷାଦାନ ଓ ଅନ୍ୟ କାମ ଭଲରେ କରିପାରେ । ସେଥିପାଇଁ ତ ଆପଣ ପଚାରିଥିଲେ ଜୀବନ ପାଇଁ ସାହିତ୍ଯ କି ?
ସମ୍ପାଦକ –ଯୁବପିଢୀ ପାଇଁ କିଛି ପଦ ।
ଶ୍ରୀ ବେହେରା –ଚର୍ଚିତ ନୁହଁ ସାଧକ ହୁଅନ୍ତୁ । ଖୁବ ପଢନ୍ତୁ ଏବଂ ନୂତନ ଧାରା ସୃଷ୍ଟି କରନ୍ତୁ । ଅଧିକ ପଢନ୍ତୁ । ନିଜ ଅଞ୍ଚଳ , ଆଖପାଖ ଚତୁପାର୍ଶ୍ବକୁ ପାଖାପାଖି ଜୀବନର ଚରିତ୍ରରୁ ଲେଖା ଖୋଜନ୍ତୁ ଓ ନିଜସ୍ଵ ଲେଖକୀୟ ଶୈଳୀ ତିଆରି କରନ୍ତୁ ।
ସମ୍ପାଦକ – ଲେଖକରୁ ସମ୍ପାଦକ , ସମ୍ପାଦକରୁ ସାହିତ୍ଯ ସଂଗଠକ ଓ ତାପରେ ପ୍ରକାଶକ । ଏ ଯାତ୍ରାକୁ କିଭଳି ଅନୁଭବ କରିଛନ୍ତି ?
ଶ୍ରୀ ବେହେରା – ସବୁ ଠିକ , କିନ୍ତୁ ମୁଁ ପେଷାରେ ସଂପୂର୍ଣ୍ଣ ପ୍ରକାଶକ ନୁହଁ । ଲେଖକର ପ୍ରଥମ ପୁସ୍ତକ , ଉଈ ଲାଗୁଥିବା ପାଣ୍ଡୁଲିପି କିମ୍ବା ନିଜ ପ୍ରିୟ ପରିଚିତ ପରିଜନଙ୍କ ବହି ପ୍ରକାଶ କରିଛି । ଅର୍ଥାତ ପ୍ରେସ, ଡ଼ିଟିପି, ପ୍ରଚ୍ଛଦ, ସମୀକ୍ଷା, ଚିତ୍ରବିଚିତ୍ର, ପୃଫ ଆଦି ରାତି ରାତି ସମୟ ଦେଇ ମୁଁ କରିଛି । ପୁନଶ୍ଚ ପତ୍ରିକାରେ ସମୀକ୍ଷା, ଖବର କାଗଜରେ ସ୍ଥାନ, ଉନ୍ମୋଚନ ଉତ୍ସବ, ପାଠକୀୟତା ଆଦିରେ ଯୋଗ ଦେଇଛି । କିନ୍ତୁ ଜଣେ ପ୍ରକାଶକ ପାଠକ ପାଖରେ ପହଞ୍ଚେଇବାର ବ୍ୟବସ୍ଥା କରେ । ମୁଁ ପରିଚୟ ସୃଷ୍ଟି କରେଇଛି କିନ୍ତୁ ବ୍ୟବସାୟ ଦେଇନି । ତେଣୁ ମୁଁ କହିଛି ମୁଁ ପେଷାରେ ସଂପୂର୍ଣ୍ଣ ପ୍ରକାଶକ ନୁହଁ । ଏ ସବୁ କେବଳ ଗଞ୍ଜାମର କବିତାଘର ପ୍ରତିଷ୍ଠା ଓ ଯୁବପିଢିଙ୍କୁ ଉତ୍ସାହିତ କରିବା ପାଇଁ ଆଗ୍ରହ ଓ ଉଦ୍ୟମ ।
ସମ୍ପାଦକ – ଆପଣଙ୍କ ଅନୁଷ୍ଠାନ ‘ଭାଗୀରଥୀ –କବିତାର ଗଙ୍ଗା‘ ଏକ ବ୍ୟୟ ବହୁଳ ବାର୍ଷିକ ପତ୍ରିକା । କେବଳ ଅର୍ଥ ଅପଚୟ ନୁହଁ କି ?
ଶ୍ରୀ ବେହେରା – ସାହିତ୍ଯ ମୋ ନିଶା । ନିଶା ପୂର୍ତ୍ତି ହେଲେ ଆନନ୍ଦ ମିଳେ । ଯେତିକି ପାରୁଛି କରୁଛି । ଭାବୁନି ଅପଚୟ । କିନ୍ତୁ ବେଳେ ବେଳେ ନିରାଶା ମିଳେ । ଅଣସାହିତ୍ୟିକଙ୍କ ଠାରୁ ସାହିତ୍ୟିକଙ୍କ ଅହଂକାର ଓ ସଂବେଦନା ହୀନ ବ୍ୟବହାର କଷ୍ଟ ଦିଏ । ତଥାପି ସାହିତ୍ଯ ସେବାରେ ଜୀବନ ସମର୍ପିତ । ଶକ୍ତି ଥିବା ଯାଏଁ ପତ୍ରିକା ପ୍ରକାଶନ ଜାରୀ ରହିବ । ଯଦି ଏହା ଅସମ୍ଭବ କେବେ ଲାଗେ ଏବେ ତା ପାଇଁ ୱେବପୋର୍ଟଲ ପ୍ରସ୍ତୁତ । ଯେ କୌଣସି ଉପାୟରେ ଓଡିଆ ସାହିତ୍ଯର ଯାତ୍ରା ଜାରିରହିବ ।
ସମ୍ପାଦକ –ଆପଣଙ୍କ ଭବିଷ୍ୟତ ସାରସ୍ଵତ ଯୋଜନା କ’ଣ ?
ଶ୍ରୀ ବେହେରା –ମୋ ଦ୍ଵାରା ରଚିତ ୩୦୦ ପୃଷ୍ଠାର ଉପନ୍ୟାସ ‘ଦଣ୍ଡମୁକ୍ତ ଅଞ୍ଚଳ’ ଓ ‘ ବିଷ୍ଣୁମାୟା ‘ ଏ ବର୍ଷ ପ୍ରକାଶ କରିବି । ଆମେ ଏଥର ପୁରସ୍କୃତ ବ୍ୟକ୍ତିଙ୍କୁ ଅର୍ଥରାଶି ଦକ୍ଷିଣା ରୂପେ ଦିଆ ଯାଉଛି । ତା’ର ବ୍ୟବସ୍ଥା କରିବାକୁ ହେବ । ମୋ ନବନିର୍ମିତ ଟ୍ରଷ୍ଟ ଦ୍ଵାରା ଅନେକ କାର୍ଯ୍ୟ ଯେମିତି ଭାଷା ସାହିତ୍ଯକୁ ନେଇ ସ୍କୋଲାରସିପ , ପାଠାଗାର ଓ ପୁସ୍ତକ ପ୍ରକାଶନ ଆଦିର ବ୍ୟବସ୍ଥା କରିବା ଆଦି ଅନେକ ଯୋଜନା ଅଛି ।
ସମ୍ପାଦକ –ଗଞ୍ଜାମର କବିତାଘର ପାଇଁ ପଦେ ।
ଶ୍ରୀ ବେହେରା – ଗଞ୍ଜାମର କବିତାଘର ଓଡିଆ ସାହିତ୍ୟ ଜଗତ ପାଇଁ ଏକ ମଜବୁତ ଭିତ୍ତିଭୂମୀ । ଯୁବ ସାହିତ୍ଯକଙ୍କ ହାତ ଧରି ଆଗକୁ ବଢେଇବା ଏବଂ ପ୍ରବୀଣ ସାହିତ୍ୟିକଙ୍କ କୃତ୍ତିକୁ ସମ୍ଭାଳି ରଖି ଭାଷା ଓ ସାହିତ୍ଯର ଗନ୍ତାଘରକୁ ସମୃଦ୍ଧ କରିବା ମୁଖ୍ୟ କାମ । ସମ୍ପାଦନା , ପ୍ରକାଶନା , ଆଲୋଚନା ଓ ସମ୍ବର୍ଦ୍ଧନା ସବୁ କ୍ଷେତ୍ରରେ କାମ କରିବ ଗଞ୍ଜାମର କବିତାଘର ।
-ସମାପ୍ତ-