ସମ୍ପାଦକ – ପିଲାଟି ଦିନରୁ ସାହିତ୍ଯ ସୃଷ୍ଟି ପାଇଁ ପ୍ରଥମେ ଆପଣ କାହାଠୁ ପ୍ରେରଣା ପାଇଥିଲେ ? ପିଲାବେଳୁ କିପରି ଥିଲା ଆଗ୍ରହ ?
ଡାଃ ବେହେରା – ଆମ ଘର ଏକ କଳାର କେନ୍ଦ୍ର । ବାପା ପାଲା ଗାଆନ୍ତି , ବଡ ବାପା ମୃଦଙ୍ଗ , ଏବଂ ତାଙ୍କର ପୁଅମାନେ ପାଳିଆ । ଏପରି ପ୍ରାୟ ୮୨ ଖଣ୍ଡ ପାଲା ବିଷୟ ମୁଖସ୍ଥ କରି ପାରୁଥିଲେ ବାପା । ସେହି ପାଲା ଓ ସଙ୍କୀର୍ତ୍ତନର ଭାଷା ଓ ତର୍କବିତର୍କ ମୋ ମନରେ ଭାଷା ସାହିତ୍ଯ ଆନ୍ଦୋଳିତ କରିଥିଲା । ସେହି ସମୟରେ ଚିତ୍ର ସହ ଛୋଟ ଛୋଟ କବିତା ,ଗଳ୍ପ ପତ୍ରପତ୍ରିକାରେ ଯାହା ଛପାଯାଏ ,ତାହା କାଟି ରଖିଥାଏ ଓ ବେଳେ ବେଳେ ପଢୁଥାଏ । ଅଷ୍ଟମରୁ ଦଶମ ଶ୍ରେଣୀରେ ପଢିଲା ବେଳେ ସାହିତ୍ଯ ବହି ଇଜିଆପ୍ରୋଚ ସିରିଜର ପ୍ରଶ୍ନୋତ୍ତର ଓ ଭାଷାଚାତୁରୀରେ ମୁଁ ଆକୃଷ୍ଟ ହେଇ ପଢୁଥାଏ । ମୋ ଚତୁର୍ପାର୍ଶ୍ୱ , ଚିଲିକା ହ୍ରଦ , ଭାଲେରୀ ପାହାଡ , ଗ୍ରାମ୍ୟ ଦୃଶ୍ୟ ଆଦି ପ୍ରଭାବ ପକେଇବା ସହ ବଡ କବିଙ୍କ କବିତା ସାହିତ୍ଯ ପାଠ ବହିର ଯଥା କାଳିଜାଇରେ ସନ୍ଧ୍ୟା , ମହାନଦୀରେ ଜ୍ୟତ୍ସ୍ନାବିହାର , ଆଶ୍ରମେ ପ୍ରଭାତ ଆଦି ହୃଦୟରେ ଛାପ ଛାଡିଲା । ସେଥିପାଇଁ କେଶପୁର ରାଧାନାଥ ବିଦ୍ୟାପୀଠର ଓଡିଆ ଶିକ୍ଷକ ଶ୍ରୀ ବ୍ରଜବନ୍ଧୁଙ୍କୁ ଶ୍ରେୟ ଦେବି । ତାହା ସହ ମୋ ବଡଭାଇ ପ୍ରହଲାଦ ବେହେରା ଓ ସାନ ଭାଇ ଭାଗିରଥୀ ବେହେରାଙ୍କ ସମ୍ପାଦନାରେ ନୀଡ ଏବଂ ନଈପଠା ପ୍ରକାଶିତ ହେଉଥିଲା , ମୁଁ ତାହା ଆଗ୍ରହରେ ପଢୁଥିଲି । ଘରେ ପ୍ରତିଦିନ ଜଣାଣ , ଭଜନ , ଓଡିଶୀ ଆଦି ହୁଏ ଏବଂ ଖଲ୍ଲିକୋଟ ବ୍ଲକର କିଛି ସାହିତ୍ୟିକ ଘରକୁ ଆସି ଗୋଦାବରୀଶ ମିଶ୍ର , ଅଭିମନ୍ୟୁ ସାମନ୍ତ ସିଂହାର , ନନ୍ଦ କିଶୋର ବଳ , ରାଧାନାଥ ରାୟ ଆଦିଙ୍କ ସାହିତ୍ଯ ଚର୍ଚ୍ଚା ମୋ ଭିତରେ ସାହିତ୍ଯ ସୃଷ୍ଟି କରୁଥିଲା ଏବଂ ପର ସମୟରେ ଗଳ୍ପ , କବିତା ଓ ଉପନ୍ୟାସ ଲେଖିବାର ସାହାଯ୍ୟ କଲା ।
ସମ୍ପାଦକ –ଆପଣଙ୍କ ପ୍ରଥମ ରଚନା କଣ ଓ କେଉଁଥିରେ ପ୍ରକାଶ ପାଇଥିଲା ?
ଡାଃ ବେହେରା – ପ୍ରଥମେ ‘ଜାତି ଜାତକ ଯୌତୁକ’ ନାମକ ଗଳ୍ପଟିଏ ନବମ ଶ୍ରେଣୀରେ ଲେଖିଥିଲି । ଗୋଟିଏ ପ୍ରେମ ଗଳ୍ପ । ତାହା ବ୍ରହ୍ମପୁରରୁ ପ୍ରକାଶିତ ପ୍ରସିଦ୍ଧ ଖବର କାଗଜ ଦୈନିକ ଆଶାର ସାହିତ୍ଯ ପୃଷ୍ଠାରେ ସ୍ଥାନିତ ହୋଇଥିଲା । ଜଣେ ପାଠକ ପଢି କିଣିଆଣି ଦେଇଥିଲା । ମୁଁ ଆତ୍ମହରା ହେଇଥିଲି ଓ ସମସ୍ତଙ୍କୁ ବୁଲି ଦେଖେଇଥିଲି । ସାଙ୍ଗମାନେ ପୁରସ୍କାରରେ ଦେଇଥିଲେ ଗାଁରେ ମିଳୁଥିବା କମଳାକୋଳ ଚକଲେଟ ।
ସମ୍ପାଦକ –କବିତା ସଂକଳନ ‘ ନୀରବତାର ମାନଚିତ୍ର ‘ ଆପଣଙ୍କୁ କବି ହେବାର ପରିଚୟ ଦେଲା । ଉର୍ଦ୍ଦୁରେ ତାହା ‘ଖାମୋସି କା ନାକୁସ ‘ ନାମରେ ଅନୁଦିତ ହୋଇ ଜାତୀୟସ୍ତରରେ ପହଞ୍ଚିଲା । କେଉଁ ବିଶେଷତା ପାଇଁ ପାଠକେ ଏହା ପଢିବେ ?
ଡାଃ ବେହେରା –ନିଜକୁ କେବେ କବି ବୋଲି ଭାବିନି କି କବିର ସଜ୍ଞା ଜାଣିନି । ମୁଁ ଓଡିଆରେ କିଛି ଲେଖିପାରୁଛି ବୋଲି ସର୍ବପ୍ରଥମେ ବ୍ରହ୍ମପୁର ପୁସ୍ତକମେଳା କମିଟି ସଭାପତି ସୁଶାନ୍ତ ଦାଶ କିଛି କବିତା ଓ ଆଲେଖ୍ୟ ତାଙ୍କରି ପତ୍ରିକାରେ ପ୍ରକାଶିତ କଲେ । ସବୁ କବିତାକୁ ପ୍ରକାଶଯୋଗ୍ୟ କହି ଗଞ୍ଜାମର କବିତାଘର ସମ୍ପାଦକ ସାନଭାଇ ଭାଗିରଥୀ ବେହେରା ନୀରବତାର ମାନଚିତ୍ର ରୂପରେଖ ଦେଇ ସାଇ ଯମୁନା ପବ୍ଲିକେସନ୍ସ କଟକରୁ ପ୍ରକାଶିତ କଲା । ଉର୍ଦ୍ଦୁର ପ୍ରସିଦ୍ଧ ଲେଖକ ଅବଦୁଲ ଆଜ୍ଞା ଅନୁବାଦ ପାଇଁ ପ୍ରବର୍ତ୍ତାଇଲେ ଓ ଦିଲ୍ଲୀରୁ ପ୍ରକାଶ କରି ଲକ୍ଷ୍ନୌ , ଗୁଜୁରାଟ , ହାଇଦ୍ରାବାଦ ଆଦି ସାହିତ୍ଯପ୍ରେମୀଙ୍କ ଦ୍ଵାରା ଆଦୃତ କଲେ । ଏହା ମୋ ଭଳି କବିଙ୍କ ପାଠକୀୟ ସ୍ଵୀକୃତି ପାଇଁ ସନ୍ତୋଷଜନକ ଥିଲା । ଜୀବନର ଅନେକ ଅକୁହା କଥା ସହଜରେ କହି ହୁଏନା ଏବଂ ନୀରବତା ହିଁ ତାର ଉପାୟ –ପାଠକେ ଏହି ବିଶେଷତା ପାଇବେ । ତାଙ୍କୁ ଲାଗିବ ତାଙ୍କରି କଥା ହିଁ ଲେଖାହୋଇଛି ।
ସମ୍ପାଦକ –ଦ୍ଵିତୀୟ କବିତା ସଂକଳନ ‘ ଅଙ୍କକଷା ‘ ସନ୍ଦର୍ଭରେ କିଛି କୁହନ୍ତୁ ।
ଡାଃ ବେହେରା –ପ୍ରଥମ ସଂକଳନ ପରେ ମୋର କବିତା ଲେଖିବା ଦୈନିକ ପ୍ରାୟ ହେଲା । ଯେଉଁଠି ଗୋଟିଏ କବିତା ପାଇଁ ପନ୍ଦର ଦିନ ଲାଗୁଥିଲା ସେଇଠି ଅନୁଭବ ଓ ଉତ୍ସାହ ଭାବହେଇ ବହିଲା । ଆମ ଜୀବନରେ ଆମେ ଯାହା କରୁ ତାହା ହିସାବ ମାପଚୁପ ଲାଭ କ୍ଷତି ହେଇ ହୁଏ । ସବୁ କାର୍ଯ୍ୟରେ ଏକ ଅଦୃଶ୍ୟ ଗାଣିତିକ ସୂତ୍ର ସମ୍ମିଳିତ ଥାଏ । ଏହି ଭାବନାକୁ କେନ୍ଦ୍ରୀଭୂତ କରି ଅନେକ କବିତା ହେଲା । ଏହି ସବୁ କବିତା ସାନ ଭାଇ ଭାଗିରଥୀକୁ ଅତି ଆକୃଷ୍ଟ କଲା ଓ ସେ ପ୍ରଚ୍ଛଦଠୁ ଆରମ୍ଭ କରି ସମ୍ପାଦନା ଯାଏଁ ସବୁ ସମ୍ଭାଳି ଆମ ଅନୁଷ୍ଠାନ ଗଞ୍ଜାମର କବିତାଘର ତରଫରୁ ପ୍ରକାଶ କଲା । ଏହା ଏବେ ହିନ୍ଦୀରେ ଅନୁବାଦ ହେଇସାରିଛି । ଖୁବ ଶୀଘ୍ର ପ୍ରକାଶ ହେବ । ମୁଁ ଏତିକି କହିବି ଏହା ମୋ କବିତ୍ଵକୁ ଆଉ ଟିକେ ଆଗକୁ ନେଇଛି ଏବଂ ସମୀକ୍ଷକଙ୍କ ଦ୍ରୁଷ୍ଟି ଆକର୍ଷଣ କରିଛି ।
ସମ୍ପାଦକ –ଆପଣ କବିତା ସହ ଗଳ୍ପ କ୍ଷେତ୍ରରେ ବି ଅଛନ୍ତି । ଏବେ ପ୍ରକାଶିତ ଗଳ୍ପ ବହି ‘ସାମ୍ରାଜ୍ୟର ନକସା’ ତାହାର ପ୍ରମାଣ । ଏହି ସଂକଳନର ପୃଷ୍ଠଭୂମି କଣ ?
ଡାଃ ବେହେରା – ବର୍ତ୍ତମାନ ଗଳ୍ପର ପାଠକ ଅଧିକ । ମୁଁ ଯେଉଁ ଡାକ୍ତରୀ ପେଷାରେ ଅଛି ସେଥିରେ ନିତି ଜୀବନ ଓ ଚରିତ୍ରର କାହାଣୀ ଗାଢା ହୁଏ ଓ ଭଙ୍ଗା ହୁଏ । ତାହା ଗାଳ୍ପିକ ଭାଗିରଥୀ ଠଉରେଇ ବାରମ୍ବାର କହିଲେ ଲେଖିବା ପାଇଁ । କିଛି ପୁରୁଣା ଗଳ୍ପ ଥିଲା । ନୂତନ ଲେଖା ହେଲା । ଦେଖୁ ଦେଖୁ ବାରଟି ଗଳ୍ପର ସଂକଳନ ଚମତ୍କାର ମୁଦ୍ରଣ ହେଇ ପ୍ରକାଶ ପାଇଲା । ବର୍ତ୍ତମାନ ସମାଜରେ ପ୍ରଚଳିତ ହେଉଥିବା ସମ୍ପର୍କର ଜଟିଳତାକୁ ନେଇ ଲେଖା ହୋଇଛି ଅଧିକାଂଶ ଗଳ୍ପ । ଅଦୃତି ବି ପାଇଛି ।
ସମ୍ପାଦକ – ଆପଣ ଭାବନ୍ତି କି ଜୀବନ ପାଇଁ ସାହିତ୍ଯର ଉପଯୋଗୀତା ଅଛି ?
ଡା ବେହେରା – ନିଶ୍ଚିତ । ସାହିତ୍ଯ ଓ ଭାଷା ଏକ ସ୍ଵତନ୍ତ୍ର ପରିଚୟ ଦିଏ, ତାହା ମୋ କ୍ଷେତ୍ରରେ ପ୍ରମାଣିତ ହେଇଛି । ଜଣେ ଡାକ୍ତର ହିସାବରେ ମୋତେ କେବଳ ବ୍ରହ୍ମପୁରରେ ଲୋକେ ଚିହ୍ନନ୍ତି କିନ୍ତୁ ମୋ ଲେଖା ଯୋଗୁଁ ଓଡିଶାର ଅନେକ ଅଞ୍ଚଳର ସାହିତ୍ୟିକ ଜାଣନ୍ତି । ଏହି ସାହିତ୍ଯ ହିଁ ମୋତେ କରୋନା ସମୟରେ ମୃତ୍ୟୁ ମୁଖରୁ ବଞ୍ଚେଇବାର ଔଷଧୀ ଭାବେ କାମ କରିଛି । ଜୀବନରେ ବଞ୍ଚିବା ପାଇଁ ଯେ ସ୍ନେହ , ଶରଧା , ମାନ୍ୟବିକ ମୂଲ୍ଯବୋଧ , ସାହାଯ୍ୟ ସହଯୋଗର ଆବଶ୍ୟକତା ଅଛି ତାହା ସାହିତ୍ଯ ପ୍ରମାଣିତ ବି କରେ ଓ ସହଯୋଗ କରେ ।
ସମ୍ପାଦକ –ଗଞ୍ଜାମର କବିତାଘର ଆଜି ଓଡିଶାରେ ଏକ ସୁନାମଧନ୍ଯ ସାହିତ୍ଯ ଅନୁଷ୍ଠାନ ରୂପେ ପରିଗଣିତ । ଏଥିରେ ଆପଣଙ୍କ ଭୂମିକା କୁହନ୍ତୁ ।
ଡା ବେହେରା – ୨୦୧୫ ରେ ବ୍ରହ୍ମପୁରରୁ ଅନୁଷ୍ଠିତ ଓ କାର୍ଯ୍ୟରତ ଏ ସାହିତ୍ଯ ମଞ୍ଚର ପ୍ରତିଷ୍ଠାତା ଓ ସଭାପତି ରୂପେ ଭୂମିକା ବହନ କରିଛି । ସମସ୍ତ କାର୍ଯ୍ୟ ସାନଭାଇ ଭାଗିରଥୀ ବେହେରା ସମ୍ପାଦକ ରୂପେ ତୁଲେଇ ଥିବା ବେଳେ ଅନେକ ସହଯୋଗ ଓ ନିର୍ଣ୍ଣୟରେ ମୁଁ ଥାଏ । ଏ ମଧ୍ୟରେ ଏହା ଟ୍ରଷ୍ଟ ରୂପେ ପରିଣତ ହୋଇଛି । ଏହା ଏକ ଗୌରବର କଥା । ଅନୁଷ୍ଠାନ ଦ୍ଵାରା ପୁରସ୍କାରରେ ଆର୍ଥିକ ସହଯୋଗ ,ଲେଖକଙ୍କୁ ପ୍ରତ୍ସାହନ , ବରେଣ୍ୟ କବି ଯଥା ଅଜୟ ସ୍ଵାଇଁ , ହିରଣ୍ମୟୀ ମିଶ୍ର , ବିଶ୍ଵ ରଞ୍ଜନ ଆଦିଙ୍କୁ ନିମନ୍ତ୍ରଣ , ପତ୍ରିକା ଭାଗୀରଥୀ କବିତାର ଗଙ୍ଗା , ଉତ୍ସବ , ପୁସ୍ତକ ପ୍ରକାଶନ , ନୂତନ ପିଢୀକୁ ପ୍ରେରଣା , ସାମୟିକ ସଂକଳନ ଯଥା ‘କବି ଓ ପ୍ରିୟକବି’ ଏବଂ ‘ଗଳ୍ପ ଗଞ୍ଜାମ’ ଆଦି ପଦକ୍ଷେପ ସମସ୍ତିଙ୍କ ପ୍ରିୟ ହୋଇପାରିଛି ।
ସମ୍ପାଦକ – ଜଣେ ସଫଳ ଚକ୍ଷୁ ଡାକ୍ତର , ଲେଖକ , ସମାଜସେବୀ ଓ ସାହିତ୍ୟ ସଂଗଠକ । କେମିତି ସମୟକୁ ବିନିଯୋଗ କରୁଛନ୍ତି ?
ଡା ବେହେରା –ଡାକ୍ତରୀ ଓ ସେବା ପାଇଁ ଅନେକ ଜାତୀୟ ଆନ୍ତର୍ଜାତୀୟ ସମ୍ମାନ ମିଳିଛି । ସାହିତ୍ଯ ପାଇଁ ବି ମିଳିଛି । ଅଧ୍ୟାପକ ରୂପେ ବି ଛାତ୍ରଛାତ୍ରୀଙ୍କ ଲୋକପ୍ରିୟତା ମିଳିଛି । ଏ ସବୁର ଅନୁଭବରୁ ଲେଖିବା ପାଇଁ ପୃଷ୍ଠଭୂମି ଓ ପ୍ରେରଣା ମିଳିଛି । ସବୁ ଏଇ ଏକଲା ଜୀବନରେ ଘଟିଲେ ବି ସବୁ ଅଲଗା ଅଲଗା ଓ ବେଳେ ବେଳେ ଫେଣ୍ଟାଫେଣ୍ଟି ଅନୁଭୂତି । ବେଳେ ବେଳେ ହୁଏ , ବେଳେ ହୁଏନା । ତଥାପି ସମୟ ବଳବାନ । କେବେ ସେ ଆଗରେ ,କେବେ ମୋ ପଛରେ ।
ସମ୍ପାଦକ – ଆପଣଙ୍କ ଭବିଷ୍ୟ ସାହିତ୍ୟିକ ଯୋଜନା କଣ ?
ଡା ବେହେରା – ଅଙ୍କକଷା କବିତା ସଂକଳନର ଅନୁବାଦ ମୁଦ୍ରିତ ହେବ । ଉପନ୍ୟାସଟିଏ ସାରିଛି । ଫେସବୁକରେ ଅଧିକ ପାଠକୀୟ କବିତା ଗୁଡିକୁ ନେଇ ସଂକଳନଟିଏ ହେବ । ତାହାକୁ ଇଙ୍ଗ୍ଲିଶରେ ଅନୁବାଦ କରିବାକୁ ହେବ । ସାହିତ୍ଯ ଅନୁଷ୍ଠାନ ଗଞ୍ଜାମର କବିତାଘରର ସଦସ୍ୟ ସଂଖ୍ୟା ବଢେଇ ଅଧିକରୁ ଅଧିକ ସାହିତ୍ୟ ମଞ୍ଚ ଜନ ଆନ୍ଦୋଳନ ପରି ଆୟୋଜିତ କରିବାକୁ ହେବ ।
ସମ୍ପାଦକ –ଯୁବ ପିଢିଙ୍କୁ କିଛି କହିବେ କି ?
ଡା ବେହେରା – ମୁଁ ଭାବିବାରେ ଦଶନ୍ଧି ଦଶନ୍ଧି ଧରି କିଛି ସାଧକଙ୍କ ଅବିରତ ସାଧନା ଯୋଗୁଁ ଓଡିଆ ସାହିତ୍ଯ ଗତିଶୀଳ । ଯୁବ ପିଢି ନିଜ କନ୍ଧକୁ ନେଲେ ଆହୁରି ଆଗକୁ ବଢିବ । ରାତାରାତି ନାମ ଅର୍ଜନ କରିବାର ଲୋଭ ବାଟବଣା କରିବ ଏହା ନିଶ୍ଚିତ । ତେଣୁ ସାବଧାନ । ପ୍ରବଳ ପଢନ୍ତୁ , ନିଷ୍କର୍ଷରେ ପହଞ୍ଚି ନିଜର ସ୍ଵତନ୍ତ୍ର ଧାରା ସୃଷ୍ଟି କରନ୍ତୁ ଏହା ହିଁ କହିବାର କଥା । କେବଳ ସାହିତ୍ୟିକ ନୁହଁ, ସାହିତ୍ଯ ସଂଗଠକ ବି ହୁଅନ୍ତୁ ।