‘ମୋ ଶିକ୍ଷକ ଜୀବନର ସଫଳ ଚାବିକାଠି ହେଉଛି ସାହିତ୍ୟ । ‘
ଶିକ୍ଷୟିତ୍ରୀ ତଥା ଗଞ୍ଜାମର କବିତାଘର ଜିଲ୍ଲାସ୍ତରୀୟ କବିତା ସମ୍ମାନ-୨୦୨୦ ପ୍ରାପ୍ତ କବୀ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ଦେବୀଙ୍କ ସହ ସାକ୍ଷାତକାର –ଭାଗିରଥୀ ବେହେରା
ସମ୍ପାଦକ-ପିଲାଟି ଦିନରୁ ସାହିତ୍ୟ ସୃଷ୍ଟି ପାଇଁ ପ୍ରଥମେ ଆପଣ କାହାଠୁ ପ୍ରେରଣା ପାଇଥିଲେ ? ପିଲାବେଳୁ କିପରି ଥିଲା ଆଗ୍ରହ ?
କବୀ ଜ୍ୟୋତ୍ସ୍ନାରାଣୀ -ସହିତର ଭାବ ହିଁ ସାହିତ୍ୟ । ଆମ ଘର,ଆମ ଗାଁ, ଆମ ବିଦ୍ୟାଳୟ ମୋ ହୃଦୟରେ ସାହିତ୍ୟର ବୀଜ ବପନ କରିଥିଲେ ପରୋକ୍ଷରେ ବାଲ୍ୟକାଳରୁ । ମୋ ନନା ଥିଲେ ଜଣେ ଆଦର୍ଶ ଶିକ୍ଷକ । ଆମର ଯୌଥ ପରିବାର । ଆମ ଘରେ ସର୍ବଦା ଭାଗବତ, ଗୀତା, ବିଭିନ୍ନ ପୁରାଣ ମୋ ନନା , ଦାଦା, ନାନୀ ପାଠ କରନ୍ତି ଓ ଆଲୋଚନା କରନ୍ତି । ନନାଙ୍କ କଣ୍ଠରୁ ବାହାରୁଥିବା ରାମଧୁନ୍, ମନ୍ତ୍ର, ଚଉତିଶାର ପଦାବଳୀ, ବୋଉ ଭାବବିହ୍ଵଳ କଣ୍ଠରେ ଗାଉଥିବା ଲକ୍ଷ୍ମୀପୁରାଣ ଆଦି ମୋ ମନରେ ସଂଗୀତ ଆଉ ସାହିତ୍ୟ ପ୍ରତି ଶ୍ରଦ୍ଧା ଭରିଦେଇଥିଲା । ନନା ଆଣୁଥିବା ମୀନାବଜାର, ଜହ୍ନମାମୁ, ଶିଶୁଲେଖା, ଘରେ ଥିବା ଟୀକା ଗୋବିନ୍ଦଚନ୍ଦ୍ର, ଖୁଲଣାସୁନ୍ଦରୀ ଆଦି ଯେତେ ସବୁ ବହିପାଏ ,ମନ ଲଗାଇ ପଢେ । ଗଳ୍ପ, ଉପନ୍ୟାସ ପାଇଲେ ରାତିସାରା ଡିବି ମୁଣ୍ଡତଳେ ରଖି ପଢୁଥାଏ। ସ୍କୁଲ୍ ସମୟରେ ପଦ୍ୟାନ୍ତର ଖେଳ, ସାଙ୍ଗସାଥିଙ୍କ ଗହଣରେ ସମବେତ ସ୍ଵରରେ ସେହି ମୋ ପ୍ରିୟ ଜନମଭୁଇଁ,ତୁହି ମା’ ଜନମଭୂମି, ଘୁରେ ଆମ ପୁଥିବୀଟା, କାଳିଜାଇରେ ସଂଧ୍ୟା, ରଖେ ସତ୍ୟରେ ଲୟ, ବିଚାର ବିଗିଡିଗଲା ,ମହାନଦୀ,ଗ୍ରୀଷ୍ମ, ପଦ୍ମ,ମହାନଦୀରେ ଜ୍ୟୋତ୍ସ୍ନା ବିହାର, କାଳିଜାଇ ଆଦି କବିତା ଗାନ ବୋଧହୁଏ ସାହିତ୍ୟ ସହ ମୋର ନିବିଡ଼ ସମ୍ପର୍କ ସୃଷ୍ଟି କରିବାର ମୂଳାଧାର ଥିଲା ।
ସମ୍ପାଦକ-ଆପଣଙ୍କ ପ୍ରଥମ ରଚନା କ‘ଣ ଓ କେଉଁଥିରେ ପ୍ରକାଶ ପାଇଥିଲା ?
କବୀ ଜ୍ୟୋତ୍ସ୍ନାରାଣୀ – ପ୍ରଥମତଃ ମଠସରସିଙ୍ଗିରେ ସପ୍ତମ ଶ୍ରେଣୀରେ ପଢୁଥିଲା ବେଳେ ମୋର ବରେଣ୍ୟ ଶିକ୍ଷକ ଶ୍ରୀଯୁକ୍ତ ସୁରେନ୍ଦ୍ର ନାଥ ପ୍ରହରାଜ ଓ ଶ୍ରୀଯୁକ୍ତ ସ୍ଵର୍ଗତ ରାମକୃଷ୍ଣ ମିଶ୍ର ସାହିତ୍ୟ ପଢାଇବା ସମୟରେ କବି ହେବାର ପ୍ରୋତ୍ସାହନ ଦେଇଥିଲେ । ଛୋଟ କବିତାଟିଏ ଲେଖିଥିଲି ସମସ୍ତଙ୍କ ଆଢୁଆଳରେ କିନ୍ତୁ ଦଶମ ପଢିଲାବେଳେ ଶ୍ରୀଯୁକ୍ତ କାହ୍ନୁଚରଣ ଶତପଥି , ଯିଏକି ମୋର ବରେଣ୍ୟ ସାହିତ୍ୟ ଶିକ୍ଷକ, ବୃତ୍ତ,ଛାନ୍ଦ ପଢାଇଲାବେଳେ କବିତା ଲେଖିବାକୁ କହିଥିଲେ, ଆଉ ବଙ୍ଗଳାଶ୍ରୀ ବୃତ୍ତରେ’ମାତୃଭୂମି’ ବୋଲି କବିତାଟିଏ ଲେଖିଥିଲି । ଲାଜରେ କାହାକୁ ଦେଖାଇ ନ ଥିଲି ସାଙ୍ଗସାଥିଙ୍କ ବ୍ୟତୀତ । କିନ୍ତୁ କୋଦଳା କଲେଜ୍ରେ ପ୍ଳସ୍ ଟୁ ପ୍ରଥମବର୍ଷ ପଢ଼ିଲାବେଳେ କାଉନ୍ସିଲ୍ ତରଫରୁ ଓଡ଼ିଆ ଓ ଇଂରାଜୀରେ କବିତା ପ୍ରତିଯୋଗିତା ହୋଇଥିଲା, ସେଥିରେ ‘ବର୍ଷା’ ଓ ‘ଓ ମାଇ ଗଡ୍’ ଦୁଇଟି କବିତା ଲେଖି ପ୍ରଥମ ହୋଇଥିଲି । ତାହା ମୋ ସାହିତ୍ୟ ଜୀବନକୁ ଆଗକୁ ନେଇଥିଲା । କିନ୍ତୁ ଯାହାଙ୍କ ପ୍ରେରଣାରେ ଓ ସହାୟତାରେ ମୋର ପ୍ରଥମ କବିତା ପ୍ରକାଶିତ ହେଲା,ତାଙ୍କୁ ମୁଁ କେବେ ଭୁଲିବିନି । ସେ ହେଉଛନ୍ତି ମୋର ପ୍ରଥମ କର୍ମସ୍ଥଳୀ ବେଲପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପ୍ରଭାକର ମିଶ୍ର । ସେ ମୋ କବିତାଗୁଡିକୁ ପଢି ,ମୋତେ ପ୍ରେରଣା ଦେଇ ମୋର ପ୍ରଥମ କବିତା ‘ଜୀବନ ମରୁ’କୁ ନେଇ ଶ୍ରୀଯୁକ୍ତ ଦେବେନ୍ଦ୍ରନାଥ ଦାଶଙ୍କ ସମ୍ପାଦନାରେ କୋଦଳାରୁ ପ୍ରକାଶିତ ‘ଶ୍ଵେତସଂକେତ’ ପତ୍ରିକାରେ ଛାପିବାକୁ ଦେଇଥିଲେ । ଏହା ମୋତେ ଯେତିକି ବିଭୋର କରି ନଥିଲା, ତା ଠାରୁ ଅଧିକ ଆତ୍ମହରା ହୋଇଥିଲି ଯେତେବେଳେ ମୋ ଶିଶୁ କବିତା ‘ଧାରା ଶିରାବଣ ଆସିଲା ‘ ତାଙ୍କରି ପ୍ରବର୍ତ୍ତନାରେ ମୁଁ ପଠାଇଥିବା ଅନୁପମ ଭାରତ ତରଫରୁ ପ୍ରକାଶିତ ଶିଶୁ ପତ୍ରିକା ‘ସୁମନ’ରେ ସ୍ଥାନ ପାଇଥିଲା ।
ସମ୍ପାଦକ-କବିତା ସଂକଳନ ‘କବିତାକୁଞ୍ଜ’ ଆପଣଙ୍କୁ କବି ହେବାର ପରିଚୟ ଦେଲା । ଏହାର କେଉଁ ବିଶେଷତ୍ୱ ରହିଛି ?
କବୀ ଜ୍ୟୋତ୍ସ୍ନାରାଣୀ –‘କବି ହୋଇଗଲେ ସମସ୍ତ ଲୋକ, ରବି ହେବେ ଜ୍ୟୋତିରିଙ୍ଗିଣ ପୋକ।‘ ତେଣୁ ମୁଁ ଯେ କବି ହେବି, ଏକଥା ମନରେ ନେଇ କେବେ ଲେଖିନି । ଭଗବାନଙ୍କ କୃପା ଅଛି ବୋଲି କିଛି ଲେଖିଚାଲିଛି ବୋଧହୁଏ । ସ୍ଵତଃସ୍ଫୁର୍ତ୍ତ ଭାବରେ ଅନ୍ତର ଭେଦି ଯେଉଁ ପଦ ସବୁ ବାହାରି ଆସେ ଆଉ ଲେଖନୀ ଧରିବାକୁ ବାଧ୍ୟ କରେ ,ତାକୁବା କେମିତି ରୋକି ହେବ ? ନିଦରେ ଶୋଇଥିଲାବେଳେ, ଗାଧୋଇଲା ବେଳେ, ଶୌଚାଳୟରେ, ରୋଷେଇ ସମୟରେ ବା ଅନ୍ୟାନ୍ୟ କାମ କଲାବେଳେ ଯାହାସବୁ ହୃଦୟ ଫଟାଇ ବାହାରି ଆସେ, ତାହା ଈଶ୍ଵରଙ୍କ ବରଦାନ ବୋଲି ଭାବିନେଇଛି । ତେଣୁ ସାହିତ୍ୟ ଜୀବନର ଶୈଶବ ମୁହୂର୍ତ୍ତରେ ଜୀବନ, ପ୍ରକୃତିକୁ ନେଇ ଲେଖିଥିବା ତେପନଟି କବିତାକୁ ନେଇ ଆତ୍ମପ୍ରକାଶନ କଲା କବିତାକୁଞ୍ଜ ୨୦୦୪ରେ । କୌଣସି ସାହିତ୍ୟିକ ଙ୍କ ସହ ଯୋଗଯୋଗର ଅଭାବ ହେତୁ ହେଉ ବା ଅନ୍ୟାନ୍ୟ ଅସୁବିଧା ଯୋଗୁଁ ହେଉ ତାକୁ ମୁଁ ବେଶୀ ଦୂର ପହଞ୍ଚାଇ ପାରିଲି ନାହିଁ । ତଥାପି ଅନେକ ପ୍ରଶଂସକ ଯେପରିକି ବିଶିଷ୍ଟ ସାହିତ୍ୟିକ ହୟଗ୍ରୀବ ତ୍ରିପାଠୀ, ତତ୍କାଳୀନ କୋଦଳା ବ୍ୟାଙ୍କ ମେନେଜର୍ ମୋ କବିତା ପଢି ବହୁ ପ୍ରଶଂସା କରିଥିଲେ । ଏଥିରେ ପ୍ରକାଶିତ ସର୍ବଂସହା କବିତାଟି ପାରଳାଖେମୁଣ୍ଡିରୁ ପ୍ରକାଶିତ ‘ସିଦ୍ଧାନ୍ତ’ ପତ୍ରିକାର ସଂପାଦକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଫାସି କବି ସମ୍ମିଳନୀରୁ ଚୟନ କରି ନେଇ ସ୍ଥାନିତ କରିଥିଲେ, ଯାହା ମୋ ପାଇଁ ଗୌରବର ବିଷୟ ଥିଲା ।
ସମ୍ପାଦକ-ଦ୍ଵିତୀୟ କବିତା ସଂକଳନ ‘ଚୁନାଚୁନା ସ୍ଵପ୍ନ’ ବିଷୟରେ କିଛି କୁହନ୍ତୁ ।
କବୀ ଜ୍ୟୋତ୍ସ୍ନାରାଣୀ –‘ଚୁନାଚୁନା ସ୍ଵପ୍ନ’ ଏକ ଶିଶୁ କବିତା ସଂକଳନ । ଏଥିରେ ପ୍ରକାଶିତ ପ୍ରତ୍ୟେକ କବିତା ଜୀବନ ଲାଭ କରିଛି ପିଲାଙ୍କ ଦ୍ଵାରା ଆଦୃତ ହୋଇ । ଏଥିରେ ପ୍ରକାଶିତ ‘ଧାରା ଶିରାବଣ ଆସିଲା’ ଅନୁପମ ଭାରତ ତରଫରୁ ପ୍ରକାଶିତ ପାକ୍ଷିକ ଶିଶୁ ପତ୍ରିକା ସୁମନରେ, ପରିସୀମା ପୁରୀରୁ ପ୍ରକାଶିତ ବାନରସେନାରେ ପ୍ରକାଶିତ ହୋଇ ଓଡ଼ିଶାର କୋଣ ଅନୁକୋଣରୁ ପ୍ରଶଂସାର ବାର୍ତ୍ତା ମୋ ପାଇଁ ଶୁଭେଛୁମାନଙ୍କ ଠାରୁ ଆଣିଥିଲା, ଯାହାଙ୍କୁ କେବେ ମୁଁ ଦେଖିନି, କିନ୍ତୁ ଚିଠିଗୁଡିକ ସାଇତି ରଖିଛି ଆଜିଯାଏ । ଶିକ୍ଷା ସଚିବ ଶ୍ରୀମତୀ ଉଷା ପାଢୀଙ୍କ ନିର୍ଦ୍ଦେଶ କ୍ରମେ ୨୦୧୩ରେ ପ୍ରଥମ ଓ ଦ୍ଵିତୀୟ ପାଇଁ ସ୍ଵତନ୍ତ୍ର ଶିକ୍ଷକ ବାଛିବା ନିଷ୍ପତ୍ତିରେ ସହକର୍ମୀ ତଥା ପ୍ରଧାନ ଶିକ୍ଷକଙ୍କ ଅନୁରୋଧରେ ଦ୍ଵିତୀୟ ଶ୍ରେଣୀର ଦାୟିତ୍ୱ ନେଇ ଯେଉଁ ସବୁ ସକ୍ରିୟାତ୍ମକ କାର୍ଯ୍ୟ କରିଥିଲି,ତାହା ଏହି ବହିର ଅର୍ଦ୍ଧେକ ମଣ୍ଡନ କଲା ।ଶିକ୍ଷକ ମହଲ ତଥା ଛାତ୍ରଛାତ୍ରୀଙ୍କ ଦ୍ଵାରା ଏହା ଆଦୃତ ହୋଇପାରିଛି,ତା ଛଡା ନିକଟରେ ଶିଶୁ ସାହିତ୍ୟିକ ଶ୍ରୀ ସୁଦାମ ପାଣିଗ୍ରାହୀ ତଥା ନବୀନର ସହ ସଂପାଦକ ଶ୍ରୀ ସୁଶାନ୍ତ କର ସାରଙ୍କ ଦ୍ଵରା ମଧ୍ୟ ଏହା ପ୍ରଶଂସିତ ହୋଇଛି । ଯଦି ଏହା ଆଗକୁ ଯାଇପାରେ ତେବେ ବହୁ ଛାତ୍ରଛାତ୍ରୀ କବିତା ମାଧ୍ୟମରେ ଶିକ୍ଷା ଲାଭ କରିପାରିବେ ।
ସମ୍ପାଦକ-ଆପଣ କବିତା ସହ ଗଳ୍ପ କ୍ଷେତ୍ରରେ ବି ଅଛନ୍ତି । ପ୍ରକାଶିତ ଗଳ୍ପ ବହି ‘ନରମ ମାଉଁସ କରମ କଥା’ ଓ ‘ସାଉଁଟା ସପନେ ରୂପେଲି ଜହ୍ନ’ ତାହାର ପ୍ରମାଣ । ଏହି ସଂକଳନଗୁଡିକର ପୃଷ୍ଠଭୂମି କ’ଣ ?
କବୀ ଜ୍ୟୋତ୍ସ୍ନାରାଣୀ -ପିଲାମାନେ ଗପ ପ୍ରିୟ । ତେଣୁ କୋଦଳାରୁ ପ୍ରକାଶିତ ଶିଶୁ ପତ୍ରିକା ‘ମାଣିକ’ରେ ସମ୍ପାଦିକାଙ୍କ ଅନୁରୋଧ କ୍ରମେ ମୁଁ ଦୁଇଟି ଶିଶୁ ଗଳ୍ପ ଦେଇଥିଲି । ତାହା ପିଲାଙ୍କ ଆଦର ଲାଭ କରିଥିଲା, ମୋର କର୍ମଭୂମି ବଦଳିବା ପରେ ଆଉ ମୁଁ ଯୋଗାଯୋଗ ରଖିପାରିଲିନି କିମ୍ବା ଗଳ୍ପ ଆଡକୁ ମନ ଦେଇ ନ ଥିଲି ଜଞ୍ଜାଳ ହେତୁ । ୨୦୧୩ରେ ଯେତେବେଳେ ମୁଁ ବିଦ୍ୟାଳୟର ଦାୟିତ୍ଵରେ ଥିଲି ସେତେବେଳେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଥମିକ ବିଦ୍ୟାଳୟ ପାଇଁ ଗୋଟିଏ ଆଉ ଉଚ୍ଚ ପ୍ରାଥମିକ ପାଇଁ ଦୁଇଟି ବହି ପ୍ରକାଶନ ହେବ ବୋଲି ନିର୍ଦ୍ଦେଶ ଆସିଲା ଯେଉଁଗୁଡିକ ଛୋଟଛୋଟ ଗପର ସମାହର ହେବ। ପରସ୍ପରର ସଂପୃକ୍ତି ଥିବ। ବିଷୟଭିତ୍ତିକ ହୋଇଥିବ । ପାଠ ଶେଷରେ ପ୍ରଶ୍ନ ଥିବ ପୁଣି ନିଯୁକ୍ତି ଭିତ୍ତିକ, ସଂସ୍କୃତି ମୂଳକ କିମ୍ବା ଭିନ୍ନକ୍ଷମ ଅକ୍ଷମ ନୁହନ୍ତି ଏହା ଆଧାର ଥିବ। ଏସବୁକୁ ଆଖିଆଗରେ ରଖି ବିଦ୍ୟାଳୟ ପାଇଁ ପ୍ରଥମଟିରେ ଛତୁଚାଷ, ଦ୍ଵିତୀୟଟିରେ ଭିନ୍ନକ୍ଷମ ନ୍ୟୁନ ନୁହଁନ୍ତି, ଏହା ଉପରେ ଲେଖିଥିଲି ଶିଶୁ ମନଲାଖି ଗଳ୍ପ ସମୂହ । କିନ୍ତୁ ତାର ଅଧିକ ପ୍ରକାଶନ ଏଯାଏଁ କରିପାରିନାହିଁ ।
ସମ୍ପାଦକ-ଆପଣ ଭାବନ୍ତି କି ଜୀବନ ପାଇଁ ସାହିତ୍ୟର ଉପଯୋଗିତା ଅଛି ?
କବୀ ଜ୍ୟୋତ୍ସ୍ନାରାଣୀ -ନିଶ୍ଚୟ, । କାରଣ ସାହିତ୍ୟକୁ ଛାଡିଲେ ଜୀବନ ନାହିଁ । ଉଭୟେ ପରସ୍ପର ଓତଃପ୍ରୋତ ଭାବେ ଜଡିତ । ସାହିତ୍ୟ ମୋତେ ବଞ୍ଚିବାର ରାହା ଦେଖାଇଛି । ମୋ ଶିକ୍ଷକ ଜୀବନର ସଫଳ ଚାବିକାଠି ଇଏ । ତର୍କ ହେଉ ବା ଭାଷଣ, ଗୀତ ହେଉ ବା ନୃତ୍ୟ, ପ୍ରବନ୍ଧ ହେଉ ବା ନାଟକ ଆବୃତ୍ତି ହେଉ ବା ଏକକ ଅଭିନୟ ପିଲା ମୋତେ ସବୁଠି ଖୋଜିଛନ୍ତି । ମୋ ଲେଖାକୁ ନେଇ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପର୍ଯ୍ୟନ୍ତ ଯାଇ ସଫଳତା ପାଇଛନ୍ତି । ସ୍ଵାଗତ ସଭା ହେଉ ବା ବିଦାୟକାଳୀନ ,ସବୁଠି ସ୍ଵାଗତ ବା ବିଦାୟକାଳୀନ ସଂଗୀତଟିଏ ମାଗିଛନ୍ତି । ଦେଶାତ୍ମବୋଧକ ବା ଭଜନ ବା ଅନ୍ୟକିଛି ସାମ୍ପ୍ରତିକ ସମସ୍ୟାକୁ ନେଇ କବିତାଟିଏ ସେମାନେ ଯେତେବେଳେ ଚାହିଁଛନ୍ତି,ମୁଁ ତାଙ୍କ ଆଶା ପୂରଣ କରିବାକୁ ଚେଷ୍ଟା କରିଛି । ସେମାନଙ୍କ କୁନିକୁନି ମୁଖରେ ଉତ୍ସାହ, ହସ ମୋତେ ଅଫୁରନ୍ତ ପ୍ରେରଣା ଦେଇଛି । ସେମାନଙ୍କ ମୋ ପ୍ରତି ଯେଉଁ ପ୍ରଗାଢ଼ ବିଶ୍ଵାସ ରହିଛି, ହୁଏତ ତାହା ମୋ ଜୀବନକୁ ଆଗକୁ ବଢାଇଛି ସାହିତ୍ୟକୁ ରସାଣିତ କରି । ଛାତ୍ରଛାତ୍ରୀ ହୁଅନ୍ତୁ ବା କୌଣସି ବ୍ୟକ୍ତବିଶେଷ ଯେତେବେଳେ ଲେଖାଟିଏ ମାଗନ୍ତି, ପରୋକ୍ଷରେ ହେଲେ ମଧ୍ୟ ସାହିତ୍ୟ ମୋତେ ଆଗକୁ ଟାଣିନେଇଛି ।
ସମ୍ପାଦକ-ଗଂଜାମର କବିତାଘର ଆଜି ଓଡ଼ିଶାର ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ । ଏଥିରେ ଆପଣଙ୍କ ଭୂମିକା କୁହନ୍ତୁ ।
କବୀ ଜ୍ୟୋତ୍ସ୍ନାରାଣୀ – ଗଂଜାମର କବିତାଘର ମୋତେ ଏକ ନୂଆ ପରିଚୟ ଦେଇଛି । ଏହା ମୋ ଜୀବନର ଏକ ମାଇଲଖୁଣ୍ଟ ଓ ଦୀପଦଣ୍ଡି ସଦୃଶ । ଏହାର ପଟ୍ଟପୁରୋଧା ଆଉ ସଂପାଦକ ଶ୍ରୀଯୁକ୍ତ ଭାଗିରଥି ବେହେରା ଜଣେ ଅନନ୍ୟ ବ୍ୟକ୍ତିତ୍ଵ । ଗୁଣ ଚିହ୍ନେ ଗୁଣିଆ ପରି ସେ ଗୋପାଳପୁର ସାହିତ୍ୟ ସମ୍ମିଳନୀରେ ମୋର କବିତା ଆବୃତ୍ତିରେ ମୁଗ୍ଧ ହୋଇ ମୋର ପରିଚୟ ପଚାରିଥିଲେ । ତା ପରଠାରୁ ମୁଁ ଗଂଜାମର କବିତାଘର ସହ ସଂଶ୍ଳିଷ୍ଟ । ବର୍ତ୍ତମାନ ମୁଁ ଏହାର ଆଜୀବନ ସଦସ୍ୟ ‘କାଳୀଝିଅ’ କବିତା ପାଇଁ ଏହି ଅନୁଷ୍ଠାନ ମୋତେ ଜିଲ୍ଲାସ୍ତରୀୟ ସମ୍ମାନରେ ସମ୍ମାନିତ କରିଛି ଯାହା ମୋ ଜୀବନର ଏକ ଅବିସ୍ମରଣୀୟ ମୁହୂର୍ତ୍ତ । ଏହି ସଂଗଠନ କାଳଜୟୀ ହେଉ, ବିଶ୍ଵର କୋଣ ଅନୁକୋଣରେ ଆପଣା ସୁରଭି ବିତରଣ କରୁ ଏହା ମୋର କାମ୍ୟ । ଏହା ଦ୍ଵାରା ପରିଚାଳିତ ଗଳ୍ପଗଂଜାମରେ ମଧ୍ୟ ମୁଁ ସଂଶ୍ଳିଷ୍ଟ । ତେଣୁ ସମ୍ମିଳିତ ଉଦ୍ୟମରେ ଏହାକୁ ଆଗକୁ ବଢାଇବାରେ ଆମେ ପ୍ରୟାସ କରିବୁ ।
ସମ୍ପାଦକ-ଜଣେ ସଫଳ ଶିକ୍ଷୟିତ୍ରୀ, ସାହିତ୍ୟିକା ଆଉ ସୁଗୃହିଣୀ । କେମିତି ସମୟକୁ ବିନିଯୋଗ କରୁଛନ୍ତି?
କବୀ ଜ୍ୟୋତ୍ସ୍ନାରାଣୀ – ସାହିତ୍ୟ, ଶିକ୍ଷା, ଜୀବନ ଅସ୍ଥିମାଂସ ପରି ,କ୍ଷୀରନୀର ପରି ସଂଶ୍ଳିଷ୍ଟ । ଲେଖା ଭିତରେ ପିଲାଙ୍କ ଭଲପାଇବା, ସ୍ନେହ, ସମ୍ମାନ ସାଉଁଟିଛି । ପାଖ ହାଇସ୍କୁଲ୍ରୁ ପିଲା ଯେତେବେଳେ ଛୁଟି ଆସନ୍ତି ମୋ ପାଖକୁ ଲେଖା ପାଇଁ ହେଉ ବା ପାଠ ପାଇଁ ବା ସୁଖଦୁଃଖ ବାଣ୍ଟିବା ପାଇଁ , ମୋ ଜୀବନର ସାର୍ଥକତା ସେଇଠି ମିଳିଯାଏ । ସମୟ ସରିଯାଏ କିପରି ଜାଣିହୁଏନି । ରୁଟି ସେକିଲାବେଳେ ହେଉ ବା ପରିବା କାଟିଲାବେଳେ ଅଥବା ଶୋଇଥିଲାବେଳେ ଲେଖା ଯଦି ମନକୁ ଚାଲିଆସିଲା, ଲେଖିଦିଏ, ନଚେତ୍ ସେ ହଜିଯାଏ । ପରେ ଲେଖିବି ଭାବିଲେ ରଙ୍ଗ ତାର ବଦଳିଯାଏ । ଏସବୁ ମଧ୍ୟରେ ପୁଅଝିଅଙ୍କୁ ପାଠ ପଢାଇବା, ଘରକାମ ସବୁ ମଧ୍ୟରେ ସନ୍ତୁଳନ ରଖିବା ଟିକିଏ କଷ୍ଟ ହୁଏ । ତଥାପି ଏ କଷ୍ଟରୁ ହିଁ ତ ମୋତେ କୃଷ୍ଣ ମିଳିଛି । ଇନର୍ ହୁଇଲ୍ କ୍ଳବ୍ ତରଫରୁ ବେଷ୍ଟ ଟିଚର୍ ଆୱାର୍ଡ ହେଉ ବା ଗଂଜାମର କବିତାଘର ତରଫରୁ ସମ୍ମାନ ହେଉ , ଏ ସବୁ ସାଧନାର ଫଳ ।
ସମ୍ପାଦକ-ଆପଣଙ୍କ ଭବିଷ୍ୟ ସାହିତ୍ୟ ଯୋଜନା କଣ?
କବୀ ଜ୍ୟୋତ୍ସ୍ନାରାଣୀ – ଲେଖା ତ ଜାରି ରହିଛି । ବର୍ତ୍ତମାନ ଆଉ ଏକ କବିତା ସଂକଳନ ତଥା ଗଳ୍ପ ସଂକଳନର ପ୍ରସ୍ତୁତି ଚାଲିଛି । ଶିଶୁ ସାହିତ୍ୟ ବି ଚାଲିଛି । ଗୋଟିଏ ଭଜନ ଜୀବନ୍ୟାସ ପାଇଛି ବନଜା ମିଶ୍ରଙ୍କ କଣ୍ଠରେ । ଆଗକୁ ଅଧିକା ପ୍ରୟାସ କରିବି ଭାବୁଛି । ଆଗକୁ ଉପନ୍ୟାସ ତଥା କାବ୍ୟ ଲେଖିବାର ଲକ୍ଷ୍ୟ ରଖିଛି । ପ୍ରଭୁଙ୍କ ଇଛା, କେତେବାଟ ଟାଣୁଛନ୍ତି । ବର୍ତ୍ତମାନ ବିଭିନ୍ନ ସାହିତ୍ୟ ଗ୍ରୁପ୍ରୁ ମୋ ଲେଖା ଚୟନ କରି ଓଡ଼ିଶାର କୋଣ ଅନୁକୋଣରୁ ସଂପାଦକଗଣ ନେଇ ନିଜ ପତ୍ରିକା ଯେପରିକି ଅମୃତବିନ୍ଦୁ, ସାଇସ୍ମୃତି, ନବୀନ ଇତ୍ୟାଦିରେ ସ୍ଥାନିତ କରୁଛନ୍ତି,ଏହା ମୋତେ ବଞ୍ଚିବାର ରାହା ଦେଖାଉଛି ।
ସମ୍ପାଦକ-ଯୁବପୀଢିଙ୍କୁ କିଛି କହିବେ?
କବୀ ଜ୍ୟୋତ୍ସ୍ନାରଣୀ -ଯୁବପିଢି ହେଉଛନ୍ତି ଦେଶର ତଥା ସାହିତ୍ୟର ଭବିଷ୍ୟତ । ସେମାନଙ୍କୁ ଏତିକି କହିବାକୁ ଚାହିଁବି ଯେ ସେମାନେ ଏମିତି ଲେଖା ଲେଖନ୍ତୁ, ଯାହା ସରସ, ସୁନ୍ଦର, ସାବଲୀଳ ହୋଇପାରୁଥିବ, ବନାନଗତ ତ୍ରୁଟି ନଥିବ, ମୂଲ୍ୟବୋଧଭିତ୍ତିକ ହୋଇଥିବ । ସମାଜକୁ ଦିଗ୍ଦର୍ଶନ ଦେବା ସଙ୍ଗେସଙ୍ଗେ ସମାଜରୁ ଅପରାଧ ,ଅନ୍ଧବିଶ୍ୱାସ, କୁସଂସ୍କାର ଦୂର କରିପାରୁଥିବ । ଆମ ଐତିହ୍ୟ, ପରମ୍ପରା, ସଂସ୍କୃତି ଆଦିକୁ ସମୃଦ୍ଧ କରିପାରୁଥିବ । ସମସ୍ୟା ସମାଧାନର ପଥ ନିରୂପଣ କରିପାରୁଥିବ । ସମ୍ମାନ ପଛରେ ନ ଗୋଡାଇ, ତୋଷାମଦ ନ କରି ନିଜ ସୃଷ୍ଟି ପାଇଁ ସାଧନା ଜାରି ରଖିଲେ ସମ୍ମାନ ଦିନେ ଆପେ ଆସି ତାଙ୍କ ନିକଟରେ ପହଞ୍ଚିବ ।