-ପ୍ରତ୍ଯେକ ଶବ୍ଦ ମୋ ପାଇଁ ଅମ୍ଳଜାନ ଓ ପ୍ରତ୍ୟେକ ବହି ମୋର ଆୟୁଷ ।
ଶିକ୍ଷାବିତ , ସାହିତ୍ଯ ସଂଗଠକ ତଥା ମାଲକାନଗିରିର ମାଟି ମନସ୍କ କବି ଶ୍ରୀ ବଳରାମ ପୂଜାରୀଙ୍କ ସହ ସାକ୍ଷାତକାର –ଭାଗିରଥୀ ବେହେରା
ସମ୍ପାଦକ – ପିଲାଟି ଦିନରୁ ସାହିତ୍ୟ ସୃଷ୍ଟି ପାଇଁ ପ୍ରଥମେ ଆପଣ କାହାଠାରୁ ପ୍ରେରଣା ପାଇଥିଲେ ?
କବି ବଳରାମ -ସର୍ବ ପ୍ରଥମେ ମୋ ଜନ୍ମଭୂମି କୁଡୁମୁଲୁଗୁମ୍ମା ଓ ମାଲକାନଗିରି ମାଟିକୁ ଆଭୂମ ପ୍ରଣାମ । ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତାମାନଙ୍କୁ ପ୍ରଣାମ । ସତ କହିବାକୁ ଗଲେ ମାଲକାନଗିରି ମାଟି ହେଉଛି ସୃଜନର ମନ୍ତ୍ରମଗ୍ନା ମାଟି । ଏଇଠି ପ୍ରକୃତି ଓଜାଡି ଦେଇଛି ବିଭୋର ହେବାପାଇଁ ଅନେକ କିଛି । ଏହାର ମାଟିରେ ଜନ୍ମ ହୋଇ ମୁଁ ନିଜକୁ ଧନ୍ୟ ମନେକରୁଛି । ପିଲାଟି ଦିନରୁ କୁଡୁମୁଲୁଗୁମ୍ମା ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ ସମୟରେ ମୋର ପୂଜ୍ୟ ନମସ୍ୟ ଗୁରୁ ସ୍ୱର୍ଗତ ଗୌରାଂଗ କୁମାର କରଙ୍କ ବହୁମୁଖୀ ପ୍ରତିଭାରେ ଆକର୍ଷିତ ହୋଇଛି । ପିଲାଟି ବେଳରୁ ବିଦ୍ୟାଳୟରେ ପ୍ରବନ୍ଧ, ଭାଷଣ ଓ ବାର୍ଷିକ ଉତ୍ସବରେ , ନାଟକ ସଂଗୀତରେ ଭାଗନେଇ କାଳକ୍ରମେ ସାହିତ୍ୟକୁ ଭଲପାଇ ବସିଛି । ସରକାରୀ ଉଚ୍ଚ ବିଦ୍ୟାଳୟ, କୁଡୁମୁଲୁଗୁମ୍ମାରେ ପଢିବା ସମୟରେ ମୋର ସାହିତ୍ୟ ଶିକ୍ଷକ ଶ୍ରୀ ଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ,ଯାଜପୁରଙ୍କ ଗଭୀର ପ୍ରଭାବ ମୋ ଉପରେ ପଡିଛି । ସେ ମୋତେ ସାହିତ୍ୟ ମନସ୍କ ହେବା ପାଇଁ ଉତ୍ସାହିତ କରିଥିଲେ । ତା ପରେ ଐତିହାସିକ ଡି ଏ ଭି କଲେଜ, କୋରାପୁଟରେ ଅଧ୍ୟୟନ ସମୟରେ ମୋର ପୂଜ୍ୟ ଓଡିଆ ଭାଷା ଓ ସାହିତ୍ୟର ଅଧ୍ୟାପକ ଡଃ କୁମରମଣୀ ସାହୁଙ୍କ ଓଡିଆ ଉପସ୍ଥାପନା ମୋତେ ଆକର୍ଷଣ କଲା । କଲେଜ ମାଗାଜିନ୍ରେ ମୋର ଏକ ପ୍ରଥମ କ୍ଷୁଦ୍ର ଗଳ୍ପ ପ୍ରକାଶ ପାଇଥିଲା । ତାପରେ କୁଡୁମୁଲୁଗୁମ୍ମା ଡାରୱିନ୍ ସ୍ମାରକୀ ଯୁକ୍ତ ଦୁଇର ଓଡିଆ ଭାଷା ଓ ସାହିତ୍ୟର ଅଧ୍ୟାପକ ଶ୍ରୀ ଯୁକ୍ତ ନିରଂଜନ ସ୍ୱାଇଁ ମୋତେ କବିତା ଲେଖିବାକୁ ଉତ୍ସାହିତ କଲେ । ମୋର ପ୍ରଥମ କବିତା ନିର୍ଝରିଣୀ ସାହିତ୍ୟ ସଂସଦ ,କୁଡୁମୁଲୁଗୁମ୍ମାରେ ‘ସାହିତ୍ୟ ବଞ୍ଚିଛି ଝୁଲାମୁଣିରେ’ ପ୍ରକାଶିତ ହୋଇଥିଲା । ତାପରେ ମାଲ୍ୟାଣୀ ,ମାଲକାନଗିରି ପତ୍ରିକାର ସଂପାଦକ ଶ୍ରୀ ଯୁକ୍ତ କିଶୋର ଚନ୍ଦ୍ର ପ୍ରଧାନ ମୋର ଏକ କବିତା ‘ସଂହାର ସଂହିତା’ ପ୍ରକାଶ କରିଥିଲେ । ସତ କହିବାକୁ ଗଲେ ଏ ସାମଗ୍ରିକ ବିକାଶ ପାଇଁ ଏ ସମସ୍ତ କାରକ କାରଣ ହୋଇ ଉଭା ହୋଇଛନ୍ତି ।।
ସମ୍ପାଦକ -ପ୍ରଥମ କବିତା ସଂକଳନ ‘ଶବ୍ଦବ୍ରହ୍ମ’ ସଂପର୍କରେ ସାହିତ୍ଯ ପ୍ରେମୀଙ୍କୁ କିଛି ମନ୍ତବ୍ୟ ରଖନ୍ତୁ ।
କବି ବଳରାମ – ମୋର ପ୍ରଥମ କବିତା ସଂକଳନ ‘ଶବ୍ଦବ୍ରହ୍ମ’ ମୋ ପାଇଁ ଏକ ଦିବ୍ୟ ଅନୁଭବ । ମୋ କୁଡୁମୁଲୁଗୁମ୍ମା ଗ୍ରାମର ସମସ୍ତ ବଂଧୁ, ଶିକ୍ଷକ ଭାଇ ସର୍ବୋପରି ମୋ ସହଧର୍ମିଣୀ ଶ୍ରୀମତି ପୁଷ୍ପାଞ୍ଜଳୀ ରଣା ମୋତେ ଉତ୍ସାହ ଓ ପ୍ରେରଣା ଯୋଗାଇଲେ କବିତା ସଂକଳନଟିଏ କରିବା ପାଇଁ । ସେତେବେଳେ କେମିତି କଣ ଛପାହୁଏ, କେଉଁଠି କଣ ହୁଏ ମୁଁ କିଛି ଜାଣି ନ ଥିଲି । ଥରେ ବ୍ରହ୍ମପୁର ରେ ଆମେ ସସ୍ତ୍ରୀକ ବଜାରରେ ବୁଲିବା ବେଳେ ପୁରୁଣା ବସଷ୍ଟାଣ୍ଡର ଜଣେ ବହି ଦୋକାନୀ ଭାଇଙ୍କୁ ଅନୁରୋଧ କଲି ମୋ ବହି ପ୍ରକାଶନ ନିମନ୍ତେ । ସେ ମୋତେ ସିଦ୍ଧବୀର ଅଫସେଟ, ବ୍ରହ୍ମପୁରର ସୁମୀତ ପାଣିଗ୍ରାହୀଙ୍କୁ ଯୋଗାଯୋଗ କରିବାକୁ ରାସ୍ତା ବତାଇଦେଲେ । ମୋ ଭାଗ୍ୟ ଭଲ ସେ ବହିଟିକୁ ଛାପିବାକୁ ରାଜି ହେଲେ ଏବଂ ମୁଁ ନିଜସ୍ୱ ଖର୍ଚ୍ଚରେ ବହି ଛାପି ମାଲକାନଗିରି ଜିଲ୍ଲାର ଓଡିଶା ସାହିତ୍ୟ ଏକାଡେମୀର ସଭ୍ୟ ଶ୍ରୀ ଯୁକ୍ତ ରତ୍ନାକର ଦାଶଙ୍କ ପ୍ରଚେଷ୍ଟା ଓ ସହାୟତାରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ମାନ୍ୟବର ମାଲକାନଗିରି ବିଧାୟକ ଶ୍ରୀ ଯୁକ୍ତ ମାନସ ମାଡକାମୀ ସାର୍ ଓ ଜିଲ୍ଲା ପରିଷଦ ସଭାପତି ଦଶରଥ ପଡିଆମି ଏବଂ ସମ୍ମାନୀୟ ଜିଲ୍ଲାପାଳ ମାଲକାନଗିରି ଶ୍ରୀ ଯୁକ୍ତ ମନିଷ୍ ଅଗ୍ରୱାଲ୍ ଙ୍କ କରକମଳରେ ଫକୀରମୋହନ ଜନ୍ମ ଜୟନ୍ତୀରେ ଉନ୍ମୋଚନ ହୋଇଥିଲା । ସେତେବେଳେ ମାଲକାନଗିରି ଜିଲ୍ଲାର କୋଣ ଅନୁକୋଣରେ ‘ଶବ୍ଦବ୍ରହ୍ମ’ ପହଞ୍ଚିଥିଲା ତଥା ମୋ ସାହିତ୍ୟିକ ବଂଧୁ ମାନଙ୍କ ପ୍ରଚେଷ୍ଟାରେ ଓଡିଶାରେ ପରିବ୍ୟାପ୍ତ ହୋଇ ମାଲକାନଗିରି ମାଟିର ଗୌରବ ବଢାଇଥିଲା ।
ସମ୍ପାଦକ – ଦ୍ୱିତୀୟ କବିତା ସଂକଳନ ‘ମେଘଲଗ୍ନା’ କରିବା ପଛରେ କ’ଣ କବ୍ଯିକ ମନସା ଥିଲା ?
କବି ବଳରାମ – ସତରେ ସାର୍ ! ‘ଶବ୍ଦବ୍ରହ୍ମ’ର ବହୁ ସଂଖ୍ୟାରେ ପ୍ରସାରଣ ପରେ ଦ୍ୱିତୀୟ କବିତା ସଂକଳନ ‘ମେଘଲଗ୍ନା’ କରିବାକୁ ମନସ୍ଥ କଲି ଏବଂ ଭୂବନେଶ୍ବରରେ ଇଭେନ୍ଟସ୍ ପ୍ରକାଶନର ସମ୍ମାନନୀୟ ସତ୍ୱାଧିକାରୀ ବରିଷ୍ଠ ସାହିତ୍ୟିକ ତଥା କଥାକାର ଶ୍ରୀଯୁକ୍ତ ପ୍ରକାଶ ମହାପାତ୍ରଙ୍କ ଭେଟ ହେବାର ସୁଯୋଗ ମିଳିଲା । ସେ ମୋତେ ସଠିକ୍ ମାର୍ଗଦର୍ଶନ ଦେଇ ଉଚ୍ଚକୋଟିର କବିତା ସବୁ ସଂଲଗ୍ନ କରି ମେଘଲଗ୍ନା ପ୍ରକାଶନ କଲେ । ଡାରୱିନ୍ ସ୍ମାରକୀ ଡିଗ୍ରୀ ମହାବିଦ୍ୟାଳୟର ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ କଲେଜର ସଂପାଦକ ତଥା ଅଧ୍ୟାପକ ଶ୍ରୀ ଯୁକ୍ତ ଅଶୋକ କୁମାର ପ୍ରଧାନ, କୁଡୁମୁଲୁଗୁମ୍ମାର ସମ୍ମାନନୀୟ ସମାଜସେବୀ ତଥା ସାମ୍ବାଦିକ ଶ୍ରୀ ଭଗବାନ ସାହୁଙ୍କ ଉଦ୍ୟମରେ ମାଲକାନଗିରି ଜିଲ୍ଲା ଶାଖା ଓଡିଶା ସାହିତ୍ୟ ଏକାଡେମୀ ର ସଭ୍ୟ ଶ୍ରୀ ଯୁକ୍ତ କିଶୋର ଚନ୍ଦ୍ର ପ୍ରଧାନ ସାର୍ କଂ କରକମଳରେ ‘ମେଘଲଗ୍ନା’ ଉନ୍ମୋଚନ ହେଲା । ଆମାଜନ୍ରେ ସର୍ବାଧିକ ବିକ୍ରୟର ମାନପତ୍ର ପାଇବା ସହ ସମଗ୍ର ଓଡିଶା ଓ ଓଡିଶା ବାହାରେ ଥିବା ପ୍ରବାସୀ ବଂଧୁମାନଙ୍କୁ ମୁଁ ‘ମେଘଲଗ୍ନା’ ଉପହାର ସ୍ୱରୂପ ପଠାଇଲି । ବର୍ତ୍ତମାନ ମାଲକାନଗିରି ମାଟିର କଥା ଓ ବେଦନାର ଗଭୀର ଅନ୍ତଃନାଦର ମନଃସ୍ତତ୍ଵକୁ ଆତ୍ମପ୍ରକାଶ ଅପେକ୍ଷାରେ ମୋର ତୃତୀୟ କବିତା ସଂକଳନ ‘ମାଟିମଗ୍ନା’ ଇଭେନ୍ଟସ୍ ପବ୍ଲିକେଶନ୍ ଭୂବନେଶ୍ବରରେ ।
ସମ୍ପାଦକ -ଜୀବନ ପାଇଁ ସାହିତ୍ୟର ଉପଯୋଗିତା କେମିତି ଅନୁଭବ କରନ୍ତି ?
କବି ବଳରାମ -ଜୀବନର ଅନ୍ୟ ନାମ ବା ସଂଜ୍ଞା ଯଦି ଆମେ ନିରୂପିତ କରିବା ତେବେ ମୋ ମତରେ ସାହିତ୍ୟ ହିଁ ହୋଇପାରେ । କାରଣ ମୋ ସାମଗ୍ରିକ ବଞ୍ଚି ଆସିଥିବା ଜୀବନ ପ୍ରବାହ ସାହିତ୍ୟ ହିଁ ହୋଇପାରେ । ପ୍ରତ୍ୟେକ ଦିନ କିଛି ଭଲ ପତ୍ରିକା ଓ ବହି ପଢିବା ସହ କବିତା ଟିଏ ଲେଖିବା ମୋର ଅଭ୍ୟାସ ହୋଇଯାଇଛି । ସାମାଜିକ ଜନଜୀବନକୁ ପ୍ରଭାବିତ କରିବ ର କ୍ଷମତା କେବଳ ସାହିତ୍ୟ ପାଖରେ ଅଛି ।ଏଣୁ ମୁଁ କହିବି ପ୍ରତ୍ଯେକ ଶବ୍ଦ ମୋ ପାଇଁ ଅମ୍ଳଜାନ ଓ ପ୍ରତ୍ୟେକ ବହି ମୋର ଆୟୁଷ ।
ସମ୍ପାଦକ -ଗଞ୍ଜାମର କବିତାଘର ସହ କେମିତି ଯୋଡିହେଲେ ?
କବି ବଳରାମ -ସାମାଜିକ ଗଣମାଧ୍ୟମରେ ଆସିବା ପରେ ଗଞ୍ଜାମର କବିତାଘର, ବ୍ରହ୍ମପୁର ସଂପର୍କରେ ଆସିଲି ଏବଂ ଏହାର ପ୍ରତିଷ୍ଠାତା ଡଃ ରାଜେନ୍ଦ୍ର ବେହେରାଙ୍କ ସାନ୍ନିଧ୍ୟ ସହ ସମ୍ମାନୀୟ ସଂପାଦକ ତଥା ଶିକ୍ଷା ପ୍ରଶାସକ, ବରିଷ୍ଠ ସାହିତ୍ୟିକ, କଥାକାର, କବି ଏବଂ ସଜଲ ଭଳି ଏକ ବୈଭବମୟ ନୂତନ କବିତା ଶୈଳୀ ସୃଷ୍ଟି କରିଥିବା ସ୍ରଷ୍ଟା ଶ୍ରୀ ଯୁକ୍ତ ଭଗିରଥୀବେହେରାଙ୍କ ସହ ବ୍ରହ୍ମପୁରରେ ଭେଟିବାକୁ ସୁଯୋଗ ପାଇଲି । ଏହି ସାରସ୍ବତ ଅନୁଷ୍ଠାନଟି ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଛି । ବିଶେଷ କରି ନୂଆ ପ୍ରତିଭାକୁ ସୁଯୋଗ ସୃଷ୍ଟି କରିବା ଓ ତାଙ୍କ ଲେଖାକୁ ମାନ୍ୟତା ପ୍ରଦାନ କରି ରାଜ୍ୟସ୍ତରୀୟ ଉତ୍ସବରେ ସଂବର୍ଧିତ କରିବା । ସତରେ ଶୃଙ୍ଖଳାଗତ ଦୃଷ୍ଟି କୋଣରୁ ସମଗ୍ର ରାଜ୍ୟରେ ଏକ ଭଲ ସାହିତ୍ୟ ଅନୁଷ୍ଠାନ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ ।
ସମ୍ପାଦକ –ସାହିତ୍ୟରେ ଅନେକ ସମ୍ମାନରେ ସମ୍ମାନୀତ ଆପଣ । ଜଣେ ଶିକ୍ଷକ ଓ ସାହିତ୍ୟକ ଭାବରେ କିପରି ସମୟକୁ ବିନିଯୋଗ କରନ୍ତି ?
କବି ବଳରାମ – ଜଣେ ପ୍ରାଥମିକ ଶିକ୍ଷକ ଭାବରେ ପିଲାଙ୍କ ଶିକ୍ଷାଦାନ କାର୍ଯ୍ୟକ୍ରମକୁ ବିଶେଷ ସମୟ ଦିଏ । ପିଲାଙ୍କ ଗୁଣାତ୍ମକ ଶିକ୍ଷା ଓ ନୈତିକ ଗୁଣାବଳୀ ନିମନ୍ତେ ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ ରଖି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥାଏ । ବଳକା ସମୟକୁ ସାହିତ୍ଯର ପରିବର୍ଦ୍ଧନ ନିମନ୍ତେ କାର୍ଯ୍ୟକ୍ରମ କରେ । ମୋ ରୁଚିର ଗଳ୍ପ , ପ୍ରବନ୍ଧ ପଢିବା ସହ କବିତା ଲେଖିବାକୁ ଭଲପାଏ । ମାଲକାନଗିରି ମାଟିର କଥା ଓ ବେଦନାମୟ କାହାଣୀକୁ ସମଗ୍ର ରାଜ୍ୟବାସୀଙ୍କୁ ଜଣେଇବାର ପ୍ରଚେଷ୍ଟା ଜାରୀ ରଖେ ।
ସମ୍ପାଦକ – ଓଡିଆ ଭଷା ଓ ସାହିତ୍ୟକୁ ନେଇ ଆପଣଙ୍କ ଭବିଷ୍ୟତ ଯୋଜନା କଣ ?
କବି ବଳରାମ– କୁଡୁମୁଲୁଗୁମ୍ମା ଠାରେ ଆଦିବାସୀ ଭାଷା ଓ ସାହିତ୍ଯର ଏକ ଗବେଷଣା କେନ୍ଦ୍ର ସ୍ଥାପନା ସହ ବନ୍ଦେ ଉତ୍କଳ ଜନନୀ ନାମରେ ଏକ ପାଠାଗାର କରିବାର ଇଚ୍ଛା ଓ ଯୋଜନା ଅଛି ।
ସମ୍ପାଦକ – ସାହିତ୍ଯର ଯୁବ ପିଢିଙ୍କୁ କଣ ବାର୍ତ୍ତା ଦେବେ ?
କବି ବଳରାମ– ଯୁବ ପିଢି ସାହିତ୍ଯ ମନସ୍କ ହୁଅନ୍ତୁ । ଓଡିଆ ଭାଷା ସହ ଆଦିବାସୀ ସଂସ୍କୃତି , ଲିପି , ପରମ୍ପରାକୁ ବଜାୟ ରଖିବାକୁ ଉଦ୍ୟମ କରନ୍ତୁ । ମାଲକାନଗିରି ପରି ଅନେକ ପାହାଡିଆ ଦୁର୍ଗମ ଅଞ୍ଚଳର କଥା ତାଙ୍କରି ସାହିତ୍ୟରେ ସ୍ଥାନିତ ହେଲେ ଦୃଷ୍ଟି ଆକର୍ଷଣ ହେବ ଓ ମାତୃଭୂମି ମାତୃଭାଷାର ସମୃଦ୍ଧି ହେବ । ମାଲକାନଗିରି ମାଟିରୁ ପ୍ରଣାମ ।