ରୁଦ୍ଧ କାରାଗାର / ଭାଗିରଥୀ
ଦୁର୍ବଳ ଯେତେ ବଳ ଅବୟବ, ମୃତସମ ଶିରା ପ୍ରଶିରା
କେଉଁ ବାଟ ଦେଇ ବହିଯିବି ସଖୀ, ରକ୍ତ ପ୍ରେମ ହରା ।
ତମେ ଦେଉଥିଲ ମନକୁ ସୁଖ, ଦେହକୁ ଉର୍ବର ଖାଦ୍ୟ
ଚାଲିଗଲା ପରେ ତୁମର ସାନ୍ନିଧ୍ୟ, ହୃଦୟ ଟାଙ୍ଗର ସଦ୍ୟ
ଚନ୍ଦନ ପରାଏ ବୋଳି ହେଉଥିଲ, ଦେହେ ଅମୃତ ଝରା
ପଙ୍କିଳ ଆଜି ଅପଥର ପଥ, ତୁମବିନା ଲାଗେ ସର୍ବହରା ।
ଗୃହବନ୍ଦୀ ଆଜି ଚିତ୍କାର କରୁଛି, କେଉଁଠି ଗୋ ତୁମ ବାସ
ମୁକ୍ତ ବି ତମେ ନୁହଁ ପ୍ରିୟତମା, କେମିତି ବାନ୍ଧୁଛ ନିଃଶ୍ଵାସ
ମୋ ପାଇଁ ଯେତେ ରୁଦ୍ଧ କାରାଗାର, ତମ ପୂଣ୍ୟ ମନ୍ଦିର
କହିକି ପାରିବ ଦୃଶ୍ୟ କି ଅଦୃଶ୍ୟ, କିଏ କାହା ଆପଣାର ।
ବିଳାପ ଧ୍ଵନୀ ଛାତିକୁ କାଟେ, ବିଚ୍ଛେଦ ପାଷାଣ ପ୍ରହାରେ
ମରି ଯାଉଯାଉ ବଞ୍ଚିବା ବାଟ, ଖୋଜିବାକୁ ହୁଏ ଗୁପ୍ତରେ
ନିସ୍ଵ ନୁହଁ ପରସ୍ପର ପ୍ରେମ, ଦୂରତା ଯେତେ ବି ବଢୁଥାଉ
ବିଶ୍ବାସ ମାଟିରେ ହୃଦୟ ବୃକ୍ଷ, ଆମ କୋଳେ ବଞ୍ଚୁଥାଉ ।