ଗଳ୍ପ -ଶରତ ହେମନ୍ତ ବସନ୍ତ
ଗାଳ୍ପିକ -ଭାଗିରଥୀ ବେହେରା
ଆଜି ପାଗ ସଂପୂର୍ଣ୍ଣ ଭିନ୍ନ ଥିଲା………………… ।
ଶରତ ପାଇଁ………… ।
ହେମନ୍ତ ପାଇଁ………. ।
ବସନ୍ତ ପାଇଁ………… ।
ସମୁଦ୍ରକୂଳ ପାଇଁ…… ।
ବନ୍ଧୁତ୍ଵ ପାଇଁ …………।
ଏବଂ ବନ୍ଧୁ ମାନଙ୍କର ପ୍ରେମିକାମାନଙ୍କ ପାଇଁ… ।
ରେଶମ ସହର ବ୍ରହ୍ମପୁର । ବ୍ରହ୍ମପୁରରୁ ସାତ କିଲୋମିଟର ଦୂରେ ସାମୁଦ୍ରିକ ସହର ଗୋପାଳପୁର । ମେ ଫେୟାର ହୋଟେଲରୁ ଟିକେ ଆଗକୁ ଗଲେ ନିର୍ଜନ ଝାଉଁବଣ । ପ୍ରେମୀଯୋଡା ମାନଙ୍କ ପାଇଁ ଚିରାଚରିତ ଏକ ନିର୍ଜନ ମିଳନସ୍ଥଳୀ । ବ୍ରହ୍ମପୁର ଏବଂ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ଛାଟିପିଟି ହେଉଥିବା ବିଦଗ୍ଧ ପ୍ରେମିକ ପ୍ରେମିକାଙ୍କ ଏକ ମାତ୍ର ସାହାରା ।
ଆଜିର ପାଗ ସଂପୂର୍ଣ୍ଣ ଭିନ୍ନ ଥିଲା । ଢେଉ ଉଚ୍ଛନ୍ନ ନଥିଲା । ନୋଳିଆ ବସ୍ତିର କୌଣସି ଡଙ୍ଗା ଦେଖା ଯାଉନଥିଲା । ଖରାବେଳ’, କିନ୍ତୁ ଉଦୁଉଦିଆ ନଥିଲା । ଏକାନ୍ତ ସ୍ଥାନରେ ପ୍ରେମିଯୋଡାଙ୍କ ଦର୍ଶନ ହେଉ ନଥିଲା । ଝାଉଁବଣରେ ସରସର ପବନ ବହୁନଥିଲା । ସମୁଦ୍ରକୂଳେ ଆଜି ଶରତ । ହେମନ୍ତ । ବସନ୍ତ । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ଭିନ୍ନ ଭିନ୍ନ ବିଭାଗର ଛାତ୍ରବନ୍ଧୁ ।
ତିନି ବନ୍ଧୁ ଅର୍ଦ୍ଧନଗ୍ନ ଅବସ୍ଥାରେ ବଡ ବେପରୁଆ ଭାବ ନେଇ ଅଛନ୍ତି ସମୁଦ୍ରବାଲି ଉପରେ । ସାଙ୍ଗରେ ଚାରି ପାଞ୍ଚଟି ବୀଅର କେନ ଏବଂ ପାଣି ବୋତଲ ।
ଶରତ ଏକ ପ୍ରକାର ହାତଗୋଡ ମେଲେଇ ଆକାଶକୁ ଛାତି କରି ପଡି ରହିଛି ଯେମିତି ସଂସାର ଉଜୁଡି ଗଲା ପରି । ଲହଡି ବଡ ନିର୍ମମ ଭାବରେ ତା ଉପରୁ ମାଡିଯାଉଛି । ତା’ର କିଛି ଯାଏ ଆସେ ନାହିଂ ।
ହେମନ୍ତ ଶରତରୁ ହାତେ ଦୂରେ ଆଣ୍ଠୁ ଟେକି ବସିଛି । ଦିଗବଳୟକୁ ଚାହିଞ୍ଛି । ଯେମିତି ଜୀବନର କିଛି ଅସମାହିତ ପ୍ରଶ୍ନର ଉତ୍ତର ଖୋଜି ଚାଲିଛି ।
ବସନ୍ତ ହେମନ୍ତଠୁ ଦୁଇ ହାତେ ଦୂରେ ବାଲୁକାରାଶି ଉପରେ ଆଙ୍କି ଚାଲିଛି ଅଜବ ଗଜବ ଚିତ୍ର । ଯେମତି ତା ଜୀବନରେ କିଛି ଦୁଃଖ ନାହିଂ କି ଘଟଣା ନାହିଁ ।
ଶରତ ଡାକିଥିଲା ଫୋନ କରି ବସନ୍ତକୁ । ସର୍ତ୍ତ ରଖିଲା ଯଦି ସେ ନ ଆସିବ ତେବେ ମଦ ପିଇ ପିଇ ସମୁଦ୍ରରେ ଲୀନ ହେଇଯିବ ।
ବସନ୍ତ କେବେ ହେମନ୍ତ ବିନା ହଷ୍ଟେଲରୁ ପଦାକୁ ବାହାରେନା । ସେ ସାଙ୍ଗେ ସାଙ୍ଗେ ହେମନ୍ତକୁ ଡାକି ତା ବାଇକରେ ବାହାରିଲା ବନ୍ଧୁ ଉଦ୍ଧାର ଲକ୍ଷ୍ୟରେ ।
ହେମନ୍ତର ଇଚ୍ଛା ନଥିଲେ ବି ଆସିଛି, କାରଣ ବସନ୍ତକୁ କେବେ ମନା କରିପାରେନା ସେ । ପିଲା ବେଳୁ ବାପାମା ହରେଇଥିବା ହେମନ୍ତର ବିଶ୍ଵବିଦ୍ୟାଳରେ ପଢାଖର୍ଚ୍ଚ ଯେବେଠୁ ସମସ୍ୟା ହୋଇ ଉଠିଥିଲା ସେବେଠୁ ବସନ୍ତର ଦୟାବନ୍ତ ପିତା ତା ପାଇଁ ଦେବଦୂତ ସାଜି ଥିଲେ । ସେବେଠୁ ବସନ୍ତ ତା ପାଇଁ ବାପାମା ,ଭାଇ ଓ ବନ୍ଧୁ । ଶରତ ବି ବନ୍ଧୁ କିନ୍ତୁ ବସନ୍ତ ଭଳି ନୁହଁ ।
ପାଗଟା ସଂପୂର୍ଣ୍ଣ ଭିନ୍ନ ଥିଲା କାରଣ ସେମାନେ ଜାଣିନଥିଲେ ଜୀବନ ତାଙ୍କଠୁ କଣ ଚାହେଁ । କିନ୍ତୁ ଆଜି ବେଶି ଚର୍ଚ୍ଚା ଚାଲିଛି ଜୀବନଠୁ ସେମାନେ କଣ ଚାହାନ୍ତି ।
ବସନ୍ତ ସିଗାରେଟ ଲଗେଇଲା । ପୁଳେ କସି ଦେଇ ହେମନ୍ତକୁ ଦେଲା । ସେ ଦୁଇ କସ କସିଦେଇ ଶରତକୁ ଦେଲା । ଶରତ କିନ୍ତୁ ବିରକ୍ତିରେ ଫୋପାଡିଦେଲା ସମୁଦ୍ରକୁ । ଯଦିବା ତିନି ବନ୍ଧୁଠୁ ଅଧିକ ସିଗାରେଟ ଟାଣିବାର ଅଭ୍ୟାସ ତା’ର ଥିଲା ।
ହେମନ୍ତ ବୀଅର କେନ ଖୋଲି ଦି ଢୋକ ପିଇ ବସନ୍ତକୁ ଦେଲା । ବସନ୍ତ ତିନି ଢୋକ ପିଇ ଶରତକୁ ବଢେଇ ଦେଲା । ସେ କିନ୍ତୁ ରାଗରେ ଫୋପାଡିଦେଲା ସମୁଦ୍ରକୁ । ବୀଅର କେନ କିନ୍ତୁ ଫେରି ଆସି ତା ମୁହଁ ଉପରେ ବାଡେଇ ହେଲା । ଲହଡି ବଡ ନିର୍ମମ ଭାବରେ ତା ଉପରୁ ମାଡି ଯାଇ ଫେରିଗଲା । ତା’ର କିଛି ଯାଇଆସୁ ନଥିଲା ।
ହଠାତ ସେ ଉଠିପଡି କହିଲା –ଆବେ ! ଏମିତି ହୁଅନ୍ତାନି କି ! ଏହି କ୍ଷଣି ମୋହିନୀକୁ ବୀଅର କେନ ପରି ସମୁଦ୍ରକୁ ଫୋପାଡି ଦିଅନ୍ତି ମୋ ଜୀବନରୁ । ଅନ୍ୟ କିଛି ରାସ୍ତା ନପାଇ ସେ ପୁଣି ମୋ ଉପରେ ହିଁ କଚାଡି ହେବାକୁ ଫେରନ୍ତା …….।
………ମୋହିନୀ ମହାନ୍ତି ଏକ ଛଦ୍ମ ନାମ ଯାହା ଶରତ ତା ପ୍ରେମିକାକୁ ଦେଇଥିଲା । କାରଣ ପଚାରିଲେ ଅତ୍ୟନ୍ତ ଆବଶ୍ୟକ ଏବଂ ବ୍ୟକ୍ତିଗତ କହୁଥିଲା । ଠିକ ସମୟର ଅନାବୃତ୍ତ କରିବାକୁ ମଧ୍ୟ କଥା ଦେଉଥିଲା । କହୁଥିଲା –ଆରେ ! ତମେମାନେ ପରା ମୋ ବନ୍ଧୁ । ତମ ମାନଙ୍କୁ କହିବିନି ତ ଆଉ କାହାକୁ କହିବି । ହଙ୍କାଳିଆ କାହିଁକି ହେଉଛ । ତା କଥା ଶୁଣି ହେମନ୍ତ, ବସନ୍ତ ଦୀର୍ଘନିଶ୍ଵାସ ଛାଡୁଥିଲେ ଓ ଭାବୁଥିଲେ ବୋକା ଶରତଟା ନିଜ ପ୍ରେମିକାକୁ ଲୁଚେଇ ରଖିବାକୁ ତାଙ୍କଠୁ ଅଧିକ ହଙ୍କାଳିଆ ଥିଲା…….. ।
-ଶଳେ ! ବେଙ୍ଗ ପଶିଛି କିବେ ପାଟିରେ । ଉତ୍ତର ଦେଉନ ଯେ ?-ଶରତ ବିରକ୍ତିରେ ଅନେଇଲା ବସନ୍ତକୁ ।
-ମୁଁ ଜାଣିଛି, ଶୁଣିଛି । ସମୁଦ୍ରକୁ ଯାହା ଫୋପାଡ ତାହା ସେ ପୁଣି ଫେରେଇ ଦିଏ । କିନ୍ତୁ ଏଇଟା ସମୁଦ୍ରର ଇଚ୍ଛା ଉପରେ ନିର୍ଭର କରେ କେବେ କାହାପାଇଁ ଓ କ’ଣ ଫେରେଇବ । ସମୁଦ୍ର ଠିକ ଜାଣିଛି ତୋ ଭଳି ଗୋଟେ ଅପଦାର୍ଥକୁ ମୋହିନୀକୁ ଫେରେଇବାର ନାହିଂ ।
ହେମନ୍ତର ଏ ପ୍ରକାର ଉତ୍ତରରେ ରଡି ଛାଡିଲା ଶରତ । -ବେଶି ପାଟି ଖୋଲିବୁ ତ ତୋତେ ଛାଡି ଯାଇଥିବା ତୋ ପ୍ରେମିକା ଲୀନା ଦାସକୁ ଏଇନେ ଫୋପାଡି ଦେବି ସମୁଦ୍ର ମଝିକୁ । ହାରାମୀ ! ଫାଜିଲାମୀ ଦେଖଉଛି ।
ବସନ୍ତ, ହେମନ୍ତ ଦୁହେଁ ପରସ୍ପର ଅନାଅନି ହେଲେ ଏବଂ ମୁରୁକି ହସିଲେ । ବସନ୍ତ ଅନୁମାନ କରି ପାରୁଥିଲା ଯେ ଶରତ ବୀଅର କେନ ପାଇଁ ଉତକ୍ଷିପ୍ତ ନୁହଁ । ବରଂ ତା ଗୁପ୍ତ ପ୍ରେମିକା ମୋହିନୀ ମହାନ୍ତି ଆଜିକାଲି ତାକୁ ଛାଡି ଆଉ କାହା ଗଳାରେ ହାତ ଛନ୍ଦି ଥେଇଥେଇ ନାଚୁଛି ବୋଲି ତାର ଏ ଅବସ୍ଥା । ରହିଲା ଲୀନା ଦାସର କଥା …….।
……..ଲୀନା ଦାସ ସାମାଜିକ ବିଜ୍ଞାନ ବିଭାଗର ଛାତ୍ରୀ ଏବଂ ହେମନ୍ତର କେବେ ଥିବା ପ୍ରେମିକା । ହେମନ୍ତ ବିଜ୍ଞାନର ଛାତ୍ର । ଶରତ ସାମାଜିକ ବିଜ୍ଞାନର ଛାତ୍ର ମାନେ ଲୀନା ଓ ଶରତ କ୍ଳାସମେଟ । ଦିନେ ଏକ ବିଭାଗୀୟ ଫଙ୍କଶନରେ ହେମନ୍ତ ସହ ଲୀନା ଦାସକୁ ପରିଚୟ କରେଇଥିଲା ଶରତ । କିନ୍ତୁ ଯେବଠୁ ଲୀନଦାସ ଧୋକା ଦେଇଛି ସେବଠୁ ଏକଦମ ଭାଙ୍ଗି ପଡିଛି ହେମନ୍ତ । କାରଣ, ସେ ଛାଡିନି ତାକୁ । ବରଂ ତାଠୁ ଲୀନା ଦାସକୁ ଆଉ କିଏ ଛଡେଇ ନେଇଛି । ଜୀବନ ସେମାନଙ୍କଠୁ କଣ ଚାହେଁ ଏ ଚର୍ଚ୍ଚା କେବଳ ଆସୁଥିବା ଯାଉଥିବା ପ୍ରେମିକା ମାନଙ୍କ ଯାଏଁ ଅଟକିଛି । ଏ ବୟସରେ ଆଉ କଣ ବା ଆଶା କରାଯାଇପାରେ…………… ।
-ଆରେ ! ପିଲା ଭଳି କଣ ହେଉଛ । ୟେ ନେହିଂ ତୋ ୱୋ ସହି । ୱୋ ନେହିଂ ତୋ ଔର କୋଇ । ଆଗେ ବଢୋ । ଆବେ ! ଲଡକିୟୋ କୋ ରୁଲାଓ । ଉନକେ ତରହ ରୋ ମତ । ଚଲୋ, ବୀଅର କା ଦୁସରା ବୋତଲ ଖୋଲୋ – ଦୁଇ ଜଣଙ୍କ ମିଜାଜ ଦେଖି ମଧ୍ୟସ୍ଥି କଲା ବସନ୍ତ ।
-ତୁ ରହବେ ! ଇହାପ ମୋ ଜୀବନ ବର୍ବାଦ ହେବାକୁ ବସିଲାଣି । ତୋତେ ବୀଅର କଥା ପଡିଛି । ତମେ ମାନେ କଣ ଜାଣିନ ମୋହିନୀ ମହାନ୍ତି ପାଇଁ ମୁଁ କେତେ ଥର ତମ ପରି ବନ୍ଧୁଙ୍କ ସାନ୍ନିଧ୍ୟ ହରେଇଛି ।
-ଜାଣିଛୁ । -ଏକା ସଙ୍ଗେ ଦୁହେଁ ଉତ୍ତର ଦେଲେ ଏବଂ ମୁରୁକି ହସିଲେ ।
-ମିଛ କହି ମାମି ଡାଡିଙ୍କଠୁ ଟଙ୍କା ଆଣି ତାକୁ ପାର୍କ , ହୋଟେଲ , ମଲ ଆଦି ବୁଲେଇଛି ଏବଂ କେତେ କେତେ ଗିଫ୍ଟ ଦେଇଛି, ତମେ ମାନେ କଣ ଜାଣିନ ?
-ଜାଣିଛୁ । -ଏକା ସଙ୍ଗେ ଦୁହେଁ ଉତ୍ତର ଦେଲେ ଏବଂ ମୁରୁକି ହସିଲେ ।
-ଯେତିକି ସମୟ ମୁଁ ଲେକଚର ଆଟେଣ୍ଡ କରିନି ତାଠୁ ଅଧିକ ତା ପାଇଁ ନୋଟ ଲେଖିଲେଖି ମୋ ହାତ ପରାଶ ହେଇଛି ତମକୁ ଅଛପା ଅଛି କି ?
-ନା ।- ଏକା ସଙ୍ଗେ ଦୁହେଁ ଉତ୍ତର ଦେଲେ ଏବଂ ମୁରୁକି ହସିଲେ ।
-ଦୁହେଁ ପାଲାର ପାଳିଆ ଭଳି ଜାଣିଛୁ ଜାଣିଛୁ କଣ ହେଉଛ ? ଗାର୍ଲଫ୍ରେଣ୍ଡ ଯଦି ନିଜର ନହଲା କି କଷ୍ଟ ତମେ ସବୁ କଣ ଜାଣିବ । ଇଡିୟଟ ଗୁଡାକ । -ଶରତ ଖିଙ୍କାରି ହୋଇ ହେମନ୍ତ ଆଡେ ଦେଖିଲା ।
ହେମନ୍ତ କିଛି କହିବା ପୂର୍ବରୁ ଗୁପ୍ତରେ ବସନ୍ତ ତାକୁ ଚିମୁଟିଲା । ହେମନ୍ତ, ଶରତର ହାତେରୁ ଦୁଇହାତ ଘୁଞ୍ଚିଲା ଏବଂ ଦୂର ଦିଗବଳୟକୁ ଚାହିଁଲା । ଯେମିତି ଜୀବନର କିଛି ଅସମାହିତ ପ୍ରଶ୍ନର ଉତ୍ତର ଖୋଜି ଚାଲିଲା ……. ।
….ହେମନ୍ତ ଜାଣିଛି ପ୍ରେମିକା ଛାଡି ଚାଲିଯିବାର ଦୁଃଖ । ଲୀନା ଦାସ ସହ ଅନେକ ଅନ୍ତରଙ୍ଗ ଓ ବିଶ୍ଵସନୀୟ ମୁହୂର୍ତ୍ତ ବିତେଇଲା ପରେ ଅଚାନକ ତା ଫୋନ , ମେଲ , ଚାଟ , ମେସେଜ ସବୁ ବନ୍ଦ ହେଇଗଲା । ସେମାନଙ୍କ ପ୍ରେମ କାହାଣୀର ସାକ୍ଷୀ ଦୁଇ ବନ୍ଧୁ ଶରତ ଏବଂ ବସନ୍ତ । ଲୀନା ଦାସର ମାର୍ଜିତ ବ୍ୟବହାରରେ ଗରୀବ ଧନୀର ସ୍ଥାନ ନଥିଲା । ଥିଲା କେବଳ ମାନବୀୟ ଗୁଣ ପାଇଁ ପ୍ରେମ । ସେଇଥି ପାଇଁ ହେମନ୍ତ ତା ଆଡକୁ ଢଳି ଯାଇଥିଲା । ଯେହେତୁ ହେମନ୍ତ ପୁରା ବିଶ୍ଵବିଦ୍ୟାଳୟରେ ନିଜ ସୁମଧୁର କଣ୍ଠରେ ସମସ୍ତଙ୍କୁ ମୋହିତ କରି ରଖିଥିଲା, ଲୀନା ଦାସ ତା ପାର୍ଶ୍ଵରେ ରହିବାର ସୁଯୋଗ ପାଇ ଅନେକ ଯୁବତୀଙ୍କ ଆଖିରେ ନିଜ ପାଇ ଈର୍ଷା ଦେଖି ଖୁସି ହେଉଥିଲା …….।
……… ସବୁ ଠିକ ଚାଲିଥିଲା । କିନ୍ତୁ ସମ୍ପର୍କର ବର୍ଷେ ପରେ ଋତୁ ବଦଳିଲା ପରି ଲୀନା ଦାସ ବଦଳି ଗଲା । ତା’ର ପ୍ରତ୍ୟେକ କଥାରେ ଆଭିଜାତ୍ୟ , ବଂଶ , ପରମ୍ପରା ଶବ୍ଦ ସବୁ ବାଣ ହୋଇ ଫୁଟି ଉଠୁଥିଲା । ପ୍ରତ୍ୟେକ ଦିନ ନୂଆଁ ନୂଆଁ ବାହାନା କରୁଥିଲା ହେମନ୍ତକୁ ଦୂରରେ ରଖିବାକୁ । ଧୀରେ ଧୀରେ ସେମାନେ ଖବର ପାଇଲେ ସେ ଆଉ କାହା ସାଙ୍ଗରେ ଘୁରି ବୁଲୁଛି ବଣରୁ ଝାଉଁ ବଣ ଏବଂ ନଦୀ କୂଳରୁ ସମୁଦ୍ର କୁଳ । ପ୍ରେମିକାର ପ୍ରତ୍ୟାଖ୍ୟାନ ହେମନ୍ତକୁ ତୁହାକୁ ତୁହା ରକ୍ତାକ୍ତ କରିଛି । ବନ୍ଧୁ ହିସାବରେ ବସନ୍ତ ସହାନୁଭୂତିର ମଲମ ଲଗେଇଥିଲା ବେଳେ ଶରତ କଟାକ୍ଷର ଅନେକ ଶର ବିଦ୍ଧ କରିଛି ……..।
…… ଠିକ ଆଜି ଶରତ ଡାକିଲା ପରି ହେମନ୍ତ ବି ଦିନେ ବସନ୍ତ କୁ ଡାକି ଅନେକ କାନ୍ଦିଛି । ସମୁଦ୍ରର ଖାରିଆ ପାଣିକୁ ନିଜର ଲୁହର ନଦୀ ମିଶେଇ ଆହୁରି ଖାରିଆ କରିଛି । ବସନ୍ତର ଅନେକ ପ୍ରଶ୍ନ ପରେ ସେ ତା ହାତରେ ଲୀନା ଦାସ ଓ ତା ନୂଆଁ ପ୍ରେମିକାର ଫୋଟୋ ଦେଖାଇଛି । ଫୋଟୋ ଦେଖି ବସନ୍ତ ଚୁପ ହେଇଛି । ହେମନ୍ତ ସେ ଫୋଟୋ କୁ ଫିଙ୍ଗି ଦେଇଥିଲା ସମୁଦ୍ର ଗର୍ଭ କୁ ……..।
-ତୁ ବେଶୀ କହୁଛୁ ବୁଝିଲୁ ଶରତ । ତୋତେ ବୋଧେ ବୀଅର ନିଶା ହେଇଗଲାଣି । ତୁ କଣ ଜାଣିନୁ ହେମନ୍ତ ଜୀବନରେ କଣ ହେଇଛି ? ତା କଟା ଘାରେ ଚୂନ କଣ ଦେଉଛୁ । ଆଜି ଯେଉଁ ପୀଡାରେ ତୁ ପୀଡିତ ସେ ପୀଡାରେ ହେମନ୍ତ ଆଜି ଯାଏଁ ଜର୍ଜରିତ । ତୋ ମୋହିନୀ ମହାନ୍ତି କାହା ସହ ଯାଇଛି କି ତୋତେ ଛାଡି ଦେଇଛି ଏ ଯାଏଁ ଆମେ ଜାଣିନେ । କିନ୍ତୁ ଆମେ ଭଲ ଭାବରେ ଜାଣିଛେ ଆମ ବନ୍ଧୁ ହେମନ୍ତ ଲୀନା ଦାସକୁ ଛାଡିନି ।
ବସନ୍ତ ର ଏ ପ୍ରକାର ତାଗିତ ରେ ଶରତ ଚୁପ ହେଇଗଲା । ହେମନ୍ତ ଆଖିରେ ଲୁହର ସମୁଦ୍ର ।
-ସତ କଥା ଶରତ । ଆମ ପରି ଗରୀବ ମାନଙ୍କ ପାଇଁ ଭଲ ପାଇବା ପାପ । ତୋ ଭଳି ଧନୀ ପୁଅ ଙ୍କ ପାଇଁ ପ୍ରେମ ଅଧିକାର । ପ୍ରେମ ଖେଳ । ମୋ ଛାତିରେ ହୃଦୟ ନାହିଂ । ତୁ ହୃଦୟବାନ । ଲୀନା ଦାସ କରିଥିବା ମୋ ପ୍ରତି ପ୍ରତ୍ୟେକ ଅବିଚାର ମୁଁ ଏବେବି ସହୁଛି । ମରୁଛି । ଭଗବାନ କରନ୍ତୁ ତୋ ମୋହିନୀ ଏମିତି ନ ହେଉ । ତୋତେ ଛାଡି ନ ଯାଉ । ହେ ସମୁଦ୍ର ! ବୀଅର କେନ ଫେରେଇଲା ପରି ମୋ ବନ୍ଧୁକୁ ତା ପ୍ରେମିକା ଫେରେଇ ଦେ ।
-ଆମିନ । -ଶରତର କଥାରେ ବସନ୍ତ କଥା ମିଳେଇଲା ।
ଏହି ସମୟରେ ବସନ୍ତର ଫୋନ ବାରମ୍ବାର ବାଜି ଉଠୁଥିଲା । କିନ୍ତୁ ବସନ୍ତ ଉଠଉ ନଥିଲା । କହିଲା ଆଜିକାଲି ସାଗରିକା ପଟ୍ଟନାୟକ ଟୋକିଟେ ପଛରେ ପଡିଛି ।
ଶରତ ବାରମ୍ବାର ମୋହିନୀ ମହାନ୍ତିଙ୍କୁ ଫୋନ କରି କରି ବିରକ୍ତି ହେଉଥିଲା । ଯେତିକି ଦୁନିଆର ଅଭଦ୍ର ଭାଷା ତା ନାଁରେ ଉଦଗାରିଲା ।
ଶରତର ପ୍ରତ୍ୟେକ ଗାଳିରେ ହେମନ୍ତର ଛାତି ଚିରି ହେଇ ଯାଉଥିଲା କିନ୍ତୁ ସେ ଥିଲା ନୀରବ । ଚୁପ ଚାପ ।
-ଆରେ ! ଯଦି ପ୍ରେମ କରୁଛୁ ତେବେ ପ୍ରେମିକାକୁ ଟିକେ ଇଜ୍ଜତ କରିବା ଶିଖ । ଯାହା ପାଖରେ ଅଛି ଭାବିଦେ ତୋର । ଯାହା ନାହିଁ ଭାବିଦେ ତୋ ଭାଗ୍ୟରେ ନଥିଲା । ତୁ ଶୁଣିନୁ କି ସମୟ ସେ ପହଲେ ଔର ଭାଗ୍ୟ ସେ ଜ୍ୟାଦା କିସି କୋ କୁଛ ନହିଁ ମିଲତା ।
ହେମନ୍ତର ପ୍ରତ୍ୟେକ କଥାରେ ଶରତର ରକ୍ତ ଟକମକ ଫୁଟୁଥିଲା । କିନ୍ତୁ ଦେଖେଇବାକୁ ଚାହୁଁନଥିଲା । କେବଳ ବସନ୍ତର କଥାକୁ ଉତ୍ତର ଦେଉଥିଲା ।
-ଠିକ କହିଲୁ ହେମନ୍ତ । ଆଜି ଯାହା ଆମର, ଗତ କାଲିଥିଲା କାହାର ଏବଂ ଆସନ୍ତା କାଲି ହେବ ଅନ୍ୟର । ଗୀତାରେ ପରା ଲେଖା ହେଇଛି । ଏଥି ପାଇଁ ଦୁଖଃ କାହିଁକି । – ବସନ୍ତ କହିଲା ।
-ଠିକ କହିଲୁ ମେରେ ଦୋସ୍ତ । କ୍ୟା ଲେକେ ଆଏ ଥେ । କ୍ୟା ଲେକେ ଜାଓଗେ । ଚୁପବେ ! ଶଳା ପ୍ରବଚକ । ଯାଉନୁ ଲେଡିଜ ହଷ୍ଟେଲକୁ । ପ୍ରବଚନ ଦେବୁ । -ଉତକ୍ଷିପ୍ତ ହେଲା ଶରତ । ଆଉ ଗୋଟେ ବୀଅର କେନ ପିଇ ଦେଇ କଚାଡି ଦେଲା ବାଲି ଉପରେ ।
-ଆରେ । ଶୂନ୍ୟାଟାରେ କାହିଁକି ସଂସାରଟା ଉଜୁଡିଗଲା ଭଳି ହେଉଛୁ । ଜୀବନଟା କଣ ଏଠି ସରିଗଲା କି । -ହେମନ୍ତ ସାନ୍ତ୍ଵନା ଦେଲା ।
-ତୁ ଚୁବେ । ବେହିପ । ମାଇଚିଆ ମାଧବ ସାହୁ । ଲୀନା ଦାସକୁ ତୁ ସହଜରେ ଛାଡିଦେଲୁ ବୋଲି ମୁଁ କଣ ମୋହିନୀ ମହାନ୍ତିକୁ ଛାଡି ଦେବି । କଦାପି ନୁହଁ । ତୋ ଭଳି ମୁଁ ନୁହଁ ଯେ ବିଦଗ୍ଧ ପ୍ରେମିକ ଭଳି ପ୍ରେମିକାକୁ ଆଉ କାହା ହାତରେ ଟେକି ଦେଇ ମାଈକିନା ଭଳି କଇଁ କଇଁ କାନ୍ଦୁଥିବି । ଯେଉଁ ଦିନ ମୋହିନୀର ଗୁପ୍ତ ପ୍ରେମିକ ମିଳିଯିବ ତାକୁ ମୁଁ ଟିକି ଟିକି କରି ଚିରିଦେବି । ତା ଦେହ ଖଣ୍ଡ ଖଣ୍ଡ କରି ଚିଲ ଶାଗୁଣାକୁ ବାଣ୍ଟି ଦେବି । ତା ପରେ ମୋହିନୀକୁ ତା’ର ଅଉକାତ ଦେଖେଇବି । ପଚାରିବି କାହିଁକି ସେ ମୋ ସାଙ୍ଗରେ ଏମିତି ଖେଳ ଖେଳୁଛି ? କଣ ଭାବିଛି କି ସେ ମୋତେ । -ରାଗରେ ଫାଟି ପଡିଲା ଶରତ । ଯେମିତି ଏଇନେ ସମୁଦ୍ର ଭିତରେ ତୁଫାନ ।
-ଠିକ କହିଛୁ । ମୁଁ ମାଇଚିଆ । ତୁ ମୋ ବନ୍ଧୁ । ଭାବିନେ ଲୀନା ଦାସ ମୋତେ ଛାଡି ତୋ ସାଙ୍ଗରେ ପଳେଇଛି । ମୁଁ କଣ ତୋତେ ମାରିଦେବି । ତୋ ଗୋଡ ହାତ ଭାଙ୍ଗି ମୋ ପୁରୁଷତ୍ଵ ଦେଖେଇଥାନ୍ତି । -ଉତ୍ତର ଦେଲା ହେମନ୍ତ ।
ଶରତ ଚୁପ ରହିଲା ।
-ଆରେ ! ଉତ୍ତର ଦେଉନୁ । -ବସନ୍ତ ପଚାରିଲା ।
-କଣ ଉତ୍ତର ଦେବି । ଲୀନା ଦାସ ବନ୍ଧୁର ପ୍ରେମିକା । ଏ ପ୍ରକାର କାମ ମୁଁ କେବେ କରିପାରିବି ବୋଲି ତୁ ଭାବିପାରୁଛୁ କି ? ତେଣୁ ଏ ପ୍ରସଙ୍ଗ ଫାଲତୁ । ଲୀନା ଦାସ ସହ ମୋହିନୀ ମହାନ୍ତିକୁ କାହିଁକି ଯୋଡୁଛୁ ।
କିଛି ସମୟ ପାଇଁ ନୀରବତା । ହେମନ୍ତ ଓ ବସନ୍ତ ପରସ୍ପର ଦେଖି ମୁରୁକି ମୁରୁକି ହସିଲେ । କିନ୍ତୁ ଶରତର ଅଜ୍ଞାତରେ ।
ପାଣି ଭିତରୁ ଉଠି ଠିଆ ହେଲା ଶରତ । କହିଲା –ଶେଷ ଥର ପାଇଁ ମୁଁ ଚେଷ୍ଟା କରୁଛି । କଲ କରୁଛି ମୋହିନୀକୁ । ଯଦି ନ ଉଠେଇବ ତେବେ ତୁଟେଇବି ସମସ୍ତ ସମ୍ପର୍କ । ଭାବିବି ମୋ ପାଇଁ ସେ ମରିଗଲା । କଣ ସେ ଭାବିଛି କି ? କଣ ତା ବିନା ମୁଁ ବଞ୍ଚି ପାରିବି ନାହିଂ ? ବରଂ ତାଠୁ ଆହୁରି ସୁନ୍ଦର ଝିଅ ମୋତେ ମିଳି ପାରିବ ।
ମୋହିନୀ ମହାନ୍ତିକୁ ଫୋନ କଲା ଶରତ । ଉତ୍ତର ଆସିଲା –ଆପଣ ଯେଉଁ ନମ୍ବରକୁ ଫୋନ କରୁଛନ୍ତି ତାହା ବ୍ୟସ୍ତ ଅଛି କିମ୍ବା ଅପହଞ୍ଚ ଅଞ୍ଚଳରେ ଅଛି । -ଏ ଭିତରେ ବସନ୍ତର ଫୋନରେ କାହାର କଲ ଆସୁଛି ବାରମ୍ବାର ।
-ଆରେ । ଫୋନ ଉଠଉନୁ । କାହାର ଏମେର୍ଜେନ୍ସି ଥିବ । – ହେମନ୍ତ ବସନ୍ତକୁ ତାଗିଦ କଲା ।
-ମୋ ଫୋନ ମୁଁ ବୁଝିବି । ତୋ ଛାତି କାହିଁକି ଫାଟି ଯାଉଛି । -ପ୍ରତ୍ୟୁତ୍ତର ଦେଲା ବସନ୍ତ ।
ଦୁହେଁ ଶରତକୁ ଚାହିଁଲେ । ମୁଖରେ ତା’ର କ୍ରୋଧାଗ୍ନୀ । ସେ ଆଉ ତା ଆୟତ୍ତରେ ନାହିଂ । ଚିତ୍କାର ଛାଡିଲା ସେ ପାଗଳ ପରି ସମୁଦ୍ରକୁ ଅନେଇ । -ମୋହିନୀ ମହାନ୍ତି । ମୋ ପ୍ରତି ଏ ଅନ୍ୟାୟ କାହିଁକି କଲୁ । ତୋତେ ମୁଁ ଅଭିଶାପ ଦେଉଛି ତୋ ହୃଦୟକୁ ଦିନେ ଆଉ କିଏ ଭାଙ୍ଗିବ । ଆଜିଠୁ ତୁ ମୋ ପାଇଁ ମରିଗଲୁ । -ଚାହୁଁ ଚାହୁଁ ଶରତ ତା ମୋବାଇଲ ଫୋପାଡି ଦେଲା ସମୁଦ୍ର ଗର୍ଭକୁ ।
ସ୍ତବ୍ଧ ହୋଇ ଚାହିଁ ରହିଲେ ଅନ୍ୟ ଦୁଇ ବନ୍ଧୁ । ସେମାନେ ବନ୍ଧୁର ପୀଡାକୁ ଆକଳନ କରି ପାରୁଥିଲେ କିନ୍ତୁ ଆକଟ କରି ପାରୁ ନଥିଲେ ।
-ଚାଲ । ଯେତେ ଶୀଘ୍ର ପାରିବା ଏ ସମୁଦ୍ରକୂଳୁ ପଳେଇବା । ଆଉ କ୍ଷଣେ ମାତ୍ର ମୁଁ ଏ ଝାଉଁବଣକୁ ସହିପାରୁନି । -ଏତିକି କହି ସେ ସମୁଦ୍ର ଲହଡି ଛାଡି ଧାଇଁଲା ତଟ ଆଡକୁ ।
ପଛ ଆଡୁ ବସନ୍ତ ଡାକ ଛାଡିଲା –ଆରେ ଶରତ! ହୋ ଶରତ ! ହେମନ୍ତର ଲୀନା ଦାସ ତାକୁ ତ ଆଗରୁ ଛାଡି ଦେଇଛି । କେଜାଣି ସାଗରିକା ପଟ୍ଟନାୟକ କେବେ ଛାଡିବ ମୋତେ । ମୋହିନୀ ତୋତେ ଛାଡି ଦେଲା । ଅନ୍ତତଃ ମୋହିନୀ ମହାନ୍ତିର ପ୍ରକୃତ
ନାମଟା ତ କହିଦେ ?
କେବଳ ଧାଉଁଥିଲା ଶରତ ଆଗକୁ ଆଗକୁ । ଝାଉଁବଣରୁ ଅଦୃଶ୍ୟ ହେବାକୁ ବସିଲାଣି । କେବଳ ଆସୁଛି ତା ଚିତ୍କାର –ମୋହିନୀ ମହାନ୍ତି କିଏ ମୁଁ ଜାଣିନି ……..। ମୋହିନୀ ମହାନ୍ତି କିଏ ମୁଁ ଜାଣିନି…… ।
ହେମନ୍ତ ଆଣ୍ଠୁ ଟେକି ବସିଥିଲା ଓ ଦିଗବଳୟକୁ ଚାହିଁଥିଲା । ଯେମିତି ଜୀବନର କିଛି ଅସମାହିତ ପ୍ରଶ୍ନର ଉତ୍ତର ଖୋଜି ଚାଲିଥିଲା ।
ଏତିକି ବେଳେ ବସନ୍ତର ପୁଣି ଫୋନ ଆସିଲା । ହେମନ୍ତ ଫୋନ ଉଠେଇବା ପାଇଁ କହିବା ପୂର୍ବରୁ ସେ ଫୋନ ଉଠେଇଲା ଓ ଚିତ୍ର ଆଙ୍କିବା ଛାଡି ଉଠିଲା । ଫୋନର ଉତ୍ତର ଦେଲା – ଓ ଡାର୍ଲିଂ । ଏତେ ବ୍ୟସ୍ତ ହେଲେ ହେବକି । ଶରତ ଅତ୍ୟଧିକ ମଦ ପିଇ ଦେଇଛି । ମୁଁ ଓ ହେମନ୍ତ ହସ୍ପିଟାଲରେ ଅଛୁ । ତାକୁ ଟିକେ ସମ୍ଭାଳି ଆସୁଛି ତମ ପାଖକୁ । ଗଡ ପ୍ରୋମିସ । ହେମନ୍ତକୁ ଟିକିଏ ସେଟ କରି ଆସୁଛି । ନହଲେ ଧରା ପଡିଯିବା ଆମେ । ଲଭ ୟୁ । କିସ ୟୁ । ବାଏ ।
ହେମନ୍ତର କାନରେ ବସନ୍ତର ସମସ୍ତ କଥା ଶୁଣା ଯାଉଥିଲା । ଫୋନର ସେପଟରେ ଥିଲା ଲୀନା ଦାସ । ତା ଧୋକେବାଜ ପ୍ରେମିକା ।
ଦିନେ ସେ କାନ୍ଦି କାନ୍ଦି ଏଇ ସମୁଦ୍ର କୂଳେ ଲୀନା ଦାସ ଓ ଶରତର ଅନ୍ତରଙ୍ଗ ଫୋଟୋ ଦେଖେଇଥିଲା ବସନ୍ତକୁ । ଯେତେବେଳେ ନିଜର ବନ୍ଧୁ ଆପଣାର ହେଲା ନାହିଂ, ଲୀନା ଦାସକୁ ଦୋଷ ଦେବାର ଲାଭ ନଥିଲା । ଆଜି ଯାଏଁତ ଶରତ ମିଛରେ ମୋହିନୀ ମହାନ୍ତି କହୁଥିଲା । ହେମନ୍ତ ଯେତେବେଳେ ସେ ଫଟୋକୁ ସମୁଦ୍ରରେ ଫୋପାଡି ଥିଲା ସେତେବେଳେ ହିଁ ପ୍ରିୟ ସଖା ବସନ୍ତ ଶପଥ ନେଇଥିଲା ଦିନେ ଶରତ ମଧ୍ୟ ଲୀନା ଦାସକୁ ଫୋପାଡିବ ସମୁଦ୍ରରେ ।
ଦେଖିବାକୁ ଗଲେ ଲୀନା ଦାସ ଉର୍ଫ ମୋହିନୀ ମହାନ୍ତି ଉର୍ଫ ସାଗରିକା ପଟ୍ଟନାୟକ ପରି ଚରିତ୍ରମାନେ କାହାରି ନୁହନ୍ତି । ନ ଶରତର । ନ ହେମନ୍ତର । ନ ବସନ୍ତର । ସେମାନେ ତ ବାରମାସୀ । ଋତୁ ହିସାବରେ ବଦଳନ୍ତି କେବଳ ।
ଆଜି ପାଗ ସତରେ ସଂପୂର୍ଣ୍ଣ ଭିନ୍ନ ଥିଲା………………… ।
ଶରତ ପାଇଁ………… ।
ହେମନ୍ତ ପାଇଁ………. ।
ବସନ୍ତ ପାଇଁ………… ।
ସମୁଦ୍ରକୂଳ ପାଇଁ…… ।
ବନ୍ଧୁତ୍ଵ ପାଇଁ …………।
ଏବଂ ବନ୍ଧୁ ମାନଙ୍କର ପ୍ରେମିକାମାନଙ୍କ ପାଇଁ… ।
ଆଜିର ପାଗ ସଂପୂର୍ଣ୍ଣ ଭିନ୍ନ ଥିଲା….. ।
——————————————————————-
ସମ୍ପାଦକ –ଗଞ୍ଜାମର କବିତାଘର ,ଆଙ୍କୁଲି ,ବ୍ରହ୍ମପୁର , ଗଞ୍ଜାମ -୭୬୦୦୧୦
ଫୋନ-୮୨୮୦୨୨୩୬୪୪,