ପାପଗ୍ରାହୀ – ଗାଳ୍ପିକ ଭାଗୀରଥି ବେହେରା

ଗଳ୍ପ – ପାପଗ୍ରାହୀ
ଗାଳ୍ପିକ –ଭାଗୀରଥି ବେହେରା

ଅନିମା ବସିଛି କାହ୍ନାଙ୍କ ଆଗରେ । ଧୂପ , ଚନ୍ଦନ , ଫୁଲ ,ବସନ ଦେଇ ସଜେଇ ଦେଇଛି ସେ ତା ହୃଦୟର ଦେବତାଙ୍କୁ । ଘର ସାରା ମହକି ଗଲାଣି ବାସ୍ନା । ଅରପି ଦେଇଛି ଫଳ , ମିଠା ଓ ରନ୍ଧା ଖାଦ୍ୟ ।
ଏହା ତା ନିତ୍ୟ କାମ । ଅର୍ଜୁନ ଥିଲାବେଳେ ବି ଏମିତି । ଅର୍ଜୁନଙ୍କୁ ବାହାହେଲା ପରେ କାହ୍ନା ଆଗରେ ବସିବାକୁ ଟିକେ ସମୟ କମ ମିଳୁଥିଲା ତାକୁ । ବଜାର ସଉଦାରୁ ଜଳଖିଆ , ଅଫିସ ବାହାରିବାରୁ ଫେରିବା , ବାହାରକୁ ବୁଲିବାକୁ ଯିବା , ସବୁଥିରେ ଅର୍ଜୁନଙ୍କୁ ଅନିମାର ଆବଶ୍ୟକ । ନିଇତି ପୂଜାସ୍ଥଳରୁ ସଅଳ ଉଠିଯିବା ବେଳକୁ କ୍ଷମା ଦେଇଦିଅ ବୋଲି କହେ ବଂଶୀଧରଙ୍କୁ ଅନିମା ।
ସଭିଙ୍କ ଜୀବନ ପରି ଭଲପାଇବାର ତ୍ରିଛକିରେ ପଡି ଯେତେବେଳେ ସେ କୌଣସି ନିର୍ଣ୍ଣୟ ନେଇ ପାରିନଥିଲା , ସେହି ସମୟର ଦ୍ଵନ୍ଦମୟ ପରିସ୍ଥିତି ବାଧ୍ୟ କରିଥିଲା ଅର୍ଜୁନଙ୍କ ସିନ୍ଦୂର ମଥାରେ ସ୍ଵୀକାର କରିବାକୁ । ବାହା ହେଉ ହେଉ ଅର୍ଜୁନଙ୍କ ସଂସାରରେ ବଞ୍ଚିଥିବା ଏକମାତ୍ର ସଦସ୍ୟ , ରୋଗରେ ପଡିଥିବା ତାଙ୍କ ପିତା ଛାଡି ଚାଲିଗଲେ । ବୋଧେ ପୁତ୍ରର ବିବାହ ଦେଖିବାକୁ ଯେମିତି ବଞ୍ଚିଥିଲେ ଶ୍ଵଶୁର । ମନ ମରିଯାଇଥିଲା ଅନିମାର । ସେ ଜାଣିଛି କେଉଁ ପରିସ୍ଥିତିରେ ସେ ବାହାହେଇଛି ଅର୍ଜୁନଙ୍କୁ । ନିଜକୁ ଅନେକ ଦୋଷ ଦେଇଛି । ନିଜକୁ ଅଶୁଭ ଭାବିଛି । ଭଲ ହେଇଥାଆନ୍ତା , ବାହାହେବାକୁ ମନା କରିଦିଅନ୍ତା । ଅନ୍ତତଃ ବାପ ପୁଅ ଦି’ଜଣ ବଞ୍ଚି ତ ଥାଆନ୍ତେ ସାଙ୍ଗ ହୋଇ । କେତେ କାନ୍ଦିଛି ସେ । କିନ୍ତୁ ଅର୍ଜୁନ ବୁଝେଇଛି ସଖା ରୂପେ । କହିଛି ଏଥିରେ କି ତୁମ ଦୋଷ । ମୋ ସଖାକୁ ପଚାର ତୁମେ ଦୋଷୀ କି ନା ! ଅର୍ଜୁନ ଯେ ଶ୍ରୀକୃଷ୍ଣଙ୍କ ସୁନ୍ଦର ବିଗ୍ରହକୁ ଦେଖି ସଖା ବୋଲି କହିଥିଲା , ଅବୁଝା ନଥିଲା ଅନିମାକୁ ।
ଶ୍ବଶୁରଙ୍କ ସଂସାର ଛାଡିବାର ଦୁଃଖ ଯାଇଛି କି ନାହିଁ , ଅନିମା ମାଆ ହେବାର କଥା ଅର୍ଜୁନ ଜାଣିନେଲେ । ପିତାଙ୍କୁ ହରେଇ ଦୁନିଆରେ ଅଭିଭାବକହୀନ ହେଇଯିବାର ଯନ୍ତ୍ରଣା ଯେମିତି କୁଆଡେ ଉଭେଇଗଲା ତାଙ୍କର । ବାପା ଆସିଛନ୍ତି ପୁତ୍ର ରୂପେ ବୋଲି ସବୁଆଡେ ସେ ଖୁସିର ଖବର ବାଣ୍ଟିଦେଲା । କିଛି କାମ କରେଇ ଦେଲାନି ଅନିମାକୁ । ବାରମ୍ବାର ଅନିମାକୁ ଅନେକ ଭଲପାଇବା ଦେଲା ଏହା କହି ଯେ ସେ ପିତା ହେବାର ଗୌରବ ଦେଇଥିବାରୁ ସବୁବେଳେ ସେ ଋଣୀ । ଏ ଜନ୍ମ କ’ଣ , ସବୁ ଜନ୍ମ ପାଇଁ ଋଣୀ ।
ସ୍ବାମୀଙ୍କ ଏତେ ଭଲପାଇବା ଦେଖି ଅତ୍ୟନ୍ତ ଖୁସି ହେବା କଥା ଅନିମା । କେଉଁ ସ୍ତ୍ରୀ ବା ସ୍ବାମୀଙ୍କ ଭଲପାଇବା ନ ଚାହେଁ । କେଉଁ ଗର୍ଭବତୀ ସ୍ତ୍ରୀ ବା ନ ଚାହିଁବ ସ୍ଵାମୀ ତା’ର ଆସନ୍ନ ସନ୍ତାନର ପିତା ଛାଇ ହେଇ ରହୁ ବୋଲି । ତାକୁ ତ ବନ୍ଧୁ ,ପରିବାର , ସାଙ୍ଗସାଥୀ ସବୁକୁ ଦେଖେଇ ହେଇ ଫୂଲେଇ ହେବା କଥା । ନିଜକୁ ଭାଗ୍ୟବତୀ କହି ବୁଲେଇହେବା କଥା । କିନ୍ତୁ କାହିଁକି ସେ ପାରୁନଥିଲା । ଅଣନିଃଶ୍ଵାସୀ ହେଇଯାଉଥିଲା । କିନ୍ତୁ ତା’ର ଏ ଭାବକୁ ଅର୍ଜୁନଠୁ ଲୁଚେଇ ରଖୁଥିଲା ।
ଅତନୁର କାନ୍ଦିବାର ଶବ୍ଦ ଶୁଣାଗଲା । ନିଜ ଆଖିରୁ ଲୁହ ଟୋପାଏ ଗଡିଯିବା ପୂର୍ବରୁ ଆଣ୍ଠେଇ ଆଣ୍ଠେଇ ପହଞ୍ଚିଯାଇଥିଲା ତା ଶିଶୁପୁତ୍ର ଅତନୁ । ସେ ବୁଝୁପାରୁଥିଲା ସମ୍ମୁଖରେ ମୁଚୁକୁନ୍ଦ ହସ ନେଇ ଠିଆ ହେଇଥିବା କାହ୍ନାଙ୍କୁ ନିଜ ଲୁହର ଅର୍ଘ୍ୟ ଦେବା ସମୟ ଆସିଯାଇଛି , ନିଇତି ଦେଲାପରି ।
ପୁତ୍ରକୁ ସେ କୋଳେଇ ଧରି ବିଳପି ଉଠିଲା । ହେ କାହ୍ନା ! ହେ ଭାବଗ୍ରାହୀ ! ହେ ପାପହାରୀ ! ତୁମକୁ କଣ ଅଛପା ଯେ ! ମୋ ପାପର ଦଣ୍ଡ ମୋତେ ଦେଇ ଥାଆନ୍ତ , ବିଚରା ଅର୍ଜୁନ କାହିଁକି ?
ପୁଅ ଅତନୁର ପ୍ରଥମ ଜନ୍ମ ବର୍ଷ ପାଳନର ଉତ୍ସାହରେ ଅର୍ଜୁନ ଚାଲିଗଲା ସଂସାର ଛାଡି ଦୁର୍ଘଟଣାର ଶିକାର ହେଇ । ସେଇଠୁ ଆହୁରି ଭାଙ୍ଗିପଡିଲା ଅନିମା । ନିଜ ପ୍ରତି ଘୃଣା ଭାବ ଜାତ ହେଲା । ନ ସେ କାହାକୁ କରିପାରିଲା ନିଜର , ନ ହେଇପାରିଲା କାହାର । ଏମିତିକି ପୁତ୍ର ଅତନୁକୁ ଧରି ନିଜ ମାତା ପିତା ପାଖକୁ ବି ଯାଇପାରିଲା ନାହିଁ ।
ଯିବ ବା କେମିତି ? ସେ ତ ନିଜେ ନିଜ ଅଭିମାନରେ ନ ଫେରିବାର ଲକ୍ଷ୍ମଣରେଖା କାଟି ଆସିଛି । କଣ ବା ଆଉ ସେ କରିଥାନ୍ତା । ଯେଉଁ କଲେଜରେ ସେ ପଢୁଥିଲା , ସେହି କଲେଜର ନୂଆ ନୂଆ ଜଏନ କରିଥିବା ଅଧ୍ୟାପକ ଅନିରୁଦ୍ଧଙ୍କ ପ୍ରେମରେ ପଡିଥିଲା ସେ । ଘରେ , ବାହାରେ , କଲେଜରେ ତାଙ୍କଠୁ ଟିଉସନ ନେଉଥିବା ବେଳେ ଗଢିଉଠିଥିଲା ସେମାନକ ଭଲପାଇବାର ପର୍ବ । ଅତି ସଂତର୍ପଣରେ ବଢୁଥିଲା ସେମାନଙ୍କ ଭଲପାଇବା । ସେ ନିଜେ ହିଁ ନିଜକୁ ସମର୍ପି ଦେଇଥିଲା ଅନିରୁଦ୍ଧଙ୍କ କୋଳେ । ଯେହେତୁ ଅନିରୁଦ୍ଧଙ୍କ ବିବାହ ବୟସ ବ୍ୟତିକ୍ରମ ହେଉଥିଲା , ତାଙ୍କରି ବି କିଛି ବିବାହକୁ ନେଇ ଅସୁବିଧା ନଥିଲା । ସବୁ ସହଜ ଲାଗୁଥିଲା । ସ୍ଵପ୍ନର ସୌଧ ଗଢି ଉଠୁଥିଲା ଧୀରେ ଧୀରେ ।
ହଠାତ ଅର୍ଜୁନ ଆସି ତା ଘରେ ପହଞ୍ଚି ତା ବାପାଙ୍କୁ କ’ଣ କହିଲା କେଜାଣି , ସବୁ ମାନସାଙ୍କ ବଦଳି ଯାଇଥିଲା ଅନିମା ରଚିଥିବା ପ୍ରେମମୟ ସଂସାରର । ପ୍ରଥମ ଥର ପାଇଁ ସେଇଠି ସେ ଦେଖିଥିଲା ଅର୍ଜୁନଙ୍କୁ । ଅତି ଭଦ୍ର ସୁପୁରୁଷ ଅର୍ଜୁନ ଯେ ତା ଜୀବନରେ ଖଳନାୟକ ହେଇ ଆସିଯିବେ ସେ ଭାବିନଥିଲା ।
ଯେହେତୁ ଡାକ୍ତର କହିଥିଲେ ଯେତେ ଶୀଘ୍ର ତାଙ୍କ ପିତାଙ୍କ ଇଛା ପୂରଣ ହେବ , ସେତେ ଅଧିକ ସମୟ ଆଉ କିଛି ମାସ ବଞ୍ଚିବେ । ଯଦି ମରିବେ , ଅନ୍ତତଃ ଶାନ୍ତିରେ ମରିବେ । ଅନିମାର ପିତା ତାଙ୍କର ବାଲ୍ୟବନ୍ଧୁ ହେଇଥିବାରୁ ଶେଷରେ ସେ ଅର୍ଜୁନକୁ ପଠେଇଥିଲେ ଅନିମାକୁ ବୋହୁ କରିବାକୁ ।
ଅନିମାର ଅର୍ଜୁନଙ୍କ ସହ ବିବାହ ପ୍ରସ୍ତାବ ଅବଶ୍ୟ ତା ବାପା ପାଇଁ ସେତେ ଗୁରୁତ୍ଵ ନଥିଲା , ତାହାଠୁ ଅଧିକ ବାଲ୍ୟବନ୍ଧୁର ଅନେକ ଉପକାର ତଳେ ଦବି ରହିଥିବା ତା ପିତା ବନ୍ଧୁଙ୍କ ଅନ୍ତିମ ଯନ୍ତ୍ରଣାକୁ ନେଇ ବିଚଳିତ ହୋଇ ଉଠିଥିଲେ । ଅବଶ୍ୟ ଅନିମା ବି ତାଙ୍କ ପ୍ରିୟ ଗେହ୍ଲୀ ଝିଅ । ତେଣୁ ସେ ତା’ର ବିଚାର ମାଗିବସିଲେ ।
ବୁଡିଯାଉଥିବା ନାବକୁ ଉଦ୍ଧାର କରିବାକୁ ସୁଯୋଗ ମିଳିବା ଦେଖି ଅନିମା କହିଥିଲା ଅଧ୍ୟାପକ ଅନିରୁଦ୍ଧଙ୍କ କଥା । ଝିଅର ଜୀବନ ତମାମ କଥା ଭାବି ରାଜି ହେଇଗଲେ ତା ପିତା । ଯଥାଶୀଘ୍ର ଘରକୁ ଅନିରୁଦ୍ଧର ବାପାମାଙ୍କୁ ଡାକି ସବୁ କଥା ଛିଡେଇବାକୁ ଆଦେଶ ଦେଇଥିଲେ । ଏହି କାମ ପାଇଁ ସେ ଯାଇଥିଲା ଅନିରୁଦ୍ଧଙ୍କ ଘରୁ ।
କିନ୍ତୁ ଫେରିବା ପରେ ହେଇଯାଇଥିଲା ଗୁମ୍ସୁମ । ଯେତେ ପଚାରିଲେ ବାପମା , କହିଲା ନାହିଁ କିଛି । କେବଳ ସମୟ ମାଗିଲା । ଇଆଡେ ବାପାଙ୍କ ବାଲ୍ୟବନ୍ଧୁ ଏବଂ ଅର୍ଜୁନର ବାରମ୍ବାର ଅନୁରୋଧ ତା’ର ସମସ୍ୟାକୁ ଆହୁରି ବଢାଉଥିଲା । ଅନିରୁଦ୍ଧକୁ ବାହା ହେବାରେ କିଛି ସମସ୍ଯା ନଥିଲା , କିନ୍ତୁ ତାଙ୍କ ଘରକୁ ବୋହୁ ହେଇ ଯିବାରେ ଥିଲା ଅନେକ ସମସ୍ଯା । ସେହି କଥା ସେ କାହାକୁ କହି ପାରୁ ନଥିଲା , ଏମିତି କି ନିଜ ମନର ମଣିଷ ଅନିରୁଦ୍ଧଙ୍କୁ ବି । ଶେଷରେ ତା’ର ଅର୍ଜୁନଙ୍କ ସହ କେମିତି ବାହାଘର ହେଲା , ନିଜ ଅକ୍ତିଆରରେ ନଥିଲା ଅନିମାର । ପଛରେ ପଡିଗଲା ତା ପ୍ରେମର ସଂସାର , ଅଧାଗଢା ସ୍ଵପ୍ନର ଘର , ଅନିରୁଦ୍ଧ , ତା ପରିବାର , କଲେଜ ପାଠପଢା ସବୁ । ଅର୍ଜୁନ ହେଇଯାଇଥିଲା ସବୁ କିଛି ।
କିନ୍ତୁ ସ୍ଵାମୀ ଅର୍ଜୁନ ଆରପାରିକୁ ଗଲା ପରେ ସେ ଏତେ ବଡ ଘରେ ଏକୁଟିଆ କେବଳ ପଡିରହିଛି ମନରେ ଧରି ବସିଥିବା ପାପକୁ ନେଇ , ଯାହା ଅର୍ଜୁନ ବଞ୍ଚି ଥାଉଥାଉ ଜାଣିପାରିଲେ ନାହିଁ । ହେ କାହ୍ନା ! ଏ ବାଳଗୋପାଳକୁ ମୁଁ ଆଉ ସମ୍ଭାଳି ପାରୁନି । କି ତାକୁ ତା ଠିକଣାରେ ପହଞ୍ଚେଇ ପାରୁନି , କି ପାଳିବାର ସାହସ ଯୁଟେଇ ପାରୁନି । କି କୌଣସି ଅନାଥ ଆଶ୍ରମରେ ବି ଦେଇ ଦେବାକୁ ଭାବିପାରୁନି । ତୁମେ କେଉଁ ରୂପରେ ଆସ ପ୍ରଭୁ ! ନଚେତ ତୁମ ଭଳି କେଉଁ ପାପହାରୀକୁ ପଠାଅ ପ୍ରଭୁ , ଯିଏ ମୋ ପୀଡାକୁ ନିଜର ଭାବି ଆପଣେଇ ନେବ । କିଏ ଟିକେ ଓହ୍ଲେଇ ଦେବ ମୁଁ ବୋହି ବୋହି ଚାଲୁଥିବା ମୋ ପାପର ବୋଝକୁ ।
ଏଇ ସମୟରେ ଘରର ଘଣ୍ଟି ବାଜିଉଠିଲା । ଯେଉଁ ଆଗନ୍ତୁକଙ୍କୁ ସେ ଅପେକ୍ଷା କରିଥିଲା ବୋଧେ ସେ ଆସିଗଲେ । ଅତନୁର କୋମଳ ଓଠରେ କ୍ଷୀର ବୋତଲ ଦେଇ ତାକୁ ଦୋଳିରେ ଶୁଆଇଦେଲା । ଟେବୁଲ ଉପରେ ପଡିଥିବା ଖବର କାଗଜ ଉଠେଇ ଆଣି ହାତରେ ଧରି ଦୁଆର ଆଡକୁ ଆଗେଇ ଚାଲିଲା । ସେହି ଖବର କାଗଜରେ ଗୋଟିଏ ବିଜ୍ଞାପନକୁ ପେନରେ ସେ ମାର୍କ କରିଥିଲା , ଯେଉଁଥିରେ ଲେଖାଥିଲା ସନ୍ତାନହୀନ ଦମ୍ପତ୍ତି ପାଇଁ ଗୋଟିଏ ପୁତ୍ର କି କନ୍ୟା ସନ୍ତାନ ଆବଶ୍ୟକ । ସେଇଠୁ ସେ ଦିଆ ହେଇଥିବା ଫୋନ ନମ୍ବରରେ କଥା ହେଇଥିଲା । ଫୋନରୁ ସେ ଜାଣିପାରିଥିଲା ଯେ ତା ସନ୍ତାନ ଏମିତି ଏକ ଘରକୁ ଯିବ , ଯେମିତି ସେ ଚାହୁଁଥିଲା । କେବଳ ସେଘରେ ଅତନୁ ଏକମାତ୍ର କଳାମାଣିକ , ଯେଉଁଠି ସମସ୍ତଙ୍କର ଗେହ୍ଲା ହେବ । ତା ଅଧିକାର , ତା ସମ୍ପତ୍ତି ଓ ଭବିଷ୍ୟତରେ କିଏ ଯେମିତି ଭାଗ ମାଗିପାରିବ ନାହିଁ ।
x x x x
ଦୁଆର ଖୋଲି ଯେଉଁ ଆଗନ୍ତୁକକୁ ଅନିମା ଦେଖିଲା , ତା ପାଦ ତଳ ମାଟି ଖସିଗଲା ଭଳି ଲାଗିଲା । ଲାଗିଲା ଅର୍ଜୁନ ସହ ସଭିଙ୍କୁ ଲୁଚେଇ ଆଜି ଯାଏଁ ଯେଉଁ ପାପ ସେ ବୋହି ଚାଲିଛି , ଲାଗିଲା ତାହା ବୋଧେ ଧରା ପଡିଯାଇଛି , କି ଧରା ପଡିଯିବ ।
ଆଗନ୍ତୁକ ବି ତାକୁ ଦେଖି ଆଶ୍ଚର୍ଯ୍ୟରେ ମୁକ ପରି ଠିଆ ହେଲା କିଛି ସମୟ । ତା ପରେ ‘କ୍ଷମା କରିବେ ଭୁଲ ଘରକୁ ଆସିଗଲି’ କହି ଫେରିଯାଉଥିଲା । ହେ କାହ୍ନା ! ମୁଁ ତ ମାଗିଥିଲି ପାପହାରୀକୁ । ତୁମେ ପଠେଇଦେଲ ଭାବଗ୍ରାହୀକୁ , ଯାହା ଯୋଗୁ ସବୁ ଭାବ କଟିଯାଇଥିଲା ଅତୀତ ସହ ।
-“ ତୁମେ ଠିକ ଘରକୁ ଆସିଛ ଭାବଗ୍ରାହୀ । ଭିତରକୁ ଆସ । “
ଭାବଗ୍ରାହୀ ଅନିରୁଦ୍ଧଙ୍କ ସାନଭାଇ ଏବଂ ତା କଲେଜରେ ପଢୁଥିବା ସିନିଅର ।
କିଛି ସମୟର ନୀରବତା । ଚା ଆଣି ଦେଇଗଲା ଅନିମା । ପୁଅ ଉଠି କାନ୍ଦିଲା ସେତେବେଳେ । ଯେତେ ଚୁପ କରେଇଲେ ଚୁପ ହେଲା ନାହିଁ । ଭାବଗ୍ରାହୀ ତାକୁ ଧରିବାରୁ ସେ ଚୁପ ହେଇ ପୁଣି ସୋଇଗଲା ।
-“ ଅନିମା ! ତୁମ ବାହାଘର ହେଇଗଲା ପରେ ମୁଁ ଜାଣିଲି ଯେ ଭାଇ ଓ ତୁମେ ପରସ୍ପର ଭଲପାଉଥିଲ । ସଂସାର ଗଢିବାକୁ ପ୍ରତିବଦ୍ଧ ଥିଲ । ତୁମ ଦୁଇ ଜଣଙ୍କ ଅଲଗା ହେବାରେ ନିଜକୁ ଆଜିଯାଏଁ ଦୋଷୀ ସାବ୍ୟସ୍ତ କରୁଛି । କେତେ ଖୋଜୁଛି କ୍ଷମା ମାଗିବାକୁ । ଭାଇଙ୍କୁ ତ ଏ ଯାଏଁ ଅଜଣା ଯେ ମୁଁ ତୁମକୁ ଭଲପାଏ ବୋଲି । ଯେଉଁକଥା ନ କହି ପାରି ତୁମେ ନିଜକୁ ଏତେ ବଡ ଦଣ୍ଡ ଦେଲ , କେମିତି ମୁଁ କହି ତାଙ୍କ ଦଣ୍ଡ ଆହୁରି ବଢେଇ ଦିଅନ୍ତି କହିଲ ? ଆମର ବାଧ୍ୟ ବାଧ୍ୟକତାରେ ସେ ବାହାହେଲେ । କିନ୍ତୁ ତୁମକୁ ଦେଇଥିବା ଯନ୍ତ୍ରଣାର ଫଳ ବୋଧେ ତାଙ୍କୁ ମିଳିଛି । ସନ୍ତାନ ହୀନ ହେଇଗଲେ ଦୁହେଁ । ମୁଁ ବି ବାହା ହେବି ନାହିଁ ବୋଲି ଶପଥ କରିଛି । “ ପୁନଶ୍ଚ ନୀରବତା ।
-“କିନ୍ତୁ ଏବେ ଏମିତି ଆଉ ପରିସ୍ଥିତି ନାହିଁ । ସବୁ ବଦଳି ଯାଇଛି । କିଛି ଦିନ ପରେ ମୁଁ ଦେଶ ବାହାରକୁ ଚାଲିଯିବି । ଯେଉଁ ବଦାନ୍ୟ ବ୍ୟକ୍ତି ଏଥିପାଇଁ ସାହାଯ୍ୟ କରିବେ, ତାଙ୍କରି ଝିଅ ସହ ମୋର ନିର୍ବନ୍ଧ ହେବ । ଘରେ ସଭିଙ୍କ ପାଇଁ ଚିନ୍ତା ବଢିଗଲା । ମୁଁ ଗଲାପରେ ତ ଘର ଆହୁରି ଖାଲି ହେଇଯିବ ଘର । ତେଣୁ ଶେଷରେ ଆମେ ଚିନ୍ତାକଲୁ ଯେ ଗୋଟିଏ ସନ୍ତାନକୁ ପୋଷ୍ୟ ଭାବେ ଗ୍ରହଣ କରିବୁ । କେବଳ ଆମର ଗୋଟିଏ ସର୍ତ୍ତଥିଲା ଯେ ବାପା କି ମାଆ ବଞ୍ଚିଥିବା ସନ୍ତାନକୁ ଆମେ ଗ୍ରହଣ କରିବୁ । ଯାହାଦ୍ୱାରା ପିଲାଟିର ଲାଳନ ପାଳନ ପାଇଁ ସୁବିଧା ହେବ । କିନ୍ତୁ ଭାଗ୍ଯର ବିଡମ୍ବନା କୁହ , କି ସୌଭାଗ୍ୟ , ତୁମେ ହିଁ ମିଳିଲ । ଅନ୍ତତଃ ତୁମେ ତ ଅତି ନଜର । ମୋତେ କ୍ଷମା କର । “ ଏତିକି କହି ଭାବଗ୍ରାହୀ ମୁଣ୍ଡ ତଳକୁ କଳା ଏବଂ ପିଲାଟିକୁ ଅତି ଆଦରରେ ଦେଖିଲା । ଆପଣାପଣ ବଢି ଚାଲିଥିଲା ।
କିଛି ପ୍ରତିକ୍ରିୟା ରଖିଲା ନାହିଁ ଅନିମା । ବାପା ରାଜି ହେବାରୁ ଯେତେବେଳ ଅତି ଖୁସି ହେଇ ସେ ଅନିରୁଦ୍ଧ ଘରକୁ ଯାଇଥିଲା , ତାକୁ ଅଟକି ଭଲପାଉଛି ବୋଲି କହିଥିଲା ଭାବଗ୍ରାହୀ । ସେ ଯଦି ତାକୁ ନ ମିଳିବ ତେବେ ସବୁ ଉଜୁଡି ଯିବ ତା ସଂସାର । କହି ପାରିନଥିଲା ଅନିମା ଯେ , ତା ବଡଭାଇ ଅନିରୁଦ୍ଧକୁ ସର୍ବସ୍ଵ ଦେଇସାରିଛି । ଯଦି ସେ ଭାବଗ୍ରାହୀକୁ ଅଗ୍ରାହ୍ୟ କରି ଅନିରୁଦ୍ଧକୁ ବାହାହେଉଛି ତେବେ ସବୁ ସମ୍ପର୍କର ହିସାବ ଯେ ଗଡବଡ ହେଇଯିବ । କେମିତି ସେ ସାମନା କରିବ , କାହାକୁ କେମିତି ବୁଝେଇବ ? ସବୁ ଅବୁଝା ହେଇଗଲା ବୋଲି ତ ନିଶବ୍ଦ ହେଇଯାଇଥିଲା ପରିବାର ଆଗରେ
କେମିତି ସ୍ଵାମୀ ମରିଗଲେ ବୋଲି ପଚାରିବାରୁ ସେ କହିଲା ନିଜ ଦୁଃଖ କଥା , ଏବଂ ଜନ୍ମ ଦିନରେ ଦୁର୍ଘଟଣା କଥା । ମା ତ ସିଏ-ଯିଏ ନିଜ ଲହୁ ଲୁହ ଦେଇ ନିଜ ସନ୍ତାନକୁ ରକ୍ଷା କରେ , ପାଳେ ପୋଷେ । ତେବେ କ’ଣ ଅନିମା ସେପରି ମାଆ ନୁହଁ, ଯିଏକି ନିଜ ସନ୍ତାନକୁ ଅନ୍ୟକୁ ସମର୍ପି ଦେବ ? ସମାଜରେ କ’ଣ ଡାହାଣୀର ଆସନ ପାଇବ ? ତେଣୁ ସେ ସବୁ ସ୍ଥିତିକୁ ପରଖୁ ଥିଲା । ଭାବୁଥିଲା ଯଦି ସବୁ ଠିକଠାକ ହେବ, ତେବେ ବାପାମା ଘରକୁ ଯାଇ ପୁନଶ୍ଚ ନୂତନ ଭାବେ ଜୀବନ ଯାପନ କରିବ । ତାପରେ ସେ ମନ ବଦଳେଇଲା । ନା ନା ! ସନ୍ତାନକୁ ଛାଡି , ଆଶ୍ରମରେ ଦେଇ ସନ୍ନ୍ୟାସିନୀ ହେଇଯିବ । ନ ହେଲେ ତା ସନ୍ତାନକୁ ଆପଣେଇବାକୁ ପ୍ରସ୍ତୁତ ଥିବା ବ୍ୟକ୍ତିକୁ ବି ସେ ବାହାହେଇ ସଂସାର କରିପାରିବ , ଅତନୁର ଦାୟିତ୍ଵ ନେଇପାରିବ ।
କିନ୍ତୁ ଦୁନିଆଠୁ ଲୁଚେଇ ଯେଉଁ ପାପ ବୋହି ବଞ୍ଚିଚାଲିଛି , ଆଉ ନ ପାରିବାରୁ ସେ ନିଶ୍ଚିତ କରିଛି ଅନେକ ଦୂର ଚାଲିଯିବ ଏକା ଏକା । ଯେଉଁଠି ତାକୁ କିଏ ଚିହ୍ନି ପାରିବ ନାହିଁ , କି ତାକୁ ମରି ମରି ବଞ୍ଚିବାକୁ ହେବ ନାହିଁ । କିନ୍ତୁ ତା ଅର୍ଥ ନୁହଁ, ନିଜ ସନ୍ତାନକୁ ରାସ୍ତାରେ ଫୋପାଡି ଦେବ । ତାହାର ସମସ୍ତ ସୁବିଧା କରି ହିଁ ସେ ନିଜ ପଥେ ଆଗେଇଯିବ । ଆଉ କାହା ସହ ବାହାହେଇ ସଂସାର କରିବାର ରାସ୍ତା ସେ ନିଜ ପାଇଁ କେବଠୁ ବନ୍ଦ କରିଦେଇଛି ।
-“ ମୁଁ ଏଥର ଫେରିବି ଅନିମା । ନା ନା ! ଭାଉଜ । ତୁମ ନିର୍ଣ୍ଣୟ ତୁମ ଉପରେ । “
-“ ଆଉ ତୁମ ଭାଇ , ତୁମ ପରିବାର ପାଇଁ ଶିଶୁଟିଏର କୋଳାହଳ , ଏ ସବୁ କ’ଣ ହେବ ? “ ପଚାରିଲା ଅନିମା ।
ଭାବଗ୍ରାହୀର ଚେହେରାରେ ଏକ ଅକସ୍ମାତ ଉଜ୍ଜ୍ଵଳତା । ଅପୂର୍ବ ଚମକ । -“ ତେବେ କଣ ଅତନୁ ଏବଠୁ ଆମର ? “ ଖୁସିରେ ଭାବଗ୍ରାହୀ ଅନିମାର ହାତରୁ କୋଳେଇ ନେଲା ଶିଶୁକୁ ।
-“ କିନ୍ତୁ ମୋର ଗୋଟିଏ ସର୍ତ୍ତ । “
-“ ସବୁ ଚଳିବ ଭାଉଜ । ତୁମେ କହି କି ତ ଦେଖ ?” ଉତ୍ତରଦେଲା ଭାବଗ୍ରାହୀ ।
-“ ଏ ସନ୍ତାନ ମୋର ବୋଲି ତୁମେ ତୁମ ଘରେ କହିବ ନାହିଁ । କହିଦେବ ସନ୍ତାନ ଦେବାକୁ ପ୍ରସ୍ତୁତ ଥିବା ମାତା ଏହି ସର୍ତ୍ତ ରଖିଛି । ତୁମ ଭାଇ ଜାଣିଲେ ଆଗକୁ କଣ ହେବ , ତୁମକୁ ବୁଝେଇବା ଦରକାର ନାହିଁ । “
-“ ସବୁ ମଞ୍ଜୁର ଭାଉଜ । ଅତନୁ ଏବେ କେବଳ ତୁମର ନୁହଁ, ବରଂ ଆମର । ପୁନଶ୍ଚ ତୁମ ଜୀବନରେ ଆମେ ଶନି ଗ୍ରହ ହେଇ ଆସିବୁ ନାହିଁ , ଏ କଥା ମୁଁ ଦେଉଛି । ମୋତେ ତୁମେ ତୁମ କାହ୍ନା ପରି , ସଖା ଭାବ । “ କୃଷ୍ଣଙ୍କ ମୂର୍ତ୍ତିକୁ ଦେଖେଇ କହିଲା ଭାବଗ୍ରାହୀ ।
ଅନିମାର ମୁହଁରେ ହସ ଟିକେ ଫୁଟିଲା । ତା ହସ ଦେଖି ପୁନଶ୍ଚ କହିଲା ଭାବଗ୍ରାହୀ –“ ଭାଉଜ ! ଏବେ ମୁଁ ଅତନୁକୁ ନେଇଯିବି ? ତୁମର କିଛି ଅସୁବିଧା ନାହିଁ ତ ? କାନ୍ଦିଲେ ଆଣି ଛାଡି ଦେଇଯିବି । ନ କାନ୍ଦିଲେ ଦୁଇ ତିନି ଘରେ ରଖିବି । ଏ ଭିତରେ ସବୁ କାଗଜ କଲମ କଥା କରିଦେବି । “
ନାହିଁ କରିବାର ନଥିଲା ଅନିମାକୁ । ଅତନୁର କିଛି ପୋଷାକ ଓ କ୍ଷୀର ବୋତଲ ଆଣି ,ତାକୁ ଚୁଚୁମି ଦେଇ ଦେଲା ଭାବଗ୍ରାହୀକୁ । ଦୁଆର ଆଡକୁ ଆଗେଇ ଚାଲିଲା ଭାବଗ୍ରାହୀ ।
ଅନିମାର ମୁହଁରେ ଚିନ୍ତାର ଚିହ୍ନଟିଏ ନଥିଲା ଯେପରି । ତା କା’ହ୍ନାକୁ ଦେଖିଲା ସେ ଅତି ଆଦରରେ । ଯେମିତି ମୁଣ୍ଡ ଉପର ବୋଝ ହାଲୁକା ହେଇଥିଲା । ଭାବଗ୍ରାହୀ ଯେମିତି ଲାଗିଲା ପାପଗ୍ରାହୀ ପରି , ଯାହାକୁ ପଠେଇଥିଲେ କାହ୍ନା ।
ଅନିମା ବିନା ଆଉ କିଏ ଜାଣିପାରିଲେ ନାହିଁ ଯେ ଅତନୁ ଅର୍ଜୁନର ନୁହଁ , ବରଂ ଅନିରୁଦ୍ଧର ସନ୍ତାନ । ଏବେ ତ ଅତନୁ ନିଜ ଘରକୁ , ନିଜ ପିତା ପାଖକୁ ସଠିକ ଠିକଣାରେ ପହଞ୍ଚିବାକୁ ଯାଉଛି । ନିଜ ପିତା ପ୍ରତି ଅତୁଟ ପ୍ରେମ ଓ ପିତା ହେବାର ଅତ୍ୟନ୍ତ ଆନନ୍ଦରେ ଅର୍ଜୁନ ଏତେ ଆତ୍ମହରା ହେଇଥିଲେ ଯେ , ତାଙ୍କୁ ଏହି କଥା କହିବାକୁ ସାହସ ହିଁ ଜୁଟେଇ ପାରିନଥିଲା ଅନିମା ॥
-ଠିକଣା-
ସମ୍ପାଦକ ଗଞ୍ଜାମର କବିତାଘର
ଆଙ୍କୁଲି , ବ୍ରହ୍ମପୁର , ଗଞ୍ଜାମ -୭୬୦୦୧୦
ଫୋନ -୮୭୬୩୨୦୨୬୨୨