ନିଜ ଶବ୍ଦ ଚାତୁରୀରେ ସମସ୍ତଙ୍କ ମନକୁ ଛୁଇଁ ପାରୁଥିବା କବୀ ଜ୍ୟୋତ୍ସ୍ନାରାଣୀ ଦେବୀଙ୍କ ଚମତ୍କାର କବିତା __ସାର୍ଥକ ଜୀବନ…. ଆସନ୍ତୁ ପଢିବା

 

ସାର୍ଥକ ଜୀବନ

ଜ୍ୟୋତ୍ସ୍ନା ରାଣୀ ଦେବୀ

ନକ୍ଷତ୍ରପନ୍ତି ମଧ୍ୟରେ ଧ୍ରୁବତାରା ଯେହ୍ନେ
ଶୋଭା ପାଉଥାଏ ରହି ଆପଣା ସୁଗୁଣେ ।
ତୁଳସୀ ରସାଳ ବିଲ୍ଵ ଆଦି ଯେ ପଲ୍ଲବ
ଆମ୍ର,ନାରିକେଳ ଗୁଆ ପକ୍ଵରମ୍ଭା ଦ୍ରବ୍ଯ ।

ବର ,ଅଶ୍ଵତ୍ଥ ,ଅଁଳା ,ବିଲ୍ଵ ବୃକ୍ଷଗଣ
ପୂଜିତ ହୁଅନ୍ତି ଧରି ଆପଣା ସୁଗୁଣ ।
ହୀରକ,କାଞ୍ଚନ,ମୋତି ,ବୈଦୁର୍ଯ୍ୟ,ମାଣିକ
ଗୁଣେ ଗୁଣୀ ହୋଇ ତାଙ୍କୁ ଖୋଜିଥାନ୍ତି ଲୋକ ।

ଚନ୍ଦ୍ରସୂର୍ଯ୍ୟ କାଳେକାଳେ ଅନ୍ଧକାର ନାଶି
ପୂଜିତ ହୁଅନ୍ତି ନିଜ ଆଲୋକ ପ୍ରକାଶି ।
ଗଙ୍ଗାଯମୁନାଦି ନଦୀ ଅମୃତ ସମାନ
ମହୀୟସୀ ହୋଇଛନ୍ତି କରି ତୋୟଦାନ ।

ପ୍ରୟାଗ ,ପୁଷ୍କର,ଗୟା,କାଶୀ,ବୃନ୍ଦାବନ
ତୀର୍ଥରାଜ ଆପଣାର ପାବନେ ଶୋଭନ ।
ରାମାୟଣ,ବେଦ, ଗୀତା,ଭାଗବତ ଗ୍ରନ୍ଥ
ଉପନିଷଦ ସାଥିରେ ଯେ ମହାଭାରତ ।

ପୂଜିତ ହୁଅନ୍ତି ଘରେଘରେ ପଲ୍ଲୀପୁରେ
ରହିଛନ୍ତି ରହିଥିବେ କାଳ କାଳାନ୍ତରେ ।
ଗୁଣ,ବାସ ନଥିଲେ କେ କରେନା ଆଦର
ପୂଜିତ ହୁଅନ୍ତି ନାହିଁ କେବେ କେଉଁଠାର ।

ଅନ୍ତର୍ବାହ୍ୟେ କେବେ ସେ ଯେ ନୁହଁନ୍ତି ଭାଜନ
କାଳଜୟୀ ହୁଏନି ଯେ ନୁହେଁ କୀର୍ତ୍ତିମାନ ।
ପଳାଶର ସମ ମେଲି ସୌନ୍ଦର୍ଯ୍ୟ ପସରା
କି ଲାଭ ମହୀରେ ଜିଇଁ ଦିଶୁଥିଲେ ତୋରା ।

ଶେଫାଳିର ସମ ପଛେ ଫୁଟି ଯେ କ୍ଷଣିକ
ରସବାସେ ମହକାଇ ରେ ଭବ ବଣିକ
ପ୍ରିୟ ବାକ୍ୟ ପ୍ରଦାନରେ ସର୍ବ ମନ ତୋଷି
ସେବା,ତ୍ୟାଗତିତିକ୍ଷାରେ ଯା’ ହସିହସି ।

ରହିଥିବୁ ଚିରକାଳ ପ୍ରତି ହୃଦୟରେ
ପାଉଥିବୁ ପୂଜା ସତେ ଅନ୍ତରେ ବାହାରେ ।
ଧନ୍ୟ ହେବ ଏ ଜୀବନ ଧନ୍ୟ ହେବ ପ୍ରାଣ
ସାର୍ଥକ ହୋଇବ ତୋର ସୃଷ୍ଟିର କାରଣ ।

ବ୍ରହ୍ମପୁର, ଗଂଜାମ