ଗଳ୍ପ : ଅମେରୁଦଣ୍ଡୀ
ଗାଳ୍ପିକ : ଭାଗୀରଥି ବେହେରା
ସୁଶାନ୍ତ କୌଣସି କାମରେ ରାଜଧାନୀ ଆସିଛି, ଏତିକି ତ ମହେନ୍ଦ୍ରର କଥାରୁ ଜଣାପଡିଲା । ସେହି ରାଜଧାନୀ ଯେଉଁଠି ତିନି ବନ୍ଧୁ ଏକା ସଙ୍ଗେ କଲେଜ ଜୀବନ ବିତେଇଥିଲେ । ବିଦ୍ଯାଧର ଭାବୁଛି ଏବେ ତାକୁ ଭେଟିବାକୁ ଯିବ କି ନା !
କଲେଜ ଦିନର ଗୋଟିଏ ଘଟଣା ଯଥେଷ୍ଟ ଥିଲା ସୁଶାନ୍ତକୁ ନାପସନ୍ଦ କରିବା ଲାଗି । ମହେନ୍ଦ୍ର ବି ଅଳ୍ପ ବହୁତ ଜାଣିଛି ଯେ, କାହିଁକି କଲେଜ ସମୟରୁ ବିଦ୍ଯାଧର ସୁଶାନ୍ତକୁ ଏତେ ଭଲପାଉନି । ଅବଶ୍ୟ କୋଡିଏ ବର୍ଷ ତଳର ପାଗଳାମି ଏବେ ତ ଅପ୍ରାସଙ୍ଗିକ । ଦେଖାଯାଉ, କାଲି ଭେଟ ହେବ ପୁରୁଣା ବନ୍ଧୁମାନଙ୍କ । ବିଦ୍ଯାଧର ଭାବିଲା ହଉ ! ଅନ୍ତତଃ ମହେନ୍ଦ୍ରକୁ ଭେଟିବ। ଅନେକ ଦିନ ହେଲା ତା ଘରକୁ ନିମନ୍ତ୍ରଣ କଲାଣି । କଲେଜ ସମୟରୁ ଏଯାଏଁ ସେ ହିଁ ତ ବିଦ୍ୟାଧରର ଦୁଃଖସୁଖର ସାଥୀ ।
ସମୟ ଏକ ନଦୀ ପରି । ନଦୀ ପରି ବହେ । ନଦୀ ପରି ଫେରେନା । ଅବଶ୍ୟ ନଦୀ ସାଗରରେ ମିଶେ, ସମୟ ତ କୁଆଡେ କାଳଖଣ୍ଡରେ ମିଳେଇଯାଏ ଜଣାପଡେନି । ସେହି ସମୟର ସୁଅରେ ଭାସି ରାଜ୍ୟ ବାହାରେ ଚାକିରି କରୁଥିବା ମହେନ୍ଦ୍ର, ପିତାଙ୍କ ମୃତ୍ୟୁ ଯୋଗୁଁ ରାଜଧାନୀରେ ଥିବା ହୋଟେଲ ବ୍ୟବସାୟ ସମ୍ଭାଳିଲା । ସୁଶାନ୍ତ ଉଚ୍ଚ ଆକାଂକ୍ଷା ନେଇ ଉଡିଗଲା ବିଦେଶ । ବିଦ୍ଯାଧର ସରକାରୀ ଅଫିସର ହୋଇ ନିଜ ଅବିବାହିତ ଜୀବନ ବଞ୍ଚୁଛି ରାଜଧାନୀ ଠୁଁ ଦୁଇ ଶହ କିଲୋମିଟର ଦୂରେ । ଅନେକ ଥର ମିଟିଂ ଏବଂ ଟ୍ରେନିଂ ପାଇଁ ସେ ରାଜଧାନୀ ଆସେ । ପ୍ରତିଥର ମହେନ୍ଦ୍ରର ସ୍ତ୍ରୀ ତଥା ଭାଉଜଙ୍କ ନିମନ୍ତ୍ରଣ ସ୍ଵୀକାର କରେ, କିନ୍ତୁ ତାଙ୍କରି ଆତିଥ୍ୟ ଗ୍ରହଣ କରିପାରେନା ।
ସୁଶାନ୍ତ ଜୀବନ ସୁଖରେ କାଟୁଛି । ସୁନ୍ଦର ସ୍ତ୍ରୀ, ଦୁଇ ପୁଅଝିଅ ନେଇ ସଂସାର । ସ୍ତ୍ରୀ ସାଥିରେ କର୍ମଜୀବୀ । କହିବାକୁ ଗଲେ ବିଦେଶରେ ହିଁ ସୁଶାନ୍ତ ନିଜ ମହିଳା ସହକର୍ମୀ ସହ ବିବାହ ବନ୍ଧନରେ ବାନ୍ଧିହେଲା । ମହେନ୍ଦ୍ର ବିବାହିତ, ଗୋଟିଏ କନ୍ୟାରତ୍ନର ପିତା । ବିଦ୍ଯାଧରର କିନ୍ତୁ ସଂସାରର ବୋଝ ଓ ଦାୟିତ୍ଵବୋଧରେ ଆଉ ବିବାହ ହେଇପାରିଲା ନାହିଁ । ଅକସ୍ମାତ ବାପା ଚାଲିଗଲା ପରେ ପୁରୁଷତ୍ଵର ସହ ସମ୍ଭାଳିବାକୁ ପଡିଲା ପୁରୁଣା ଘର, ବୁଢୀମା ସହ ଭାଇଭଉଣୀ ମାନଙ୍କ ଦାୟିତ୍ଵ। ଶେଷରେ ନିଷ୍ପତ୍ତି ହେଲା ତିନି ବନ୍ଧୁ ଭେଟ ହେବେ ମହେନ୍ଦ୍ରର ଘରେ ।
x x x x x
ସନ୍ଧ୍ୟା ବିଭୋର ରାଜଧାନୀରେ ସହର ନବବଧୂ ପରି ଦିଶେ, ମହେନ୍ଦ୍ରର ତିନିତଳ ପ୍ରାସାଦ ଛାତ ଉପରେ ବସି ଭାବୁଥିଲା ବିଦ୍ଯାଧର । ସୁଶାନ୍ତ ଖୁସି ଯେ ଏଇ କୋଡିଏ ବର୍ଷ ମଧ୍ୟରେ ବିଦ୍ଯାଧର ଅତି ସହଜରେ ତାକୁ ଗ୍ରହଣ କରିଛି ଅତୀତକୁ ଭୁଲି । ସେ କାହାଠୁ ଊଣା କି ! ନ ଧନ ଯୌବନ, ନ ଅଭିଜାତ୍ୟ ସନ୍ତାନ ସନ୍ତତି ! ବରଂ ବିଦ୍ୟାଧରକୁ ଭୁଲ ପ୍ରମାଣିତ କରିବାର ଏହା ପ୍ରକୃତ ସମୟ ଯେ, ସେଦିନ ତା ନିର୍ଣ୍ଣୟ ଠିକ ଥିଲା ବୋଲି ।
-“ବୁଝିଲୁ ମହେନ୍ଦ୍ର ! ଆଜି ପ୍ରଥମ ଥର ପାଇଁ ତୋ ଘର ଛାତ ଉପରେ ବସି ମୁଁ ଜାଣୁଛି, ଏ ସହର ସତରେ କେତେ ସୁନ୍ଦର । ଠିକ ଆଲୋକମାଳା ପରି ସଜା ନବବଧୂ ପରି । ନୁହଁ କି !” ବିଦ୍ଯାଧର କହି ବସିଲା ଦାର୍ଶନିକ ଭଳି ।
ସୁଶାନ୍ତ ଯେମିତି ଅନେଇଥିଲା ଏମିତି ସୁଯୋଗକୁ । କହିଲା – “ ହଁ ଭାଇ ! କବି ଲେଖକଙ୍କୁ ମରୁଭୂମୀରେ ମଧ୍ୟ ସମୁଦ୍ର ଦେଖା ଯାଇପାରେ । ମୋତେ ତ କିନ୍ତୁ ଏ ସହର ପ୍ରତ୍ୟାଖ୍ୟାନ କରି ଚାଲିଯାଇଥିବା ପ୍ରେମିକା ପରି ଲାଗେ । ନା କ’ଣ କହୁଛୁ ମହେନ୍ଦ୍ର !”
ସୁଶାନ୍ତର ଏମିତି ଆଡୁଆ ମାରିଲା ଭଳି କଥାଭଙ୍ଗୀ ଆହୁରି ଯେ ଯାଇନି, ବୁଝିପାରୁଥିଲା ବିଦ୍ଯାଧର । ଏହି କଥା ଛଳରେ ଏକଦା ତା ପ୍ରେମିକା ଥିବା ବିଜୟାର କଥା ସେ କହିଛି , ମହେନ୍ଦ୍ର ବି ବୁଝିପାରୁଥିଲା …….।
……..ପୁରା କଲେଜ ଜାଣିଥିଲା ସୁନ୍ଦରୀ ବିଜୟା, ସଭିଙ୍କ ପ୍ରେମକୁ ଆଡେଇ ଶେଷରେ କଲେଜର ସବୁଠାରୁ ପଢୁଆ ପିଲା ସୁଶାନ୍ତକୁ ପ୍ରେମ ନିବେଦନ କଲା । ସେଥିରେ ତା’ର ନିଜର ଗୌରବ ଓ ସମ୍ମାନ ଅନ୍ତର୍ନିହିତ ଥିଲା । ସଭିଏଁ ଜାଣିଥିଲେ ସେମାନଙ୍କ ପ୍ରେମ କାହାଣୀ । ଏକଦା ସୁନ୍ଦରୀ ବିଜୟାକୁ ଏକତରଫା ମନେ ମନେ ମାନସୀ ଭାବିନେଇଥିବା ବିଦ୍ଯାଧର ନିଜ ପାଦ ଫେରେଇନେଲା । ବନ୍ଧୁ ପାଇଁ ପ୍ରେମିକ ଧାଡିରୁ ନିଜକୁ ଅଲଗା କରିଥିଲା ବିଦ୍ଯାଧର । ବିଜୟାର ପ୍ରେମ ନ ମିଳୁ ପଛେ, ଅନ୍ତତଃ ବନ୍ଧୁର ପ୍ରେମିକା ରୂପେ ଏକ ବାନ୍ଧବୀର ସାନ୍ନିଧ୍ୟ ତ ମିଳିବ ! ଧୀରେ ଧୀରେ ସମ୍ପର୍କର ଏକ ଅଲଗା ନଦୀ ବହିଲା । ବିଜୟା ବି ସ୍ଵତନ୍ତ୍ର ସମ୍ମାନ ରଖୁଥିଲା ବିଦ୍ଯାଧର ପାଇଁ ।
କଲେଜ ଛାଡିବାର ଦୁଇବର୍ଷ ଏଇ ସହରରେ ଜୀବନ ଜୀବିକା ପାଇଁ ଲଢିବାକୁ ପଡିଲା ତିନି ବନ୍ଧୁଙ୍କୁ । ହଠାତ ଦିନେ କାନ୍ଦିକାନ୍ଦି ବିଜୟା ଘରୁ ଲୁଚିଆସି କହିଥିଲା ତା ଘରେ ବାହାଘର ଠିକ କରୁଛନ୍ତି । ସୁଶାନ୍ତ ତା ଘରକୁ ଯାଇ ହାତ ମାଗୁ, ନ ହେଲେ ସେ ଘରଦ୍ଵାର ଛାଡି ଚାଲିଆସିବ ତା ପାଖକୁ । ପ୍ରେମିକା ସାହସ କରି ପ୍ରେମିକ ପାଇଁ ଘରଦ୍ଵାର ଛାଡିବାକୁ ପ୍ରସ୍ତୁତ ଥିଲା, ଏହାଠୁଁ ଆଉ ବଡ ପ୍ରେମର ପରାକାଷ୍ଠା କ’ଣ ହେଇପାରେ । ସୁଶାନ୍ତ ଗୋଟିଏ ଘରୋଇ କମ୍ପାନୀରେ କାମ କରୁଥିଲା । ଯେହେତୁ ପରିବାରର ସେ ଏକମାତ୍ର ପୁତ୍ର, ତେଣୁ ପାଳନ ପୋଷଣର କୌଣସି ଅସୁବିଧା ବି ନଥିଲା ।
କିନ୍ତୁ ନିଜ ଉଚ୍ଚ ଆକାଂକ୍ଷାରେ ବାଧାବନ୍ଧନ ନ ଆସୁ ଭାବି ସେ ବିଜୟାକୁ ଆଉ ଦୁଇବର୍ଷ ପ୍ରତୀକ୍ଷା କରିବାକୁ କହିଲା । ସୁଶାନ୍ତର ସର୍ତ୍ତ ଆଗରେ ଗୋଟିଏ ନାରୀର ପରିବାର ସୀମାରେଖା ଅଧିକ ହେଇଗଲା, ତେଣୁ ବାଧ୍ୟ ହୋଇ ବିଜୟା ଅନ୍ୟର ହାତ ଧରିଲା । କିନ୍ତୁ ତା ପୂର୍ବରୁ ସେ ଅନେକ ହାତଗୋଡ ଧରିଲା । ଏମିତିକି ମନ୍ଦିରରେ ସିନ୍ଦୁର ପିନ୍ଧେଇ ଦେଲେ ବି ସେ ପ୍ରତୀକ୍ଷା କରିବ, କିନ୍ତୁ ସୁଶାନ୍ତ ଟାଳିଦେଲା । କେତେଥର ବିଦ୍ଯାଧର ବୁଝେଇଛି ସୁଶାନ୍ତକୁ ଏମିତି ଅଧର୍ମ କର ନାହିଁ । ଭଲପାଇବା ଉପରେ ଯେମିତି ଭରସା ଉଠିଯିବ । କିନ୍ତୁ ସୁଶାନ୍ତ ନିଜର ନିଷ୍ଠୁର ନିର୍ଣ୍ଣୟ ବଦଳେଇ ପାରିଲା ନାହିଁ ।
ବିଦ୍ଯାଧରକୁ କିନ୍ତୁ ଭାରି ବାଧୁଥିଲା । ବାରବାର ନିଜକୁ ସୁଶାନ୍ତ ସ୍ଥାନରେ ରଖୁଥିଲା । ଆହା ! ବିଜୟା ତାକୁ ଭଲପାଇ ଘରଦ୍ଵାର ସବୁ ଛାଡିଦିଅନ୍ତା କି, ଜୀବନ ଧନ୍ଯ ହେଇଯାଆନ୍ତା । ପ୍ରେମରେ ଆଉ କ’ଣ ବା ଦରକାର ! ସୁଶାନ୍ତ ପଛରେ ପଡିଥିଲା ବିଜୟା । ନିଜ ଆଡୁ ପ୍ରେମ ନିବେଦନ କରିବାର ଏତେ ବଡ ଦଣ୍ଡ ! ସୁଶାନ୍ତର ଆଖିରେ ପ୍ରେମ ନିବେଦନ କରିଥିବା ବ୍ୟକ୍ତି ହିଁ ପ୍ରେମର ପରୀକ୍ଷା ଦେବା ଉଚିତ ଥିଲା ।
ଯେବେଠୁ ନିରାଶ ହୋଇ ବିଜୟା ଅନ୍ୟର ହେଲା ସେଦିନଠୁ ସୁଶାନ୍ତ ବିଦ୍ଯାଧର ଆଖିରେ ପାଲଟିଗଲା କାପୁରୁଷ । ଏ କଥା ଥରେ ଦୁଇଥର କହିଛି ସେ ମହେନ୍ଦ୍ରକୁ । ସହଜେ ଘୃଣା ଭାବ ଲୁଚେଇ ପାରିନି ସେ ……।
ଆଜି ଏ ପ୍ରକାର ମନ୍ତବ୍ୟ ଦେଇ ସୁଶାନ୍ତ ସେତେବେଳର ତା ନିଷ୍ପତ୍ତି ଠିକ ଥିଲା ବୋଲି ପ୍ରମାଣିତ କରିବାକୁ ଚାହୁଁଛି, ଏତିକି ଦୁଇ ବନ୍ଧୁ ବୁଝିପାରୁଥିଲେ । ଏତେ ସମ୍ବଦେନଶୀଳ ଓ ସ୍ଵାର୍ଥୀ ନ ହେଲେ ଜଣେ ଜୀବନରେ ପ୍ରତିପତ୍ତି ଠୁଳ କରିପାରିବ କେଉଁଠୁ !
ପୁରୁଣା କ୍ଷତକୁ ଯେ ସୁଶାନ୍ତ ଉଖାରି ଦେଇଛି ଏକଥା ମହେନ୍ଦ୍ର ବୁଝିପାରୁଥିଲା । ପୁଣି ଥରେ ଦୁଇ ବନ୍ଧୁଙ୍କ ଭିତରେ ତିକ୍ତତା ନ ବଢୁ ଜୀବନରେ ଏ ମଧ୍ୟାହ୍ନରେ, ଚମକାଇଲା ଭଳି କହିଲା –“ ଆରେ ! ତୁମେମାନେ ଜାଣିଛ କି ନା ! ବିଜୟା ତା ପରିବାର ସହ ସହର ବାହାର କାରଖାନାରେ ରହୁଛି । “
ଏତିକି କଥାରେ ଉଛୁଳି ଉଠିଲା ସୁଶାନ୍ତ, ଯେମିତି ଅତି ଖୁସିର ଖବରଟିଏ ପାଇଲା । ଯେମିତି ହଜିଯାଇଥିବା ବନ୍ଧୁ ସହ ପୁନର୍ବାର ଭେଟ ହେଲେ ହୁଏ , ସେମିତି ଆନନ୍ଦ ।
-“ ସତରେ ମହେନ୍ଦ୍ର ! ଯଦି ଆମେ ତିନି ହେଁ ଏକାଠି ମିଶିଛେ, ତେବେ ଚାଲ ବିଜୟାକୁ ଯାଇ ସରପ୍ରାଇଜ ଦେବା । କେଜାଣି ପୁଣି କେବେ ଭେଟ ହେବ । କ’ଣ କହୁଛୁ ବିଦ୍ଯାଧର ?”
କିଛି ଉତ୍ତର ଦେଇପାରିଲା ନାହିଁ ବିଦ୍ଯାଧର । ଏତେ ସଂବେଦନହୀନ କେମିତି ହେଇପାରୁଛି ସୁଶାନ୍ତ ? କେଉଁ ବହଳିଆ ମୁହଁ ନେଇ ଯିବ ସେ ବିଜୟା ଆଗକୁ ? ନା କେବଳ ଦେଖେଇ ହେବାକୁ ଚାହୁଁଛି ଯେ ସେ ସମୟ ଅଲଗା ଥିଲା । ପରିସ୍ଥିତି ଅଲଗା ଥିଲା । ସବୁବେଳ ପାଇଁ ଯେମିତି ସେ ତା’ର ହିତ ଭାବୁଥିବା ମଣିଷ । ତା ମନକୁ ଟିକେ ଜାଣିବାକୁ ବିଦ୍ଯାଧର ପ୍ରଶ୍ନ କଲା – “ ସତରେ କ’ଣ ତୁ ଭେଟିବାକୁ ଚାହୁଁଛୁ ସୁଶାନ୍ତ ?
ସୁଶାନ୍ତ କହିଲା –“ ମୁଁ ଏତେ ଇମେଚ୍ୟୁର ନୁହଁ ଯେ ଚାହିଁବିନି ତାକୁ ଭେଟିବାକୁ । ଏବେ ଆମେ ସମସ୍ତେ ବଡ ହୋଇଗଲେଣି ଏବଂ ଆମେ ବୟସର ମଧ୍ୟାହ୍ନରେ । ଅତୀତ ବହୁତ ପଛରେ । ମୁଁ ତ ତାକୁ ଛାଡି ନଥିଲି, ସେ ମୋତେ ପ୍ରତୀକ୍ଷା କରିପାରିଲା ନାହିଁ । କିଏ କାହିଁକି କାହାକୁ ଦୋଷ ଦେବ ? ସବୁ ତ ପରିସ୍ଥିତିର ଦୋଷ । ବରଂ ଯଦି ମୁଁ ନଯାଏ ତେବେ ହେଇପାରେ ସବୁ ଦିନ ଆମ ଭିତରେ ଗୋଟିଏ ଶୂନ୍ୟତା ଆବୋରି ବସିବ। ଅନ୍ତତଃ ଭେଟିଲେ, ପରସ୍ପରକୁ କ୍ଷମା କରି ଆଗକୁ ବଢିପାରିବା । ଆହୁରି ମଜବୁତ ହେବ ସମ୍ପର୍କ । ତେଣୁ ତୁମେ ମାନେ ଏ ମିଳନ କରେଇବା କଥା । “
ସୁଶାନ୍ତର କଥା ଶୁଣି ବିଦ୍ଯାଧର ଓ ମେହେନ୍ଦ୍ର ପରସ୍ପର ଅନାଅନି ହେଲେ । ସେମାନଙ୍କର ସଂପୂର୍ଣ୍ଣ ତା ଉପରେ ବିଶ୍ବାସ ହୋଇନଥିଲେ ବି ସେମାନେ ଦୁହେଁ ସ୍ଵୟଂ ବିଜୟାକୁ ଭେଟିବାକୁ ଚାହୁଁଥିଲେ । ଦୁଃଖସୁଖ ହେବାକୁ ଚାହୁଁଥିଲେ ଯାହାଦ୍ୱାରା ଅନ୍ତତଃ ବିଜୟା ଏମାନଙ୍କୁ ସୁଶାନ୍ତ ସମାନ୍ତର ନ ଭାବୁ । ତାଙ୍କର ସହମତିର ଅନ୍ତରାଳରେ ସୁଶାନ୍ତର ମୁହଁରେ କୁଟିଳ ହସକୁ ସେମାନେ ଆଉ ଦେଖି ପାରୁନଥିଲେ । ଆସନ୍ତା କାଲି ହିଁ ସେମାନେ ବିଜୟାକୁ ଭେଟିବାକୁ ଯିବେ, ଏହା ନିଶ୍ଚିତ ହେଲା ।
x x x x x x
ସମ୍ମୁଖରେ ଷାଠିଏ ବର୍ଷୀୟ ବୃଦ୍ଧା । କମ୍ପାନୀ ଦେଇଥିବା ବାସଗୃହ ନାମରେ ଦୁଇଟି ବଖରାର ଆଜବେଷ୍ଟସ ଘର । ଘର ଭିତରେ ପରିବାର ଚଳିବାର ଆବଶ୍ୟକୀୟ ଆସବାପତ୍ର ହିଁ ଥିଲା । ସେମାନଙ୍କ ଚର୍ଚ୍ଚାରେ ଲାଗିଥିଲା ଚାଳିଶ ବର୍ଷୀଯା ବିଜୟା । ଦୁଇଟି ଭଙ୍ଗା ଚେୟାର ଉପରେ ବସିପଡିଥିଲେ ମହେନ୍ଦ୍ର ଓ ବିଦ୍ଯାଧର । ନିଜ ଆଭିଜାତ୍ୟକୁ ବଖାଣୁଥିବା ହାତରେ ଗୋଟିଏ ଶଙ୍ଖ ନର୍ତ୍ତକୀର ମୂର୍ତ୍ତି ଉପହାର ସ୍ୱରୂପ ଧରି ସୁଶାନ୍ତ ଭାବୁଥିଲା କେଉଁଠି ବସିବ । ଶେଷରେ ସେହି ପାଖରେ ପଡିଥିବା ଶେଯରେ ବସିବାକୁ ଇଙ୍ଗିତ କଲା ବିଜୟା ଅତି ସହଜପଣରେ ।
ସେମାନଙ୍କ ମଧ୍ୟରେ କଥୋପକଥନ ଅତି ସହଜ କରିଦେଇଥିଲା ମାହୋଲକୁ । ବିଜୟା ଏମିତି ବ୍ୟବହାର କରୁଥିଲା ଯେମିତି ସେ ଭୁଲିଯାଇଥିଲା ତା ଅତୀତ । ବରଂ ତା ବଦଳେ ସେ କୃତଜ୍ଞ ଯେ ବନ୍ଧୁମାନେ ତାକୁ ଭୁଲିନାହାନ୍ତି ।
ସୁଶାନ୍ତ ପଚାରି ବସିଲା –“ କାହିଁ, ଘରେ ଆଉ କିଏ ନାହାନ୍ତି ତ ! ସ୍ଵାମୀ ଓ ପିଲାମାନଙ୍କ ହସଖୁସି ସଂସାର କାହିଁ ? କେଉଁଠି ସେମାନେ ? “
ବିଜୟା କିଛି ନ ଭାବି କହିଲା –“ କାହିଁକି କହୁଛ ସେ ସ୍ଵାମୀ ନାମକ ଜନ୍ତୁର କଥା । ତାକୁ ମୁଁ କେବେଠୁ ମୋ ଜୀବନ ପରିଧିରୂ ବାହାର କରି ଛାଡିଆସିଛି । ଆଉ ରହିଲା ଛୁଆପିଲା କଥା ! ଠାକୁର ମୋତେ ବଞ୍ଚେଇ ଦେଇଛନ୍ତି ସନ୍ତାନ ନଦେଇ, ନ ହେଲେ ମୋ ଜୀବନ ଆହୁରି ଜଞ୍ଜାଳମୟ ହୋଇଯାଆନ୍ତା । ଆହୁରି ସନ୍ତୁଳି ହେଇଯାଆନ୍ତି । “
ସେଇଠୁ ସ୍ଵାମୀ ସ୍ତ୍ରୀଙ୍କ ଛୋଟଛୋଟ ଝଗଡା, ପ୍ରତିଦିନର କଥା କଟାକଟି ସବୁ କହିଚାଲିଲା ବିଜୟା । ଏ ମଧ୍ୟରେ ଶାଶୁଶ୍ଵଶୁର ଘର ଛାଡି ଚାଲିଗଲେ । ତା’ର ଦୋଷ ବି ବିଜୟା ଉପରେ ହିଁ ଛିଡିଲା । ଯେଉଁଠି ସବୁବେଳେ ଝଗଡା, ଯୁକ୍ତିତର୍କ, ମାରପିଟ ହେଉଥିଲା ସେଇଠି ପ୍ରେମ କୋଉଠୁ ଆସିବ ? ସନ୍ତାନ ହେବାର ସୁଯୋଗ କୋଉଠୁ ଆସିବ ।“
ଯେତେ ଯେତେ ତା ସାଂସାରିକ ଜୀବନ ବିଷୟରେ ବିଜୟା କହୁଥିଲା, ସେତେ ସେତେ ମହେନ୍ଦ୍ର ଓ ବିଦ୍ଯାଧରର ଛାତି ଫାଟି ପଡୁଥିଲା । କାରଣ କଲେଜ ସମୟର ସବୁଠୁ ସୁନ୍ଦରୀ ଝିଅର ଏମିତି କୂରୂପ ଜୀବନ ଯେ ହୋଇପାରେ, ବିଶ୍ବାସ ହେଉନଥିଲା ।
କିନ୍ତୁ ସେଠି ବସିଥିବା ସୁଶାନ୍ତର ମୁହଁକୁ ଦେଖି ଆହୁରି ଆଶ୍ଚର୍ଯ୍ୟ ହେଉଥିଲା ବିଦ୍ଯାଧର । ଆଜି ଯଦି ବିଜୟାର ଜୀବନରେ ଏପରି ବିପର୍ଯ୍ୟସ୍ତ ହୋଇଛି, ତେବେ କେଉଁଠି ନା କେଉଁଠି ସୁଶାନ୍ତ ଯୋଗୁଁ । ତିଳେ ମାତ୍ର ବି ଦୟାମାୟା କି ସହାନୁଭୁତି ନାହିଁ । ବରଂ ସେ ଆହୁରି ଖୁସି ହେଉଥିବ ମନେ ମନେ ଯେ, ବିଜୟା ତାକୁ ଛାଡିବାର ଦଣ୍ଡ ପାଇଛି । ତାଠୁ ଅଧିକ ନିଷ୍ଠୁର ପଣ ଦେଖେଇଲା ସେତେବେଳେ, ଯେତେବେଳେ ସୁଶାନ୍ତ ପଚାରି ବସିଲା –“ ଖରାପ ଭାବିବ ନାହିଁ ବିଜୟା ! ଯେତେ ଯାହା ହେଲେବି ସ୍ବାମୀଙ୍କୁ ଛାଡି ଏମିତି ଏକୁଟିଆ ରହିବା ଠିକ ଲାଗୁଛି କି ? “
ମହେନ୍ଦ୍ର ଏ ପ୍ରଶ୍ନର ତତ୍ତ୍ଵକୁ ବୁଝିପାରୁଥିଲା ଯେ ବିଜୟା ସୁଶାନ୍ତକୁ ଛାଡିବା ହିଁ ଭୁଲଥିଲା । ଅବଶ୍ୟ ଯେଉଁ ପ୍ରେମିକ ଛାଡି ଦେଇଥିଲା ସୁଦୂର ଅତୀତରେ, ତା କଥାକୁ କଟାକ୍ଷ ରୂପେ ନେଲା ନାହିଁ ବିଜୟା । ବରଂ ଅତି ସହଜରେ କହିଲା –“ନା ! ନା ! ସେମିତି ନୁହଁ ସୁଶାନ୍ତ । ମୁଁ ସେ ପ୍ରକାର ସ୍ତ୍ରୀ ନୁହଁ, ଯିଏ ଜୀବନର ଛୋଟ ଛୋଟ ଦୁଃଖରେ ଭାଙ୍ଗିପଡି ସ୍ବାମୀଙ୍କୁ ପରିତ୍ୟାଗ କରିଦେବ । ସତକଥା କହିଦେଲେ ତୁମ ପୁରୁଷ ଗୁଡାକୁ ବାଧିଯିବ । ତେଣୁ ଛାଡ । “
-“ ନା ନା ! ଆମକୁ ବାଧିବ ନାହିଁ । ଯଦି ବନ୍ଧୁ ଭାବିଛ, କୁହ । “ ବିଜୟାକୁ ଉସକେଇଲା ବିଦ୍ଯାଧର । ସେ ଚାହୁଁଥିଲା ଏମିତି କିଛି କହୁ ବିଜୟା, ଯାହାଦ୍ୱାରା ସୁଶାନ୍ତର ଅହଂକାର ଭାଙ୍ଗୁ । ଶଳା କାୱାର୍ଡ !
-“ସତକଥା ହେଲା, ଦିନେ ସେ ସ୍ଵାମୀ ନାମକ ଜନ୍ତୁ ଘରେ ନଥିଲା ବେଳେ ତାଙ୍କର ଅତି ଅନ୍ତରଙ୍ଗ ବନ୍ଧୁ ସୁଯୋଗ ଦେଖି କହିଲା ଭାଉଜ ରାଗିବନି । ତମେ ନିଜର ଭାବୁଛ ବୋଲି ସାହସରେ କହିଦେଉଛି । ମୁଁ ସ୍ଵପ୍ନ ଦେଖିଥିଲି ରାତିସାରା ତୁମେ ମୋତେ ଗେଲ କରୁଥିଲା । ଛି ! ବନ୍ଧୁପତ୍ନୀ ମା’ କି ଭଉଣୀ ଭଳି । ଏମିତି ଇଛା ହେଉଥିଲା ଯେ ଗରମ ପାଣି ସେ ଅଲାଜୁକ ମୁହଁ ଉପରେ ଛାଟି ଦେବାକୁ, କିନ୍ତୁ ସ୍ବାମୀର ମାନସମ୍ମାନକୁ ଜଗି ଚୁପରହିଲି । ସେଦିନ ରାତିରେ ସ୍ବାମୀଙ୍କୁ ତାଙ୍କ ବନ୍ଧୁର ଗୁଣ ବଖାଣିଲି । କିନ୍ତୁ ସେ ମାଇଚିଆ ଉଁ କି ଚୁ ହେଲାନି । ସେତକି ବି ସହିଗଲି । କିନ୍ତୁ ତା ବାସି ଦିନ ସେ ବେହିଆ ବନ୍ଧୁ ପୁଣି ପହଞ୍ଚିଲା ଏବଂ ଆମ ଜନ୍ତୁ ତାକୁ ଏମିତି ବ୍ୟବହାର କଲା ଯେମିତି କିଛି ହେଇନି । ମୋର ଆଶା, ବିଶ୍ବାସ, ପ୍ରେମ ତ ସବୁ କେବେଠୁ ତୁଟି ଯାଇଥିଲା, କିନ୍ତୁ ଯେଉଁ ଇଜତ ଟିକେ ଥିଲା ସେ ହରାମି ତାକୁ ବି ନିଲାମ କରିବାକୁ ବସିଥିଲା । ତେଣୁ ଛାଡି ଚାଲିଆସିଲି ।“ ଏତିକି କହିଲା ବେଳକୁ ସଂସାରର ଯାତନାରେ କୋହଳ ପଡିଯାଇଥିବା ବିଜୟାର ସୁନ୍ଦର କୋମଳ ମୁହଁଟା କଠୋର ହେବାକୁ ଲାଗିଲା ।
କିଛି ସମୟର ନୀରବତା ଖେଳିଥିଲା ସେ ଭଙ୍ଗାଦଦରା ଘରେ । ମହେନ୍ଦ୍ର ନିଜକୁ ଅଟକି ପାରିଲା ନାହିଁ । ତା ପାଟିରୁ ବାହାରି ଆସିଲା –“ବିଜୟା ! ତଥାପି ଏତେବଡ ନିଷ୍ପତ୍ତି ନେବା ପୂର୍ବରୁ ଅନ୍ତତଃ ଶେଷଥର ପାଇଁ ଘର ସଂସାରକୁ ସଜାଡିବାକୁ ସୁଯୋଗ ଦେବାର ନଥିଲା କି ? ଏତେ ଲମ୍ବା ଜୀବନ କ’ଣ ଏକା କାଟି ହୁଏ ? କିଏ ତ ସାଥୀଟିଏ କି ସହାରାଟିଏ ଲୋଡା ନା ! “
ମାଆକୁ ଔଷଧ ଓ ସୁଶାନ୍ତର ଡିମାଣ୍ଡରେ ତାକୁ ବିନା ଚିନି ଚା ଦେଉ ଦେଉ ଅତି ନିର୍ବିଘ୍ନରେ କହିଲା ବିଜୟା –“ ଠିକ କହିଲ ଯେ ମହେନ୍ଦ୍ର, ହେଲେ ଯେଉଁ ମଣିଷଟା ପାଖରେ ପୁରୁଷତ୍ଵ ହିଁ ନାହିଁ ତା ପାଖରୁ ମାନସମ୍ମାନ , ବିଶ୍ବାସ ଓ ପ୍ରେମ କେମିତି ଆଶା କରିହେବ । ରହିଲା ସହାରା ଓ ସାହାଯ୍ୟର କଥା ! ଫୁ ! ଯେଉଁ ଲୋକଟା ନିଜେ ମେରୁଦଣ୍ଡହୀନ, ସିଏବା କାହାକୁ କ’ଣ ସାହାଯ୍ୟ, ସହଯୋଗ ଓ ସହାରା ଦେଇପାରିବ । ଏଇଠି ଅଧିକ ଦୁଃଖ ଟିକେ ପାଉଛି । କିଛି ଅସୁବିଧା ନାହିଁ । ଅନ୍ତତଃ ନିତିଦିନିଆ କିଚିକିଚି ତ ନାହିଁ । ମାନ, ଅଭିମାନ ଓ ସ୍ଵାଭିମାନ ଟିକକ ତ ବଞ୍ଚିଯାଇଛି । କ’ଣ ସତ କହିଲି ନା ବିଦ୍ଯାଧର !”
ବିଦ୍ଯାଧର କିଛି କହିବା ପୂର୍ବରୁ ସୁଶାନ୍ତ ଚା କପଟା ରଖିଦେଲା ଖଟ ପାଖରେ । ଧଡକିନା ଉଠି ଠିଆ ହେଲା ଓ କହିଲା –“ମହେନ୍ଦ୍ର ! ମୁଁ ଭୁଲିଯାଇଥିଲି ଗୋଟିଏ ବଡ କ୍ଲାଏଣ୍ଟକୁ ଏୟାରପୋର୍ଟରୁ ରିସିଭି କରିବାର ଥିଲା । କ୍ଷମା କରିବ ବିଜୟା , ଆଉ କେବେ ସୁଖଦୁଃଖ ହେବା । “
ସୁଶାନ୍ତର ଏମିତି ପଳାୟନ ପନ୍ଥାରେ ବିଦ୍ଯାଧରର ହୃଦୟ ଯେମିତି ଅଶାନ୍ତରୁ ଶାନ୍ତ ହେଲା । ଅନେକ ଦିନର ଏ ଭୀରୁ ବନ୍ଧୁଟା ଯେଉଁ କାପୁରୁଷପଣ ପଦର୍ଶିତ କରିଥିଲା ତାହା ବିଜୟାର କଥାରେ ଆହୁରି ଅଧିକ ସତ୍ୟ ପ୍ରମାଣିତ ହେଲା ।
ଯାହା ହେଉ, ଜୀବନର ମୋଡ ଯେମିତି ହେଉ ପଛେ, ବିଜୟା ସହ ପୁନର୍ବାର ଭେଟ ତ ହେଲା । କିନ୍ତୁ ତାଠୁ ଅଧିକ ଭଲ ଲାଗିଲା ବିଜୟାର କଥା । ସେ ଠିକ କରିଛି ସେହି ପୁରୁଷକୁ ଛାଡି, ଯେଉଁ ପୁରୁଷ ତା ସ୍ଵାମୀ ହେବାର କର୍ତ୍ତବ୍ୟ କରିପାରିଲା ନାହିଁ । ପ୍ରେମିକ ସୁଶାନ୍ତ ଓ ତା ସ୍ଵାମୀ ଭିତରେ କୌଣସି ପାର୍ଥକ୍ୟ ନଥିଲା ବିଜୟାରେ ବିଚାରରେ ।
ଭଲ ହେଲା ସୁଶାନ୍ତ ଉଠି ଚାଲିଗଲା । ନ ହେଲେ ବିଜୟା ସେହି ପ୍ରଶ୍ନ ଯଦି ପଚାରି ବସନ୍ତା ସୁଶାନ୍ତକୁ, କି ଉତ୍ତର ଦିଅନ୍ତା ସେ ? ଶଳା ! ଅମେରୁଦଣ୍ଡୀ !!
ଠିକଣା
ସମ୍ପାଦକ ଗଞ୍ଜାମର କବିତାଘର
ବାରିବନ୍ଧ , ଆଙ୍କୁଲି , ବ୍ରହ୍ମପୁର ଗଞ୍ଜାମ ଜିଲ୍ଲା , ଓଡିଶା
ଫୋନ ୮୭୬୩୨୦୨୬୨୨