ଗଳ୍ପ : ପେନ
ଗାଳ୍ପିକ : ଭାଗୀରଥି ବେହେରା
ଜଣେ ଶିକ୍ଷକ ବନ୍ଧୁ ଯାହାର ବିଭାଗୀୟ ହର୍ତ୍ତାକର୍ତ୍ତା ନିଜେ ସୁଧୀର ବାବୁ , ପହଞ୍ଚିଗଲେ ବ୍ଲକର ହର୍ତ୍ତାକର୍ତ୍ତା ବିଧାୟକଙ୍କ ଚାରିମହଲା ବିଶିଷ୍ଟ କୋଠୀ ସମ୍ମୁଖରେ । ବାଇକରୁ ଓହ୍ଲେଇବାକୁ ପାଦ ଯାଉନଥିଲା । ଇଛା ହେଉଥିଲା ଫେରିଯିବାକୁ । କାହା ଆଗରେ ଏମିତି ମୁଣ୍ଡ ନୂଆଇବା କେମିତି କାହିଁକି ଅଡୁଆ ଲାଗୁଥିଲା ତାଙ୍କୁ । ନ ହେଉ ପଛେ ସ୍ତ୍ରୀ ମାଧବୀର ଟ୍ରାନ୍ସଫର ଏ ବ୍ଲକକୁ , କିନ୍ତୁ ସରକାରୀ ଅଫିସର ହେଇ ମୁଣ୍ଡ ନୂଆଁଇବା , ପୁଣି ସିଫାରିସ ମାଗିବାକୁ ଆତ୍ମା ଡାକୁନି ଯେମିତି ।
ବ୍ଲକର ଜଣେ ନୀତିବାନ ଓ ନିଷ୍ଠାବାନ ଶିକ୍ଷା ଅଧିକାରୀଙ୍କ ଏପରି ଦାଦୁଲ୍ୟମାନ ଅବସ୍ଥା ଶିକ୍ଷକ ବନ୍ଧୁ ଭଲ କି ବୁଝୁଥିଲେ । ବୁଝେଇବାକୁ ଯାଇ କହିଲେ –“ ଆଜ୍ଞା ! ମୋ କଥାକୁ ଧରିବେ ନାହିଁ । ଯେ କୌଣସି ଅଫିସର ଏ ବ୍ଲକକୁ ଆସିଲା ମାନେ ପ୍ରଥମେ ଏହି କୋଠୀରେ ହାଜର ହୁଅନ୍ତି । ମୁଣ୍ଡ ନୂଆଇବା ତ ଦୂରର କଥା , ଆପଣ ତ ମନ୍ଦିର ବେଢାରେ ପାଦ ବି ରଖିନାହାନ୍ତି । ମୁଁ ଶୁଣୁଥିଲି କୁଆଡେ ଏଇଥି ପାଇଁ ବିଧାୟକ ଟାକି ବସିଛନ୍ତି ସୁଯୋଗ ଦେଖି ପଦେ ଦୁଇପଦ ମାରିବେ । ଭାବନ୍ତୁ ଏହାକୁ ବାହାନା କରି ମ୍ଯାଡାମଙ୍କ ଟ୍ରାନ୍ସଫର କଥା କହିଦେବେ । ତେଣୁ ଏତେ ଆଉ ଭାବନ୍ତୁ ନାହିଁ । ଭିତରକୁ ଚାଲନ୍ତୁ । “
ଶିକ୍ଷକ ବନ୍ଧୁଙ୍କ ପଛେ ପଛେ ହତା ଭିତରେ ପାଦ ରଖିଲେ ସେ । କହିଲେ –“ ତୁମ କଥା ଠିକ ଯେ , ହେଲେ କ’ଣ ଭାବିବେ ସେ ? ଆଜି କାମ ଥିଲା ବୋଲି ମୁଁ ସ୍ଵାର୍ଥୀ ହେଇ ତାଙ୍କରି ପାଖକୁ ଆସିଛି । ଦେଖିବା ଅନ୍ୟା କେଉଁ ଉପାୟ ।“
ଏତିକି କହିଛନ୍ତି କି ନା , ଫଟକିନା କଥା ଉପରେ ମାଡି ବସିଲେ ଶିକ୍ଷକ ବନ୍ଧୁ । କହିଲେ –“ ଯଦି ପଚାଶ କି ଲକ୍ଷେ ଆପଣଙ୍କ ପାଖରେ ଅଛି , ତେବେ ଚାଳନ୍ତୁ ଫେରିଯିବା । ଶିକ୍ଷା ଅଧିକାରୀର ସ୍ତ୍ରୀ ବୋଲି ଜାଣିଲେ ଦଲାଲ ମାନେ ପାଟି ଆଁ କରି ଲକ୍ଷେରୁ ଅଧିକ ମାଗିବେ । କିନ୍ତୁ ଯଦି ଗୋଟିଏ ଫୋନରେ କି, ପଦୁଟିଏରେ ହେଇପାରିବ ଏତେ କୁଣ୍ଠାବୋଧ କାହିଁକି ? “
“ ଆଛା ! ତୁମେମାନେ ସବୁ କେତେ ଟଙ୍କା ମୋତେ ଦେଇଛ ଟ୍ରାନ୍ସଫର ପାଇଁ କହିଲ ଦେଖି ? “ ନିଜର ତୀବ୍ର ପ୍ରତିକ୍ରିୟା ରଖିଲେ ସେ । “
କିନ୍ତୁ ଏହାର ଉତ୍ତର ପାଇବା ପୂର୍ବରୁ ଜଗୁଆଳି ଆସି ଜୁହାର ହେଲା । କହିଲା ଆପଣମାନେ ଟିକେ ଅପେକ୍ଷା କରନ୍ତୁ । ବାବୁ ଶୋଇ ଏବେ ଉଠିଛନ୍ତି । ଟିକିଏ ଫ୍ରେସ ହେଇ ବାହାରିବେ ଗୋଟିଏ ଭୋଜିକୁ । ସେତେବେଳ ଭେଟିନେବେ ।
ବାଧ୍ୟ ହେଇ ସେମାନେ ଗୋଟିଏ ଗଛ ମୂଳ ଛାଇରେ ଥିବା ସିମେଣ୍ଟ ବେଞ୍ଚରେ ବସିପଡିଲେ । ବିଧାୟକଙ୍କ ଅଗଣାରେ ବସି କିଛି ଲୋକ କ’ଣ ସବୁ କୁହାଟ ମାରୁଥିଲେ । କିଛି ଲାଗୁଥିଲେ ଗୁଣ୍ଡା ଭଳି , କିଛି ଲାଗୁଥିଲେ କୁଜିନେତା ଭଳି , କିଛି ଧଳା ବସ୍ତ୍ରରେ ବୋଧେ ସେବକ ଭଳି । ସୁଧୀରବାବୁଙ୍କୁ ଲାଗୁଥିଲା ଯେମିତି ସେମାନେ କହିବାକୁ ଚେଷ୍ଟା କରୁଥିଲେ ଯେ ତୁ କେତେ ବଡ ଅଫିସର ହେଉଥା , ଆମ ବାବୁଙ୍କ ପାଦ ତଳେ । ମନରେ ତାଙ୍କର ରାଗ ଆସୁଥିଲା । ଯେହେତୁ ସେ ବ୍ଲକର ଜଣେ ଅଧିକାରୀ ଅନ୍ତତଃ ସେମାନେ ମାନ ସମ୍ମାନର ସହ ଚେୟାର ଗୋଟିଏ ଯାଚିବା କଥା ।
ତାଙ୍କୁ ଏକୁଟିଆ ଛାଡି ଶିକ୍ଷକ ବନ୍ଧୁ ସେମାନଙ୍କ ପାଖକୁ ଗଲେ । ଯେହେତୁ ସେ ସେହି ଅଞ୍ଚଳର , ସେମାନଙ୍କ ଭିତରୁ ଜଣେ ଦ୍ଵି ଜଣ ତାଙ୍କୁ ଜୁହାର ହେଇଥିଲେ । ଅଧିକାରୀ ଆଗରେ ଶିକ୍ଷକର ମାନ ଅଧିକରେ ତାଙ୍କୁ ଯେତିକି ଖରାପ ଲାଗୁନଥିଲା , କିନ୍ତୁ ସେ ବାରମ୍ବାର ଭାବୁଥିଲେ ଏଠିକୁ ଆସି ଯେମିତି ସେ ନିଜକୁ ବିକିବାକୁ ଯାଉଛନ୍ତି ଅଷ୍ଟମ ପାସ ବିଧାୟକ ସମ୍ମୁଖରେ ।
ମନ ପଡିଲା ମାଧବୀର ଦୁଃଖଭରା ମୁହଁ । ହଠାତ ସେ ଦୁଇ ଦିନ ହେଲା ପଳେଇ ଆସିଛି ତା ଚାକିରି କ୍ଷେତ୍ରରୁ ଛୁଟି ଦେଇ । ଆଉ ଫେରିବନି ବୋଲି ଜିଦି । କେତେ କାନ୍ଦ , ମାନ ଅଭିମାନ ।
ଟିକିଏ ପଛ କଥା ସବୁ ମନ ପଡିଗଲା ତାଙ୍କୁ । ଏହି ବ୍ଲକଠୁ ଚାରି ଶହ କିଲୋମିଟର ଜଙ୍ଗଲ ପାହାଡୀ ଅଞ୍ଚଳରେ ସେମାନେ ଦୁହେଁ ଥିଲେ ମାଷ୍ଟର ମାଷ୍ଟରାଣୀ । ମାଧବୀ ବାପା ମା’ଙ୍କ ଏକମାତ୍ର ଝିଅ ଥିବାରୁ ଜୋଇଁ ହେଇ ସେ ନିଜର ସହରୀ ଚାକିରିରୁ ଟ୍ରାନ୍ସଫର ନେଇ ଯାଇଥିଲା ପାହାଡୀ ବିଦ୍ୟାଳୟକୁ । ସବୁ ସୁଖରେ ଚାଲୁଥିଲା । ଭଲ ଶିକ୍ଷକ ଦମ୍ପତ୍ତି ହିସାବରେ ସାନରୁ ବଡ ଅଫିସର ଯାଏଁ ସୁନାମ ଓ ପିଲାମାନଙ୍କ ମଧ୍ୟରେ ପ୍ରିୟଭାଜନ । ଲାଗୁଥିଲା ଏମିତି ଜୀବନ ବିତିଯାଅନ୍ତା କି ! ମାଧବୀ କହୁଥିଲା ତୁମେ ପାଖରେ ଅଛ , ଆଉ ସବୁ କଷ୍ଟ ମୁଁ ଫୁ କରି ଉଡେଇନେବି ।
କିନ୍ତୁ ଭାଗ୍ୟଦେବୀର ଆଶୀର୍ବାଦରେ ସୁଧୀର ଉଚ୍ଚ ପରୀକ୍ଷା କୃତକାର୍ଯ୍ୟ ହେଲେ ଏବଂ ଶିକ୍ଷା ଅଫିସର ଭାବେ ଯୋଗ ଦେଲେ ଏହି ବ୍ଲକରେ ।
ଯେହେତୁ ଦୁହେଁ ଗୋଟିଏ ବିଭାଗରେ ଥିଲେ , ସେମାନଙ୍କୁ ଅତି ସହଜବୋଧ ହେଲା ଯେ ଏକାଠି ରହିବାର ସୁଯୋଗ ଅଛି । କିନ୍ତୁ କେଜାଣି କାହିଁକି ଦିନକୁ ଦିନ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଥିଲା ହାତ ପାହାନ୍ତାରୁ । ବିଭାଗର ଅଧିକାରୀ , ମୁଖ୍ୟ କାର୍ଯ୍ୟଳୟ, ଦରଖାସ୍ତ ପରେ ଦରଖାସ୍ତ , ଚିହ୍ନା ପରିଚୟ , ଏମିତି କି ଖର୍ଚ୍ଚ ପାଣି ଦେବାର ବ୍ୟବସ୍ଥା ହେଲା ପରେ ବି ତା ବ୍ଲକର ଦୁଇ ଶହ ସ୍କୁଲରୁ ଗୋଟିଏ ସ୍କୁଲ ନାହିଁ ପ୍ରାଣପ୍ରିୟା ମାଧବୀ ପାଇଁ ।
ଗତ ରାତିର କଥା ଯେମିତି ମନ ପଡିଲା , ଚମକି ଉଠିଲେ ସେ । ମାଧବୀ କହିଲା ମୋତେ ଆଉ ଏ ଚାକିରୀ କରିବାର ନାହିଁ । ଏମିତି କେତେ ଚାକିରି ଚୂଲିକୁ ଯାଉ । ତୁମ ସାନ୍ନିଧ୍ୟ ମୋ ପାଇଁ ବଡ । ବିଭା ହେଇଥିଲି କ’ଣ ତୁମଠୁ ଦୂରରେ ରହିବା ପାଇଁ ?
ଅବଶ୍ୟ ମାଧବୀ ଚାକିରି କରିବା ଏତେ ଜରୁରୀ ନୁହଁ । କିନ୍ତୁ ଚାକିରି ଛାଡିଲେ ଯେ ଅନେକ ଅସୁବିଧା ହେବ, ସେ ବୁଝି ପାରୁଥିଲେ । ନିଜେ ମାଧବୀ ଖୁସିରେ ରହିପାରିବ ନାହିଁ । ସବୁଠୁ ଅଧିକ ଖୁସିରେ ସେ ଥାଏ , ଯେତେବେଳେ ପିଲାଙ୍କ ଗହଣରେ ଥାଏ । ଚାକିରି ତାକୁ ଏକ ପରିଚୟ ଦେଇଛି । ପରିଚୟର ମୃତ୍ୟୁ ମାନେ ମାଧବୀର ମୃତ୍ୟୁ । ପୁଣି ଏବେ ଯେହେତୁ ପିଲାଝିଲା ନାହିଁ , ଚାକିରି କଲେ ଅସୁବିଧା ନାହିଁ । ପୁଣି ସ୍କୁଲ ଗଣ୍ଡା ଗଣ୍ଡା । କେଉଁଠି ଆଖପାଖରେ ସେମାନେ ରହିପାରିବେ ।
ଆଉ ରାତିରେ ନିଦ ହେଇନଥିଲା ସୁଧୀରକୁ । ଧିକ ତା ଅଫିସର ପଣିଆ । କେତେ ଶିକ୍ଷକ , ବାପା ମା , ସ୍ଵାମୀ ସ୍ତ୍ରୀ ତା ଆଗରେ ହାତଯୋଡି ଠିଆ ହେଉଛନ୍ତି ଟ୍ରାନ୍ସଫର ପାଇଁ । ମୁକ୍ତ ହସ୍ତରେ ସେ ସଭିଙ୍କୁ ସହଯୋଗ କରୁଛି । କିନ୍ତୁ ଯେତେବେଳ ନିଜ ସ୍ତ୍ରୀ କଥା ଉଠୁଛି , କେଜାଣି କାହିଁକି ବିଭାଗ ନିଷ୍ଠୁର ହେଇଯାଉଛି ।
ଆଜି ସକାଳୁ ସକାଳୁ ବାହାରିଛନ୍ତି ପିଲାଙ୍କ ବ୍ଲକସ୍ତରୀୟ ସୁରଭି ପ୍ରୋଗ୍ରାମ ପାଇଁ । ନାଚ ଗୀତ ସାରିଲା ପରେ ସେ ବ୍ଲକର ସବୁଠୁ ଭଲ ଘରୋଇ ସ୍କୁଲକୁ ଗଲେ ରଚନା ଲେଖନ ପ୍ରତିଯୋଗୀତା ପାଇଁ । ସେ ଥିଲେ ବିଚାରକ ଓ ପରିଦର୍ଶକ । କୁନି କୁନି ପିଲାଙ୍କ ସାଙ୍ଗରେ ରହିବାରୁ ସମୟ ଜଣାପଡିଲା ନାହିଁ । କିନ୍ତୁ ଯେମିତି ପ୍ରୋଗ୍ରାମ ସରିଗଲା ସେମିତି ମାଧବୀର ଦୁଃଖ ଝଲସି ଗଲା ।
ଶିକ୍ଷକ ବନ୍ଧୁ ବାରମ୍ବାର ସାହସ କରି ପଚାରିଲେ । ସମସ୍ତଙ୍କ ଦୁଃଖ ବୁଝୁଥିବା ଆଜ୍ଞା ଯେ ଦୁଃଖରେ, ଏହା ସେ ସହିପାରିଲେ ନାହିଁ । ବାରମ୍ବାର ଖୋଳି ପଚାରିଲେ । ସଙ୍କୋଚିତ ମନରେ ସବୁ ସୁଧୀର ବାବୁ କହିଲେ । ଶିକ୍ଷକ ବନ୍ଧୁ ବି ଜାଣି ପାରିଲେ କର୍ମଚାରୀ ହେଉ କି ଅଧିକାରୀ, ସଭିଙ୍କ ଗୋଟିଏ ପ୍ରକାର ଦୁଃଖ । ଶେଷରେ ସେ ଫେରିବା ବେଳକୁ ଜବରଦସ୍ତ ଆଣିଦେଲେ ବିଧାୟକଙ୍କୁ ଭେଟିବାକୁ ।
ହଉ ! ଯାହାହେଉ । ଯଦି ମାଧବୀ ତାଙ୍କ ପାଇଁ ଏତେ ବଡ ତ୍ୟାଗ କରିବାକୁ ପ୍ରସ୍ତୁତ, ତେବେ ତା ପାଇଁ ସେ ଏତିକି କରିପାରିବ । ଦୂରରୁ ଦେଖାଗଲା ବିଧାୟକ ଆସି ବସିଲେ ରାଜା ଭଳି ତାଙ୍କ ଆସନରେ ।
ଏମାନଙ୍କୁ ଡକା ହେଲା । ନିଜ ବେଶଭୂଷା ଟିକେ ସଜାଡି ନେଲେ ସେ । ଯେତେହେଲେ ଅଫିସର । ସଭିଙ୍କ ଆଦର୍ଶ ହେବା ଦରକାର ସେ । ପାଖରେ ପହଞ୍ଚି ନମସ୍କାର କଲେ । ଅବଶ୍ୟ ବିଧାୟକ ତାଙ୍କ ନମସ୍କାରରେ ପ୍ରତିନମସ୍କାର ଜଣେଇବା ଠିକ ମନେ କଲେ ନାହିଁ । ସେ ନିଜ ଚେଲା ଚାମଣ୍ଡା ସହ ବ୍ୟସ୍ତ ରଖିଥିଲେ । ମରିଗଲା ଭଳି ଲାଗୁଥାଇ ସୁଧୀର ବାବୁଙ୍କୁ । କେଡେ ଅହଂକାର । ହଉ ଆସି ତ ଗଲେଣି । ଅନ୍ଯଥା ନ ଭାବିବା ଦରକାର ।
ବିଧାୟକଙ୍କ କାନରେ ଶିକ୍ଷକ ବନ୍ଧୁ ଜଣକ କ’ଣ କହିଲେ । ସେ ଇସାରା କରି ଚେୟାର ଆଡକୁ ନିର୍ଦେଶ ଦେଲେ । ଏଥର ନିଜ ଭିତରେ ଏକ ଆତ୍ମ ସ୍ଵାଭିମାନ ଆଣି ବସିଲେ ସୁଧୀର । ଯେତେହେଲେ ସେ ଯେ ଜଣେ ଭଲ ଅଫିସର, ଏତିକି ମର୍ଯ୍ୟାଦା ନିଜେ ହିଁ ରଖିବାକୁ ହେବ ।
କଥା ଛଳରେ ବିଧାୟକ କହିଲେ ସୁଧୀର ଆସିଲେ ନାହିଁ ତାଙ୍କୁ ଭେଟିବାକୁ । ବୋଧେ ବ୍ୟସ୍ତ । ହଉ ଏବେ ଆସିଲେ ଭଲ ହେଲା । ନ ହେଲେ ମୁଁ ଯାଇଥାନ୍ତି ।
ଏମିତି ଶୁଣି କିଛି ପାନଖିଆ ବସିଥିବା ଲୋକ ହସି ହସି ପାଳି ଧରିଲେ –“ ନାଇଁ ଆଜ୍ଞା ! ଆପଣ ବାଛି ବାଛି ଆଣିଛନ୍ତି ମାନେ, ଭଲ ଅଫିସର ନ ହେଲେ ହେବକି । ସେଇଠୁ ଚା ବଣ୍ଟା ହେଲା । ଅବଶ୍ୟ ବିଧାୟକ ସଂସ୍କାର ଦୃଷ୍ଟିରୁ ତାଙ୍କୁ ଚା ଅଫର କରିବା କଥା , କଲେ ନାହିଁ । ଶିକ୍ଷକ ବନ୍ଧୁ ଦେଲେ , କିନ୍ତୁ ସୁଧୀର ମନା କଲେ । କେମିତି ସେ ଫିଟିବେ ସେଠୁ ଚିନ୍ତା କରୁଥିଲେ । ଶିକ୍ଷକ ବନ୍ଧୁ ଇସାରା କରୁଥିଲେ ଆଖିରେ ବାରମ୍ବାର । କିନ୍ତୁ ମାଧବୀ ପାଇଁ ଯେ ସେ ଆସିଛନ୍ତି ଭଲ କି ଜାଣି ବି କହିଲେ ନାହିଁ । କାରଣ ବିଧାୟକଙ୍କ ବ୍ୟବହାର ବାଟ ବନ୍ଦ କରିସାରିଲାଣି । ଏତେ ଛୋଟ ହେଇପାରିବେ ନାହିଁ ସେ । ବିଧାୟକ ଯେ ତାଙ୍କୁ ଅପମାନ କରିବାକୁ ଟାକି ବସିଛନ୍ତି ଜାଣିପାରୁଥିଲେ ସେ ।
ଯିବାକୁ ଅନୁମତି ମାଗିଲେ ସେ ।
-“ ଆମ ପିଲା କ’ଣ କହୁଥିଲା , ତୁମର କ’ଣ କାମ ଅଛି ବୋଲି ମୋ ପାଖରେ ? “ ଶିକ୍ଷକ ବନ୍ଧୁକୁ ଇସାରା କରି ପଚାରିଲେ ବିଧାୟକ । ମରିଗଲେ ଯେମିତି ସୁଧୀର । ନ କହିଲେ କଥା ଅଡୁଆ ହେବ । -“ କଣ କି ଆଜ୍ଞା ……। ”
-“ ଆରେ ମୁଁ ସବୁ ଜାଣିଛି । ନ ହେଲେ ବ୍ଲକ ପନ୍ଦର ବର୍ଷ ହେଲା ଚଳେଇଛି କେମିତି । ଦିଅନ୍ତୁ ଦିଅନ୍ତୁ । ଦରଖାସ୍ତ ଦିଅନ୍ତୁ । ମୁଁ ପଦେ ଲେଖିଦେବି । ଶିକ୍ଷା ମନ୍ତୀଙ୍କ ପିଏଙ୍କୁ ଦେଇଦେବେ । “
ସୁଯୋଗକୁ ହାତଛଡା ନ କରି ନିଜ ଫାଇଲରୁ ସେ ଦରଖାସ୍ତ ବଢେଇ ଦେଲେ । ବିଧାୟକ ପେନ ପାଇଁ ତାଙ୍କ ଆଡକୁ ହାତ ସ୍ଵତଃ ବଢେଇଦେଲା ବେଳକୁ ପୃଥିବୀ ଯେମିତି କ୍ଷଣଟିଏ ଅଟକିଗଲା । ପକେଟରେ ହାତ ମାରିଲା ବେଳକୁ ଜଣାଗଲା ସୁଧୀର ଜାଣିପାରିଲେ ଯେ ଯେଉଁ ପେନ ସେ ପକେଟରେ ରଖିଥିଲେ, ଗୋଟିଏ ଛାତ୍ରୀକୁ ଦେଇଦେଲେ ଆଜି ରଚନା ଲେଖିବାକୁ । ବିଚାରୀ ମୁହଁ ଫୁଲେଈ ବସିଥିଲା ।
ବଡ ଅପମାନ ଲାଗିଲା ତାଙ୍କୁ । କେବେ ଏମିତି ପକେଟରୁ ପେନ ତଳକୁ ଖସେନା ତାଙ୍କରି । ସେହି ପେନ ହିଁ କେତେ ଫାଇଲ ଚାଷ କରିଛି । କିନ୍ତୁ ଆଜି ନିଜ ବେଳକୁ …. ।
-“ ଦେଖ ! ଆଜିକାଲିର କି ମାଷ୍ଟର ଏମାନେ । ଯାହା ପାଖରେ ପେନଟିଏ ନାହିଁ, ସେ କ’ଣ ଅଫିସର ହେଇ ପିଲାଙ୍କ ଭବିଷ୍ୟ ସୁଧାରିବ । ସେଥିପାଇଁ ମୋ ନାତୁଣୀକୁ ପ୍ରାଇଭେଟ ସ୍କୁଲରେ ପଢଉଛି । ସରକାରୀ ଶିକ୍ଷକ ଯେମିତି, ତାଙ୍କର ଅଧିକାରୀ ସେମିତି । “ କଟାକ୍ଷ ଓ ଭୃକ୍ଷେପ କଲେ ବିଧାୟକ । ବସିଥିବା ସମସ୍ତେ ଏକା ସଙ୍ଗେ ହସି ଉଠିଲେ । ନିଜ ପାଖରେ କାହିଁକି ପେନ ନାହିଁ ବୋଲି ବୁଝେଇ ବି ପାରୁନାହାନ୍ତି ସେ ବିଧାୟକଙ୍କୁ ।
-“ ଜୁଲି ମାମା । ପେନ ଆଣିଲୁ । “ ବିଧାୟକ ଡାକ ପକେଇଲେ ।
ଭିତରୁ ଆସିଲା ନ ଦର୍ଶ ବର୍ଷର ଗୁଳୁଗୁଲିଆ ଝିଅଟେ । ତାକୁ ଦେଖିବାକୁ ସାହସ ନଥିଲା ସୁଧୀରଙ୍କ । ନିଶ୍ଚୟ ବିଧାୟକ ପୁଣି ଅପମାନ କରିବେ ।
ଝିଅଟି ବିଧାୟକଙ୍କ ଗଳାରେ ଝୁଲି ଚୁମାଟିଏ ଦେଲା । ଜେଜେ ବୋଲି କହି ପେନଟି ବଢେଇବାକୁ ଯାଉଥିଲା , ସେ ଧାଇଁ ଆସି ପାଦ ଛୁଇଁଲା ସୁଧୀରଙ୍କ ।
ଯେଉଁ ନାତୁଣୀକୁ ହଜାର ଥର କହିଲେ ବି ବଡମାନଙ୍କୁ କି ନିଜ ବାପା ମାଙ୍କୁ ଥରେବି ମୁଣ୍ଡିଆ ମାରିନି, ସେ ଯେ କାହାର ପାଦ ଛୁଇଁଲା ।
-“ ବୁଝିଲ ଜେଜ ! ତୁମେ ଆଉ କାମକୁ ନୁହଁ । ଆଜି ତୁମେ ମୋ କମ୍ପାସରେ କେମିତି ପେନ ରଖିବା ଭୁଲିଗଲ ଯେ ? ୟୁ ବିକେମ ଓଲ୍ଡମ୍ୟାନ । ଜାଣିଛ ! ମୁଁ ତ ଭୀଷଣ ରାଗିଥିଲି । କେମିତିକା ସ୍କୁଲରେ ମୁଁ ପଢୁଛି ଯେ କେଉଁ ଶିକ୍ଷକ ବି ମୋତେ ଅନାଉ ନଥିଲେ, କି ପଚାରୁ ନଥିଲେ । କିନ୍ତୁ ଏଇ ସାର ଆସି ମୋତେ ଏଇ ପେନ ଦେଇଥିଲେ ଲେଖିବା ପାଇଁ । ଜାଣିଛ ! ମୁଁ ଆଜି ସାରଙ୍କ ହାତରୁ ଫାଷ୍ଟ ପ୍ରାଇଜ ପାଇଛି । ଆମ ରଚନାର ବିଷୟ ଥିଲା ପେନ ଇଜ ମାଇଟର ଦ୍ଯାନ ସ୍ଵୋର୍ଡ । ଥ୍ଯାଙ୍କ ୟୁ ସାର । ପେନ ଫେରେଇ ଦେଇ ନାଚି ନାଚି ଉଭାନ ହେଉଥିଲା ସେମାନଙ୍କ ଦୃଶ୍ୟ ଆଢୁଆଳକୁ ।
ସ୍ଥିତି ବଡ ଅଜବ ହେଇଥିଲା । କିଛି ବୁଝା ପଡୁ ନଥିଲା ସୁଧୀରଙ୍କୁ । ନିଜ ନାତୁଣୀ ଦ୍ଵାରା ଅପମାନିତ ବିଧାୟକ ଯେ କ’ଣ ଏବ ନ କରିବେ ? ମାଧବୀ ପାଇଁ ସିଫାରିସ ତ ଦୂରର କଥା । ଅନ୍ୟ ଉପାୟ ନ ପାଇ ସେ ଅତି ସଙ୍କୋଚରେ ବଢେଇ ଦେଲେ ପେନଟିକୁ ବିଧାୟକଙ୍କ ଆଡକୁ । ଶିକ୍ଷକର ସ୍ଥାନ ଯେ ବିଧାୟକ ନେଇପାରିବେ ନାହିଁ ଏକଥା ଅବୁଝା ନଥିଲା ।
ବିଧାୟକ, ପାଖରେ ବସିଥିବା ଜଣକୁ ଇଙ୍ଗିତ କରି ତାଗିତ ଭଙ୍ଗୀରେ କହିଲେ –“ ରାଘବ ! ମୁଁ ଜାଣିନି ତୁ କ’ଣ କରିବୁ । ଦଶ ଦିନ ଭିତରେ ଯେମିତି ଆଜ୍ଞାଙ୍କ ମ୍ଯାଡାମ ଆମ ବ୍ଲକ ଯାଏନ କରିବେ । ବ୍ଲକର ହଜାର ହଜାର ପିଲାଙ୍କ ବିଷୟ ଭାବୁଥିବା ଲୋକର କଥା ଆମେ ନ ଭାବିବା ତ କିଏ ଭାବିବ ।“
ହାତଯୋଡି ସେ ପୁନଶ୍ଚ ବସିବାକୁ କହୁଥିଲେ ସୁଧୀରଙ୍କୁ । ସେ ଯେ ଜଣେ ଶିକ୍ଷକ ଅଧିକାରୀଙ୍କୁ ଅପମାନ କରିବାର ଭୁଲ କରିଛନ୍ତି ତାକୁ ଘୋଡେଇବାକୁ ଚେଷ୍ଟା କରୁଥିଲେ ଏବଂ ଦରଖାସ୍ତରେ ଶୀଘ୍ରାତୀଶୀଘ୍ର ଦସ୍ତଖତ କରିବାରେ ବ୍ୟସ୍ତ ରହିଲେ ।
ଠିକଣା
ସମ୍ପାଦକ ଗଞ୍ଜାମର କବିତାଘର
ବାରିବନ୍ଧ , ଆଙ୍କୁଲି , ବ୍ରହ୍ମପୁର ଗଞ୍ଜାମ ଜିଲ୍ଲା , ଓଡିଶା
ଫୋନ ୮୭୬୩୨୦୨୬୨୨