ଗଳ୍ପ ଭିନ୍ନ ଏକ ଶାହାଜାହାନ
ଗାଳ୍ପିକ ଭାଗୀରଥି ବେହେରା
ଘରକୁ ଆଜି ସେଇ ମୂର୍ତ୍ତିକାର ଆସିଥିଲା , ଯିଏ ମାଇଁଙ୍କ ମୂର୍ତ୍ତି ତିଆରି କରିଥିଲା କ୍ଷେତରେ । ମାଇଁଙ୍କ ସଂସାର ଛାଡିବାର ହେଲାଣି ଦୁଇ ବରଷ । ମାମୁଁ ଧୀରେ ଧୀରେ ଜୀବନର ଚିରାଚରିତ ଗତିପଥରେ ସାମିଲ ହେଲେଣି । ତଥାପି ମାଇଁଙ୍କ ବିନା ଯେମିତି ସେ ଅଚଳ ।
ମାମୁଁଙ୍କ ଦୁଇପୁଅ , ଦୁଇବୋହୁ ଓ ସେମାନଙ୍କ ପିଲାପିଲି ଏ ଭିତରେ ଯେମିତି ଭୁଲିଯାଇଛନ୍ତି ମାଇଁ ବୋଲି କିଏ ଥିଲେ ତାଙ୍କ ସାଙ୍ଗରେ । କାହାର ବୋଉ ହୋଇ ତ , କାହାର ଶାଶୁ କିମ୍ବା ଜେଜୀମା ହୋଇ ।
କିନ୍ତୁ ଆଜି ଦୁଇ ଭାଉଜ ଚୁପଚାପ ଏବଂ ଗୁମୁରିକି ଅଛନ୍ତି ଏ କଥା ଲକ୍ଷ୍ୟ କରିପାରୁଥିଲା ମନ୍ଦାକିନୀ । ପିଲାମାନେ ସ୍କୁଲ ଯାଇଛନ୍ତି । ଭାଇ ଅର୍ଥାତ ମାମୁଁଙ୍କ ପୁଅରୁ ଜଣେ ଅଫିସ ଓ ଜଣେ ବିଲକୁ ଯାଇଛନ୍ତି ।
ମନ୍ଦାକିନୀ ଆଉ ରହିପାରିଲାନି । ପଶିଗଲା ରୋଷେଇ ଘରକୁ । ତାକୁ ଦେଖୁ ଦେଖୁ ବଡଭାଉଜ ନ ଦେଖିଲା ପରି ବାହାରିଗଲେ । ସାନଭାଉଜକୁ ସେ ପଚାରିଲା – “ ସାନଭାଉଜ ! ମାମୁଁ କୁଆଡେ ଗଲେ ? ମୂର୍ତ୍ତିକାର କାହିଁକି ଆସିଥିଲା ? ଏମିତି ବଡଭାଉଜ ନ ଚିହ୍ନିଲା ପରି ପଳେଇଲେ କାହିଁକି ? “
ଆଗକୁ ଆଉ କିଛି ପଚାରିବ ପଚାରିବ ବୋଲି ଭାବୁଥିଲା ସେ , ପାଖ ବାଥରୁମରୁ ବଡଭାଉଜଙ୍କ କର୍କଶ ସ୍ଵର ଶୁଣାଗଲା –“ କହିଦିଅ ! କହିଦିଅ ଗୋ ଶେଫାଳୀ । ଆଦରର ଭାଣିଜୀ ଜାଣୁ ଯେ, ତା ବୁଢାମାମୁଁଙ୍କ ମୁଣ୍ଡଫୁଣ୍ଡ ଖରାପ ହେଇଗଲାଣି ବୋଲି । ଏ ବୟସରେ ପେରେମ ଫେରେମ କୋଉଠି ରଖିବେଲୋ ମା ! “
ମନ୍ଦାକିନୀର ଆଖି ଛଳଛଳ ହେଇଗଲା । ସାନଭାଉଜର ଅଲକ୍ଷରେ ଲୁହ ପୋଛିଲା । ଦଶ କି ବାର ବରଷର ଥିଲା ସେ , ମାମୁଁ ମଣିପୁରରୁ ତାକୁ ଏଠି ଆଣିଦେଲେ ତା ମା ମରିଗଲା ପରେ । ଗୋଟିଏ ବୋଲି ଭଉଣୀର ଗୋଟିଏ ବୋଲି ଝିଅକୁ ତୋଳି ଆଣିଲେ ଝିଅ ପରି । ଏଇ ଘରେ ତାକୁ ହେଲାଣି ପଚିଶି କି ଛବିଶି ବରଷ ।
ଆକାଶ ପରି ଉଦାର ମାମୁଁ ତା’ର , ଢଳଢଳ ଜୀବନ । ମାଇଁ ଥିଲା ତାଙ୍କ ପାଇଁ ପ୍ରାଣ , କାରଣ ମାଇଁର ପ୍ରାଣଥିଲା ମନ୍ଦାକିନୀ । ନଣନ୍ଦର ଝିଅ । ଯେତେ ସବୁ ଦୁନିଆର ପ୍ରେମ ଅଜାଡି ଦେଉଥିଲେ ମାମୁଁ ମାଇଁଙ୍କୁ । କହୁଥିଲେ ତମ ଦୁଇ ପୁଅଠୁ ଅଧିକ ଭଲପାଇବା ଦେବ ମୋ ଏଇ ଝିଅକୁ ।
ମଣିପୁରରେ ସୈନିକ କାମ କଲାବେଳେ ତାଙ୍କ ବନ୍ଧୁସହ ବାହା ଦେଇଥିଲେ ଭଉଣୀକୁ ,ମାନେ ମନ୍ଦାକିନୀର ମାଆକୁ ।
ମନ୍ଦାକିନୀର ବାପା ସୈନିକ ହେବା ସହ ବଇଦ ଥିଲେ । ପାହାଡୀ ଚେରମୂଳୀ ଔଷଧୀରେ ଥିଲେ ପାରଙ୍ଗମ । ମାମୁଁଙ୍କର ଟିକେ ଜ୍ୟୋତିଷ୍କ ଶାସ୍ତ୍ର ପାଇଁ ଥିଲା ଦୁର୍ବଳତା । ମନ୍ଦାକିନୀର ବାପାଠୁ ଶିଖି ଯାଇଥିଲେ ଔଷଧର କଥା ।
ଚାକିରୀ ଛାଡି ଫେରିଆସିଲେ ଗାଁ ଭିଟାମାଟିକୁ ମାମୁଁ । ବଡପୁଅ ଶରତ ପାଖ ତହସିଲ ଅଫିସରେ କିରାଣୀ । ସାନପୁଅ ଭରତ ବଂଶର ବାକିଥିବା ବିଲରେ ଅମଳେ ଶସ୍ଯ ।
ଗାଁ ସାରା ଲୋକ ସୁବିଧା ଅସୁବିଧା ଛୋଟ ବଡ ରୋଗରେ ମାମୁଁଙ୍କ ପାଖରେ ରୁଣ୍ଡ । ବାହାଘରଠୁ ମଲାକାର୍ଯ୍ୟ ଯାଏଁ ମାମୁଁଙ୍କଠୁ ତିଥିବାରର କଥା ବୁଝନ୍ତି । ଧୀରେ ଧୀରେ ପ୍ରସିଦ୍ଧି ବଢିଲା । ମାମୁଁ ଦୁଇପୁଅକୁ ମଣିଷ କଲେ । ତାହା ସହ ମନ୍ଦାକିନୀକୁ ବଢେଇଲେ ।
-“ ବିଲଆଡେ ଯାଇକି ଦେଖ । ବାପା ବସିଥିବେ ବୋଉ ପାଖରେ । ମନ୍ଦୁ ! ଟିକେ ପାଉରୁଟି ନେଇଯ । ତମେ ଦେଲେ ଖାଇବେ । “ ସାନଭାଉଜର ଏତିକି କଥାରେ ଭାବନା ତୁଟିଲା ମନ୍ଦାକିନୀର ।
ଘରୁ ବଜାରଗଳି ଦେଇ ବାହାରିଲେ ବିଲ । ସତକୁ ସତ ମାମୁଁ ମୁଣ୍ଡ ନୂଆଇଁ ତ୍ରିଶଙ୍କୁ ପରି ବସିଛନ୍ତି ମାଇଁଙ୍କର ମୂର୍ତ୍ତିକୁ ଆଉଜି । ଷାଠିଏ ବରଷର ମାମୁଁ ଝାଉଁଳି ଦେଖାଯାଉଥିଲେ ସତୁରୀ ବୟସ୍କ ପରି ।
-“ ମାମୁଁ ! “
-“ ମାମୁଁ ହେ ! “ ଦୁଇଥର ଡାକିବାକୁ ପଡିଲା ମନ୍ଦାକିନୀକୁ ।
ଆଖି ଖୋଲି ଭଲରେ ବସିଲେ ମାମୁଁ ।
-“ ମାମୁଁ ଟିକେ ଖାଇଦେଉନ । “ ପାଉରୁଟି ବଢେଇଲା ମନ୍ଦାକିନୀ । ମାମୁଁ ଖଣ୍ଡେ ଛିଣ୍ଡେଇ ଦେଲେ ପ୍ରତିମାକୁ । ମାନେ ମାଇଁଙ୍କ ମୂର୍ତ୍ତିକୁ ।
ମାଇଁ ମଲାଠୁ ଏମିତି । ମାମୁଁ ଅଧିକାଂଶ ସମୟ କଥା ହେଉଥିଲେ ଏକୁଟିଆ ଗୁଣୁଗୁଣୁ ହେଇ ମାଇଁଙ୍କ ପଥର ମୁରତିଟା ସହ । ସବୁବେଳେ ତାଙ୍କ ସାଙ୍ଗରେ ବସି ଖାଉଥିବେ । ସାନଭାଉଜ ବିଲକୁ ସାନଭାଇ ପାଇଁ ଖାଇବାକୁ ଆଣିଲେ ତିନି ଚାରିଟା ଅଧିକ ବାସନ ଆଣୁଥିବେ ମାଇଁଙ୍କୁ ଦେବା ପାଇଁ ।
ପ୍ରଥମେ ପ୍ରଥମେ ସଭିଙ୍କୁ ଚିଡା ଲାଗିଲା । କିନ୍ତୁ ଧୀରେ ଧୀରେ ଅଭ୍ଯାସରେ ପରିଣତ ହେଲା । ଏବେ ଗାଁ ସାରା ଜାଣିଛନ୍ତି ପ୍ରତିମା ମାଇଁ ଗଲାଠୁ ମାମୁଁ ତାଙ୍କୁ ଝୁରି ହେଉଛନ୍ତି । ତେଣୁ ଅଧିକାଂଶ ସମୟ ମୂର୍ତ୍ତିଟା ପାଖରେ କାଟୁଛନ୍ତି ଯେଉଁଠି ମାଇଁକୁ ପୋଡା ହେଇଥିଲା ।
ବେଳେବେଳେ ମନ୍ଦାକିନୀ ଆଶ୍ଚର୍ଯ୍ୟ ହୋଇଯାଏ । ଜୀବନର ବ୍ୟସ୍ତତାରେ ସେ ସ୍ଵୟଂ ତା ବାକଦତ୍ତା ମଳୟକୁ ଭୁଲିଯାଏ ମନରୁ । କିନ୍ତୁ ମାମୁଁ ଏମିତି ପରିଣତ ବୟସରେ ମୃତ ମାଇଁକୁ କେମିତି ଏକା ଛାଡି ରହିପାରୁନାହାନ୍ତି ତାହା ଅବର୍ଣ୍ଣନୀୟ ।
-“ ମାମୁଁ ହେ ! ଆଜି ମୂର୍ତ୍ତିକାର କାହିଁକି ଆସିଥିଲା ?“ ଏ ସୁଯୋଗ ନେଇ ଗେଲେଇହୋଇ ପଚାରିବସିଲା ମନ୍ଦାକିନୀ ।
ମାମୁଁ ତା କେଶରାଶିକୁ ଆଉଁସି ଦେଲେ ।କହିଲେ –“ ମୁଁ ଯାହାକହିବି ସମସ୍ତେ ପାଗଳ କହିବେ । ଆଶା ତୁ କହିବୁନି ।“
-“ ମୋଟେ ନୁହଁ ! ତମେ ମୋତେ କୁହ । “
-“ ଦିନେ ତୋ ମାଇଁ କହିଲା ସମସ୍ତିଙ୍କ ହାତ ଦେଖୁଛ । ମୋ ହାତ ଦେଖି କିଛି କୁହ । “
– “ ତମେ ଦେଖିଥିଲ ? ”
– “ ହଁ । “
– “ କ’ଣ କହିଥିଲ ? କ’ଣ ଥିଲା ମାଇଁଙ୍କ ଭାଗ୍ୟରେ ? “
-“ ମୁଁ କହିଥିଲି ତମ ଭାଗ୍ୟରେ ସଧବା ଯୋଗ ଅଛି , ବିଧବା ଯୋଗ ନାହିଂ । ଦେଖ ମା ! ସତସତିକା ତୋ ମାଇଁ ମୋ ପୂର୍ବରୁ ଚାଲିଗଲେ । “ ଏତିକି କହି ମାମୁଁ ଭଳି ଏତେ ବଡ ଲୋକଟା ପିଲାଭଳି କାନ୍ଦିଉଠିଲେ ।
-“ ବୁଝିଲି ଯେ , ହେଲେ ମୂର୍ତ୍ତିକାର କାହିଁକି ଆସିଥିଲା ? “
-“ ତୋ ମାଇଁକୁ କଥା ଦେଇଥିଲି ମୁଁ । ସେ କହିଥିଲା ମୁଁ ଯଦି ତମ ଆଗରୁ ଚାଲିଯାଏ , ମୋତେ କେବେ ଏକୁଟିଆ ଛାଡିବନି । “ ଏତିକି କହି ମାମୁଁ ପ୍ରତିମା ମାଇଁର ମୁରତି ଆଡକୁ ଟିକେ ଚାହିଁଦେଲେ ।
-“ ବୁଝିଲ ମାମୁଁ । ମାନିବାକୁ ପଡିବ ତମକୁ । ଏତିକି ଭଲପାଇବା ତମ ହେବାକୁଥିବା ଜୋଇଁ ମଳୟ ମୋତେ ଦିଅନ୍ତା କି ! ତମେ ତ ସବୁବେଳେ ମାଇଁଙ୍କ ଏଇ ପଥର ମୁରତି ପାଖରେ ବସିକି ଥାଉଚ । ହେଲା ଯେ, ମୂର୍ତ୍ତିକାର କାହିଁକି ଆସିଥିଲା ?“
-“ ମୁଁ ନିର୍ଦ୍ଦିଷ୍ଟ କରିଛି ତୋ ମାଇଁଙ୍କୁ ଏମିତି ଏକୁଟିଆ ଛାଡିପାରିବିନି । “
ମାମୁଁଙ୍କ ଏତିକି କଥାରେ ଚିହିଁକି ଉଠିଲା ମନ୍ଦାକିନୀ । ତାଙ୍କ ଦୁର୍ବଳ ହାତକୁ ଧରିପକେଇଲା ସେ ।
-“ ମାମୁଁ ! ଏ କି କଥା ? ତମେ ଜୀବନ ହାରିବ ? ଆତ୍ମହତ୍ୟା ମହାପାପ । “ ତାଗିଦ କଲାଭଳି କହିଲା ମନ୍ଦାକିନୀ । ସତସତିକା ମାମୁଁଙ୍କ ମୁଣ୍ଡ ଖରାପ ହେଇଗଲାଣି । ବୋଧେ ଏ କଥା ଜାଣି ଦୁଇଭାଉଜ ବିରକ୍ତ ହେଇଛନ୍ତି ।
-“ ପାଗଳୀଟା ତୁ ! ମରିବି କାହିଁକି ମୁଁ ? ଏମିତିତ ତୋ ମାଇଁ ବିନା ମୁଁ ଆଉ କି ବଞ୍ଚିକି ଅଛି ଯେ ! “
-“ ତାହା ହେଲେ ….” ଟିକେ ଆଶ୍ଵାସନା ମିଳିଲା ମନ୍ଦାକିନୀକୁ ।
-“ତୋ ମାଇଁ ପାଖରେ ମୋର ଗୋଟିଏ ମୂର୍ତ୍ତି ତିଆରିକରି ବସେଇଦେବି ଏଇ ବିଲରେ । ସେଥିପାଇଁ ଡାକିଥିଲି ମୂର୍ତ୍ତିକାରକୁ । “
ମାମୁଁଙ୍କର ଏ କଥା ଶୁଣି ଚମକି ପଡିବା କଥା ମନ୍ଦାକିନୀ । କିନ୍ତୁ ଚମକିଲାନି ସେ । ବଡ ଦୟା ଆସୁଥିଲା ପାଖରେ ବସିଥିବା ମାମୁଁ ନାମକ ମଣିଷଟା ଉପରେ । ତାକୁ ଲାଗୁଥିଲା ଯେମିତି ଭିନ୍ନ ଏକ ଶାହାଜାହାନ ହେଉଛନ୍ତି ତା ମାମୁଁ , ଯିଏ ପ୍ରିୟ ମମତାଜର ସ୍ମୃତିରେ ବଞ୍ଚି ଥାଉଥାଉ ନିଜେ ସ୍ମୃତି ହେବାକୁ ଚାହୁଁଛନ୍ତି ।
ସନ୍ଧ୍ୟା ନଇଁ ଆସୁଥାଇ । ମାମୁଁ ଭାଣିଜୀ ଦୁହେଁ ଫେରୁଥାନ୍ତି ଘରକୁ । ମଲାପରେ ବି ମାଇଁ ମାମୁଁଙ୍କ ଭଳି ପୁରୁଷଠୁ ଅଧିକ ଭଲପାଇବା କେମିତି ପାଇପାରୁଛନ୍ତି , ଏହି କଥାକୁ ସେ ହେଜି ପାରୁନଥିଲା ।
x x x x
ଘରେ ପହଞ୍ଚିଲା ବେଳକୁ ଭାଉଜ ଓ ଭାଇମାନଙ୍କ ମଧ୍ୟରେ ମହାଭାରତଟିଏ ସୃଷ୍ଟି ହୋଇସାରିଥିଲା । ସେମାନଙ୍କ ମଧ୍ୟରେ ସଂସାରକୁ ଟିକେ ଟିକେ ଜାଣିପାରୁଥିବା ପୁଅଝିଅମାନେ ମଧ୍ୟ ଏ ଯୁଦ୍ଧରେ ସାମିଲ ହୋଇଥିଲେ ।
ପୁଅମାନେ କହୁଥିଲେ ବାପା ଆଉ ଦାଣ୍ଡରେ ଚଳେଇ ଦେବେନି । ବୋହୁମାନେ କହୁଥିଲେ ଶ୍ବଶୁରଙ୍କୁ ଡାକ୍ତରଙ୍କ ପାଖକୁ ନେଇଯାଅ । ପିଲାମାନେ ପଚାରୁଥିଲେ କିଏ ମଲେ ସିନା ତାକୁ ମନ ରଖିବା ପାଇଁ ଷ୍ଟାଚୁ ହୁଏ । ବଞ୍ଚି ଥାଉ ଥାଉ ଜଣେ କେମିତି ଷ୍ଟାଚୁ ହେବ ?
ମାମୁଁଙ୍କୁ ଦେଖି ଯିଏ ଯୁଆଡେ ନିଜ ରାସ୍ତା କାଟିଲେ । ମାମୁଁଙ୍କ ବିରୋଦ୍ଧରେ ଇଏ ଏକ ପ୍ରକାର ଯୁଦ୍ଧ ହିଁ ଘୋଷଣା ହୋଇଥିଲା ଘରେ ।
ପାଗଳ ହେଲାଣି ଶେଫାଳୀର ମାମୁଁ ନାମକ ମଣିଷ । ଘରେ ଏକେ ପ୍ରକାର ଅଜବ ନୀରବତା । ଏମିତି ଦୁଇ ତିନିଦିନ ବିତିଗଲାଣି । ନିଜ ପୁଅବୋହୁମାନେ କେମିତି ତାଙ୍କର ଦୁଃଖ ବୁଝୁନାହାନ୍ତି , ଏ ଅଭିମାନ ଥିଲା ମାମୁଁଙ୍କର । ପ୍ରତିମା କେବଳ ତାଙ୍କର ସ୍ତ୍ରୀ ନୁହନ୍ତି , ପୁଅମାନଙ୍କ ବୋଉ , ବୋହୁମାନଙ୍କ ଶାଶୁ ଓ ପିଲାମାନଙ୍କ ଜେଜୀମା । କେମିତି ସେମାନେ ଏକୁଟିଆ ବସେଇ ଦେଇଛନ୍ତି ସେ ବିଲଟାରେ , ପଥର କରି ।
ମାମୁଁ କେବଳ ଖାଇବା ଛାଡିନଥିଲେ , ତାହା ସହ ସକାଳୁ ସଞ୍ଜ ଯାଏଁ ମାଇଁଙ୍କ ପାଖରେ ବସି ରହୁଥିଲେ । ମାଇଁଙ୍କ ନିର୍ବାକ ନିରୁତ୍ତର ମୂର୍ତ୍ତିକୁ ବୁଝାଉଥିଲେ ତମକୁ କଥାଦେଇଛି ମାନେ ମୁଁ ବଞ୍ଚି ଥାଉଥାଉ ଏକୁଟିଆ ଛାଡିବିନି । ଦୁନିଆ ଯାହା କହୁଛି କହୁ । ତମେ ଯେମିତି ପଥର ହେଇବସିଛ , ତମ ସ୍ଵାମୀ ମଧ୍ୟ ପଥର ହେଇବସିବ । ଏ ଭାବନା ଘରେ କେବଳ ମନ୍ଦାକିନୀ ହିଁ ବୁଝୁଥିଲା । କିନ୍ତୁ କିଛି କରିପାରୁନଥିଲା ସେ । ଜଣେ ଲୋକ ବଞ୍ଚି ଥାଉ ଥାଉ ମୂର୍ତ୍ତି ହେଇ କେମିତି ବସିବ ? ପୁଣି ଭାବୁଥିଲା ନିଜେ ନିଜର ମୂର୍ତ୍ତି ଲଗେଇଲେ ଅସୁବିଧା କେଉଁଠି ?
ମନର ଦ୍ଵନ୍ଦ ସବୁ ମଳୟକୁ ଜଣେଇଥିଲା । ତାକୁ ବୁଝିଲା ଭଳି ବର୍ତ୍ତମାନ ତ , ସିଏ ଏକା ନିଜର । କିନ୍ତୁ ମଳୟ ବି ଭାଇମାନଙ୍କ ଭଳି ବିଚାର ଓ ବ୍ୟବହାର ରଖିଲା ।
x x x x
ସକାଳୁ ସକାଳୁ ମଳୟ ଅଦିନିଆ ମେଘ ପରି ମୂର୍ତ୍ତିକାରକୁ ନେଇ ଶେଫାଳୀ ଘରେ ହାଜର । ମନ୍ଦାକିନୀ ଭଳି ସମସ୍ତେ ଆଶ୍ଚର୍ଯ୍ୟ ହେଲେ । ଭାଉଜ ମାନେ ପିଣ୍ଢାରେ । ଭାଇମାନେ ଅଗଣାରେ ।
-“ ଇଆଡେ ମାମୁଁଙ୍କ ମୂର୍ତ୍ତି ମାଇଁଙ୍କ ପାଖରେ ତିଆରି ଆରମ୍ଭ ହେବ , ସିଆଡେ ମୁଁ ବିନା ଯୌତୁକରେ ମନ୍ଦାକିନୀକୁ ବାହାହେବା ପାଇଁ ପ୍ରସ୍ତୁତ ହେବି । କାହାର କ’ଣ କହିବାର ଅଛି କହୁ । ମୁଁ ଦୁନିଆକୁ ପରବାଏ କରେନା । ଆପେ ବଞ୍ଚିଲେ ବାପର ନାଁ । ଭଲପାଇବା ହିଁ ସବୁଠୁ ବଡ କଥା । ଶାହାଜାହାନ ମମତାଜ ପାଇଁ ଏତେ ବଡ ତାଜମହଲ କରିପାରିଲେ । ମାମୁଁ କ’ଣ ସାମାନ୍ଯ ମୂର୍ତ୍ତିଟିଏ ନିଜର ଗଢି ପାରିବେନି ?
ସମସ୍ତେ ମଳୟର ନିଷ୍ପତ୍ତି ଶୁଣିପାରିଲେ , କିନ୍ତୁ ବିରୋଧ କରିବାକୁ ସାହସ କରିପାରିଲେନି । ପ୍ରଥମ ତ , ମଳୟ ସେ ଅଞ୍ଚଳର ବଡ ଅଫିସରର ପୁଅ ଓ ନିଜେ ବି ଅଫିସର । ଦ୍ଵିତୀୟ , ଯଦି ମନ୍ଦାକିନୀ ବିନା ଯୌତୁକରେ ବାହାହେବ , ତେବେ ସେମାନଙ୍କ ଉପରୁ ଖର୍ଚ୍ଚର ଟେନସନ ଯିବ ।
ମୂର୍ତ୍ତିକାରକୁ ଦେଖି ମାମୁଁ ଦାଣ୍ଡକୁ ଆସି କ’ଣ କହିବେ କହିବେ ହେଉଥିଲେ , ସାନଭାଉଜ ଓଢଣୀ ଦେଇ ଘର ଭିତରକୁ ଚାଲିଗଲେ । ବଡଭାଉଜ କହିଲେ –“ ଆମେ କ’ଣ ମନାକରୁଛୁ । ବାପା ବୋଉଙ୍କୁ କେତେ ଭଲପାଉଥିଲେ କ’ଣ ଆମେ ଜାଣିନୁ କି ? ବୁଝିଲ ମଳୟ ! ତମେ ତମ ଶେଫାଳୀର ଭାଇମାନଙ୍କୁ ଶିଖେଇ ଯାଅ ଯେ , ଆମ ପରେ ଏମାନେ ଯେମିତି ବାବାଙ୍କ ପରି ଆମର ମୁରତି କରିବେ । “
ବଡଭାଉଜ ସବୁବେଳେ ଏମିତି । ରୋକଠୋକ କଥା । ସୁବିଧା ଦେଖି ବଦଳିଯିବାର ଲୋକ ।
ବଡଭାଉଜର କଥାରେ ମନ୍ଦାକିନୀର ଓଠରୁ ହସ ଫାଟି ପଡୁଥିଲା । ସେ ଦେଖିଲା ମାମୁଁ ଆଡକୁ । ମାମୁଁର ଚାଲୁଥିବା ଯୁଦ୍ଧରେ ବିଜୟୀ ହୋଇଛି । ଇଏ ଏକ ନିଆରା ପ୍ରେମର ପ୍ରଦର୍ଶନ ।
ମାମୁଁ ମୂର୍ତ୍ତିକାରକୁ କିଛି କହିବା ପୂର୍ବରୁ ମନ୍ଦାକିନୀ କହିଲା – “ ମାମୁଁ ହେ ! ପ୍ରଥମେ ଏ ମାମୁଲତକାରକୁ କୁହ ଲେଖିକି ଦେବେ ଯେ , ମୋ ପରେ ସେ ନିଜେ ମୂର୍ତ୍ତି ହେବେ , ତାପରେ ତମ କଥା ।
ଏତିକି ସିନା କହିଦେଲା ମନ୍ଦାକିନୀ ଉତ୍ଫୁଳିତ ହୋଇ ମଳୟ ଆଡକୁ ଇଙ୍ଗିତ କରି , ଲାଜରେ ପଶିଗଲା ଘର ଭିତରକୁ । ତା ପଛେ ପଛେ ମଳୟ ହଁ ହଁ କରି ପଶିଗଲା ।
ବଞ୍ଚି ଥାଉଥାଉ ମାମୁଁ ମୂର୍ତ୍ତି ହେବାକୁ ପ୍ରସ୍ତୁତ ହେଉଥିଲେ ମାଇଁଙ୍କ ପାଇଁ । ମାଇଁ ବିଲରେ ଏକୁଟିଆ ଅପେକ୍ଷା କରିଥିଲେ ତାଙ୍କ ଶାହାଜାହାନକୁ ।
————————————————
ଠିକଣା-ଭାଗିରଥୀ ବେହେରା , ସମ୍ପାଦକ –ଗଞ୍ଜାମର କବିତାଘର
ମାଳି ସାହି , ଆଙ୍କୁଲି , ବ୍ରହ୍ମପୁର , ଗଞ୍ଜାମ -୭୬୦୦୧୦ ଫୋନ -୮୨୮୦୨୨୩୬୪୪