ସୀମାହୀନ ଦୁନିଆ
ଦେବୀପ୍ରଭା ରଥ
ରାଜନ ମୁଣ୍ଡ ଟେକି ଚାରିଆଡ଼େ ଚକିତ ଦୃଷ୍ଟି ଦେଲା । ଜୀବନଟା ତା’ର ମୃତ୍ୟୁ ଆଡ଼କୁ ଧାଇଁଚି ଦୁରନ୍ତ ବେଗରେ । ଶତ୍ରୁ ସୈନ୍ୟର ଆକ୍ରମଣରେ ତା’ର ବାହୁ ଓ ବାମ ଗୋଡ଼ରେ ଗୁଳି ବାଜିଛି । ଲହୁ ବୋହି ପୋଷାକରେ ଜମାଟ ବାନ୍ଧିଯାଇଛି । ଗୋଟିଏ ପଥର କୋଳରେ ଅଟକି ଯାଇଛି ସେ । ପଥର ନଥିଲେ କେତେବେଳୁ ଜୀବନର ଅନ୍ତ ହୋଇସାରିଥାନ୍ତା ।
ପୂର୍ବର ସୂର୍ଯ୍ୟ ପଶ୍ଚିମକୁ ଢଳି ଆସିଲେଣି । ଦୂର ଦିଗ୍ବଳୟରେ ଦଳଦଳ ପକ୍ଷୀ କାକଳି ଦେଇ ଉଡ଼ିଯାଉଛନ୍ତି । ପାହାଡ଼ି ସନ୍ଧ୍ୟା ଅତି ଦୃତଗତିରେ ନଇଁ ଆସୁଚି । ନିରାପଦ ଜାଗା ଆଶାରେ ଘୁଷୁଡି ହୋଇ ଯାଇ ଗୋଟେ ମୋଟା ଗଛକୁ ଆଉଜି ବସିଲା ରାଜନ ।
ମିତ୍ର ପକ୍ଷର କୌଣସି ସନ୍ଧାନ ନାହିଁ । ହାତଗୋଡ଼ କୋଲ ମାରିଗଲାଣି । ଅଳ୍ପ ଦୂରରେ ବହିଯାଇଛି ହିମାଳୟରେ ତୁଷାର ଝରଟିଏ । ମରଣ ଅପେକ୍ଷାରେ ଜୁଳୁଜୁଳୁ ଦୁଇଟି ଆଖି ମେଲି ଅନାଇ ରହିଥିଲା ରାଜନ ।
ଦୂରରୁ ଘର୍ଘର୍ ଶବ୍ଦରେ ରାଜନର ମନରେ ଅପୂର୍ବ ଭାବନାର ସଂଚାର ହେଲା । ଅନେକ ଲୋକର ଜୋତା ମଚମଚ ଯିବା ଆସିବାର ଶବ୍ଦ ଶୁଣିପାରିଲା ରାଜନ । ତାକୁ କେହି ବୋହିନବାର ଅନୁଭବ କଲା । କ୍ଷତ ଗୁଡ଼ିକ ପରିଷ୍କାର କରି କେହି ବ୍ୟାଣ୍ଡେଜ୍ ଗୁଡ଼ାଇବାର ବୁଝିପାରିଲା । କିଛି କହିବା ବା କରିବାର ଶକ୍ତି ହଜାଇ ଦେଇଥିଲା । ହଠାତ୍ ଅନୁଭବ କଲା କାହାର ନରମ ହାତ ତା କପାଳ ସ୍ପର୍ଶ କରୁଚି । ସେ ଆଖିପତା ଖୋଲି ଅନାଇଲା । ସୁନ୍ଦରୀ ଚୀନା ଯୁବତୀଟିଏ । ଟଣାଟଣା ଆଖି ଦିଓଟିରେ ନିର୍ମିମେଷ ଚାହାଣୀ । ଅପଲକ ନୟନରେ ସେ ଅନାଇ ଦେଖିଲା ।
କିଏ ସୁଷାନ୍ !
ରାଜନର ଆଖି ଉପରେ ଅତୀତ ଦୃଶ୍ୟ ହେଲା ଯେମିତି । ସେ ଓ ସୁଷାନ୍ ସେଦିନ ଶାନ୍ତିନିକେତନର ଛାତ୍ରଛାତ୍ରୀ ଥିଲେ । ମାତ୍ର ପାଞ୍ଚବର୍ଷ ପରେ ସମୟ ଚକ୍ରରେ ପଡ଼ି ସେ ବାୟୁସେନା ନାୟକ, ଆଉ ସୁଷାନ ସେବିକା ।
ଆଜି ନିଜେ ରାଜନ ଚୀନା ସେନାଙ୍କ କବ୍ଜାରେ । ସୁଷାନକୁ ବାହା ହବାକୁ ମତ ରଖିଲେ ସେମାନେ । ତାଙ୍କ ସେନା ବାହିନୀର ଜଣେ ଚିଫ୍ କମାଣ୍ଡର୍ କରାଇ ଦେବାର ବ୍ୟବସ୍ଥା କରିଦେବ । ଏଇ ମାତ୍ର ସୁଷାନ ଦେଖିଯାଇଚି ତାକୁ ।
ତା’ର ଉତ୍ତର ଥିଲା, ସୁଷାନର ପ୍ରେମ ଏକାନ୍ତ ନିଜସ୍ୱ । ତା ପାଇଁ ଦେଶର ଇଜ୍ଜତ୍କୁ ବଳିଦେଇ ପାରିବନି । ଜଣସ୍ୱାର୍ଥ ପାଇଁ ଗଣସ୍ୱାର୍ଥକୁ ଭାରତୀୟ ସେନାକୁ କଦାପି ବଳି ଦେଇନପାରେ ।
x x x
ରାତ୍ରୀର ଦ୍ୱିତୀୟ ପ୍ରହରରେ କିଏ ତା ମୁଣ୍ଡ ପାଖେ କହିଲା । – “ତୁମକୁ ଏମାନେ ମାରିଦେବେ । ତୁମକୁ ମୁଁ ଖୋଲିଦେବି । ବାଟ କହିଦେବି । ତୁମେ ଚାଲିଯାଅ ଏଠୁ ।” ସିଏ ଥିଲା ସୁଷାନ୍ । କହି ଚାଲିଥିଲା ସେ । ରାଜନ ମୁହଁରୁ ଅସ୍ପଷ୍ଟ ଚନ୍ଦ୍ରାଲୋକରେ ଧାରଟିଏ ଉଦାସ ହସ ଖସି ଆସିଲା ।
– “କହିଲା ତୁମ ପ୍ରେମର ତୁଳନା ନାହିଁ । ସ୍ୱାର୍ଥାନ୍ଧ ପ୍ରେମ ସିନା ନିର୍ଦ୍ଧିଷ୍ଟ ପାର୍ଥିବ ଗଣ୍ଠିରେ ଆବଦ୍ଧ । କିନ୍ତୁ ନିଃସ୍ୱାର୍ଥ ପ୍ରେମ ବିସ୍ତୃତ ବିଶ୍ୱମୟ ।”
x x x
ଶେଷ ଥର ପାଇଁ ରାଜନକୁ ସୁଯୋଗ ଦେଲେ ଇଚ୍ଛାଥିଲେ ଈଶ୍ୱରକୁ ସ୍ମରଣ କରିବା ପାଇଁ ।
ମୁହୂର୍ତ୍ତକ ପାଇଁ ରାଜନ ମଥା ନୁଆଇଁ ଚିତ୍କାର କରି ଉଠିଲା । “କି ଆନନ୍ଦ ! ମୋ ପ୍ରିୟ ଦେଶ ପାଇଁ, ପ୍ରିୟ ଭାଇଭଉଣୀଙ୍କ ମାନ ରକ୍ଷା ପାଇଁ ଭଗବାନ ମୃତ୍ୟୁକୁ ବରିଲେ…. ।”
ଦେହରେ ଗୋଟିଏ କଳା କନା ଢ଼ାଙ୍କି ହୋଇଗଲା । କିନ୍ତୁ ମର ଦେହ ବାହାରକୁ ଆସିବା ପୂର୍ବରୁ ସେଠାରେ ଚହଳ ପଡିଗଲା । ଶେଷ ଲେଖାଟିଏ ଲେଖି ସୁଷାନ ଆତ୍ମହତ୍ୟା କରିଚି ।
x x x
ଶେଷ ଦେଖା ଓ ଶେଷ ଲେଖାର ଅଦୃଶ୍ୟ ପଟ୍ଟରେ ଅନନ୍ତ ପଥରୁ ଭେଦ କରି ଉଡ଼ିଚାଲିଛନ୍ତି ଯୋଡ଼ିଏ ଅତୃପ୍ତ ଆତ୍ମା ।
ସୀମା ନାହିଁ, କିମ୍ବା ସରହଦର ବିବାଦ ନାହିଁ । ପ୍ରେମ ଏକ ସୀମାହୀନ ଦୁନିଆ ।
—ସମାପ୍ତ —
ଗ୍ରୀନ୍ ଗେଟ୍, ଆର୍ସି ଚର୍ଚ୍ଚ ରୋଡ, ବ୍ରହ୍ମପୁର, ଗଂଜାମ
ଫୋନ୍ :୮୩୨୮୯୧୮୫୫୨
ଗାଳ୍ପିକା ପରିଚୟ
ଗଞ୍ଜାମ ଜିଲ୍ଲାରେ ବସବାସ କରୁଥିବା ଗାଳ୍ପିକା ଜନ୍ମନିଅନ୍ତି ୨୩-୦୮-୧୯୫୦ ମୟୁରଭଂଜ ଜିଲ୍ଲା ସଦର ବାରିପଦା ମହକୁମାରେ, ମାତା ଶ୍ରୀମତୀ ଦୁର୍ଗାବତୀ ତ୍ରିପାଠୀ ଓ ପିତା ଶ୍ରୀଯୁକ୍ତ ଅମରେନ୍ଦ୍ର ନାଥ ତ୍ରିପାଠୀଙ୍କ କୋଳମଣ୍ଡନ କରି । ଗାଳ୍ପିକାଙ୍କ କବିତା ସଂକଳନ ଶେଷଇଚ୍ଛା ପ୍ରକାଶିତ ।
ସୀମାହୀନ ଦୁନିଆ ଗଳ୍ପ ଉଜାଗର କରେ ବନ୍ଧନହୀନ, ସରହଦ ହୀନ ଓ ଦେଶ ମାତୃକା ପାଇଁ ଜୀବନକୁ ଉତ୍ସର୍ଗ କରିବାର ଏକ ପ୍ରେମପୂର୍ଣ୍ଣ କାହାଣୀ ।