ଦୁଇଟି ଦୃଶ୍ୟ- ଟ୍ରାଫିକ୍ ଓ ଅବ୍ୟକ୍ତ
ପୁଷ୍ପାଞ୍ଜଳୀ ପଟ୍ଟନାୟକ
ଟ୍ରାଫିକ୍
ଟ୍ରାଫିକ୍ର ଗହଳିରେ ଅଟକିଗଲା ନରୋତ୍ତମ ବାବୁଙ୍କ କାର ।
ତାଙ୍କର ବିଶ୍ୱସ୍ତ ପ୍ରିୟ ଧଡ଼ିବାବୁ ଚଲାଉଥିଲେ କାରଟିକୁ । ଦୁହେଁ ପୋଖତ ରାଜନୀତିଜ୍ଞ । ସମୟ ପାଇଲେ ସୁଦୀର୍ଘ କଳ୍ପନା, ଜଳ୍ପନା ଚାଲୁଥିଲା । କେଉଁଠୁ କେତେ ଆସିବ, ଯିବ । କେଉଁ ବାବଦରେ କେତେ ଖର୍ଚ୍ଚ ହେବ ଏବଂ ଆଉ କେତେ ଉଦରସ୍ଥ ହେବ । କେହି ଯେମିତି ତା’ର ଟେର ପାଇପାରିବେ ନାହିଁ । ଇତ୍ୟାଦି….ଇତ୍ୟାଦି ।
ହଠାତ୍ ଭିକାରୀଟିଏ ହାତ ବଢ଼େଇ ଦେଲା କାର ଭିତରକୁ ‘ବାବୁ କିଛି ମିଳୁ’ କହି ।
ନରୋତ୍ତମ ବାବୁ ରାଗିଯାଇ କହିଲେ – “ଏ ଭିକାରୀ ଗୁଡ଼ାକ ଲାଗି ଦେଶର ଦରିଦ୍ର ହଟିଲା ନାହିଁ । ଏମାନେ ଭିକ୍ଷା ନାମରେ ଚୋରୀ କରନ୍ତି । ଦେଖିଲ ଧଡ଼ି ! ତା ହାତ କିପରି ମୋର ସୁନା ୱାଚ୍ ପାଖକୁ ଲାଗି ଆସିଥିଲା ।”
ଭିକାରୀ ବିଚରା ନତମସ୍ତକ ହୋଇ ହାତଯୋଡ଼ି କହିଲା – “ବାବୁ ଆମେ ଚୋର ନୁହେଁ । ଭିକ ମାଗି ପେଟ ପୋଷୁ । ଚୋରୀ କରୁଥିଲେ ତମ ପାଖେ ହାତ ପତେଇ ଠିଆ ହୋଇନଥାନ୍ତୁ । ଆମେ ବି କାର ଧରି ବୁଲୁଥାନ୍ତୁ ।”
ଦେଖିଲ ଦେଖିଲ ଧଡ଼ି । ଚୋର ମୁହଁ କିପରି ଟାଣ ।”
ଧଡ଼ିବାକୁ ପକେଟରୁ ଟଙ୍କାଟିଏ ବାହାର କରି ଭିକାରୀକୁ ଦେଇ ବିଦା କଲେ ।
ନରୋତ୍ତମ ବାବୁଙ୍କୁ କଣେଇ ଚାହିଁ ତାତ୍ସଲ୍ୟ ରୂପକ କହିଲେ – “ଭିକାରୀ ଠିକ୍ କହିଲା । ଆମେ ବି ତ ଚୋର ଓ ଭିକାରୀ । ଭୋଟ ବେଳେ ଭିକ୍ଷା କରୁଚେ । ଗାଦିରେ ବସିଲେ ଦେଶର ଅର୍ଥ ଆତ୍ମସାତ୍ କରୁଛେ ।”
ସୁ ! କରି ପାଟିରେ ଆଙ୍ଗୁଠି ଦେଇ ସତର୍କ କରାଇ ଦେଲେ ନରୋତ୍ତମ ବାବୁ । “ପବନର ବି କାନ ଅଛି । ଚାଲ ଟ୍ରାଫିକ୍ ଗହଳି ଭାଙ୍ଗିଗଲାଣି ।”
ଅବ୍ୟକ୍ତ
‘ବାପା ତମେ ଆସିଲ । ବୋଉକୁ ସାଙ୍ଗରେ ଆଣିଲନି । ଦେଖିଥାଆନ୍ତି ।’ ଏଇ ପଦକ କଥା କହିବ କହିବ ହୋଇ କହିପାରୁ ନଥିଲା ସୁଲତା । ତା’ର ପାଟି ପୋଡି ଯାଇଥିଲା ।
ତା ବାପା ବୋଧେ ବୁଝିପାରିଲେ ଝିଅ ମୁହଁର ଚାହାଣୀରୁ । କହିଲେ- “ତୁ ବ୍ୟସ୍ତ ହୁଅନା ମା’ । ତୁ ଭଲ ହୋଇଗଲେ ମୁଁ ତତେ ଘରକୁ ନେଇଯିବି । ତୁ ପିଲାଲୋକ । ଟିକିଏ ଅଜାଗ୍ରତ ହୋଇପଡ଼ିଲୁ ବୋଲି ଆଜି ଏ ଦଶା ଭୋଗିବାକୁ ପଡ଼ିଲା । ତଥାପି ତୁ ଜମା ଦୁଃଖ କରେନା । ତୁ ଯିବୁ । ତୋ ବୋଉକୁ ଦେଖିବୁ । ତୁ ପରା ଆମର ଗୋଟିଏ ବୋଲି ସୁନାନାକି ଝିଅ ।”
ମୁହଁକୁ ଅନ୍ୟପଟେ ବୁଲେଇଦେଲା ସୁଲତା । ସେ କ’ଣ ଆଉ ବଂଚିବ ଯେ ଗାଁକୁ ଯିବ । ବୋଉକୁ ତା’ର ଦେଖିବ । ଯେଉଁମାନେ କିରୋସିନି ଢ଼ାଳି ନିଆଁମାରି ଦରପୋଡ଼ା ଅବସ୍ଥାରେ ତାକୁ ଡାକ୍ତର ଖାନା ଆଣି ଅସାବଧାନତା ଯୋଗୁ ନିଆଁ ଲାଗିଗଲା କହି ସଫେଇ ଦେଉଛନ୍ତି । ପୁଣି ବଂଚିଲେ ସେମାନେ ତାକୁ ଆଉ ବଂଚିଲାଭଳି ବଂଚେଇ ଦେବେ ? ପାଟି ଖୋଲି ଚିତ୍କାର କରିବାକୁ ଇଚ୍ଛା ହେଉଥିଲା ତା ବାପାଙ୍କ ଆଗରେ ।
– “ସବୁ ତ ଦେଲ, ଟିଭି ଠୁ ଆରମ୍ଭ କରି ହିରୋହଣ୍ଡା ଯାଏ । ଖାଲି କିରୋସିନିଟିକେ, କି ଦିଆସିଲି ଗୋଟେ ଦେଇନଥିଲ ବାପା । ସେଇ ଦୁଇଟି ମୋ ଶାଶୁ ମତେ ଦେଇ ଦେଇଛନ୍ତି । ଯାହା ଲାଗି ଆଜି ମୋର ଏ ଅବସ୍ଥା । ଆଉ କିଛି ଅଭାବ ନାହିଁ ବାପା । ତମେ ଚାଲିଯାଅ, ତମେ ଚାଲିଯାଅ ବାପା ।”
ସେମାନେ ଅତି ଲୋଭୀ ବୋଲି କହିପାରୁ ନଥିଲା ସୁଲତା । ତା’ର ବାକ୍ଶକ୍ତି ନଷ୍ଟ ହୋଇଯାଇଥିଲା । ହୃଦୟ ଭିତରେ ଦହିତ ହୋଇ ଶଯ୍ୟା ଉପରେ ଆଖି ବୁଜିଦେଲା ସବୁଦିନ ପାଇଁ ।
ଚିଦାନନ୍ଦ ନିଳୟ, ଗଜପତି ନଗର-୭, ବ୍ରହ୍ମପୁର,
ଗଂଜାମ-୭୬୦୦୧୦, ଫୋନ୍ : ୯୪୩୭୦୪୩୯୫୧
ଗାଳ୍ପିକା ଜନ୍ମନିଅନ୍ତି ୦୧-୦୧-୧୯୫୧ ଗଂଜାମ ଜିଲ୍ଲା ଆଠଗଡ଼ ପୋଲସରା ନିକଟସ୍ଥ ସାନ ବରଗାଁରେ, ମାତା ଶ୍ରୀମତୀ ଶକୁନ୍ତଳା ପଟ୍ଟନାୟକ ଓ ପିତା ଲିଙ୍ଗରାଜ ପଟ୍ଟନାୟକଙ୍କ କୋଳମଣ୍ଡନ କରି । ଗଳ୍ପ ସଂକଳନ ସତ ହେଲେ ବି ଗପ, ପ୍ରତିବିମ୍ବ, ନାଟକ ଅଷ୍ଟାଙ୍କିକା, ପ୍ରବନ୍ଧ ଚରକ ଶକ୍ତି, ଗୀତିନାଟ୍ୟ ସ୍ୱର୍ଣ୍ଣଚମ୍ପା ଆଦି ୩୨ ଖଣ୍ଡ ପୁସ୍ତକର ରଚୟିତା ।
‘ଦୁଇଟି ଦୃଶ୍ୟ ଟ୍ରାଫିକ୍ ଓ ସୁଲତା’ ଗଳ୍ପରେ ‘ଟ୍ରାଫିକ୍’ ବର୍ତ୍ତମାନ ରାଜନେତାମାନଙ୍କ କାର୍ଯ୍ୟକଳାପ ଉପରେ କଟାକ୍ଷ ଓ ‘ସୁଲତା’ ଯୌତୁକ ଲୋଭୀମାନଙ୍କ ଉପରେ ଏକ ଶାଣିତ ପ୍ରହାର ।