ଗଳ୍ପ ଗଞ୍ଜାମ ୨୦୨୦ -ଗଳ୍ପ ଅପାସୋରା ରାତି -ଗାଳ୍ପିକ ଡା ରାଜେନ୍ଦ୍ର କୁମାର ବେହେରା

ଅପାସୋରା ରାତି
ଡା. ରାଜେନ୍ଦ୍ର କୁମାର ବେହେରା

“ଟିକେ ଆରାମରେ ଶୋଇଯାଅ ଏଇନେ ସକାଳ ପାହିଯିବ ।”
ଶୁଭେ ନଶୁଭେ ପଦ କେତୋଟି ମାତ୍ର । ହଠାତ୍ କ୍ଲଚ୍ ଚିପି ଚତୁର୍ଥ ଗିଅରଟି ଦାବିଦେଲି । ପଛକୁ ଝୁଙ୍କି ପଡିଲି । ଚାଉଁକିନା ନିଦଟା ଭାଙ୍ଗିଗଲା । ପେଟରେ ଭୀଷଣ ଯନ୍ତ୍ରଣା । ମୋ ସ୍କୁଟର ଖୋଜି ବସିଲି । ନମ୍ବର ପାଶୋରି ଯାଇଥିଲି । ଦେହର ଦରଜ ମୋତେ ଶୁଆଇ ରଖିଥିଲା । ଘରର କାନ୍ଥଗୁଡିକ ମୋତେ ନୂଆ ଲାଗୁଥିଲା । ମୁଁ କେଉଁଠି ଜାଣିପାରିଲିନି । ପ୍ରତି କୋଣି ଅନୁକୋଣ ମୋ ଆଖିରୁ ବାଦ୍ ଯାଇନଥିଲା । ‘ମାନବ ସେବା ହିଁ ମାଧବ ସେବା’ ବୋର୍ଡଟି କାନ୍ଥରୁ ମୋତେ ବେଶ୍ ପବନ ବାଜୁଥିିଲା । ମୁଁ ମୁଣ୍ଡଟେକି ଚାହିଁଲି । ପାଖରେ ଝିଅଟିଏ ବସିଛି । ପାଖରେ କେହି ନାହିଁ । ହାତରେ ବୁଲୁଥିବାର ବିଞ୍ଚଣାଟିଏ । ଫୁଟି ଦେଖାଯାଉଥିଲ । ଉପରେ ଫ୍ୟାନ୍ ନାହିଁ, ତଥାପି
କିଛି ଲାଘବ ମନେ କଲି, ପଚାରିଲି – “କ’ଣ ହେଲା?”
– ସେ କିନ୍ତୁ ମୁଣ୍ଡ ହଲାଇ ମୋତେ ଆଶ୍ୱାସନା ଦେଇ କହିଲା – “ନାହିଁ କିଛି ହୋଇନାହିଁ । ଆପଣ ଟିକେ ଆଖିବୁଜି ଶୋଇଯାଆନ୍ତୁ । ବ୍ୟସ୍ତ ହୁଅନ୍ତୁ ନାହିଁ ।”
– “ସମୟ” – ପଚାରିଲି ?
– “ହେଇ ସକାଳ ହେଇଆସିଲାଣି …..?”
ପାଖ ଘରର ଢଂଢ଼ଂ ଶବ୍ଦ ମୋତେ ତିନିଟା ବୋଲି ଜଣାଇଲା । ଉଠି ବସିବାକୁ ଉଦ୍ୟମ କଲି । ମୋର ଦୁଇଗୋଡ଼ ଓ ହାତ ଖଟିଆରେ ବନ୍ଧାଥିବାର ଅନୁଭବ କଲି । ତା ପରେ ମୋ ବାହୁରେ କିଛି ରିବ୍‌ରିବ୍ ପିମ୍ପୁଡି କାମୁଡିବାର ଅନୁଭବ । ଆସ୍ତେ ଆସ୍ତେ ମୋ ଆଖି ମୁଦି ହୋଇ ଆସିଲା । କୋମଳ ହାତ ପାପୁଲିର ଛାଇ ମୋ ମଥାରେ ଘୋଟି ରହିଥିଲା ।
ଦୀର୍ଘ ପାଞ୍ଚଘଣ୍ଟା ରାଜୁତି କଲାପରେ ନିଶା ମୋ ଦେହରୁ ଓହ୍ଲାଇଗଲା । ମୋ ମନରେ ଏକ ନୂତନ ସୂର୍ଯ୍ୟୋଦୟର ସୂତ୍ରପାତ । ହାତ ଗୋଡକୁ ଉପଟ ସେପଟ କଲି । ଓଃ ମା…..ବୋଲି ଡାକିଲି । ଏପଟ ସେପଟ ଓଲଟାଇ ଆରାମ ନେଇ ଉଠିବସିଲି । କେହି ନାହିଁ । ପାଖରେ ପାଣି, ଔଷଧ, ସିରିଞ୍ଜ ଆଉ ଲାଲ ଆଖି ବିଶିଷ୍ଟ ଏକ ମୂର୍ତ୍ତିମୋତେ ଚାହିଁ ବସିବାର ସ୍ପଷ୍ଟ କରିନେଲି । ମୋ ସ୍କୁଟର ଚାବିଟିକୁ ପକେଟରେ ଅଣ୍ଡାଳିଲି ।
“କ’ଣ ଖୋଜୁଛନ୍ତି କି ? ହଁ, ସ୍କୁଟର ଚାବି ।” – ସେ କହିଲା
– ତା କଳା ମନିପର୍ସରୁ ଚାବି ବାହାର କରି ପଚାରିଲା – “ବ୍ୟସ୍ତ ହୁଅନ୍ତୁନି । ଟିକେ ଆରାମ ଲାଗୁଛି ତ ?”
“ହଁ ! ଅସ୍ପଷ୍ଟ ସ୍ୱରରେ କହିଲି ।
– “ପାଶ୍ ଯିବେ ନା ?” – ମୋତେ ପ୍ରଶ୍ନ କଲା
– “ହଁ” କଷ୍ଟରେ କହିଲି ମାତ୍ର ଠିଆ ହୋଇ ପାରୁନଥାଏ ।
ମୋ ହାତର ପାଇଖାନାକୁ ନେଇ ପୁଣି ବେଡ୍ ଉପରେ ବସାଇଲା । ତା ପରେ ନର୍ସ କହିଥିବା ଅନୁସାରେ ମୋତେ ଔଷଧ ଖୁଆଇ ପାଣିଟିକେ ପିଆଇ ଦେଇ ସେ ଗପ ଭିତରେ ନିଜକୁ ଲୁଚାଇ ଦେଇଥିଲା ।
– “ଆପଣ ସ୍କୁଟର୍‌ରେ ଆଗେ ଆଗେ ଆସୁଥିଲେ । ମୁଁ ତା ପଛରେ ଏକ କାର୍‌ରେ ଆସୁଥିଲି । ରାସ୍ତାରେ ଗଲାବେଳେ ଆପଣଙ୍କ ପ୍ରାୟ ଦୃଷ୍ଟିଥିବ କି ନାହିଁ ମୁଁ କହିପାରିବିନି । କାରଣ ମୋର କାର୍ ପ୍ରାୟ ଦୁଇଶହ ମିଟର ପଛରେ ଥିଲା । ଆପଣ ଠିକ୍ ରୂପରେ ଚାଲିଛନ୍ତି । ଆଗରୁ ଶଗଡଟିଏ ଆମ ଦିଗରେ ଆସୁଥିଲା । ଆପଣ ଶଗଡଟି ଅତିକ୍ରମ କରିବା ପୂର୍ବରୁ ମୁଁ ଆପଣଙ୍କୁ ଅତିକ୍ରମ କରି ଚାଲିଯିବି ଭାବି ଗିଅର ବଢ଼ାଇ ଦେଇଥିଲି । ମୋ ଗାଡି ଠିକ୍ ନବେ କିମି ବେଗରେ ଥିଲା । ଆପଣା ରାସ୍ତା କଡରେ ଯାଉଥିଲେ । କାର୍ ଠିକ୍ ଶଗଡ ଅତିକ୍ରମ କରିବା ବେଳକୁ ଆପଣ ଗିଅର୍ ଚେଞ୍ଜ୍ କଲେ । ଆପଣଙ୍କ ହ୍ୟାଣ୍ଡଲ୍ ବୁଲିଗଲା । ବାସ୍ ! କାର୍‌ଟି ଧକ୍କା ଖାଇଲା । ଆପଣଙ୍କ ଗାଡି ପଛରେ ନମ୍ବର ବୋର୍ଡଟି ଭାଙ୍ଗି ତଳେ ପଡ଼ିଗଲା । ମାତ୍ର ଆପଣ ଗାଡି ସହ କିଛି ଦୂର ଘୋଷାଡି ହୋଇଗଲା ପରେ ଏକ ଗାଡ଼ିଆରେ ପଡିଗଲେ । ମୋ ଆଖି ବୁଜି ହୋଇଯାଇଥିଲା । ମୋ ନାରୀ ହୃଦୟର ସମସ୍ତ ସାହସ ସଂଚୟ କରି ଆପଣଙ୍କୁ ଓ ଗାଡ଼ିକୁ ମୋ କାର୍‌ରେ ଲଦି ଏଠାକୁ ଚାଲିଆସିଛି ।”
– “ତା ପରେ ?” ପ୍ରଶ୍ନ ପଚାରିଲି ।
“ଆପଣ ଆଉ ବଂଚି ନ ଥିଲେ । ଦେହ ସାରା ରକ୍ତ । ରକ୍ତ ହିଁ ରକ୍ତ । ଡାହାଣ ହ୍ୟାଣ୍ଡଲଟି ଆପଣଙ୍କ ପେଟରେ ଗଳି ଯାଇଥିଲା । ଆପଣ ନିଃସ୍ତେଜ ଶବ୍ଦହୀନ ହୋଇପଡିଥିଲେ । ତିନିଘଣ୍ଟାର ଯାତ୍ରା ପରେ ମୁଁ ଆସି ଏଠାରେ ପହଞ୍ଚିଲି । ମୁଁ ଡ଼ରି ଯାଇଥିଲି ଭୟରେ । ଡାକ୍ତର ଓ ଦିଦିଙ୍କ ଆଶ୍ୱାସନା ଶତଦମ୍ଭରେ ବର୍ତ୍ତମାନ ପର୍ଯ୍ୟନ୍ତ ତୁମ ପାଖରେ ବିିତାଇଛି ଓ ସାତ ଦିନ ପର୍ଯ୍ୟନ୍ତ ବିତାଇବି ମଧ୍ୟ । ତା ଆଖିରୁ ଟପ୍ ଟପ୍ ଲୁହ ଖସି ଗାଲ ଓଦା କରି ଡ୍ରେସ୍‌ଟି ଭିଜି ଯାଇଥିଲା ।
ଝିଅଟି ଚବିଶି କି ପଚିଶି ବର୍ଷର । କିନ୍ତୁ ତା’ର ଏତେ ଧୈର୍ଯ୍ୟ ଓ ସାସହ ଲୁଚି ରହିଥିଲା, ମୁଁ ବିଶ୍ୱାସ କରିପାରିଲି ନାହିଁ । ମନେ ମନେ ବହୁତ ଧନ୍ୟବାଦ ଦେଇ ମୋର ଅଶ୍ରୁ ଭିଜା ଆଙ୍ଗୁଠିରେ ତା ମୁହଁରୁ ଲୁହଟୋପା ଗୁଡିକ ପୋଛି ସଫା କରିଦେଲି । ସେ ଅନିଦ୍ରାରେ ଆଖି ମିଟିମିଟି କରୁଥିଲା ।
“ତା ପରେ ?” – ପ୍ରଶ୍ନ କଲି ।
– ତା ପରେ ପେଟ ଅପରେସନ୍ ହୋଇଗଲା । ଆପଣ ଟିକେ ନିଶ୍ଚିନ୍ତରେ ଶୋଇଲେ । ମୁଁ ଆପଣଙ୍କ ପରିଚୟ ଖୋଜିବସିଲି । ଆପଣଙ୍କ ପକେଟରୁ ଗୋଟିଏ ପରିଚୟ ପତ୍ର ଓ କିଛି ଟଙ୍କା ପାଇଲି । ଦେଖିସାରି ପୁଣି ରଖିଦେଲି । ଦେଖନ୍ତୁ ଟଙ୍କା ଅଛି କି ନା ?”
ମୁଁ ଟଙ୍କା ଗୁଡିକ ନେଲି ଓ ତା ଚରିତ୍ରରେ ଲେଖା ଗୋଟିଏ ପରେ ଗୋଟିଏ ପୃଷ୍ଠା ଓଲଟାଇଲି । ସେତେବେଳେକୁ ମୋର ସବୁ ଯନ୍ତ୍ରଣା ଭୁଲିଯାଇଥିଲି । ତା ଛୋଟିଆ ଗୋଲଗାଲିଆ ମୁହଁରୁ ମୋ ପ୍ରତି ଯେଉଁ କୋହ ଭାବ ଉଠୁଥିଲା, ତାହା ମୁହଁଟିକୁ ମଉଳାଇ ଦେଇଥିଲା । ମୁଁ ନିଜକୁ ହେୟ ମନେ କଲି । କାରଣ ମୁଁ ପଛେ ମରିଯାଏ, ଯେପରି ହୃଦୟବତୀ ଝିଅଟିର ହସ ମୁହଁଟିକୁ ଯେପରି ଦୁଃଖ ସ୍ପର୍ଶ ନକରୁ । ସେ ପ୍ରକୃତିରେ ହସି ଖେଳି ରାଣୀ ହୋଇ ରହୁ ।
“ତା ପରେ ଯନ୍ତ୍ରଣାରେ ଆପଣ ଛଟପଟ ହୋଇ ମଝିରେ ମଝିରେ ଉଠୁଥାନ୍ତି । ଆପଣଙ୍କୁ ନିଶା ଇଞ୍ଜେକ୍ସନ୍ ଦିଆଯାଇଥାଏ । ମୁଁ ପାଖରେ ବସି ବିଞ୍ଚୁଥାଏ । ମୋ ମନଯାଇ ଭଗବାନଙ୍କ ପାଦତଳେ ଥାଏ । ପ୍ରଭୁ ! ଦୁଃଖ ପଛେ ମୋତେ ଦିଅ । ଆପଣ ଯେପରି ଭଲ ହୋଇଯାଆନ୍ତୁ । ସ୍ମରଣ କରୁଥାଏ । ପ୍ରଭୁ ମୋ ଗୁହାରି ଶୁଣିଲେ ଏବଂ ଆପଣ ଉଠିବସିଲେ ।” ଏହା କହୁ କହୁ ସେ ଭୋ ଭୋ ହୋଇ କାନ୍ଦି ପକାଇଲା । ତା ନିରୀହ ମୁହଁଟିକୁ ମୋ ଛାତି ପରେ ଚାପିଧରି ସାନ୍ତ୍ୱନା ସହ କିଛି ଆଶା ଓ ବିଶ୍ୱାସର ବାର୍ତ୍ତା ସଂଚାର କଲି । ମନେ ମନେ ଭଗବାନଙ୍କୁ ବହୁତ ଧନ୍ୟବାଦ ଦେଲି । ପ୍ରଭୁ ଆପଣଙ୍କ ସୃଷ୍ଟିରେ ଏଭଳି ମଧ୍ୟ ନାରୀ ରହିଛନ୍ତି ।
ସେ କିଛି ଆଶ୍ୱସ୍ତ ଅନୁଭବ କଲା । ମୋ ପେଟରୁ ରକ୍ତ ବାହାରି ତା ଫ୍ରକ୍‌ରେ ଏକ ଲାଲ ଚିହ୍ନଟିଏ କରି ଦେଇଥିଲା । ତା ପରେ ସେ କାନ୍ଦ କାନ୍ଦ ହୋଇ ଔଷଧ ଆଣି ଭଲଭାବେ ପଟି ବାନ୍ଧିଦେଲା ।
ତା ପରେ କ୍ଷୀର, ରୁଟି, କଦଳୀ ଛୋଟ ପିଲାକୁ ଖୁଆଇଲା ପରି ବିନା ଦ୍ୱିଧାରେ ଖୁଆଇ ଚାଲିଲା । ମୋ ଅନୁରୋଧ କ୍ରମେ ସେ ସାମାନ୍ୟ ଦାନ୍ତଘସି ମୋ ଅଇଁଠା ରୁଟି ଖଣ୍ଡେ ଓ କ୍ଷୀରଟିଏ ପିଇ ସ୍ୱସ୍ତି ଲାଭକଲା ।
ମୁଁ ସାନ ଭଉଣୀ ବୋଲି ଡାକି ପାରୁନଥିଲି । କାରଣ ମୋ ଠାରୁ ବୋଧେ ବଡ଼ ହେବ । ପୁଣି ତା ନାଁ ମଧ୍ୟ ଡାକିପାରୁନଥିଲି । କାରଣ ମୁଁ ତା ନାଁ ଜାଣି ନଥିଲି । ମାତ୍ର ଏତେ ବଡ ସଂପର୍କର ହାଟଟିଏ ବସିଗଲାଣି, ମୋତେ ଆଶ୍ଚର୍ଯ୍ୟ ସଙ୍ଗେ ସଙ୍ଗେ ଆଶଙ୍କା ମଧ୍ୟ ଲାଗୁଥିଲ ।
ଏମିିତି ଛଅଦିନ ଓ ଛଅରାତି ଚାଲିଗଲା । ମୋର କ୍ଷତ ଆସ୍ତେ ଆସ୍ତେ ଶୁଖିଗଲାଣି । ମନ ଖରାପ କରି ଯେପରି ଘରୁ ବାହାରି ଆସିଥିଲି, ମୋର ଘରକଥା ଆସ୍ତେ ଆସ୍ତେ ମନେ ପଡ଼ୁଛି । ତା କଥା ଅବଶ୍ୟ କହିପାରେନା । ସେ ତା ଘରକଥା କିଛି କହିନି । ଏପରିକି ମୋତେ ଛାଡି କେଉଁ ଆଡେ ଯାଉନି କାଳେ ଅନିଷ୍ଟ ଘଟିବ । ମୋ ଶୋଇବା ଅବସ୍ଥାରେ ମୋ ସ୍କୁଟର୍‌ଟି ସଜାଡ଼ି ସାରିଲାଣି ଓ କାର୍‌ରେ ତେଲ ଭର୍ତ୍ତି କଲାଣି ।
ରାତି ପାହିଲେ ଡାକ୍ତରଖାନାରୁ ବିଦାୟ ନେବୁ । ସେ ମୋତେ କିଛି ଏଯାଏଁ କହିନି । ନର୍ସ ଭଳି ଫ୍ରି ଫ୍ରାଙ୍କ୍‌ରେ କାର୍ଯ୍ୟ କରେ । ଅବସର ସମୟରେ କ’ଣ ବସି ବସି ସବୁ ଭାବେ । ବୋଧହୁଏ ମୋ ବିଷୟରେ ।
ରାତି ସାଢ଼େ ନଅ ହେବ । ସକାଳେ ମୋ ପେଟରୁ ବ୍ୟାଣ୍ଡେଜ୍ ଖୋଲାହେବା । ମୁଁ ଘରକୁ ଯିବି, ନା କେଉଁ ଆଡେ ଯିବି ଭାବି ପାରୁନଥାଏ । ସେ ମୋ ଆଡକୁ ପିଠି କରି ବସି ସର୍ବତ ତିଆରି କରୁଥାଏ । ତାର ଫ୍ରକ୍‌ର କଲର ପାଖରେ ଦୁଇଟି ଅକ୍ଷର ସ୍ପଷ୍ଟ ଦିଶୁଥାଏ । ଲେଖାଥିଲା ସ୍ମିତା ।
ମୁଁ ପଚାରି ଦେଲି – ଆଚ୍ଛା ତୁମ ନାଁଟା ଜାଣିପାରିଲିନି ତ !”
ସେ ମୋତେ ଚାହିଁ ଧୀରେ ହସିଦେଲା । ମୁଣ୍ଡ ହଲାଇ କହିଲି ସ୍ମିତା ବୋଧେ । ସମ୍ମତି ସୂଚକ ମୁଣ୍ଡ ହଲାଇଲା । ସର୍ବତ ପିଇବା ଅବସରରେ ସେ ଲାଜେ ମୋତେ କହିଲା -“ତୁମେ କୁଆଡେ ଯାଉଥିଲ ? କଣ ବନ୍ଧୁ ଘରକୁ ?”
ମୋ ମୁଣ୍ଡ ଚକ୍କର ଖାଇଲା । ମୁଁ ତାର ପ୍ରେମିକ ହେବାକୁ ଚାହୁଁନଥିଲି । କାରଣ ତା ଓ ମୋ ମଧ୍ୟରେ ଥିଲା ଆକାଶ ପାତାଳ ପ୍ରଭଦେ ଧନରେ, ଗୁଣରେ ଓ ବିଦ୍ୟାରେ । ସେ କିନ୍ତୁ ଏ ସବୁକୁ କିଛି ନ ଭାବି ମୋର ପ୍ରେମିକ ହୋଇସାରିଲାଣି, ଏକଥା ମୁଁ ଜାଣିନଥିଲି ।
ମୋ ପାଟିରୁ ବାହାରି ପଡିଲା – ତେବେ ଉଦ୍ଦେଶ୍ୟହୀନ ଭାବେ ଯାତ୍ରା କରୁଥିଲି ।”
– ବାଧ୍ୟ ହେଲି ସବୁ ଖୋଲି କହିବା ପାଇଁ । ମୋର ଲାଜ କିଛି ନଥିଲା । ମୁଣ୍ଡରେ ଲାଲ୍ ଛୋଟ ଟୋପାଟି ଦେଇ ବାହାହୋଇଛି ବୋଲି ଜାଣିଥିଲି ।
“ନା ! ସ୍ମିତା । ମୁଁ ମନ ଖରାପ କରି ଘରକୁ ପଳାଇ ଆସିଥିଲି ମୋ ଚାକିରିକୁ । ମୋ ଘରେ ସମସ୍ତେ ଅଛନ୍ତି । ବଡ଼ ଦୁଇଭାଇ ଚାକିରି କରନ୍ତି । ବାପା ଜମିବାଡ଼ି କଥା ବୁଝୁଛନ୍ତି । ମୋ ବାହାଘର ପାଇଁ ଏକ ଧନୀଘର ଠିକ୍ କରିଛନ୍ତି, ମାତ୍ର ମୁଁ ରାଜି ନୁହଁ । କାରଣ ମୁଁ ଜଣେ ଶିକ୍ଷିତ । ତେଣୁ ଯୌତୁକର ଘୋର ବିରୋଧୀ । କିନ୍ତୁ ସେମାନେ ବିନା ଯୌତୁକରେ ବାହାଘର ଏକ ଅପମାନ ବୋଲି କହୁଛନ୍ତି । ତେଣୁ ସେମାନେ ମୋତେ ବାଧ୍ୟ କରି ନିଜ ଜାତିରେ ଜାତକ ଦେଖି ବାହାଘର ଠିକ୍ କରିଛନ୍ତି । ମାତ୍ର ମୁଁ ଲୁଚି ଚାଲିଆସିିଛି । ବାଟରେ ଏ ଦଶା । ମୋତେ ବା କିଏ ବାହା ହେବ ? ପୁଣି ଯାହାକୁ ବାହାହେବି ତାକୁ କଣ ସୁଖ ଦେଇପାରିବି ? ଭାବୁଛି ଏ ଜୀବନକୁ ଏପରି କଟାଇ ଦେବି….ା”
ସ୍ମିତାର ଆଖି ଛଳଛଳ ହୋଇଗଲା । ସେ ସିଧା ଭାବରେ ମୋତେ ଦେଖିପାରିଲାନି । ତା ମୁଣ୍ଡ ବୁଲାଇଲା । ଟେବୁଲ୍ ଉପରୁ ତଳକୁ ଖସି ପଡିଲା । ତା ମୁଣ୍ଡରେ ପାଣିମାରି ସାନ୍ତ୍ୱନା ଦେଇ ବସାଇଲି । ଧୀରେ ବିଂଚିଲି ମଧ୍ୟ ।
ତା ପରେ ରହି ରହି ତା କଥା ଆରମ୍ଭ କଲା । – “ଶୁଣ ରାଜ ! ମୁଁ ମୋ ଭାବି ସ୍ୱାମୀକୁ ଦେଖିବାକୁ ଯାଉଥିଲି । ମୁଁ ଯାହାକୁ ବିବାହ କରିବି ସେ ମୋ ବାପାଙ୍କ ଠାରୁ ପ୍ରଚୁର ଯୌତୁକ ଚାହାନ୍ତି । ମାତ୍ର ମୁଁ ରାଜି ନୁହେଁ । ବାପା ମାଆଙ୍କ ମୋ ପ୍ରତି ଚିନ୍ତାକୁ ଉପଶମ କରିବା ଲାଗି ତାଙ୍କ କଥା ରଖିବାକୁ ଆନ୍ତରିକ ଇଚ୍ଛାବିହୀନ ହଁ ଟିଏ ମାରିଥିଲି । ତା ପରେ ଘଟଣା ତ ତୁମେ ଜାଣ ।”
ଭଗବାନଙ୍କ ଏ କି ଲୀଳା! ନିଜକୁ ସଂଯମ କରିପାରିଲାନି ।
– “ସତ କହୁଛି ରାଜ ମୁଁ ତମକୁ ଭଲପାଇ ବସିଛି । ମୋ କଥା ରକ୍ଷାକର । ତୁମ ଛଡ଼ା ମୁଁ ଆଉ କାହାକୁ ବିବାହ କରିବିନି । କାରଣ ତୁମେ ଯେଉଁ ଦୁଃଖ ପାଇଛ, ତାହା ମୋ ଛଡ଼ା ଆଉ କେହି ଅନୁଭବ କରିପାରିବେ ନାହିଁ । କାଳେ ଜୀବନ ରାସ୍ତାରେ କଣ ଅସୁବିଧା ଘଟିପାରେ, ଅନ୍ୟ କେହି ସହିପାରିବ ନାହିଁ । ରାଜ ମୋତେ କ୍ଷମା କର, ତୁମ ସୁଖରୁ ମୋତେ ବଂଚିତ କରନା । ମୋ ଭାଗ୍ୟରେ ଯାହା ହେଲା ମୁଁ ନିଶ୍ଚୟ ସହିବି । ନିଜ କର୍ମ ଆଦରି ନେବି । କିନ୍ତୁ ମୋ କଥା ନରଖି ଅନ୍ୟ ଝିଅଟିକୁ ଏପରି ଦୁଃଖ ଦିଅନାହିଁ ।”
ମୋ ହୃଦୟ ତରଳି ଯାଇଥିଲା । ଦୁହେଁ ଦୁହିଁଙ୍କୁ ଜାବୁଡ଼ି ଧରି କାନ୍ଦି ଉଠିଥିଲୁ । କେତେ ଗଙ୍ଗା, ଯମୁନା ବୋହିଯାଇଥିଲା । କେତେବେଳେ ସକାଳ ହୋଇଯାଇଥିଲା କାହାରିକୁ ଜଣା ନଥିଲା । କିନ୍ତୁ ରାତିଟି ରହିଗଲା ଅପାସୋରା ହୋଇ । କେତେ ବଡ ସମସ୍ୟାର ସମାଧାନ ହୋଇ ଆସୁଥିଲା ଯେପରି… ।
ଦୀର୍ଘ ସାତ ଦିନର ଖୋଜାଖୋଜି ପରେ ପରସ୍ପର ବାପାମାଆ ଆମକୁ ନେଇ ଯାଇଥିଲେ ନିଜ ନିଜ ଘରକୁ ।
ବର୍ତ୍ତମାନ ଦୀର୍ଘ ପାଂଚ ବର୍ଷ ବିିତିଗଲାଣି । ଲନ୍‌ରେ ମୁଁ ଓ ମୋ ସ୍ତ୍ରୀ ବସି ଚାହା ପିଉଛୁ । ମଝିରେ ମଝିରେ ଖୁସି ଗପ ଚାଲିଛି । ହଠାତ୍ ସାନପୁଅ ସମାଜ କାଗଜ ଫର୍ଦ୍ଦଟିଏ ଧରି ଚାଲି ଆସିଲା ମୋ ପାଖକୁ….- “ବାବା, ହେଇଟି ‘ସମାଜ’ ।”
‘ସମାଜ’ ତା ହାତରୁ ନେଇ ହେଡ୍ ଲାଇନ୍‌ଗୁଡିକୁ ପଢ଼ି ଚାଲିଥିଲି । ପାଖ କଲେଜ ଆରମ୍ଭ ହେବାର ଘଣ୍ଟା ଢ଼ଂ ଢ଼ଂ ହୋଇ ହୋଇ ବାଜୁଥିଲା ବେଳେ ମୁଁ ପଢୁଥିଲି ‘ରାଜ ଓ ସ୍ମିତାଙ୍କୁ ପାଂଚ ବର୍ଷ ବିବାହ ବାର୍ଷିକୀର ଶୁଭେଚ୍ଛା ।’

ଚକ୍ଷୁ ବିଭାଗ, ଏମ୍‌.କେ.ସି.ଜି. ମେଡ଼ିକାଲ୍‌, ବ୍ରହ୍ମପୁର, ଗଞ୍ଜାମ
ସେଲ୍ : ୯୬୬୮୧୮୧୫୨୮
ଗାଳ୍ପିକ ଜନ୍ମନିଅନ୍ତି ୦୭.୦୭.୧୯୭୧ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ଲଙ୍ଗଳେଶ୍ୱର ଗ୍ରାମରେ, ମାତା ଶ୍ରୀମତୀ ରୁକୁଣା ବେହେରା ଓ ପିତା ଶ୍ରୀ କପିଳା ବେହେରାଙ୍କ କୋଳମଣ୍ଡନ କରି । କବିତାପୁସ୍ତକ ନିରବତାର ମାନଚିତ୍ର, ଅଙ୍କକୋଷା ଓ ଗଳ୍ପ ସାମ୍ରାଜ୍ୟର ନକ୍‌ସା ପ୍ରକାଶିତ ।
‘ଅପାସୋରା ରାତି’ ଏକ ଅଭୁଲା ପ୍ରେମ କାହାଣୀ ଯେଉଁଥିରେ ଦୁଇଟି ଅଜଣା ହୃଦୟର ମିଳନ ସବୁଦିନ ପାଇଁ ପବିତ୍ର ସଂପର୍କଟିଏ ଗଢ଼ିଦେଇଛି । କାହାଣୀ ଲେଖିବାର ଶୈଳୀ ଅତି ମନଛୁଆଁ ।