ଗଳ୍ପ // କିଛି କଥା କିଛି ବ୍ୟଥା // ଗାଳ୍ପିକା – ଜ୍ୟୋତ୍ସ୍ନାରାଣୀ ଦେବୀ, ବ୍ରହ୍ମପୁର

କିଛି କଥା କିଛି ବ୍ୟଥା
ଭାଗ-1

ଆମ ପରିବାର ଏକ ଯୌଥ ପରିବାର ଥିଲା ।ବାପା(ଜେଜେ) ମୁଁ ପ୍ରଥମ କିମ୍ବା ଦ୍ଵିତୀୟ ପଢୁଥିଲି ଚାଲିଗଲେ ।ଘରେ ନନା,ବୋଉ,ମଝିଆଦାଦା,ଖୁଡି,ମା(ଜେଜୀ),
ଆମେ ପାଞ୍ଚ ଭାଇଭଉଣୀ ଆଉ ଦାଦାଙ୍କ ପୁଅଝିଅ ତିନିଜଣ ,ଏମିତି ମୋଟ ତେର ଜଣ ରହୁଥିଲୁ ।ହେତୁ ହେବା ଦିନଠୁ ସାନଦାଦା ଭିନେଘର କରି ରହୁଥିବାର ମନେଅଛି । ବର୍ଷାଦିନେ ମୋ ବୋଉ ମେଘ ବରଷିଲେ ବିରିଚାଉଳ ଭାଜିଦିଏ ।ସୁଣ୍ଡେଇ ବା ଚିଡିରେ ଧରି ଆମେ ଖୁସିରେ ଖାଉ ।ଭାରି ସୁଆଦିଆ ଲାଗେ ।ଜମିରେ ଭୂଇଁଚଣା ହୁଏ, ନଚେତ୍ କିଣା ହୋଇକରି ନଉତିଏ/ ଦୁଇନଉତି ,କେବେକେବେ ତିନି/ଚାରି ନଉତି ମଧ୍ୟ ଅଣାଯାଏ ।ଆଈ ଆସିଲେ ଦୁଇ/ତିନି ନଉତି ଚଣା,ତା’ ସାଙ୍ଗକୁ ପିଠାପଣା,ଉଖୁଡା,ଚୁଡା,ଆମ୍ଵ,ପଣସ କେତେ କଣ ଲକ୍ଷ୍ମୀଙ୍କ ଭଣ୍ଡାର ପରି ବଡ଼ ଡାଲିଆ ଟୋକେଇରେ ଭର୍ତ୍ତି କରି ତାଙ୍କ ଗାଁ ରୁ ଆମ ଗାଁ ପ୍ରାୟ କୋଡିଏ/ପଚିଶି କି.ମି ବାଟ ବସିଉଠି ଚାଲିଚାଲି ନେଇଆସେ ।ବେଳେବେଳେ ମୁଢିମୁଆଁ ମଧ୍ୟ ଆଣିଥାଏ ।ଆମେସବୁ ଆଈକୁ ଦେଖି ଖୁସିରେ ଫାଟି ପଡୁ ।ଚାରିପଟେ ଘେରିଯାଉ ।ମା’ , ଖୁଡି ସବୁ ଜିନିଷ ଦେଖନ୍ତି ।ମା’ ସମୁଦୁଣୀଙ୍କୁ ଶ୍ରଦ୍ଧା ହୁଏ ।ଆଈର ଆଉ କେହି ନଥାନ୍ତି ।ବୋଉର ଜନ୍ମ ପରେପରେ ଅଜା କୁଆଡେ ମରିଯାଇଥିଲେ ।ତା’ ପରଠୁ ସେ ତା’ ବାପଘରେ ରହୁଥିଲା ।ତା’ ବାପା ତା’ ପାଇଁ ଜମିବାଡ଼ି, ଘର ଅଲଗା କରି ଲେଖି ଦେଇଥିଲେ, କାଳେ ଭାଇଭାଉଜ କେହି ରଖିବେ କି ନାହିଁ ବୋଲି ।ତେଣୁ ସେ ପିଲାରୁ ଦୁଃଖିନୀ ।କିନ୍ତୁ ସାଇତା ଦରବ ସବୁ ଟୋକେଇରେ ଭରି ଏତେବାଟ ଆମପାଇଁ ବୋହି ଆଣିବାକୁ ତାକୁ ଟିକିଏ ବି କଷ୍ଟ ଲାଗେନି ।ଆଈ ଦୁଇ / ଚାରିଦିନ କେବେ କେମିତି ବଳେଇଲେ ରହିଯାଏ ।କିନ୍ତୁ ଯୌଥ ପରିବାର କଥା ।କେତେବେଳେ କେମିତି ମା ଆଉ ଖୁଡି କିଛି ଫୁସୁରୁଫାସର ହେଲେ ବୋଉକୁ ଭାରି ଦୁଃଖ ଲାଗେ ।ଛୋଟଛୋଟ ଆମେ ହେଇଥାଉ ।ମୁଁ କିଛି ବୁଝେନି ।ବଡ଼ ହେଲାପରେ ଭାବେ ଆଈ ଆଜି ଥାଆନ୍ତା କି? ଆସି ମୋ ପାଖରେ ଟିକିଏ ରହନ୍ତା ।କିନ୍ତୁ ସମୟ ଆଉ କାଳ କାହାକୁ କେବେ ଅପେକ୍ଷା କରିନି ।ଆଈ ଚାଲିଗଲା ତା ବାଟରେ ଏକାକୀ ଜୀବନର ହାହାକାର ଭିତରେ ମୁଁ ନବମ ପଢିଲାବେଳେ ।ଜଞ୍ଜାଳିଆ ଜୀବନ ଭିତରୁ ବାହାରି ବୋଉ ଶେଷବେଳେ ମଧ୍ୟ ଆଈର ମୁହଁ ଟିକିଏ ଦେଖି ପାରିଲାନି ।ମଲା ବାସିଦିନ ଦେଖିବାକୁ ନନା ସହ ଗଲାବେଳେ ଅଧାବାଟରୁ ଖବର ଧରି ଆସୁଥିବା ଲୋକ ପାଖରୁ ଆଈ ମରିବା କଥା ଶୁଣି ଭୋ ଭୋ ରଡିଥିଲା ।ନନା କେବେ ବୋଉକୁ ତା’ର ବାପାମାଆ, ଭାଇଭଉଣୀ ନଥିବା କଥା,ଦେବାନେବାକୁ ନେଇ କୌଣସି କଥା କହନ୍ତିନି ।ପାରିବାରିକ ଜଞ୍ଜାଳ ମଧ୍ୟରେ ବୋଉ ପାଇଁ ଯାହା ଯେମିତି ଦରକାର ଯୋଗାଇ ଦିଅନ୍ତି ।ବୋଉ ମଧ୍ୟ କେବେ କୌଣସି ଜିନିଷ ପାଇଁ ଜିଦ୍ କରିନି ।କିଛି ଦରକାର ହେଲେ ନନାଙ୍କ ଆଗରେ ନମ୍ର ସହକାରେ ଜଣେଇଦିଏ ।ବାସ୍,ନନା ମଧ୍ୟ ହଁ ଆଣିବା କହନ୍ତି ।ଆଣୁଆଣୁ ଆର୍ଥିକ ପରିସ୍ଥିତି ମଧ୍ୟରେ ଦୁଇ/ଚାରି ଦିନଠୁ ଆରମ୍ଭ କରି ଦୁଇ ଚାରିମାସ ବି ଲାଗିଯାଏ ବେଳେବେଳେ ।ବୋଉ କିନ୍ତୁ କିଛି କହେନି ।ନନାଙ୍କ ସହ ହାତରେ ହାତ ଆଉ ପାଦରେ ପାଦ ମିଳେଇ ସବୁ ଅସୁବିଧା ସୁବିଧାକୁ ଗ୍ରହଣ କରିନିଏ ।

ଦାଦାଙ୍କ ପୁଅଝିଅ ବୋଉକୁ ବଡ଼ବୋଉ ଡାକନ୍ତି ।ବୋଉ ଭୂଇଁଚଣା ଭାଜି ଦିଏ, ଉଷୁନା ଚାଉଳ ଉବୁଜେଇ ପାଗ କରି ମୁଢି ଭାଜେ ।ସନ୍ଧ୍ୟାବେଳେ ଆମେ ଡିବି ଲଗେଇ ତା ‘ ଚାରିପାଖେ ବସି ପାଠ ପଢୁ ।ସେତେବେଳେ ଆମ ଘରେ ସବୁ ପିତଳର ଡିବି ଥାଏ ।ଛଅ/ସାତଟି ଡିବି ଆଉ ଲଣ୍ଠନ ।ମାଆ ସଞ୍ଜ ପୂର୍ବରୁ କିରୋସିନି ପକେଇ କନାରେ ପୋଛି ରଖିଦିଏ ।ସଞ୍ଜ ଦିଆ ସରିଲେ ଡିବିଗୁଡିକ ଏରୁଣ୍ଡି ଉପରେ ଧାଡି ହୋଇ ଜଳନ୍ତି । ମେଘପବନ ହେଲେ ଦୀପଗୁଡିକ ଲିଭିଯାଏ ।ମୋତେ ଅନ୍ଧାରକୁ ଭାରି ଡର ମାଡେ ।ପାଖରେ ସର୍ବଦା ଦିଆସିଲି ରଖିଥାଉ ।କବାଟ ଆଉଜେଇ ପୁଣି ଲଗାଉ ।ଦିଆସିଲି ଦୂରରେ ଥିଲେ ସେ ତାକୁ ,ଇଏ ତାକୁ ଦିଆସିଲି ଆଣିବାକୁ ବରଗନ୍ତି ।ମୁଁ କିନ୍ତୁ ଭୟରେ ଗୋଟିଏ ଜାଗାରେ ଆଉଜି ପଡେ ।ନନାଦାଦା ଯିଏ ଯାହା କାମ ସାରି ଘରକୁ ଫେରିଲେ ବୋଉର ଆରମ୍ଭ ହୁଏ ଭୂଇଁଚଣା, ବିରିମୁଗ ସିଝା ବା କିଛି ଖଜାପିଠା ବଣ୍ଟାବଣ୍ଟି କାମ ।ଆମେ ପଢି ବସିଥାଉ ।କିନ୍ତୁ ମନ ଥାଏ ସିଆଡେ ।ନନା ବୋଉକୁ ପାଟି କରନ୍ତି -“ପିଲେ ପାଠ ପଢିଲାବେଳେ ବାଣ୍ଟିଲେ ସେମାନେ ଆଉ କଣ ପଢିବେ?” ବୋଉ କହେ-” ଏବେ ସମସ୍ତେ ଏକାଠି ବସିଛନ୍ତି, ବାଣ୍ଟିଦେଲେ ଗଲା ।କିଏ ଖାଇଥିବ,କିଏ ନଥିବ,ତା ‘ ଭାଗ କିଏ ଖାଇଦେବ । ଦେଇଦେଲେ କାମ ସରିଲା ।” ବଡ଼ ଭାଇ କିଏ ଖାଉ ନ ଖାଉ ଜାଣିବନି,ଆଉ ଦି ଟା ଦେ ବୋଲି ମାଗିବ,ବୋଉ ଆଉ କୋଉଠେ ଅଛି କହି ତା ଭାଗରୁ ଗଣ୍ଡେ ପକେଇଦେବ ।ଦାଦାଙ୍କ ପୁଅଝିଅ ଚାହିଁଥିବେ ।ସଭିଙ୍କୁ ପୁଣି ଦୋଓଡା ଦି ଦିଟା ଦେବ ।କେତେବେଳେ କେମିତି ତା ପାଟିରୁ ମୁଁ ଶୁଣିଛି ଯେ ବୋଉ କହେ ମୋ ପିଲାମାନେ ହାତମାରି କାଳେ ନେଇଯିବେ,କାଳେ ସେମାନେ(ଝିଆରୀପୁତୁରା) ଭରସିବେନି,ସେଥିପାଇଁ ସଭିଙ୍କୁ ସମାନ କରି ବାଣ୍ଟିଦିଏ ।ସଭିଙ୍କ ମନ ନେଇ ସମଦୃଷ୍ଟି ଦେଇ ଚଳିବା କଥା କମ୍ ନୁହଁ ।ତେଣୁ ବୋଉର ଭାଗବଣ୍ଟାରେ କାହାର କିଛି ଅଭିଯୋଗ ନଥାଏ ।କାରଣ ସେ ପାତରଅନ୍ତର କେବେ କରେନି ।ମାଛମାଂସ ହେଲେ ବୋଉ ହିଁ ଖାଇବାକୁ ବାଢେ ।ବାପଭାଇ ନଥିବା ପନ୍ଦର ବର୍ଷର ହାତରେ ଖାଉ ନଥିବା ଝିଅଟି ଯୌଥ ପରିବାରକୁ ଚଳେଇବାର ଏ କଳାଟି ବୋଧେ ଥିଲା ତାର ଈଶ୍ଵରଦତ୍ତ ।ନଣନ୍ଦଦିଅର ମଧ୍ୟ ସମସ୍ତେ ବୋଉକୁ ଭଲ ପାଆନ୍ତି, ଶ୍ରଦ୍ଧା ଆଉ ସମ୍ମାନ କରନ୍ତି ।ନନା ଥିଲେ ବଦ୍ ରାଗୀ ।ନନା ରାଗିଲେ ବୋଉ ପାଟି ଫିଟାଏନି ।ସବୁବେଳେ ଆମକୁ କହେ -“ଜଣେ ନିଆଁ ହେଲେ ଜଣେ ପାଣି ହେବା ଦରକାର ।ତାହେଲେ ସଂସାର ଚଳିବ ।ଭିତରଘରର କଥା ଅଣ୍ଡିରା ଲୋକକୁ କହିଲେ ଘର ରହିବ? ସେମାନେ ଦାଣ୍ଡର ଲୋକ ।ଘର କଥା କଣ ଜାଣିବେ? କାହାକୁ କେମିତି କଣ କହି ଅଧା କଥା ଘୋଡେଇ ଚାଲିଲେ ଘର ଚଳିବ ।ମୋ ମାମୁମାନେ କହିଥିଲେ ଝିଅ,ତୋ ଶାଶୁଘରେ ଆମେ କେବେ ଶୁଣିବୁନି ଯେ ରାଣ୍ଡିଝିଅ ଖଦେଇ ଘୋଡା,ଆମ ଘରଟାକୁ ଭାଙ୍ଗିଦେଲା ।” ଆଉ ବୋଉ ବୋଧେ ତାକୁ ଅକ୍ଷରେ ଅକ୍ଷରେ ପାଳି ସଭିଙ୍କ ମନ ନେଇ ଚାଲିଥିଲା ଜୀବନର ଶେଷ ପର୍ଯ୍ୟନ୍ତ ।