କବୀ ବାକ୍ୟଶ୍ରୀ ବେହେରାଙ୍କ ବିବର୍ଣ୍ଣା :
କେବେ ଆନମନା, କେବେ ବିଚିତ୍ରବର୍ଣ୍ଣା
ଭାଗିରଥୀ ବେହେରା -ପାଠକୀୟ ଅଭିବ୍ୟକ୍ତି
ପ୍ରକୃତିର ଦୁଇ ପରିଚୟ । ଗୋଟିଏ ନାରୀ, ଗୋଟିଏ ପୁରୁଷ । ନାରୀ ଓ ପୁରୁଷର ମିଳନରେ ସୃଷ୍ଟି ହୁଏ ଜୀବନ ।
ଜୀବନଟିଏ ଜନ୍ମ ନେଉ ନେଉ ଯୋଡ଼ିଯାଏ ମାଟି, ସମାଜ ଓ ସଭ୍ୟତା ସହ । ଯେତେ ସବୁ ସାଂସାରିକ ଅବୟବ ହସ, କାନ୍ଦ, ଲୁହ, ପ୍ରେମ, ପ୍ରତାରଣା, ରାଗ, ଈର୍ଷା, ପାପପୁଣ୍ୟ ଜୀବନକୁ ବାନ୍ଧେ ସଂପର୍କର ରଜୁରେ ।
ଜୀବନର କ’ଣ ଅଛି ! ବଦଳିଯାଏ ଜୀବନର ରଂଗ ଘଡ଼ିକେ ଘଡ଼ିକେ । ସେଥିପାଇଁ ତ କବୀ ବାକ୍ୟଶ୍ରୀ କଲମରୁ ଝରେ :
ସଂପର୍କର ଗଭୀର ସାଗର / ଆତ୍ମିୟତାର ଲହରୀ / ନିବିଡ଼ତାର ସେତୁବନ୍ଧ
ଆବେଗଭରା ଖରସ୍ରୋତା ନଈ / ସବୁଜିମାଭରା ନୀଳ ପାହାଡ଼
ମଧୁଭରା ମିଠା ମଳୟ / ପ୍ରୀତିଭରା କାକର ଟୋପା, ଏ ସମସ୍ତ
ବର୍ଣ୍ଣାଢ଼୍ୟ ପରିବେଶ ପାଲଟିଯାଏ / ଗ୍ରୀଷ୍ମକାଳୀନ ଉଜୁଡ଼ା ଜଂଗଲ, ମନେ ହେବ
ଅବାସ୍ତବ ହିଁ ତା’ର ଶେଷ ପରିଣତି, ଇନ୍ଦ୍ରଜାଲ ସମ
ମାୟା ବନ୍ଧନ, କୁହେଳିକା / କୁଟିଳତା ପୂର୍ଣ୍ଣ ମୂଲ୍ୟହୀନ ଜୀବନ ।
କବିତା – ମୂଲ୍ୟହୀନ ଜୀବନ
ଜନ୍ମ ଅଛି ମାନେ ମୃତ୍ୟୁ ଆସେ । ମୃତ୍ୟୁ ବି ଜୀବନର ଏକ ରଂଗ । ମା ଗର୍ଭରୁ ଜନ୍ମି ମାଟି ଛୁଇଁଲାଠୁ ଶ୍ମଶାନ ଯାଏଁ କେତେନା ରଂଗରୂପ ଦେଖାଏ ଜୀବନ । ସେହି ଭାବନା ଝରିଆସେ କବୀଙ୍କ କଲମ ମୁନରେ :
ମା’ ଗର୍ଭରୁ ଜନ୍ମି ମାଟି ଛୁଇଁଲା / ପରଠୁ ଶ୍ମଶାନକୁ ଯିବା ଯାଏଁ
ତା’ର ଅଦୃଶ୍ୟରେ କେହି / କିଛି ବି କରିପାରେନା ।
xxx
ତା’ର ରୂପ, ରଂଗ, ରସ ନାହିଁ / ହାତ, ଗୋଡ ମଧ୍ୟ ନାହିଁ,
ହେଲେ, ଅଦେଖା ଗୋଡ଼ରେ / ଆସିବା ତା’ ପକ୍ଷେ ସମ୍ଭବ
ଅଦେଖା ହାତରେ ଧରି ନେବା / ବିଚିତ୍ର କଥା ନୁହେଁ ।
(କବିତା – ମୃତ୍ୟୁ)
ସମାଜର ଦୁଇ ଅଂଗ ନାରୀ ଓ ପୁରୁଷ । ସାଥିରେ ବାଟ ଚାଲୁ ଚାଲୁ ସବୁବେଳେ ନିଷ୍ପେସିତ ହୁଏ ନାରୀ । କେବେ କବୀଙ୍କ କବିତା ‘ନାରୀ’ରେ ସୀମନ୍ତିନୀ ସାଜି ତ, କେବେ ସରସ୍ୱତୀ, ଲକ୍ଷ୍ମୀ, ପାର୍ବତୀ, ଗାୟତ୍ରୀ, ରୁଦ୍ରାଣୀ, କାତ୍ୟାୟିନୀ ସାଜି ।
କିନ୍ତୁ ସବୁ ନାରୀଙ୍କୁ ଏ ସୌଭାଗ୍ୟ ପ୍ରାପ୍ତ ହୁଏନା । ସବୁବେଳେ ନାନା ରୂପେ ପ୍ରତାଡିତା ନାରୀ, ସମାଜ ଦ୍ୱାରା ଅପହୃତା ।
କବୀ ବାକ୍ୟଶ୍ରୀଙ୍କ ନାରୀ ହୃଦୟ ଏ ପୀଡ଼ାରେ ପୀଡ଼ିତ । ସେ ପୀଡ଼ିତ ହୃଦୟରୁ ଲେଖାଯାଇଛି ପରିତ୍ୟକ୍ତା ନାୟିକା, ଅନ୍ତଃସତ୍ତ୍ୱାର ସ୍ୱର ପରି କବିତା । ବଡ଼ ମାର୍ମିକ ଭାବରେ ଶବ୍ଦାୟିତ:
ଜୀବନର ରଂଗ ବଦଳିଗଲା, ବିଶ୍ୱାସରେ
ବିଷ ଦେଇ ସେ ଚାଲିଲା ଅନ୍ୟ ଏକ / ଝିଅ ସାଥୀରେ ଜୀବନସାଥୀ ରୂପେ ।
(କବିତା – ପରିତ୍ୟକ୍ତା ନାୟିକା)
xxx
ଯଦିଓ ମୁଁ ଜନନୀ ରୂପେ ପରିଚିତା, କିନ୍ତୁ
ଶଂଖା, ସିନ୍ଦୁର ପିନ୍ଧି ନଥିବା ସ୍ତ୍ରୀ, ଯଜ୍ଞବେଦୀରେ / ବିବାହ ମଣ୍ଡପରେ ରୋଷଣୀ ବାଣରେ
ଶଂଖ ହୁଳହୁଳି ଧ୍ୱନି ସହ / ଶୁଭ ବିବାହ ହୋଇ ନାହିଁ, ମୁଁ ହେଲି ପାପଗର୍ଭା ।
(କବିତା – ଅନ୍ତଃସତ୍ତାର ସ୍ୱର)
ପୃଥିବୀ ସଦୃଶ ନିଜର ସର୍ବସ୍ୱ ସମର୍ପିତ କଲା ପରେ ବି ଭଲପାଇବାର ଗଭୀରତାରେ ନାରୀଟିଏ ବୁଝିପାରେନା ଭୁଲ ରହିଲା କେଉଁଠି ? ଅନେକ ଅସମାପ୍ତ, ଅସମାଧାନ ପ୍ରଶ୍ନର ଉତ୍ତର ପାଏନା । ଏହି ପରିସ୍ଥିତିରୁ ଜନମେ କବିତାର ପଂକ୍ତି –
ଛାତି ତଳୁ କିଛି କୋହ / ଆଖି ତଳୁ କିଛି ଲୁହ / ମନ ତଳୁ କିଛି ବୈରାଗ୍ୟ
ଅନ୍ତଃକାଣରୁ କିଛି ବିଦ୍ୱେଷ / ଭାଙ୍ଗିଦିଏ ମୋ ସୁଖ ସ୍ୱାଚ୍ଛନ୍ଦ୍ୟ,
ଏ ସବୁ ଘଟିଯାଏ କାହିଁକି ? / ମୁଁ ଜାଣିପାରେନା ।
(କବିତା – ଉତ୍ତର ପାଏନା)
ମୃତ୍ୟୁ ଚେତନାରେ ଉଦ୍ବୋଧ କବୀ ଜୀବନର ନଈକୁ ବହିବାର ଦେଖେ । ଅନୁଭବ କରେ । ଜୀବନ ଜିଏଁ । ସମୟକ୍ରମେ ଜୀବନ ନଈ ବି ଶୁଖେ । ରଂଗ ପରିବର୍ତ୍ତନ କରେ । ଏ ଭାବକୁ ଅତି ସୁନ୍ଦର ଭାବରେ ଲେଖିଛନ୍ତି –
ଜୀବନ ଏକ ନଈ / ତା’ ନୀଳ ରଂଗରେ ବିଭୋର ଦେହ,
କିନ୍ତୁ, ଆମ ଦୁଃଖ, ସିଏ ବୁଝେନା, / ଅଭିନୟ କିମ୍ବା ଅଭିନବ କୌଶଳ
ପ୍ରୟୋଗ ସବୁ ବୃଥା, ସିଏ ବି ତ / ଦିନେ ଶୁଖିଯିବ, ଜଳସ୍ରୋତ ବଦଳରେ
ଶୁଖିଲା ବାଲି ଆସର ଜମେଇବ ।
ଦେଖାଇବ ନୂଆ କୁହୁକ ଖେଳ, / ଜୀବନ ହେବ ଦୁର୍ବିସହ, / ଘଟ ହେବ ପରିବର୍ତ୍ତନ ।
(କବିତା – ଜୀବନ ନଈ)
ସବୁ ବାସ୍ତବ ଜୀବନ ଅବାସ୍ତବ ଲାଗେ । ଦୃଶ୍ୟ ପରିବର୍ତ୍ତନ ହୁଏ । କିନ୍ତୁ ବୁଝି ବି ଅବୁଝା ହୁଏ ମଣିଷ ଯେ, ଏ ସବୁ ପ୍ରକୃତିର ଚିରାଚରିତ ଖେଳ । ସେଥିପାଇଁ ତ ଲେଖି ହୁଏ :
ଏ ସବୁ ମିଛିମିଛିକା ଖେଳ, / ନା ନୂତନ ଜାଦୁଗରର କୁହୁକ ବିଦ୍ୟା,
ହଠାତ୍ ଏ ପରିବର୍ତ୍ତନ, ନିରବ, ନିସ୍ତବ୍ଧ, ଅଦୃଶ୍ୟ ।
ଯାହା ସବୁ ଦେଖିଲୁ, ଏ ସବୁ ମାୟା, ମିଛ ମାୟା / ପ୍ରକୃତିର ଏହା ଏକ ଚିରାଚରିତ ଖେଳ ।
(କବିତା – ଅବାସ୍ତବ ମାପକାଠି)
ପୃଥିବୀ ସର୍ବସଂହା । ଯେତେ ଅନ୍ୟାୟ ଅତ୍ୟାଚାର ହେଲେ ବି ସେ ମା, ନାରୀ, ଦାୟା, ଭଗିନୀ, ଜନନୀ । କିନ୍ତୁ କାହିଁକି ଆଜି ପୃଥିବୀ କ୍ରନ୍ଦନରତା? ଅମୃତମୟ ସନ୍ତାନର ବିଷରେ ଜ୍ୱାଳାରେ ବିବର୍ଣ୍ଣା ? ଏହି ଭାବକୁ ଖବୁ୍ ସୁନ୍ଦର ଭାବରେ ଲେଖିଛନ୍ତି କବି :
ମୁଁ ଏକାକିନୀ, ଅନାଥିନୀ / ବସୁମତୀ, ମାଟି ମା’
ଅବୟବ ହୀନ, ଶୁଷ୍କ ତରୁଲତା ହରେଇ / ବଂଚିବି କିପରି ?
ଜିଇଁବାର ବାଟ କାହିଁ ?
xxx
ମୋ କୋଳରେ ବଢ଼ୁଥିବା ସମସ୍ତ ପ୍ରାଣୀ ଜଗତ,
ଜୀବ ଜଗତ, ଉଦ୍ଭିଦ ଜଗତ ମର୍ମାହତ, / ବିକ୍ଷିପ୍ତ ସେମାନେ ଆଶ୍ରୟ ଆଉ
ଶାନ୍ତି ପାଇଁ ବ୍ୟାକୁଳ, / କିନ୍ତୁ, ମୁଁ ନିରୁପାୟ, / ମୁଁ ଏକ କ୍ରନ୍ଦନରତା ବିବର୍ଣ୍ଣା ପୃଥିବୀ ।
(କବିତା – ବିବର୍ଣ୍ଣା ପୃଥିବୀ)
ନାରୀର ଜୀବନ ଯେତେ ପ୍ରକୃତୀମୟ ହେଲେ ବି ନଈ ପରି ଅଙ୍କାବଙ୍କା । ପବିତ୍ର ଗଙ୍ଗା ବହିଯାଏ ତା ବାଟେ ରାସ୍ତାରେ କେତେ କଳଙ୍କ ବୋହିନେଲେ ବି ପବିତ୍ରତା ହରାଏନି । କାରଣ ତା’କୁ ଆଗେଇ ଯିବାକୁ ହେବ । ବଂଚିବାକୁ ହେବ । ସେଥିପାଇଁ ତ କବିଙ୍କ ମୁନରୁ ଲେଖିହେଲା :
କେତେ : ଉଠାଣି, ଗଡ଼ାଣି / ଖାଲ, ଢ଼ିପ / ଉର୍ଦ୍ଧ୍ୱ, ଅର୍ଦ୍ଧ / ଜଡ଼, ଚେତନ
ବେଦନା, ଆନନ୍ଦ ଆଦିକୁ ସ୍ୱପ୍ନ / ପ୍ରାୟ ମନେ କରି ନିଜକୁ ଭାବିବାକୁ ହେବ,
ଏ ସବୁ ଅଙ୍କାବଙ୍କା ନଈ ପରି / କେତେ ବନ, ଜଂଗଲ, ପ୍ରାନ୍ତର ଦେଇ
ଆଗେଇଲା ପରି ଚାଲିବାକୁ ହେବ ।
(କବିତା – ବଂଚିବାର ବାଟ)
ସେ ନାରୀ ହେଉ, ନଦୀ ହେଉ, ସବୁ ବାସ୍ତବ ଅବାସ୍ତବ ଅବୟବ ବିଧିର ବିଧାନ ଆଗରେ ତୁଚ୍ଛ । ସବୁ ଫିକା । ଅସାର ମଣିଷ ଜୀବନ ହୁଏ ପାଣି ଫୋଟକା ଓ ଶୂନ୍ୟ । ଏହି ଜୀବନ ଦର୍ଶନ ମିଳେ କବିଙ୍କ କବିତାରେ –
ଜନ୍ମ ଜନ୍ମର କ୍ରିୟାମାଣ ଫଳ, / ପ୍ରାରବ୍ଧ ଫଳ କିମ୍ବା ସଂଚିତ ଫଳ
ଭୋଗ ନ କରେ, ସେ ସେମିିତି / ରହିଥାଏ ଅସାର ମଣିଷ ହୋଇ ।
(କବିତା – ବିଧିର ବିଧାନ)
କେତେ ରଂଗ ବିରଙ୍ଗୀ ହେଉ ସଂସାର, କେତେ ଆକାଶକୁ ଛୁଉଁ ମଣିଷର ଶକ୍ତି ଓ ସାମର୍ଥ୍ୟ । କେତେ ବିଦୀର୍ଣ୍ଣ ହେଉ ଜୀବନ, ଜୀବନର ସତ୍ୟ ତ ଗୋଟିଏ – ଶେଷରେ ମୁଠାଏ ପାଉଁଶ । କବିର ଶବ୍ଦରେ ଏହି ସତ୍ୟତା ପ୍ରତିଫଳିତ –
‘ରାମ ନାମ ସତ୍ୟେ ହୈ’ / ଗାଁ ମଶାଣିରେ ଜଳେ ନିଆଁ
ଜୀବନର ପରିସମାପ୍ତି ଘଟେ / ସେଇ ନିଆଁରେ,
ଜୀବନ ଆରମ୍ଭ ହୋଇଥିଲା / ସେଇ ନିଆଁରେ
ଶେଷରେ ପଡ଼ି ରହେ / ମୁଠାଏ ପାଉଁଶ ।
(କବିତା – ମୁଠାଏ ପାଉଁଶ)
ସଂପୂର୍ଣ୍ଣ ସଂକଳନଟିକୁ ପ୍ରସ୍ତୁତ କଲା ବେଳେ ମୁଁ ତଟିସ୍ଥ ହେଲି, ଏତେ କମ୍ ବୟସରୁ ଏତେ ଗଭୀର ଜୀବନ ଦର୍ଶନ ପଢ଼ି ।
ସଂକଳନଟିର ସମସ୍ତ କବିତା ଲେଖାଯାଇଅଛି ଅତି ସହଜ ସରଳ ଭାଷାରେ । କିନ୍ତୁ ଗଭୀର ଭାବରେ । ପ୍ରକୃତି ସହ ପ୍ରେମ, ମୃତ୍ୟୁ ସହ ଜୀବନ ଓ ନଦୀ ସହ ନାରୀ – ଏସବୁ ବିଷୟକୁ କାବ୍ୟିକ ରୂପ କବୀ ସଫଳତାର ସହ ଦେଇଛନ୍ତି । ତେଣୁ କହିହେବ, କବୀ ବାକ୍ୟଶ୍ରୀ ବେହେରାଙ୍କ ବିବର୍ଣ୍ଣା – କେବେ ଆନମନା, କେବେ ବିଚିତ୍ରବର୍ଣ୍ଣା ।
ଆଶା ଆଗକୁ ସେ ଆହୁରି ଗହନ ଅଧ୍ୟୟନ କରିବେ । କବିତା ଲେଖନୀର ପ୍ରକ୍ରିୟାକୁ ଜାଣିବେ । ଶବ୍ଦ ଗଢ଼ିବାର କଳାରେ ନିପୂଣା ହେବେ । ଗଭୀର ଜୀବନ ଦର୍ଶନରେ ସମାଜ କଲ୍ୟାଣ ଦିଗକୁ ଲେଖା ମାଧ୍ୟମରେ ପରିପ୍ରକାଶ କରିବେ ।