ବ୍ରହ୍ମପୁର । ୨୦-୯-୨୦୨୧ ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ ୨୦୨୧ ସାହିତ୍ୟ ସମ୍ମାନ ଘୋଷଣା ବ୍ରହ୍ମପୁର , ଆଙ୍କୁଲି ସ୍ଥିତ ଗଞ୍ଜାମର କବିତାଘର କାର୍ଯ୍ୟାଳୟ ତଥା ପାଠାଗାର ଠାରେ ୨୦୨୧ ବର୍ଷ ପାଇଁ ସାହିତ୍ୟ ଉତ୍ସବ ଆୟୋଜନ ଓ ପ୍ରଦତ୍ତ ସାହିତ୍ୟ ସମ୍ମାନ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଅଛି । ଏହି ବୈଠକ ଟ୍ରଷ୍ଟର ଅଧ୍ୟକ୍ଷ ଭାଗିରଥୀ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ଯେଉଁଥିରେ ଭାଗ ନେଇଥିଲେ ସଭାପତି ଡ଼ା ରାଜେନ୍ଦ୍ର କୁମାର ବେହେରା, ଟ୍ରଷ୍ଟି ଭାଗିରଥୀ ପଣ୍ଡା, ଉପଦେଷ୍ଟା ଶ୍ରୀ ଗଦାଧର ପାତ୍ର , ଆଞ୍ଚଳିକ ସହଯୋଗୀ ଶିକ୍ଷାବିତ୍ ପ୍ରସନ୍ନ ପ୍ରଧାନ, ଶ୍ରୀ ତ୍ରିଲୋଚନ ଦାସ , ସହ ସମ୍ପାଦକ ସୁଦାମ ପାଣିଗ୍ରାହୀ ଏବଂ କବି ଜୟନ୍ତୀ ବେହେରା । ସମ୍ପାଦକ ଭାଗିରଥୀ ବେହେରାଙ୍କ ସୂଚନା ଅନୁଯାୟୀ ୨୦୨୧ ବର୍ଷ କବିତା କ୍ଷେତ୍ରରେ ମାଲକାନଗିରିର କବି ବଳରାମ ପୂଜାରୀ ପାଇବେ ‘ ରାଜ୍ୟସ୍ତରୀୟ କବିତା ସମ୍ମାନ ‘ , ଖଲ୍ଲିକୋଟ ଗଡର କବୀ ଜ୍ୟୋସ୍ନା କୁମାରୀ ପ୍ରଧାନ ପାଇବେ ‘ ଜିଲ୍ଲାସ୍ତରୀୟ କବିତା ସମ୍ମାନ’ ଏବଂ ପଲ୍ଲୀକାବ୍ୟ ‘ ମାଟିର ମୋହ’ ନିମନ୍ତେ ବାଲୁଗାଁ ଖୋର୍ଦ୍ଧାର କବି ଗୋପୀନାଥ ଦାଶ ପାଇବେ ‘ ସ୍ୱର୍ଗତା ଦେବମଣୀ ସାହୁ କବିତା ପୁସ୍ତକ ସ୍ମୃତି ସମ୍ମାନ’ । ତତସହ ଗଳ୍ପ କ୍ଷେତ୍ରରେ ନବରଙ୍ଗପୁରର ଅଧ୍ୟାପକ ପରୀକ୍ଷିତ ସାହୁ ଓ ଗଞ୍ଜାମର ଗାଳ୍ପିକା ଭାରତୀ ପାତ୍ର ପାଇବେ ‘ ଗଳ୍ପଗଞ୍ଜାମ କଥାକାର ସମ୍ମାନ’ , ମୟୂରଭଞ୍ଜ ତଥା କୁକୁଡ଼ାଖଣ୍ଡୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପାଇବେ ‘ ଯୁବ ଗାଳ୍ପିକ ସମ୍ମାନ’ , ପୁସ୍ତକ ‘ ଶ୍ମଶାନର ସାଥୀ ‘ ନିମନ୍ତେ ପାରିକୁଦ ଗଡର ଲଲିତ କୁମାର ସ୍ୱାଇଁ ପାଇବେ ‘ ଗଳ୍ପ ପୁସ୍ତକ ସମ୍ମାନ’ ଏବଂ ଗଳ୍ପଗଞ୍ଜାମ ନବ ପ୍ରତିଭା ସମ୍ମାନ ପାଇବେ ଚନ୍ଦାହାଣ୍ଡି ନବରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀଙ୍କ ସହ ଗଞ୍ଜାମ ଜିଲ୍ଲାର ଶିକ୍ଷୟିତ୍ରୀ ସୁନିତା ପ୍ରଧାନ । ଏହା ସହ ସଜଲ ସଂକଳନ ‘ ଭାବାବେଗ ‘ ର କବି ତ୍ରିଲୋଚନ ଦାଶ , ସଜଲ ସଂକଳନ ‘ ନ ରହିବେ କେହି ଜଣେ ‘ ର କବି ସୀମାଞ୍ଚଳ ପଣ୍ଡା, ଶିଶୁ କବିତା ସଂକଳନ ‘ ଭଲ ମଣିଷଟେ ହେବା’ ର କବି ଶରତ ଚନ୍ଦ୍ର ପଣ୍ଡା , କାବ୍ୟ ‘ ଉର୍ମିଳ ଉର୍ମିଳା ‘ ର କବି ଜ୍ଞାନାନନ୍ଦ ସାଗର କୁମାର ଓ ‘ ପାହାଡରାଣୀ ‘ ଶିଶୁ କବିତା ସଂକଳନର ଶିଶୁକବି ସୁଶ୍ରୀ ରୁଦ୍ରାରୁପା ବ୍ରହ୍ମା ଆଦି ସ୍ଵତନ୍ତ୍ର ରୂପେ ସମ୍ମାନୀତ ହେବେ। ଘୋଷଣା ହୋଇଥିବା ସମସ୍ତ ସମ୍ମାନ ଅକ୍ଟୋବର ୧୭ ତାରିଖ, ବାର୍ଷିକ ସାହିତ୍ୟ ଉତ୍ସବ, ବ୍ରହ୍ମପୁର ଆଙ୍କୁଲି ଠାରେ ପ୍ରଦାନ କରାଯିବ ।