🌹ପୁଣି ତୁମେ ଅବତରି ଆସ🌹
କୃଷ୍ଣ !ତୁମେ ପୁଣି ଅବତରି ଆସ
ଏବେ ଏ ଧରା ଧାମରେ,
ରାଧା ପ୍ରାଣଧନ ଯଶୋଦା ନନ୍ଦନ
ହଜିବି ତୁମ ପ୍ରେମରେ l
କେତେ ପୁଣ୍ୟ ସେହି ଗୋପପୁର ମାଟି
ଯହିଁ କଲ ବାଲ୍ୟଲୀଳା,
ନନ୍ଦ ଯଶୋଦାଙ୍କ କୋଟି ପୁଣ୍ୟ ବଳେ
ହେଲ ତୁମେ ନନ୍ଦବଳା l
ଧନ୍ୟ ତୁମ ସଖା ତୁମରି ପରଶେ
ଅରଜିଲେ ମହାପୁଣ୍ୟ,
ସୁଦାମା ସଖାର ଦୁଃଖ ହରିନେଲ
ଜଗତେ ହୋଇଲେ ଧନ୍ୟ l
ଗୋପୀପୁରେ ଯାଇ ଲବଣି ଚୋରାଇ
ଖାଉଥିଲ ମେଳ ହୋଇ,
ମିଠା ଦହି ଖାଇ ଲୀଳା ରଚୁଥିଲ
ଧରି ନ ପାରନ୍ତି କେହି l
ଦେଖିବା ଗୋପୀଙ୍କୁ ବଶୀଭୂତ କର
ହାତେ ଖୁଆଇ ଲବଣି,
ଦୋଷ ଦେଉ ଦେଉ ମାୟା ବନ୍ଧନ ରେ
ବିବଶ ତ ଗୋପାଳୁଣୀ l
କେ ବଶ ତୁମର ବାଙ୍କ ଚାହାଣୀରେ
କିଏ ମନୋହର ହସେ,
କିଏ ପୁଣି ତୁମ ଦରୋଟି ବଚନେ
ବାନ୍ଧିନିଅ ପ୍ରୀତି ରସେ l
ତୁମରି ଅମୀୟ ପରଶେ କେ ହଜେ
ଭୁଲିଯାଏ ବିତା କଥା
ମୟୂର ପଙ୍ଖ ରେ ହଜେ କା ଚାହାଣୀ
ରହିଯାଏ ନୀରବତା l
ମନୋହର ବଂଶୀ ସ୍ଵନ ଯେ ମଧୁର
ବିହ୍ଵଳିତ ହୁଏ କର୍ଣ୍ଣ,
ତୁମ ଦରଶନେ ଭୂଲଇ ନିଜକୁ
ଶିହରିତ ତନୁମନ l
ଏତେ ଛନ୍ଦପରେ ସବୁ ସଖା ପରା
ଦିଶନ୍ତି ତୁମ ସମାନ,
ତୁମରି ମାୟାକୁ କେ ପାରିବ କଳି
ତୁମେ ଯେ ମନମୋହନ l
ବାତ୍ସଲ୍ୟ ପ୍ରେମରେ ସିକ୍ତ ମା’ ଯଶୋଦା
ଲଢ଼ନ୍ତି ହୋଇକି ରୋଷ,
ମାଖନ ଚୋରୀ ର ସାକ୍ଷୀ ମିଳେ ନାହିଁ
ମା’ମନେ ଅମାପ ତୋଷ l
ଆଜି ଏ ଧରାରେ ହଜିଛି ମମତା
ହଜିଛି ଅମ୍ଳାନ ହସ,
ଆହେ କୃଷ୍ଣ ଧନ ହେ ନନ୍ଦନନ୍ଦନ
ପୁଣି ଅବତରି ଆସ l
ଏତେ ପୁଣ୍ୟ କେବେ କରିନଥିବି ମୁଁ
ପାଇବି ତୁମକୁ କୋଳେ,
ଗୋପାଳୁଣୀ ଟିଏ କରିଦେବ ପ୍ରଭୁ
ଦେଖି ତରିଯିବି ଦୋଳେ l
ମୋ ସଦନେ ଆସି ମାଖନ ଖାଆନ୍ତ
ମନେ ମନେ ପାଞ୍ଚୁଥିବି,
ତୁମ କର୍ଣ୍ଣ ଧରି ଯଶୋମତି ପାଶେ
ଫେରାଦ ନେଇକି ଯିବି l
କଳିର କଳୁଷ ନାଶ କରିବାକୁ
ପୁଣି ନିଅ ହେ ଜନମ,
ତୁମେ ବିମ୍ବାଧର ହେ ଶ୍ୟାମସୁନ୍ଦର
ଘେନ ମୋ କୋଟି ପ୍ରଣାମ l
ସରୋଜବାଳା ପଟ୍ଟନାୟକ, ଖଲ୍ଲିକୋଟ,( ଗଞ୍ଜାମ)