ନ ଗାଆ ବଡିମା ଗୀତି
ଜ୍ୟୋତ୍ସ୍ନା ରାଣୀ ଦେବୀ
ସାରୁ ପତ୍ରତଳେ ମାଟି ଦି ଆଙ୍ଗୁଳେ
କରି ଯେ ଆପଣା ଘର
ବେକ ଟେକି ଭେକ ଭାବୁଅଛି ସିଏ
ମହୀପତି ପୃଥିବୀର ।
ଅହଂକାର ପଣେ ଅନ୍ଧକାର ମଧ୍ୟେ
ଜ୍ଞାନର ମହାସାଗର
ପାଇଗଲି ବୋଲି ଟାଣପଣେ କୁହେ
ବ୍ରହ୍ମରନ୍ଧ୍ର ଭେଦି ଦ୍ଵାର ।
ସାରୁ ପତ୍ରେ ଭାବେ ଆକାଶଟା ମୋର
ମଥାକୁ ଅଳପ ଦୂର
ଛୁଇଁଦେବି ନିଶ୍ଚେ ବଢାଇ ନିଶ୍ଵାସ
କାହାକୁ ଅଛି ମୋ ଡର !
ଆସିଗଲେ ଝଡ଼ ଭାଙ୍ଗିଗଲେ ବାଡ଼
ସାରୁପତ୍ର ଢଳି ପଡେ
ତୋଫା ଆଲୁଅରେ ସାରା ପୃଥିବୀଟା
ନ ଦିଶି ଅନ୍ଧାର ମାଡେ ।
ଆପଣା କରମ ଆପଣାର ଜ୍ଞାନ
ଦିଶିଯାଏ ଜଳଜଳ
ବେଳ ପାଏନାହିଁ ପାଷାଣ ସନ୍ଧିରେ
ତୋଳଇ ଆପଣା ଘର ।
ନିଜର ଦକ୍ଷତା ପାରିବାର ପଣ
ନିଜଠୁ ବେଶୀ କେ ଜାଣେ ?
ଆତ୍ମ ଅଭିମାନ ଅହଂକାର ପଣ
ରାଜେ ମୂଢତାର ବାଣେ ।
ସାଧନାର ପଥ ନୁହଁଇ ସହଜ
ସହଜେ ସିଦ୍ଧି ନ ମିଳେ
ମୁଁ ମୁଁ ବୋଲି ମିଛରେ ବୋବାଳି
ଛାଡି ଛାଡି ଖାଲି ମରେ ।
ଆପଣା ମଣିଷ ଛାଡି ଚାଲିଯାନ୍ତି
ଖୋଜିଲେ ଆଉ ନ ଆସେ
ସତ୍ୟ,ଶାନ୍ତି, ଦୟା ,କ୍ଷମା ଆଚରଣ
ବିନୟ ଭୂଷଣ ନାଶେ ।
ତେଣୁ ତୁ ରେ ମନ ରହିଥା ଆୟତ୍ତେ
ନ ଗାଆ ବଡିମା ଗୀତି
ଜୀବନବୀଣାର ବେସୁରା ତାରକୁ
ସଜାଡି ଯେ ଦିନରାତି ।