କବିତା // ଆହା ମୋ ଘରଚଟିଆ // କବି – ଅଧ୍ୟାପକ କୈଳାସ ଚନ୍ଦ୍ର ସାହାଣୀ

!! ଆହା ମୋ ଘରଚଟିଆ !!

ଘରଚଟିଆର ଘର କାହିଁ ଆଉ
ଚାଳ ତ ହୋଇଲା କୋଠା ,
ନଡା ଗଦାନାହିଁ ନାହିଁ ପାଳଭାଡି
ନଈ ହୋଇଲାଣି ପଠା ।

ଘର ଚଟିଆର ପରମ ଆଦର
ଚାଳେ କରିଥାଏ ବସା ,
ଫର ଫର ଉଡି ଖେଳି ବୁଲୁଥାଏ
ଖୋଜେ ସେ ଅଇଁଠା କଂସା ।

ଯୋଡି ଯୋଡି କେଡେ ବାଗେ ଖେଳୁଥାନ୍ତି
ସଜନା ଡାଳରେ ଡିଆଁ,
ଦଳବଳ ଘେନି କେବେ ସେ ଉଡନ୍ତି
ଡରୁଥାନ୍ତି ଦେଖି ନିଆଁ ।

କେଡେ ନୀରିହ ସେ କୁନି ଚଢେଇ ମୋ
ପାଖରେ ବସନ୍ତି ଆଈ ,
ଅଜା ପାନ ଖାଇ ପିକ ଛାଡିଦେଲେ
ଆସନ୍ତି ପାଖକୁ ଧାଇଁ ।

ମୋବାଇଲ ପାଇଁ ହୋଇଲା ଟାୱାର
ବିକିରଣ ଶକ୍ତି ହେଲା,
ତାହାରି ପ୍ରଭାବେ ମରି ହଜିଗଲେ
ବଅଁଶ ନିପାତ କଲା ।

କୀଟ ନାଶକର ପ୍ରଭାବେ ମରିଲେ
ବିଲମାଳେ କୁଢ କୁଢ,
ଏମଣିଷ ତିଳେ ଚେତିଲା ତ ନାହିଁ
ସତେକି ପାମର ମୂଢ ।

ଦେଖୁ ଦେଖୁ ଦିନ କାଳ ସରିଯାଏ
ହଜିଯାଏ ପକ୍ଷୀକୁଳ,
ଘରଚଟିଆ ସେ ଘର ପାଇଁ ଶୁଭ
ତା ପାଇଁ ତ ଟିକେ ଭାଳ ।

ଏବେ ଖରାଦିନ ବଡ ହୀନିମାନ
ପଶୁପକ୍ଷୀ ଜୀବ କୁଳ ,
ଛାତପରେ ଅବା ବାରି ଅଗଣାରେ
କିଛି ପାତ୍ରେ ରଖ ଜଳ ।

ପାରିବ ତ ଯଦି ଦିଅ ମୁଠେ ଖାଦ୍ଯ
ଧରମ ହେବ ତୁମର ,
ଈଶ୍ବର ସବୁରି ହୃଦୟରେ ବିଜେ
ଚିନ୍ତୁଥାଅ ନିରନ୍ତର ।

ଘରଚଟିଆଙ୍କ ସୁରକ୍ଷା ନିମନ୍ତେ
ମନରେ ଉପାୟ କର,
ଈଶ୍ବର ସୃଷ୍ଟିରେ ସଭିଏଁ ସମାନ
କେହି ନୁହେଁ ନିଜ ପର !!