ଏଥର ପଢ଼ନ୍ତୁ ଶବ୍ଦ ଜଗତର ଅନ୍ୟତମ ଜଣାଶୁଣା ସୁପରିଚିତ ଉତ୍କୃଷ୍ଟ ଶବ୍ଦ ଶିଳ୍ପୀ ଯିଏ ଶବ୍ଦ ଶବ୍ଦରେ କୋଣାର୍କ ଗଢି ତୋଳି ପାରନ୍ତି। ମାନବୀୟ ଜୀବନକୁ ଆଧାର କରି ଯିଏ ରଚି ପାରନ୍ତି ବିରାଟ କୁତବମିନାର ବିଶିଷ୍ଟ କବି ଅଧ୍ୟାପକ କୈଳାସ ଚନ୍ଦ୍ର ସାହାଣୀଙ୍କ ମାନବୀୟ ମୁଲ୍ୟବୋଧର ଭିତ୍ତିପ୍ରସ୍ତର ଉପରେ ଚିତ୍ରଣ ହୋଇଥିବା ଚମତ୍କାର କବିତା ___ “ନିମ୍ନ ମଧ୍ୟବିତ୍ତ”।

!! ନିମ୍ନ ମଧ୍ଯବିତ୍ତ !!

ନିପାରିଲାପଣର ମଧୁର ଶବ୍ଦଟିଏ
‘ନିମ୍ନ ମଧ୍ଯବିତ୍ତ ‘
କାହାର ଘୃଣାର ପାତ୍ର ବି ,
କେବେ ବିଧୂର ପରାଣର ଦୀର୍ଘଶ୍ବାସଟିଏ
କେବେ ଜୀବନ ମୃତ୍ଯୁର ସନ୍ଧିକ୍ଷଣଟିଏ !
ନିରେଖି ଦେଖିଲେ
ସେଠୁ ନିଗୁଡୁଥାଏ ଖଜୁରୀ ଗଛର ରସ ,
ପାହାଚ ପାହାଚ ତା’ର
ଖଣ୍ଡିତ ଜୀବନ ,
ବାର ବାର ସହୁଥାଏ ଧାରୁଆ କଟୁରିର ଚୋଟ
ତା ଚିତ୍କାର ଶୁଣିଲେ
ଉଲ୍ଲସିତ ଉଚ୍ଚବର୍ଗ
ତା ଯନ୍ତ୍ରଣାକୁ ଉପଭୋଗ କରନ୍ତି
ତଥାକଥିତ ବଡପଣ୍ଡା !

ନିମ୍ନ ମଧ୍ଯବିତ୍ତର ଜୀବନ
ସବୁବେଳେ ଅଧାଗଢା ସ୍ଥାପତ୍ଯ ,
ମୁଣ୍ଡି ମାରିପାରୁନଥିବା ଗୋଟେ କଳାର କୋଣାର୍କ !
ନିମ୍ନ ମଧ୍ଯବିତ୍ତ ସବୁବେଳେ ଲଢୁଥାଏ ଭାଗ୍ଯ ସହ
ସରକାରୀ କଳର କାରସାଦିରେ
ହଜୁଥାଏ ତା ସ୍ବପ୍ନର ଇପ୍ସିତ ଭବିଷ୍ଯତ ,
ଅଧା ପେଟରେ
ଭଙ୍ଗା ଚାଳରେ
ଛିଣ୍ଡା କପଡାରେ
ବଞ୍ଚୁଥାଏ ସେ,
ପୃଥିବୀର ପାଣି ପବନ ଆଲୋକ ଭିତରେ
ଖୋଜୁଥାଏ ସମାନତା ,
ଅଥଚ ଏ ସଭ୍ଯ ସମାଜର ମନତଳେ
କିଟିମିଟି ଅଳନ୍ଦୁର ବସା,
କେବେ ବିଗଳିତ ହେଉଥାଏ ହୃଦୟ
ଏଇମାନଙ୍କର ଦୁଃଖ ଦୁର୍ଦ୍ଦଶାରେ
ମିଛ ଆଶ୍ବାସନାରେ
ଖଞ୍ଜାହୁଏ ନୂଆ ଯୋଜନାର ଅଠାକାଠି !

ନିମ୍ନ ମଧ୍ଯବିତ୍ତର ଅଭାବୀ ଜୀବନ ବାଜିଲାଗେ
ଉଚ୍ଚବର୍ଗଙ୍କ ସୁଖ ସମ୍ଭୋଗ ପାଇଁ ,
ତାଙ୍କ ରାଜ ଉଆସ ଗଢିବାରେ ହେଉ କି
ତାଙ୍କ ପାଇଁ ମହମହ ବାସୁଥିବା ବାସୁମତୀ
ଅମଳ ପାଇଁ ହେଉ ,
ସେ ରକ୍ତକୁ ପାଣିକରେ
ଝାଳକୁ ଓଠରେ ପିଏ ,
କେବେ କାହାର ଅନିଷ୍ଟ ଚିନ୍ତା କରୁନଥିବା
ଏଇ ମେହନତୀ ମଣିଷ ସବୁକାଳେ ଭୋଗେ
ଲାଞ୍ଛନା,ଅପମାନ,ଅସୂୟା ,
ଘୃଣାର ପ୍ରଲେପ ମାଖି ଚିରକାଳ ସେ
ପଙ୍କରୁ ପଙ୍କଜ ପରି ଫୁଟୁଥାଏ
ଡହଡହ ତାତିରେ !

ସେ ଜାଣେନା ଛନ୍ଦ କି ଛଳନା
କାଳକାଳ ପାଇଁ ନିମ୍ନ ମଧ୍ଯବିତ୍ତର ଜୀବନ
ଉତ୍ସର୍ଗୀକୃତ ସମାଜ ପାଇଁ !
ଏତିକି ତ ଅନ୍ତତଃ ବୁଝୁ ଏ ଭୋଗବାଦୀ ମଣିଷ !!

**************