# ଅ ଧାଇଁଗଲା ଅରଟ ଆଣି #
ଜ୍ୟୋତ୍ସ୍ନା ରାଣୀ ଦେବୀ
ଅ ଧାଇଁଗଲା ଅରଟ ଆଣି
ଚରଚର ଦେବ ଲୁଗାକୁ ବୁଣି
ତାପରେ ପଢିବ ପାଠ
ପାଠ ପଢିସାରି ଖେଳି କେତେ ଖେଳ
କରିବ କେତେ ଯେ ନାଟ ।
ଆ ‘ ର ଆଈକୁ ହୋଇଛି ଜର
ଆମ୍ଵଲେମ୍ଵୁ ଟିକେ ଆଚାର କର
ଆଈ ଯେ ବସିବ ଖାଇ
ଅରୁଚି ଛାଡିବ,ଲାଳ ଗଡୁଥିବ
ଟାକରା ଦେବ ଫୁଟେଇ ।
ଇ ବୋହିନେଲା ଇଟାର ଭାର
ତୋଳିବାକୁ ଏକ ବଡ଼ ନଅର
ସେ ଘରେ ରହିବ ଯାଇ
ଗଛ ଲଗାଇବ , ଫଳ ତ ଫଳିବ
ତୋଳିବ ଆଙ୍କୁଡି ନେଇ ।
ଈ ଚଳିଗଲା ଦେଉଳ ପାଶେ
ଈଶ୍ଵରଙ୍କୁ ପୂଜି ମନ ହରଷେ
ମାରିଲା ମୁଣ୍ଡିଆ କେତେ
ନଡିଆ ,କଦଳୀ ,ଧୂପଦୀପ ଦେଇ
ଫେରିଲା ହରଷ ଚିତ୍ତେ ।
ଉ ଡାକଦେଲା ଉଠରେ ଉଠ
ମୁହଁହାତ ଧୋଇ ପଢରେ ପାଠ
ଅଳସୁଆ ଯଦି ହେବ
ପଛରେ ପଡିବ ,ଆଗେ ନ ବଢିବ
ଦୁଃଖ ତ ସଦା ପାଇବ ।
ଊ କହେ ମନ ଊଣା ନ କର
ସଅଳ ସଅଳ ସିଲଟ ଧର
ପଢିଦିଅ ସବୁ ପାଠ
ପାଠ ପଢି ଯେବେ ବଡ଼ ହୋଇବରେ
ମିଳିଯିବ ସବୁ ବାଟ ।
ଋ ଗଲା ଋଷିବରଙ୍କୁ ଭେଟି
ଜଟାଦାଢି ଦେଖି ଆସେ ଲେଉଟି
କହିଲା ମାଡୁଛି ଡର
ଋଷି ଆଉଁସିଲେ ମୁଣ୍ଡକୁ ତାହାର
କରି ଯେ ବଡ଼ ଆଦର ।
ଏ ଏକା ଥିଲା ବିଲରେ ଦିନେ
ମାଛ ମାରୁଥିଲା ଅତି ଯତନେ
ମାଆ ଆସିଗଲେ ପାଶେ
ଦୁହେଁଯାକ ମିଶି ଏକାଠି କରିଲେ
ଚେଙ୍ଗା ଡେଇଁ ପଡି ହସେ ।
ଐ ଐରାବତ ଉପରେ ଚଢି
ସରଗ ରାଇଜେ ଗଲା ଦଉଡି
ପାରିଜାତ ଫୁଲ ତୋଳି
ଖସିଲା ବେଳକୁ ତଳେ ପଡିଗଲା
ଛାଡିଲା ଖାଲି ବୋବାଳି ।
ଓ ଆଣିଥିଲା ଓଉ ଯତନେ
ଖଟା କରିବାକୁ ଭାବିଲା ମନେ
ଆଣିଲା ଗୁଡ଼ ଯେ କିଣି
ଫୁଟଣ ଫୁଟିଲା ଘରଟା ବାସିଲା
ଲାଳ ଗଡିଗଲା ପୁଣି ।
ଔ ଯାଇଥିଲା ଔଷଧ ଆଣି
କାନ୍ଧରେ ପକାଇ ପଇସା ମୁଣି
ଚୋର ହାବୁଡିଲେ ବାଟେ
କଉଶଳେ ଔ ଖସି ପଳେଇଲା
ଚୋର ପଡିଗଲେ ଫାଟେ ।
ବ୍ରହ୍ମପୁର, ଗଂଜାମ