ଆସନ୍ତୁ ପଢିବା ଖଲ୍ଲିକୋଟ ଅଞ୍ଚଳର ବର୍ଷିୟାନ୍ କବୀ ସରୋଜବାଳା ପଟ୍ଟନାୟକଙ୍କ ଭାବାବେଗ ପୂର୍ଣ୍ଣ ହୃଦୟସ୍ପର୍ଶି ଓ ଶିକ୍ଷଣିୟ କବିତା //ବାପା //

🌹ବାପା 🌹

ମାଆ ସିନା ଆମ ଗର୍ଭଧାରିଣୀ ଟି
ବାପା ତ ଜନମଦାତା,
ଦ୍ଵିତୀୟ ଗୁରୁ ସେ ଅଟନ୍ତି ଆମର
ପରିବାର ର କରତା l

ଆମରି ଜନମ ସମୟରେ ସେତ
ଆନନ୍ଦରେ ହସି ହସି
କୋଳେ ନେଇ ଗେଲ କରି ଦେଇ ପରା
ହୁଅନ୍ତି ଅମାପ ଖୁସି l

ବାପା ବୋଲି ଯେଉଁ ଦୁଇଟି ଅକ୍ଷର
କହିବାକୁ ଲାଗେ ଭଲ,
ତ୍ୟାଗର ମୂରତି ଅପୂର୍ବ ଶକତି
ମମତା ଅମୂଲ ମୂଲ l

ହାତ ଧରି ବାପା ଚାଲି ଶିଖାଇଲେ
ଦୁନିଆ ରାଜଦାଣ୍ଡ ରେ,
ଯାନି ଯାତରା କୁ ବୁଲାଇ ନିଅନ୍ତି
ବସାଇ ନିଜ କାନ୍ଧରେ l

ଔଷଧ ଖେଳନା ବହି ଖାତା ଜାମା
ସବୁ କରନ୍ତି ଯୋଗାଡ଼,
ତାଙ୍କ ପରି ଆଉ କେ ଅଛି ସଂସାରେ
ସେତ ଆମ ମେରୁହାଡ଼ l

ଅଳି ଅଝଟ କୁ ସହି ପରା ସିଏ
ଗଢ଼ନ୍ତି ମଣିଷ କରି,
ତାଙ୍କ ଉପଦେଶ ଗୀତା ଭାଗବତ
କିଏ ହେବ ତାଙ୍କ ସରି?

ତାଙ୍କରି ଚରିତ୍ର ନଡ଼ିଆ ପରିତ
ବାହାରକୁ ଦିଶେ ଟାଣ,
ଅନ୍ତର ଭିତରେ ସେ କେତେ କୋମଳ
ସେ କଥା କି ତୁମେ ଜାଣ?

ବାପାଙ୍କ ଛାତିଟା ବିଶାଳ ଆକାଶ
ବିପଦରେ ବଳ ଦିଏ,
ବାପା ଥିବା ପୁଅ ସଭାରେ ହାରେନା
ଏକଥା ନଜାଣେ କିଏ ?

ଆମ ପାଇଁ ସିଏ ବରଗଛଟିଏ
ଦେଇ ଅଭୟ ଆଶ୍ରୟ,
ସଂସାରେ ମଣିଷ କରି ଗଢ଼ିଥାନ୍ତି
ଦେଇ ନିଜ ପରିଚୟ l

ନିଜ ସୁଖ ଭୁଲି ଆମରି ସପନ
ସାକାର କରନ୍ତି ସେଇ,
ତାଙ୍କ ଠାରୁ ବଡ଼ କରି ଗଢ଼ିଥାନ୍ତି
ଅସୀମ ଆନନ୍ଦ ନେଇ l

ବଡ଼ ହେଲେ ଆମେ ଭୁଲିଯିବା ନାହିଁ
ତାଙ୍କ ବଳିଦାନ କଥା,
ବର ଓହଳର ପରି ଆଶ୍ରା ଦେଇ
ହରିନେବା ସବୁ ବ୍ୟଥା l