ଆସନ୍ତୁ ପଢିବା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ, ବରିଷ୍ଠ କବି, ସଜଲ ସମ୍ରାଟ ତଥା ‘ନ ରହିବେ କେହି ଜଣେ’ ସଜଲ ସଂକଳନର ସଫଳ ସ୍ରଷ୍ଟା ସୀମାଞ୍ଚଳ ପଣ୍ଡାଙ୍କ ଜୀବନ ଦର୍ଶନକୁ ନେଇ ଏକ ସୁନ୍ଦର୍ ଏବଂ ଶିକ୍ଷଣୀୟ ଓ ଉପାଦେୟ ସଜଲ __”ଜୀବନର ପଥ ଦୁର୍ଗମ ଅତ୍ୟନ୍ତ । “

*ଜୀବନର ପଥ ଦୁର୍ଗମ ଅତ୍ୟନ୍ତ!*
*************************
ସୀମାଞ୍ଚଳ ପଣ୍ଡା
***********
ଜୀବନର ପଥ ଦୁର୍ଗମ ଅତ୍ୟନ୍ତ
ଜୀବନ ଚାଲିଛି ଭୁବନ ସାରା,
କର୍ମ ପାଇଁ ନର ଆସିଛି ସଂସାର
ରୋଧି କି ପାରିବ ପଥ’ର ଭାରା!

ପଥେ ଯିବ ଚାଲି ବ୍ୟଥାକୁ ସମ୍ଭାଳି
ସରିଲେ ଫେରିବ ଠିପଣା ଥାନ,
ଯେତେ ବାଧା ବିଘ୍ନ କରି ଅତିକ୍ରମ
କର୍ମ କରିବ ଯା’ ଥିବ ବିଧାନ,
ପଥ’ର ଦୁର୍ଗମ ହେଉ ବା ସୁଗମ
କର୍ମ ସରିଲେ କି ରଖିବ ଧରା,
ଜୀବନର ପଥ ଦୁର୍ଗମ ଅତ୍ୟନ୍ତ
ଜୀବନ ଚାଲିଛି ଭୁବନ ସାରା!

କର୍ମ‌ ମଧ୍ୟେ ଜୀବ ଭବ ଅନୁଭବ
ଅନ୍ତ କାଳେ ଧାତା ବିଚାର କରି,
ଦେବେ ପୁଣି ଫଳ ଲେଖିବେ କପାଳ
ପାଳିବାକୁ ପର ଜନ୍ମେ ଯେପରି!

କର୍ମ ଫଳ ତା’ର ଜୀବନ ସମ୍ବଳ
ଭଲ ମନ୍ଦ ଫଳ ସଙ୍ଗତେ ନେଇ,
ଆପଣା କର୍ମର ଫଳ ଅନୁସାର
ସୁଖ ଦୁଃଖ ଭୋଗ ଆପେ କରଇ
ଭୋଗିବାକୁ ଫଳ ନ ଥିବ ଯେ କାଳ
ଜୀବନ ସରିବ ଭୁବନେ ପରା,
କର୍ମ ପାଇଁ ନର ଆସିଛି ସଂସାର
ରୋଧି କି ପାରିବ ପଥ’ର ଭାରା!

ଜୀବନର ପଥ କର୍ମ ଘେନି ଯୁକ୍ତ
ଦୁର୍ଗମ ସୁଗମ ଫଳେ ସଂଯୁକ୍ତ,
ସତ୍କର୍ମ ସାଧନେ ଶୁଦ୍ଧ ସଂସାଧନେ
ମାନବ ମାଧବ ଆଶିଷ ପ୍ରାପ୍ତ!

*************************
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ଡେଙ୍ଗାଡି, ଗଞ୍ଜାମ  ।
************************