ସମୀକ୍ଷା – ସିଦ୍ଧେଶ୍ୱରୀ ଓ ଅନ୍ୟାନ୍ୟ ଗଳ୍ପ

ସାଂପ୍ରତିକ କ୍ଷୁଦ୍ରଗଳ୍ପର ରୂପ ବୈଚିତ୍ର‌୍ୟ ଓ ଭାବବୈଚିତ୍ର‌୍ୟର ଏକ ଭିନ୍ନ ନକ୍ସା : ‘ସିଦ୍ଧେଶ୍ୱରୀ ଓ ଅନ୍ୟାନ୍ୟ ଗଳ୍ପ’

ସାଂପ୍ରତିକ ମଣିଷର ବିଭିନ୍ନ ସମସ୍ୟା ବହୁଳ ମୁହୂର୍ତ୍ତକୁ ଭିନ୍ନ ଢଙ୍ଗରେ ପାଠକମାନଙ୍କ ନିକଟରେ ଉପସ୍ଥାପନ କରିବାରେ ଓଡ଼ିଆ ଗଳ୍ପର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣର୍ । ଜୀବନ, ଯନ୍ତ୍ରଣା, ସୁଖ-ଦୁଃଖ ସର୍ବୋପରି ଜନ୍ମ-ମୃତ୍ୟୁର ସୀମାରେଖା ଭିତରେ ଥିବା ବିଭିନ୍ନ ଚରିତ୍ରଙ୍କୁ ନେଇ ସାଂପ୍ରତିକ କଥାକାର ଶବ୍ଦର ଯାଦୁରେ ପ୍ରକଟ କରିବାରେ ଖୁବ୍ ସିଦ୍ଧହସ୍ତ । ଯେଉଁଠି ଶେଷ ସେଇଠୁ ବି ଆରମ୍ଭ କରିବାର ସ୍ୱପ୍ନ ଦେଖୁଥିବା କଥାକାର ବାସ୍ତବରେ ତ ସୃଷ୍ଟି କରିପାରେ ଏକ ନୂତନ ଜାଗରଣ । ପୁରସ୍କାର କିମ୍ବା ତିରସ୍କାରକୁ ଭ୍ରୂକ୍ଷେପ ନକରି ଏବେକାର ସ୍ରଷ୍ଟା ଖୁବ୍ ମନନଶୀଳ । କଳ୍ପନାର କଥା କିମ୍ବା ବୁଢ଼ୀ ଅସୁରୁଣୀ – ରାଜାପୁଅ ପ୍ରସଙ୍ଗକୁ ନେଇ ସେ ଗଳ୍ପ ଲେଖି ନଥିଲେ ହେଁ ତତ୍କାଳୀନ ମିଥ୍‌, ପ୍ରତୀକ କିମ୍ବା ବିଭିନ୍ନ ବାଦ (ସଗ୍ଦଜ୍ଞ)କୁ ପରିହାର କରିପାରି ନାହିଁ । ଏହା ସତ୍ତ୍ୱେ ମଧ୍ୟ ପ୍ରଚୁର ପରିମାଣରେ ବଳିଷ୍ଠ ତଥା କାଳଜୟୀ ଗଳ୍ପ ସୃଷ୍ଟି ହୋଇ ଚାଲିଛି । ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପରେ ‘ରେବତୀ’ଠାରୁ ଆରମ୍ଭ ହୋଇଥିବା ଏହି ଜୟଯାତ୍ରା ଏବେ ଓଡ଼ିଆ ସାହିତ୍ୟର ଅନ୍ୟତମ ବଳିଷ୍ଠ ବିଭାଗ ଭାବରେ ପ୍ରତିଷ୍ଠା ହାସଲ କରିଛି । ପରିବର୍ତ୍ତନଶୀଳ ସମୟର ଧାରାରେ ଘଟିଯାଇଥିବା ଦୁଇଟି ବିଶ୍ୱଯୁଦ୍ଧର ଭୟାବହତା ଶିହରି ଯାଇଥିବା ମଣିଷର କଥା ଗଳ୍ପ, କବିତା, ଉପନ୍ୟାସ, ନାଟକ ପ୍ରଭୃତିରେ ପ୍ରତିଫଳିତ ହୋଇ ଆସିଛି । ଅସଂଖ୍ୟ ସ୍ରଷ୍ଟାଙ୍କ କଲମରୁ ସୃଷ୍ଟି ହୋଇଛି ପର୍ଯ୍ୟାପ୍ତ ପରିମାଣର ଗଳ୍ପ । ଅବଶ୍ୟ କୁହାଯାଉଥିବା ଆଧୁନିକତାର ପରିପାଟୀରେ ଗଳ୍ପର କଳେବର ବିଭିନ୍ନ ପ୍ରକାରର ହୋଇଛି । ଆଭାସ ଗଳ୍ପ, ନାନୋଗଳ୍ପ, ଝଲକ ଗଳ୍ପ ଭଳି ଅନେକ କଥା ସାହିତ୍ୟ ସୃଷ୍ଟି ହୋଇଛି ।  କିଛି କଥାକାର ଏହିସବୁ ଗଳ୍ପ ଆଧାରରେ ଏକ ଧାଡ଼ି କିମ୍ବା ଦୁଇ ଧାଡ଼ି ବିଶିଷ୍ଟ ଗଳ୍ପ ଲେଖୁଛନ୍ତି । ଗୁଣଗ୍ରାହୀ ପାଠକମାନଙ୍କର ହୃଦୟକୁ ଛୁଇଁବା ସହିତ କିପରି ସନ୍ତୁଷ୍ଟ କରିପାରିବ ତାହା କେବଳ ସମୟ ହିଁ କହିବ ।
ସାଂପ୍ରତିକ ସମୟର କଥାକାରମାନଙ୍କ ମଧ୍ୟରୁ ଭାଗୀରଥି ବେହେରା ଜଣେ ଅନନ୍ୟ ପ୍ରତିଭା । ତାଙ୍କର ସଦ୍ୟ ପ୍ରକାଶିତ ପଞ୍ଚମ ଗଳ୍ପ ପୁସ୍ତକ ହେଉଛି ‘ସିଦ୍ଧେଶ୍ୱରୀ ଓ ଅନ୍ୟାନ୍ୟ ଗଳ୍ପ’ । ଗଞ୍ଜାମର କବିତା ଘର ଲିଟେରାରୀ ଟ୍ରଷ୍ଟ ଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ସମୁଦାୟ ପନ୍ଦରଟି ଗଳ୍ପ ସ୍ଥାନ ପାଇଛି । “ସିଦ୍ଧେଶ୍ୱରୀ, ନିଖୋଜ ଈଶ୍ୱର, ମାଛମୁଣ୍ଡ, ବାସନ୍ଦ, ଖଣ୍ଡେ ଶାଢ଼ୀ ଓ ହଜାରେ ଟଙ୍କା, ପେନ୍‌, ଦେବକୀ, ମଧୁଶାଳା, ପାପଗ୍ରାହୀ, ଫେରିବାର ପଥ, ଅମେରୁଦଣ୍ଡୀ, ଚିତ୍ରରଥ, ପ୍ରେମିକା, କୀଟନାଶକ ଓ ସୀତା”  ଗଳ୍ପଗୁଡ଼ିକ ଖୁବ୍ ସ୍ୱତନ୍ତ୍ର ଓ ଭିନ୍ନ ସ୍ୱାଦର ଅଟେ ।
ପୁସ୍ତକର ପ୍ରଥମ ଗଳ୍ପଟିର ନାମ ହେଉଛି ‘ସିଦ୍ଧେଶ୍ୱରୀ’ । ନିଚ୍ଛକ ଅନୁଭୂତିର ପ୍ରତ୍ୟକ୍ଷ ଅବତାରଣା ଘଟିଛି ଏହି ଗଳ୍ପରେ । ଲେଖକୀୟ ଦୃଷ୍ଟିଶକ୍ତିର ଆଧାରରେ ଅଲୋଡ଼ା ହୋଇ ରହିଯାଇଥିବା ପଥର ମୂର୍ତ୍ତିକୁ ନେଇ କଥାକାର ଭାଗୀରଥି ବେହେରା ଏକ ଚମକ ସୃଷ୍ଟି କରିଛନ୍ତି । ସୁନ୍ଦର ଶବ୍ଦ ସଂଯୋଜନା ଏବଂ ବଳିଷ୍ଠ ପ୍ରମାଣଭିତ୍ତିକ ଉପସ୍ଥାପନାରେ ଗଳ୍ପଟିର ସର୍ବାଙ୍ଗ ସୁନ୍ଦର ହୋଇପାରିଛି । ଅତୀତରେ ଦୈବୀଶକ୍ତି, କାଳିସୀ, ଗ୍ରାମଦେବତୀ, ଯେଉଁଭଳି ଭାବରେ ବିଶ୍ୱାସୀ ମଣିଷର ଛାତିରେ ଛାପ ସୃଷ୍ଟି କରିଛି ତାହା ଲିଭିବା ଏତେ ସହଜ ବ୍ୟାପାର ନୁହେଁ । ଓଡ଼ିଶାର ପୁରପଲ୍ଲୀରେ ଗ୍ରାମଦେବତୀ ପୂଜା ପାଇ ଆସୁଥିଲାବେଳେ କେଉଁଠି ନା କେଉଁଠି ଝଡ଼ାଫୁଙ୍କା, କାଳିସୀ ଲାଗିବା ଏବଂ ଗୁଣିଗାରେଡ଼ି ଭଳି ପ୍ରସଙ୍ଗ ଦେଖିବାକୁ ମିଳୁଛି । ସିଦ୍ଧେଶ୍ୱରୀ ଗଳ୍ପରେ ଗଦାଧର ମହାରଣା, ମାୟାଧର, ସିଦ୍ଧେଶ୍ୱରୀ, ଦ୍ୱାରିକା, ରାଧିକା, ଚଣ୍ଡୀ (ଚନ୍ଦ୍ରିକା) ଭଳି ଚରିତ୍ରମାନଙ୍କର ଅବତାରଣା ମାଧ୍ୟମରେ ଗଳ୍ପଗୁମ୍ଫା ପରିପୂର୍ଣ୍ଣ ହୋଇଛି । ମୂର୍ତ୍ତି କାରିଗର ଗଦାଧର ମହାରଣା ହେଉଛନ୍ତି କାରିଗର କୁଳର ପ୍ରତୀକ । ପଥର ମୂର୍ତ୍ତି ଗଢ଼ିବାକୁ ଅନୁରୋଧ କରି ବଙ୍ଗାଳୀବାବୁ ଜଣକ କୁଆଡ଼େ ଯାଇଛନ୍ତି ଯେ ଆଉ ଫେରି ନାହାଁନ୍ତି । ମରୁଡ଼ି ମୁକାବିଲା ପାଇଁ ଆସିଥିବା ବଙ୍ଗାଳୀ ସାହେବ ଗୟାଧରଙ୍କ ପୁଅ ମାୟାଧରଙ୍କ ଘରେ ରହି ସୁନ୍ଦର ଦେବୀ ମୂର୍ତ୍ତିଟିଏ ଗଢ଼ିବା ପାଇଁ କହିଛନ୍ତି । ସେହି ଦେବୀଙ୍କୁ କଲିକତା ନେଇ ନିରାମିଷ ଠାକୁରାଣୀ କରିବାର ଦେଇଥିବା କଥା ପ୍ରତାରଣା ପାଲଟି ଯାଇଛି । ପଢ଼ୁଆ ଝିଅ ସିଦ୍ଧେଶ୍ୱରୀ ବେଳେବେଳେ ବଙ୍ଗାଳୀ ସାହେବଙ୍କ ଠାରୁ ବୁଝୁଥିବା ପାଠ ଆଉ ପଚାରିବାକୁ ପାଇ ନାହିଁ । ବର୍ଣ୍ଣନାକ୍ରମରେ ବିଜୁଳିରେ ମାୟାଧର ଓ ତାଙ୍କ ସ୍ତ୍ରୀର ମୃତ୍ୟୁ ହେଲାପରେ ଗାଁ’ରୁ ଦୁଇଟି ମୁଣ୍ଡ ଗଲା ବୋଲି ପ୍ରଚାର ହୋଇଛି ।
ହାତଗଢ଼ା ପଥର ମୂର୍ତ୍ତି ସିଦ୍ଧେଶ୍ୱରୀଙ୍କୁ ପୂଜା କଲେ ଗାଁ’ରେ ଅନ୍ୟମାନଙ୍କ  ମୁଣ୍ଡ ଯିବାର ଭୟ ମଧ୍ୟ ଲୋକମାନଙ୍କୁ ଘାରିଛି । ଗଳ୍ପର ବର୍ଣ୍ଣନାଶୈଳୀ ଖୁବ୍ ବଳିଷ୍ଠ । କଥାକାରଙ୍କ ଭାଷାରେ -“ଅଁଳା ଗଛମୂଳେ ସିଦ୍ଧେଶ୍ୱରୀଙ୍କ ଆଖି ଦୁଇଟା ଯେମିତି ଦାଉ ଦାଉ ଜଳୁଥିଲା । ଦ୍ୱାରିକା ଫେରୁଥିଲେ ଅତୀତକୁ ଠିକ୍ ସନ୍ଧ୍ୟା ପୂର୍ବର ଅପରାହ୍ଣ ପରି ।” ମାୟାଧରଙ୍କ ଏକମାତ୍ର ଭଉଣୀ ସିଦ୍ଧେଶ୍ୱରୀ ଗଳ୍ପର ଶେଷ ଆଡ଼କୁ ଉଭାନ ହୋଇଯାଇଛନ୍ତି । ତା’ପୂର୍ବରୁ କଥାକାର ସୂଚେଇ ଦେଇଛନ୍ତି ଯେ ବଙ୍ଗାଳୀ ସାହେବ ନିରାମିଷ ପଥର ମୂର୍ତ୍ତି ଗଢ଼ିବାର କଥା କହି  ଆଉ ଫେରି ନାହାଁନ୍ତି ଯଦ୍ଦ୍ୱାରା ପଥର ମୂର୍ତ୍ତିଟିକୁ ନିରାମିଷ ସିଦ୍ଧେଶ୍ୱରୀ ଠାକୁରାଣୀ ଭାବରେ ମୂର୍ତ୍ତି ଗଢ଼ିବା ଅନୁକୂଳ ସମୟରେ ଲଗାଯାଇଥିବା ଅଁଳାଗଛ ପାଖରେ ରଖି ପୂଜା କରାଯାଇଛି । ଗଳ୍ପର ଅଗ୍ରଗତି ସମୟରେ ବାଡ଼ିଆଡ଼େ ରଖାଯାଇଥିବା ଠାକୁରାଣୀଙ୍କ ପାଖରେ ସିଦ୍ଧେଶ୍ୱରୀ ଧୂପ ଦେଇ ଦେବାରୁ ଗଦାଧର ମହାରଣା କହିଛନ୍ତି -“କ’ଣ କଲୁଲୋ ଚଣ୍ଡାଳୁଣୀ । କାହାର ମୂର୍ତ୍ତି, କେଉଁଠି ଯିବ, କି ପାଇଁ ପ୍ରତିଷ୍ଠା ହେବ ଏସବୁ ନ ଭାବି ଧୂପ ଦେଲୁ । ପ୍ରତିଷ୍ଠା ପୂର୍ବରୁ ପୂଜା କରି ପାପିନୀ ତୁ, ଘରକୁ ମହାବିପଦ ଡାକିଲୁ ।”  ଅନ୍ଧବିଶ୍ୱାସର କୁହୁଳିକା ଭିତରେ ମାୟାଧର ଏବଂ ତାଙ୍କ ସ୍ତ୍ରୀ ସରିତା ମଧ୍ୟ ରାଗି ଯାଇଛନ୍ତି ।
ପରିବର୍ତ୍ତନଶୀଳ ମୁହୂର୍ତ୍ତରେ କଲେଜ ପଢ଼ୁଆ ଝିଅ ସିଦ୍ଧେଶ୍ୱରୀ ଆଚରଣ ବଦଳିଛି । କେଶ ମୁକୁଳା କରି ଆଖି ବଡ଼ବଡ଼ କଲାପରେ ନିରାମିଷ ଠାକୁରାଣୀ ହେବାକୁ ଥିବା ପଥର ମୂର୍ତ୍ତିକୁ କୁଣ୍ଢେଇ ଚିତ୍କାର କରିଛି – “ଝୁଣା ଦେ, ଆଚୁ ଦେ, ସିନ୍ଦୁର ଦେ, ମତେ ହଳଦୀପାଣିରେ ଗାଧୋଇ ଦେ, ମୁଁ ସିଦ୍ଧେଶ୍ୱରୀ ଠାକୁରାଣୀ । ନ କଲେ ସବୁ ସର୍ବନାଶ ।” ଅନ୍ଧବିଶ୍ୱାସରେ ହୁଳହୁଳି ଘଣ୍ଟା ଏବଂ ବାଦ୍ୟରେ ପ୍ରକମ୍ପିତ ହେଲା ପରିସର । ଅପୂଜା ପଥର ଦେହରେ ଦେବୀ । ପୁଣି ଦେବୀ ଗଢ଼ୁ ଗଢ଼ୁ ମା’ସିଦ୍ଧେଶ୍ୱରୀଙ୍କର ଆର୍ବିଭାବକୁ ନେଇ ମନରେ ଶଙ୍କା ଉପୁଜିଛି । ପରେ କାଳିସୀ ଆଦେଶରେ ଗଦାଧର ମହାରଣା ମା’ଙ୍କୁ କ୍ଷମା ମାଗିଲା ବେଳେ “ତୋ’ଘରୁ ଦୁଇ ମୁଣ୍ଡ ଗଲେ ଏ ଗାଁ’ର ମଙ୍ଗଳ ହେବ ।” ସିଦ୍ଧେଶ୍ୱରୀ ଚରିତ୍ରକୁ ଜୀବନ୍ତ କରିବା ପାଇଁ ହଜିଯାଇଥିବା ଝିଅ ନାମରେ ମୂର୍ତ୍ତିର ନାମ ମଧ୍ୟ ସିଦ୍ଧେଶ୍ୱରୀ ରଖାଗଲା । ମା’ସିଦ୍ଧେଶ୍ୱରୀଙ୍କର ସ୍ଥାୟୀ ମନ୍ଦିର ନ ଥିବାରୁ ଗଦାଧର ନିଜ ଘରକୁ ମନ୍ଦିର ଭାବରେ ଘୋଷଣା କରି ଗାଡ଼ିରେ ଯିବାକୁ ବାହାରିଲାବେଳେ କାଳିସୀର ଅଦ୍ଭୁତ ଆଚରଣ ସମସ୍ତଙ୍କୁ ଭୟ ଆଣି ଦେଇଛି । ସାନଝିଅ ଚନ୍ଦ୍ରିକାର ଆଚରଣ ବଦଳି ଯାଇଛି । ପାହାଡ଼ ଉପର ପୁରୁଣା ଗାତୁଆ ପୋଖରୀକୁ ଯିବାକୁ କହିଛି । ସିଦ୍ଧେଶ୍ୱରୀ ଅନ୍ତର୍ଦ୍ଧାନ ହୋଇ ମୃତ୍ୟୁ ବରଣ କରିବାପରେ ତା’ର ଅତୃପ୍ତ ଆତ୍ମା ସେଠି ବୁଲୁଛି । ଗଳ୍ପର ଶେଷରେ ସ୍ତ୍ରୀ ରାଧିକା ଝିଅ ଚଣ୍ଡୀକୁ କୋଡ଼କୁ ଟେକି ଆଣିଛନ୍ତି । ଶେଷରେ କଥାକାରଙ୍କ ଭାଷାରେ -“ମା’ ସିଦ୍ଧେଶ୍ୱରୀଙ୍କ ମୁହଁରୁ ନିରୁଦ୍ଦିଷ୍ଟ ଝିଅର ଠିକଣା ଶୁଣି ବୃଦ୍ଧ ମୂର୍ତ୍ତିକାରଙ୍କ ଦେହରେ ଥିବା ବାକି ବଳ ଆସିଯାଇଥିଲା । ତଳେ ପଡ଼ିଯାଇଥିଲେ ସେ । କିଏ ବି ଜାଣି ପାରୁନଥିଲେ ଯେ ଇହଧାମରେ ଗଦାଧର ମହାରଣା ଆଉ ନାହାଁନ୍ତି ବୋଲି ।” କୁସଂସ୍କାର ଏବଂ ଅନ୍ଧବିଶ୍ୱାସ ପ୍ରତି ଏକ ସଚେତନ ମୂଳକ ବାର୍ତ୍ତା ଏହି ଗଳ୍ପରେ ନିହିତ ଅଛି । କଥାକାର ଶ୍ରୀଯୁକ୍ତ ବେହେରାଙ୍କ ପ୍ରତ୍ୟେକ୍ଷ ଅନୁଭୂତିରୁ ସୃଷ୍ଟି ହୋଇଥିବା ଏହି ଗଳ୍ପ ନିଶ୍ଚୟ ଭିନ୍ନ ସ୍ୱାଦର ଅଟେ ।
ଗଳ୍ପ ସଂକଳନର ଦ୍ୱିତୀୟ ଗଳ୍ପ ହେଉଛି ‘ନିଖୋଜ ଈଶ୍ୱର’ । ବିଭିନ୍ନ ଚରିତ୍ର ଯଥା ସଚିବ, ଶିକ୍ଷା ସଂଯୋଜକ ବିଦ୍ୟାପତି ପରିଜା, ଈଶ୍ୱର ଦାସ, ନୀଳମାଧବ ପଣ୍ଡା, ବଳିୟା ସେଠୀ, ମାଳତୀ ଓ କସ୍ତୁରୀମାନଙ୍କୁ ନେଇ ଗଳ୍ପଟି ଖୁବ୍ ରସାଣିତ ହୋଇଛି । ବିଚ୍ଛିନ୍ନାଞ୍ଚଳର ହରିଜନ ପଡ଼ାରେ ମୁଣ୍ଡ ଟେକିଥିବା ସ୍କୁଲ ଏବଂ ବଳିୟା ସେଠି ଚରିତ୍ରଦ୍ୱୟଙ୍କ ମଝିରେ ସୃଷ୍ଟି ହୋଇଛି ଶିକ୍ଷକ ଈଶ୍ୱର ଦାସ ଚରିତ୍ର । ବେଶ କିଛି ବର୍ଷ ହେବ ଏହି ବିଚ୍ଛିନ୍ନାଞ୍ଚଳ ହରିଜନପଡ଼ା ସ୍କୁଲରୁ ଈଶ୍ୱର ଦାସ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି । ତାଙ୍କୁ ଖୋଜିବା ପାଇଁ ସଚିବ, ନିର୍ଦ୍ଦେଶକ ଓ ଗଣଶିକ୍ଷା ବିଭାଗ ତତ୍ପରତା ପ୍ରକାଶ କରି ଶିକ୍ଷା ସଂଯୋଜକ ବିଦ୍ୟାପତି ପରିଜାଙ୍କୁ ହରିଜନପଡ଼ା ଗସ୍ତରେ ପଠାଇଛନ୍ତି । ଅପହଞ୍ଚ ଇଲାକାରେ ବିଦ୍ୟାପତି ବାବୁ ପହଞ୍ôଚବା ପରେ ଭଲ ରାସ୍ତା ନ ଥିବା ଏହି ଜଙ୍ଗଲିଆ ଅଞ୍ଚଳରେ ଶିକ୍ଷକମାନେ କାହିଁକି ରହୁ ନାହାଁନ୍ତି । କଥାକାରଙ୍କ ଭାଷାରେ – “ହରିଜନପଡ଼ା ଦେଖିଲା ପରେ ବିଦ୍ୟାପତିଙ୍କୁ ଲାଗିଲା ଅନ୍ଧାରରୁ ଆଲୋକର ପଥରେ ଅଶିକ୍ଷିତରୁ ଶିକ୍ଷିତ ହେବା ବଦଳେ ଓଲଟା ଗତି ହୋଇଛି । ଗାଡ଼ି ଅନ୍ଧାରର ଗହ୍ୱରକୁ ଠେଲି ହୋଇଯାଉଛି ବିକାଶର ଧାରା । ସରକାରୀ ସ୍କିମ୍ ସବୁ ଫେଲ୍ ମାରୁଛି ।”
ଗଳ୍ପର କଥାବସ୍ତୁ ଶୀର୍ଷକୁ (କ୍ଲାଇମାକ୍ସ) ଗଲାବେଳେ କଥାକାର ଘରୋଇ ବିଦ୍ୟାଳୟମାନଙ୍କର ଅବ୍ୟବସ୍ଥା ସଂପର୍କରେ ଆଲୋକପାତ କରିଛନ୍ତି । ଈଶ୍ୱର ଦାସ ନିଖୋଜ ହେବାପରେ ହରିଜନପଡ଼ାରେ କେହି କେହି କହିଲେ ତାଙ୍କୁ ହତ୍ୟା କରି ମାଲିକ ନଈରେ ଭସାଇ ଦେଇଛି । କିଏ କହିଲେ, ଈଶ୍ୱର ଦାସ ବାହା ହେଲାପରେ ଗୁପ୍ତରେ ଅନ୍ୟ କେଉଁଠି ଅଛି । ଅନ୍ୟ କେତେକ କହିଲେ ଈଶ୍ୱର ଦାସ ବଳିଆ ସେଠୀର ଦ୍ୱିତୀୟ ପତ୍ନୀ ମାଳତୀ ଓ ଝିଅ କସ୍ତୁରୀକୁ ନେଇ ଅନ୍ୟତ୍ର ଆତ୍ମଗୋପନ କରିଛି । ସାଂପ୍ରତିକ ସମୟରେ ବିଦ୍ୟାଳୟଗୁଡ଼ିକର ନବୀକରଣ କରାଯାଉଥିବାବେଳେ ହରିଜନପଡ଼ାର ଦୁର୍ଗମ ଅଞ୍ଚଳର କଥାକୁ କଥାକାର ଶ୍ରୀଯୁକ୍ତ ବେହେରା ଦର୍ଶାଇଛନ୍ତି । ସେଠି ହସ୍‌ପିଟାଲ୍‌, ମାର୍କେଟ, ମୋବାଇଲ୍ ଟାୱାର କିଛି ନାହିଁ । ନାହିଁ ନାହିଁରେ ଜୀବନ କଟାଉଥିବା ହରିଜନପଡ଼ାବାସୀଙ୍କର ଏହା ଥିଲା ଦୁଃଖ । ଈଶ୍ୱର ଦାସଙ୍କ ଅନ୍ତର୍ଦ୍ଧାନ ପରେ ସଚିବ ନୀଳମାଧବ ପଣ୍ଡା ମଧ୍ୟ ବ୍ୟସ୍ତ ହୋଇପଡ଼ିଛନ୍ତି । ଈଶ୍ୱର ଦାସ ଅନ୍ତର୍ଦ୍ଧାନ ହେଲାପରେ ବଳିଆ ସେଠୀର ସ୍ତ୍ରୀ ମାଳତୀ ଏବଂ ଅଷ୍ଟମ ଶ୍ରେଣୀ ପଢ଼ି ସାରିଥିବା ଝିଅ କସ୍ତୁରୀ ନିରୁଦ୍ଦିଷ୍ଟ ହୋଇଛନ୍ତି ।
ଗଳ୍ପଟିର ଶେଷ ଅଂଶରେ କଥାକାର ନିଶାସକ୍ତ ବଳିଆ ସେଠୀର ପରିବାର କଥା ବର୍ଣ୍ଣନା କରିଛନ୍ତି । ପ୍ରତିଦିନ ନିଶାଖାଇ ଉନ୍ମତ୍ତ ହେଲାପରେ ନିଜର ସ୍ତ୍ରୀ ଓ ଝିଅକୁ ପିଟାପିଟି କଲାବେଳେ ଈଶ୍ୱର ଦାସ ଅନେକବାର ସେମାନଙ୍କୁ ରକ୍ଷା କରିଛନ୍ତି । ଶେଷରେ ବଳିଆ ସେଠୀ ଅନୁତାପ କରିଛି । କହିଛି- “ମୋ’ଭଳି ପାପିକୁ ଏହାଠୁ ବଡ଼ ଦଣ୍ଡ ମିଳିବା ଦରକାର । ନିଶା ମତେ ବରବାଦ କରିଦେଲା ।” ବଳିଆ ସେଠୀର ପ୍ରଥମ ସ୍ତ୍ରୀ ଗଲାପରେ ଦ୍ୱିତୀୟ ସ୍ତ୍ରୀ ବି ଚାଲିଗଲା । ପାଖରେ ଥିବା ସାନ ଝିଅର ଭବିଷ୍ୟତକୁ ନେଇ ବ୍ୟସ୍ତ ହେବା ସହିତ ମାଳତୀ ଓ କସ୍ତୁରୀର ପାଦଧୋଇ କ୍ଷମା ମାଗିବାକୁ ପଛାଇ ନାହାଁନ୍ତି । ଈଶ୍ୱର ଦାସ ମିଳିଗଲେ ମାଳତୀ ଓ କସ୍ତୁରୀ ମିଳିଯିବେ ଭାବି ପଶ୍ଚାତାପ କଲାବେଳେ ବିଦ୍ୟାପତିଙ୍କ ସାମ୍‌ନାରେ ବଳିଆ ଶେଷ ନିଃଶ୍ୱାସ ତ୍ୟାଗ କରିଛି । ତଥାପି ଗଳ୍ପର ଶେଷରେ ହରିଜନପଡ଼ାବାସୀ ଅପେକ୍ଷାରେ ରହିଥିଲେ ଈଶ୍ୱର ଦାସ, ମାଳତୀ ଓ କସ୍ତୁରୀର ଫେରିବା ବାଟକୁ ।
ତୃତୀୟ ଗଳ୍ପଟି ହେଉଛି ‘ମାଛମୁଣ୍ଡ’ । ସୋମନାଥ, ସୌଦାମିନୀ ଏବଂ ସୌଦାମିନୀର ମଦୁଆ ଭାଇକୁ ନେଇ ଗଳ୍ପଟି ଗତିଶୀଳ ହୋଇଛି । ଗଳ୍ପଟିରେ ସୌଦାମିନୀ ଏବଂ ସୋମନାଥଙ୍କର ଘର ଗୋଟିଏ ଗାଁ’ର ଏ ମୁଣ୍ଡ ସେ ମୁଣ୍ଡ । ଗାଁରେ ଲକ୍ଷ୍ମୀ ନୃସିଂହ ପୂଜା ଓ ବୁଢ଼ୀ ଠାକୁରାଣୀ ମେଳା ପ୍ରସିଦ୍ଧ ଅଟେ । ଲକ୍ଷ୍ମୀ ନୃସିଂହ ପୂଜା ସାତଦିନ ଧରି ଚାଲୁଥିଲାବେଳେ ବୁଢ଼ୀଠାକୁରାଣୀଙ୍କ ପୂଜା ଦୁଇଦିନ ଧରି ଚାଲେ । ଶେଷରେ ଯନ୍ତାଳ ହୁଏ । ସୋମନାଥ ଓ ସୌଦାମିନୀଙ୍କ ମଧ୍ୟରେ ଦେଖା ଦେଇଥିବା ପ୍ରେମଭାବ ଯନ୍ତାଳ ଦିନ ଅଧିକ ପ୍ରକଟିତ ହୁଏ । ଗାଁ ଠାକୁରାଣୀଙ୍କ ଉପରେ ଦୃଢ଼ ବିଶ୍ୱାସ ସ୍ଥାପନ କରିଥିବା ଗାଁ ଲୋକେ କୁକୁଡ଼ା କି ବୋଦା ବଳି ଦେଇଥାଆନ୍ତି । ତା’ପର ଦିନ ଯନ୍ତାଳ କ୍ଷୀରି, ପୁରୀ, ମାଛମୁଣ୍ଡ ଭୋଗ କରାଯାଏ । ଯନ୍ତାଳ ଦିନ ଖାଦ୍ୟ ପରଶୁଥିବା ସୋମନାଥ ସମସ୍ତଙ୍କ ପତ୍ରରେ ଗୋଟିଏ ଲେଖାଏଁ ମାଛମୁଣ୍ଡ ଦେଉଥିଲାବେଳେ ସୌଦାମିନୀ ପତ୍ରରେ ଦୁଇଟି ମୁଣ୍ଡ ଦେଇଥିଲେ । ମାଛ ମହୁର ପରଷୁଥିବା ଅନ୍ୟ ଜଣେ ଯୁବକଙ୍କ ଦେହରେ ନ ଯିବାରୁ ଗଣଗୋଳର ସୂତ୍ରପାତ ହୋଇଛି । ଶେଷରେ ପୋଲିସ ଆସି ସୌଦାମିନୀ ଓ ତାଙ୍କର ଭାଇକୁ ନେଇଯାଇଛି । କ୍ରମେ ତେଇଶି ବର୍ଷରେ ପଦାର୍ପଣ କରିଥିବା ସାବାଳକ ସୋମନାଥ ପୋଲିସ ଥାନାରୁ ସୌଦାମିନୀ ଓ ତାଙ୍କର ଭାଇକୁ ମୁକୁଳାଇଛନ୍ତି । ଭାଇକୁ ରକ୍ଷା କରିବା ପାଇଁ ସୌଦାମିନୀ ଅଣ୍ଟାରେ ଲୁଗା ଭିଡ଼ି ହାତରେ ଠେଙ୍ଗାଧରି ପୁଲିସଙ୍କ ସହିତ ଯୁକ୍ତିତର୍କ କଲାପରେ ଗାଁଲୋକ ଭାବିଥିଲେ ଏ ଉଦଣ୍ଡୀକୁ କେହି ବୋହୂ କରି ନେବେ ନାହିଁ । ବାସ୍ତବରେ ଏହି ଭାବନା ଭୁଲ୍ ଥିଲା । ସୋମନାଥଙ୍କ ପାଇଁ ଜୀବନରେ ଦୁଇ ଥର ଗଳାରେ ଫୁଲମାଳ ପିନ୍ଧା ସହିତ ଘଣ୍ଟା ଓ ବାଜା ଇତ୍ୟାଦି ବାଜିଥିଲା । ପ୍ରଥମଟି ହେଲା ତେଇଶି ବର୍ଷୀୟ ସୋମନାଥ ଅଫିସର ହୋଇ ଗାଁକୁ ଆସିବାବେଳେ ଓ ଦ୍ୱିତୀୟଟି ହେଲା ଥାନା ଫେରନ୍ତା ସୌଦାମିନୀକୁ ବିବାହ କରିବା ପରେ । ଏହି ଗଳ୍ପରେ ଅନେକ ପ୍ରସଙ୍ଗ ଦେଖିବାକୁ ମିଳେ । ଗ୍ରାମବାସୀଙ୍କର ଏକତା ପାଇଁ ଯନ୍ତାଳ ହେବା ଓ ଗାଁର ଯାନିଯାତ୍ରାରେ ସମସ୍ତେ ଏକତ୍ରିତ ହେବା । ଗ୍ରାମ୍ୟ ଦୃଶ୍ୟର ଏକ ନଗ୍ନ ନମୁନାରେ ସଫଳ ପ୍ରେମର ପରିଭାଷା ଖୁବ୍ ସୁସ୍ପଷ୍ଟ ।
‘ବାସନ୍ଦ’ ଗଳ୍ପ ହେଉଛି ସମାଜର ଏକ ନିଚ୍ଛକ ଉଦାହରଣ । ଯେଉଁ ଗାଁ’ରେ କୌଣସି କାରଣରୁ ବାସନ୍ଦ ହୋଇ ଆସିଥିବା ପରବର୍ତ୍ତୀ ସମୟରେ ସେଇ ଗାଁର ଗଜେନ୍ଦ୍ର ଜିଲ୍ଲାପାଳ ହୋଇ ନିଜ ଜନ୍ମମାଟିକୁ ଫେରିବା ପରେ ଚିତ୍ର ବଦଳି ଯାଇଛି । ଗାଁ ମାମଲତକାର ଜୟରାମଙ୍କ ପାଇଁ ବାସନ୍ଦ ଭଳି ଏକ ଆକଟ ପଡ଼ାରେ ଲାଗିଯିବା ପରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥିଲା । ଗଜେନ୍ଦ୍ର ଯେ କି ବାସନ୍ଦ ପଡ଼ାର ଏକ ପ୍ରତୀକ ଜିଲ୍ଲାପାଳ ଭାବରେ ଅବସ୍ଥାପିତ ହେଲାପରେ ପଚାଶ ବର୍ଷର ବାସନ୍ଦ ଉଠିଯାଇଛି । ଜୟରାମଙ୍କ କନ୍ୟା ଜୟନ୍ତୀକୁ ଜିଲ୍ଲାପାଳ ବିବାହ କରିଛନ୍ତି । ପିଲାବେଳୁ ଗଜେନ୍ଦ୍ରଙ୍କୁ ଭଲପାଇ ଆସୁଥିବା ଜୟନ୍ତୀ ଖୁସିରେ ସଂସାର କରିବାକୁ ମନ ବଳାଇଛି । ଜିଲ୍ଲାପାଳ ଗଜେନ୍ଦ୍ରଙ୍କ ପ୍ରଚେଷ୍ଟାରେ ବାସନ୍ଦ ଭଳି ଏକ ସାମାଜିକ କୁସଂସ୍କାର ପ୍ରତ୍ୟାହାର ହୋଇଛି ।
ଠିକ୍ ସେହିପରି ‘ଖଣ୍ଡେ ଶାଢ଼ୀ ଓ ହଜାରେ ଟଙ୍କା’ ଗଳ୍ପଟି ସମାଜର ଅବହେଳିତ ଦରିଦ୍ରମାନଙ୍କର କଥାକୁ ଉପାସ୍ଥାପନ କରିଛି । ସତୁରା, ସତୁରା ବୋଉ, ଶଶି, ବଟିଆ, ଧାଈମା’, ହୋମଗାର୍ଡ଼, କମ୍ପାଉଣ୍ଡର ଏବଂ ଗାଁ ମୁଖିଆ ଚରିତ୍ରମାନଙ୍କୁ ନେଇ କଥାବସ୍ତୁ ଗତିଶୀଳ ହୋଇଛି । ପାଗଳ ସ୍ୱାମୀଙ୍କୁ ନେଇ ଅଭାବ ଅନଟନରେ ସଢ଼ୁଥିବା ଶଶି ଖଣ୍ଡେ ଶାଢ଼ୀ ଓ ହଜାରେ ଟଙ୍କାରେ ଦୁଇଟି ଯମଜ ଶିଶୁଙ୍କୁ ବିକ୍ରି କରିଦେଇଛି । କଥାକାରଙ୍କ ଭାଷାରେ -“ପାହାଡ଼ର ନିଥର ଛାତି ଯେମିତି ଡରି ଯାଉଥିଲା ଶଶି ଭଳି ନାରୀର କ୍ରନ୍ଦନରେ ।’ ଶଶି ସିନା ସ୍ୱାମୀର ପାଗଳପଣ ଓ ଅଭାବ ଯୋଗୁ ସଦ୍ୟଜନ୍ମ ହୋଇଥିବା ଯମଜଙ୍କୁ ଖଣ୍ଡେ ଶାଢ଼ୀ ଓ ହଜାରେ ଟଙ୍କାରେ ବିକ୍ରି କରିଦେଲା କିନ୍ତୁ କ୍ରେତା ନେଲେ କିପରି? ସାଂପ୍ରତିକ ସମାଜରେ ଘଟି ଯାଉଥିବା ଘଟଣା ମଧ୍ୟରୁ ଏହା ଏକ ନଗ୍ନ ନମୁନା ।
ସୁଧୀରବାବୁ, ବିଧାୟକ, ମାଧବୀ, ଜୁଲିମାମା ଓ ରାଘବକୁ ନେଇ ‘ପେନ୍‌’ ଗଳ୍ପ ଉତୁରୀ ଯାଇଛି । ଜଣେ ଛାତ୍ରୀଙ୍କର ଆବଶ୍ୟକତା ମେଣ୍ଟାଇବାକୁ ସୁଧୀରବାବୁ ନିଜ ପେନ୍‌ଟିକୁ ଦେଇ ଦେଇଛନ୍ତି । ପକେଟ୍‌ରେ କଲମ ନଥିଲାବେଳେ ବିଧାୟକ କିଛି ଲେଖିବା ପାଇଁ ସୁଧୀର ବାବୁଙ୍କୁ ପେନ୍ ମାଗିଛନ୍ତି । ସୁଧୀରବାବୁ ପେନ୍ ନ ଦେଇ ପାରିବାରୁ ବିଧାୟକ କହିଛନ୍ତି -“ଦେଖ ଆଜିକାଲିର କି ମାଷ୍ଟର ଏମାନେ । ଯାହା ପାଖରେ ପେନ୍‌ଟିଏ ନାହିଁ ସିଏ କ’ଣ ଅଫିସର ହୋଇ ପିଲାଙ୍କ ଭବିଷ୍ୟ ସୁଧାରିବ ।” ଗୋଟିଏ ପେନ୍‌କୁ ଆଧାରିତ କରି ସୃଷ୍ଟି ହୋଇଥିବା ଗଳ୍ପଟି ପାଠକୀୟ ଉତ୍କଣ୍ଠା ସୃଷ୍ଟି କରିପାରିଛି ।
ଏହାପରେ ସ୍ମିତା, କାହ୍ନା, ଅନୀତା, ମନୋଜ, ନୀରଜ, ଅନୁଜ ଓ ଡାକ୍ତର ପ୍ରମୁଖକୁ ନେଇ ‘ଦେବକୀ’ ଗଳ୍ପର କ୍ଷେତ୍ର ପ୍ରସ୍ତୁତ ହୋଇଛି । ଅନୁଜ ଓ ଅନୀତା ବିଶାଖାପାଟଣା ଯାଇ ସନ୍ତାନ ନିମିତ୍ତ ପ୍ରୟାସ ଜାରି ରଖିଛନ୍ତି । ଡାକ୍ତର କହିଛନ୍ତି ଅନୀତା କେବେ ବି ମା’ହୋଇପାରିବେନି । ବିଷୟ ବସ୍ତୁଟିରେ କାହ୍ନାର ଜନ୍ମିତ ମା’ଠାରୁ ଅନୀତା କାହ୍ନାକୁ ରଖିବା ପରେ ସ୍ମିତାକୁ ଖରାପ ବ୍ୟବହାର ଦେଖାଇଛନ୍ତି । ଅନୀତା କାହ୍ନାକୁ ଘର ଭିତରକୁ ନେଇ ଯିବା ପରେ ସ୍ମିତା ଅଚେତ ହୋଇଯାଇଛନ୍ତି । ଏଣେ ଘର ଭିତରେ ସ୍ମିତା ଅଚେତ ହୋଇଗଲାପରେ ଅନ୍ୟ ତିନିଜଣ ବୁଝି ସାରିଥିଲେ ଯଶୋଦା ଏବେ କାହ୍ନାକୁ ଦେବକୀକୁ ଫେରେଇବାକୁ ପ୍ରସ୍ତୁତ ନ ଥିଲେ ।
ସମଗ୍ର ଗଳ୍ପ ସଂକଳନରେ ଥିବା ଗଳ୍ପମାନଙ୍କ ମଧ୍ୟରୁ “ମଧୁଶାଳା, ପାପଗ୍ରାହୀ, ଫେରିବାର ପଥ, ଅମେରୁଦଣ୍ଡୀ, ଚିତ୍ରରଥ, ପ୍ରେମିକା, କୀଟନାଶକ ଏବଂ ସୀତା” ଇତ୍ୟାଦି ଗଳ୍ପ କୌଣସି ଗୁଣରୁ କମ୍ ନୁହଁନ୍ତି । ଆଲୋଚନାର ସୀମିତ କଳେବରରେ ବିଶଦ ଆଲୋଚନା କରାଯିବା ସମ୍ଭବ ନ ହେଲେ ମଧ୍ୟ ଏସବୁ ଗଳ୍ପର ବିଷୟବସ୍ତୁ ଓ ବର୍ଣ୍ଣନାଶୈଳୀ ଖୁବ୍ ବଳିଷ୍ଠ । ଚରିତ୍ରମାନେ ଜୀବନ୍ତ । ‘ମଧୁଶାଳା’ ଗଳ୍ପଟି ସଂକଳନର ନିଆରା ଛବିଟିଏ ଆଙ୍କି ଦେଇଛି । ସରକାରୀ ଠିପି ଖୋଲା ମଦଦୋକାନ ଓ ବିମଳା ବାର୍ ପ୍ରସଙ୍ଗ ଏଥିରେ ଉଲ୍ଲେଖ ଅଛି । ସଞ୍ଜୟ ଭଳି ଚରିତ୍ର ଏବଂ ତାଙ୍କୁ “ମାଇଁ ସନ୍‌, ମାଇଁ ସଞ୍ଜୟ” ଡାକରେ ଗଳ୍ପର ଅନ୍ତ ଘଟିଛି । ‘ପାପଗ୍ରାହୀ’ ଗଳ୍ପରେ ଅନିମା, କାହ୍ନା, ଅର୍ଜୁନ, ବଂଶୀଧର, ଅତନୁ, ଭାବଗ୍ରାହୀ କିମ୍ବା ଫେରିବାର ପଥର ଚରିତ୍ର ପ୍ରତିମା, ପ୍ରତିଷ୍ଠା, ରାଜୀବ ଏପରିକି ‘ଅମେରୁଦଣ୍ଡୀ’ ଗପର ସୁଶାନ୍ତ, ମହେନ୍ଦ୍ର, ବିଦ୍ୟାଧର ଏବଂ ବିଜୟା ଆମ ଚଉହଦୀର ଚରିତ୍ର ଅଟନ୍ତି । ସେହିପରି ‘ଚିତ୍ରରଥ\’ ଗଳ୍ପର ମିନୁ, ପଞ୍ଚାନନ ରାଉତରାୟ, ଚିତ୍ରରଥ ରାଉତରାୟ, ମେନକା ଚରିତ୍ର ଓ \”ପ୍ରେମିକା\’ ଗଳ୍ପର ମଣ୍ଟୁ, ନାଇରା, ଧନୀରାମ ତଥା \”କୀଟନାଶକ\’ ଗଳ୍ପର ରବିନା, ରଞ୍ଜନ, ରସିକମିଆଁ, ଜେଜି ଚରିତ୍ର ବେଶ ଜୀବନ୍ତ ମନେ ହୁଏ । ସଂକଳନଟିର ଶେଷ ଗଳ୍ପ \”ସୀତା\’ର ଚରିତ୍ର ବନ୍ଦନା, ସୀତା, ଚନ୍ଦନ ମାନଙ୍କୁ କଥାକାର ଶ୍ରୀଯୁକ୍ତ ବେହେରା ଯଦି ଚୟନ କରି ନଥାନ୍ତେ ତେବେ ଏହି ଗଳ୍ପମାନଙ୍କର ବିଷୟବସ୍ତୁ କ୍ରମଧାରାରେ ନିଶ୍ଚୟ ବ୍ୟାଘାତ ଘଟିଥାଆନ୍ତା ।
ସମଗ୍ର ଗଳ୍ପ ସଂକଳନର ବିଷୟବସ୍ତୁ ଏବଂ ଚରିତ୍ରମାନଙ୍କୁ ଆଲୋଚନାର ପରିସରକୁ ଆଣିଲା ପରେ ଏଥିରେ ବ୍ୟବହୃତ ଗାଉଁଲି ଏବଂ ଇଂରାଜୀର ଯେଉଁ ଶବ୍ଦସବୁ ପ୍ରୟୋଗ କରାଯାଇଛି ତାହା ଉଲ୍ଲେଖ କରିବା ନିହାତି ସମୀଚୀନ ମନେ ହୁଏ । ତନ୍ମଧ୍ୟରୁ ‘ସିଦ୍ଧେଶ୍ୱରୀ’ ଗଳ୍ପରେ – ଆଚୁ, ମଉନିମୁହିଁ, ସେଇସନ, ଭକ୍ତର, ‘ବାସନ୍ଦ’  ଗଳ୍ପରେ କୋଉ ଗାଁ ମାମୁଲତକାର, ବବର ଜନ୍ତାଳ, ଗୁମାନ କରିବା, ଫରମାସ, ‘ଦେବକୀ’  ଗଳ୍ପର ଧଡ଼କିନା, ‘ମଧୁଶାଳା’  ଗଳ୍ପର ଦଲାରୀ, ‘ପାପଗ୍ରାହୀ’  ଗଳ୍ପର ମୁଚୁକୁନ୍ଦ ହସ, ଗୁମ୍‌ସୁମ୍ ଓ ‘ଅମେରୁଦଣ୍ଡୀ’  ଗଳ୍ପର କିଚିକାଚି ପ୍ରଭୃତି ଶବ୍ଦଗୁଡ଼ିକୁ ଉଦାହରଣସ୍ୱରୂପ ନିଆଯାଇପାରେ । ଆଲୋଚନା ଦୃଷ୍ଟିରୁ ବିଚାରକୁ ନେଲେ ଅନେକ ଗୁଡ଼ିଏ ଇଂରାଜୀ ଶବ୍ଦ ବ୍ୟବହୃତ ହୋଇଥିବାର ନଜରକୁ ଆସେ । ‘ସିଦ୍ଧେଶ୍ୱରୀ’ ଗଳ୍ପରେ ଟ୍ରାନ୍‌ସଫର୍‌, ‘ନିଖୋଜ ଈଶ୍ୱର’ ଗଳ୍ପରେ ଜଏନ୍‌, ଫିସ୍‌, ପ୍ରାଇଭେଟ୍‌, ସ୍କିମ୍‌, ଟାୱାର, ହସପିଟାଲ, ‘ବାସନ୍ଦ’ ଗଳ୍ପରେ କଲେକ୍ଟର, ଅଫିସର, ପିକ୍‌ନିକ୍‌, ‘ପେନ୍‌’ ଗଳ୍ପରେ ପ୍ରାଇଭେଟ୍ ସ୍କୁଲ, ପେନ୍‌. ୟୁ ବିକେମ୍‌, ଓଲ୍‌ଡମ୍ୟାନ୍ , ଫାଇଲ, କମ୍ପାସ, ଫାଷ୍ଟ ପ୍ରାଇଜ୍‌, ‘ଦେବକୀ’ ଗଳ୍ପରେ ହସପିଟାଲ୍‌, ପ୍ଲିଜ୍‌, ହ୍ୱାଟ୍‌ସଆପ୍‌, ଭିଡ଼ିଓ କଲ୍‌, ଲକ୍‌ଡାଉନ୍‌, ଆଇସୋଲେସନ୍ ରୁମ୍‌, ‘ମଧୁଶାଳା’ ଗଳ୍ପରେ ଆପାର୍ଟମେଣ୍ଟ, ଫ୍ରି, ମାଇଁସନ୍‌, ପାର୍ଟି, କମ୍ପ୍ରୋମାଇଜ୍‌, ‘ପାପଗ୍ରାହୀ ’ଗଳ୍ପରେ କଲେଜ, ‘ଫେରିବାର ପଥ’ ଗଳ୍ପରେ କଲିଂବେଲ୍‌, ଇଡ଼ିଏଟ୍‌, ଭେନିଟ୍‌, ଷ୍ଟେସନ୍‌, ‘ଅମେରୁଦଣ୍ଡୀ’ ଗଳ୍ପରେ ସରପ୍ରାଇଜ୍‌, ଡିମାଣ୍ଡ, ଏୟାରପୋର୍ଟ, ‘ଚିତ୍ରରଥ’ ଗଳ୍ପରେ ପ୍ରମୋଶନ, ମ୍ୟାଡ଼ାମ୍‌, ‘ପ୍ରେମିକା’ ଗଳ୍ପରେ ମ୍ୟାନେଜର, ସୁଇମିଙ୍ଗପୁଲ୍‌, ବେଡ଼ଗାର୍ଲ, ବିଚ୍‌, ପାର୍ଟି ଫାକ୍‌ଟେରି, ‘କୀଟନାଶକ’ ଗଳ୍ପରେ ପୋଲିସ ଷ୍ଟେସନ୍‌, କେଶ୍‌, ପୋଷ୍ଟମର୍ଟମ୍ ରିପୋର୍ଟ ଏବଂ ‘ସୀତା’ ଗଳ୍ପରେ ହସ୍‌ପିଟାଲ୍ ଓ ନର୍ସିଂ ଭଳି ଅନେକ ଇଂରାଜୀ ଶବ୍ଦ ବ୍ୟବହାର ହୋଇଥିବା ଦେଖିବାକୁ ମିଳେ ।
କଥାକାର ଶ୍ରୀଯୁକ୍ତ ଭାଗୀରଥି ବେହେରାଙ୍କର ଏହି ‘ସିଦ୍ଧେଶ୍ୱରୀ ଓ ଅନ୍ୟାନ୍ୟ ଗଳ୍ପ’ରେ ସ୍ଥାନିତ ପନ୍ଦରଟି ଯାକ ଗଳ୍ପ ନିଶ୍ଚୟ ପାଠକୀୟ ଆଦୃତିଲାଭ କରିବ ଏଥିରେ ସନ୍ଦେହ ନାହିଁ । ନିଜର ଅନୁଭୂତି ଓ ଅଭିଜ୍ଞତାକୁ ପାଥେୟ କରି ଯେଉଁ ବିଷୟବସ୍ତୁ ସବୁ ଚୟନ କରିଛନ୍ତି ତାହା ଖୁବ୍ ଗ୍ରହଣୀୟ ହୋଇପାରିଛି । ଭାବରେ ଅନୁଭୂତିରେ ଉତୁରି ଆସିଥିବା ପ୍ରତ୍ୟେକ ଗଳ୍ପ ଖୁବ୍ ସୀମାହୀନ ଓ ସ୍ୱତନ୍ତ୍ର ସ୍ୱାଦର ହୋଇଛି । ସମାଜରେ ଆମ ସାଙ୍ଗରେ ମିଶୁଥିବା କିମ୍ବା ଚୌଦିଗରେ ଥିବା ଚରିତ୍ରମାନଙ୍କୁ ନେଇ ଯେ ବଳିଷ୍ଠ ଗଳ୍ପ ଲେଖା ଯାଇପାରେ ତାହା ଶ୍ରୀଯୁକ୍ତ ବେହେରା ପ୍ରମାଣିତ କରିପାରିଛନ୍ତି । ବାସ୍ତବରେ ତାଙ୍କର ଏହି ପନ୍ଦରଟି ଗଳ୍ପକୁ ଜଣେ ଆଲୋଚକ ଭାବରେ ମୁଁ ପ୍ରଶଂସା କରିବା ସହିତ ସୃଷ୍ଟିର ସୌଧ ଆହୁରି ସୁଉଚ୍ଚ ହେବ ବୋଲି ଆଶା କରୁଛି ।

ସମୀକ୍ଷକ ଡ ନୀଳମଣି ଲେଙ୍କା