‘ ବିଡମ୍ବିତ ପ୍ରେମର ସହର ‘ ରେ
ଔପନ୍ୟାସିକ ଭାଗିରଥୀ ବେହେରା –ଏକ ଆଳାପ
କହନ୍ତି ସାହିତ୍ଯର ପ୍ରମୁଖ ବିଭାଗ ପ୍ରବନ୍ଧ , କବିତା , ଗଳ୍ପ ଓ ଉପନ୍ୟାସ ମଧ୍ୟରୁ ସବୁଠୁ ଅଧିକ ପଢାଯାଏ ଉପନ୍ୟାସ । ଲେଖକ ସବୁଠୁ ଅଧିକ ମାନସିକ ପ୍ରସ୍ତୁତ ହେଇଥାଏ ଉପନ୍ୟାସ ଲେଖିଲା ବେଳେ । ଉପନ୍ୟାସର ବିନ୍ୟାସ ବ୍ୟାପ୍ତ । ଅନେକ ଚରିତ୍ରକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବା ତ ସମ୍ଭବ କେବଳ ଉପନ୍ୟାସରେ ହିଁ ହୁଏ ।
ପ୍ରକାଶକ କହନ୍ତି ଉପନ୍ୟାସର ପାଣ୍ଡୁଲିପି ଓଡିଶାରେ ଦୁର୍ମୂଲ୍ୟ । ଓଡିଶାରେ ହାତଗଣତି କେତେ ଲେଖକ ଉପନ୍ୟାସ ଲେଖନ୍ତି । ଯୁବପିଢୀ ଉପନ୍ୟାସରେ ହାତ ଦେବାକୁ ପଛଘୁଞ୍ଚା ଦେଉଛନ୍ତି । ଏମିତି ଏକ ଘଡିସନ୍ଧି ମୁହୂର୍ତ୍ତରେ ସାଇ ଯମୁନା ପବ୍ଲିକେସନ୍ସ , କଟକ ପ୍ରକାଶ କରିଛି ତାର ସଦ୍ୟତମ ଉପନ୍ୟାସ ‘ ବିଡମ୍ବିତ ପ୍ରେମର ସହର ‘ । ଔପନ୍ୟାସିକ ଭାଗିରଥୀ ବେହେରା ।
ଓଡିଶା ଶିକ୍ଷା ସେବାର ଅଧୀନରେ ଜଣେ ଶିକ୍ଷା ପ୍ରଶାସକ ଶ୍ରୀ ଭାଗିରଥୀ ବେହେରା । ଏକା ଏକା ହୃଦୟ , ନଦୀର ନାମ ଋତୁମତୀ ଓ ତମେ ନୁହଁ ଭୂଲିବାର ପରି କବିତା ସଙ୍କଳନର କବି ଭାଗିରଥୀ ବେହେରା । ତଟଶୂନ୍ୟ ଶୂନ୍ୟତା , ଅବୈଧ ଓ ବ୍ରହ୍ମପୁର ପରି ଗଳ୍ପ ସଙ୍କଳନର ଗାଳ୍ପିକ ଭାଗିରଥୀ ବେହେରା । କାଳଜୟୀ କବିତା ଓ କବି ପ୍ରିୟକବି ସଙ୍କଳନର ସଙ୍କଳକ ଭାଗିରଥୀ ବେହେରା । ସାହିତ୍ଯ ଅନୁଷ୍ଠାନ ଗଞ୍ଜାମର କବିତାଘର ସାହିତ୍ଯ ମଞ୍ଚର ପ୍ରତିଷ୍ଠାତା ସମ୍ପାଦକ ଓ ପତ୍ରିକା ‘ଭାଗୀରଥୀ –କବିତାର ଗଙ୍ଗା ‘ ର ସମ୍ପାଦକ ଭାଗିରଥୀ ବେହେରା ।
କହିବାକୁ ଗଲେ କବି , ଗାଳ୍ପିକ , ସମ୍ପାଦକ , ସାହିତ୍ଯ ସଂଗଠକ ପରି ଆଦି ଅନେକ ପରିଚୟର ଅଧିକାରୀ ଶ୍ରୀ ବେହେରାଙ୍କ ସଦ୍ୟତମ ଉପନ୍ୟାସ ‘ ବିଡମ୍ବିତ ପ୍ରେମର ସହର ‘ ପାଠକ ମହଲରେ ଆଦୃତି ଲାଭ କରିଛି ।
ଗଞ୍ଜାମ ଜିଲ୍ଲା ଚିଲିକା କୂଳରେ ଜନ୍ମିଥିବା ଶ୍ରୀ ବେହେରା ଆଜି ‘ ବିଡମ୍ବିତ ପ୍ରେମର ସହର ‘ ରେ ପଡିଛନ୍ତି ଧରା । ଚାଲନ୍ତୁ ତାଙ୍କ ସହ ଆଳାପ କରିବା । ଜାଣିବା ଏ ଉପନ୍ୟାସ ଲେଖିବାର କାହାଣୀ ପଛର କାହାଣୀ । ଜାଣିବା ଏ ଉପନ୍ୟାସ କାହିଁକି ଲେଖାଗଲା । ଚରିତ୍ର ମାନ କେଉଁ ପୃଷ୍ଠଭୂମୀରେ ହୋଇଛି ଲେଖା । ଆଶା , ଆପଣ ମାନଙ୍କୁ ଭଲ ଲାଗିବ । -ସମ୍ପାଦକ
ସମ୍ପାଦକ – ସୁଚିତ୍ରାକୁ ସ୍ଵାଗତ । କବି , ଗାଳ୍ପିକ ଓ ସମ୍ପାଦକ ଭାଗିରଥୀ ବେହେରା ଉପନ୍ୟାସରେ କେମିତି ?
ଶ୍ରୀ ବେହେରା – ‘ ବିଡମ୍ବିତ ପ୍ରେମର ସହର ‘ ମୋର ଦ୍ଵିତୀୟ ଉପନ୍ୟାସ । ଏହା ପୂର୍ବରୁ ୨୦୧୬ ରେ ଅନ୍ନପୂର୍ଣା ପବ୍ଲିସର ମୋତେ ପ୍ରବେଶ ଓ ପ୍ରକାଶ କରିଛି ୨୧୫ ପୃଷ୍ଠା ସମ୍ବଳିତ ମୋର ପ୍ରଥମ ଉପନ୍ୟାସ ‘ମାନବ –ଏକ ଆଦର୍ଶ ଶିକ୍ଷକ’ ଯେଉଁଥିରେ ପାଠକ ପାଇଛନ୍ତି ଏକ କରୁଣ କାହାଣୀ ଯେଉଁଠି ଜଣେ ଶିକ୍ଷକ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ଯାଏଁ ନିଜ ଶିଷ୍ୟାର ଅସ୍ତିତ୍ଵ , ନାରୀତ୍ଵ ,ଓ ସତୀତ୍ଵ ବଞ୍ଚେଇବାକୁ ଯାଇ ନିଜର ଘର ପରିବାର , ଚାକିରି , ପିଲାବେଳର ବାନ୍ଧବୀ , ପ୍ରେୟସୀ , ସମାଜରେ ପ୍ରତିଷ୍ଠା ସବୁକୁ ଜଳାଞ୍ଜଳି ଦେଇଛନ୍ତି ।
ସମ୍ପାଦକ –‘ ବିଡମ୍ବିତ ପ୍ରେମର ସହର ‘ ମନକୁ ଆସିଲା କେମିତି ?
ଶ୍ରୀ ବେହେରା – ଦିନେ ମୁଁ ବର୍ଷା ରାତିରେ ଜଣେ ବୃଦ୍ଧକୁ ଲିଫ୍ଟ ଦେଇଥିଲି । ସେ ଯାତ୍ରାରେ ସେ କହିଥିଲା ତା ଜୀବନର ଦୁଖର କାହାଣୀ । ସେ ବର୍ଷାଭିଜା ରାତିରେ ଜଣେ ସାଧାରଣ ସାଂସାରିକ ମଣିଷର ଦୁଖସୁଖରେ ମୋ ହୃଦୟ ହୋଇଥିଲା ଓଦା । ତା ପରେ ମୁଁ ତା ଜାଗାରେ ନିଜକୁ ରଖି ଭାବିଲି ଯେ , ମୁଁ ତା ଜାଗାରେ ଥିଲେ କ’ଣ କ’ଣ ହେଇଥାନ୍ତା । ଅନେକ କଳ୍ପନା ଜଳ୍ପନା ପରେ ଏ କାହାଣୀ ସୃଷ୍ଟି ହେଲା । ମୁଁ ଭାବିଥିଲି ଏହାର ନାମ ଲିଫ୍ଟ ରଖିବି । କିନ୍ତୁ ଉପନ୍ୟାସର ନାମକରଣ ଜାତକରେ ଏହା ଲେଖାଥିଲା ଯାହା ରୂପ ନେଇଛି ।
ସମ୍ପାଦକ – ତେବେ କ’ଣ ଆପଣ କହିବାକୁ ଚାହାନ୍ତି ଯେ ଉପନ୍ୟାସ ଲେଖିବାକୁ ହେଲେ ଲେଖକକୁ ପ୍ରତ୍ଯେକ୍ଷ ଅନୁଭବ କରିବାକୁ ହୁଏ , ଅଥବା ତାହା ଜୀବନରେ ଜଡିତ ହେଇଥାଏ ?
ଶ୍ରୀ ବେହେରା –ନା ନା ମୋର ସେମିତି କିଛି କହିବାର ନୁହଁ । କିନ୍ତୁ ଗଳ୍ପ , କବିତା , ନାଟକ , ଉପନ୍ୟାସ ଆଦି ସାହିତ୍ଯର ଯେଉଁ ବିଭାଗ ହେଉ , ଲେଖାର କୌଣସି ନା କୌଣସି ସମ୍ପର୍କ ତ ଥାଏ ଲେଖକର ଜୀବନ ସହ । ସୂକ୍ଷ୍ମରୁ ସୂକ୍ଷ୍ମାତି ଅନୁଭବ ହେଉ କିମ୍ବା ଜଣେ ବନ୍ଧୁଙ୍କ ଠାରୁ ଶୁଣା କାହାଣୀ ହେଉ । କିମ୍ବା ଯେଉଁ ସମାଜରେ ସେ ଲେଖକ ରହେ ସେ ସମାଜର ଘଟଣା ହେଉ , ଅପ୍ରତେକ୍ଷ ହେଉ ସମ୍ପର୍କ ତ ଥାଏ । ବିନା ଅନୁଭବ , ଅନୁଭୂତି ଓ ସମ୍ବେଦନାରେ ସୃଷ୍ଟି କର୍ତ୍ତା ସୃଷ୍ଟି କେମିତି କରିପାରିବ । କିନ୍ତୁ ଏଠି ଆଉ ଗୋଟେ କଥା କହିବାକୁ ଚାହେଁ ଯେ , ଯେଉଁ ଲେଖା ଲେଖକର ଅନୁଭୂତି ସମ୍ପନ୍ନ ଥାଏ , ତାହା ଜୀବନ୍ତ ଲାଗେ । ପାଠକ ପଢିବାକୁ ଭଲପାଆନ୍ତି ।
ସମ୍ପାଦକ -‘ ବିଡମ୍ବିତ ପ୍ରେମର ସହର ‘ ର କାହାଣୀ ଉପରେ ସମ୍ୟକ ଆଲୋକପାତ କରନ୍ତୁ ଯାହାଦ୍ୱାରା ପାଠକ ପଢିବାକୁ ଆଗ୍ରହ କରିବେ ।
ଶ୍ରୀ ବେହେରା – ଉପନ୍ୟାସର ମୁଖ୍ୟ ଚରିତ୍ର ( ନାୟକ ନିଶିକାନ୍ତ ) ଙ୍କ ଜୀବନରେ ଅନେକ ଥର ପ୍ରେମ ପାଖେଇ ଆସିଛି । କିନ୍ତୁ ଯେତେ ଥର ପାଖେଇ ଆସିଛି ସେତେଥର ବିଡମ୍ବତାର ସହ ଫେରିଯାଇଛି ।
ଯାହା ସହ ବିଧାତା ପରିଣୟ ଲେଖିବାକୁ ଯାଉଥିଲା ( ନାୟିକା ବନୀତା ) , ସେ ଭଲପାଇବାର ଭାଷା ଶିଖେଇବା ପୂର୍ବରୁ ଆଉ କାହାର ହୋଇଗଲା । ତାର ସ୍ମୃତିରେ ଅନେକ ଦିନ ଜଳିବା ପରେ ପୁନଶ୍ଚ ଭେଟ ହେବା ହିଁ , ଭଲପାଇବା ଉପରେ ଭରସା କରେଇବା ଶିଖେଇଲା । ତା ଜୀବନର ଭଙ୍ଗାଭଙ୍ଗୀ ଅବସ୍ଥାରେ ପୁନଶ୍ଚ ପ୍ରେମମୟ ସଂସାରଟିଏ ଗଢିବାର ଯେଉଁ ସ୍ଵପ୍ନ ଟିକେ ଗଢି ଉଠୁଥିଲା , ଆଉ ଜଣେ ନାୟକ ( ବନୀତାର ଦିଅର ଅର୍ଜୁନ )ଆସି ତାହା ବି ଭାଙ୍ଗିଦେଲା ।
ପୁନଶ୍ଚ ତାଙ୍କ ଜୀବନରେ ନାୟିକାର ସାନ ଭଉଣୀ ( ସୁନୀତା )ପ୍ରେମର ଫୁଲାଟିଏ ଫୁଟେଇଲା ବେଳେ ଜଣା ପଡୁଛି ସେ ବଗିଚାର ମାଳୀ ନିଜ ସାନ ଭାଇ ( ରତିକାନ୍ତ )। ପୁନଶ୍ଚ ସେଠୁ ନିରାଶ ହେଇ ତାଙ୍କୁ ଭଲପାଉଥିବା ଆଉ ଗୋଟିଏ ନାୟିକା ( ନମିତା ) ପାଖକୁ ଫେରିଲା ବେଳକୁ ତାହାର ବାହାଘର ଅନ୍ୟ ସହ ହେଇଯିବାର ସଂକେତ ମିଳିଲା । ଏମିତି ତାଙ୍କ ଜୀବନରେ କେବଳ ବିଡମ୍ବନା ହିଁ ବିଡମ୍ବନା । ଏ ଉପନ୍ୟାସ ରଚନା କରାଯାଇଛି ସେଇ ପୃଷ୍ଠଭୂମୀରେ ଯେତେବେଳେ ଚିଲିକାରେ ୱାଟର ଏରୋଡ୍ରମ ହେବାକୁ ନେଇ ରାଜନୈତିକ ସରଗରମ ଥିଲା । ଶେଷରେ ମୋ ଉପନ୍ୟାସର ନାୟକ ଜୀବନରେ ପ୍ରେମ ମିଳିଛି , କି ବିଡମ୍ବନାରେ କଟିଛି ତାହା ଜାଣିବାକୁ ହେଲେ ପାଠକଙ୍କୁ ପଢିବାକୁ ହେବ ।
ସମ୍ପାଦକ – ଗୋଟିଏ ଉପନ୍ୟାସ କେତେବେଳେ କିମ୍ବା କେମିତି କାଳଜୟୀ ହୁଏ ?
ଶ୍ରୀ ବେହେରା – ମୋ ମତରେ ଭଲ କାହାଣୀ ଉପନ୍ୟାସକୁ କାଳଜୟୀ କରେ , କାରଣ ପାଠକ କାହାଣୀ ପଢନ୍ତି ମାନସିକ ଆମୋଦ ପ୍ରମୋଦ ପାଇଁ । ଯଦି ତାହା ସାଂପ୍ରତିକ ସମୟ ଓ ଘଟଣାବଳୀ ସହ ଜଡିତ ଥାଏ ତାହାହେଲେ ଆହୁରି ଭଲ କଥା । କିନ୍ତୁ ଏଠି କହିବାକୁ ଚାହେଁ ଅନେକ ଯୁଗୋପଯୋଗୀ ଭଲ କାହାଣୀ କହିବାର ସଠିକ ଶୈଳୀ ଓ ସରଳ ଭାଷାର ଅଭାବରୁ କାଳଜୟୀ ହେଇପାରି ନାହିଂ ତାହାର ଦୃଷ୍ଟାନ୍ତ ସମୀକ୍ଷକ ମାନେ ଦେଇଛନ୍ତି । ଯେହେତୁ ପ୍ରତ୍ଯେକ କାହାଣୀକାରର ନିଜର କାହାଣୀ କହିବାର ସ୍ଵତନ୍ତ୍ର ଶୈଳୀ ଥାଏ , ତାଙ୍କର ଶୈଳୀ ହିଁ ପାଠକ ଦ୍ଵାରା ଆଦୃତ ହେଲେ କାଳଜୟୀ ହୁଏ ।
ସମ୍ପାଦକ –କହନ୍ତି ଲେଖକଙ୍କ ଲେଖା ସମାଜ ଉପଯୋଗୀ ହେବା କଥା । ଅନ୍ୟ କିଛି ସାହିତ୍ୟିକ କହନ୍ତି ଲେଖକଙ୍କ ସାମାଜିକ ଦାୟିତ୍ଵ କିଛି ନାହିଂ । ସେମାନେ କେବଳ ନିଜ ପାଇଁ ନିଜ ଆତ୍ମାରୁ ଲେଖନ୍ତି । ଆପଣ କେଉଁ ମତବାଦକୁ ସମର୍ଥନ କରନ୍ତି ? ଆପଣଙ୍କ ଏ ଉପନ୍ୟାସରେ ସାମାଜିକ ଅଙ୍ଗୀକାର ବଦ୍ଧତା ଅଛି କି ?
ଶ୍ରୀ ବେହେରା – ମତବାଦ ଉପରେ ମୋର କିଛି କହିବାର ନାହିଂ । ବିଭିନ୍ନ ମତବାଦ ଦେଉଥିବା ଲେଖକଙ୍କୁ ମୁଁ ପଚାରିବି ଯେ ସେମାନେ ଭାଗବତ , ଗୀତା , ରାମାୟଣ , ପଞ୍ଚତନ୍ତ୍ର କାହିଁକି ପଢନ୍ତି ? କେବଳ କଣ ଆମୋଦ ପ୍ରମୋଦ ପାଇଁ ? ଗୋଟିଏ ଗୋଟିଏ ବହି ବିପ୍ଲବ ଆଣିବାର ଉଦାହରଣକୁ ସେମାନେ ଖଣ୍ଡନ କରିପାରିବେ କି ? ଅର୍ଥାତ ଯଦି ଲେଖକ ସମାଜକୁ ନେଇ ଲେଖେ ଅତି ଭଲ କଥା । ଯଦି କୌଣସି ଲେଖକ ନ ଚାହେଁ ତଥାପି ତା ଅଜାଣତରେ ସମାଜ ଚାଲିଆସେ ଲେଖାରେ ।
ରହିଲା ମୋ ଉପନ୍ୟାସ କଥା । ଯେତେବଳେ ଚିଲିକାକୁ ନେଇ ଜଳ ଏରୋଡ୍ରମ ଉପରେ ବାଦବିବାଦ ହେଲା , ସେ ପୃଷ୍ଠଭୂମୀରେ ଲେଖା ହୋଇଛି ଉପନ୍ୟାସ । ମୁଁ ନିଜେ ଜାତିରେ ମତ୍ସ୍ୟଜୀବୀ । ଚିଲିକା କୁଳର ପିଲା । ଏ ଉପନ୍ୟାସରେ ପାଠକେ ପାଇବେ ଚିଲିକା ଭିତରେ ଓ ଚାରିକାନି ବଞ୍ଚୁଥିବା ଲକ୍ଷ ଲକ୍ଷ ମଣିଷ, ପଶୁ,ପକ୍ଷୀ , କୀଟ ଓ ପତଙ୍ଗର ଅବସ୍ଥା । ତେବେ ସମାଜ ଆସିଲାନି କି ? ସ୍ତ୍ରୀକୁ ସ୍ଵାମୀ ଛାଡିଦେଲେ କିମ୍ବା ସ୍ଵାମୀ ମରିଗଲେ ଦିଅର ତାକୁ ଗ୍ରହଣ କରେ , ଏହା ବି ମୋ ଉପନ୍ୟାସରେ ଅଛି । ସମାଜ ଆସିଲାନି କି ? ସ୍ତ୍ରୀ ମରିଗଲେ ଶାଳୀକୁ ଗ୍ରହଣ କରାଯାଏ ଯାହା ମୋ ଉପନ୍ୟାସରେ ଅଛି । ସମାଜ ଆସିଲାନି କି ? ତେଣୁ ‘ ବିଡମ୍ବିତ ପ୍ରେମର ସହର ‘ର ଅନେକ ମାତ୍ରାରେ ସାମାଜିକ ଅଙ୍ଗୀକାର ବଦ୍ଧତା ଅଛି ପାଠକେ ପଢିଲେ ଜାଣିବେ ।
ସମ୍ପାଦକ –ଆପଣ ଗଳ୍ପ ଓ କବିତା ବି ଲେଖନ୍ତି । କେଉଁ ଦିଗରେ ଲେଖିବା ସହଜ ହୁଏ ?
ଶ୍ରୀ ବେହେରା – ମୋତେ ଉପନ୍ୟାସ ଲେଖିବା ମଜା ଆସେ ଏବଂ ମୁଁ ସହଜ ହୋଇଯାଏ । କାରଣ ଉପନ୍ୟାସର କାନଭାସ ବଡ ଓ ଅନେକ ଚରିତ୍ର ସହ ଖେଳିବାକୁ ମଜା ଲାଗେ । ଯାହା ମୁଁ କବିତାରେ କହିପାରେନା ଗଳପରେ କହେ । ତଥାପି ଯାହା ବାକି ରାହିଯାଏ ଉପନ୍ୟାସରେ କହିଦିଏ ।
ସମ୍ପାଦକ –ଓଡିଶାର କେଉଁ ଔପନ୍ୟାସିକଙ୍କୁ ପଢନ୍ତି ଆପଣ ?
ଶ୍ରୀ ବେହେରା –ଯେଉଁମାନେ ସଂସାରରେ ନାହାନ୍ତି ତାଙ୍କରି ପ୍ରେରଣା ତ ରହିଆସିଛି ଓ ସେମାନଙ୍କୁ ପଢି ଲେଖିବା ଶିଖିଛୁ । କିନ୍ତୁ ଯେଉଁମାନେ ଅଛନ୍ତି ସେମାନଙ୍କ ଭିତରେ ପ୍ରତିଭା ରାୟ , ବିଭୁତି ପଟ୍ଟନାୟକ , ରାମଚନ୍ଦ୍ର ବେହେରା , ଅଜୟ ସ୍ଵାଇଁ ଏମିତି ଏନେକ ।
ସମ୍ପାଦକ –ଉପନ୍ୟାସକୁ ନେଇ ଆଗାମୀ ଯୋଜନା କ’ଣ ?
ଶ୍ରୀ ବେହରା –ଏ ବର୍ଷ ମୋର ପ୍ରକାଶ ହେବ ୩୦୦ ପ୍ରୁଷ୍ଠା ବିଶିଷ୍ଟ ମୋ ନୂତନ ଉପନ୍ୟାସ ‘ବିଷ୍ଣୁମାୟା’ । ଭଲ ପ୍ରକାଶକ ଖୋଜା ଚାଲିଛି । ଚିଲିକାର ମତ୍ସ୍ୟଜୀବୀଙ୍କୁ ନେଇ ନୂତନ ଉପନ୍ୟାସ ଲେଖିବାରେ ବ୍ୟସ୍ତ ହେବି ।
ସମ୍ପାଦକ –ଆମେ ଜାଣିଲୁ ଆପଣ ଆପଣଙ୍କ ସାହିତ୍ଯ ଅନୁଷ୍ଠାନକୁ ଟ୍ରସ୍ଟରେ ପରିଣତ କଲେ ଯାହା ସାହିତ୍ଯ ଜଗତରେ କ୍ଵଚିତ ଦେଖାଯାଏ । ସେ ସମ୍ପର୍କରେ କିଛି କୁହନ୍ତୁ । ଓଡିଶାରେ ଭଲ ନାମ କରୁଛି ଗଞ୍ଜାମର କବିତାଘର ସାହିତ୍ଯ ମଞ୍ଚ , ବ୍ରହ୍ମପୁର ।
ଶ୍ରୀ ବେହେରା –ଗଞ୍ଜାମର କବିତାଘର ସାହିତ୍ଯ ମଞ୍ଚ ୨୦୧୫ ରେ ବ୍ରହ୍ମପୁର ଠାରେ ପ୍ରତିଷ୍ଠିତ ହୋଇଥିଲା ମୋଦ୍ବାରା ମୋ ବଡଭାଇ ଡାଃ ରାଜେନ୍ଦ୍ର କୁମାର ବେହେରାଙ୍କ ସହଯୋଗରେ । କେବଳ କବିତା ପାଇଁ ଏ ଅନୁଷ୍ଠାନ କାମ କରେ । ରାଜ୍ୟସ୍ତରୀୟ ସାହିତ୍ଯ ସଭା , ମୁଖପତ୍ର ଭାଗୀରଥୀ କବିତାର ଗଙ୍ଗାର ପ୍ରକାଶନୀ , ବିଭିନ୍ନ ଲେଖକଙ୍କ ବହି ପ୍ରକାଶନ , ସମ୍ବର୍ଦ୍ଧନା ଉତ୍ସବ , ଅର୍ଥ ରାଶି ପ୍ରଦାନ , ଯୁବ ଲେଖନୀକୁ ପ୍ରୋତ୍ସାହାନ ଆଦି ପ୍ରତି ବର୍ଷ କାମ କରେ । ଏବେ ଆମେ ଭାଷା ଓ ସାହିତ୍ୟକୁ ନେଇ ଆହୁରି ଭଲ କାମ କରିବା ଉଦ୍ଦେଶ୍ୟରେ ଗଞ୍ଜାମର କବିତାଘର ଲିଟେରାରୀ ଟ୍ରସ୍ଟ ସ୍ଥାପନା କଲୁ ଯାହା ସାହିତ୍ଯ ମହଲରେ ପ୍ରଂଶସିତ ହେଇଛି ଓ ଶୁଭକାମନା ମିଳିଛି । ଗଞ୍ଜାମ ଜିଲାର ଯୁବକବି ଓ ଓଡିଶାର କିଛି ପ୍ରତିଷ୍ଠିତ କବିଙ୍କୁ ନେଇ ପ୍ରକାଶିତ ହୋଇଛି ୩୦୦ ପ୍ରୁଷ୍ଠା ବିଶିଷ୍ଟ କବିତା ଓ ସମୀକ୍ଷା ସଂକଳନ ‘କବି ଓ ପ୍ରିୟକବି -ବର୍ତମାନ କବିତାରେ ଗଞ୍ଜମାର ସ୍ଵର , ଆସନ୍ତା ଦଶନ୍ଧିର ସ୍ଵାକ୍ଷର’ । ଏବେ ଗଳ୍ପ କ୍ଷେତ୍ରରେ ଆୟୋଜନ କରିଛୁ ‘ ଗଳ୍ପ ଗଞ୍ଜାମ ‘ସଂକଳନ ।
ସମ୍ପାଦକ –ଯୁବପିଢୀ ପାଇଁ କିଛି ପଦ ।
ଶ୍ରୀ ବେହେରା –ଚର୍ଚିତ ନୁହଁ ସାଧକ ହୁଅନ୍ତୁ । ଖୁବ ପଢନ୍ତୁ ଏବଂ ନୂତନ ଧାରା ସୃଷ୍ଟି କରନ୍ତୁ l