## ଆସ ପ୍ରଭଞ୍ଜନ ##
ଜ୍ୟୋତ୍ସ୍ନା ରାଣୀ ଦେବୀ
ଆହେ ପ୍ରଭଞ୍ଜନ ଛାଡି ମିଠାପଣ
ମେଘ ସାଥେ ଗଲ ଦୂରେଇ
ଶୀତଳତା ତେଜି ରୁକ୍ଷତାକୁ ଭଜି
ମଊନେ ପ୍ରବାସୀ ହୋଇ ।
ହତାଶିଆ ମନପକ୍ଷୀ
ତୁମ ବାଟ ଚାହିଁ ଗବାକ୍ଷ ମାର୍ଗରେ
ଝୁରୁଅଛି ନିରିମାଖୀ ।
ମେଘ କି ନେଇଛି ତୁମକୂ ବୁଲେଇ
ତା ଦେଶ ବାଡିଅଗଣା
ପୁଷ୍ପପଲ୍ଲବରେ ତରୁରେ ତରୁରେ
ବୁଲି ହେଲ ବାଟବଣା ।
ଛାଡିଲ ମହତପଣ
ସାଥୀ କରିଦେଲ ଫୁଲେଇ ମେଘକୁ
ତେଜିଲନି ଅଭିମାନ ।
ବଇଶାଖି ଶୁଷ୍କ ତପତ ଶେଯରେ
ନିଆଁକୁ ବରଷି ଦେଇ
ଜ୍ୟୋଷ୍ଠେ କିବା ତୁମେ କରିଛ ପ୍ରତିଜ୍ଞା
ଅରଣା ମଇଁଷି ହୋଇ
ଝଡ଼ କି ଆଣିବ ଡାକି
ପ୍ରଳୟ ରଚିବ ତାଣ୍ଡବ ନାଚିବ
ଅବା ହେବ ଜ୍ଵାଳାମୁଖି ।
ତୁମ ଆଲିଙ୍ଗନ ନିଏ ଥକ୍କାପଣ
ବାତାୟନେ ଲୁଚି ପଶ
ବାଉଳାରେ ଚୁମି ଦେହମନ ଭ୍ରମି
ଅସଜାଡି କେଶବାସ
ଶୀତଳ ପରଶ ତୁମ
ଭରେ ମଧୁରତା ହସେ ତନୁଲତା
ହରିନିଏ ସବୁ ଶ୍ରମ ।
କାହିଁକି ରୁଷିଛ ଗୁମାନେ ଶୋଇଛ
ଛାଡିଦେଇ ମନ୍ଦଗତି
ଚଞ୍ଚଳ ଚିତ୍ତରେ ମେଘ ନେଇ ଆସ
ବେଗ ହୋଇ ବେଗମତି
ରଚିବ ହେ ଅଭିସାର
ମୁକୁଳା ଗଗନେ ମଉଳା ଧରାରେ
ପଡିଲାଣି ହାହାକାର ।