ପଢ଼ନ୍ତୁ ବିଶିଷ୍ଠ କଥାକାର, କବୀ ଜ୍ୟୋତ୍ସ୍ନାରାଣୀ ଦେବୀଙ୍କ ଉତ୍କଳ ଗୌରବ, କୁଳବୁଦ୍ଧ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସର ଆଧାରରେ ରଚିତ କବିତା __”କୁଳବୁଦ୍ଧ” ।

କୁଳବୃଦ୍ଧ

ଜ୍ୟୋତ୍ସ୍ନା ରାଣୀ ଦେବୀ

କୁଳବୃଦ୍ଧ ଆହେ ଉତ୍କଳ ଗୌରବ ଏ ମାଟି ମଉଡ଼ମଣି
ପ୍ରଣତି ବାଢୁଛି ଘେନାକର ଥରେ ଓଡ଼ିଆ ଭାଷା ବିନ୍ଧାଣି ।
ମାଆର ଗୌରବ ଭୂଲୁଣ୍ଠିତ ଆଜି ଭୁଲି କାହିଁ ରହିଅଛ
ଭାଇ ସବୁ ତୁମ ବାଟବଣା ଆଜି ବାଟ କାହିଁ ହୁଡିଅଛ ?

କୋଶଳ ଉଠୁଛି ଦିଗ ହରାଉଛି କୋଟିଆ ଥରକୁଥର
କିଏ ସଳଖିବ ଏ ଜାତିର ମଙ୍ଗ ଯୋଡିବ କେ ଭଗ୍ନତାର
ଏ ଜାତି କି ପୁଣି ମଡା ପାଲଟିବ ଏ ରାଜ୍ୟ ଶ୍ମଶାନ ହେବ
ଫେରିଆସି ଥରେ କହି ଦେଇଯାଅ,କିଏ ୟା ଉତ୍ତର ଦେବ ।

ଜ୍ଞାନର ସାଗର ରତ୍ନ ଓଡିଆର ଆପଣା ମହତ ଲାଗି
ସ୍ଵାର୍ଥାହୂତି ଦେଇ ସ୍ଵାଭିମାନ ପାଇଁ ଆପେ ରହୁଥିଲ ଜଗି
ତୁଳସୀର ବାସ ଚନ୍ଦନ ସୁବାସ ବିତରି ହେ ଜନମନେ
ଓଡିଆର ଭାଷା ଓଡିଆର ଭୂଷା ପାଇଁ ଥିଲ ସଯତନେ ।

ମାଟିର ସୁରଭି ମାଟିରେ ମିଶିଲା କାଳବକ୍ଷେ ହେଲ ଲୀନ
ଆଉଥରେ କାହିଁ ଫେରି ଆସୁନାହଁ ଝୁରୁଛି ଓଡ଼ିଆ ପ୍ରାଣ
ସଂଜୀବନୀ ମନ୍ତ୍ର ସିଞ୍ଚି ଜୀବଦାନ କରିବ ଏ ଜାତିପ୍ରାଣେ
ସ୍ଵାର୍ଥମେଧ ଯଜ୍ଞେ ଆହୂତି ହେ ଦେବ ଉଠାଇ ମୁମୂର୍ଷୁ ଜନେ ।

ଆପଣା ମହତ ସେ କାହୁଁ ବୁଝିବ ଚାଟୁକାରେ ଯା’ର ମନ
ଶାଗୁଣା ବିଲୁଆ ଚିକିତ୍ସକ ହୋଇ ଖାଇ ଯାଉଛନ୍ତି ପ୍ରାଣ
ମାଆମାଟି ପଛେ ରସାତଳେ ଯାଉ ଆପଣା ସ୍ଵାର୍ଥରେ ବନ୍ଧା
ହୋଇ ଭୁଲୁଛନ୍ତି ଆପଣା ଜୀବନ ତା’ ସାଥିରେ ଅଛି ବନ୍ଧା ।

ବୀର ପ୍ରସବିନୀ ଚିର ସୁଶୋଭିନୀ ମାଟିମାଆ ଆମ ଡାକେ
ଅରଣ୍ୟ ରୋଦନ ପାଲଟଇ ସର୍ବ , ଜଳନ୍ତା ତାହାର ବୁକେ
ଉଭା ହୋଇ ସର୍ବେ ନିର୍ବାପନ ପାଇଁ ତିଳେ ନ ଆସନ୍ତି କେହି
ହେ ବରପୁତ୍ର ପୁନରପି ଆସ ଏ ମାଟିରେ ପାଦ ଥୋଇ ।