କ୍ଷଣକେ
ଭାଗୀରଥି ବେହେରା
କ୍ଷଣିକ ବଦଳିଯାଏ ଦୃଶ୍ୟ
ଭରସା ନାହିଁ କାହାର ।
ମଥା ପିଟିଥିବା ଲହଡ଼ି ,ସାଙ୍ଗରେ ଭିଡ଼ି ଆଣିଥିବା
କୁଟା ଖଣ୍ଡକ ବି ପାଲଟେ ସମୁଦ୍ର
ରୁଣୁ ଝୁଣୁ ଚୁଡ଼ି କ୍ଷଣକେ, ଝନ୍ ଝାନ କାଚ
ଭାଙ୍ଗିବାର ଚିତ୍କାର
ସୂର୍ଯ୍ୟ ପରି ଦାଉ ଦାଉ ଚମକୁଥିବା ସିନ୍ଦୂର
କଳା ପଡ଼ିଯାଏ ମଶାଣିର ଅଧାଜଳା ମଢ଼ା ପରି
ପଥର କରିଦେଇଥିବା ଛାତି ବି ହୋଇଯାଏ ଆଦ୍ର।
ହଠାତ୍ ଦେଖା ଯାଉଥିବା ଲୋକଟା
ଏମିତି ଧୁଆଁ ହୁଏ ଯେ
ଅମାପ ଆକାଶ ଅତି କ୍ଷୁଦ୍ର ଲାଗେ,
ଖନ୍ତେଇ ହେଉଥିବା ଜୀବନ
ତ୍ରାହି ତ୍ରାହି ଡାକି ରାସ୍ତା ନାପେ
ଅବୁଝା ହୋଇଯାଏ ସବୁ ଯେ
କାଲି ସକାଳୁ ଉଠି ଯିବି କେଉଁ ଦିଗେ,
ସତରେ !
ଶାନ୍ତ ଚଲାପଥ ହଠାତ୍ ଆଣେ ରୌଦ୍ର
କୁଟା ଖଣ୍ଡକ ବି କ୍ଷଣକେ ପାଲଟେ ସମୁଦ୍ର ।
ଏତେ ସହଜରେ ଯଦି ଜାଣି ହୁଅନ୍ତା
ଭେଟୁଥିବା ଲୋକର ବୟସ
ମାଡ଼ି ବସି ବଢେଇ ଦିଅନ୍ତି ଯେତେ ଦୀର୍ଘଶ୍ୱାସ
ଲମ୍ବା ଲମ୍ବା ପ୍ରଲମ୍ବିତ ପାହୁଣ୍ଡରେ
ବଞ୍ଚେଇ ଦିଅନ୍ତି ଆୟୁଷ ଅବଶିଷ୍ଟ
ଏବେ କାନ୍ଦିଲେ କି ଲାଭ
କ୍ଷଣକେ ତ ନିର୍ଣ୍ଣୟ ହୁଏ ଜୀବନର
ଯେତେ ରଜନୀ ବିନିଦ୍ର, ଏଠି ତ
ପଥର କରିଦେଇଥିବା ଛାତି ବି ହୋଇଯାଏ ଆଦ୍ର।
ଆହା !
ଛାଡି ଯାଉଥିବା ଲୋକଟା ଆଊ ଟିକେ ରହନ୍ତା କି
ସବୁ କରିନିଅନ୍ତି ହିସାବ କିତାବ
ମାଗିଲେ ଦିଅନ୍ତି ଯେତେ ସବୁ ଜବାବ ତଲବ
ଏଇ ଜନ୍ମରେ ହିଁ ତୁଟେଇ ଦିଅନ୍ତି ଯେତେ
ସମ୍ପର୍କର ଜଟିଳ ଝଞ୍ଜଟ
ନିରୋଳା ନିରିମାୟା ସତ୍ତାଟିଏ ପରି
ହେଇଯାଆନ୍ତି କ୍ଷଣକେ ନିରୁଦ୍ଦିଷ୍ଟ
ସତରେ !
କୁଟା ଖଣ୍ଡକ ବି କ୍ଷଣକେ ପାଲଟେ ସମୁଦ୍ର ।
ସବୁ ଅନର୍ଥର ମୂଳ ଏଇ ସମୁଦ୍ର
ନଦୀ , ପାହାଡ ସହ ଧରିଛି ଜଳଜୀବ
ଯେତେ ସବୁ ସମାଧି କରିଛି ଗର୍ଭସ୍ଥ
ତଥାପି କେମିତି ଏତେ ମୁକ, ଏତେ ଭଦ୍ର
କାହିଁ, କ୍ଷଣେ ତ ଲାଗୁନି
ଆଣିବାକୁ ତୁମ ଓ ମୋ ଜୀବନରେ
ତୁଫାନ, ସୁନାମୀ, ଜୁଆର,
ବେଳେ ବେଳେ ଲାଗେ ଭାରି ଅଭଦ୍ର ।।
ସମ୍ପାଦକ ଗଞ୍ଜାମର କବିତାଘର
ବାରିବନ୍ଧ୍, ଆଙ୍କୁଲି, ବ୍ରହ୍ମପୁରଗ ଞ୍ଜାମ ୭୬୦୦୧୦