ଗାଳ୍ପିକ ଭାଗୀରଥି ବେହେରାଙ୍କ ଗଳ୍ପ ଭଙ୍ଗା ଝରକା

ଗଳ୍ପ ଭଙ୍ଗାଝରକା ଗାଳ୍ପିକ ଭାଗୀରଥି ବେହେରା

ସବୁଦିନ ପରି ଆଜି ମଧ୍ୟ ଅନିରୁଦ୍ଧ ବସିଛି ନିଜ ସରକାରୀ ବାସ ଭବନର ଭଙ୍ଗା ଝରକାଟା ପାଖରେ । ଭାରାକ୍ରାନ୍ତ ତାଙ୍କର ମନ ଓ ଶରୀର । ତା’ର କାରଣଟିଏ ଅଛି । ଚାକିରୀର ପନ୍ଦର ବର୍ଷ ମଧ୍ୟରେ ତାଙ୍କର ଏ ସପ୍ତମ ଥର ପାଇଁ ବଦଳି । କାଲି ଯେମିତି ହେଲେ ତାଙ୍କୁ ଏ କଲେଜ ଛାଡି ଚାରିଶହ କିଲୋମିଟର ପାର ହୋଇ ଅନ୍ୟ ଏକ କଲେଜରେ ଜଏନ କରିବାକୁ ହେବ ଇତିହାସର ଅଧ୍ୟାପକ ଭାବେ ।ମୁଣ୍ଡଟା ବଥଉଛି ବେଶୀ । ଏ କଲେଜରେ ଜଏନ ହେବାର ବର୍ଷେ ପୁରିଣୀ ପୁଣିଥରେ ଏ ପ୍ରକାର ବଦଳି । ରାଜ୍ୟର ରାଜନୀତି ଶିକ୍ଷା ଓ ଶିକ୍ଷକ ମାନଙ୍କ ଜୀବନକୁ ଉଈ ଭଳି ଚରି ଯାଉଛି ।
ରୁମର ଲାଇଟକୁ ବନ୍ଦ କରିଦେଲେ ସେ । ଆଲୁଅର ଜୀବନଟା ଖାଁ ଖାଁ ଲାଗିଲାଣି । ତାଙ୍କୁ ଏବେ ଚାଳିଶି କି ଏକଚାଳିଶି ବର୍ଷ ହେବ । ଏ ଯାଏଁ ସେ ଏକା । ଅବିବାହିତ ଓ ଦାୟିତ୍ଵହୀନ । ଦାୟିତ୍ଵହୀନ ଏଥି ପାଇଁ ଯେ ଭାଇ ବନ୍ଧୁ ପରିବାରର କୌଣସି ବୋଝ ତାଙ୍କର ନାହିଂ । ତା ଅର୍ଥ ନୁହଁ ଯେ ସେ ଏ ସଂସାରରେ ଏକା ।
ବାପା ମଲାପରେ ଯୁବକ ବଯସରୁ ଘରର ସଂପୂର୍ଣ୍ଣ ଦାୟିତ୍ଵ ତାଙ୍କରି ମୁଣ୍ଡରେ ପଡିଥିଲା । ଶିକ୍ଷକତାରୁ ଅଧ୍ୟାପନା ଜୀବନ ଭିତରେ ଦୁଇ ଭଉଣୀର ବାହାଘର ସାରିଛନ୍ତି ସେ । ଦୁଇଭଉଣୀ ପରେ ସାନ ଭାଇର ପାଠପଢା । ଏ ସବୁ ଦାୟିତ୍ଵ ତୁଲାଉ ତୁଲାଉ ତାଙ୍କ ନିଜ ବିବାହ ବୟସଟା କେତେବେଳେ ଗଡିଗଲା ମୋତେ ଜଣା ପଡିଲା ନାହିଂ । ସାନ ଭାଇଟା ଚାକିରୀ କରୁ କରୁ ପ୍ରେମ ବିବାହ କରି ଘର ଛାଡିଦେଲା ଯେ ବୁଢୀ ମା ତାକୁ ଝୁରି ଝୁରି ମରିଗଲା ।ଯେଉଁ ମାନଙ୍କ ଦାୟିତ୍ଵ ବହନ କରୁ କରୁ ତା ଜୀବନର ଅନେକ ବସନ୍ତକୁ ସେ ଭୁଲିଯାଇଛି ,ସେମାନେ ମଧ୍ୟ କେବେବି ନିଜର ହୋଇ ତାଙ୍କ ବିଷୟରେ ଭାବି ନାହାନ୍ତି ।
ସ୍ଵାର୍ଥପର ଏ ଦୁନିଆରେ ପର ତ ପର, ନିଜର ଆଉ ନିଜର ହେଇ ନାହାନ୍ତି । ସେଥିପାଇଁ ଆଜିଯାଏ ସେ ଏକୁଟିଆ ଓ ନିଃସଙ୍ଗ । ଯେତେବେଳେ ସେ ନିଜେ ନିଜ ପାଇଁ ଭାବିବାକୁ ଚେଷ୍ଟାକଲେ,ତାଙ୍କର ଆଉ ସାହସ ନଥିଲା କାହା ଆଗରେ ବାହାଘର କଥା ହେବାକୁ । ସମସ୍ତିଙ୍କର ଗୋଟିଏ କଥା –“ଅନିରୁଦ୍ଧ ବାବୁ, ବୟସଟା ଗଡିଗଲା ପରେ ବାହାଘରର ମଜା ଆଉ ମିଳିବ ନାହିଂ । ଯଦି ପାରିବେ ଘରେ ବସି ବସି ବୁଢୀ ହେଇଥିବା ଝିଅ, ବିଧବା କି ସ୍ଵାମୀଛଡା ସ୍ତ୍ରୀ ଦେଖି ସଂସାର କରିଦିଅ । ବାକି ଜୀବନଟା କଟିଯିବ ।“ ଯେମିତି ଜୀବନଟା ଏକ ଗାଡି । ପେଟ୍ରୋଲ ସରିଗଲେ ଚାଲିବନି । ଏ କଥା ଶୁଣି ଶୁଣି ଅନ୍ୟମାନଙ୍କ ସହ ନିଜ ଉପରେ ମଧ୍ୟ ରାଗ ଆସେ । ରାଗ ଆସେ ନିଜର ଅସଜଡା ଘରକୁ ଦେଖି । ରାଗ ଆସେ ଅସ୍ତବ୍ୟସ୍ତର ଜୀବନକୁ ନେଇ ।
ବେଳେବେଳେ ଅନିରୁଦ୍ଧ ଭାବନ୍ତି କେତେ ଭଲ ହେଇଥାନ୍ତା ଯଦି ତାଙ୍କର ସୁନ୍ଦର ସ୍ତ୍ରୀଟିଏ ଥାଆନ୍ତା । ସକାଳୁ ସକାଳୁ ତାଙ୍କ ମନ ମୁତାବକ ଜଳଖିଆ ଖୁଆଇ ପିଆଇ ରୋମାଣ୍ଟିକ ହସ ସହ କାମକୁ ବାହାରିଥାନ୍ତେ । କାମସାରି ଘରକୁ ଫେରୁଫେରୁ ଅପେକ୍ଷାରତ ସୁନ୍ଦରୀ ସ୍ତ୍ରୀ ତାଙ୍କ ଗଳାରେ ସର୍ପିଣୀ ବାହୁଦି’ଟା ଦେଇ କହିଥାନ୍ତା –“ଦିନଯାକ ତୁମକୁ ବହୁତ ମିସ କରିଛି । ଭଲହେଇଥାନ୍ତା ଯଦି ଘରେ ଦୁଇ ତିନିଟା ଛୁଆ ଖେଳିବୁଲି ଗହଳି କରିଥାନ୍ତେ । ଘରଟା ସବୁବେଳେ ପୁରାପୁରା ଲାଗିଥାଆନ୍ତା ।“ କିନ୍ତୁ ତାଙ୍କରି ଭାଗ୍ୟରେ ଏ ସବୁ କାହିଁ ? ଚାକିରୀ, ଧନ ସମ୍ପତ୍ତି,ସମାଜରେ ମାନ ସମ୍ମାନ ସବୁଠଥାଇ ମଧ୍ୟ ସେ ଏକୁଟିଆ । ତାଙ୍କର ଯତ୍ନ ନେବାକୁ, ତାଙ୍କୁ ଭଲପାଇବାକୁ, ତାଙ୍କରି ସମସ୍ତ ଦୁଃଖକୁ ବାଣ୍ଟିନେବାକୁ ଏଠି କେହି ବି ଜଣେ ନାହିଂ ।
ଝରକା ବାହାରକୁ ଏକ ଲୟରେ ଅନେଇ ଚ୍ଲିଥିଲେ ଅନିରୁଦ୍ଧ । ଏବେବି ମନଟା ଭାରାକାନ୍ତ । କିନ୍ତୁ ଏ କି ବ୍ୟତିକ୍ରମ ? ଭଙ୍ଗା ଝରକାରୁ ଦେଖା ଯାଉଥିବା ପୁରୁଣା ଜରାଜୀର୍ଣ୍ଣ ମନ୍ଦିରରେ ଆଜି ଆଳତି ଘଣ୍ଟାର ଶବ୍ଦ କାହିଁକି ନାହିଂ ? ସବୁବେଳେ ଦେଖାଯାଉଥିବା ନାରୀଟି ମଧ୍ୟ ଆଜି ଦେଖା ଯାଉ ନାହିଂ କାହିଁକି ? ବରଂ କିଏ ଜଣେ ବାହୁନି ବାହୁନି କାନ୍ଦୁଛି । ସେ କାନ୍ଦ ଏତେ କରୁଣ ଯେ ଶୁଣିବା ଲୋକର ହୃଦୟ ଫାଟି ପଡିବ ନିଶ୍ଚୟ ।

“ସାଧୁନନା ! ଓ ସାଧୁନନା । ଟିକେ ଶୁଣିବକି ?” ନିଜ ପାଇଁ ରଖିଥିବା ରାନ୍ଧୁଣିଆ ଭାଇନାକୁ ଡାକିଲେ ସେ ।
ସାଧୁନନା ଆସି ଘର ଭିତରର ଲାଇଟ ଲଗାଇଲେ । “ଲାଇଟ ବନ୍ଦ ଥାଉ ସାଧୁନନା । ଆଲୁଅ କେମିତି ଖାଇଗଲା ଭଳି ଲାଗୁଛି । “ ଲାଇଟ ବନ୍ଦ କରିଦେଲେ ସାଧୁନନା ।
“କ’ଣ ପାଇଁ ଡାକିଲେ ମାଷ୍ଟର ଜୀ ?”
“ ସାଧୁନନା ! ଆଜି ଏତେ ବାହୁନି ବାହୁନି କାନ୍ଦୁଛି କିଏ ସେ ଭଗ୍ନ ମନ୍ଦିରରେ ? ଘଣ୍ଟଆଳତି ମଧ୍ୟ ଆଜି ଶୁଣା ଯାଇନି । ବର୍ଷେ ବିତିଗଲା ଏ ଝରକା ଠିକ ହେଇପାରିଲା ନାହିଂ । ଯାହା ହେଲା ଭଲ ହେଲା । ମୋ ଜୀବନଟା ମଧ୍ୟ ଠିକ ଏଇ ଭଙ୍ଗାଝରକା ପରି । ତା ଦେଇ ସାରା ଦୁନିଆକୁ ଦେଖିହେବ ସିନା କିନ୍ତୁ ବାହାର ଦୁନିଆ ପାଇଁ ଏ ଝରକା ଅସଜଡା ଓ ଅନାବଶ୍ୟକ । ଏ ବର୍ଷ ଭିତରେ ଝରକା ସହିତ ମୋର ଘନିଷ୍ଠତା ବଢି ଯାଇଛି । ସବୁବେଳେ ମୁଁ ଦେଖିଛି ଝରକା ସେପଟର ମନ୍ଦିର, ଘଣ୍ଟ ଆଳତି ଓ ଅଦେଖା ପୂଜାରିଣୀ । ଦିନେ ନଦେଖିଲେ ଦିନ ସାରିଲା ଭଳି ଲାଗୁନି । କିନ୍ତୁ ଆଜି ଏ କ୍ରନ୍ଦନ କାହିଁକି ?”
“କଣ କହିବି ମାଷ୍ଟର ଜୀ । ପାହାଡ ପାଦ ତଳ ଏ ଅଞ୍ଚଳରେ ଅନେକ ଆଦିବାସୀ । ଏବେବି ଅନ୍ଧ ବିଶ୍ଵାସ ସେମାନଙ୍କ ଜୀବନକୁ ମାଡି ବସିଛି । ଯେଉଁ ଝିଅଟିକୁ ଆପଣ ସବୁବେଳେ ଦେଖୁଛନ୍ତି ବଡ ଅଭାଗିନୀଟେ । ଏ ଗାଁକୁ ବୋହୁହୋଇ ଆସିବା ପର ଦିନ ସ୍ଵାମୀର ମୃତ୍ୟୁ ହେଲା ସର୍ପ ଦଂଶନରେ । ପୁଅର ମୃତ୍ୟୁର ତେର ଦିନ ଶାଶୁ ଶଶୁରଙ୍କ ମରଣ ହେଲା ପୁରୁଣା ଘରକାନ୍ଥ ପଡିଯିବାରୁ । ସେଇ ଦିନଠୁ ଗାଁ ଲୋକଙ୍କ ଆଗରେ ସେ ପାଲଟିଲା ଡାହାଣୀ । ଗାଁ ଲୋକେ ପଥର ମାରି ମାରି ତା’କୁ ଗାଁରୁ ବାହାର କରିଦେବାକୁ ଯାଉଥିଲେ । କିନ୍ତୁ ପ୍ରାଣ ବଞ୍ଚେଇବାକୁ ଯାଇ ଏ ପୁରୁଣା ମନ୍ଦିରକୁ ପଶିଗଲା । ପୁରୁଣା ମନ୍ଦିରର ପୂଜାରୀ ଆତ୍ମହତ୍ୟା କରିଥିଲା ବୋଲି ସେ ମନ୍ଦିର ଅଭିଶପ୍ତ ଓ ଭୂତକୋଠରୀ –ଏ କଥା ଗାଁ ଲୋକେ ବିଶ୍ଵାସ କରନ୍ତି । ଲୋକମାନେ ମନ୍ଦିର ଯିବା ଛାଡି ଦେଇଥିଲେ । ସେଇ ଦିନଠୁ ବେଚାରୀ ସେଇ ମନ୍ଦିରରେ ପଡି ରହିଛି । ଦିନର ଆଲୁଅ ତା ପାଇଁ ମନା । ସନ୍ଧ୍ୟାର ଆଳତି ତା ଜୀବନ । ମନ୍ଦିର ପୂଜାରୀର ବିଧବା ବୁଢୀସ୍ତ୍ରୀ ଗାଁ ଗାଁ ଭିକ ମାଗି ଯାହାସବୁ ଆଣୁଥିଲା ଦୁହେଁ ଚାଳି ଯାଉଥିଲେ । କିନ୍ତୁ ଆଜି ସେ ମଧ୍ୟ ସଂସାର ଛାଡିଦେଲା । ସେଥିପାଇଁ ବାହୁନି ବାହୁନି କାନ୍ଦୁଛି ବେଚାରୀଟା । ତା ଦୁନିଆ ଯେମିତି ଉଜୁଡିଗଲା । କଅଂଳ ବୟସରୁ ଏ ଯନ୍ତ୍ରଣା । ଏଦଣ୍ଡ । ଏ ଯାତନା ।“ ସାଧୁନନା ବଡ ଦୁଃଖର ସହ କଥାସବୁ କହିଗଲେ ।
କିଛି ସମୟ ପାଇଁ ଅନ୍ଧାରଭରା ରୁମଟା ଅତି ଗୋପନୀୟ ହୋଇଉଠିଲା ।
“ମାଷ୍ଟର ଜୀ ! କାହାକୁ କିଛି କହିବେନି । ନଚେତ ଏ ଅଞ୍ଚଳର ଲୋକେ ଆପଣଙ୍କୁ ଛାଡିବେନି । କାଲି ରାତି ଦୁଇଟାରୁ ଚାରିଟା ସମୟରେ କେତେକ ଗାଁର ଭେଣ୍ଡିଆ ମନ୍ଦିରରେ ନିଆଁ ଲଗେଇ ଝିଅଟାକୁ ମାରିଦେବାକୁ ଭୁଟୁଭାଟ ହେଇଛନ୍ତି । ହେ ଭଗବାନ ! କିଏ ଜଣେ ଭଦ୍ର ପୁରୁଷ ଥାଆନ୍ତା କି ! ବିଚାରୀର ଜୀବନଟା ଉଦ୍ଧାର କରି ଏ ଗାଁରୁ ନେଇଯାଇଥାନ୍ତା । “ଏତିକି କହି ସାଧୁନନା ରୋଷେଇ କରିବାକୁ ଚାଲିଗଲେ ।
ମନ ବିଚଳିତ ହେଲା ଅନିରୁଦ୍ଧଙ୍କର । ଆଧୁନିକ ଯୁଗର ଏ ପୃଥିବୀରେ ଏବେବି ଏ ପ୍ରକାର ଅନ୍ଧବିଶ୍ଵାସ । ତା ମାନେ ଆଉ ଦୁଇ ଦିନ ପରେ ସେ କେବେବି ଝିଅଟିକୁ ଦେଖି ପାରିବେନି । ଝିଅଟା ନିଆଁରେ ଜଳିଜଳି ଦଗ୍ଧିଭୂତ ହେଇଯିବ । କି ଦୋଷ ତାର ? କ’ଣ କରି ପାରିବେ ଅନିରୁଦ୍ଧ ?
କେଜାଣି କାହିଁକି ଅନିରୁଦ୍ଧଙ୍କର ମନଟା ଅଶାନ୍ତ ହେଇଗଲା । ବିଚଳିତ ହେଇଗଲା ତାଙ୍କର ସମସ୍ତ ସଂସାର ଓ ସତ୍ତା । ଏ ବର୍ଷେ ଭିତରେ କେମିତି କେଜାଣି ଗୋଟେ ଅଜଣା ସମ୍ପର୍କ ଗଢିଉଠିଛି ସେ ମନ୍ଦିର ସହ । ସେ ମନ୍ଦିରରେ ଥିବା ଅଦୃଶ୍ୟ ନାରୀ ସହ । ସେ ବଜାଉଥିବା ନିତିଦିନିଆ ଆଳତିଘଣ୍ଟ ସହ । ଏକୁଟିଆ ଜୀବନର ସାଥୀ ଭଙ୍ଗାଝରକା ସହ ।

x x x x x x x x

ରାତିସରା ନିଦ ହେଲାନି ଅନିରୁଦ୍ଧଙ୍କୁ । ଏକ ଅଜଣା ଭୟ ମନ ଭିତରେ ଚକାମାରି ବସିଛି ବିଷାକ୍ତ ସାପ ବସିଲା ଭଳି । ଏକ ଅଜଣା ଆତଙ୍କ ସୃଷ୍ଟି ହେଇଛି ହୃଦୟରେ । କିଛି ଗୋଟେ କରି ନେବାର ତୀବ୍ର ଇଚ୍ଛା ବାରଂବାର ତାଙ୍କୁ ଡିଷ୍ଟର୍ବ କରୁଛି । ଆଖି ବନ୍ଦ କରି ପଡି ରହିଲେ ମଧ୍ୟ ନିଦ ଆସୁନାହିଂ । ନିଃସଙ୍ଗତା ଜୀବନରେ କାହାପାଇଁ କିଛି କରିବାର ପ୍ରଶ୍ନ ତାଙ୍କୁ ବାରମ୍ବାର ଆନମନା କରୁଛି । ଜଣେ ଅଧ୍ୟାପକ ହୋଇ କ’ଣ ସେ ଏ ପ୍ରକାର କୁକର୍ମର ବିରୋଧ କରିପାରିବେନି ? ପୋଲିସ ପାଖକୁ ଯିବେକି ? ଯଦି ପୋଲିସ ସେମାନଙ୍କ ସହ ଏ ପାପ କର୍ମରେ ସାମିଲ ଥିବେ ……?
ଉଦ୍ଦେଶ୍ୟହୀନ ହୋଇ ଏ ଜାଗାରୁ ସେ ଜାଗା ବୁଲି ବୁଲି ଚାକିରୀ କରିବା ଅପେକ୍ଷା କିଛି ଗୋଟେ ଉଦ୍ଦେଶ୍ୟ ମୂଳକ କାମ କରିବା ଢେର ଭଲ । ଶେଯ ଉପରୁ ଧଡ କିନା ଉଠିଗଲେ ସେ । ଅନ୍ଧାର ଭିତରୁ ଭବିଷ୍ୟତର ଆଲୁଅଟିକେ ଚମକି ଉଠିଲା ତାଙ୍କରି ଜୀବନର ଏଇ ଘଡିସନ୍ଧି ମୁହୂର୍ତ୍ତରେ । ନିଜର ଡ୍ରେସ ଓ ଅନାନ୍ୟ ଆବଶ୍ୟକ ବସ୍ତୁ ସବୁ ସାଉଁ ଟିବାରେ ଲାଗିଲେ । ନିଜର ଆଟାଚ ଧରି ଅନ୍ଧାର ଭିତରେ ସରକାରୀ ବାସ ଭବନ ଛାଡି ଏକମୁହାଁ ହୋଇ ବାହାରିଗଲେ ।
ମନ୍ଦିରର ଏପଟ ସେପଟ ଭଲ ଭାବରେ ନିରେଖି ଦେଖିନେଲେ ଅନିରୁଦ୍ଧ । କାଳେ କିଏ ତାଙ୍କୁ ପିଛା କରିଥିବ । ଏ ସମୟରେ ନିଜ ବାସଭବନର ସାଧୁନନା ଉପରେ ମଧ୍ୟ ସେ ଭରସା କରି ପାରିବେନି । ପାଦ ଚିପି ଚିପି ପ୍ରବେଶ କଲେ ମନ୍ଦିର ଭିତରକୁ ।
“କିଏ ତମେ ? କଣବା ଆଉ ମୋ ପାଖରେ ଅଛି ଯେ ତମେମାନେ ନେବାକୁ ଆସିଛ ? ଯେତେ ଶୀଘ୍ର ପାରିବ ଏଠୁ ଚାଲିଯା । ନଚେତ ମୁଁ ଡାହାଣୀ ତମକୁ କଞ୍ଛା ଖାଇନେବି । “ ଡରେଇଲା ଭଳି କହିଲା ଝିଅଟି ।
“ଦୟାକରି ପାଟି କରନ୍ତୁ ନାହିଂ । ମୁଁ ଆପଣଙ୍କର କୌଣସି ଅସୁବିଧା କରିବାକୁ ଆସିନାହିଁ ।“ ଅନୁରୋଧର କଣ୍ଠ ସ୍ଵରରେ କହିଲା ଅନିରୁଦ୍ଧ ।
“କିଏ ତମେ ?“
“ମୋତେ ତମେ ଜାଣି ପାରିବନି । ମୁଁ ଏ ଗାଁ କଲେଜର ଇତିହାସ ଅଧ୍ୟାପକ ଅନିରୁଦ୍ଧ । ମୁଁ ଏ ଗାଁର ବାସିନ୍ଦା ନୁହଁ । ତେଣୁ ଭୟ କରିବାର କିଛି ନାହିଂ । ତମେ ମୋତେ ଦେଖ କି ନାହିଂ ମୁଁ ଜାଣିନି । ମୁଁ କିନ୍ତୁ ମନ୍ଦିର ସାମ୍ନାରେ ଥିବା ସରକାରୀ ବାସ ଭବନରୁ ସବୁବେଳେ ତୁମକୁ ଦେଖେ । “
“ସେ ଭଙ୍ଗାଝରକାରୁ ?”
ଭଙ୍ଗାଝରକା କଥା ଶୁଣି ବେଶୀ ଖୁସି ହେଲା ଅନିରୁଦ୍ଧ । ତାହା ହେଲେ ଝିଅଟା ତାଙ୍କୁ ସବୁବେଳେ ଦେଖୁଛି । ତାଙ୍କୁ ଲାଗୁଥିଲା ଏ ବର୍ଷ ଭିତରେ ଭଙ୍ଗାଝରକାଟା ଗୋଟେ ସମ୍ପର୍କ ଗଢି ଦେଇଛି ।
“ହୁଁ । ସେଇ ଭଙ୍ଗାଝରକାରୁ । ତମେ ଜାଣିଛ, କାଲି ତମକୁ ଲୋକମାନେ ନିଆଁରେ ଜାଳିଦେବେ । “
ଏ କଥା ଶୁଣି ଶିହିରି ଉଠିଲା ଝିଅଟା । ସେ ଅନ୍ଧାର ଭିତରେ ଅନିରୁଦ୍ଧର ଆହୁରି ପାଖକୁ ଘୁଞ୍ଚି ଆସିଲା ।
“ମୁଁ ତ ସେଇଦିନ ମରିଯାଇଥିଲି ଯେଉଁ ଦିନ ଏ ଗାଁ ଲୋକେ ମୋତେ ଅଭିଶପ୍ତା କହି ପଥର ମାରିଥିଲେ ।“ ଡରି ଡରି ଉତ୍ତର ଦେଲା ଝିଅଟା ।
“ମୋ ସାଙ୍ଗରେ ଯିବ?” ଝିଅଟିର ହାତ ଧରି ପଚାରିଲେ ଅନିରୁଦ୍ଧ । ଏପରି ଏକ ଅପ୍ରତ୍ୟାଶିତ ପ୍ରଶ୍ନ ଜଣେ ଅପରିଚିତ ଅଜଣା ବ୍ୟକ୍ତିଠୁ ଆପଣାପଣ ପାଇ ନିର୍ଭୟ ହେଲା ସେ ।
“କୁଆଡେ ?”
“କାଲି ମୋତେ କଲେଜ ଛାଡି ଅନ୍ୟ ସହରକୁ ଯିବାକୁ ପଡିବ । କିନ୍ତୁ ତମେ ଯଦି ଚାହିଁବ ଏବେ ହିଁ ମୁଁ ଚାଲିଯିବି । ତମକୁ ନେଇ ଯିବି ଏ ଅଞ୍ଚଳରୁ ଅନେକ ଦୂରକୁ ।“ ପ୍ରତିଶୃତି ଦେଲା ଅନିରୁଦ୍ଧ ।
“କିନ୍ତୁ ……”
“କିନ୍ତୁ ଫିନ୍ତୁର ସମୟ ନାହିଂ ଆମ ପାଖରେ । ମୁଖ୍ୟ ସଡକ ଛାଡି ଆମକୁ ପାହାଡ ପାଦଦେଶ ଦେଇ ଲୁଚି ଲୁଚି ରେଳଷ୍ଟେସନକୁ ଯିବାକୁ ପଡିବ ।“
“ହେଲେ ଆପଣ ………”
“ଠିକ କଥା । ମନରେ ଆଶଙ୍କା ଆସିବା ସୁନିଶ୍ଚିତ । କାରଣ ତମ ଜୀବନରେ ଅନେକ ଧକ୍କା ହିଁ ଧକ୍କା ମିଳିଛି । ମୋ ଜୀବନରେ ମୁଁ ବି ସଂସାରର ସମସ୍ତ ଦାୟିତ୍ଵ ବହନ କରୁ କରୁ ବୟଶର ଚାଳିଶି ସୋପାନରେ ପହଞ୍ଚିଛି । ଏବେ ମୁଁ ଏକୁଟିଆ । ଯଦି ଜଣେ ଜୀବନସାଥୀ ମିଳିଯାଏ, ବାକି ଜୀବନଟା ସୁଖରେ କାଟିଦେବି । “
“ତଥାପି କାହିଁକି ଜୀବନରେ ସୁଖର ଆଉ ଆଶା ନାହିଂ । “ ନିରାଶ ଭାବରେ ଝିଅଟା ଉତ୍ତର ଦେଲା ।
ଅନିରୁଦ୍ଧ ଝିଅଟିର ଅସମଞ୍ଜକୁ ଭଲ ଭାବରେ ବୁଝିପାରିଲେ । ଏମିତି ଅଚାନକ ଜଣେ ଅଜଣା ଅପରିଚିତ ସହ ନାରୀଟିଏ କେମିତି ଭରସା କରିବ । ସମୟ ନଷ୍ଟ ନକରି ସନ୍ଧ୍ୟାରେ ଜଳି ନଥିବା ଦୀପଟିକୁ ଜଳାଇଲେ ସେ । ସେ ଦୀପକୁ ସାକ୍ଷୀ ରଖି ମା ମଙ୍ଗଳାଙ୍କ ଆଗରେ ଝିଅଟିର ମଥାରେ ସିନ୍ଦୁର ପିନ୍ଧାଇଲେ । ଆଉ ଅଧିକ ସମୟ ନଷ୍ଟ ନକରି ଝିଅଟିର ହାତକୁ ଧରି ଆଗେଇବାକୁ ଲାଗିଲେ ପାହାଡ ତଳ ଅନ୍ଧାର ରାସ୍ତାରେ ।
ପଛରେ ରହିଗଲା ସରକାରୀ ବାସଭବନ । ଅନିରୁଦ୍ଧଙ୍କ ଏ ନୂତନ ଦାୟିତ୍ଵ ଓ ଯାତ୍ରାର ମୁକ ସାକ୍ଷୀ ହେଲା ସେ ଭଙ୍ଗାଝରକା । ଯେମିତି ହେଲେ ଭୋର ହେବା ପୂର୍ବରୁ ପହଞ୍ଚିବାକୁ ହେବ ରେଳଷ୍ଟେସନରେ…….. । ଏକେ ନୂତନ ସକାଳର ଅପେକ୍ଷାରେ ………।

ସମ୍ପାଦକ -ଗଞ୍ଜାମର କବିତାଘର । ଆଙ୍କୁଲି । ବ୍ରହ୍ମପୁର । ଗଞ୍ଜାମ । ପିନ ୭୬୦୦୧୦
ଫୋନ-୮୭୬୩୨୦୨୬୨୨