ନୀଳ ନଈର ନକ୍ସା
ଭାଗ୍ୟଲକ୍ଷ୍ମୀ ମହାରଣା
ସମୁଦ୍ରର ଜୁଆର ବେଳାଭୂଇଁକୁ ଚୁମି ଫେରୁଥିଲା । ପୂର୍ବାକାଶରେ ସୂର୍ଯ୍ୟ ଉଇଁ ପଶ୍ଚିମରେ ଅସ୍ତମିତ ହେଉଥିଲା । ମଳୟ ବହୁଥିଲା ସ୍ନିଗ୍ଧ ସ୍ପର୍ଶ ଦେଇ ଏ ଦିଗରୁ ସେ ଦିଗ : ସେ କୋଣରୁ ଏ କୋଣ ।
ଏମିିତି କେତେ ଦିନ, କେତେ ମୁହୂର୍ତ୍ତ ବିତିଯାଇଛି ବାଲୁକାଶଯ୍ୟାରେ ଶିଳ୍ପୀ ହିସାବ ରଖିନି । ରଖିବାକୁ ଚାହିଁନି । ଶିଳ୍ପ କାର୍ଯ୍ୟରେ ସଂପୂର୍ଣ୍ଣ ମଗ୍ନ ସେ । ରଂଗ – ତୁଳୀ ଓ କାନ୍ଭାସ୍ ଭିତରେ ସେ ତା’ର ଦୁନିଆ ଖୋଜୁଛି । ବାହାର ଦୁନିଆରେ କ’ଣ ଘଟୁଛି, ଘଟୁଥାଉ ।
କାନ୍ଭାସ୍ରେ ତୁଳୀ ରଂଗର ସ୍ପର୍ଶ ଦେଇ ଶିଳ୍ପୀ ନିରେଖି ଚାହୁଁଛି ବାରମ୍ବାର । ନା; ଆଉ କିଛି ବାକି ରହିଯାଇଛି । ଆଖି / ଭ୍ରୁଲତା / ଓଠ ଛାତି ପାଦ ପାଉଁଜି ସବୁ ଠିକ୍ ଅଛି । କେଶ ବିନ୍ୟାସ ପରିଧାନ ପରିପାଟୀ ଆକର୍ଷଣୀୟ ହୋଇଛି । କୋଉଠି ଆଉ କ’ଣ ବାକି ରହିଗଲା ଯେ – ତୁଳୀ ଅଧୀର ହୋଇ କାନ୍ଭାସ୍ ଉପରେ ଘୁରିଆସୁଛି ବାରମ୍ବାର !
କୁଞ୍ଚିତ କେଶରାଶିରେ ସୁନେଲି ରଂଗର ଛାପ । କମନୀୟ ତନୁ ବଲ୍ଲରୀରେ ଚମ୍ପା ଫୁଲର ଚମକ । ଲୋଟଣୀ ପଣତରେ ରୂପେଲି ତାରା ଫୁଲ । ଈଷତ୍ ଗୋଲାପୀ ଓଠ ସହ ଆଖି ଦୁଇଟାର ରଂଗ ହାଲ୍କା ନୀଳ । ଚାହାଣୀରେ ସଲ୍ଲଜ ଠାଣୀ । ପାଦରେ ବନ୍ଧାଥିବା ପାଦବେଣୀରେ କୁଶଳୀ କୁଟିକାମ ।
– ଆଉ ଅଧିକା କ’ଣ ଆଙ୍କି ହୋଇଥାଆନ୍ତା ଚିତ୍ରପଟ୍ଟରେ !
– ଥରଟିଏ ତାକୁ ଦେଖିଥାଆନ୍ତା କି ଶିଳ୍ପୀ, ଆଖି ସାମ୍ନାରେ !
– ଖାଲି ଯାହା ସ୍ୱପ୍ନରେ ଦେଖୁଛି ତାକୁ, ପ୍ରତି ରାତିରେ । ଆଖି ଝଲ୍ସା ରୂପ ନେଇ ଆସୁ ଆସୁ ପୁଣି ସିଏ ଫେରିଯାଉଛି । କେତେବେଳେ ମୁହୂର୍ତ୍ତେ ଅଟକି ଯାଉଛି ଯଦି, ଓଢ଼ଣୀ ଢ଼ାଙ୍କି ଦେଉଛି ମୁହଁରେ । ଝାପ୍ସା ରୂପ ନିରେଖି ଦେଖୁ ଦେଖୁ ନିଦ ହଜି ଯାଉଛି ଶିଳ୍ପୀ ଆଖିରୁ । ରାତି ପାହି ସକାଳ ହେଇଯାଉଛି ।
ଆଖି ବୁଜି ପୁଣି ଥରେ ତା’ ରୂପକୁ ସାମ୍ନାକୁ ଟାଣି ଆଣିବାର ପ୍ରୟାସ କଲା ଶିଳ୍ପୀ । ଆଖି ଖୋଲି ସମୁଦ୍ର ଆଡ଼କୁ ଦୃଷ୍ଟି ଫେରେଇଲା । ଗଭୀର ସମୁଦ୍ରର ରଂଗ ଭଳି ତା’ର ଆଖି ଦୁଇଟା ନୀଳ । ଅଗାଧ ସମୁଦ୍ରର ଜୁଆର ଭଳି ତା’ ଓଠରେ ଛଳଛଳ ହସ । କେତେବେଳେ ଗମ୍ଭୀର କେତେବେଳେ ଉଚ୍ଛଳ । ପୁଣି କେତେଟା ମୁହୂର୍ତ୍ତ ପାଇଁ ଗୁମ୍ସୁମ୍ ।
ତେଣୁ ତ ଏଇ ସମୁଦ୍ର କୂଳରେ ରଂଗତୁଳୀ ଓ କାନ୍ଭାସ୍ ନେଇ ପ୍ରତି ପାହାନ୍ତାରେ ପହଞ୍ଚି ଯାଉଛି ଶିଳ୍ପୀ । ତା’ ରୂପକୁ ଚାରିକାନ୍ଥରେ ନିବୁଜ କୋଠରୀ ଭିତରେ ଆଙ୍କି ହେଉନାହିଁ । ଆଙ୍କି ହେଉନାହିଁ ରଂଗୀନ ଫୁଲ ବଗିଚା କୋଣରେ, କି ସବୁଜ ଉଦ୍ୟାନର ମାଟି ଗାଲିଚାରେ ବସି । ସିଏ ଛାତ ଫଟେଇ ବାହାରି ଯାଉଛି ପରୀଟିଏ ହୋଇ । ପ୍ରଜାପତି ଧରିବାକୁ ଉଡ଼ିବୁଲୁଛି ଏ ଫୁଲରୁ ସେ ଫୁଲ । ସବୁଜିମାର ମାୟା ଭେଦି ଧାଇଁଯାଉଛି ନୀଳ ଆକାଶ ଆଡ଼କୁ ।
ସମୁଦ୍ର କୂଳର ଏ ନିର୍ଜନ ପରିବେଶ ଭଲଲାଗିଛି ଶିଳ୍ପୀକୁ । ମଳୟର ହିନ୍ଦୋଳରେ ତନୁ-ମନ ଶିହରତି ହେଉ ହେଉ ଶିଳ୍ପୀ ହସ୍ତରେ ଆଙ୍କି ହୋଇଯାଇଛି ସ୍ୱପ୍ନ ସୁନ୍ଦରୀର ନିଛକ ପ୍ରତିଛବି ।
ସତରେ ଆଉ କିଛି ବାକି ରହିଗଲା ଚିତ୍ରପଟ୍ଟରେ ! କେତେ ଆଉ ନିରେଖି ଚାହିଁବ ସିଏ ! ସ୍ୱପ୍ନରେ ଆସି ଧରା ଦେଉ ଦେଉ ଖସିଯାଉଛି ସେଇ ରୂପସୀ ତରୁଣୀ । ରାତ୍ରିର ନିରବତାକୁ ଭାଙ୍ଗିଦେଉଛି ତା’ ପାଉଁଜିର ଛମ୍ ଛମ୍ ଶବ୍ଦ । ପାଗଳ ହୋଇ ଉଠୁଛି ତରୁଣ ଶିଳ୍ପୀ । ଧରା ଦେବାର ନାହିଁ ଯଦି, କାହିଁକି ଆସୁଛି ସ୍ୱପ୍ନ ହୋଇ !
ଅନେକ ଥର ଚିନ୍ତା କରିିଛି ଶିଳ୍ପୀ, ଏମିତି କାହିଁକି ହେଉଛି ! ଅଚିହ୍ନା ତରୁଣୀଟି ସହିତ ତା’ର କ’ଣ ସଂପର୍କ ଥାଇପାରେ ! ଏ ଜନ୍ମରେ ଥରେ ବି ସାକ୍ଷାତ୍ ହୋଇ ନାହିଁ ଦିନର ସ୍ପଷ୍ଟ ଆଲୁଅରେ । ରାତିର ଅନ୍ଧାର ଚିରି ଆସୁଥିବା ରୂପସୀ ଜଣକ ରହସ୍ୟମୟୀ ସାଜି ତା’ ମନ ପ୍ରାଣକୁ ଏମିତି ଜାବୁଡି ଧରୁଛି କାହିଁକି ! ଅଥଚ, ବାହୁ ବଢ଼େଇ ଦେଲେ ଉଡ଼ିଯାଉଛି ପରୀଟିଏ ହୋଇ !
ତେବେ କ’ଣ ପୂର୍ବ ଜନ୍ମରେ ସଂପର୍କ ଥିଲା କି ତା’ ସହିତ ! ପ୍ରେମ କରୁଥିଲା କି ସିଏ, ଜଣେ କଳାପ୍ରେମୀ ତରୁଣ ଶିଳ୍ପୀକୁ ! ଅତୃପ୍ତ ଆତ୍ମା ନେଇ ଲାଖି ରହିଯାଇଛି କି କେଉଁ ଗୁମ୍ଫାର ପ୍ରସ୍ତର ଖୋଦେଇ ଭିତରେ ! ଏବେ ତା’ର ସତ୍ତା ଧସେଇ ପଶିଆସୁଛି ତୁଳୀ ମୁନକୁ ରଂଗରେ ଭରିଦେବା ପାଇଁ ।
ଦୀର୍ଘଶ୍ୱାସ ନେଇ ସମୁଦ୍ରର ନୀଳିମାରୁ କାନ୍ଭାସ୍ ଉପରକୁ ଆଖି ଫେରେଇଲା ଶିଳ୍ପୀ । ଚିତ୍ରିତ କାନ୍ଭାସ୍ରୁ ବିଚିତ୍ର ହସ ହସି ସ୍ୱପ୍ନ ସୁନ୍ଦରୀ ଚାହିଁଛି । ଢ଼ଳଢ଼ଳ ନୀଳ ଆଖିପତାରେ ଲୁଚିରହିଛି ଅସୁମାରୀ କଥା । କହିବାକୁ ଚାହିଁଛି ଅଧାଖୋଲା ଅଧର ଦେଇ ।
କ’ଣ କହିବାକୁ ଚାହୁଁଛି ସିଏ ! କାନ ଡେରିଲା ଶିଳ୍ପୀ ।
ହଠାତ୍ ଶୁଭିଲା କୋମଳ କଣ୍ଠର ଖିଲ୍ଖିଲ୍ ହସ । ଶିଳ୍ପୀ ବିସ୍ମିତ ହେଲା । ସତରେ ସେ ଶୁଣିପାରୁଛି କାହାର ମଧୁର ହସ । କାହାର?
କିଶୋରୀ ଝିଅଟିଏର ମୁହଁ ଦିଶିଲା । କାନ୍ଭାସ୍ ପଛରୁ ସେ ମୁହଁ ଗଳେଇ ଚାହୁଁଛି, ହସୁଛି । ଆଶ୍ଚର୍ଯ୍ୟ ଭାବ ନେଇ ଶିଳ୍ପୀ ପଚାରିଲା-କିଏ ତୁ ? କ’ଣ କରୁଛୁ ଏ’ଠି ?”
ସେମିତି ହସି ସେ ବାହରି ଆସିଲା କାନ୍ଭାସ୍ ପଛରୁ । ଛବିଟିକୁ ନିରେଖି ଚାହିଁ ପଚାରିଲା – “ତମେ ଏ ଛବି ତିଆରି କରିଛ ? ଇଏ ତ ମୋ ନାନୀର ଫଟ…ା”
– “ନାନୀ ! ତୋ ନାନୀ !!” ଆଶ୍ଚର୍ଯ୍ୟ – ଚକିତ ହେଲା ଶିଳ୍ପୀ ।
– “ହଁଅ । ମୋ ଗୋରୀ ନାନୀର ଫଟ ଇଏ । ଯିଏ ଆମ ବସ୍ତିରେ ରହେ । ତମେ ତାକୁ ଦେଖିଛ ?”
ଶିଳ୍ପୀର ଛାତି ଧଡ଼ଧଡ଼ ହେଲା । ଏଇଠି ରହୁଛି ତା’ର ସ୍ୱପ୍ନ ସୁନ୍ଦରୀ । ଅଥଚ, ସେ ଖୋଜୁଛି ମାସ ମାସ / ବର୍ଷ ବର୍ଷ ଧରି !
– “ସତ କହୁଛୁ ? ଇଏ ତୋ ନାନୀ ? ଏଇଠି ରହେ ? କୋଉ ବସ୍ତିରେ ?” ଶିଳ୍ପୀ ପଚାରିଲା ।
– “ତମେ ମୋ ନାନୀକୁ ଦେଖିନ ? ଆଉ ତା’ ଫଟ ତିଆରି କଲ କେମିତି ? ମିଛ କହୁଛ….ା”
– “ନାଇଁ, ମୁଁ ସତ କହୁଛି – ତୋ ନାନୀକୁ ଦେଖିନି । ଏମିତି ଆଙ୍କୁ ଆଙ୍କୁ ଏ ଚିତ୍ର ଆଙ୍କି ଦେଇଛି । କେଉଁଠି ରହେ ସିଏ ? ତମ ବସ୍ତି କେଉଁଠି ?”
ପୁଣି ଥରେ ହସିଲା ଫ୍ରକ୍ ପିନ୍ଧା ସେ କିଶୋରୀ ଝିଅଟି । କହିଲା-“ହେଲେ ଇଏ ମୋ ନାନୀ ନୁହଁ ! ମୋ ନାନୀର ମୁହଁରେ ଗୋଟେ ଛୋଟ କଳାଜାଇ…..ା”
– “କଳାଜାଇ !!”
– “ହଁ ତା’ର ଓଠ ତଳେ, ……ହେଇ, ଏଇଠି…..ା” ହାତ ବଢ଼େଇ ଆଙ୍ଗୁଠି ଦେଖେଇଦେଲା ସିଏ, ବାମ ପାଖ ଓଠ ତଳକୁ ।
– “ଏଇଠି ଗୋଟେ କଳାଜାଇ କରିଦିଅ । ଇଏ ଆମ ଗୋରୀ ନାନୀର ଫଟ ହେଇଯିବ ।”
ସ୍ତମ୍ଭୀଭୂତ ହୋଇଗଲା ଶିଳ୍ପୀ । ସତରେ କିଛି ଗୋଟେ ବାକି ରହିଯାଇଥିଲା ।
ଯାହା ଚିତ୍ରପଟ୍ଟକୁ ଅଧୁରା କରି ରଖିଥିଲା । ଏବେ କଳାଜାଇଟିଏ ଆଙ୍କି ହେବ, ତା’ ଓଠ ତଳେ ।
ତୁଳୀର ରଂଗ ନେଇ ତିଳ ଚିହ୍ନଟିଏ ଆଙ୍କି ଦେବା ପରେ ପୁଣି ଶୁଭିଲା ସେଇ ଖିଲ୍ଖିଲ୍ ହସ ।
– “ହୋଇଗଲା…… ଏଥର ଇଏ ମୋ ଗୋରୀ ନାନୀ ହୋଇଗଲା….ା”
ଶିଳ୍ପୀ ମୁହଁ ଫେରେଇଲା ପଛକୁ । ଭଲ କରି ଚାହିଁଲା ସେ ଫ୍ରକ୍ ପିନ୍ଧା କିଶୋରୀ ଝିଅଟିକୁ । ଆନୁମାନିକ ବାର ତେରବର୍ଷ ବୟସର ହେଇଥିବ । ମଇଲା ଫ୍ରକ୍ ଭିତରୁ ବାରି ହୋଇପଡୁଛି ତା’ର ପତଳା ସାବ୍ନା ଦେହ । ନାଲିଫିତା ବନ୍ଧା ହୋଇଥିବା ସତ୍ତ୍ୱେ ମୁଣ୍ଡର ଅଲରାବାଳ ଫୁରୁଫୁରୁ ଉଡୁଛି ପବନରେ । ତା’ ମୁହଁର ସରଳ ହସ ଖୁବ୍୍ ସୁନ୍ଦର ।
ଧୀର ହୋଇ ବାଲି ଉପରେ ବସି ପଡ଼ିଲା ସେ ଝିଅ । ଶିଳ୍ପୀ ମୁହଁକୁ ଚାହିଁ ପଚାରିଲା,
– ତମେ ମୋ ନାନୀକୁ ଭଲପାଅ ?”
ପୁଣି ଥରେ ଚମକି ପଡ଼ିଲା ଶିଳ୍ପୀ । କ’ଣ ଉତ୍ତର ଦେବ ଏଇ ପ୍ରଶ୍ନର ! ଚିତ୍ରପଟ୍ଟର ରୂପସୀ ଯେ ପରୀ ସାଜି ପ୍ରତି ରାତିରେ ଆଖିପତା ଭିତରକୁ ସ୍ୱପ୍ନ ହେଇ ପଶି ଆସୁଛି, ସେ କଥା କେମିତି ବୁଝାଇହେବ ଏଇ ଫ୍ରକ୍ ପିନ୍ଧା କୁନୀ ଝିଅଟିକୁ ! କ’ଣ ବୁଝିବ ସିଏ ଭଲପାଇବାର ଭାଷା ! ପ୍ରେମର ସଜ୍ଞା! ଯେଉଁ ପ୍ରେମ ନିଜେ ନକରି ବି କରି ହେଇଯାଉଛି ! ଯେଉଁ ଭଲପାଇବା ହୃଦୟ ଭିତରେ ସୃଷ୍ଟି ହୋଇଯାଇଛି, ଆପଣା ଛାଏଁ !
– ତମେ ମୋ ନାନୀକୁ ଭଲପାଅ ନାହିଁ ଯଦି ଏ ଫଟ ତିଆରି କରିଛ କାହିଁକି ?”
ଝିଅଟାର ସରଳିଆ ପ୍ରଶ୍ନରେ ଆମୋଦିତ ହେଲା ଶିଳ୍ପୀ । ଉତ୍ତର ଦେଲା
– “ତୋ ନାନୀ ବହୁତ ସୁନ୍ଦର । ସବୁ ସୁନ୍ଦର ଜିନିଷର ଚିତ୍ର ମୁଁ ଆଙ୍କେ । ଏଇଥି ପାଇଁ ।”
– “ତମେ ପରା ମୋ ନାନୀକୁ ଦେଖିନାହିଁ ବୋଲି କହୁଥିଲା । ଏବେ କହୁଛ, ସିଏ ସୁନ୍ଦରୀ ।”
– “ମୁଁ ତାକୁ ସ୍ୱପ୍ନରେ ଦେଖେ, ରାତି ହେଲେ ସିଏ ଆସେ ।”
– “ରାତି ହେଲେ ଗୋରୀ ନାନୀ ଆସେ ତମ ପାଖକୁ ! ମିଛ । ମିଛ କହୁଛ ତମେ । ରାତିରେ ତ ଗୋରୀ ନାନୀ ମୋ ପାଖରେ ଶୁଏ, ଆସେ କେତେବେଳେ?
ପୁଣି ଥରେ ଛଳ ଛଳ ହୋଇ ହସିଲା ସେ ଝିଅ । ନିଜକୁ ଅପ୍ରତିଭ ମନେ କଲା ଶିଳ୍ପୀ । ସ୍ୱପ୍ନ କଥା କେମିତି ବୁଝାଇ ହେବ ଏ ଫ୍ରକ୍ ପିନ୍ଧା ଝିଅକୁ, ଯିଏ ସ୍ୱପ୍ନ କ’ଣ ଜାଣିନାହିଁ । ସ୍ୱପ୍ନ ଦେଖିବାର ବୟସ ଯା’ର ହୋଇନାହିଁ…ା
ଶିଳ୍ପୀ ପଚାରିଲା – ଆଚ୍ଛା କହ ! ଇଏ ସତରେ ତୋ ନାନୀ ! ତା’ ସହିତ ଥରେ ଦେଖା କରେଇ ପାରିବୁ ? ମୁଁ ତାକୁ ଭେଟିବାକୁ ଚାହେଁ ।”
– “ଏବେ ତ କହୁଥିଲ, ରାତିରେ ଆସୁଛି ସିଏ ।”
– “ହଁ ରାତିରେ ସିନା ଆସୁଛି, ହେଲେ ଦିନରେ ମୁଁ ତାକୁ ଭେଟିବାକୁ ଚାହୁଁଛି । ମତେ ନେଇ ପାରିବୁ ତା’ ପାଖକୁ ?”
– “ତମେ ଯିବ ଆମ ବସ୍ତିକୁ ? ହେଲେ ନାନୀ ଏବେ ଘର ନ ଥିବ । ଡଙ୍ଗା ତଳ ବାଲିରେ ଶୋଇଥିବ..ା”
ଡଙ୍ଗା ତଳେ ! ବାଲିରେ !! ଶିଳ୍ପୀ ମୁହଁରେ ଆଶ୍ଚର୍ଯ୍ୟ ଓ ବିସ୍ମୟର ଚିହ୍ନ ।
– “ହଁ ମୋ ବା ଆଉ ସାନ ବା’ ସମୁଦ୍ର ଭିତରକୁ ଗଲେ, ନାନୀ କହୁଛି ସେ ବି ସମୁଦ୍ରକୁ ଯିବ । ଡଙ୍ଗାରେ ବସି ସମୁଦ୍ର ଭିତର ମାଛ ଧରିବ । ସମୁଦ୍ର ସେପାରିରେ କୁଆଡେ ଗୋଟେ ଗାଆଁ ଅଛି, ସେ ଗାଆଁକୁ ସିଏ ଯିବ । ହେଲେ, ମୋ ବା ହସେ । କହେ ସମୁଦ୍ର ସେପାରିରେ ଗାଆଁ ନାହିଁ । ଖାଲି ପାଣି । ତେଣୁ ସେ ନାନୀକୁ ସାଙ୍ଗରେ ନିଏ ନାହିଁ ।”
– “ସତରେ ସମୁଦ୍ର ସେପାରିରେ ଗୋଟେ ଗାଆଁ ଅଛି । ସ୍ୱପ୍ନ ସୁନ୍ଦରୀର ଗାଆଁ ! ଯେଉଁ ଗାଆଁରେ କେବଳ ପରୀମାନେ ରହନ୍ତି ! ରାତି ହେଲେ ଉଡ଼ିଆସନ୍ତି ସୁମ୍ରଦ ଏ ପାରିକୁ !!!”
ଶିଳ୍ପୀ ଆଖିରେ ଛନ୍ଦି ହୋଇଗଲା ସ୍ୱପ୍ନଜାଲର ମାୟା । କେତେବେଳେ ସଂଧ୍ୟା ଫେରି ରାତି ଆସିଲାଣି । ଆଖି ଖୋଲିବା ବେଳକୁ ଅନ୍ଧାର, ଖାଲି ଅନ୍ଧାର ।
୍ ୍ ୍ ୍ ୍
ସମୁଦ୍ର ପିଟି ହେଉଛି ବେଳାଭୂମି ଉପରେ । ସେ ପାରିରେ ଦିଶୁଛି ଗାଆଁଟିଏ । ଛୋଟ ଦ୍ୱୀପଟିଏ । କେତୋଟି ଉଜ୍ଜଳ ତାରା ଚକ୍ଚକ୍ କରୁଛି ସେ ଗାଆଁ ମଥାନରେ । ଏକୁଟିଆ ଡଙ୍ଗାରେ ବସି ନୀଳନୟନା ସ୍ୱପ୍ନସୁନ୍ଦରୀ ଆହୁଲା ମାରିଚାଲିଛି ସେ ଦ୍ୱୀପ ଆଡ଼କୁ । ସମୁଦ୍ର ଦୁଇଭାଗ ହୋଇ ରାସ୍ତା ଛାଡ଼ିଦେଉଛି. ।
୍ ୍ ୍
ତା’ ପରଦିନ ସିନ୍ଦୁରା ଫାଟିବା ପୂର୍ବରୁ ଶିଳ୍ପୀ ପହଞ୍ଚିଗଲା ସେଇ ନିର୍ଦ୍ଧାରିତ ବାଲୁକାଶଯ୍ୟାକୁ । ତା’ ହାତରେ ଚିତ୍ରପଟଟି ଗୁଡ଼େଇ ହୋଇରହିଛି । ଗତକାଲି ସ୍ୱପ୍ନସୁନ୍ଦରୀର ଓଠ ତଳେ କଳାଜାଇଟି ଆଙ୍କିଦେବା ପରେ ସଂପୂର୍ଣ୍ଣ ହୋଇସାରିଛି ତା’ର ପ୍ରତିଛବି । ଆଜି ଯେମିତି ହେଲେ ତାକୁ ଭେଟିବାକୁ ହେବ । ସ୍ପଷ୍ଟ ଦିବାଲୋକରେ ପ୍ରଥମ ଦେଖାର ଉପହାର ସ୍ୱରୂପ ତା’ ହାତରେ ତୋଳିଦେବ ଏଇ ଚିତ୍ରପଟ୍ଟ । କେତେ ଖୁସି ନ ହେବ ସିଏ, ନିଜକୁ ଦେଖି କାଗଜର କାନ୍ଭାସ୍ରେ!!
କ’ଣ କହୁଥିଲା ସେ ଫ୍ରକ୍ ପିନ୍ଧା ସାବ୍ନା ପତଳୀ ଝିଅଟି ! ନାନୀ ! ଇଏ ତା’ର ଗୋରୀ ନାନୀ !!
ହସଧାରଟିଏ ଖେଳିଗଲା ଶିଳ୍ପୀର ଓଠରେ । ଝିଅଟିର କଥା ଯଦି ସତ ହୁଏ, ସ୍ୱପ୍ନସୁନ୍ଦରୀ ଯଦି ତା’ର ଗୋରୀନାନୀ ହୋଇଥାଏ, ତେବେ ତ ସହଜରେ ତା’ ସହିତ ଦେଖା ହେବ । କଥାବାର୍ତ୍ତା କରିହେବ, ଅନ୍ତତଃ ନୀରବ ଭାଷାରେ…. ।
ଉତ୍ସୁକ ଦୃଷ୍ଟିରେ ଚାରିଆଡ଼କୁ ଚାହିଁଲା ଶିଳ୍ପୀ । କାହିଁ, ସେ ଫ୍ରକ୍ ଫିନ୍ଧା ଝିଅଟିର ଦେଖା ନାହିଁ । ଓଃ ! ଧୈର୍ଯ୍ୟ ଧରି ରହିହେବ ନାହିଁ ଆଉ । ଏ ପାଖରେ ନୋଳିଆ ବସ୍ତି କେଉଁଠି ଅଛି, ସନ୍ଧାନ ନେବାକୁ ହେବ ; ଯେଉଁ ବସ୍ତିର ଲୋକ ଡଙ୍ଗାରେ ବସି ମାଛ ଧରିବାକୁ ସମୁଦ୍ର୍ର ଭିତରକୁ ଯାଆନ୍ତି ।
ପାଦେ ପାଦେ ଆଗେଇଲା ଶିଳ୍ପୀ । ସମୁଦ କୂଳଠାରୁ ଟିକେ ଦୂରକୁ ଗଲେ ନିଶ୍ଚିତ ଭାବେ ବସ୍ତିଟିଏ ନଜରକୁ ଆସିବ ! ଯେଉଁଠି ମାଛ ଧରାଳି ମାନେ ଦଳଦଳ ହୋଇ ଛଣ ଛପର ଘର କରି ଝାଉଁବଣର କଡ଼େ କଡ଼େ ରହନ୍ତି ।
ସମୁଦ୍ର ବାଲିରେ କେତେଟା ଡଙ୍ଗା । କୋଉ ଡଙ୍ଗାରେ ଜାଲ ବିଛେଇ ହୋଇରହିଛି ତ, କୋଉ ଡଙ୍ଗାର ପାଲ ଖୋଲାପଡ଼ିଛି । ତା’ ପାଖ ଦେଇ ଯାଉ ଯାଉ ଶୁଭିଲା, ପାଉଁଜିର ଛମ୍ଛମ୍ ଶବ୍ଦ । ଶିଳ୍ପୀର ଛାତିରେ କିଏ ଯେମିତି ମୃଦୁ କରାଘାତ କଲା । କ୍ଷଣେ ଅଟକି ଯାଇ ଡଙ୍ଗା ଭିତରକୁ ନିରେଖି ଚାହିଁଲା ସିଏ । କିଏ ଜଣେ ଶୋଇଛି ଡଙ୍ଗାର ମଙ୍ଗ ଉପରେ ମୁଣ୍ଡରଖି । ପାଦ ଛେଚୁଚି ଡଙ୍ଗା ଧାରରେ । ସେଇଠୁ ଏ ଶବ୍ଦ ଭାସି ଆସୁଛି ।
ଆବେ ସମ୍ଭାଳି ନ ପାରି ଶିଳ୍ପୀ ପଚାରିଲା – “କିଏ ଶୋଇଛି ଡଙ୍ଗା ଭିତରେ…?”
ମୁହଁ ଉପରୁ ଓଢ଼ଣୀ ଅପସରି ଗଲା ।
ଶିଳ୍ପୀର ଆଖିପତା ଦୁଇଟି ସ୍ଥିର । ଶରୀର ସ୍ଥବିର । ନିଜକୁ ବିଶ୍ୱାସ କରିପାରିଲା ନାହିଁ ସିଏ । ଏଇ ତା’ର ସ୍ୱପ୍ନସୁନ୍ଦରୀ । ଗୋରା ସୁନ୍ଦର ମୁହଁ । ଢ଼ଳ ଢ଼ଳ ନୀଳ ଆଖି, ଗୋଲାପୀ ଓଠ ତଳେ ଛୋଟ ତିଳ ଚିହ୍ନ । ତା’ ଚିତ୍ରପଟ୍ଟର ଅବିକଳ ପ୍ରତିଛବି ।
ଶିଳ୍ପୀର ପଲକବିହୀନ ଚାହାଣୀକୁ ଲକ୍ଷ୍ୟ କରି ସ୍ୱପ୍ନସୁନ୍ଦରୀ ପଚାରିଲା,
– “ତମେ ତା’ ହେଲେ ସେଇ ଲୋକ, ଯିଏ ମୋ ଫଟ ତିଆରି କରି ମତେ ନିଇତି ସପନ ଦେଖୁଛି ।”
“ଫ୍ରକ୍ ପିିନ୍ଧା ଝିଅଟି ତା’ ହେଲେ ସବୁ କଥା କହିଦେଇଛି !!”
ଡଙ୍ଗା ଉପରୁ ତଳକୁ ଓହ୍ଲାଇ ଆସି ସ୍ୱପ୍ନ ସୁନ୍ଦରୀ କହିଲା- “ତମେ ମତେ ସପନରେ ଦେଖ କି ନ ଦେଖ, ମୋର କିଛି ଯାଏ ଆସେ ନାହିଁ । ମୁଁ କିନ୍ତୁ ନିଇତି ସପନ ଦେଖୁଚି, ସମୁଦ୍ର ସେପାରି ମୋ ଗାଆଁରେ । ମୁଁ ଗାଆଁକୁ ଯିବି । ନେଇପାରିବ ମତେ?”
କିଛି ଉତ୍ତର ଦେଇପାରିଲା ନାହିଁ ଶିଳ୍ପୀ । ଚାହିଁରହିଲା କେବଳ ।
– “କିିଛି କହୁନ ! ମତେ ନେଇପାରିବନି ସମୁଦ୍ର ଆର ପାରିକୁ ? ବା’ ମତେ ମନା କରୁଛି, ସେ ନେଇ ପାରିବନି । ନେଲା ଭଳି ଲୋକଟେ ଆମ ବସ୍ତିରେ କେହି ନାହିଁ । ” ଅଭିମାନରେ ଫୁଲି ଉଠିଲା ରୂପସୀର ତୋଫା ମୁହଁ ।
ଇଏ ପୁଣି ନୋଳିଆ ବସ୍ତିର ଝିଅ ! ମାଛ ଧରାଳି କେଉଟ ଲୋକର ଏମିତିକା ଝିଅଟିଏ ଥାଇପାରେ ! ନା, ଶିଳ୍ପୀ ଦେଖିଥିବା ସ୍ୱପ୍ନ ସତ । କୋଉ ପରୀ ରାଇଜରୁ ଆସି ବାଟବଣା ହୋଇ ଏ’ଠି ପଡ଼ିରହି ଗୁମୁରି କାନ୍ଦୁଛି । ନିଜ ରାଇଜକୁ ନିଜ ଲୋକଙ୍କୁ ଝୁରିହେଉଛି । ଡେଣା ଦୁଇଟିକୁ ତା’ର କାଟି ଦିଆଯାଇ ନାହିଁ ତ !
– “ଏଇ ବାବୁ ! କ’ଣ ସପନ ଦେଖୁଛ ! ମୁଁ ତମ ଆଗରେ ଠିଆହେଇଛି । ପୁଣି ସପନ କଅଣ ? ଆଚ୍ଛା, ତମେ ତିଆରି କରିଥିବା ମୋର ଫଟ ଦେଖେଇଲ ।”
ଯନ୍ତ୍ର ଚାଳିତ ପରି ହାତରେ ଧରିଥିବା ଚିତ୍ରପଟ୍ଟକୁ ଶିଳ୍ପୀ ବଢ଼େଇଦେଲା ସ୍ୱପ୍ନ ସୁନ୍ଦରୀ ହାତକୁ । ଚିତ୍ରପଟ୍ଟକୁ ଦେଖି ସେ କହିଲା – “ଠିକ୍ ମୋରି ପରି ହେଇଛି । ମୋ ଗାଲରେ ଏ କଳାଜାଇଟା ଅଛି, ତମେ କେମିତି ଜାଣିଲ ? କେବେ ଦେଖିଲ?”
-କଣ୍ଠରେ ମାଦକତା ଭରି ଶିଳ୍ପୀ ଉତ୍ତର ଦେଲା- “ସେ ଝିଅଟା ମତେ କହିଛି, ତମକୁ ଯିଏ ଗୋରୀ ନାନୀ ଡାକେ ।”
– “ଓଁ ! ଉମା । ସିଏ ମୋ ଗେହ୍ଲି ସାନ ଭଉଣୀଟା….ା”
-“ତମେ ତା’ର ଗୋରୀ ନାନୀ ….?”
ହସି ହସି ଉତ୍ତର ଦେଲା ସ୍ୱପ୍ନସୁନ୍ଦରୀ – “ମୋ ଦେହର ରଂଗ ଗୋରା ତ, ମତେ ସମସ୍ତେ ଗୋରୀ ଡାକନ୍ତି । ମୋ ନା’ଗୌରୀ । ଜାଣିଛ, ଆମ ବସ୍ତିରେ ମୋଠୁ କେହି ଗୋରୀ ନାହାନ୍ତି, କି ସୁନ୍ଦରୀ ନାହାନ୍ତି । ବା’ କହୁଛି କାଳିଆ କେଉଟ ସହିତ ମୋ ବାହାଘର କରିଦେବ । ମୁଁ ଜମା ବାହାହେବି ନାଇଁ । ଗୋରା ଲୋକଟେ ନ ମିଳିଲେ କଳା ଲୋକ ସହିତ ଜମା ଯିବି ନାହିଁ ମୋ ଗାଆଁକୁ । ଏଇ ବାବୁ ! ତମ ଦେହ ବି ଗୋରା ନୁହଁ, କଳା !”
ଚମକିପଡି ନିଜ ଦେହକୁ ଚାହିଁଲା ଶିଳ୍ପୀ । ସତରେ ତା ଦେହର ରଂଗ କଳା । ସ୍ୱପ୍ନସୁନ୍ଦରୀ ପାଇଁ ଗୋରା ମଣିଷଟେ ନିହାତି ଲୋଡା । ମୁହୂର୍ତ୍ତେ ନିରବ ରହି ଶିଳ୍ପୀ କହିଲା, “କୃଷ୍ଣ କଳା ଥିଲେ । ତମେ ଜାଣିଛ ?”
– “ହଉ ! ସେଇଥିପାଇଁ ରାଧାରାଣୀ ଦୁଃଖ ପାଇଲା । ଜୀବନ ସାରା କାନ୍ଦିଲା । କଳା କୃଷ୍ଣ ବୁଝିଲା କି ତା’ର ମନ !”
ଶିଳ୍ପୀର ଛାତିରେ ଏଥର ବାଜିଲା ପଥର ପାହାର । କ’ଣ ଆଉ କହିପାରିଥାଆନ୍ତା ତା’ର ପ୍ରିୟ ସ୍ୱପ୍ନସୁନ୍ଦରୀକୁ । କେମିତି ସେ ବୁଝାଇ ପାରିଥାଆନ୍ତା, ପ୍ରେମର ରଂଗ କଳା ନୁହେଁ, …. ଖାଣ୍ଟି ସୁନା ଭଳି ସବୁବେଳେ ଚକ୍ଚକ୍ …. ।
ତୀର୍ଯ୍ୟକ୍ ଚାହାଣୀର ଥରେ ଶିଳ୍ପୀ ଆଡ଼କୁ ଚାହିଁଦେଇ ଚିତ୍ରପଟ୍ଟଟି ତା’ ହାତକୁ ଫେରେଇଦଲା ସିଏ । ଡେଇଁ ଡେଇଁ ନାଚିବା ଭଳି ଢ଼ଙ୍ଗରେ ସେ ଚାଲିଲା ସମୁଦ୍ର ଆଡ଼କୁ । ଜୁଆର ଆସିବା ବେଳେ ଲୋଟିପଡ଼ିଲା ବାଲି ଉପରେ ।
ଶିଳ୍ପୀର ଆଖି ମୁଦି ହୋଇଗଲା । ଚିତ୍ରପଟ୍ଟରୁ ସ୍ୱପ୍ନ ସୁନ୍ଦରୀ ବାହାରି ଆସି ସମୁଦ୍ର ଜୁଆରରେ ସ୍ନାନରତା । ଚାହିଁ ବି ଚାହିଁ ହେଉ ନାହିଁ ଓଦାବସ୍ତ୍ରରେ ଆବୃତ୍ତ ତା’ର ସୁନ୍ଦର ସୁଠାମ ଦେହକୁ । ଅଥଚ, ଆଖି ବୁଜି ନିରେଖି ପାରୁଛି ଶିଳ୍ପୀ । ସବୁ ଦେଖି ପାରୁଛି । ଶିହରିତ ହେଉଛି । ତା’ ପଛରେ ଧାଇଁ ତାକୁ ଧରିବାର ପ୍ରବଳ ଇଚ୍ଛାକୁ ଦମନ କରିପାରୁନାହିଁ ।
ସ୍ୱପ୍ନରେ ସେ ସେମିତି ଆସୁଛି, ଅଣ୍ଟା ଦୋହଲେଇ… ପବନରେ ପଣତ ଉଡ଼େଇ । କେତେବେଳେ ବାଲିରେ ଘର ତୋଳୁଛି । ଉଆସ କରୁଛି, ଶାମୁକା ସାଉଁଟୁଛି ପୁଣି ସମୁଦ୍ର ସେପାରିକୁ ଚାହୁଁଛି । ଆଉ କେତେବେଳେ ଧାଉଁଛି ଜୁଆର ଡେଇଁ ସମୁଦ୍ର ଭିତରକୁ ।
ଶିଳ୍ପୀର ଛାତି ଧଡ଼ଧଡ଼ ହେଉଛି । ସମୁଦ୍ର ସେପାରି ଗାଆଁକୁ ସତରେ ଚାଲିଯିବ କି ତା’ର ସ୍ୱପ୍ନସୁନ୍ଦରୀ ! ଏକା ହୋଇଯିବ ସେ… ଭାରି ଏକା ।
ନିଦ ହଜିଯାଇଛି ଶିଳ୍ପୀ ଆଖିରୁ । ସାମ୍ନା କାନ୍ଥରେ ତା’ର ଅଙ୍କା ଚିତ୍ରପଟ୍ଟଟି ଉପହାସ କରୁଛି । ହେ ବୋକା ! ଏଇ ତ ଆଛି ମୁଁ ତମ ଆଗରେ କାହାକୁ ଝୁରି ହେଉଛ ।
ଛଟପଟ ହେଉଛି ଶିଳ୍ପୀ ବିଚରା ! ହାତ ପାଆନ୍ତାରେ ସ୍ୱପ୍ନସୁନ୍ଦରୀକୁ ନ ପାଇଲେ, ନ ଛୁଇଁଲେ ପାଗଳ ହୋଇଯିବ । ମନ ଖୋଲି କହିବ ତାକୁ ନିଜ ହୃଦୟର କଥା । ଜଣେଇଦେବ, ପୂର୍ବ ଜନ୍ମରେ ନିବିଡ଼ ପ୍ରେମ ସଂପର୍କ ଥିଲା ଦିହିଁଙ୍କର । ତେଣୁ ତ ସିଏ ସ୍ୱପ୍ନରେ ଆସୁଛି, ନିଦ ଚୋରେଇ ନେଉଛି । ଅଥଚ, ଏତେ ପାଖରେ ଥାଇ ବି ଚିହ୍ନିପାରୁନି ସ୍ୱପ୍ନରେ ମନର ମଣିଷକୁ । କଳା ଗୋରା ରଂଗର ଫରକ କରୁଛି । ହୃଦୟର ଭାବ ବୁଝିପାରୁନାହିଁ । ଏଇଠି, ଏତେ ସୁନ୍ଦର ନିରୋଳା ଝାଉଁବଣ ଥାଉ ଥାଉ ସୁମଦ୍ର ସେପାରି ଦ୍ୱୀପକୁ ଯିବା ପାଇଁ ଚାହୁଁଛି !
ଶିଳ୍ପୀର ଇଚ୍ଛା ହେଉଥିଲା, ଛାତି ଚିରି ଦେଖେଇଦେବ ସିଏ, କେତେ ପ୍ରେମ ସାଇତି ରଖିଛି ତା’ର ପ୍ରିୟତମା ପାଇଁ ! ସାରା ଜୀବନ ଉତ୍ସର୍ଗ କରିଦେବ, ଭଲପାଇବାର ଦ୍ୱାହି ଦେଇ । ସଂସାର ଛାଡ଼ିିଦେଇ ଆସି ଘର କରିବ ସମୁଦ୍ର ତଟରେ, । ଝାଉଁବଣରେ । ହାତ ଧରି ବୁଲିବ, ବାଲିଘର ତୋଳିବ । ଶାମୁକାରେ ସଜେଇବ । ତୋଳିଦେବ, ତା’ ହାତରେ ଚକ୍ଚକ୍ ମୁକ୍ତାମାଳା ।
ସ୍ୱପ୍ନ ସୁନ୍ଦରୀ ପାଇଁ ସବୁ କିଛି କରିପାରିବ ଶିଳ୍ପୀ ।
ପରଦିନ ସକାଳୁ ସକାଳୁ ଶିଳ୍ପୀ ଦୌଡ଼ିଲା ସମୁଦ୍ର କୂଳକୁ । ଝାଉଁବଣ ଭିତରେ ଖୋଜିଲା ତା’ ପ୍ରେମକୁ ! ଭଲପାଇବାକୁ ! ଜୀବନ – ଶୈଳୀକୁ !
ହଠାତ୍ ତା’ ସାମ୍ନାକୁ ଆସିଗଲା ସେଇ ନହକା ଫ୍ରକ୍ ପିନ୍ଧା ଝିଅଟି । ଝାଉଁଳା ମଇଳା ମୁହଁ ନେଇ ସେ ଠିଆ ହୋଇଥିଲା ଶିଳ୍ପୀ ସାମ୍ନାରେ ।
ଓଠରେ ହସ ଖେଳେଇ ଶିଳ୍ପୀ କହିଲା- “ତୁ ଆଜି ଏକା ! ତୋ ନାନୀ କାହିଁ ?”
ଅସ୍ପଷ୍ଟ ସ୍ୱରରେ ସେ ଉତ୍ତର ଦେଲା- “ନାନୀ ତା’ ଗାଆଁକୁ ଚାଲିଗଲା । ସମୁଦ୍ର ସେପାରି ଗାଆଁକୁ ।”
ଭ୍ରକୁଞ୍ଚନ କଲା ଶିଳ୍ପୀ । ସମୁଦ୍ର ସେପାରି ଗାଆଁ !!
– “ହଁ କାଲି ସଂଜବେଳେ ଜଣେ ଗୋରା ସାଇବ ଆସି ତାକୁ ଡାକିଲେ । କହିଲେ – ତାଙ୍କ ଗାଆଁକୁ ନେଇଯିବେ, ଖୁସିରେ ରଖିବେ । ତାଙ୍କ ଗାଆଁ ସମୁଦ୍ର ସେପାରିରେ ତ! ନାନୀ ସାଙ୍ଗେ ସାଙ୍ଗେ ରାଜି ହୋଇଗଲା । ବା’ର କଥା, ସାନ ବା’ର କଥା କିଛି ଶୁଣିଲାନି । ତାଙ୍କ ହାତ ଧରି ଗଲା ରାତିରୁ ଯାଇଚି ଯେ, ଯାଇଚି । ଆଉ ଫେରିବନି କହିଚି ।”
ହଠାତ୍ ଅଣଚାଶ ପବନ ମାଡ଼ିଆସିଲା ସମୁଦ୍ର ସେପାରିରୁ । ଟଳମଳ ହୋଇଗଲା ଶିଳ୍ପୀର ପାଦ । ବସିପଡ଼ିଲା ବାଲି ପରେ । ତା’ର ଉଦାସ ମୁହଁକୁ ଚାହିଁ ଝିଅଟା ପଚାରିଲା
ତମେ ତାକୁ ମନେ ମନେ ଭଲପାଉଥିଲ ନା ! ସିଏ କ’ଣ ସେ କଥା ବୁଝିଲା ? ଖାଲି କହିଲା, ସେ ଗୋରା ସାଇବକୁ ବାହା ହେବ । ଡଙ୍ଗାରେ ବସି ତା’ ଗାଆଁକୁ ଯିବ….ା”ଶିଳ୍ପୀର ମୁଦ୍ରିତ ଆଖିପତା ତଳେ ସ୍ୱପ୍ନସୁନ୍ଦରୀର କମନୀୟ ରୂପ ଛବି ନାଚୁଥିଲା । ତା’ ଆଗରେ ବସିପଡ଼ି ଫ୍ରକ୍ ପିନ୍ଧା ଝିଅଟା କହୁଥିଲା -“ତମେ ନାନୀ ପାଇଁ ଦୁଃଖ୍ କରନା, ବାବୁ ! ସେ ତ ସୁମଦ୍ର ସେପାରି ଗାଆଁକୁ ଚାଲିଗଲାଣି । ତମ ପାଇଁ ମୁଁ ଅଛି, ତମର ସବୁ କଥା ବୁଝିବି ।”
ନିରବ ନିଶ୍ଚଳ ହୋଇ ଧ୍ୟାନମଗ୍ନ ଋଷିଟିଏ ପରି ଶିଳ୍ପୀ ବାଲି ଉପରେ ବସି ରହିଥିଲା । ମୁହଁରେ ହସ ଫୁଟେବାକୁ ଚେଷ୍ଟା କରି ଲାଜଲାଜ କଣ୍ଠରେ ସେ ଝିଅଟା କହିଲା- “ତମେ ମୋର ଗୋଟେ ଫଟ ତିଆରି କରିଦେବନା ! ନାନୀର ଗାଲରେ ଗୋଟେ କଳାଜାଇ କଲା ଭଳି ମୋ ଗାଲରେ ବି ଗୋଟେ କଳାଜାଇ କରିଦେବ । ମୁଁ ବି ବଡ଼ ହେଲେ ତା’ ପରି ସୁନ୍ଦରୀ ହୋଇଯିବି । ଏଇ ବାବୁ ! ମୋ କଥା ଶୁଣୁଛ ନା…!”
ମାର୍ଫତ : ଅନ୍ନପୂର୍ଣ୍ଣ ମହାରଣା, ନିଗମ ନଗର,
ଆଙ୍କୁଲି, ବ୍ରହ୍ମପୁର, ଗଂଜାମ : ୧୦, ଫୋନ୍ : ୮୮୯୫୮୮୩୮୯୯
ଗାଳ୍ପିକା ଜନ୍ମନିଅନ୍ତି ୫-୫-୧୯୬୧ ଗଂଜାମ ଜିଲ୍ଲା, ବ୍ରହ୍ମପୁର ସହରରେ, ମାତା ଶ୍ରୀମତୀ ହରପ୍ରିୟା ମହାରଣା ଓ ପିତା ଶ୍ରୀ ତ୍ରିନାଥ ମହାରଣାଙ୍କ କୋଳମଣ୍ଡନ କରି । ନୀଳପୁରୁଷ, ନୀଳଲୋହିତ ଏବଂ ନୀଳନକ୍ଷତ୍ର ନାମକ ଗଳ୍ପ ସଂକଳନ ପ୍ରକାଶିତ ଓ ଆଦୃତ ।
ଗଳ୍ପ ‘ନୀଳନଈର ନକ୍ସା’ ଏକ ଭିନ୍ନ ଦୁନିଆରେ ପାଠକଙ୍କୁ ପ୍ରବେଶ କରେଇବ, ଯେଉଁଠି ଶିଳ୍ପୀଟିଏର କଳ୍ପନାମୟ ଦୁନିଆ ସହ ବାସ୍ତବ ସଂସାରର ପ୍ରେମ ଦୃଶ୍ୟାୟିତ ହୁଏ । ମତ୍ସ୍ୟକନ୍ୟାର ଦେଖିନଥିବା ଗାଁକୁ ଯିବାର ଅଭିପ୍ସା ଓ ତା’ ପ୍ରେମରେ ଶିଳ୍ପୀର ଯନ୍ତ୍ରଣାମୟ ସମୟ ପାଠକଙ୍କୁ ଉଦ୍ବୋଧ କରିବ ।