ଯେଉଁଠି ଆଶା ଝୁଣ୍ଟିପଡ଼େ
ଡ.ଗୁରୁମୂର୍ତ୍ତି ନାୟକ
ନଦୀର ଖରସ୍ରୋତ ପରି ଦିନ ବହିଯାଏ ତଳକୁ ତଳକୁ । କେତେ ମୀନ, କେତେ ଜନ, କେତେ ଚିହ୍ନା ଅଚିହ୍ନା ବାଲୁକା ଶଯ୍ୟା, କାହାକୁ ଅପେକ୍ଷା ନ କରି ନଈର ସ୍ରୋତକୁ ଆଗକୁ ଆଗକୁ ନେଇଯାଏ । ସେ ଏକା ଏକା ଚାଲିଯାଏ ଚରେଇ ବତୀ ନ୍ୟାୟରେ । ଏକଲା ଚଲୋ ଏକଲା ଚଲୋ କହି ।
ଆଜକୁ ପ୍ରାୟ ପଚିଶି ଦିନ ହେବ ବିବାହ କାର୍ଯ୍ୟ ସଂପନ୍ନ ହେବାର । ସମସ୍ତେ ଖୁସି, ରାଜୁ ବି ଖୁସି । ଖୁସିର ନୌକା ଚାଲିଯାଏ ଦୂୂରକୁ ଦୂରକୁ । କାନ୍ଥର ରଙ୍ଗରେ ରଙ୍ଗୀନ ହୋଇଛି ଦୁନିଆର ପରିବେଶ । କେତେ ଯେ ଖୁସି ପାଦ ତଳେ ଲହରି ଭାଙ୍ଗୁଛି କଳନା କରି ହେଉ ନାହିଁ । ଭଗବାନକୁ ଶତ ଧନ୍ୟବାଦ ଅର୍ପଣ କଲା ।
ଅପରାଜିତା କେତେ ଖୁସି, କହିପାରୁନାହିଁ । ମନରେ ଶକ୍ତଚାପ ସୃଷ୍ଟି ହୋଇ ଝଲମଲ କରୁଛି । ମନକୁ ପାଇଛି, ହୃଦୟ ଭର୍ତ୍ତି ଉପଭୋଗ କରିବ । ଭଲ ମଣିଷଟିଏ, ମନଲାଖି ଅପରୂପ ରୂପ । ମୁଣ୍ଡରେ ସୁନ୍ଦର କେଶ । ଆକାଶର ଧବଳବଳକାବଳି ପରି ଦାନ୍ତ ପନ୍ତି । ଚକି କାଟିଲା ପରିମୁହଁ, ପଦ୍ମଲୋଚନ ଆଖିଦ୍ୱୟ । ତିଳଫୁଲ ପରି ନାଶା । ଗମ୍ଭୀର ମୁହଁ ଶ୍ୟାମଳ ଶରୀରରେ ଚମ୍ପାକଢ଼ିପରି ଅଙ୍ଗୁଳି । ଉଚ୍ଚତା ବେଶ ସମାନ । ମନକୁ ପାଇଛି, ଭାଗ୍ୟରେ ଥିଲେ ଏପରି ମଣିଷ ମିଳନ୍ତି । ଯାହା ହେବାକୁ ଅଛି ସବୁ ହୋଇସାରିଛି । ତୁଣୀରରୁ ଶର, ଶର ଗତିରେ ବାହାରି ସାରିଛି । କହିବାର ନାହିଁକି କରିବାର ନାହିଁ । ନିଜର ଧର୍ମ କର୍ମ ସୀମା ମଧ୍ୟରେ ଭଗବାନ ଚିରକାଳ ରହିଥାନ୍ତି । ମନୁଷ୍ୟଯଦି ଧର୍ମସୀମାକୁ ଉଲଙ୍ଘନ କରେ, ତା’ର ପ୍ରମାଦ । ସତରେ କ’ଣ ଅତି ଲେମ୍ବୁ ଚିପୁଡ଼ିଲେ ପିତା, ନା ଅତି ସ୍ନେହ ଭାଙ୍ଗିଯାଏ । ଅତି କ’ଣ ଇତି ।
ବଣକନ୍ଦର ପାହାଡ଼, ପର୍ବତ, ନଈନାଳ, କିଟିମିଟିଆ, ଅଜଣା, ଅଶୁଣା ଅଜ୍ଞ ମଫସଲ ଗାଁରେ ବିବାହ କରିଛି । କ’ଣ ମୁଁ ଗାଁକୁ, ନା ପରିବାରକୁ, ମୁଁ ତ ବିବାହ କରିଛି ରାଜୁୁକୁ । ମଣିଷ ଭଲ ତ, ପରିବେଶ କ’ଣ କରିବ? ମଣିଷ ଯୁଗେ ଯୁଗେ ଭଲ । ପରିବେଶ ଭଲ ମନ୍ଦରେ ପରିଣତ କରେ । କିଏ ପଚାରେ ସେ ପରିବେଶକୁ ? ଜନ୍ମ ସୂର୍ଯ୍ୟ ଚନ୍ଦ୍ର ପରି ସତ୍ୟ ଓ ଆଦିମ । କେହି କେହି କଲାକର୍ମ ପଙ୍କରେ ସ୍ୱଚ୍ଛ ଓ ସ୍ୱଚ୍ଛନ୍ଦରେ ଜୀବନ ନିର୍ବାହ କରନ୍ତି । କେବଳ ଭଗବାନ ହିଁ ଜାଣନ୍ତି ସମୟ ଅସମୟ କଥା ।
ଗାଁର ସ୍ନେହ ମମତା, ପ୍ରେମ ପ୍ରୀତିରେ ମନ ବିକ୍ରୟ ହୋଇଗଲା । କେତେ ସୁନ୍ଦର ପରିବେଶ । ସରଳ, ନିଷ୍କପଟ, ସ୍ୱଚ୍ଛ, ନିର୍ମଳ ମଣିଷ ଗୁଡ଼ିକ । କେତେ କର୍ମଠ, ଭାବ ବିଦ୍ୱାନ ଓ ଅତି ଆପଣାର ପରିଚିତ ଲୋକ ଗୁଡ଼ିକ ପରି ପରଶି ଯାଆନ୍ତି ଆତ୍ମୀୟତା ଆନ୍ତରିକତା । ଶ୍ରଦ୍ଧା ଓ ପ୍ରୀତି ହେଲେ ସହରରେ ଏସବୁ ମିଳେନା । ଥାଏ ଛଳନା, କପଟତା ଓ ଏକାକୀପଣ । ଖୋଲା ଉପଭୋଗ ଜୀବନ କର୍ମ ଚଞ୍ଚଳତା ଓ ନ ଦେଖିବାର ଅସହ୍ୟ ଅଭିନୟ । ଏସବୁ ଚିନ୍ତା କରୁ କରୁ ଭଗବାନକୁ ବୁହେ ପ୍ରଶଂସା କଲା, ଏବଂ କହିଲା ତୁମେ ଗାଁ ସହର ଛାଡ଼ି ଏକା ଏକା ଶାନ୍ତିରେ ନୀରବ ଜାଗାରେ ବସି ସବୁ ଦେଖୁଛ । ଧନ୍ୟ ହେ ଭଗବାନ । ତୁମର ବୁଦ୍ଧିକୁ ମାନିବାକୁ ପଡ଼ିବ ।
କେତେ ସୁନ୍ଦର ଗାଁ’ ଟି । ଧାନକ୍ଷେତର ସବୁଜିମା, ପାହାଡ଼ର ସବୁଜିମା ମଧ୍ୟରେ ଗୋଟିଏ କେନାଳ ଯେମିତି ଦୁଇପଟକୁ ଶୀତଳତାରେ ସ୍ପର୍ଶ କରି ରହିଛି ଆପେ ଆପେ । ନଇଁପଡ଼ିଛି ବରଗଛ । ସେଠାରେ ନାନା ବିହଙ୍ଗଙ୍କ ଆଡ଼ାସ୍ଥଳୀ । କିଚିରି ମିଚିରି ଶଦ୍ଦରେ ଶାନ୍ତ ପୃଥିବୀକୁ ଉଠାଇ ଆଣୁଛି ତାଙ୍କ ଆଡ଼କୁ । ହରିଣମାନଙ୍କ ଖେଳକୁଦ, ମୟୂରମାନଙ୍କର ନୃତ୍ୟ, ଗୋଗୋଷ୍ଠର ବେଣୁସ୍ୱନ, ଗାଈର ଗଳଘଣ୍ଟ ବେଶ ଆନନ୍ଦ ଦେଉଛି । ଗାଁ ଟି ଯାକର ସାରାଦେହ ସେହି ନଈ ପଡ଼ିଥିବା କେଉଁକାଳର ବରଗଛ ମୂଳରେ ପାଉଁଶ ଗଦା ହୋଇଯାଉଛି । ଅପରାଜିତାର ହୃଦୟ ଝରକା ଖୋଲି ଦଳକାଏ ପବନ ଜୀବନର ଅତୀତ ଲେଖାକୁ ଧ୍ୱଂସ କରି ପାଉଁଶ କରିଦେଇଛି । ଗୋଟାଇବାକୁ ଚେଷ୍ଟା କରିଛି, ଓଲମ୍ ବୋଲମ୍ ହୋଇଯାଇଛି ଖୋଜି ବି ରାହା ପାଉନାହିଁ । କିଏ ଆଗ କିଏ ପଛ ସଜାଡ଼ିବାକୁ ଆରମ୍ଭ କରିଛି କି ନାହିଁ, ପୋଡ଼ା ଅଭୂଲା ସ୍ମୃତି ନିଆ ହଠାତ୍ ଛିଟିକି ପଡ଼ିଲା ତା ଉପରକୁ ।
ଅତୀତ ଇତିହାସକୁ ରୋମାନ୍ଥନ କରି ଭାବୁ ଭାବୁ କଳା ପେପର ଉପରୁ ଅକ୍ଷର ଗୁଡ଼ିକ ଉଜ୍ଜ୍ୱଳ ହୋଇ ଦୃଶ୍ୟମାନ ହେଲା । ଅତୀତ ଜୀବନ କେତେ ସ୍ୱଚ୍ଛ, ଶୁଭ୍ର, ପରିଷ୍କାର ଦେଖାଯାଉଥିଲେ । କୁସୁମିତ ଥିଲା ଚଲାପଥ । କିନ୍ତୁ ଆଜି ଭାବୁ ଭାବୁ କହି ପକାଇଲା ଟିକିଏଶୁଣିବ । ଆଜି ଗୋଟିଏ କଥା କହିବି ରଖିବ । ହେଉ ହେଲା କୁହ ନିଶ୍ଚୟ ଶୁଣିବ । ଶପଥ ରହିଲା ନିଶ୍ଚୟ ରଖିବି । ହେଲା ବାବା କହୁଛି । ଆରେ କହୁଛି କହୁଛି ଏତେ କ’ଣ କହୁଛ । କହିବ ତ । ଅଭିମାନ କରି ବସିପଡ଼ିଲା । ତେବେ ଅଭିମାନ କରନି । କହୁଛି ବାବା ….. କହୁଛି …. ତେବେ ଶୁଣ । ଏତିକି ବେଳକୁ ଉତ୍କଣ୍ଠା ଜାଗ୍ରତ ହୋଇଯାଇଥାଏ । କ’ଣ ସେ କହିବ । କିଛି ସମୟପରେ କହିବାକୁ ଆରମ୍ଭ କଲା ଶୁଣ । ମୁଁ କଲେଜରେ ପାଠ ପଢ଼ିବା ବେଳେ ମୋର ଜଣେ ସାଙ୍ଗ ଅଛି, ତାହାରି ପାଖକୁ ଚିଠି ଖଣ୍ଡିଏ ଦେବା । ନା କ’ଣ କହୁଛ । ଆରେ ଏଇଟା ଗୋଟାଏ କଥା ହଁ ଦିଅ, ସେଥିରେ କ’ଣ ଅଛି ଚିଠି ଦିଅ । ଏ କଥା ମୋତେ ପଚାରୁଛ କାହିଁକି? ତୁମେ ତ ତୁମ ସାଙ୍ଗ ପାଖକୁ ଦେବ, ଅନ୍ୟ କିଛି ନାହିଁ ତ ।
ସ୍ୱାମୀଙ୍କ ନିର୍ଦ୍ଧେଶ କ୍ରମେ ସେ ତା ସାଙ୍ଗପାଖକୁ ଚିଠି ଲେଖିବ । ଖୁସିରେ ଆତ୍ମହରା ହୋଇପଡ଼ିଲା । ମୁଣ୍ଡ ଉପରେ ଝିଲିମିଲି ତାରାର ଆକାଶ ଦେଖାଗଲା । ହେଲେ ମଣିଷର ଚିନ୍ତା ଭଗବାନ ଭାବନାକର୍ମ ଭିତରେ ବହୁ ପରିବର୍ତ୍ତନ । ବିବର୍ତ୍ତନ ବାଦ ଏ ଦୁନିଆ, ପରିବର୍ତ୍ତନଶୀଳ ଏହି ସଂସାର । ମଣିଷ ନିତି ମରେ ଓ ବଞ୍ଚେ ବାରମ୍ବାର । କେହି କାହାର ନୁହଁନ୍ତି । ମନର ସୌଦାଗର ଜଣେ, ମନ ସୌଦା ଥରେ । ଦ୍ୱିତୀୟଥର ନୁହେଁ, ଆପଣାର ହେଲେ ବି କଦାପି ନୁହେଁ । ସଂପର୍କ ଆଗରେ ସିନ୍ଦୂର ଫିକା ପଡ଼ିଯାଏ, ମହଂଗା ହୋଇଯାଏ । ସ୍ୱାମୀ ପର ଭଲପାଇବାଠାରୁ । ଚିରଦିନ ସଜ ଗୋଲାପର ବାସ୍ନାରେ ସୁବାସିତ କରିଥାଏ । ନା ଭାଙ୍ଗେ ନା ଦୁଗନ୍ଧ ହୁଏ । ସଦା ସର୍ବଦା ଅଜର ଅମର ହୋଇ ରହିଥାଏ । ମନ ନଈରେ ବାଲି ଗରଡ଼ାପରି ଗଡ଼ିଯାଏ ଓ ବେଳେ ବେଳେ ଶାଳଗ୍ରାମ ପାଲଟିଯାଏ ।
ମନେ ମନେ କେତେ ଖୁସି ହେଲା ଅପରାଜିତା । ସେ ତା ସାଙ୍ଗ ପାଖକୁ ଚିଠି ଦେବ ସ୍ୱାମୀଙ୍କ ନିର୍ଦ୍ଧେଶ କ୍ରମେ । କେତେ ଭଲ ମନର ମଣିଷଟିଏ । କେତେ ଉଚ୍ଚମନା ସେ । ଥରେଟିଏ ବି ମନା କଲେ ନାହିଁ ବିବାହିତ ପରେ କାହାରି ସାଙ୍ଗରେ ସମ୍ପର୍କ ନ ରଖିବା ପାଇଁ । କେତେ ଉଦାର ଓ ସଭ୍ୟ ଶିକ୍ଷିତ ମଣିଷ । ଏହା ଭାବୁ ଭାବୁ ଚିଠି ଲେଖି ସାରିଲାଣି । ତାକୁ ମୁଦି ଦେଇ ସ୍ୱାମୀଙ୍କ ହାତରେ ପୋଷ୍ଟ କରିବା ପାଇଁ ଦେଲା । ବହୁତ ଖୁସି ଲାଗୁଛି । ବହୁ ଦିନପରେ, ବହୁ ଘାତ ସଂଘାତ ପ୍ରତିଘାତ ପରେ ଜୀବନର ପ୍ରଥମ ଅନୁରୋଧର ପ୍ରଥମ ଚିଠି ବିବାହର ପ୍ରଥମ ବାର୍ତ୍ତା ପ୍ରେରିତ କରିଛି । ଏତେ ଆନନ୍ଦ ସାଉଁଟି ପାରୁନାହିଁ ଅପରାଜିତା ।
ଅନେକ ଦିନ ଅପେକ୍ଷା କରିଛି କୁନି । ଏତେ ଦିନ ପରେ ବି ସାଙ୍ଗ ଗୋଟିଏ ଚିଠି କିମ୍ବା ଫୋନ କରୁନାହିଁ । ସ୍ୱାମୀକୁ ପାଇବା ପରେ ମୋତେ ଭୁଲିଗଲା ଭାବିଭାବି ଇର୍ଷାରେ ଜର୍ଜରିତ ହୋଇ ରହିଛି । ମୁଁ ବୟସରେ ବଡ଼, କିନ୍ତୁ ସେ ପ୍ରଥମେ ବିବାହ କଲା । ବିଧିର ବିଧାନରେ କିଏ ବଡ଼ କିଏ ସାନ, କିଏ ଆଗ କିଏ ପଛ ଜାଣିବା କଷ୍ଟକର । ସେ କଥା କେବଳ ସେ ହିଁ ଜାଣନ୍ତି । ପିମ୍ପୁଡ଼ିମାନଙ୍କୁ ରୁଖାରେ ଚଢ଼ାଇ ଦେଇ ସ୍ୱର୍ଗସୁଖ ଅନୁଭବ କରାଇ ଦିଅନ୍ତି ଓ ସେମାନେ ଚେଷ୍ଟା କରନ୍ତି ପର ଲଗାଇ ଆକାଶରେ ଉଡ଼ିବା ପାଇଁ । କିନ୍ତୁ ଉଡ଼ିବାକୁ ଆରମ୍ଭ କରିବା ବେଳେ କାକ, ଛଞ୍ଚାଣ, ଗୋଧି ଆଦି ପ୍ରାଣୀଙ୍କର ଆହାର ହୋଇଯାଆନ୍ତି । କିବା ଆଲୋକର ଆକର୍ଷଣରେ ଆସି ଜୀବନ ତ୍ୟାଗ କରନ୍ତି, ଚିହ୍ନ ବର୍ଣ୍ଣ ରହେ ନାହିଁ । କିନ୍ତୁ ସମ୍ପର୍କ ତ ଅଲଗା । ମୂଷା ସମ୍ପର୍କର ଡ଼ୋରିରେ ସାପକୁ ଗାତରେ ଜାଗା ଦିଏ । ହରିଣକୁ ସିଂହ ନିଜ ସନ୍ତାନ ଭାବି ଖେଳାଏ । ସମ୍ପର୍କ ସୁତାରେ ବାନ୍ଧି ରହିଛି ନୂଆ ଜାଗା ନୂଆ ପରିବେଶରେ କିପରି ଚଳିବ ଧନ୍ଧି ହୋଇଯାଉଛି ।
କୁନିପାଖକୁ ଚିଠି ଆସିନାହିଁ ବୋଲି ସେ ବିରକ୍ତ ହେଉଛି । ମୋ ପାଖକୁ ଚିଠି ଖଣ୍ଡିଏ ବି ଦେଲା ନାହିଁ । କାହିଁକି ବା ଦେବ ସୁନ୍ଦର ବର, ସୁନ୍ଦର ଘର ପାଇଛି । ମନର ମଣିଷ ତ ପାଇଗଲା, ଏ ସାଙ୍ଗକୁ ପଚାରେ କିଏ । ମନକୁ ମନ ବୁହେ କହେ କଥାରେ ଅଛି ପରା ଭଲରେ ହେଉ କିବା ଖରାପରେ ହେଉ ଯଦି ମନେ ପକାଏ ତାହା ହେଲେ ଆପେ ଆପେ ତା କଥା ହୃଦୟ ଭିତରକୁ ପଶିଆସିବ । ନିଜକୁ ନିଜେ ଘୃଣା କରେ । ନିଜକୁ ନିଜେ ଧିକାର କରେ । ଏତେ ସୁନ୍ଦର ଅତୀତ ସକାଳ ସୂର୍ଯ୍ୟ ପରି ଜନ୍ମିତ ଶିଶୁ ପରି ସ୍ୱଚ୍ଛ ଓ ପବିତ୍ର । ଅନାବିଳ ପ୍ରେମରେ କ’ଣ ଆବିଳ ହୋଇଗଲା । ହେଲେ ସେ କ’ଣ ନୂଆ ସଂସାର ଦେଖି ପୁରୁଣା ସଂସାରକୁ ବିସ୍ମରି ଗଲା । କାହିଁ ନୂଆ ସଂସାର କ’ଣ ଏତେ ଭଲ? ପ୍ରଶ୍ନବାଚୀଟାଏ ହୋଇଗଲା କୁନି । ପରିବେଶ ଭାରି ଭାରି ଲାଗିଲା । ରାଗ ଅଭିମାନର ଟେକା ପଥର ମାଡ଼ରେ ଚିଡ଼ି ଚିଡ଼ା ହୋଇଗଲା । କେମିତି ଏ ସଂସାର । ଭାବୁ ଭାବୁ ଚିଠି ନିଅ ଚିଠି ନିଅ । ତୁମର ଚିଠି ଆସିଛି ଏଇ ନିଅ ମା ତୁମ ଚିଠି । ପୋଷ୍ଟ ପିଅନର ଡ଼ାକରେ ଭାବନା ରାଜ୍ୟରୁ ଓହ୍ଲାଇ ଆସି କୁନି ହସ୍ତ ପ୍ରସାରଣ କଲା । ବ୍ୟାକୁଳ ହୋଇ ହାତରେ ନେଇ ଆସିଲା ପୋଷ୍ଟ ପିଅନଠାରୁ ଚିଠି ଟି । ଆବେଗ, ଉତ୍ସାହ, ବ୍ୟାକୁଳରେ ଚିଠି ଟି ଧରି ଦେଖିଲା ଓ ଆନନ୍ଦରେ ଗଦ୍ଗଦ୍ ହୋଇ କହିଲା ।
ଆରେ ହଁ ରେ …… ଏତ ଅପରାଜିତାର ଚିଠି । ଖୁସିରେ ନାଚି ଉଠିଲା ମନର ବେଳାଭୂମିରେ ପେଂଣଯୁକ୍ତ ଲହରି ତୁହାକୁ ତୁହା ଆସି ସ୍ପର୍ଶ କରି ଚାଲିଯାଉଛି । ଚିଠିକୁ ନେଇ ଆନନ୍ଦ ଜୁଆର ପଛରେ ଦୌଡ଼ିଯାଇ ଦେଖେ । ତର ତର କରି ପଢ଼ି ଚାଲିଲା କୁନି, “କୁନି ମୋର ସ୍ନେହନେବୁ । ଅତୀତ ଇତିହାସର ଝଲକକୁ କେତେ ମନେ ପକାଇଲେ ବି ବର୍ତ୍ତମାନର ଝଲକ ଅଧିକ ଉଦ୍ଭାସିତ ହୋଇଯାଉଛି । ପାହାଁନ୍ତିଆ ତାରା ସକାଳର ସୂର୍ଯ୍ୟ କିରଣରେ ଲୁଚିଗଲା ଭଳି ସବୁ ଅତୀତ ଲୁଚିଯାଉଛି । ବିନ୍ଦୁ ବିନ୍ଦୁ ଶିଶିର ମଧ୍ୟ ସୂର୍ଯ୍ୟକିରଣରେ ଇନ୍ଦ୍ରଧନୁ ସୃଷ୍ଟି କଲା ପରି ଗୋଟିଗୋଟି ମଧୁମୟ ଭାଷା ମୋ ଅନ୍ତରରେ ଶତ ଶତ ସମୁଦ୍ରର ଲହରି ଆସି ମଥା ପିଟୁଛି ଏବଂ ସବୁଜିମା ଦୁବଘାସ ପବନର ହିଲ୍ଲୋଳରେ ଆନ୍ଦୋଳିତ କଲାପରି ମଧୁର ସ୍ପର୍ଶ ମୋତେ ଆନନ୍ଦର ଶିହରଣରେ ବେପଥୁ ସୃଷ୍ଟି କରୁଛି । ଖୁସି, ଆନନ୍ଦ, ଆବେଗ, ଉତ୍ସାହର ରାଶି ରାଶି ମୁରୁଜ ବୁଣି ବୁଣି ଜୀବନକୁ ରଙ୍ଗ ବେରଙ୍ଗ କରିଦେଇଛି । କେତେ ମୁଁ କହିବି । ନିଜେ ନିଜର ପ୍ରଶଂସା କରିବା ସର୍ବନାଶକୁ ଟାଣିଆଣିବା କଥା । ତୁ କିଛି ଖରାପ ଭାବିବୁ ନାହିଁ । କାର୍ଯ୍ୟ ବ୍ୟସ୍ତତାରେ ତୋ ପାଖକୁ ସମସ୍ତ କଥା ଜଣାଇପାରୁ ନାହିଁ । ସାକ୍ଷାତରେ ଆଉ ବାକି କଥା କହିବି । ଏକା ନିଶ୍ୱାସରେ ଚିଠିଟିକୁ ପଢ଼ି ନେଲା କୁନି । ନୀରବରେ ଟିକେ ବସି ରହିଲା ଏବଂ ଅନେକ ଭାବିଲା କ’ଣ କରିବି?
ସମଜାତି ପରମ ଅଇରି । କିଏ କାହାକୁ ଛାଡ଼ିବା ନାରାଜ । କଟା ଘାଆରେ ଚୂନ ଦେବା ଭଳି ଓ ନିଆଁରେ ଇନ୍ଧନ ଯେଗାଇବା ଭଳି କଥାଗୁଡ଼ିକ ସେମିତି ଲାଗିଲା । ପୋଡ଼ାମୁହିଁ! କହିଲା ଏକା ସାଙ୍ଗରେ ବାହା ହେବା, କାହିଁ ସେପରି କଲା ନାହିଁ । କ’ଣ ନା ଲେଖୁଛି ନିଜ ପ୍ରଶଂସା ନିଜେ କରିବା ଠିକ୍ ନୁହେଁ । ହେଉ ଦେଖିବା କେଉଁ ପାଣି କୁଆଡ଼େ ଯାଉଛି । ଦେବି ଗୋଟାଏ ପାନ ଯେ, ଝିଅ ଅଖା ଧୋଉଥିବ ଗୁଣ ଗାଉଥିବ । କାହା ପାଇଁ ଖେଳ ତ କାହାପାଇଁ କାଳ ।
ପ୍ରଷ୍ଫୁଟିତ ଲାବଣ୍ୟ ସରସେ ନବ କମଳ କଳି ପରି କୁନି । ଗୋରା ତକତକ ଶରୀର । ମୁହଁଟି ଧାର କାଟିଲା ପରି ଧାରୁଆ । ମୃଗନୟନୀ, ଗଜଗାମିନୀ ପରି ମଦାଳସା ଢ଼ଙ୍ଗ । ଆଙ୍ଗୁଳି ଗୁଡ଼ିକ ଚମ୍ପା କଢ଼ିପରି ଦେଖାଯାଉଛି, ଯବାଧର ଅତି ସୁନ୍ଦର । ନୀଳ ଚୁଡ଼ିଦାର ସାଙ୍ଗକୁ ଧଳା ଚୁନିର ବେଶଟି ଭାରି ମାନେ । ରୂପର ପସରା ଭିତରେ ନିରୀହ ବୋକା ଅନ୍ଧ ମହୁମାଛି ପରି ଜଣେ ସାଦାସିଧା ଦେଖାଇ କେତେ ଯେ ସରଳ ଛାତ୍ରମାନଙ୍କୁ ନମାରିଛି ତା’ର କଳନା ନାହିଁ । ଆଜି ଆଉ ଗୋଟିଏ ପ୍ରାଣୀକୁ ମାରିବ, ଡ଼ରିବ କାହିଁକି? ଭାଷାର ନିଆଁରେ ଜାଳିପୋଡ଼ି ଛାରଖାର କରିଦେବ । ଏହି ଜିଦ୍ରେ ଅଟଳ ରହି କୁନି କହିଲା ରହ ପୋଡ଼ାମୁହିଁ, ତୋତେ ଠିକ୍ କରୁଛି ।
କେତେ ଦିନ ପରେ ମନର ଦୂରତା ମଧ୍ୟରେ ଆଜି ସେ ଖଣ୍ଡିଏ ଚିଠି ଦେଉଛି । ଚିଠିରେ ଚିଠିରେ ସନ୍ଦେହର ନିଆଁ ଜଳିବା ଆରମ୍ଭ ହେବ, କାରଗିଲ୍ ଯୁଦ୍ଧ, ସନ୍ଦେହର ଯୁଦ୍ଧ । ଠିଆ ହେବ ସନ୍ଦେହର ପ୍ରାଚେରୀ ସ୍ୱାମୀ ସ୍ତ୍ରୀ ମଧ୍ୟରେ । ନିଆଁରେ କୁହୁଳି କୁହୁଳି କାନ୍ଦିବ ଓ ତିଳତିଳ କରି ଦଗ୍ଧ ହେବ । ଏସବୁ କଥାରେ ଚିନ୍ତା ନାହିଁ କୁନିର । ଭବିଷ୍ୟତରେ କ’ଣ ହେବ ସେ କଥାକୁ ଖାତିର ନାହିଁ ।
କିଛି ଦିନପରେ ଅପରାଜିତା ପାଖକୁ ଚିଠି ଦେଇଛି କୁନି । ଆକୁଳର ସହ ଚିଠିଟିକୁ ପାଇ ଆନନ୍ଦରେ ଆଗ୍ରହ ସହ ଖୋଲିଲା । ପଢ଼ିବାକୁ ଆରମ୍ଭ କରି ଦେଖିଛି କେତେ ଆପତ୍ତି ଜନକ ଶଦ୍ଦ । ହେ ଭଗବାନ! କ’ଣ ମୋ ପାଇଁ ଏପରି ଲେଖାହୋଇଛି ମନଯୋଗ ସହ ଅଧ୍ୟୟନ କଲା । କେତେ କ’ଣ ଲେଖାହୋଇଛି । ମନରେ ବିତ୍ତୃଷ୍ଣା ଭାବ ସୃଷ୍ଟି ହେଲା । ସେ କେବେ ଏପରି ଚିଠି ଜୀବନ କାଳ ମଧ୍ୟରେ ଦେଖି ନାହିଁ । ମୁଣ୍ଡ ଘୁରେଇ ଗଲା । ସେଥିରେ ଲେଖା ଅଛି ମାଇଁ ଡ଼ାଲିଂଗ୍, ମେ ତୁମାରାଲିଏ । ହାମ୍ ତୁମାରାଲିଏ କ୍ୟା ନେହିଁ କ୍ୟା, ଲେକିନ୍ ତୁମେ ମୁଝେ ଭୁଲଗଇ । ମୈନେ ତୁମ୍ କୋନ କିତ୍ନା ପ୍ୟାର କିୟା ତୁମ୍ନେ ନେହି ସମଝା ପାଏ । ତୁମ ଅଲଗ୍ ହୋକର ମୁଝେ କତ୍ନା ଦୁଃଖ ଦିଆ । ମେରି ପ୍ୟାରୀ ଡ଼ାଲିଂଗ୍! ମେ ତୁମରି ବିନା ମର୍ ଯାଉଂଗା । ଶେଷରେ ପୁଣି ଲେଖା ହୋଇଛି ଆଇ ଲଭ ୟୁ ।” ଏହା ନୀରବରେ ଏକ ଲୟରେ ପଢ଼ିଗଲା କାହାକୁ କିଛି ନକହି । ରାଗ, ସନ୍ଦେହ, ଘୃଣା, ପ୍ରଶ୍ନର ବାଦଲ ମୁଖମଣ୍ଡଳକୁ ଢ଼ାଙ୍କି ଦେଲା । ମୁଖରେ ନିରାଶର ରାହୁ ଗ୍ରାସ କଲା । ହସ ଆନନ୍ଦ, ଶାନ୍ତି ପ୍ରଶଂସା ଖଣ୍ଡିଏ ନୀଳ କାଜଗର କେଇଟିିିିିିିିିିିି ଅକ୍ଷର ପୋଛିଦେଲା । ମନରେ ଜାଗ୍ରତ ହେଲା ଅପରାଜିତା କଳଙ୍କିନୀ, ଚରିତ୍ରହୀନା । ସତରେ ସେ କ’ଣ ଯୋଗ୍ୟ ନୁହେଁ କାହାରି ଗଳାରେ ଫୁଲହାର ହୋଇ ଝୁଲିବା । ଆଜି ମୋ ଗଳାରେ । ଛି …. ଛି … ଛି … କଳଙ୍କିନୀ ….. ।
ଅପରାଜିତାର ସଂସାର ପୋଡ଼ିଗଲା । ନିଜକୁ ବୁଝାଇବାକୁ ଚେଷ୍ଟାକଲା ଯିଏ ଯାହା କହୁ ପଛେ, ଯଦି ସ୍ୱାମୀ ବୁଝିଯିବେ ତେବେ ଦୁଃଖ କରିବ ନାହିଁ । କିନ୍ତୁ ଦୁଃଖ ସାଗରରେ ବଞ୍ôଚଛି କାତ ପାଉନି । ପହଁରିବି କିପରି ଜାଣିପାରୁ ନାହିଁ । କାଳର କରାଳ ଗତିରେ କବଳିତ । ଉର୍ଣ୍ଣନାଭ ଜାଲରେ ଛନ୍ଦି ହୋଇଥିବା ପୋକମାଛି ପରି ଦଳେ ଅକ୍ଷରରେ ଛଟପଟ ହୋଇଛି ଅପରାଜିତା । ମୁକ୍ତି ପାଇପାରୁନି ସେଥିରୁ, ପାଦ ତଳର ମାଟି ଭୁସୁଡ଼ି ପଡ଼ୁଛି । ମେଞ୍ଚା ମେଞ୍ଚା ଆକାଶ ତା ଉପରେ ଛିଣ୍ଡି ପଡ଼ୁଛି । ପବନ ଋଦ୍ଧ ହୋଇ ଶ୍ୱାସରୁଦ୍ଧ କରୁଛି । ସମସ୍ତେ ଘୃଣା ଚକ୍ଷୁରେ ଦେଖୁଛନ୍ତି, କେହି ବି ଭଲରେ ଦୁଇ ପଦ କଥା ହେଉ ନାହାଁନ୍ତି । ହେ ଭଗବାନ!
ପାଗଳ ହୋଇଛି ରାଜୁ । କିଛି ଦେଖାଯାଉ ନାହିଁ । କ’ଣ କରିବ? ବିବାହ ମାନେ କ’ଣ ସମସ୍ୟା? ନାରୀମାନେ ସବୁ କ’ଣ ଏମିତି? ଏ ଦୁନିଆ କ’ଣ ସତୀ ହୀନ? ଭଲ କ’ଣ ଭଲପାଇ ପାରେନା? ଏ କି ବିଚିତ୍ରଲୀଳା ହେ ଭଗବାନ! ଭାବିଭାବି ଗୋଟାଏ ରାସ୍ତା ବାହାର କଲା । ସେ ଚାଲିଯିବ ମାଆର ସେବା କରିବା ପାଇଁ । ପୃଥିବୀରେ ଏତେ ଜାଗା ଅଛି । ଏତେ ଟିକିଏ ମଣିଷକୁ କ’ଣ ଜାଗା ମିଳିବ ନାହିଁ । ପାଗଳଙ୍କ ପରି ପ୍ରଳାପ କରିଛି ସେ । ନିଶ୍ଚୟ ଯିବ ଦୁନିଆରୁ, ନଚେତ ଗ୍ରାମରୁ । କାଗଜପତ୍ର ସଜାଡ଼ିଲା, ବେଶ ପୋଷାକ ଏକାଠି କରି ଜୀବନ ଅକୁହା ବେଦନାକୁ ସୁଟ୍ କେସ୍ରେ ଥୋଇ ପଳାଇଯିବ । ଆଜି ଅଗଷ୍ଟ ଚଉଦ ତାରିଖ ରାତ୍ର । ମୁଁ ମୋର କର୍ତ୍ତବ୍ୟ ନେଇ ପଳାଇଯିବି । ରାତ୍ର ପ୍ରାୟ ଏକ ଘଣ୍ଟ ହେବ ବାହାରି ପଡ଼ିଲା ରାଜୁ ରାଜରାସ୍ତାକୁ । ଆଉ କେବେ ବି ପଛକୁ ଚାହିଁ ନାହିଁ । ଚାଲିଛି ଚରେଇବେତୀ …… ଚରେଇବେତୀ …… କହି ….କହି ।
ରାତ୍ରର ଅବସାନରେ କାକଳିର କଳକୁଜନ ଚର୍ତୁଦିଗକୁ ଚମକାଇ ଦେଇଛି । ଶୁଭ୍ର ରଙ୍ଗ ବେରଙ୍ଗ ନାଲି ପତକା ତଳେ ଅନେକ ଅନେକ ଲୋକ । ପୁଣି ଆକାଶରେ ମନଖୁସିରେ ପବନର ହିଲ୍ଲୋଳରେ କଲ୍ଲୋଳିତ ଶରୀର ନେଇ ଆନ୍ଦୋଳିତ ହୋଇଛି ତ୍ରିରଙ୍ଗା ପତାକା । ତ୍ରିରଙ୍ଗା ପତାକାର ଦୃଶ୍ୟ ଉପଭୋଗ କରୁଛନ୍ତି ଅନେକ ଜୀବଜଗତ । ଅନେକ ପିଲା ଧାଡ଼ିବାନ୍ଧି ଠିଆ ହୋଇଛନ୍ତି । ସେମାନେ ସୈନିକ ହେବେ । ଦେଶମାତୃକାର ପ୍ରାଣ ରକ୍ଷା କରିବେ । ରାଜେନ୍ଦ୍ର ବି ଠିଆହେଲା । ଗୋଟିଏ ଜାତି ମାଆର ସେବା କରିପାରିଲା ନାହିଁ । ଗୋଟିଏ ଦେଶ ମାଆର ତ ପ୍ରାଣରକ୍ଷା କରି ପାରିବ ଭାବୁ ଭାବୁ ଧାଡ଼ିରେ ଠିଆ ହୋଇଯାଇଛି । ଧରିଥିବା କାଗଜ ପତ୍ର ଦେଖାଇ ଚାକିରି ପାଇଯାଇଛି । ବେଶ ଖୁସି, ଗୋଟାଏ କ’ଣ କରିବା ।
ଦିନପରେ ଦିନ ଗଡ଼ିଚାଲିଛି । ଅପରାଜିତାର ମନରେ ସୁଖ ନାହିଁ । ସେ କାହାକୁ କିଛି କହୁ ନାହିଁ । ମନେ ମନେ ଖୋଜୁଛି ସେ କ’ଣ ଆଉ ରାଜେନ୍ଦ୍ରକୁ ପାଇବ ନାହିଁ । କ’ଣ ସବୁ ଦିନପାଇଁ ମଥାର ସିନ୍ଦୂର ଫିକା ପାଲଟି ଯିବ? ଲାଗିଥିବା ସମସ୍ୟା ସମାଧାନ ହେବ ନାହିଁ । ଏମିତି ଅନେକ ପ୍ରଶ୍ନକୁ ସାଉଁଟି ଧରିଛି । ଭିଜା ଭିଜା ଆଖିପତାରେ ଚମକ ନାହିଁ, କି ଭିଜା ମାଟି ଦେହର ବାସ୍ନା କମୁନାହିଁ । ଶରୀରରେ ବୈଶାଖୀର ରୌଦ୍ରତାପ ଲାଗିରହିଛି । ରୂପ ଚାଲିଯାଇ ସମାଧି ପାଲଟି ଗଲାଣି । କ’ଣ ଅଛି ଯେ କରିପାରିବ ଭାବି ପାରୁନାହିଁ ।
ରାଜେନ୍ଦ୍ର ଭାବେ ମୋର କ’ଣ ଦରକାର ଯେ ମୁଁ କାହାକୁ ଠିକଣା ଦେବି । ମନକୁ ମନ ଶାନ୍ତ୍ୱନା ଦେଇ ବିବାହିତ ସ୍ତ୍ରୀ ପାଖକୁ ଚିଠି ଖଣ୍ଡିଏ ଲେଖିଦିଏ ଗ୍ରାମ ଠିକଣାରେ । ଚିଠି ଗାଁରେ ପହଁଞ୍ଚେ । ସେ ସ୍ପଷ୍ଟ ଭାବରେ ଲେଖିଦିଏ ମୁଁ ମୋର ରାସ୍ତା ବାହାର କରିଦେଲିଣି । ତୁମେ ତୁମ ରାସ୍ତା ବାହାର କରି ବିବାହ କରିପାର ଅନ୍ୟତ୍ର । ମୋର କହିବାର ନାହିଁ, କି ସେଥିରେ ପ୍ରତିବନ୍ଧକ ହୋଇ ଠିଆ ହେବାର ନାହିଁ । ଏ କଥାରେ ଅପରାଜିତାର ମୁହଁ ଘୁରାଇ ଦେଲା, ମୁଁ କ’ଣ ଦୁନିଆଁରେ ଏକଲା । ମିଥ୍ୟା କ’ଣ ସବୁବେଳେ ଆକର୍ଷଣ, ସତ୍ୟ କ’ଣ ବିକର୍ଷଣ ସଦା ସର୍ବଦା, କ’ଣ ମିଥ୍ୟାର ପରଦା ଉଠିବ ନାହିଁ? ଏ ସଂସାରରେ କ’ଣ ଧର୍ମ ନାହିଁ? ଭଗବାନ କ’ଣ ପଥର ପାଲଟିଗଲେ । ଭଗବାନଙ୍କ ଉପରେ ଅଭିମାନ କରି କାହାକୁ କିଛି ନ କହି କେବଳ ନୀରବରେ ଲୁହ ଗଡ଼ାଇ ଅସ୍ତବ୍ୟସ୍ତ ହୋଇରହିଲା । ଜୀବନରେ କି ପରିବର୍ତ୍ତନ ନ ହେଲା ।
ଭଙ୍ଗା ସଂସାର ମଧ୍ୟରେ ମନ ଭଙ୍ଗା ମଣିଷ ରାଜେନ୍ଦ୍ର । ସଂସାରରେ କିଏ ବା ଅଛି ଯେ ଯିବି ମନର କଥାକୁ କହିବି । ଅନେକ ସନ୍ଦେହ ପ୍ରଶ୍ନର ପାହାଡ଼ରେ ଚଢ଼ିଚଢ଼ି କ୍ଳାନ୍ତ ହୋଇ ପଡ଼ିଲାଣି । ସେ ଛୁଟି ନିଏ କିନ୍ତୁ ଗାଁକୁ ଯାଏ ନାହିଁ । ତଥାପି ଯେଉଁଦିନ ଦରମା ପାଏ, ମାଆ ବାପାଙ୍କ ନାମରେ ମନିଅର୍ଡ଼ର କରି ପଠାଇ ଦିଏ । ମନେ ମନେ ନିଜକୁ ବୁଝାଏ, ମୁଁ ସିନା ମାଆ ବାପାର ସେବା କରି ପାରିଲି ନାହିଁ କିନ୍ତୁ ମୋର ପରିଶ୍ରମର ମୂଲ୍ୟ ତ ସେବା କରିପାରିବ । ବେଶ ଏତିକି ମୋର ଆନନ୍ଦ । ସେତିକି ମୋର କର୍ମ ।
ଅନ୍ଧଭାବରେ ଭଲପାଇ ମହୁମାଛି ମହୁ ସଂଗ୍ରହ କରି ଫେଣାଟିଏ ତିଆରିି କରେ, ହେଲେ ତାହା ଆଉ କାହାର ହୋଇଯାଏ । କିଏ କହିପାରେ ତାହା ମୋ ପାଇଁ କିମ୍ବା ମୁଁ ତାହାକୁ ନେଇଯିବି । ଯଦି ଭାଗ୍ୟରେ ନ ଥାଏ ତାହା କରିପାରେନା ।କିନ୍ତୁ କୁନି ଭଲପାଇ ବସିଛି ରାଜେନ୍ଦ୍ରକୁ । ସୁସ୍ଥ, ସୁନ୍ଦର, ସୁବଳାୟିିତ ଗୋରା ତକ ତକ ଶରୀର । ଗୋଟିଏ ଚାଉଳରେ ଗଢ଼ା । ସେ ସାଙ୍ଗଙ୍କ ସାଙ୍ଗରେ ଆସିଥିବା ବେଳେ ଦେଖିଛି ଓ ତାଙ୍କ ସହ କଥା ହୋଇଛନ୍ତି । କି ସୁନ୍ଦର କଣ୍ଠସ୍ୱର, ମିଠାଭାଷି ଓ ବ୍ୟବହାର ରାମଚନ୍ଦ୍ରଙ୍କ ପରି ନିର୍ମଳ ଓ ସ୍ୱଚ୍ଛ, ତା ସାଙ୍ଗଠାରୁସବୁ କଥା ପ୍ରଶଂସା ଶୁଣି ମନେ ମନେ ଭାବୁଥିଲା କିପରି ପାଇବ । କେବଳ ଖୋଜୁଛି ମରୁଭୂମିରେ ପାଦଚିହ୍ନ । ପାଇବାର ନିଶାରେ ଚେତନ, ଅବଚେତନରେ ଅନୁସନ୍ଧାନ କରୁଛି ।
ହଠାତ୍ ଦିନେ ମାମୁଁ ପୁଅଠାରୁ ଖବର ଶୁଣି କୁନି ଆତ୍ମବିଭୋର ହୋଇଗଲା । ଆନନ୍ଦର ସୀମା ରହିଲା ନାହିଁ । ନିଜ ଶରୀରର ଲୋମ ଗଣିବାରେ ଅକ୍ଷମ ପରି, ମଇଁଷି ନିଜ ଶରୀରକୁ ବୁଡ଼ାଇ ରଖିବା ଭଳି ମାମୁଁ ପୁଅ ଭାଇର ବଚନରେ ନିଜକୁ ମଜାଇ ରଖିଥିଲା କୁନି । ଜଳରୁ ତରଙ୍ଗ ଉଦ୍ଭବ ହୁଏ । ତରଙ୍ଗ ଜଳ ଉପରେ ନିର୍ଭର କଲାଭଳି, ମଞ୍ଜିଟିଏ ପାଇ ବୃକ୍ଷ ପାଇଲା ପରି କୁନି ଅନୁୁଭବ କଲା । ନିଜର ଖୁସିକୁ ତରଙ୍ଗ ଦେହରେ ଯେପରି ସମୁଦ୍ର ରଖାଯାଇ ପାରେନା, କି ପରମାଣୁ ଦେହରେ ବିଶ୍ୱ ବ୍ରହ୍ମାଣ୍ଡ ରଖାଯାଇ ପାରେନା, ସେମିତି ନିଜ ଶରୀରରେ ରଖିପାରିଲା ନାହିଁ କୁନି । ସୁଖର ତରଙ୍ଗରେ ହୃଦୟ କମ୍ପିବାକୁ ଲାଗିଲା । ସେ ରାଜେନ୍ଦ୍ର ପାଖକୁ ଯିବ ନିଶ୍ଚୟ ।
ଦୌଡ଼ି ଚାଲିଲା କୁନି ଯୁଦ୍ଧର ତାଣ୍ଡବ ଦୃଶ୍ୟ ଦେଖିବାକୁ । ସେଠାରେ ଗୁଳିଗୋଳା ତୋପ କମାଣରେ ଗର୍ଜୁଥିଲା ପୃଥିବୀ । କର୍ଣ୍ଣ ଗହ୍ୱର ମୁଖରିତ ହେଉଥିଲା ‘ଅମର ରହେ ଅମର ରହେ’ ଶଦ୍ଦରେ । ‘ମାତୃ ମଙ୍ଗଳ ପାଇଁ ଶହୀହ ରହେ ।’ ଦେଶ ମାଟି ପାଇଁ ବୀର ଯବାନର ଆତ୍ମବଳିକୁ ଶତ ଶତ ପ୍ରଶଂସା କରି ଚାଲୁଥିଲେ । ଯୁଦ୍ଧ ଭୂମି ଆହୁରି ଆତଙ୍କିତ, କରୁଣ ଓ ମଳିନ କରିଦେଇଛି ପରିବେଶକୁ । ମାଟି ପାଇଁ କାହାର ବଳିଦାନ? କିଏ ସେହି ମହାନ ବ୍ୟକ୍ତି, ତାହାକୁ ଦେଖିବାପାଇଁ ଆଗକୁ ଆଗକୁ ମାଡ଼ି ଚାଲିଲା କୁନି । ତା ଆଡ଼କୁ ଦଳେ ଲୋକ କ’ଣ ଧରି ଆସୁଛନ୍ତି । ଠିଆ ହୋଇ ଦେଖିଲା କୁନି । କ’ଣ ଆଉ ହୋଇଥିବ? କିଏ ଜଣେ ଶହୀଦ୍ ହୋଇଥିବ! କ୍ଷୀଣସ୍ୱର କ୍ରମେ ପାଖେଇ ପାଖେଇ ଆସିଲା, ଅମର ରହେ….. ଅମର ରହେ …… ।
କ୍ରମେ କ୍ରମେ ସ୍ୱରଟି ପାଖେଇ ଆସିଲା ରାଜେନ୍ଦ୍ର ଅମର ରହେ ….. ଅମର ରହେ …… । ଚମକି ପଡ଼ିଲା କୁନି … ଆତଙ୍କିତ ହୋଇଉଠିଲା । ଶରୀର ଶୀତେଇ ଗଲା ….. କ୍ଷଣିକ ମଧ୍ୟରେ ବିଜୁଳି ବେଗରେ ଶିହରଣ ସୃଷ୍ଟି ହେଲା ମନ ପସନ୍ଦର ରାଜେନ୍ଦ୍ର ନୁ ହେଁତ । ବେଳେ ବେଳେ ସନ୍ଦେହ ଠିକ୍ ସତ୍ୟ ହୋଇଯାଏ । ସପ୍ନ ବାସ୍ତବ ହୋଇଗଲା ପରି କୁନିର ପାଟିର କଥା ପାଟିରେ ଅଛି, ସ୍ପଷ୍ଟ ଭାବରେ ଶୁଣି ପାରିଲା ଓ ଦେଖିପାରିଲା ସତକୁ ସତ ରାଜେନ୍ଦ୍ର । ମନ ପସନ୍ଦର ରାଜେନ୍ଦ୍ର । ରାଜେ….ନ୍ଦ୍ର କହି ବେହୋସ ହୋଇଗଲା । ପୁଣି ଚେଇଁଉଠି ଭାବିଲା ମୋ କଲମର ଲେଖାପାଇଁ ମୋତେ ପାଗଳ କରିଛି ଓ ଅପରାଜିତାକୁ ବିଧବା ସଜାଇଛି । ଯିଏ ମାରେ ସେ ବାରବାର ମରେ । ମୁଁ ଆଜି ମରୁଛି, ରାଜେନ୍ଦ୍ର ଶୁଣିଯାଅ… । ଅପରାଜିତା କଳଙ୍କିନୀ ନୁହଁ, ସେ ସତୀ । ମୁଁ ପାପିନୀ ତାକୁ ଏଇ ଦଶା ଦେଇଛି… । ପାଗଳଙ୍କ ପରି ପ୍ରଳାପ କଲା… ନୀରବରେ ଜଳଜଳ ଅନାଇ ରହିଲା ।
ବେଲଗୁଣ୍ଠା, ଗଂଜାମ, ଫୋନ୍ : ୯୯୩୭୭୨୯୪୫୦
ଗାଳ୍ପିକ ଜନ୍ମନିଅନ୍ତି ୦୧.୬.୧୯୭୧, ଗଂଜାମ ଜିଲ୍ଲା ବେଲଗୁଣ୍ଠା, ଜାମଖାଇ ଗ୍ରାମରେ, ମାତା ଶ୍ରୀମତୀ କୌତୁକୀ ନାୟକ ଓ ପିତା ଶ୍ରୀ ତ୍ରିନାଥ ନାୟକଙ୍କ କୋଳମଣ୍ଡନ କରି ।
ଗଳ୍ପ ‘ଯେଉଁଠି ଆଶା ଝୁଣ୍ଟିପଡେ’ ମାଧ୍ୟମରେ ଗାଳ୍ପିକ ଦର୍ଶାଇଛନ୍ତି ଛୋଟ ଭୁଲଟିଏ ବି କେଡେ ବଡ଼ ନିର୍ଦ୍ଦୟ ପରିଣାମ ଦେଇପାରେ । ଦୁଇ ବାନ୍ଧବୀଙ୍କ ମଧ୍ୟରେ ଥିବା ସଂସାରର ଈର୍ଷା ରାଜେନ୍ଦ୍ର ପରି ମଣିଷକୁ ସୈନିକ କରି ଶେଷରେ ଶହୀଦ୍ର ଆଖ୍ୟା ଦେବାର କାହାଣୀ ବଡ଼ ଚମତ୍କାର ।