ଅଚକ୍ଷୁର ଦୃଷ୍ଟି
ଭିକାରି ଚରଣ ମହାପାତ୍ର
ପୁରୀ ରେଳଷ୍ଟେସନରୁ ବଡ଼ଦାଣ୍ଡ ଅଭିମୁଖେ ରିକ୍ସାଟିଏ ଗଡ଼ି ଚାଲିଥାଏ । ଭୋଦୁଅ ମାସ ବଡ଼ ଏକାଦଶୀର ପୂର୍ବଦିନ ସଞ୍ଜ ସମୟ । ରିକ୍ସାରେ ବସିଛନ୍ତି ଶ୍ରୀପଦ ପାଢ଼ୀ ଓ ଧର୍ମପତ୍ନୀ ଦିବ୍ୟପ୍ରଭା । ବାଇଶି ପାହାଚରେ ପବିତ୍ର ବଡ଼ ଏକାଦଶୀ ଦିନ ମା’ ଙ୍କର ଶ୍ରାଦ୍ଧ ଦେବା ପାଇଁ ଆସିଛନ୍ତି । ସ୍ୱଚ୍ଛଳ ପରିବାର । ଧନ,ଜନ,ଗୋପ,ଲକ୍ଷ୍ମୀରେ ଭରପୂର । ଚାକିରୀ ସ୍ଥାନ ବ୍ରହ୍ମପୁରରେ ଘରଟିଏ ତିଆରିଛନ୍ତି ଶ୍ରୀପଦ ବାବୁ ।
ଜନ୍ମସ୍ଥାନ ପୁରୁଷୋତ୍ତମପୁର । ପୈତୃକ ଘର, ଜମିବାଡ଼ି, ଗାଈଗୋରୁ, ତୋଟା, ବଗିଚାର ଅଚଳାଚଳ ସମ୍ପତି । ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାରକୁ ପାଖ ବାଲିସାହିରେ ଏକ ବହୁତଳ ଆପାର୍ଟମେଣ୍ଟର ଦୁଇକକ୍ଷ ବିଶିଷ୍ଟ ଘରଟିଏ ବି କିଣାଯାଇଛି ଶ୍ରୀକ୍ଷେତ୍ରର ରଥଯାତ୍ରା ଆଦି ଯାନିଯାତ୍ରା ପର୍ବପର୍ବାଣୀ ବେଳେ ପୁରୀରେ ଅସ୍ଥାୟୀ ରହଣୀ ପାଇଁ ।
ଦିବ୍ୟପ୍ରଭାଙ୍କ ବୟସ ପଚାଶ ପାଖାପାଖି । ତଥାପି ଚମ୍ପାଫୁଲିଆ ଗୋରା ଦିହରେ ଲାବଣ୍ୟ, ଲାଲିତ୍ୟ ଓ ମୃଦୁଳତା । ପଢ଼ାପଢ଼ି, ଗପ,କବିତା ଆଦି ଲେଖାଲେଖି, ଅଧ୍ୟାତ୍ମିକ ଆଲୋଚନାରେ ଦିନ କଟିଯାଏ ଦିବ୍ୟ ପ୍ରଭାଙ୍କର ।
ଶ୍ରୀପଦ ବାବୁ ବାଧା ଦିଅନ୍ତି ନାହିଁ, ବରଂ ସହଯୋଗ କରନ୍ତି । ବାପଘର ଓ ଶାଶୁଘରର ସ୍ୱଚ୍ଛଳ, ସ୍ନେହଶୀଳ ପରିବେଶ, ସ୍ୱାମୀଙ୍କ ପ୍ରଦତ୍ତ ସ୍ୱାଧୀନତା ଭିତରେ ଗେଲାଦୁଲାରେ ବଢ଼ିଛନ୍ତି ଦିବ୍ୟପ୍ରଭା । ଶାନ୍ତି ଓ ସୌନ୍ଦର୍ଯ୍ୟ ସେଥିପାଇଁ ବୋଧେ ବାରିହୋଇ ପଡ଼ୁଛି ବାହ୍ୟ ଚେହେରାରେ ।
ରିକ୍ସାଟି ଗଡ଼ିଚାଲିଛି । କୁନ୍ଦିଲା କଳାମୁଗୁନି ପଥର ତିଆରି ତେଲ ଚିକ୍କଣ ମୂର୍ତ୍ତିଟିଏ ଭଳି ଦୃଢ଼ ପେଶୀୟ ଚେହେରାଟିଏ ରିକ୍ସାବାଲାର । ଯେମିତି କାଳିଆ ଠାକୁର । ବୟସ ଚାଳିଶି କି ପଞ୍ଚଚାଳିଶି ଭିତରେ ହେବ । ଅନାୟସ ଢ଼ଙ୍ଗରେ ବାଙ୍କ ମୋଡ଼ ସବୁ ବୁଲାଇ ଅଣ ଓସାରିଆ ଗଳିରେ, ଆବଡ଼ା ଖାବଡ଼ା ରାସ୍ତାରେ ଆରାମରେ ନେଇଚାଲିଛି ଯାତ୍ରୀଙ୍କୁ । ବାବନ ବଜାର, ତେପନ ଗଳି, ଛପନମଠର ଅନ୍ଦିକନ୍ଦି ଯେପରି ତା’ ନଖଦର୍ପଣରେ ଥୁଆ । ଗାଢ଼ ଅନ୍ଧାର ଭିତରେ ମୁହଁକୁ ମୁହଁ ଦିଶୁନି; କେଉଁଠି ଘରଭଙ୍ଗା ଆବର୍ଜନା ପଡ଼ି ରାସ୍ତା ଅଧା ବନ୍ଦ ; କେଉଁଠି ଫୁଟେ ଖାଲ ; କେଉଁଠି ନର୍ଦ୍ଦମା ପାଣି ଉଚ୍ଛୁଳି ରାସ୍ତା ଦିଶୁନି । ତଥାପି ସେ ସବୁୂ ଯେପରି ଆଗରୁ ଜାଣିପାରୁଛି କେଉଁ ଅନ୍ତରର ଅଜଣା ସ୍ପନ୍ଦନରେ ।
ରିକ୍ସାଟି ଗଡ଼ିଚାଲିଛି । ଗୁଣୁଗୁଣୁ ମନଫୁଲାଣିଆ ଗୀତର ଅନୁରଣନରେ ତାଳଦେଇ ରିକ୍ସାଟି ଗଡ଼ିଚାଲିଛି । ଏକା ଅନାମକୁ ଅନେକ ନାମ ଦେଇ ବାଉଳେଇ ଯାଉଥିବା ଡାକିବାର ନିଷ୍ଠା ଓ ନିଶାରେ ବୋଧେ ଛନ୍ଦହୀନ, ଶବ୍ଦହୀନ, ଅର୍ଥହୀନ ଗୀତଟିଏ ଗାଉଥିଲା ରିକ୍ସାବାଲା ସେ ଗୀତର ଅସମାପ୍ତ ସ୍ୱରଟି ଯେପରି ଏକ ହିଲ୍ଲୋଳରେ ଶୀତଳିତ କରି ଉଚ୍ଛୁଳି ଆସୁଥିôଲା ତା’ ଅନ୍ତରର ସାତତାଳ ଗହୀର ଭିତରୁ । ସେଇ ଅସମାପ୍ତ ଗୀତର ପ୍ରତିକ୍ରିୟାରେ ପ୍ରତିଧ୍ୱନିତ ହୋଇ ଯେପରି ଆସୁଥିଲା ଏକ ମନୋହାରୀ ମୁରଲୀର ସ୍ୱନ କାହିଁ କେତେ ଯୋଜନ ଦୂରରୁ ବା କେଉଁ ବିଶ୍ୱୋତ୍ତର ବୈକୁଣ୍ଠରୁ ପ୍ରତ୍ୟୁତ୍ତର ସ୍ୱରୂପ ।
ଶିହରିତ ହୋଇ ଯାଉଥିଲେ ଶ୍ରୀପଦ, ଦିବ୍ୟପ୍ରଭା । ରିକ୍ସାବାଲାର ପେଟପାଟଣାର ରକ୍ତଝରା ସଂସାରୀ ଯନ୍ତ୍ରଣା । ତା’ର ସେଇ ଉତପ୍ତ ମରୁବାଲି ତଳେ କେଉଁଠି କେମିତି କୁଳୁକୁଳୁ ହୋଇଯାଏ ଆନନ୍ଦ ଶୀତଳ ଫଲଗୁର ଝରଟିଏ । ଅକାଶରେ ଘନକୃଷ୍ଣ କଳାମେଘର କବରୀ, ମଝିରେ ମଝିରେ ଚିକ୍ଚିକ୍ ଚମକି ଯାଉଛି ଚପଳାର ଲାଜେଇ ଚେହେରା । ଯେମିତି ଅକାଶ ଆଜି ନିଃଶେଷ କରି ଅଜାଡ଼ି ଦେବ ବରଷାର ମୂଷଳଧାରା ।
ଅପରାହ୍ନ ଦୁଇଟାରେ ବ୍ରହ୍ମପୁର ରେଳଷ୍ଟେସନରୁ ପାଢ଼ୀ ଦମ୍ପତ୍ତି ରେଳଗାଡ଼ିରେ ବାହାରିଲା ବେଳେ ବିଚ୍ଛାଡ଼ି ହୋଇ ପଡ଼ିଥିଲା ମନ୍ଦାରଫୁଲିଆ ଖଇଫୁଟା ଖରା । ଖରାକୁ ଚାହିଁ ହେଉନଥିଲା । ‘ଭୋଦୁଅ ଖରା । ସହିନପାରିଲେ ଘରକୁ ପଳା ।’ କିନ୍ତୁ କିଏ ଘରକୁ ପଳଉ ନଥିଲେ । ପରାଜୟ ଯେପରି ସେମାନଙ୍କ ଜାତକରେ ନଥିଲା । ଏଇ ମୁଣ୍ଡପଟା ଖରା ଓ ବିଲର ତତଲା ପାଣି ଭିତରେ ରୁଆ, ବେଉଷା, ହିଡ଼ହଣା ପ୍ରଭୃତି କାମ କରି ଚାଲିଥିଲେ ପେଟଟା ପିଠିକୁ ଲାଗି ଯାଉଥିବା ମେହନତୀ ମଣିଷମାନେ ଓ କଳହଂସୀ ମାଇପିମାନେ ।
ନିଆଁ ଭିତରେ ବି ଲୁଚି ରହିଥାଏ ସେମାନଙ୍କ ପାଇଁ ଏକ ଶୀତଳତା । ଚବର ଚବର ଖେଳୁଥିବା କେରାଣ୍ଡି ମାଛକୁ ଟକୁକିନା ଗିଳିଦିଏ ପକ୍ଷୀଟିଏ ।ଆକାଶରେ ଶିଆରକାଟି ଉଡ଼ିଯାଉଥିଲେ ହରେକ ରଙ୍ଗର ପକ୍ଷୀ । ଡ଼ଗର ଡ଼ଗର ହୋଇ ଦଉଡି ଯାଉଥିôବା ବିଲି କଙ୍କଡ଼ାକୁ ଧରିବାକୁ ଧ୍ୟାନମଗ୍ନା ହୋଇ ବସିଥାଏ ବଗୁଲୀ ନାନୀ । ସବୁଜ କୋମଳ ଧାନପତରକୁ ଲହରେଇ ଦେଉଥାଏ ଚିଲିକା କୂୂୂଳିଆ ଶୀତଳ ପବନ ।
ରେଲଗାଡ଼ି ପୁରୀରେ ପହଞ୍ଚିଲା ବେଳକୁ ପ୍ରାୟ ସଞ୍ଜ ସାଢ଼େ ସାତ । ଆକାଶକୁ ଘୋଡ଼େଇ ଦେଇଛି କଳାହାଣ୍ଡିଆ ମେଘ । ମୁହଁକୁ ମୁହଁ ଦିଶୁନି । ଚଡ଼ଚଡ଼ି ଘଡ଼ଘଡ଼ି, ବିଜୁଳି, ଭୟ ଓ ଆଶଜ୍ଞା । ଏଇ ସମୟରେ ଷ୍ଟେସନରେ ସାଧାରଣତଃ ସବୁବେଳେ ରିକ୍ସା, ଅଟୋ, ଟାକ୍ସି ହାଉଯାଉ । ଆଜି କିନ୍ତୁ ଗୋଟେ ନାଇଁ । କାଁ ଭାଁ ଗୋଟେ ଯୋଡ଼େ ଆସିଗଲେ ପାଞ୍ଚଶହ ଟଙ୍କାରୁ କମଉ ନାହାନ୍ତି । ମାଳ ମାଳ ଯାତ୍ରୀ ବି ସେମାନଙ୍କ ପାଖରେ ବେଢ଼ି ଯାଉଛନ୍ତି । ଏଣେ ବର୍ଷା ପବନ ଧୀରେ ଧୀରେ ମାଡ଼ି ଆସୁଛି ।
ଚନ୍ଦ୍ରରେ କଳଙ୍କ ଭଳି ଦିବ୍ୟପ୍ରଭାଙ୍କ ଡାହାଣ ଆଖିରେ ରହିଥିଲା ଏକ ଅପ୍ରତ୍ୟାଶିତ କ୍ଷତର ବେଦନା । କିଛିବର୍ଷ ତଳେ ବଗିଚାରେ ନଇଁ ପାଣିଦେଲା ବେଳେ ଗୋଲାପ ଗଛର ଡାଳଟିଏ ଛାଟିହୋଇ ଆଖିଡ଼ୋଳାରେ ପଶିଗଲା । ତୀକ୍ଷ୍ନ କଣ୍ଟା କେତୋଟି ଆଖି ଡୋଳାରେ ରହିଗଲା । ଦୁଇ ଦୁଇ ଥର ଅସ୍ତ୍ରୋପଚାର ପରେ ବି ଆଖିଟି ଅସୁସ୍ଥ ହୋଇ ରହିଗଲା । ଚଷମା ପିନ୍ଧିଲେ ମଧ୍ୟ ଦୃଷ୍ଟି ଶକ୍ତି କମିଯାଉଛି । ମଝିରେ ମଝିରେ ଆଖିରେ ପୀଡ଼ା ରହୁଛି । ଆଜି ସେ ଅନୁତପ୍ତା । ଆଖି ଭଲଥିଲେ ହୁଏତ ସ୍ୱାମୀଙ୍କ ସହ କଥାବାର୍ତ୍ତା ହୋଇ କିଛି ବାଟ ଚାଲି ଚାଲି ଯାଇପାରିଥାନ୍ତେ । ଅନିଛା ସତ୍ତ୍ୱେ ଅଜଣାରେ ଆଖିରୁ ଲୁହଝରିଗଲା । ଅନ୍ଧାର ଭିତରେ ମୁହଁ ଦିଶୁନି । ତଥାପି ଅନୁଭବର ତ ଗୋଟେ ଆଖିଅଛି । ଶ୍ରୀପଦ ବାବୁ ଅନୁଭବ କଲେ ଦିବ୍ୟପ୍ରଭାଙ୍କ ଲୁହ । ଦିବ୍ୟପ୍ରଭା ନୀରବରେ ଡାକୁଥିଲେ ଜଗନ୍ନାଥଙ୍କୁ ।
– ‘ବାବୁ ରିକ୍ସା’! ଚମକି ପଡ଼ିଲେ ଶ୍ରୀପଦ ବାବୁ । ତାଙ୍କ ହାତରେ ଯେମିତି ଆକାଶରୁ ଚାନ୍ଦ ଖସିଗଲା । କାଳ ବିଳମ୍ବ ନକରି ବସି ପଡ଼ିଲେ ଓ ସଙ୍ଗେ ସଙ୍ଗେ ଦିବ୍ୟପ୍ରଭା ମଧ୍ୟ ।
– “ଆରେ ବାଲିସାହି ଆପାର୍ଟମେଣ୍ଟ , କେତେ ନେବୁ?” -ପଚାରିଲେ ଶ୍ରୀପଦ ବାବୁ ।
– “ଆପଣ ତ ସବୁବେଳେ ଆସିବା ଲୋକ । ଆପଣ କ’ଣ ଜାଣିନାହାନ୍ତି? ଆଜ୍ଞା ଚାଲିଶି ଟଙ୍କା । ସବୁବେଳେ ଯାହା, ଆଜିବି ସେହା । ବରଷା ପବନ ମାଡ଼ି ଆସିଲାଣି । ଗଣେଶ ମେଢ଼ ବିସର୍ଜନ ଯୋଗୁଁ ରାସ୍ତା ସବୁ ଜାମ୍ । ବହୁତ ବୁଲିକି ଯିବାକୁ ପଡ଼ିବ । ତଥାପି ମୁଁ ଯାତ୍ରୀମାନଙ୍କୁ ଅଧିକ ରେଟ୍ କହିପାରୁନି ଆଜ୍ଞା । ସେମାନେ ପରା ମୋର କାଳିଆ ଠାକୁର ।” ଏକା ନିଶ୍ୱାସରେ କହିଗଲା ରିକ୍ସାବାଲା । ଅନ୍ଧାର ଭିତରେ ବି ପାଢ଼ୀ ଦମ୍ପତ୍ତି ଦେଖିପାରୁଥିଲେ ପରସ୍ପରର ମୁହଁରେ ଚକିତ ହୋଇଯିବାର ଭାବ । ଆଶ୍ଚର୍ଯ୍ୟରେ ବିସ୍ତାରିତ ହୋଇଗଲା ଦୁଇଜଣଙ୍କର ଆଖି । ଦିବ୍ୟପ୍ରଭା ଭାବୁଥିଲେ, ଏ କ’ଣ ସତରେ ରିକ୍ସାବାଲା!
ରିକ୍ସାଟି ସ୍ୱାଭାବିକତାଠାରୁ ଦୃଢ଼ତର ଗତିରେ ଗଡ଼ିଚାଲିଲା ଏକ ଅଭ୍ୟସ୍ଥ, ସମର୍ଥ ହାତର ଅନାୟସ ପଣିଆରେ । ତା’ ଅର୍ନ୍ତମନର ଏକାଗ୍ରତା ଯୋଗୁଁ କର୍ମରେ ଲୟକୁ ବ୍ୟାଘାତ କରୁନଥିଲା ତା’ର ଅନର୍ଗଳ କଥାବାର୍ତ୍ତା ।
-“କାଳିଆ ଠାକୁର ବି ମୋ କଥା ବୁଝୁଛନ୍ତି ମା; ମୋର ବି ତିନିଟି ଝିଅ । ବଡ଼ ଝିଅ ଏ ବରଷ କଲେଜ ଗଲା । ଆମର ପେଟ କେବେ ଅପୋଷା ରହୁନି ମା । କିଛି ଅସୁବିିଧା ନାହିଁ । ସବୁ ଖୁସିରେ ଚାଲିଛି । ଯେ ପିଣ୍ଡ ଦେଇଛନ୍ତି, ମଣ୍ଡ ମଧ୍ୟ ଖଞ୍ଜିଛନ୍ତି ।”
ରିକ୍ସା ବାଲା ଅନ୍ତରର ଆନନ୍ଦ ଛନ୍ଦରେ, ତା’ କଥା, ରିକ୍ସାର ଗତି ସହ ଗୋଡ଼ ଓ ହାତର ଘୁର୍ଣ୍ଣନ ଯେମିତି ସମତାଳରେ ସ୍ପନ୍ଦିତ ହୋଇ ଚାଲିଥିଲେ ।
ବିହ୍ୱଳିତ ହୋଇଯାଉଛନ୍ତି ଦିବ୍ୟପ୍ରଭା । ତାଙ୍କର ବି ଦୁଇଟି ଝିଅ । ପୁଅ ନାହିଁ । ବାହାଚୁଡ଼଼ା ହୋଇ ଭଲରେ ଅଛନ୍ତି । ସେମାନଙ୍କ ଚିନ୍ତା ଦିବ୍ୟପ୍ରଭାଙ୍କୁ କେବେ ଲାଗିନି । କିନ୍ତୁ ଅବଚେତନର ଅନ୍ଧାର ଗହୀର ଭିତରେ ପୁତ୍ରହୀନ ଯୋଗୁ ଅଭାବବୋଧର ଏକ ଲୋମଶ ଅନ୍ଧାରୀ ଦୁଃଖଟିଏ ବଜ୍ରକୀଟ ଭଳି ରୁଟ୍ରୁଟ୍ କାଟି ଚାଲିଥିଲା । ବେଦନାଟି ଅହରହ ଅଜାଣତରେ ତାଙ୍କୁ ଅନୁସରଣ କରୁଥିଲା, ଅଳସ ଶଗଡ଼ ଚକାଟି କେଁ କଟର ହୋଇ କୁଣ୍ଠିତ ହଡ଼ା ବଳଦର ଖୁରାକୁ ଅନୁସରଣ କଲାଭଳି । ରିକସାବାଲାର କଥା ଦି’ପଦରେ ସାନ୍ତ୍ୱନାର ପରଶ ସେ ବେଦନା ପୋଛି ନେଇଗଲା । ଆଖିରେ ଜକେଇ ହୋଇ ଆସିଲା ଆନ୍ଦର ଦୁଇଟୋପା ଲୁହ । ସ୍ଥିର, ଶାନ୍ତ ହୋଇଗଲା ଚଂଚଳ ମନଟି ।ରିକ୍ସାଟି ଗଡ଼ି ଚାଲିଥିଲା । ଜୀବନର ନିଆଁ ପଥର ଧାରେ ଧାରେ ମୋହନ ମୁରଲୀ ସ୍ୱନଟିଏ ଭଳି ନିସୃତ ହେଉଥିଲା ଗୁଣୁଗୁଣୁ ଗୀତର ହିଲ୍ଲୋଳ ।
– “ମୋର ମଧ୍ୟ ଗୋଟିଏ ଆଖି ନଷ୍ଟ ହୋଇଯାଇଛି ମା’ । ଆପଣ ଜାଣନ୍ତି ତ ମା’, ପୁରୀରେ ବାରମାସରେ ତେର ଯାତରା ଶ୍ରୀମନ୍ଦିରରେ ଲାଗିଥାଏ । ତା’ ସାଙ୍ଗକୁ ଦୁର୍ଗାପୂଜା, ମଠବାଡ଼ ମାନଙ୍କରେ ଝୁଲଣ, ସାହିଯାତ, କେତେ କ’ଣ ? ଦୁର୍ଗାପୂଜା ସମୟରେ ପ୍ରତି ସାହିଛକ ମାନଙ୍କରେ ମେଢ଼, ତୋରଣ, ଛାମୁଟିଆ । ଏମିତି ଅନ୍ଧାରରେ ରିକ୍ସା ଚଲଉଥିଲି, ଭେଣ୍ଡିଆ ସମୟ । ମୁହଁଟା ଗୋଟାଏ ଅଚଞ୍ଚା ବାଉଁଶରେ ପିଟି ହୋଇଗଲା । ବାଉଁଶ କଣ୍ଟାଟେ ଆଖିରେ ପଶିଗଲା । ଡ଼ାକ୍ତରଙ୍କ ଚିକିତ୍ସା ସତ୍ତ୍ୱେ ଡାହାଣ ଆଖିଟି ନଷ୍ଟ ହୋଇଗଲା । କାଚ ଆଖିଟିଏ ଲଗେଇଛି । କିଛି ଜଣାପଡ଼ୁନି । ଜଗନ୍ନାଥଙ୍କ ଚକାଆଖି ମତେ ବାଟ କଢ଼େଇ ନେଉଛି, କିଛି ଅସୁବିଧା ହେଉନି ମା’ ।
ଦୃପ୍ତ କଣ୍ଠ, ଦୃଢ଼ ସଂକଳ୍ପ, ଅଟଳ ବିଶ୍ୱାସ ଓ ଅପ୍ରତିରୋଧ୍ୟ ସାହାସ ବାରି ହୋଇଯାଉଥିଲା ତା’ର ସ୍ପଷ୍ଟ ଉଚ୍ଚାରଣରୁ । ଯେମିତି ସେ କିଛି ନକହିବା ସତ୍ତ୍ୱେ, ତା’ ଆତ୍ମାର ଅଚକ୍ଷୁ-ଦୃଷ୍ଟିରେ ଦେଖିପାରୁଛି ଦିବ୍ୟପ୍ରଭାଙ୍କ ଅବଚେତନ ଗହୀରରେ ସବୁ ଦୁଃଖରାଶି । ତା’ କୋମଳ କଥାର ଶୀତଳ ସମୀରଣରେ ପୋଛିଦେଉଛି ତାଙ୍କ ଗହୀର ଅନ୍ତରର ରକ୍ତଝରା ଲୁହକୁ ।
ରିକ୍ସା ଶେଷରେ ଲକ୍ଷ୍ୟସ୍ଥଳରେ ପହଞ୍ôଚଲା । ଆଗରୁ ଭେନିଟ୍ରୁ ବାହାରକରି ହାତରେ ଧରିଥିôବା ପାଞ୍ଚଶହ ଟଙ୍କା ନୋଟ୍ଟିଏ ବଢ଼େଇ ଦେଲେ ଦିବ୍ୟପ୍ରଭା ।
– “ଖୁଚୁରା ନାହିଁ ମା’ । ଏମିତି ପାଗଯୋଗୁଁ ବହନି ହୋଇନି ମା’ ।”
– “ଆଜି ଏମିତି ପାଗ । ଅନ୍ଧାର ରାତି, ବିସର୍ଜନ ଗହଳି ଭିତରେ ଆଉ ରୋଜଗାରର ସମ୍ଭାବନା ନାହିଁ ତୋ’ର ଆଜି ବାବୁ । ତୁ ୟାକୁ ନେ । କାଲି ପ୍ରଭାତରେ ତୋ ପିଲାଙ୍କ ଓଠରେ ହସ ଉକୁଟିଲେ ଆମ ମା’ଙ୍କ ପ୍ରେତାତ୍ମା ଅଧିକ ତୃପ୍ତ ହେବେ ।” ଶ୍ରୀପଦ ବାବୁ ସିଡ଼ି ଆଡ଼କୁ ଯାଉ ଯାଉ ଗୁଣୁଗୁଣୁ ଗାଉଥିଲେ ‘ପଶ୍ୟତି ଅଚକ୍ଷୁ, ଚିଣୋତି ଅକର୍ଣ୍ଣ, ସ ବେତ୍ତି ବେଦ୍ୟଂ ନଚ ତସ୍ୟତି ବେତ୍ତା ।’ ଯେମିତି ବିଶ୍ୱୋତ୍ତର କରୁଣାଟିଏ ଅପେକ୍ଷା କରିଥିଲା ଅଭିପ୍ସାର ଅନିର୍ବାଣ ଶିଖାଟିକୁ । ଯେମିତି ହିଲ୍ଲୋଳିତ ପତିତପାବନଟି ନିିର୍ନିମେଷ ଚାହିଁବସିଛି ଆକୁତିର ପ୍ରସାରିତ ବାହୁ ଯୁଗଳକୁ ।
କମାପଲ୍ଲୀ ଛକ, ବ୍ରହ୍ମପୁର, ଗଞ୍ଜାମ, ଫୋନ୍ : ୮୭୬୩୨୫୦୦୪୦
ଗାଳ୍ପିକ ଜନ୍ମନିଅନ୍ତି ୧୦.୦୮.୧୯୪୪ ଗଂଜାମ ଜିଲ୍ଲା କହ୍ନେଇପୁର ଗ୍ରାମରେ, ମାତା ଶ୍ରୀମତୀ ମନ୍ଦୋଦରୀ ମହାପାତ୍ର ଓ ପିତା ଶ୍ରୀ ଅରକ୍ଷିତ ମହାପାତ୍ରଙ୍କ କୋଳମଣ୍ଡନ କରି । କବିତାରେ ନୈବେଦ୍ୟ, ପଞ୍ଚପର୍ଣ୍ଣୀ ଓ ଗଳ୍ପରେ ଅଚୁକ୍ଷର ଦୃଷ୍ଟି ସଂକଳନର ସେ ସଫଳ ଲେଖକ ।
ଗଳ୍ପ ‘ଅଚକ୍ଷୁର ଦୃଷ୍ଟି’ରେ ପୁତ୍ରଟିଏ ପ୍ରାପ୍ତ ହୋଇନଥିବା ଦିବ୍ୟପ୍ରଭାଙ୍କ ଦୁଃଖ ସେତବେଳେ ଉଭେଇଯାଏ ଯେତେବେଳେ ସେ ଜାଣନ୍ତି ତାଙ୍କୁ ଟାଣି ନେଉଥିବା ରିକ୍ସାବାଲା ତିନୋଟି ଝିଅର ବାପା ହେବାର ଗୌରବ । ସ୍ୱଚକ୍ଷୁରେ ଯାହା ଦେଖି ହେଉନଥିôବା ଦୃଶ୍ୟ, ଅନୁଭବର ଚକ୍ଷୁରେ ଦେଖି ହେବାର ଏକ ସୁନ୍ଦର ଜୀବନ ଦର୍ଶନ ।