ସଜଲ -ଆଜି ଲାଗେ କିମ୍ପା
କବି -କୁସୁମ ପଣ୍ଡା
————————————————
ଆଜି ଲାଗେ କିମ୍ପା ଥିଲା ଅବା ସେହି ଅଭୁଲା ଗହନ ସ୍ମୃତି
ମନେ ନାହିଁ କହେ ସେହି ଦିନ କଥା ଗଲା ଆହା ଦୂର ବିତି । ୧।
ଘନ କୁହୁଡିରେ ଆସିଥିଲ ଧରି ଶୀତ ବସନ୍ତର ପ୍ରୀତି
ସୁଆତି ପବନେ ଆସିଥିଲ ଧାଇଁ ଦେହେ ଧରି ଭରା ତାତି
ମନେ ନାହିଁ ବୋଲି ବିଛାଇଲ ଜାଲ ଜାଣି ଜାଣି ମାୟା ଏଠି
ଆଜି ଲାଗେ କିମ୍ପା ସତେ ଥିଲା ଅବା ପୁରୁଣା ଅଭୁଲା ସ୍ମୃତି । ୨ ।
କଦମ୍ବ ବୃକ୍ଷର ଡାଳରେ ରହିକି ଦୂରୁ ଦେଖୁଥିଲ ନିତି
ମନ ଅଛି ଖାଲି ମାଗି ଢାଙ୍କିଥିଲ ଅମା ଅନ୍ଧକାର ରାତି । ୩ ।
ସୂରୁଜକୁ ମାଗି ଦେଇଥିଲ ଅବା ସୁନେଲୀ କିରଣ ବତୀ
ଚାନ୍ଦ ତୋଳି ଆଣିଦେବି କହି ସତେ ବାନ୍ଧିନେଲ ମନ ପ୍ରୀତି
ନାନା ରଙ୍ଗ ଗୀତ ଗାଇ ସମ୍ପର୍କକୁ ସୁଦୃଢ଼ କରିଲ ସ୍ଥିତି
ମନେ ନାହିଁ କହେ ସେହି ଦିନ କଥା ଗଲା ଆହା ଦୂର ବିତି । ୪।
କଳ୍ପନା ନାବିକ ଆଶାର ପ୍ରଦୀପ କହିଗଲ ତୁମେ ସାଥୀ
ମନ ଦୁର୍ବଳତା କରି ରଖିଦେଲ ହୋଇ ଜୀବନର ଜ୍ୟୋତି । ୫ ।
————————————————
**କୁସୁମ ପଣ୍ଡା**
ବ୍ରହ୍ମପୁର