କବି ଭାଗୀରଥି ବେହେରାଙ୍କ କବିତା – ବଦଳି

। ବଦଳି ।
। ଭାଗୀରଥି ।।

କ’ଣ ଅଛି ଏ ମାଳୁଆ ମାଟିରେ !

କିଛି ଖଣ୍ଡିଆ ଜର୍ଜର ପାହାଡ
ଫଟା କ୍ଷେତରେ କିଛି ସୋରିଷ ଫୁଲ
ରଙ୍ଗିଆ ଭୂମିରେ ହାତ ଧରାଧରି ବଞ୍ଚୁଥିବ

କିଛି କାଜୁ ଓ ଆଦ୍ରତା ହରଉଥିବା ବଂଶଧାରାର
ଖଣ୍ଡିଆ ଖାବରା ଶାଖା ।

କିଛି ନୀତି ନଥିବା ରାଜନୀତିଆ ପୋଷ୍ଟର
ଯନ୍ତ୍ରଣା ପରି ଉବଡ଼ ଖାବଡ଼ ରୋଡ଼
ଅଧିକାର ସାବ୍ୟସ୍ତ କରୁଥିବା ଆଦିମ ଅଧିବାସୀ
ଲାଲ ଜିଭ କାଢି ଅନଉଥିବା ଦେବୀ
ଗାଆଁ ନାଁରେ ଦୁଇ ଚାରିଟା ଆଜବେଷ୍ଟସ ଘର ।

ମୁଁ ମାପିବାକୁ ଚେଷ୍ଟା କରୁଛି
ମୁଣ୍ଡ ଗୁଞ୍ଜିବା ପାଇଁ ଛାତ,
ଠିଆ ହେବା ପାଇଁ ମାଟି,
ହାତ ଠାରି ଡାକିବା ପାଇଁ ଆକାଶ
ଯାହା ବିନା ବଞ୍ଚି ହେବନି ପବନ।

ଜୀବନ ଜୀବିକାର କଥା ଏ!
ବଦଳି ତ ଏକ ବାହାନା ।

କି ଫରକ୍ ପଡ଼ୁଚି କେତେ ମାଳ, କେତେ କାଳ
ଦରକାର
ସକାଳେ ସୂର୍ଯ୍ୟ ,ରାତିର ଅନ୍ଧାର କେବଳ ।

ଏବେ ମୁଁ ଖୋଜିବି
ମୋ ସହ ଗୀତ ଗାଇବାକୁ ପକ୍ଷୀ
କଥା ବାଣ୍ଟିବାକୁ ସଖା ଓ ସଖୀ
ଫୁଟୁଥିବା ଫୁଲ ସହ ହସ, ପତ୍ର ସହ ଅତ୍ର
ଘଣ୍ଟା ଆଳତୀରେ ବିଶ୍ୱାସ, କର୍ମର ବିଶ୍ୱାସ
ଆଉ ଯେତେ ସବୁ
ଭୁଲିଯିବା ଫନ୍ଦିଫିକରରେ
କିଏ ପଚାରୁଛି
କ’ଣ ଅଛି ଏ ମାଳୁଆ ମାଟିରେ !

ଏଥରକ ଅହେତୁକ ବିସ୍ଥାପନ ପାଇଁ
ମୁଁ କରୁଛି ନିଜକୁ ପ୍ରସ୍ତୁତ
ସବୁ ଇପ୍ସିତ କାମନାକୁ କରୁଛି ସଂକ୍ଷିପ୍ତ
ପରବାୟ ନାହିଁ ମନ ହେଉ କେତେ ଯେ ବିକ୍ଷିପ୍ତ ।

ବଦଳିବା ହିଁ ଯେ ପ୍ରକୃତିର ନିୟମ
ଏତିକି ତ ଶିଖେଇ ଦେଲା ଏ ବଦଳି
ସବୁ ନିମିତ୍ତ
ଯଦି ତୁମେ ମାନୁନ – ମତ୍ତାନ୍ଧ
ମାଳ ହେଉ କି ପଙ୍କାଳ
ମୁଁ ମାନିଗଲି – ଅନ୍ଧ ।।

ସମ୍ପାଦକ
ଗଞ୍ଜାମର କବିତାଘର
ଆଙ୍କୁଲି, ବ୍ରହ୍ମପୁର, ଗଞ୍ଜାମ